ଅଲିଭା ସ୍ମୃତି
ଅଲିଭା ସ୍ମୃତି


ଫେରିକି ଚାହିଁବାର ବେଳାଟା କେବେଠାରୁ ଗଡିଗଲାଣି I ନେଡି ଗୁଡ କହୁଣୀ କଣ ତାହା ତଳକୁ ବି ବହି ତଳେ ପଡି ପୋଛା ହୋଇ ସାରିଲାଣି I କିନ୍ତୁ ପ୍ରଥମ ପ୍ରେମର ସ୍ଵାଦ ଯେମିତି କେବେ ମଧ୍ୟ ଭୁଲି ହୁଏନା I ନିଜକୁ ବାସ୍ତବ ଦୁନିଆଁକୁ ଫେରେଇ ଆଣିଲା ବିନୋଦ I ସତରେ କଣ ସୋନାଲି ବାହା ହୋଇ ଚାଲି ଯାଇଛି ? ପ୍ରତି ସନ୍ଧ୍ୟାରେ ଲାଗେ ଅତୀତ ଏକ ଦୁଃସ୍ଵପ୍ନ ଯାହା ରାତିର ପ୍ରହରରେ ସମାପ୍ତ ହୋଇଯିବ କିନ୍ତୁ ଆଗାମୀ ଭୋରରେ ଉଠି ଲାଗେ ଯେମିତି ପାଦରେ ଶିକୁଳି ବନ୍ଧା ହୋଇଛି ! ସତରେ କଣ ପ୍ରେମ ଏତେ କଷ୍ଟକର ? ନିଜ ବାଡି ପଟେ ସୋନାଲିର ସବୁ ପ୍ରେମ ପତ୍ର ଜାଳିଲାଦେଲା ପରେ ମଧ୍ୟ କାହିଁକି ସିଏ ଏତେ ମନେ ପଡୁଛି? ସବୁ ସଙ୍କେତକୁ ତ ବିନୋଦ ସିଏ ନଷ୍ଟ କରି ସାରିଛି I ତେବେ ସୋନାଲି ଏମିତ ବାରମ୍ବାର ଫେରି ଆସିବାର ମାନେ କଣ? ବିବାହିତା ସ୍ତ୍ରୀ ଜଣକୁ ଆଉ ଥରେ ତାହାର ଅତୀତକୁ ନେଇ ସମ୍ବୋଧନ କରିବା କେତେଟା ଉଚିତ ?
ନିଜେ ଚିରଦିନ ଲାଗି ବାହା ନ ହେବାର ନିଷ୍ପତି ନେଇଛି ବିନୋଦ I ଗୋଟିଏ ପୁଅ ହୋଇଥିବାରୁ ଘରେ ଅନେକ ଚାପ ବାହା ହେବା ଲାଗି I କିନ୍ତୁ ପରିବାର ଲାଗି କଣ କିଏ କେବେ ବାହା ହେଲାଣି? ପୁଣି ଭାବିବାକୁ ଲାଗିଲା, 'ହୁଅନ୍ତି ତ!' ସୋନାଲି ତ ପୁଣି ପରିବାର ଇଛାରେ ବାହା ହେଲା? ସୋନାଲୀର ବୋଉ କୁଆଡେ ନିଜ ମୁଣ୍ଡରେ ହାତ ରଖେଇକି ସୋନାଲୀକୁ ରାଣ ଦେଇ କହିଥିଲା ସିଏ ଯଦି ନିର୍ଦ୍ଧାରିତ ବରକୁ ବାହା ନ ହେବ, ତାହା ହେଲେ ସିଏ ଆତ୍ମହତ୍ୟା କରିବ ନଦୀରେ ଡ଼େଇଁକି ! ଏହି ଯୁଗରେ ମଧ୍ୟ ଏମିତି ହୁଏ? ଯେଉଁ ଯୁଗରେ ଟୋକା ଟୋକି ମାନେ ମଲରେ ସାଥି ହୋଇ ବିୟର ପିଉଛନ୍ତି !
ସବୁ ନିଜର ଦୋଷ I କାମ ଦାମରେ ମନ ନ ଦେଇ କାହିଁକି କେଜାଣି ସୋନାଲି ପଛରେ ପଡିଥିଲା I କିନ୍ତୁ ଏବେ ତ ଆଉ କିଛି କରିବାର ମଧ୍ୟ ନାହିଁ ? କିଏ କଣ ଜାଣି ଜାଣି ପ୍ରେମ କରେ କି?ହେଇଯାଏ ପରା ଇଛାରେ ହେଉ କି ଅନିଚ୍ଛାର ହେଉ I
ସୋନାଲି ତାହାର ସଂସାର ସମ୍ଭାଳିବାକୁ ଲାଗିଛି I ନିଜେ କଣ ଆଉ କରିବ? କାଲି କକା କହି ସାରିଛନ୍ତି ଏକ ପ୍ରକାର, ଝିଅ ଦେଖା ହୋଇ ସାରିଛି I ଘର ତିଆରି କାମ ସରୁ ସରୁ ଆଉ ନୂଆ ବଖରା ଦୁଇଟି ହେଲା ପରେ ନିର୍ବନ୍ଧ ହେବ I ପରିବାରକୁ ନହେଲେ ଦେଖିବ କିଏ? ବୁଢା କାଳରେ ବାପା ମାଆଙ୍କ ସେବା କରିବ କିଏ? ପୁଅ ଯେତେ ସ୍ନେହ ଦେଲେ ଆଉ ଯତ୍ନ କଲେ ମଧ୍ୟ କଣ ବୋହୂର ସ୍ଥାନ ନେଇ ପାରିବ କି? କେତେ କଣ ଯୁକ୍ତି ଦେଇଥିଲେ କକା କାଲି ଆସି I ବିରକ୍ତ ହୋଇ ଶେଷରେ ବିନୋଦ କହିଦେଇଥିଲା,"କକା ମୁଁ ବାହା ହେବିନି I ମୋର ପରିବାର ସମ୍ଭାଳିବାର କ୍ଷମତା ନାହିଁ I ମୁଁ ସ୍ଵତନ୍ତ୍ର ଜୀବନ ବଞ୍ଚିବାକୁ ଚାହେଁ I " କକା କିନ୍ତୁ ନ ଛାଡ଼ I କେଉଁଠାରୁ ପାଇଲେ କେଜାଣି ସୋନାଲିର ଫୋଟୋଟିକୁ ତା ସାମ୍ନାରେ ଥୋଇ ଦେଇ କହିଲେ, " ଏ ସବୁ ପାଲା ଆଉ ଚଳିବନି I ମୁଁ ଭଲ ଭାବରେ ଜାଣିଛି ତୋର ସବୁ କାର୍ଯ୍ୟ କଳାପ I ସିଏ ଗଲାଣି ବାହା ହୋଇକି ତାହାର ସଂସାର ସମ୍ଭାଳିବାକୁ I ତୁ ନିଜ ରାସ୍ତା ଦେଖେ I ସମସ୍ତେ ଯଦି ପ୍ରେମ ପାଇଁ ବାହା ନ ହୋଇ ରହିବେ, ସମାଜ ଆଗକୁ ବଢିବ କେମିତି? ଏହା ବ୍ୟତୀତ ତୁ ବାହା ନ ହେଲେ କଣ ତାହାର ସଂସାରରେ ନିଆଁ ଲାଗିବନି ? ଆଜି ନ ହେଲେ କାଲି ତାହାର ଗେରସ୍ତ ଜାଣିବ ଆଉ ତାକୁ ସବୁ ବେଳେ ସନ୍ଦେହରେ ଦେଖିବ I ଆମ ଯୁଗରେ ଏ ସବୁ ପାଲା ନଥିଲା,ଯେଉଁଠାରେ କହୁଥିଲେ ବାଡ଼ ମାନେ ସେଠି ବାହା ହେଉଥିଲୁ ସେଥି ଲାଗି ଘର ସଂସାର ଚଳେଇ ପାରିଛୁ I "
ରାଗ ତମ ତମ ହୋଇ ବାହାରି ଯାଇଥିଲେ କକା ତାହାର କୋଠରୀରୁ I କକା ସବୁଠାଓର ଶିକ୍ଷିତ ବଂଶରେ I ବାପା ବଡ଼ବାପା ମଧ୍ୟ ଡରନ୍ତି I ସମସ୍ତଙ୍କ ସନମାନର ପାତ୍ର ସିଏ I ବୋଉ ନିଶ୍ଚୟ ଏହି କାରସାଦି କରିଛି I ଥିରି କିନା କାକାଙ୍କୁ ଆଗକୁ ନେଇ ଆସିଛି I କକା ଏକ ପ୍ରକାର ଖଳ ନାୟକ ପାଲଟିଛନ୍ତି I ତନଖି କରିକି ସବୁ ପୁରୁଣା ପ୍ରେମ ପତ୍ର ମଧ୍ୟ ଠାବ କରିଛନ୍ତି ଏବଂ ଜାଳିବାକୁ ବାଧ୍ୟ କରିଛନ୍ତି I କିନ୍ତୁ କକା କଣ ବୁଝିବେ ପ୍ରେମର ମୂଲ୍ୟ ? ଯୋଉଠି କୁହା ହେଲା ବାହା ହୋଇଗଲେ! ନିଜେ ନ ଖାଇ ପାରିଲେ ଅଙ୍ଗୁର ଖଟ୍ଟା !
ବାହା ହେବା ଏବଂ ଭଲ ପାଇବା ମଧ୍ୟରେ ପାର୍ଥକ୍ୟ ଅନେକ ଅଛି ଯାହା କକା କେବେ ମଧ୍ୟ ବୁଝି ପାରିବେନି I ଅନ୍ୟର ଇଛାରେ ବାହାଘର ହେଇପାରେ କିନ୍ତୁ ଭଲ ପାଇବା କଣ କାହା ଇଛାରେ ହୁଏ?
କାହିଁକି ଭୁଲିବ ସିଏ ସୋନାଲିକୁ?
କାହାର ହାତର ସ୍ପର୍ଶରେ ଚମକି ପଡିଲା ବିନୋଦ ଏବଂ ନିଜର ନିଜ ଭାବନା ରାଜ୍ୟରୁ ବାହାରିଗଲା I ପାଖରେ ସାନ ଭଉଣୀ ସୁମି ଚାହା ଧରି ଠିଆ ହୋଇଛି I
"କାଲି କକା ବହୁତ ରାଗିଥିଲେ ତୁମ ଉପରେ I ପରେ ବୋଉ ଆଉ ବାପାଙ୍କୁ ମଧ୍ୟ ବହୁତ କିଛି କହିଥିଲେ ତୁମକୁ ବିଗିଡ଼ିବାକୁ ଦେଇଥିବାରୁ ," ସୁମି କହିଲା I
"ହଁ ମୋ କଥା କେହି ବୁଝୁ ନାହାନ୍ତି , କାହାକୁ ବା କହିବି?" ବିନୋଦ କହିଲା I
"ମୁଁ ତ ବୁଝୁଛି," ସୁମି କହିଲା I
"କେମିତି? ତୁ କଣ କରି ପାରିବୁ କି?" ବିନୋଦ କହିଲା I
"ହୁଁ, କରିଛି ତ ," ସୁମି କହିଲା I
"କଣ କରିଛୁ?" ବିନୋଦ ପଚାରିଲା I
ନିଜ ହାତ ମୁଠା ଖୋଲି ଧରେଇଦେଲା ସୁମି ଛୋଟ କାର୍ଡବୋର୍ଡ ଖଣ୍ଡେ I ଦୁଇଟି ବୋତାମ ଉପରେ ଦୁଇଟି ମଣିଷର ଆକୃତି ଆଉ ସେମାନଙ୍କୁ ଭିତରେ ଗୋଟିଏ ହୃଦୟର ସଙ୍କେତ !
"ଜାଣେ ସୋନାଲି ଏଇଟା ତୁମକୁ ଦେଇଥିଲା I କାଲି କକା ତୁମ ସହ ସବୁ ଫୋପାଡୁଥିଲା ବେଳେ ଏଇଟାକୁ ଧୀରେ ଲୁଚେଇ ରଖିଦେଇଥିଲି," ସୁମି କହିଲା I
"କିନ୍ତୁ କାହିଁକି?" ବିନୋଦ ପଚାରିଲା I
"ତୁମେ ଖୁସି ହେବ ବୋଲି," ସୁମି କହିଲା I
"ଆଉ ତୁ କୋଉଥିରେ ଖୁସି କି?" ବିନୋଦ ପଚାରିଲା I
"ଭାଉଜ ଆସିଲେ ମୁଁ ଖୁସି, ଚାହା ପିଇ ଦିଅ I ମୁଁ ଯାଉଛି ବୋଉକୁ ରୋଷେଇରେ ସାହାଯ୍ୟ କରିବି ," ସୁମି କହୁ କହୁ ଚାଲିଗଲା I
"ଶୁଣୁ ଏଇଟାକୁ ନେଇଯାଅ ଆଉ ଯୋଉଠୁ ଉଠେଇଥିଲୁ ଫୋପାଡ଼ି ଦେ, ଏହି ଅଲିଭା ସ୍ମୃତିଟିକୁ ରଖିବାକୁ ଆଉ ଏ ବଖରାର ଜାଗା ନାହିଁ I ତୋ ଭାଉଜ କୁ ପସନ୍ଦ ହବନି !"
ମୁରୁକି ହସିକି ସୁମି ଧରିକି ବାହାରିଗଲା ସେହି ଛୋଟ ସଙ୍କେତଟି, ପ୍ରଥମ ପ୍ରେମର !