ଅଜା
ଅଜା


ଅଫେରା ରାଇଜକୁ ବାହୁଡି ଯିବାର ପ୍ରାୟ ଦୁଇ ଦଶନ୍ଧି ହୋଇଗଲାଣି, ତଥାପି ଗୋପିନାଥପୁର ଶାସନର ଲୋକଙ୍କ ଆଖିରେ ଜକେଇ ଆସେ ଲୁହ ଅଜାଙ୍କ ପାଇଁ । ଯଦି କେହି ଲେଖି ବସିଥାନ୍ତା ଅଜାଙ୍କ ଜୀବନ କାହାଣୀ ହୁଏତଃ ପୋଥିଟିଏ ହୋଇଥାନ୍ତା ! ଗ୍ରାମ ଦେବତା ଶ୍ରୀ ଗୋପୀନାଥଜୀଉଙ୍କ ନାମାନୁସାରେ ତାଙ୍କ ନାମକରଣ ହୋଇଥିଲା ଗୋପିନାଥ । ଦେବ ଅଂଶରେ ଜାତ ଦେବତା ସମ ପୁରୁଷଟିଏ ସତେ !
ଅଜା ଆମର ଥିଲେ ଯଥାର୍ଥରେ ଅଜାତଶତ୍ରୁ ! ଖୁବ୍ ମେଳାପି ଓ ମିଷ୍ଟଭାଷୀ ଥିଲେ ସେ, ରାସ୍ତାରେ ଚାଲିଗଲା ବେଳେ ସମସ୍ତଙ୍କ ସହ କଥାଭାଷା ହୋଇ ସେମାନଙ୍କ ହାନିଲାଭ ବୁଝନ୍ତି । ପୀଢ଼ି ନିର୍ବିଶେଷରେ ଆବାଳବୃଦ୍ଧ ତାଙ୍କର ସାଙ୍ଗ, କାହା ପାଇଁ ସେ ଗୋପି ଭାଇନା, ତ ଆଉ କାହା ପାଇଁ ଗୋପି ଦଦା, ତ ଗାଁର ତରୁଣଙ୍କ ପାଇଁ ଗୋପି ଅଜା ! ଗାଁର ମେଳା, ମଉଛବ, ଭୋଜିଭାତରେ ଅଜାଙ୍କର ସଦା ସର୍ବଦା ଅଗ୍ରଣୀ ଭୂମିକା, ସେଥିପାଇଁ ସବୁବେଳେ ଅଜାଙ୍କ ପାଖରେ ଲୋକେ ଭିଡ଼ ଜମାନ୍ତି।
ଦୁଃଖୀ ରଙ୍କୀଙ୍କୁ ସାହାଯ୍ୟ କରିବା ଥିଲା ଅଜାଙ୍କର ସହଜାତ ପ୍ରବୃତ୍ତି । ଗାଁ ତ ଗାଁ ଆଖ ପାଖ ଅଞ୍ଚଳରେ କାହାର କିଛି ଅଭାବ ଅସୁବିଧା ହେଲେ ସେ ଆସି ହାଜର ଅଜାଙ୍କ ପାଖରେ । କେବେ ବି କାହାକୁ ଖାଲି ହାତରେ ଫେରାଇ ଦେଇ ନାହାନ୍ତି ସେ ନିଜ ଦୁଆରରୁ । ନିଜର ସାଧ୍ଯ ମତେ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରନ୍ତି । କଟକ ନଗରରେ ଅଜାଙ୍କର ବେଶ୍ ପରିଚିତି ଥିବାରୁ ବିଭିନ୍ନ କାମ ପାଇଁ ଲୋକେ ତାଙ୍କ ବସାରେ ବେଳ ଅବେଳରେ ପହଞ୍ଚି ଯାଆନ୍ତି । ନିଜର କର୍ମ ବ୍ୟସ୍ତତା ସତ୍ତ୍ୱେ ଅଜା ସମସ୍ତଙ୍କ କଥା ବୁଝି ଦିଅନ୍ତି । ଖୁଆଇ ପିଆଇ ବାଟ ଖର୍ଚ୍ଚ ବି ହାତରେ ଦେଇ ବିଦା କରନ୍ତି ଲୋକଙ୍କୁ।
ଏପରି ପରୋପକାରୀ ଦରଦୀ ବ୍ୟକ୍ତିତ୍ୱ ଆଜିର ଦିନରେ ବିରଳ । ପାଖରେ ଯଦି ଗୋଟିଏ ମିଠେଇ ଅଛି, ଆଉ ଲୋକ ଅଧିକ ଅଛନ୍ତି, ତେବେ ଏହାକୁ ଏକା ନଖାଇ ପ୍ରସାଦ କହି ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି ସେ । କେବଳ ଅମିତ ବିତ୍ତଶାଳୀ ହେଲେ ଯେ ଜଣେ ନିଜକୁ ଲୋକଙ୍କ ସେବାରେ ନିୟୋଜିତ କରିପାରିବ, ଏହି ଉକ୍ତିଟି ଅଜାଙ୍କ ପାଖରେ ଭୁଲ ପ୍ରମାଣିତ ହୋଇଥିଲା।
ଅଜା ତାଙ୍କର ଜୀବନ କାଳରେ ନାନାଦି ସ୍ଥାନ ପରିଭ୍ରମଣରେ ଯାଇଥିଲେ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସଂସ୍ପର୍ଶରେ ଆସିଥିଲେ । ଅନେକ ଅନୁଭୂତି ସାଉଁଟି ଥିଲେ ଜୀବନରେ । ଏହି ମହାର୍ଘ ଅନୁଭୂତି ହିଁ ଥିଲା ତାଙ୍କ ଜୀବନର ଶ୍ରେଷ୍ଠ ସମ୍ବଳ ! ତାଙ୍କ ନାଁ ହିଁ ଯଥେଷ୍ଟ ଥିଲା କୌଣସି କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବା ନିମନ୍ତେ।
ଆମ ପିଲାଦିନେ ଯେବେ ଆମେ ସମସ୍ତେ ମାମୁଁଘରକୁ ଯାଉ, ଅଜାଙ୍କ ପାଖରେ ବସି ଗପ ଶୁଣୁ । ଅଜା ତାଙ୍କର ପ୍ରିୟ ପାନଡାଲାଟିକୁ ଧରି ପାନ ଭାଙ୍ଗୁଥିବେ ଆଉ ଆମକୁ ଗପ ଶୁଣାଉଥିବେ । ଅସରନ୍ତି କାହାଣୀର ଅସରା ଖଣି ସେ ! ଗୋଟିଏ ପରେ ଗୋଟିଏ ଏମିତି ଗପ କହିଚାଲିଥିବେ ଆମେ ଭାଇଭଉଣୀମାନେ ମନ୍ତ୍ରମୁଗ୍ଧ ହୋଇ ଶୁଣି ଚାଲିଥିବୁ ଭୋକ ଶୋଷ ଭୁଲି । ଗପ ଶେଷରେ ନୀତିକଥାର ବ୍ୟାଖ୍ୟା ମଧ୍ୟ କରୁଥିଲେ ଓ ଆମକୁ ପଚାରୁଥିଲେ କି ତୁମେମାନେ ଏ ଗପରୁ କଣ ସବୁ ଶିଖିଲ ବୋଲି।
ମୁଁ କିନ୍ତୁ ମନେ ମନେ ଭାଳେ ଯେ, ଅଜା କହୁଥିବା ଗପ ସବୁ କାଳ୍ପନିକ ଅଥବା ମନଗଢ଼ା କାହାଣୀ ନୁହେଁ । ଏସବୁ ଥିଲା ତାଙ୍କର ଅଙ୍ଗେ ନିଭାଇଥିବା ସ୍ୱକୀୟ ଅନୁଭୂତି । ମାନବବାଦୀ ଦରଦୀ ହୃଦୟର କଥା ସେ ସବୁ, କିନ୍ତୁ ଗପର ଆବରଣରେ ଆବୃତ ହୋଇ ରହିଥାଏ । ଦିନେ ଏ ସମ୍ପର୍କରେ ମୋର କୌତୂହଳୀ ପ୍ରଶ୍ନର ଉତ୍ତରରେ ସେ ଯାହା କହିଥିଲେ ତାହା ଏବେ ବି ସତେଜ ରହିଛି।
"ତୁମର ସାଧ୍ୟ ଥାଇ ମଧ୍ୟ ତୁମେ କାହାକୁ ସାହାଯ୍ୟ କର ବା ନକର, କିଛି କଥା ନାହିଁ କିନ୍ତୁ ନିଜର ଜାଣତ ଅବା ଅଜାଣତରେ କାହାର ଅନିଷ୍ଟ କରିବା ତ ଦୂର, ଚିନ୍ତା ସୁଦ୍ଧା କର ନାହିଁ।"