STORYMIRROR

Aravinda Das

Abstract Others

3  

Aravinda Das

Abstract Others

ଅକ୍ଷିମୁଠି ଓ ପାଳଭୂତ

ଅକ୍ଷିମୁଠି ଓ ପାଳଭୂତ

2 mins
14.8K


ଅଗଣି ନାୟକ ଆଖି ବୁଲାଇ ଆଣିଲା ନିଜ ବିଲ ଉପରେ। ପାଖରେ ଚରୁଥିବା ବଳଦ ଦୁଇଟାଙ୍କୁ ଆଣି ଯୋଚିଲା ହଳରେ।ଖୋର୍ଦ୍ଧା ଲୁଙ୍ଗିଟା ବଦଳାଇ ପିନ୍ଧିଲା ନୂଆ ଧୋତି;କାନ୍ଧରେ ପକାଇଲା ଯୋଡରୁ କଟା ହୋଇଥିବା ଚଦରଟା।ଆଜି ଅକ୍ଷିତୃତୀୟାରେ ଶୀଘ୍ର ସାରିବାକୁ ପଡିବ ଅନୁକୂଳ କାମ।ଷ୍ଟିଲ କାରଖାନା ହେବ ବୋଲି ଗାଁ ସାରା ଲୋକଙ୍କ ଜମି ସରକାର ନିଜ ହାତକୁ ନେଇ ଯାଇଛନ୍ତି, କମ୍ପାନୀକୁ ଦେବା ପାଇଁ।

ପାଚେରୀ ଉଠା କାମ ଆରମ୍ଭ ହେଲାଣି।ନିଜ ଗୋସପା ଅମଳର ବିଲ ବାଡି,ଭିଟାମାଟି ଛାଡି ବିସ୍ଥାପିତହେବାକୁ ପଡିବ।ଓଃ କି ଅବ୍ୟକ୍ତ ଯନ୍ତ୍ରଣା ?ଶେଷଥର ପାଇଁ ବୋଧେ ନିଜ ବିଲରେ ଅଖି ମୁଠି ଅନୁକୂଳ କରିବାକୁ ଅଗଣି ଚାଲି ଆସିଛି ଲୁଚି କରି।ଏଇ ଅନ୍ଧାରୁଆରୁ କାମ ସାରିଦେଲେ କାହା ଆଖିରେ ପଡିବନି।ଗୋଟେ ହାତରେ ଅନୁକୂଳ ଧାନ ଟୋକେଇ ଧରି ବଳଦ ଦୁଇଟାଙ୍କୁ ଅଡେଇଲା..... ହୁର୍, ହୁର୍, ଟ.. ଟ...ଟ....

ହଠାତ୍ ବିଲ ହିଡ ପାଖ ରାସ୍ତାରେ କିଛି କୋଳାହଳ ଶୁଣି ଚମକି ପଡ଼ିଲା ଅଗଣି।କିଛି ଲୋକ ତା ଆଡ଼କୁ ମାଡି ଆସୁଥିଲେ।

ଆରେ ! ମନ୍ତ୍ରୀ ବାବୁ ଓ ତାଙ୍କର କିଛି ଚେଲା ? ଏତେ ସକାଳୁ ?

"ଆବେ, ଏ ଜମି ପରା ସରକାରଙ୍କର ? କେଉଁ ସାହସରେ ହଳ କରୁଛୁ?"

କାକୁତି ମିନତି ହୋଇ ଅଗଣି କହିଲା,"କ୍ଷମା କରିଦିଅନ୍ତୁ ସାର୍।ଏଇ ଥରଟା।ଆଜି ପରା ଅକ୍ଷି ତୃତୀୟା".

ହଠାତ୍ ମନ୍ତ୍ରୀ କହିଲେ," ତାହାଲେ ମୁଁ ଅନୁକୂଳ କରି ବିହନ ବୁଣିବି। ଆରେ, ମୋବାଇଲରେ ଫଟ କିଛି ଉଠାରେ, ଫେସବୁକରେ ଲଗାଇବା ପାଇଁ।ମୁଖ୍ୟମନ୍ତ୍ରୀ ଦେଖିବେ।ହେଲେ ମୁଁ ତ ଧୋତି

ଆଣିନି।ଚଷା ପୁଅ ପରି କେମିତି ଦିଶିବି ?"

ଦୁଇଜଣ ଚେଲା ଅଗଣି ଦେହରୁ ଭିଡି ଆଣିଲେ, ନୂଆ ଧୋତି, ଚଦର ଓ ହାତରୁ ଅଖି ମୁଠି ଟୋକେଇ। ତା ଉପରକୁ ଫିଙ୍ଗି ଦେଲେ ହିଡ ଉପରେ ପଡିଥିବା ପୁରୁଣା ଖୋର୍ଦ୍ଧା ଲୁଙ୍ଗିଟାକୁ।

ଧୋତି ଚଦର ପିନ୍ଧି ମନ୍ତ୍ରୀ ଦିଶୁଥିଲେ କୌତୁକ ପୋଷାକ ପ୍ରତିଯୋଗିତାର ପ୍ରତିଯୋଗୀ ଭଳି।ବଳଦ ଦୁଇଟାଙ୍କୁ ଚେଲା ମାନେ ହୁରୁଡ଼ାଉଥିଲେ।

ଫଟ ଉଠୁଥିଲା ମନ୍ତ୍ରୀଙ୍କର।ହିଡ କଡ଼ରେ ଅର୍ଦ୍ଧ ଉଲଗ୍ନ ହୋଇ ଠିଆ ହୋଇଥିବା ଅଗଣି ଦିଶୁଥିଲା ଏକ ପାଳଭୂତ ପରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract