STORYMIRROR

Lokanath Rath

Tragedy Action Others

4  

Lokanath Rath

Tragedy Action Others

ଅଜଣା ଶତ୍ରୁ

ଅଜଣା ଶତ୍ରୁ

7 mins
380

ରମେଶ ବାବୁ ନିଜ ଘର ଭିତରେ ବସି ରହିଛନ୍ତି |ସେ ଏବେକୁଆଡ଼କୁ ବା ଯିବେ ? ସବୁ ଆଡେ ତ ଏହି ମହାମାରୀକୁ ନେଇ ଭୀଷଣ ଭୟ | କେତେବେଳେ କିଏ ତା କବଳରେ ପଡୁଛି ଜଣ ପଡୁ ନାହିଁ | ସମସ୍ତେ ଭୟ ଓ ଆଶଙ୍କାରେ ମରି ମରି ଏବେ ବଞ୍ଚିଛନ୍ତି | ଦୋକାନ ବଜାର ବନ୍ଦ,କଳ କାରଖାନା ବି ପ୍ରାୟ ବନ୍ଦ ହେବାକୁ ଲାଗିଲାଣି | ସରକାରଙ୍କ କଟକଣା ପାଇଁ ଗାଡି ମଟର ଚାଲିବ ବି ଏବେ ବନ୍ଦ ହେଈଛି | ଯାହା ଦିନକୁ ତିନି ଚାରି ଘଣ୍ଟା ଓ ସପ୍ତାହକୁ ପାଞ୍ଚ ଦିନ କେବଳ ଅତି ଆବଶ୍ୟକୀୟ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଖୋଲା ରହୁଛି | ସେଥିରେ ପୁଣି ସବୁ ଜିନିଷ ମିଳୁ ନାହିଁ ,ଆଉ ଯଦି କିଛି ମିଳୁଛି ପୁଣି ଚଢା ଦରରେ | ପିଲାମାନଙ୍କର ବିଦ୍ୟାଳୟ ଓ ମହାବିଦ୍ୟାଳୟ ବି ଏବେ ବନ୍ଦ ଅଛି ,ସେମାନେ ଘରେ ରହି ଅନଲାଇନରେ ପାଠ ପଢିବେ ବୋଲି ସରକାରଙ୍କ ଆଦେଶ | ସେଥିପାଇଁ ପୁଣି ବୋଝ ଉପରେ ନଳିତା ବିଡା ପରି ତାଙ୍କ ପାଇଁ ଅଲଗା ଫୋନର ବ୍ୟବସ୍ଥା କରିବାକୁ ହେଉଛି | ଚାକିରୀ ପାଇଁ ବି ବାରି ବାରି କରି କିଛି ଲୋକ ଯାଉଛନ୍ତି |ସମସ୍ତଙ୍କ ରୋଜଗାର ଏବେ କମିବାକୁ ଲାଗିଛି କିନ୍ତୁ ଖର୍ଚ୍ଚ ବଢ଼ିବାରେ ଲାଗିଛି | ସମସ୍ତେ ଘରେ ରହିବ ଦ୍ୱାରା ରମେଶ ବାବୁଙ୍କର ପତ୍ନୀ ସବିତା ବି ଖଟି ଖଟି ନାକେଦମ ହେଇଗଲେଣି | ପୁରା ଶାନ୍ତ ପ୍ରକୃତିର ସବିତା ଏବେ ଖାଲି ଟିକେ ଟିକେ କଥାରେ ଚିଡି ଯାଉଛନ୍ତି |ରମେଶ ବାବୁ ଜଣେ ସାଧାରଣ ଘରୋଇ ସଂସ୍ଥାର ଚାକିରିଆ | ତାଙ୍କୁ ଏବେ ଖାଲି ଘରୁ ବସି କାମ କରିବାକୁ ହେଉଛି | ସକାଳ ୯ଟା ରୁ ସେ ନିଜ କମ୍ପ୍ୟୁଟର ଖୋଲି ବସୁଛନ୍ତି ସନ୍ଧ୍ୟା ୮ଟା ଯାଏ | କିଛି କାମ ଥାଉ କି ନାହିଁ ତାଙ୍କୁ ସେହି କମ୍ପ୍ୟୁଟର ଆଗରେ ବସି ମୁହଁ ଦେଖାଇବାକୁ ହେବ ,ନହେଲେ ଯେଉଁ ୬୦ ଭାଗ ଦରମା ଗଣ୍ଡାକ ମିଳୁଛି ସେଥିରୁ ବି କାଟିଯିବ | ତାଙ୍କୁ ଚାଳିଶ ବର୍ଷ ଓ ପତ୍ନୀ ସବିତାଙ୍କୁ ୩୫ ବର୍ଷ | ପୁଅ ଅମର ୧୪ ବର୍ଷ ଓ ସେ ନବମ ଶ୍ରେଣୀରେ ପଡୁଛି ,ଝିଅ ଆରତୀକୁ ୧୦ ବର୍ଷ ଓ ସେ ପଞ୍ଚମ ଶ୍ରେଣୀରେ ପଢୁଛି | ଏବେ ଦୁଇଜଣଙ୍କ ପାଇଁ ଦୁଇଟା ନୂଆ ମୋବାଇଲ ଫୋନ ଆଣି ରମେଶ ବାବୁ ଦେଇଛନ୍ତି ଅନ ଲାଇନରେ ପାଠ ପଢିବାକୁ | ଘର ଭିତରେ ପତ୍ନୀ ସବିତା ଏବେ ଆଉ ଟି ଭି ଖୋଲି ସକାଳୁ ସଞ୍ଜ ଯାଏ କିଛି ଦେଖିପାରୁନାହାନ୍ତି ,କାରଣ ଯେଉଁ ଘରେ ଟି ଭି ଅଛି ସେଇଠି ବସି ରମେଶ ବାବୁ ତାଙ୍କ କମ୍ପ୍ୟୁଟର ଆଗରେ ବସି କାମ କରୁଛନ୍ତି ଓ ଆର ଘରେ ପିଲାମାନେ ପଢୁଛନ୍ତି | ତା ଭିତରେ ପୁଣି ମଝିରେ ମଝିରେ ଟିକେ ଚାହା ଆଉ କିଛି ଚଣା ଛାଣି ଖାଇବାକୁ ତାଙ୍କୁ ରମେଶ ବାବୁ କହୁଛନ୍ତି | ସେ ବା କଣ କରିବେ ? ରୋଷେଇ କରିବା ସହିତ ଏହି ସବୁ ବି କରି ସମସ୍ତଙ୍କୁ ଦେଉଛନ୍ତି | ଟିକେ କ୍ଲାନ୍ତ ହେଇ ପଡିଲେ ବି କୋଉଠି ଟିକେ ଶାନ୍ତିରେ ଗାଡି ପାରୁ ନାହାନ୍ତି | ରମେଶ ବାବୁ ସବୁ ବୁଝି ପାରୁଛନ୍ତି ହେଲେ କିଛି କରିପାରୁନାହାନ୍ତି | ଆଉ ଗୋଟିଏ ଘର ଭିତରେ ବନ୍ଦୀ ଭଳିଆ ରହି ରହି ତାଙ୍କୁ ବି ବହୁତ ବ୍ୟସ୍ତ ଲାଗୁଛି | ସନ୍ଧ୍ୟାବେଳେ କମ୍ପ୍ୟୁଟର କାମ ସାରିବା ପରେ ଯେତେବେଳେ ଟିକେ ବାହାରକୁ ଯାଉଛନ୍ତି ତାଙ୍କ ପାଖ ପାନ ଦୋକାନରୁ ଲୁଚାଇ କରି ସେ ଦେଉଥିବା ପାନ ଆଣିବାକୁ ,ସେତେବେଳେ ପତ୍ନୀ ସବିତା ବଡ଼ ଆକଟ କରି କହୁଛନ୍ତି ,'' ଆରେ କଣ ବାହାରକୁ ନଗଲେ ହୁଅନ୍ତା ନାହିଁ ? ପାନ ଖାଇବାଟା ଏତେ ଜରୁରୀ ! ଏବେ ଏହି କରୋନା ପାଇଁ ସବୁ ତ ବନ୍ଦ ଅଛି ,ସେହି କୁନା ପାନ ଦୋକାନୀ ଲୁଚେଇ କରି ବିକୁଛି ଯଦି ପୋଲିସ ଦେଖିବ ତୁମକୁ ବି ଦୁଇ ପାହାର ଦେବ | ତାଛଡା ସେଠି କେତେ ଲୋକ ଜମା ହେଇଥିବେ | ହଉ ଯଦି ଯିବ ତେବେ ନାକ ମୁହଁରେ ଏହି ତୁଣ୍ଡି ବାନ୍ଧିକରି ଯାଅ,ଆସି କରି ଭଲ ଭାବରେ ସାବୁନରେ ହାତ ଗୋଡ଼ ଧୋଇବ,ସେହି ପିନ୍ଧିଥିବା କାପଡ଼ାକୁ ମୁଁ ଯେଉଁ ଡେଟଲ ପାଣି ରଖିଛି ଏହି ଜାଗାରେ ବୁଡାଇ ଦେବ |"ଏତକ କହି ସବିତା ତୁଣ୍ଡି ବଢ଼ାଇ ଦିଅନ୍ତି | ରମେଶ ବାବୁ ଡରି ଡରି କୁନା ଦୋକାନ ପାଖକୁ ଯାଆନ୍ତି ଓ ପାନ ନେଇ ଆସି ସବିତା କହିଥିବା ହିସାବରେ ସବୁ କଥା ପାଳନ କରନ୍ତି | ତାଙ୍କୁ ବଡ଼ ବ୍ୟସ୍ତ ଲାଗେ | ମନେ ମନେ ଏହି କରୋନାକୁ ବହୁତ ଗାଳି ଦିଅନ୍ତି ଓକୁହନ୍ତି .'' ଶଳା,କୋଉଠୁ କେଜାଣି ଏଇଟା ଗୋଟିଏ ଅଜଣା ଶତ୍ରୁ ହୋଇ ଆସିଲା ଯେ ତା ପାଇଁ ଆମେ ସମସ୍ତେ ନାକେଦମ ହେଇଗଲୁଣି |କେତେବେଳେ କଣ କାହାକୁ କରୁଛି କିଛି ଜଣାପଡୁ ନାହିଁ | କେତେ ଲୋକଙ୍କର ଜୀବନ ନେଲାଣି ସିଏ | ବିନା ଅସ୍ତ୍ରରେ ସିଏ ଆକ୍ରମଣ କରି ଜୀବନରୁ ମାରି ଦେଉଛି |'' ଏତକ ଭାବି ଧୋଇ ଧାଇଁ ହେଇ ଘର ଭିତରକୁ ଯାଆନ୍ତି ଆଉ ତାଙ୍କଠାରୁ କିଛି ସମୟ ସବିତା ଓ ପିଲାମାନେ ଦୁରେଇ ଦୁରେଇ ରୁହନ୍ତି ,ଯେମିତି ସିଏ ଅଛୁଁତ ଲୋକ | ଭାରି ରାଗ ଲାଗେ ରମେଶ ବାବୁଙ୍କୁ ଏହି କରୋନା ଉପରେ ,ହେଲେ କଣ କରିବେ ?


ଏମିତି ବହୁତ ଅସୁବିଧାରେ ତିନି ମାସ ବିତିଗଲା ରମେଶ ବାବୁଙ୍କର | ଧୀରେ ଧୀରେ ସେସବୁ ପୁଣି ଅଭ୍ୟାସରେ ପରିଣତ ହେଇଗଲା | ରମେଶ ବାବୁ ଗାଁ ରେ ଥିବା ତାଙ୍କ ବାପା ଅଶୋକ ଦାସଙ୍କୁ ଫୋନ କରି କହିଲେ ତାଙ୍କ ବୋଉ ମମତାକୁ ନେଇ ତାଙ୍କ ପାଖକୁ ଆସିବାକୁ |ଅଶୋକ ବାବୁ କହିଲେ ,'' ନାହିରେ ରମେଶ ଆମେ ଏଠାରେ ଭଲରେ ଅଛୁ | ଏଠି କିଛି ଅସୁବିଧା ନାହିଁ | ଆମ ଗାଁରେ ବହୁତ କଟକଣା | କେହି ଗାଁ ଭିତରକୁ ଆସି ପାରିବେ ନାହିଁ ବା କେହି ଗାଁ ରୁ ବାହାରକୁ ଯାଇ ପାରିବେ ନାହିଁ ,ଯଦି କେହି ଯିବ ତେବେ ତାର ଆଉ ଗାଁକୁ ଆସିବା ନିଷେଦ୍ଧ | ତୁ ମୋଟେ ଚିନ୍ତା କରନାହିଁ | ଖାଲି ତୋ ସାନ ଭାଇ ରାଜେଶକୁ କାହ ଜଗି ରଖି ତା ସ୍ତ୍ରୀ ସୁନିତା ଓ ଝିଅ ରଚନା ସହିତ ରହୁଥିବ | ସେଇଟା ଟିକେ ବେଶୀ ବାହାରେ ବୁଲା ବୁଲି କରେ ,ତାରି ଚାକିରୀ ତ ସେଇ ବୁଲିବାର |'' ରମେଶ ବାବୁ ତାଙ୍କ ବାପାଙ୍କ କଥା ଶୁଣି ଟିକେ ଆଶ୍ୱସ୍ତ ହୁଅନ୍ତି | ସେ ତାଙ୍କ ସାନ ଭାଇ ରାଜେଶ ,ଯାହାର ବୟସ ୩୫ ପାଖ ପାଖି ତାକୁ ଫୋନ କରି ବୁଝାଇକୁହନ୍ତି | ରାଜେଶ ତାଙ୍କ ଠାରୁ ଦୂରରେ ଥିବା ସହରରେ ଗୋଟିଏ ଔଷଧ କମ୍ପାନୀରେ ଚାକିରୀ କରେ ଓ ସେଠାରେ ସିଏ ତା ପତ୍ନୀ ୩୦ ବର୍ଷର ସୁନିତା ଓ ୯ ବର୍ଷର ଝିଅ ରଚନା ସହିତ ରହୁଛି | ସେ ସବୁ ଶନିବାର ରବିବାର ଆଗରୁ ରମେଶ ବାବୁଙ୍କ ପାଖକୁ ଆସେ ,କିନ୍ତୁ ଏବେ ଏହି କରୋନା ପାଇଁ ଆସିବା ବନ୍ଦ | ଯେହେତୁ ସିଏ ଔଷଧ କମ୍ପାନୀରେ ଚାକିରି କରେ ,ତାକୁ ଏବେ ବି ସବୁଦିନ ଏହି କାରଣରେ ମୁହଁରେ ତୁଣ୍ଡି ବାନ୍ଧି ଡାକ୍ତର ଓ ଔଷଧ ଦୋକାନ ପାଖକୁ ଯିବାକୁ ହୁଏ | ବହୁତ ଡର ଲାଗେ ବାରମ୍ବାର ସେ ପକେଟରୁ ସାନିଟାଈଜ଼ାର କାଢି ହାତରେ ଲଗାଇ ସଫା କରେ | ଘରେ ପହଞ୍ଚି ବାହାରେ ସୁନିତା ରଖିଥିବା ଡେଟଲ ମିଶା ପାଣିରେ ଗାଧୋଇ ଘର ଭିତରକୁ ଯାଏ | ସେ ସବୁ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥାକୁ ମାନି ଚଳେ |


ବେଳେ ବେଳେ ରାଜେଶ ଭାଇ ରମେଶକୁ ଓ ଭାଉଜ ସବିତାକୁ କଣ ଔଷଧ ଖାଇବ, ସେ ବିଷୟରେ ବୁଝାଇ କହେ | ବେଳେ ବେଳେ ସବିତା ତାକୁ ଥଟ୍ଟାରେକୁହନ୍ତି ,'' ବୁଝିଲ ରାଜେଶ ତୁମେ ଆମର ଜଣେ ଅଧା ଡାକ୍ତର | ହେଲେ ମତେ ନୁହେଁ ,ତୁମ ଭାଇଙ୍କୁ ଟିକେ ଭଲ କରି ବୁଝାଇ କୁହ | ମୁଁ କଣ ପାନ ଖାଇବାକୁ ବାହାରକୁ ଯାଉଛି ?'' ରାଜେଶ ଏତକ ଶୁଣି ହସିଦିଏ ଓ ତା ଭାଇ ରମେଶକୁ କୁହେ ,'' ଆଛା ଭାଇ ଏବେ କଣ ସେ ପାନ ନଖାଇଲେ ଚାଲିବ ନାହିଁ ? ସେଠି କେତେ ପ୍ରକାରର ଲୋକ ଆସୁଥିବେ ,ଭିଡ ହେଉଥିବ | ତୁମେ ଏବେ ଆଉ ବାହାରକୁ ଯାଅ ନାହିଁ |'' ରମେଶ ବାବୁ ବହୁତ ଥର ରାଜେଶ ଠାରୁ ଏହି କଥା ଶୁଣି ଏବେ ଆଉ ବାହାରକୁ ଯିବା ବନ୍ଦ କରି ଦେଇଛନ୍ତି | ନିଜେ ଘରେ ପାନ ଆଣି ଭାଙ୍ଗି ଖାଉଛନ୍ତି | ସେଦିନ ରବିବାର ସକାଳ ,ରମେଶ ବାବୁଙ୍କ କାମ ବନ୍ଦ ,କାରଣ ରବିବାରଟା ଛୁଟି ମିଳିଥାଏ | ହଟାତ ସୁନିତାର ଫୋନ ଆସିଲା ଯେ ରାଜେଶକୁ ନିଶ୍ଵାସ ନେବାକୁ କଷ୍ଟ ହେଉଛି ଓ ତାଙ୍କ ଅମ୍ଳଜାନ କମିକରି ୯୨ ରେ ଅଛି | ରମେଶ ବାବୁ କହିଲେ ତାକୁ ତୁରନ୍ତ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ ଡାକ | ସୁନିତା ସେଇଆ କଲେ ଓ ଆମ୍ବୁଲାନ୍ସ ଆସି ରାଜେଶକୁ ନେଇ ଡାକ୍ତରଖାନା ନେଇଗଲା ,ସୁନିତା ଓ ରଚନାର ଲାଳ ବି ନେଇଗଲେ କରୋନା ପରୀକ୍ଷା କରିବାକୁ | ତାପରେ ତାଙ୍କ ଘରକୁ ବାଡ଼ ଦେଇ ବନ୍ଦ କରିଦିଆ ହେଲା | ରମେଶ ବାବୁ ସବୁ ଶୁଣୁଥାନ୍ତି କିନ୍ତୁ କରିବାର ଉପାୟ ନଥାଏ | ଡାକ୍ତରଖାନାରୁ ଖବର ଆସିଲା ରାଜେଶକୁ କରୋନା କିନ୍ତୁ ସୁନିତା ଓ ରଚନାକୁ ହେଇନାହିଁ |ରାଜେଶର ଚିକିତ୍ସା ଆରମ୍ଭ ହେଲା | ରମେଶ ବାବୁ ଫୋନ ଯୋଗେ ଡାକ୍ତରଙ୍କ ସହିତ ଯୋଗାଯୋଗ କରୁଥାନ୍ତି |ସୁନିତା ଓ ରଚନା ବହୁତ କଷ୍ଟରେ ଚଳୁଥାନ୍ତି ଓ ରାଜେଶର ଚିନ୍ତା ତାଙ୍କୁ ଆହୁରି ବ୍ୟସ୍ତ କରୁଥାଏ | ପାଞ୍ଚ ଦିନ ପରେ ରମେଶ ବାବୁ ଖବର ପାଇଲେ ଯେ ତାଙ୍କ ଭାଇ ରାଜେଶର ମୃତ୍ୟୁ ହୋଇଯାଇଛି ,କେବଳ ଜଣେ ଆମ୍ବୁଲାନ୍ସରେ ବସି ପି ପି ଇ ପୋଷାକ ପିନ୍ଧି ଆସି କାଗଜରେ ଦସ୍ତଖତ କରିଯିବେ କିନ୍ତୁ ରାଜେଶକୁ କେହି ଛୁଇଁ ପାରିବେ ନାହିଁ |ରାଜେଶର ଶେଷ କ୍ରିୟା ସରକାର କରିବେ | ରମେଶ କହିଲେ ସିଏ ଯିବେ ବୋଲି | ଏତକ ଶୁଣି ରମେଶ କାନ୍ଦିବାରେ ଲାଗିଲେ ,ସବିତା ଓ ପିଲାମାନେ ବି କାନ୍ଦିବାରେ ଲାଗିଲେ | ରମେଶ ଆମ୍ବୁଲାନ୍ସ ରେ ଯାଇ ଡାକ୍ତରଖାନାରୁ କାଗଜ ଆଣିଲେ ,ସେଠାରୁ ତାକୁ ନେଇ ଗଲେ ସୁନିତା ପାଖକୁ | ଦୂରରୁ ରହି ସେହି କାଗଜ ବଢ଼େଇ କହିଲେ ,''ଏଥିରେ ଦସ୍ତଖତ କର | ମୁଁ ଡାକ୍ତରଖାନାରେ ଦେବି | ଆମ ରାଜେଶ ଆଉ ନାହିଁ |'' ଏତକ କହି ସେ କାନ୍ଦିବାରେ ଲାଗିଲେ | ରଚନା କାଗଜ ନେଇ ସୁନିତାକୁ ଦେଲା | ସୁନିତା ବି ରମେଶକୁ ସେହି ପି ପି ଇ ପୋଷାକ ରେ ଦେଖି ଆଗେ ଡରି ଯାଇଥିଲା ,ଆଉ ଏବେ ସେହି ଡର ସତ ହେଇଗଲା | ସୁନିତା କାନ୍ଦି କାନ୍ଦି ଦସ୍ତଖତ କରି କାଗଜ ଦେଇଦେଲା | ରମେଶ ବାବୁ ତାକୁ ନେଇ ଆମ୍ବୁଲାନ୍ସ ରେ ବସି ଡାକ୍ତରଖାନା ଗଲେ ,୧୦ ଫୁଟ ଦୂରରୁ ଖାଲି ତାଙ୍କ ସାନ ଭାଇ ରାଜେଶ୍ୱର ମୁହଁ ଟିକିଏ ଦେଖି ପାରିଲେ | ତାପରେ ତାଙ୍କୁ ଆମ୍ବୁଲାନ୍ସ ନେଇ ଘରେ ଛାଡିଦେଲା ,ତାଙ୍କର ବି ଲାଳ ପରୀକ୍ଷା ପାଇଁ ନିଆଗଲା | ସେଠାରୁ ଫେରି ବହୁତ ଦରରେ ରମେଶ ଗାଁକୁ ଫୋନ କରି ବାପା ଅଶୋକ ବାବୁଙ୍କୁ କହିଲେ ରାଜେଶ ବିଷୟରେ | ସେ ଅବାକ ହେଇଗଲେ ଓ ତାଙ୍କ ମା ମମତା ଦେବୀ ଅଚେତ ହେବାର କଥା ସେହି ଫୋନ ମାଧ୍ୟମରେ ରମେଶ ତାଙ୍କ ବାପାଙ୍କ ଠାରୁ ଶୁଣୁଥାନ୍ତି | ତା ପରଦିନ ଅଶୋକ ଫୋନ କରି କହିଲେ ,'' ଏବେ ତ କିଛି ତୁଠ କାମ ହେଇପାରିବ ନାହିଁ | ତୁମେ ସମସ୍ତେ ଘରେ ରହି ସବୁ ପାଳନ କର | ଖାଲି ଦଶଦିନ ସମସ୍ତେ ଖିଅର ହେଇ ଗାଧେଇବା | ଆଉ ବାରଦିନ ପରେ ଘରେ ନୂଆ ହାଣ୍ଡିରେ ରୋଷେଇ ହେବ |'' ଏତକ ଅଶୋକ ବାବୁ କାନ୍ଦି କାନ୍ଦି କହୁଥାନ୍ତି |


ରମେଶ ସବୁ ଶୁଣି କାନ୍ଦିଲେ ଓ ସବିତାଙ୍କୁ କହିଲେ ,'' ଦେଖ ଏହି କରୋନା ଗୋଟିଏ କେମିତିଆ ଅଜଣା ଶତ୍ରୁ | ଯିଏ ସବୁବେଳେ ଅତି ସାବଧାନରେ ରହୁଥିଲା ,କେମିତି ତାକୁ ମାରିଦେଲା | ଆଉ ତା ପାଇଁ ଆମେ କେହି ବି ଏବେ ଦେଖ ସୁଧୀ ହେଇପାରିବାନାହିଁ | କେତେ ଭୟଙ୍କର ଏହି ଅଜଣା ଶତ୍ରୁ |'' ଏତିକି ଶୁଣି ସବିତା ଓ ପିଲାମାନେ ସମସ୍ତେ ଦୁଃଖରେ ବଡ଼ ବିଚଳିତ ହେଉଥିଲେ ରମେଶ ବାବୁଙ୍କ ସହିତ |



Rate this content
Log in

Similar oriya story from Tragedy