ଅଲକ୍ଷଣୀ
ଅଲକ୍ଷଣୀ


ଦାମୋଦରବାବୁ ଭୁବନେଶ୍ୱରରେ ରୁହନ୍ତି। ଚାକିରୀରୁ ଅବସର ନେବା ପରେ ପଟିଆଠାରେ ଏକ ଭବ୍ୟ ପ୍ରାସାଦ ଗଢିଛନ୍ତି। ଘର ଆଗରେ ସୁନ୍ଦର ବଗିଚା। ଫୁଲଗଛ ସାଙ୍ଗକୁ ବାଇଗଣ, କଖାରୁ, କଲରା, ଟମାଟୋ, ଭେଣ୍ଡି ସବୁ ନିଜ ହାତରେ ଲଗେଇଛନ୍ତି। ନିତିଦିନ ସକାଳୁ ଉଠି ବଗିଚାରୁ ଘାସ ବାଛିବା, ଗଛମୂଳକୁ ଖୁନ୍ଦାଡ଼ି ଭଲରେ ପାଣି ଦେବା, ଫୁଲମାନଙ୍କ ସହିତ ଗପିବାରେ ତାଙ୍କର ଦିନ ସୁରୁଖୁରୁରେ ପଳାଏ। ଧର୍ମପତ୍ନୀ ପ୍ରମିଳା ଦେବୀଙ୍କର ଅଧା ସମୟ ପୂଜା ପାଠରେ କଟେ। ଘରେ ଚାକରାଣୀ ମିନିକୁ ମିଶାଇ ସେମାନେ ସର୍ବମୋଟ ତିନି ଜଣ। ଏମିତି ବି ସନ୍ଧ୍ୟା ହେବା ଆଗରୁ ରାତ୍ରି ଖାଇବା ତିଆରି କରି ସାରି ସେ ଘରକୁ ପଳାଏ। ଦି ପୁଅ ବିଦେଶରେ କାର୍ଯ୍ୟରତ। ରାତି ହେଲେ ଏତେ ବଡ଼ ଘରଟା ଖାଇ ଗୋଡ଼ାଏ।
ଦି ପୁଅ, ଦି ବୋହୂ, ନାତି ନାତୁଣୀ ଆସିଲେ ଘରେ କାଳେ ଜାଗା ହେବନି ବୋଲି ଏତେ ବଡ଼ ଘର ସିନା କଲେ ହେଲେ ଏବେ ସେଇ ଘର ତାଙ୍କ ଉପରେ ଦାଉ ସାଧୁଛି। ଦିନରେ ରାସ୍ତାଘାଟ କୋଳାହଳରେ କିଛି ଜଣା ପଡ଼ୁନି କିନ୍ତୁ ରାତିର ଘନତା ଯେତିକି ବଢେ ଦାମୋଦରବାବୁ ସେତିକି ଏକୁଟିଆ ଅନୁଭବ କରନ୍ତି। ବୁଢା ବୁଢ଼ୀ ଦୁହେଁ ନିଜ ସହିତ କେତେ ଗପିବେ? ପୁଣି ପ୍ରମିଳା ଦେବୀ ଭୋରରୁ ଉଠି ପୂଜା କରନ୍ତି ବୋଲି ଦଶଟା ନ ବାଜୁଣୁ ଶୋଇ ପଡନ୍ତି ହେଲେ ଦାମୋଦରବାବୁ ପେଚାଙ୍କ ପରି ଏଘରୁ ସେ ଘର ଖାଲି ହୁଅନ୍ତି।
କେହି ଭଡାଟିଆ ରଖିବାକୁ ତାଙ୍କର ଭାରି ଇଚ୍ଛା। ହେଲେ ଏବେ ଯେଉଁ ଦୁର୍ଘଟଣାଗୁଡ଼ିକ ରାଜଧାନୀରେ ଘଟୁଛି ସେକଥା ଭାବି କାହାକୁ ରଖିପାରୁନାହାନ୍ତି। କିଏ ଜାଣେ, କାହା ମନ ଭିତରେ କଣ ଚାଲୁଛି? ଯଦି କେଉଁ ଦୁର୍ବୁତ୍ତ ଘର ଭଡ଼ା ନେବା ଆଳରେ ସେମାନଙ୍କୁ ମାରି ସର୍ବସ୍ଵ ଲୁଟି ନେଇ ଚାଲିଯିବ?
ହେଲେ ଏମିତି ଏକାକି ରହିବା ଭାରି କଷ୍ଟ। କିନ୍ତୁ କଣ କରିବେ? ସେ ନାଚାର।
ଦି ଦିନ ହେଲାଣି ଦାମୋଦରବାବୁଙ୍କ ପେଟଟା ପୁରା ଫମ୍ପେଇ କି ରହିଛି। ଯେତେ ଔଷଧ ଖାଇଲେ ବି କମୁନି। ପିଲାଟି ଦିନୁ ଗାଁ ର ସେ ନାଲି ମୋଟା ମୋଟା ବଗଡ଼ା ଚାଉଳ ଖାଇବାରେ ଅଭ୍ୟସ୍ତ। ସପ୍ତାହେ ହେଲାଣି ଚାଉଳ ସରିଲାଣି। ଏଯାଏଁ ରତନର ଦେଖା ନାହିଁ। ଗାଁରେ ଯେଉଁ ଜମି ବାଡ଼ି ଅଛି ସେ ସବୁ ପିଲାଙ୍କ ପଢା ପାଇଁ ସେ ସମୟରେ ବିକ୍ରି କରିଦେଇଥିଲେ। ଖାଇବା ପାଇଁ ଚାଉଳ ରତନ ହାତରେ ସେ ଗାଁରୁ ମଗାନ୍ତି। ରତନ ବସ୍ତେ ଲେଖାଏଁ ନାଲି ଉଷୁନା ଚାଉଳ ଦେଇ ଦେଇ ଯାଏ, ସରିଲେ ସେ ଫୋନ କଲା ମାତ୍ରେ ଚାଉଳ ଧରି ହାଜର ହେଇଯାଏ।
ଚାଉଳ ସହିତ ବେଳେ ବେଳେ ଦିଟା ବଡ଼ ବଡ଼ ଦେଶୀ ଆଳୁ, କେତେବେଳେ କଞ୍ଚା ବାଦାମ ନ ହେଲେ ତା' ବାଡ଼ିର କଦଳୀ ବି ନେଇ ଆସିଥାଏ। ଯେତେ ଯାଚିଲେ ବି ଏସବୁର ପଇସା ନିଏନି। ଖାଲି ଚାଉଳର ପଇସା ନିଏ। ହେଲେ ଏଥର କଣ ହେଇଛି ଯେତେ ଫୋନ ଲଗେଇଲେ ବି ତା ଫୋନ ଲାଗୁନି କି ସେ ବି ଚାଉଳ ନେଇ ଆସୁନି। ତେଣୁ ଦାମୋଦରବାବୁ ଗାଁ ମୁହାଁ ହେଲେ। ଚାରିଆଡେ ଭଲରେ ତାଲା ପକେଇ ରହିବା ପାଇଁ ପ୍ରମିଳା ଦେବୀଙ୍କୁ ବୁଝେଇ ଗଲେ।
ପ୍ରାୟ କୋଡ଼ିଏ ବର୍ଷ ପରେ ସେ ଗାଁ ମାଟିରେ ପାଦ ଦେଉଛନ୍ତି। ଗାଁ ଟା ଆଉ ପୂର୍ବ ପରି ଗାଁ ହେଇ ନାହିଁ। ଚାରିଆଡେ କଳା ମଚ ମଚ ପିଚୁ ସଡକ। ସହରର ବାସ୍ନା। ତାଙ୍କୁ ଦେଖି ରତନ ଖୁସିରେ ପାଛୋଟି ନେଲା। ତା ସ୍ତ୍ରୀ ଚୁନା ମାଛର ପତ୍ର ପୋଡ଼ା, ପଖାଳ ଭାତ, ବଡ଼ି ଚୁରା ଓ ଆଳୁ ପୋଡ଼ା ବାଢି ଦେଇ ଗଲା। ଏତେ ଦିନ ପରେ ସେ ଭୁରି ଭୋଜନ କଲେ। ନ ହେଲେ ଏଇଟା ଖାଅନି ଡାଇବେଟିସ ବଢିଯିବ, ସେଟା ଖାଅନି ବ୍ଲଡ଼ ପ୍ରେସର ହାଇ ହେବ ଏମିତି ଆକଟ ଭିତରେ ପ୍ରମିଳା ତାଙ୍କୁ ବାନ୍ଧି ରଖନ୍ତି।
ସେ ଟିକିଏ ରେଷ୍ଟ ନେଇ ଯିବାପାଇଁ ବାହାରିଲେ। ରତନ ଦି ବସ୍ତା ଚାଉଳ ଗାଡ଼ିରେ ରଖିଲା। ସେ ଗାଡ଼ିରେ ବସିଲେ। ଡ୍ରାଇଭର ଗାଡ଼ି ଷ୍ଟାର୍ଟ କରୁଛି ଜୋରରେ ପାଟିତୁଣ୍ଡ ଶୁଭିଲା। ସେ ଗାଡିରୁ ଓହ୍ଲାଇ କଣ ହେଲା ବୋଲି ଦଉଡି଼ ଗଲେ।
ଆରେ ଆରେ ଏ ଝିଅଟି ତ ମାନି। ଆଜିଯାଏ ତା ଚେହେରା ତାଙ୍କ ମାନସପଟରେ ଲାଖି ରହିଛି। ସେ ବିଚାରପତି ହିସାବରେ ସ୍ଥାନୀୟ ଏକ ସ୍କୁଲକୁ ଯାଇଥିଲେ। ଯେଉଁଠାରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ତର୍କ ପ୍ରତିଯୋଗିତା ଆୟୋଜନ ହେଇଥିଲା। 'ପ୍ରଗତି ପଥରେ ଭାରତକୁ ଆଗେଇବାକୁ ହେଲେ ନାରୀ ସଶକ୍ତିକରଣ ଦରକାର' ଏହାର ସମର୍ଥନରେ ମାନି ଏତେ ସୁନ୍ଦର ତର୍କ ଉପସ୍ଥାପନା କରିଥିଲା ଯେ ତା ଆଗରେ ସହରୀ ପୁଅ ଝିଅ ବି ଫିକା ପଡ଼ି ଯାଇଥିଲେ। କରତାଳିରେ ସ୍ଥାନଟି ଫାଟି ପଡିଥିଲା। ନିଜ ତର୍କକୁ ଜାହିର କଲା ବେଳେ ମାନି ଆଖିରୁ ଯେମିତି ଅଗ୍ନିର ସ୍ଫୁଲିଙ୍ଗ ନିର୍ଗତ ହେଉଥିଲା। ହେଲେ ଏତେ ବର୍ଷ ପରେ ଏ ଝିଅ ପୁଣି ଏପରି ଅବସ୍ଥାରେ ?
ତାଙ୍କ ମୁଣ୍ଡ କିଛି କାମ କରୁନଥିଲା। ମାନିର ଦି ହାତକୁ ପଛପଟେ ବାନ୍ଧି ଦେଇ ତା ଭାଉଜ ତାକୁ ଗୋଇଠା ମାରି ଚାଲୁଛି। ତାର କଷ୍ଟ ଯନ୍ତ୍ରଣାକୁ ଦେଖି ବି ସମସ୍ତେ ଚୁପ ରହିଛନ୍ତି। ସେ ସହି ନ ପାରି ତାକୁ ମୁକୁଳେଇବାକୁ ଯିବାରୁ ରତନ ତାଙ୍କ ହାତ ଦିଟା ଧରି ପକେଇଲା।
- ଆଜ୍ଞା ସେ ଅଲକ୍ଷଣୀ ଟା। ତା ପାଖକୁ ଯାଆନ୍ତୁନି। ସେ ଆପଣଙ୍କୁ ବି ମାରି ଖାଇଯିବ।
ରତନ କହିଲା।
- ଆରେ ଏ କଣ କହୁଛୁ?
ମୁଁ ପଚାରିବାରୁ ସେ କହିଲା
- ଆଜ୍ଞା ଜନ୍ମ ହେଇ ମାକୁ ଖାଇଲା। ତା ବାପା ଆଉ ଗୋଟେ ବାହା ହେଲା। ଜେଜିମା ତାକୁ ପାଳିଲା। ହେଲେ ସେ ତା ଜେଜିମା କୁ ବି ଛାଡ଼ିଲାନି। ବୁଢ଼ୀ ଖାଇ ପିଇ ଇଆରି ପାଖରେ ଶୋଇଥିଲା , ସକାଳ ପାହୁଣୁ ମରି ଶୋଇଛି। ତଥାପି ତା ବାପା ତାକୁ କିଛି କହୁନଥିଲା। ତାକୁ ପାଠ ପଢେଇଲା। ଏଇ ମାସେ ତଳେ ତା ବାହାଘର କରିଥିଲା। ତା ସ୍ଵାମୀ ଆକ୍ସିଡେଣ୍ଟରେ ମରିଗଲା। ଶାଶୁଘର ଲୋକ ତାକୁ ଆଣି ଏଠି ଛାଡ଼ିଗଲେ। ଏବେ ଭାଇର କଅଁଳା ଛୁଆ ଉପରେ ତା ନଜର। କାଲି ଠୁ ତା ଜର ଛାଡ଼ୁନି। ଏ ଅଲକ୍ଷଣୀ ଯୁଆଡେ ଯିବ ତା ଘରୁ ଲକ୍ଷ୍ମୀ ହଜିଯିବ। ସେଥିପାଇଁ ତା ଭାଉଜ ତାକୁ ମାରିକି ଘରୁ ବାହାର କରୁଛି।
- ଏସବୁ ବାଜ୍ୟେ କଥା କଣ କହୁଛୁ? ଆରେ ସେ ପିଲାକୁ ନେଇ ଆଗ ଡାକ୍ତରକୁ ଦେଖାଅ। ତା ମୁଣ୍ଡରେ ଓଦା ପଟି ଦିଅ।
ଏହା କହି ଦାମୋଦରବାବୁ ମାନିକୁ ତା ଭାଉଜ ଠାରୁ ଉଦ୍ଧାର କଲେ। ରତନ ବାରମ୍ବାର ମନା କରିବା ସତ୍ତ୍ୱେ ମାନିକୁ ନିଜ ଘରକୁ ନେଇ ଆସିଲେ। ରତନ ବି କିଛି ଛାଡିବା ଜନ୍ତୁ ନୁହେଁ। କାଳେ ତା ବାବୁ ବାବୁଆଣୀଙ୍କର ମାନି କିଛି କ୍ଷତି କରିବ ସେଥିପାଇଁ ମାନି ଘରେ ପହଞ୍ଚିବା ପୂର୍ବରୁ ସେ ଫୋନ କରି ପ୍ରମିଳା ଦେବୀଙ୍କୁ ଏସବୁ ବିଷୟରେ ଅବଗତ କରେଇ ଦେଲା।
ପ୍ରମିଳା ଦେବୀଙ୍କ ଇଚ୍ଛା ନଥିଲେ ବି ଦାମୋଦରବାବୁଙ୍କ କଥାରେ ସହମତି ପ୍ରକାଶ କଲେ। ନିରିମାଖୀ ଝିଅଟା କୁଆଡ଼େ ଯିବ? ଏଇଠି ଥାଉ। ହେଲେ କାଳେ କିଛି ଅଘଟଣ ଘଟିବ ବୋଲି ମନେ ମନେ ଘାରି ହେଲେ। ବଡ଼ ପୁଅ ବିଦେଶରୁ ଫୋନ କଲା। ଦି ଦିନ ପରେ ସେମାନେ ସପରିବାର ଭୁବନେଶ୍ୱର ଆସୁଛନ୍ତି। ଏଠି କଣ ଗୋଟାଏ ତାର କନଫରେନ୍ସ ଅଛି । ତେଣୁ ମା ବାପାଙ୍କୁ ଭେଟିକି ଯିବ।
ଆଜି ଆଉ ପ୍ରମିଳା ଦେବୀଙ୍କ ଗୋଡ଼ ତଳେ ଲାଗୁନି। ଭାକୁର ମାଛଝୋଳ ତାଙ୍କ ପୁଅର ଭାରି ପସନ୍ଦ। ସେ ମୁଣ୍ଡ ଖାଇବାକୁ ଭାରି ଭଲ ପାଏ। ଅତି ଯତ୍ନରେ ତା ପାଇଁ ରାନ୍ଧିଛନ୍ତି। ପୁଅ ବୋହୂ ଫ୍ରେଶ ହେଇ ଖାଇବାକୁ ବସିଲେ। ଦି ବର୍ଷର ନାତି ରାହୁଲକୁ ମାନି କୋଳରେ ଧରି ବୁଲଉଛି। ଯେମିତି ମାଛ ତରକାରୀ ପୁଅ ପ୍ଲେଟରେ ଦେବାକୁ ଯାଉଛନ୍ତି ମୁଁ ବି ଖାଇବି କହି ନାତି ଟୋକାଟା ମାନି କୋଳରୁ ଡେଇଁ ପଡ଼ିଲା। ତାକୁ ଧରିବାକୁ ଗଲାବେଳେ ମାନି ହାତ ବାଜି ସବୁ ତରକାରୀ ତଳେ ଢାଳିଗଲା। ପ୍ରମିଳା ଦେବୀ ଚିଲ୍ଲେଇଲେ
- ଆଲୋ ଅଲକ୍ଷଣୀ ତୁ ଏ କଣ କଲୁ? କଡେଇ ଟା ଯାକ ତରକାରୀ ଢାଳି ଦେଲୁ। ମୋ ପୁଅ ଏବେ କଣ ଖାଇବ? ତୁ ବାହାର ମୋ ଘରୁ।
ଦାମୋଦରବାବୁ ପ୍ରମିଳା ଦେବୀଙ୍କ ହାତ ଧରି ପକେଇ ଚଟାଣରେ ପଡିଥିବା ତରକାରୀକୁ ଦେଖେଇଲେ। ବିଲେଇଟେ ସେ ତରକାରୀକୁ ଖାଇ ମରି ଶୋଇଛି। ଭଲରେ ଦେଖିବାରୁ ଜଣା ପଡ଼ିଲା ଯେ ଝିଟିପିଟିଟିଏ ତରକାରୀରେ ମରି ପଡିଛି। ସେଥିପାଇଁ ଖାଇବା ବିଷାକ୍ତ ହେଇଯିବାରୁ ବିଲେଇର ଏ ଦଶା।
- କଣ ପ୍ରମିଳା, ତୁମେ ବି ଏତେ ପାଠ ପଢ଼ି ସେ ମୂର୍ଖ ଗାଁ ଲୋକଙ୍କ ପରି ହେଇଗଲ ନା? ସାମାନ୍ୟ ମାଛ ତରକାରୀ ପାଇଁ ମାନିକୁ ଅଲକ୍ଷଣୀ କହିଲ? ଏଇନା ଏ ତରକାରୀ ଖାଇଥିଲେ ତୁମ ପୁଅ ବୋହୁଙ୍କ ଅବସ୍ଥା କଣ ହେଇଥାନ୍ତା? ହେଇ ଦେଖ ତୁମ ନାତି ରାହୁଲକୁ ବଞ୍ଚେଇବାକୁ ଯାଇ ମାନି ତଳେ ପଡ଼ି ତା ମୁଣ୍ଡ କିପରି ଫାଟି ଯାଇଛି। ଲକ୍ଷ୍ମୀ, ଅଲକ୍ଷଣୀ ଆମେ ଆମ ସୁବିଧା ଅନୁଯାୟୀ ଅନ୍ୟକୁ କହୁଛେ। କେବେ ବି ନିଜର ଭୁଲ ଦେଖୁନେ। ତରକାରୀ ତୁମେ ଠିକ୍ ରେ ନଘୋଡାଇଥିବାରୁ ଝିଟିପିଟି ସେଥିରେ ପଡ଼ିଲା। ଏବେ କଣ ତୁମେ ନିଜକୁ ଅଲକ୍ଷଣୀ କହିବ?
ପ୍ରମିଳା ଦେବୀଙ୍କ ଆଖିରୁ ବହୁଥିଲା ପଶ୍ଚାତାପର ଅଶ୍ରୁ। ସେ ମାନିକୁ କୋଳେଇ ନେଇ କହିଲେ ଆଜିଠୁ ତୁ ମୋ ଝିଅ। ତୋ ଖୁସିରେ ମୋ ଖୁସି। ତୁ ଅଲକ୍ଷଣୀ ନୁହେଁ, ତୁ ହେଲୁ ଏଘରର ଲକ୍ଷ୍ମୀ।
ସଭିଏଁ ଖୁସିରେ କରତାଳି ମାରିଲେ।