Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Pramod Kumar Jena

Tragedy

3.2  

Pramod Kumar Jena

Tragedy

ଅକାଳ କୁଷ୍ଣାଣ୍ଡ

ଅକାଳ କୁଷ୍ଣାଣ୍ଡ

6 mins
21.5K


       ଏମିତି ନବାବ୍ ପିଲାଟା ତ l ପୁରୁଣା ସାର୍ଟ୍ ପିନ୍ଧିଲେ ୟାର ଜାତି ପଳୋଉଛି l ମାଆର ପଛେ ଗାଣ୍ଡି ନୁଚେଇବାକୁ କପଡା ନାହିଁ l ପୁଅର ଆଡ୍ଡା ଦେଖ l ଏତେ ଯଦି ନାଜ ମାଡୁଛି ପଳେଇ ଆସୁନୁ l ଏ ପୋଡା ପାଠ ପଢାରୁ କି ନାଭ ମିଳିବ ? ବୋପା ଭଳିଆ ମୂଲ ନାଗିଲେ ହେଲେ ଘରକୁ ଦି ପଇସା ଆସିବ l ମୁଁ କେତେ ଆଉ ପର ଘରେ ମାଗି ମାଗି ଚଳିବି ? ପୁଅକୁ ନାଜ ମାଡୁଛି l

       କହି କହି ନେତ ଖୁଡି ବାହାରି ଆସିଲା ତାଙ୍କ ଘରୁ l ପଚାରିଲି,

       : କ’ଣ ହେଲା ଖୁଡୀ ? କାହାକୁ ଏତେ ଭାଷଣ ଦେଉଛ ?

       ମୋତେ ଦେଖି ଟିକିଏ ଚୁପ୍ ହୋଇଗଲେ ଖୁଡି l ପାଖକୁ ଆସି କହିଲା,

       : କାଲି ରାତିରେ ପୁଅ ଆଇଛି l କହୁଛି ନୂଆ ସାର୍ଟ୍ କିଣିବ l ତା’କୁ ତା’ ସାଙ୍ଗମାନେ କୁଆଡେ ଚିଡୋଉଛନ୍ତି l ହଇରେ ପୁଅ, ସେମାନେ ବଡ ବଡ ଘରର ପିଲା l ୟାକୁ କାହିଁକି ନାଜ ମାଡୁଛି ? ୟା ବୋପା କ’ଣ ଲାଟ୍ ସାହେବ୍ ଥିଲା ଯେ ଚିଡେଇଲେ ଇଜ୍ଜତ ପଳୋଉଛି ?

କଥାଟା ବୁଝି ନେଲି l କେଶବ ଆସିଛି l ଏବେ କଲେଜରେ ନାଆଁ ଲେଖେଇଛି l ଆଜିକାଲିକା ପିଲା l କାହା ପାଖରେ ମୋଟର୍ ସାଇକେଲ୍ ଓ କାହା ପାଖରେ ଦାମିକିଆ ମୋବାଇଲ୍ l ବିଚରା ନୂଆ ସାର୍ଟ୍ ପାଇଁ ମାଆକୁ କହୁଛି ଯେ ଖୁଡୀ ଏତେ ପାଟି କରୁଛି l

       : ପିଲାଟା ତ ଭଲ ପାଠ ପଢୁଛି l କିଛି ସରକାରୀ ସାହାଯ୍ୟ ମିଳିବା କଥା l ତୁମେ ତ.....

       : ନାଇଁରେ ବାପା ! ତା’ ବାପା ପରା ସାମନ୍ତରା l ବାପା ଅଜା କେତେବେଳେ ଖଣ୍ଡା ଧରୁଥିଲେ ଯେ ଏବେ ତ କୁଣ୍ଡା ପାଛୁଡି ଦିନ ଯାଉଛି l

‘ସା’ନ୍ତେରା ନା ସାନ୍ତେରା

ଗାମୁଛା ଚିରା

ଭଙ୍ଗା ଶଗଡରେ

ଛେରା ପହଁରା ’

ପଚାରିଲି, ତା’ ମାନେ କ’ଣ ?

: ମୁଁ ମୁରୁଖ ନୋକ l ଯାହା ପାଟିକୁ ପଳେଇ ଆସିଲା କହିଦେଲି l

ହଇରେ ପୁଅ ! ତା’ ବୋପାତ ମଲାଣି l କୋଉ କାଳରୁ ଘର କାନ୍ଥ ତ ଭାଙ୍ଗିବ ଭାଙ୍ଗିବ ହେଉଛି l ନା ବିଲବାଡି ଅଛି ନା ତୋଟା...... ସେ ସାନ୍ତେରା ପଦରୁ ଆମକୁ କ’ଣ ମିଳିବ ? ମୁଁ ତ ନେତ ଦେଇ l ଓଳିଏ ଖାଇଲେ ଓଳିଏ ଉପାସ l ସେ ସାନ୍ତେରାରୁ କ’ଣ ମିଳିବ ? ଆର ସାହିର ନୋକା l ତା’ ପୁଅର ଚାକିରି l ତା’ ଝୁଅର ଚାକିରୀ l ତାଙ୍କ ପିଲାଙ୍କୁ ବହି ବସ୍ତାନି l ସାଇକେଲ୍ l ଛତା l ଆଉ ମୋ ପିଲା କ’ଣ ନିଆଁରେ ମୁତି ଥେଲା ? ତାଙ୍କର କୋଠା ଘର l ସେ ପାଇବେ l ମୋର ଛପର ନାହିଁ l ଆମକୁ ଦଇବ ସାହା l କି କଥା l କୋଉ ସରକାର ଏଇ ନିଆୟ କରିଛି କହିଲ ? ତା’କୁ କହିଲି ହେତିକି ପାଠ ପଢେ l ଏଥର ଚାକିରି ବାକିରି କରେ l କହିଲା କ’ଣ ନା ହେତିକିରେ କିଛି ଚାକିରି ମିଳିବନି l ହଇଏ ପୁଅ ! ତାଙ୍କ ପୁଅ ଝିଅଙ୍କୁ ତ ଅଳପ ପାଠ ପଢା ଚାକିରି ମିଳୁଛି l ୟାକୁ କାହିଁକି ମିଳିବନି ?

       କ’ଣ କହିବି ତା’କୁ ? କଥାଟାକୁ ବୁଲେଇକି କହିଲି, ଆଉ ଟିକିଏ ଅଧିକା ପାଠ ପଢିଲେ ଭଲ ଚାକିରି କରିବ l

       : ଅଧିକା... ଅଧିକା କିଏ ପଢେଇବ ? ତା’ ବୋପା ସରଗରୁ ଆସିବ ? ମୁଁ କୋଉଠୋଉ ପଇସା ଆଣିବି ?

       : କାହିଁକି ? ତୁମକୁ ତ ସରକାର ବହୁତ କିଛି ଦେଉଛି l ଇନ୍ଦିରା ଆବାସ..... ବାର୍ଷିକ ଭତ୍ତା.........

: ଭତ୍ତା..... ନା ବଇଶମ ହର ଛତା l ଦିନ ଯାକ ପଡିଆ ହେଇକି ପଞ୍ଚେଇତ ଅଫିସି ଯାଇ ଦିନ ଯାକ ନାଁଇନି ନଗେଇଲେ ଯାଇ ଶହେ କି ଛ କୋଡି ମିଳିବ ବୋଲି ରତନୀ ମାଆ

କହୁଥେଲା l ଆମ ନାଆଁ ପରା ଉଠିନି l ଆର ଥରକୁ ଉଠିବ ବୋଲି ମେହେମ୍ବର କହିଲେ l

ଗାଆଁ ଗହଳିରେ ଭୁବନେଶ୍ୱର ଅପେକ୍ଷା ବେଶି ରାଜନୀତି l ନ ପଚାରିବା ଭଲ l ଭାବିଲି l ପୁଣି କହୁ କହୁ ବୁଢୀ ଆଉ କ’ଣ କହି ବସିବ , କିଏ ଶୁଣିଲେ, ଯାହା ନାଆଁଟା ଚଢିବାର ଥିବ, ବନ୍ଦ ହୋଇଯିବ l

: ପାଠ ପଢିବ କି ବାନା ଉଡେଇବ କେଜାଣି ? ଗଜା ମୁରୁଖଗୁରାକ ସୁରଟ ଯାଇକି ଗାଆଁରେ ପକ୍କା ଘର କଲେଇଁ l ତଳ ସାହିଟା ଯାକ ଲୋକ କଲିକତାରେ l ପଇତା ପକେଇ ରୋଷେୟା l ଆଉ ତିଆଡି ଘର ପଇତାପକା ପୁଅ ଭୋବନିଶୋରରେ ସୁହା ସୁହା କରି ନାଖେ ନାଖେ ଟଙ୍କା କମୋଉଛି l ଆକୁ କ’ଣ ଦୁଶୁନି ? ଆରେ ମୁଁ ଆଉ ପଇସା କୋଉଠୁ ଆଣିବି ?

 ଭାବିଲି ବୁଢୀ ବହୁତ ଚାଲାକ l ଗାଆଁ ଯାକର ଖବର ରଖିଛି l କହିଲି -

: ଗାଆଁ ଯାକର ହିସାବ ଛାଡ l ତୁ ତୋ’ ପୁଅ କଥା ଚିନ୍ତା କର l

: ତା’ରି ପାଇଁ ତ ମୁଣ୍ଡଟା ବୁଲୋଉଛି l ହଉରେ ପୁଅ ! ଗୋଟେ ତୁମର ପୁରୁଣା ସାର୍ଟୁଟେ ଦିଅନ୍ତୁନି ?

ଖୁଡୀ ବୁଝୁନି ଯେ, ସେ କ’ଣ ଆଉ ପୁରୁଣା ସାର୍ଟ୍ ପିନ୍ଧିବ ?

: ଆଉ କ’ଣ ମୋର ଧାମ ଅଛି ? ବସ୍ତେ ଚାଉଳ ପାଛୁଡିଲେ ଦି କୋଡି ମିଳୁଛି l ସେଥିରୁ ମୁଁ କେତେ ଖାଇବି ? ଆଉ ତା’କୁ କେତେ ଦେବି ? ବୋପା ତ ଖଟି ଖଟି ମଲା l ମାଆଟା ମରିଗଲେ ଯାଆନ୍ତା l ମୁଣ୍ଡରେ ହାତ ଦେଇ ବୁଢୀ ବସିଲା l

ଭାରି ଦୟା ଲାଗିଲା l ପାଖରେ ବି ମୋର ବେଶି ଟଙ୍କା ନ ଥିଲା l ତେବେ 100 ଟଙ୍କାଟେ ବାହାର କରି ବୁଢୀକୁ ଦେଲି l କହିଲି

: ଏଇଟା ତା’କୁ ଦେଇଦେବ l ସେଇଥିରେ ଯେମିତିଆ ସାର୍ଟ୍ ହେବ କିଣିଦେବ l

ଖୁସି ହୋଇ ବୁଢୀ ନୋଟଟି ଧରି କହିଲା, ତମରି କାମ କରି ଶୁଝି ଦେବି l

: ନାଁ ନାଁ କିଛି ଶୁଝିବା ଦରକାର ନାହିଁ l

: ନାଇରେ ବାପା l କେତେ ଥର ଦେଲଣି l କ’ଣ କରିବି ? ଦୁଃଖ କାହାକୁ ଜଣେଇବି ? କୋଟି ପରମାୟୁ ଠାକୁରେ ଦିଅନ୍ତୁ l

ପୁଣି କହି ଚାଲିଥାଏ, ନାଟ୍ ସାହେବ୍ ପିଲାଟା ତ l ନାଜ ମାଡୁଛି ପୁରୁଣା ସାର୍ଟ୍ ପିନ୍ଧିଲେ l

‘ନାଳି ନଡିଆ,

ଘରେ ଭାତ ନାହିଁ

ସଭାରେ ଠିଆ’

       ଯାହା ଦୁଃଖ ଲାଗୁଥିଲା, ତା’ କଥା ଶୁଣି ହସ ବି ଲାଗିଲା l

***   ***   ***   ***   ***

       ଏଇ ଭିତରେ କେଶବର ଚାକିରି ଖଣ୍ଡେ ବି ହୋଇଗଲା l ବୁଢୀ ଖୋଜି ଖୋଜି ପୁଅ ପାଇଁ ବୋହୁଟିଏ ବି ଯୋଗାଡ କରିଦେଲା l ଯାହା କିଛି ଯୌତୁକ ମିଳିଲା ଭୋଜି ଭାତରେ ସରିଗଲା l ଦଶ ମଙ୍ଗଳା ଦିନ ବୋହୁକୁ ନେଇ ପୁଅ ପଳେଇଲା l ସେମାନେ ଏବେ ଭୁବନେଶ୍ୱରରେ

ରହୁଛନ୍ତି l ଦିନେ ସକାଳୁ ଦେଖିଲି ବୁଢୀ ପାନ ଖଣ୍ଡେ ଖାଇ, ଗଣ୍ଠିଲି ଗୋଟେ ଧରି କୁଆଡେ ଯାଉଛି l ପଚାରିଲି ଖୁଡୀ କୁଆଡକୁ ଶୁଭ ? ? ?

       ହସି କି ବୁଢୀ କହିଲା ମୋ ପାଇଟି ସଇଲାରେ ବାପା l ଯାଉଛି କେଶୁ ପାଖକୁ l ଆଉ ଗାଆଁରେ କ’ଣ କରିବି ? ପୁଅ ପାଖକୁ ଯାଉଛି l ଭଲ ମନ୍ଦ ଖାଇବି l ପୁରୀ ଯିବି l ତୀରଥ ବାରଥ କରି ମଶାଣିକି ଯିବି l ଭାରି ଖୁସିରେ ବୁଢୀ କହି ମାଡି ଚାଲିଲା ବସ୍ ଷ୍ଟାଣ୍ଡ୍ ଆଡେ l ଟିକିଏ ଆଶ୍ୱସ୍ତ ହୋଇ ଭାବିଲି ଯାହା ହେଉ ବୁଢୀର କଷ୍ଟ ଫଳ ଧରିଲା l

       ତା’ ପରଦିନ ସନ୍ଧ୍ୟାବେଳକୁ ଦେଖେ ତ ବୁଢୀ ଧିରେ ଧିରେ ଗାଆଁ ଭିତରକୁ ଆସୁଛି l କିଛି ପଚାରିଲିନି l ମୁହଁଟା ପୁରା ଶୁଖିଯାଇଛି l ମୋ ମୁହଁକୁ ଆଉ ଚାହିଁଲାନି l ଭାବିଲି ଏଇଟା ସମୟ ନୁହେଁ ପଚାରିବା ପାଇଁ l କାଲି ପଚାରିବି l ତା’ ପରଦିନ ସକାଳୁ ସକାଳୁ ବୁଢୀ ଆସି ଆମ ବାଡି ପଟେ ହାଜର l ମତେ ଦେଖି ବହେ କାନ୍ଦିଲା l ମୁଁ ମଧ୍ୟ ସେମିତି କିଛି ଗୋଟେ ଅଘଟଣ ହୋଇଥିବ ବୋଲି ଅନୁମାନ କରୁଥିଲି l କେମିତି ପଚାରିବି ଭାବୁଥାଏ l ବୁଢୀ ଲୁହ ପୋଛୁ ପୋଛୁ କହିଲା,

       : ଯାଇଥେଲି ପୁଅ ପାଖକୁ l ଡେଣା ଧରିକି ବାହାର କରିଦେଲା l

       : ବାହାର କରିଦେଲା ?

       : କେତେ କଥା କହିଲା l

       : କ’ଣ କହିଲା ?

       : ଜୀବନଯାକ ତ ଗଣ୍ଡେ ଖାଇବାକୁ ଦେଇ ପାରିଲୁନି l ଆଇଚୁ ମାଉଁସ ଖାଇବାକୁ l ଭୋକ ଉପାସରେ ଯାଇଥିଲି l ଗଣ୍ଠିଲିଟାକୁ ଫିଙ୍ଗି ଦେଲା l

କହିଲା – ମୁଁ ତା’କୁ ପଢିବାକୁ ବହି ଦେଲିନି l ଖାତା ଦେଲିନି l ପ୍ୟାଣ୍ଟ୍ ଦେଲିନି l ସାର୍ଟ୍ ଖଣ୍ଡେ ଦେଲିନି l ସଦାବେଳେ ଶୋଧୁଥିଲି l ପଇସାଟିଏ ତା’ ପାଠ ପଢାରେ ଖର୍ଚ୍ଚ କରିନି l ସେ ଟୁସନ କରି ପାଠ ପଢିଲା l ଆଉ ଚାକିରି କଲା ବେଳକୁ ଧାଇଁ ଆଇଚି l

       ମୋ ଗଣ୍ଠିଲିଟାକୁ ଫିଙ୍ଗି ଦେଲା l ତା’ ବୋହୁକୁ କହିଲା – ଜୀବନ ସାରା ଶାଗ ଭାତ ଦେଇକି ଆଇଚି ମାଉଁସ ଭାତ ଖାଇବାକୁ l

       ବୋହୁ କିଛି କହିଲାନି l ନାକରୁ ପାଣି ପୋଛୁ ପୋଛୁ ବୁଢୀ କହିଲା, ବୋହୁ....???  ‘ମଉନମୁହିଁ l କିଛି ଜାଣି ନାହିଁ l ଶେଯରେ କହି l’

       ରାତି ଅନ୍ଧାରରେ କୁଆଡେ ଯିବି ? ଗଣ୍ଠିଲି ମୁଣ୍ଡ ତଳେ ଯାକି ଶୋଇଲି l

       ରାତିରେ କୁକୁର ମାଙ୍କଡକୁ ଦେଲା ଭଳିଆ ବୋହୁ ଗୋଟେ ଖଲିରେ ଥୋଇ ଦେଲା ଖାଇବାକୁ l କହିଲା, ଖାଇକି ଖଲିଟା ଫିଙ୍ଗି ଦେବ l ଏଠି କେହି ଚାକର ବାକର ନାହାନ୍ତି ତମ ଅଇଣ୍ଠା ଉଠେଇବାକୁ l

: ଖାଇଲ ?

: ସତ କହୁଛିରେ ବାପା l ପାଣି ଟୋପେ ଛୁଇଁବାକୁ ଇଚ୍ଛା ହେଲାନି l ଖାଇବି କ’ଣ.....??? ସକାଳୁ ସକାଳୁ ପଳେଇ ଆସିଲି l କଣ୍ଡକ୍ଟରକୁ କହିଲି, ‘ଦଶୁଟା ଟଙ୍କା ଅଛିରେ ବାପା l ଆଉ

ନାହିଁ l’ କଣ୍ଡକ୍ଟର୍ ନେଲାନି l କହିଲା, ମାଉସୀ ଥାଉ l କୋଟି ପରମାୟୁ ମାହାପ୍ରୁ ଦିଅନ୍ତୁ ତା’କୁ l ସବୁ ପାଇଗଲିରେ ବାପା ସବୁ ପାଇଗଲି l

ବୁଢୀ ଭୋ ଭୋ ହୋଇ କାନ୍ଦିଲା l

ଏତେ ଖରାପ ମୋତେ ଜୀବନରେ ବୋଧହୁଏ କେବେ ଲାଗି ନ ଥିଲା l ମଣିଷର ଚିନ୍ତାଧାରା ଯେ ଏତେ ତଳକୁ ଖସିପାରେ, କେବେ ଚିନ୍ତା କରି ନ ଥିଲି l

: ଅଧା ସୁଖ ବୋପା ଦେଇଥିଲା l ବାକି ଅଧା ପୁଅ ଦେଇ ଦେଲା l ପେଟ ଫାଡିକି ପୁଅ ଜନମ କରିଥିଲି ଯେ ଜନମ ସାରଥକ ହୋଇଗଲା l ପୁଣି ଲୁହ ପୋଛୁ ପୋଛୁ ବୁଢୀ କହିଲା l

ପୁଣି କାନ୍ଦିଲା l ତା’କୁ ସାନ୍ତ୍ୱନା ଦେବାକୁ ମୋ ପାଖରେ ଭାଷା ନ ଥିଲା l ଲୁହ ପୋଛି ଶେଷରେ କହିଲା – ଆଉ କୁଆଡେ ଯିବିନି l ଏଇ ଭଙ୍ଗା ଘରେ ପଡିଥିବି l ତମରି ପିଲାଙ୍କ ଗୁହମୁତ କରି ଏଇ ଭଙ୍ଗା ଘରେ ପଡିଥିବି l ମରିଗଲେ ମଶାଣିରେ ଫିଙ୍ଗି ଦେବ l





Rate this content
Log in

More oriya story from Pramod Kumar Jena

Similar oriya story from Tragedy