Papu parida

Drama Classics Thriller

3.8  

Papu parida

Drama Classics Thriller

ଅଦୃଶ୍ୟ ଠକ

ଅଦୃଶ୍ୟ ଠକ

5 mins
191



ହରିଆ ଦାସ ପେଷାରେ ନିହାତି ମଫସଲ ଚାଷୀ। ରଘୁନାଥପୁର ଗ୍ରାମରେ ତାର ଛୋଟିଆ ତିନି ହାତ ତିନି ବଖରା ବିଶିଷ୍ଟ ଛୋଟିଆ ଟିଣଘର। ଘରଠାରୁ ଦୂରରେ ଏକ ଛୋଟିଆ ଜମି ଯାହା ଟାକି ନିଜ ପିତୃପୁରୁଷଙ୍କ ପାଖରୁ ମିଳିଥିଲା। ସେ ଜମିରେ ଚାଷ କରି ହରିଆ ଓ ତା ସ୍ତ୍ରୀ ସୁଲତ ହସଖୁସିରେ ଚାଲି ଯାଉଥିଲେ। ଇତି ମଧ୍ୟରେ ତାଙ୍କ ସଂସାର ବଗିଚାରେ ଦୁଇଟି ଛୋଟ ଛୋଟ ଫୁଲ ଫୁଟିଲା। ପ୍ରଥମେ ପୁଅ ଶ୍ରୀଧର ତା ପରେ ଝିଅ ସୁନିତା।ତା ପାରିବାର ଏବେ ହସଖୁସିରେ ପୁରି ଉଠିଲା।


    କିନ୍ତୁ ସଂସାର ପରିବର୍ତ୍ତନର ଚକ୍ର ତା ସୁଖମୟ ଜୀବନରୁ ବୁଲି ଯାଇ ଦୁଃଖର କଳାବାଦଳକୁ ଆଣି ଥୋଇଦେଲା। ସୁଜାତା ଜନ୍ମର ଚାରିବର୍ଷ ପରେ ସୁଲତା ସବୁଦିନ ପାଇଁ ଆଖି ବୁଜିଦେଲା।ସେ ଦିନ ହରିଆ ଲୁଚି ଲୁଚି ବହୁତ କାନ୍ଦିଲା।କିନ୍ତୁ ପିଲାମାନେ କାଳେ ଭାଙ୍ଗିପଡିବେ ସେଥିପାଇଁ ସେ ନିଜ ଲୁହକୁ ଲୁଚେଇବାର ଛଳନା କରୁଥିଲା। ସାହି ପରିଜନ ମତଦେଲେ ହରିଆ ଦ୍ୱିତୀୟ ବିବାହ କରୁ। କିନ୍ତୁ କାଳେ ସାବତ ମାଆ ତା ବଗିଚାର ଫୁଲ ଦୁଇଟିକୁ ଦଳି ଚକଟି ଦେବ ସେଥିପାଇଁ ସେ ଦ୍ୱିତୀୟ ବିବାହ କଲାନାହିଁ ଓ ଦୁଇ କୋମଳ ଶିଶୁଙ୍କ ବୋଝକୁ ହସି ହସି ମୁଣ୍ଡେଇ ନେଲା। ଯେହେତୁ ପିଲାମାନେ ଏବେ ସ୍କୁଲ ଯିବା ବୟସ ହେଲାଣି,କେବଳ ଯେ ସ୍କୁଲରେ ନାମ ଲେଖେଇ ଦେଲେ ହେବନି ଆଜି ଖାତା ତ କାଲି କଲମ ତ ଆରଦିନ ଜାମା।ସେଥିପାଇଁ ହରିଆ ଏବେ ଚାଷ ସହ ପାଖ ଇଟାଭାଟିରେ ଦିନ ମଜୁରିଆ ହିସାବରେ କାମ କଲା। ପିଲାଙ୍କ ଜୀବନ ସଜାଡ଼ିବା ପାଇଁ ନିଜ ସ୍ୱାସ୍ଥ୍ୟ ମାଟି କରିବାକୁ ଲାଗିଲା। ବହୁ କଷ୍ଟ କରି ସେ ପିଲା ଦୁଇଟିକୁ ପାଠ ପଢେଇବାକୁ ଲାଗିଲା।

      ବଡ ପୁଅ ଶ୍ରୀଧର ପ୍ରଥମେ ଦଶମ ତା ପରେ ଦ୍ୱାଦଶ ପ୍ରଥମ ଶ୍ରେଣୀରେ ପାସ କଲା। ପରେ ସୁନିତା ମଧ୍ୟ ଦଶମ ଶ୍ରେଣୀରେ ଶ୍ରୀଧରଠୁ ଅଧିକ ନମ୍ବର ରଖି ପାସ କଲା। କିନ୍ତୁ ଶ୍ରୀଧରର ଉଚ୍ଛ ଶିକ୍ଷା ପାଇଁ ସୁନିତାର ପାଠ ପଢ଼ାରେ ଡୋରି ବନ୍ଧା ହେଲା। ଶ୍ରୀଧର ଏବେ ଗାଁ ଛାଡି ସହରରେ ରହି ପାଠ ପଢିଲା। ଆଉ ସୁନିତା ପାଠ ଶାଠ ଛାଡି ଘର କାମ ସମ୍ଭାଳିଲା।

ତିନି ବର୍ଷ ପରେ ଶ୍ରୀଧର ଡିଗ୍ରୀ ସାରି ଅର୍ଥବିଭାଗରେ କିରାଣୀ ପଦବୀରେ ଚାକିରୀ ପାଇଲା। ହରିଆର ଖୁସି କହିଲେ ନସରେ।ଈଶ୍ୱର ତାର ଗୁହାରି ଶୁଣିଲେ। ଶ୍ରୀଧର ଏବେ ଭଲ ଚାକିରୀ କରି ଭଲ ରୋଜଗାର କରୁଛି। ସେ ଆଉ କଣ ଚାହୁଁଥିଲା କି ? ପୁଅ ଚାକିରୀ ଖଣ୍ଡେ କରୁ , ଝିଅ ଭଲଘର ଭଲ ବର ସହ ବାହା ହେଇଯାଉ, ଟିଣ ଘର ଟା ପକ୍କା ଘର ହେଉ ଆଉ ସେ ଘରେ ସେ ନାତି ନାତୁଣୀଙ୍କ ସହ ଖେଳି ଖେଳି ବାକି ଜୀବନତକ କାଟିଦେଵ।ଶ୍ରୀଧର ମଧ୍ୟ ଯାହା ଦରମା ପାଏ ନିଜ ଖର୍ଚ୍ଚ ରଖି ପ୍ରତି ମାସରେ ଆସି ବାପାଙ୍କ ହାତରେ ଧରେଇଦେଇ ଯାଏ। ହରିଆ ସେ ଟଙ୍କାକୁ ଅତି ଯତ୍ନରେ ସିନ୍ଦୁକରେ ରଖେ। ହରିଆ ଏବେ ନିଜ ପକ୍କାଘର ତିଆରି କାମ ମଧ୍ୟ ଆରମ୍ଭ କରିଦେଲା।କିଛି ଦିନ ମଧ୍ୟରେ ଘରକାମ ସରିଲା।କିଛି ଦିନ ଏମିତି ହସଖୁସିରେ କଟିଗଲା।

      କିନ୍ତୁ ପୁଣି ଚକ୍ରଧର ଜୀବନ ଚକ୍ରଟିକୁ ବୁଲେଇଦେଲେ। ପ୍ରାୟ ତିନି ଚାରି ମାସ ହେବ ଶ୍ରୀଧର ଆଉ ଗାଁକୁ ଫେରିନି କି ପଇସା ପଠେଇନି। ହରିଆ ବହୁତ ଚିନ୍ତାରେ ଥାଏ। ହଟାତ ଦିନେ ହରିଆ ପିଣ୍ଡାରେ ବସିଛି ଗାଆଁରେ ପ୍ରବେଶ ହେଲା ଏକ ବଡ଼ କଳା କାର ଗାଡି। ଗାଡି ଦେଖି ହରିଆ ଚମକି ଉଠିଲା। ହରିଆ ଦେଖିଲା ଗାଡିର ଗୋଟିଏ ପାଖରୁ ତା ପୁଅ ଶ୍ରୀଧର ଅନ୍ୟ ପାଖରୁ ଏକ ସୁନ୍ଦର ସହରୀ ଝିଅ ଓଲ୍ହାଉଛନ୍ତି। ସହରୀଠାଣି,ହିଲ ଚପଲ,କାନ୍ଧକଟା ବ୍ଲାଉଜ, ନା ମୁଣ୍ଡରେ ଓଢଣୀ, ନା ମୁହଁରେ ସାମାନ୍ୟ ଲାଜ। ଶ୍ରୀଧରଠାରୁ ଜାଣିବାକୁ ପାଇଲା ଯେ କାଳେ ସେ ଝିଅଟି ତାର କୁଳାବୋହୁ। ସେ ଦୁହିଁଙ୍କୁ ହରିଆ ଘର ଭିତରକୁ ପାଛୋଟି ନେଲା ସତ କିନ୍ତୁ ମନେ ମନେ କାନ୍ଦୁଥିଲା ଶ୍ରୀଧର ଟା ବାହା ହେଇଗଲା କିନ୍ତୁ ଥରୁଟିଏ ମତେ ପଚାରିବା ଠିକ ଭାବିଲାନି, କେତେ ସ୍ବପ୍ନ ଦେଖିଥିଲି ମୁଁ।ହଁ ହୋଉ ସବୁ ତ ବିଧିର ବିଧାନ। କିନ୍ତୁ ସହରୀ ବୋହୁଟା ଗାଁ ପରିବେଶରେ ନିଜକୁ ଖାପଖୁଆଇ ପାରିଲା ନାହିଁ।ସେମାନେ ଯଥାଶିଘ୍ର ଫେରିଯିବାକୁ ଚାହିଁଲେ। ସୁମନ ହରିଆ ହାତରେ ଗୋଟିଏ କିପେଡ ମୋବାଇଲଟିଏ ଦେଇ କହିଲା "ମୁଁ ତ ଆଉ ଗାଆଁରେ ରହିବି ନାହିଁ ଆଉ ସହରର ମହଙ୍ଗା ଦୁନିଆରେ ତୁମକୁ ଦୁଇଜଣଙ୍କୁ ନେଇ ମୋ ପାଖରେ ରଖି ପାରିବି ନାହିଁ ତେଣୁ ଏ ମୋବାଇଲ ଟା ରଖ ସୁବିଧା ଆସୁବିଧାରେ ଫୋନ କରିବ କିନ୍ତୁ ବାପା ମୋତେ ଆଉ ଟଙ୍କା ମାଗିବ ନାହିଁ ଏପଟେ ମୋ ପରିବାର ବି ତ ଅଛି ନା।" ଏତିକି କହି ସେ ତା ସ୍ତ୍ରୀକୁ ନେଇ ଫେରିଗଲା ଓ ଏବେ ଆଉ କାଣି କଉଡିଟେ ମଧ୍ୟ ପଠାଇଲା ନାହିଁ। ସତରେ ମଣିଷ କେତେ ଶୀଘ୍ର ବଦଳିଯାଏ। ହରିଆ ପୁରା ବାରି ପାରୁଥିଲା ପରିବର୍ତ୍ତନର ଗନ୍ଧ।


      ହରିଆ ଏବେ ଆଉ ଚାଷ କାମ ପାଇଁ ଯାଇ ପାରୁନଥିଲା କାରଣ ତା ବୟସ ଏବେ ଆଉ ତା ସାଥି ଦେଉନଥିଲା। ତେଣୁ ସେ ନିଜ ଚାଷ ଜମିକୁ ଅନ୍ୟକୁ ଚାଷ ପାଇଁ ଦେଇ ସେଥିରୁ ଯାହା ମିଳୁଥିଲା ତାକୁ ନେଇ ଦୁହେଁ କଷ୍ଟେ ମଷ୍ଟେ ବଞ୍ଚିଯାଉଥିଲେ।

 

       କିଛିଦିନ ପରେ ସୁନିତା ପାଇଁ ଏକ ଭଲ ପ୍ରସ୍ତାବ ଆସଲା। ବାହାଘର ମଧ୍ୟ ଠିକ ହେଲା। କିନ୍ତୁ ଯୌତୁକ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପାଖାପାଖି ୨ ଲକ୍ଷ ଟଙ୍କା। ହରିଆକୁ ବୁଦ୍ଧିବାଟ ଦିସୁନଥାଏ। ସେ ବାଧ୍ୟ ହୋଇ ଶ୍ରୀଧରକୁ ଫୋନ ଲଗାଇଲା ଓ ସବୁକଥା କହିଲା। ଶ୍ରୀଧରର ସ୍ତ୍ରୀ ସଫା ସଫା କହିଦେଲା ଯେ ଆମେ ଭାଈ ଭାଉଜ ହିସାବରେ କେବଳ ଲକ୍ଷେ ଯାଏଁ ଦେଇ ପାରିବୁ ତା ଠୁ ଅଧିକ ନୁହେଁ। ହରିଆର ଅବସ୍ଥା ନିଃସହାୟ ତୃଣ ପରି ହୋଇଗଲା। ବାଧ୍ୟ ହୋଇ ସେ ପିତୃପୁରୁଷଙ୍କର ଜମିଟିକୁ ବିକିଦେଲା ମାତ୍ର ୮୦ ହଜାର ଟଙ୍କାରେ। ତା ସିନ୍ଦୁକରେ ପ୍ରାୟ ୨୦ ରୁ ୨୫ ହଜାର ଟଙ୍କା ସଞ୍ଚିଥିଲା।ଏପରି ଭାବେ ସବୁ ଟଙ୍କା ଯୋଗାଡ ହେଲା। ଶ୍ରୀଧର ମଧ୍ୟ ଟଙ୍କା ପଠାଇ ସାରିଥିଲା ଓ କଡା ତାଗିଦ କରିଥିଲା ଯେ ଏତେ ଗୁଡିକ ଟଙ୍କା ଜମା ଘରେ ରଖିବ ନାହିଁ ସବୁ ନେଇ ବ୍ୟାଙ୍କରେ ଜମା କରିଦେବ । ଆଜି କାଲି ଦୁନିଆରେ କାହାକୁ କଣ ବିଶ୍ୱାସ କେତେବେଳେ ଯେ କ'ଣ ହେବ?

    

      ବାହାଘର ଦିନ ପାଖେଇ ଆସିଲା। ପୁଅବୋହୁ ମଧ୍ୟ ପହଁଚିଲେ ପାଞ୍ଚ ଦିନିଆ ଛୁଟି ନେଇ। ବାହାଘର ଦିନ ହରିଆ ବ୍ୟାଙ୍କ ଗଲା ସବୁ ଟଙ୍କା ଉଠେଇ ଆଣିବାକୁ।କିନ୍ତୁ ବ୍ୟାଙ୍କ ଗଲା ପରେ ତା ମୁଣ୍ଡରେ ଚଡକ ପଡିଗଲା। ବ୍ୟାଙ୍କଵାଲାଙ୍କ ଅନୁସାରେ ହରିଆ ମାସେ ପୂର୍ବରୁ ସବୁ ଟଙ୍କା ଉଠେଇ ନେଇଛି।ବ୍ୟାଙ୍କବାଲାଙ୍କ ଯୁକ୍ତି ଆଗରେ ହରିଆ ହାରିଗଲା। ତା ମୁଣ୍ଡ ବୁଲେଇ ଦେଉଥାଏ । କଣ କରିବି? କ'ଣ ନାହିଁ କିଛି ବୁଝି ପାରୁନଥିଲା। ଅସାହାୟ ଭାବେ ଗାଁକୁ ଫେରିବା ବାଟରେ ଗୋଟିଏ ଗାଡି ତାକୁ ଧକ୍କା ଦେଲା ଓ ସେ ବେହୋସ ହୋଇ ପଡିଲା। ସ୍ଥାନୀୟ ଲୋକ ତାକୁ ନେଇ ମେଡିକେଲ ରେ ଭର୍ତ୍ତି କଲେ। ତା ପର ଦିନ ସକାଳେ ତା ଚେତା ଫେରିବାରୁ ସେ ଘରକୁ ଧାଇଁଲା। ସେ ଦେଖିଲା ସମସ୍ତେ ରାତିସାରା ତାଙ୍କୁ ଖୋଜି ଖୋଜି ପାଇଲେ ନାହିଁ ଏପଟେ ବରଯାତ୍ରୀ ମଧ୍ଯ ଗାଁ ମୁଣ୍ଡରେ ପହଞ୍ଚି ସାରିଥିଲେ। ହରିଆକୁ ଦେଖି ସମସ୍ତେ ଏକ ପ୍ରସନ୍ନ ଭାବରେ ଚାହିଁଲେ। କିନ୍ତୁ ହରିଆ କାଲିର ଘଟଣାବଳି ସବୁ କହିଚାଲିଲା। ସମସ୍ତେ ଆବାକ, ହାତବାକ। ଶ୍ରୀଧର ପ୍ରଶ୍ନ କଲା ତୁମେ ମାସେ ପୂର୍ବରୁ ଟଙ୍କା ଉଠେଇ କ'ଣ କଲ। ହରିଆ କାକୁତି ମିନତୀ ହୋଇ କହିଲା, "ପୁଅରେ ମୁଁ ଟଙ୍କା ଉଠେଇନି। ମୁଁ କଣ କରିବି ଏତେ ଟଙ୍କା । ସେ ବ୍ୟାଙ୍କ ବାଲା ହିଁ ଖାଇଦେଇଥିବେ ତୁ ହିଁ ତ କହିଥିଲୁ ବ୍ୟାଙ୍କରେ ରଖିବା ପାଇଁ । ସେମାନେ କ'ଣ କହୁଥିଲେ ସାଇବାର କାରାଈମି ହୋଇଥିବ ବୋଲି।ମୁଁ କିଛି ଜାଣିନି।"

  

     ଶ୍ରୀଧର ବାପାଙ୍କୁ ପ୍ରଶ୍ନ କଲା," ବାପା ତୁମକୁ କେହି ଫୋନ କରି କିଛି ନମ୍ବର ମାଗିଥିଲା କି? " ହରିଆ ବହୁତ ମନେ ପକାଇ କହିଲା ," ହଁ ମାସେ ଆଗରୁ ବ୍ୟାଙ୍କବାଲା ମାନେ ଫୋନ କରିଥିଲେ। ଏଟିଏମ କାରଡ଼ ଟାଇମ ପଳେଇଲାଣି ବୋଲି କହିଲେ। ଗୋଟିଏ ନମ୍ବର ମୋବାଇଲ କୁ ପଠେଇଲେ ମୋତେ ସେ ନମ୍ବରଟା ଦେବା ପାଇଁ କହିଲେ । ନହେଲେ ଏଟିଏମ କାରଡ଼ ବନ୍ଦ ହୋଇଯିବ।ମୁଁ ସୁନି କୁ ଦେଖେଇ ନମ୍ବରଟା ତାକୁ କହିଲି ଓ ସେ ଧନ୍ୟବାଦ କହି ରଖିଦେଲା ମୁଁ ଆଉ କିଛି ଜାଣିନି।" 

    " ଓହୋ ବାପା କେଡେ ମୂର୍ଖ ତୁମେ ଦୁହେଁ। ଏତେ ଗୁଡ଼େ ଟଙ୍କା ଏକା ଥରକେ ପାଣିରେ ପକେଇଦେଲ । ଏମିତିରେ ମାସେ ବିତିଗଲାଣି ନହେଲେ କଣ ଗୋଟେ ହୋଇପାରନ୍ତା। ଏବେ ଯେ କଣ ହେବ? ମୁଁ ଆଉଥରେ ବାହାଘର ପାଇଁ ଟଙ୍କା ଦେଇପାରିବି ନାହିଁ। ମୋତେ ଲାଗୁନି ସେମାନେ ଆଉ ବାହାଘର ପାଇଁ ରାଜି ହେବେ।" ଏତିକି କହି ରାଗ ତମତମ ଅବସ୍ଥାରେ ନିଜ ସ୍ତ୍ରୀକୁ ନେଇ ସେ ସହରକୁ ଫେରିଗଲା। ବରଯାତ୍ରୀ ମଧ୍ୟ ଯୌତୁକ ନଥିବା କଥା ଶୁଣି ବାହାଘର ଭାଙ୍ଗି ଚାଲିଗଲେ। ହରିଆ ଓ ସୁନିତା ଆଗରେ ସବୁ ଅନ୍ଧାର ଦିଶୁଥିଲା। ସେମାନେ କ'ଣ ଭୁଲ କରିଥିଲେ ଏବେ ବି ବୁଝିପାରୁନଥିଲେ। ଜଣେ ମୁରୁଖକୁ ଜଣେ ଅର୍ଦ୍ଧଶିଖିତ ସେମାନେ କାହିଁ ଜାଣିବେ ଯେ #ଅଦୃଶ୍ୟ_ଠକ ସେମାନଙ୍କୁ ଠକି ସାରିଥିଲା। ବାପା ଝିଅ ସମାଜର ତାଡନା କିପରି ସହିବେ , ମଙ୍ଗୁଳି ଝିଅ ଟିକୁ କିଏ ବାହା ହେବ , ପୁଣି ଥରେ ଏତେ ଟଙ୍କା କେଉଁଠୁ ଆସିବ ଏପରି ବିଭିନ୍ନ ଚିନ୍ତାରେ ବୁଡ଼ିଗଲେ।

  

     ବର ଫେରିଗଲା, ପୁଅ ପରକଲା, ଟଙ୍କା ବି ହଜିଲା। ଏବେ ତାଙ୍କ ଆଗରେ ଦେଖା ଯାଉଥିଲା କେବେଳ ଦୁଇଟି ଦଉଡି ଓ ଛାତରେ ଟାଙ୍ଗୀ ହୋଇଥିବା ଫେନ ................


      ସତରେ ଏ ଠକ ମାନେ କେତେ ଯେ ଜୀବନ ନଷ୍ଟ କରନ୍ତି। କାହିଁ କେଉଁ ଅଦୃଶ୍ୟ କୋଣରେ ଲୁଚି ରହି କେତେ ଯେ ସୁନା ସଂସାର ଭାଙ୍ଗି ଦିଅନ୍ତି, ତାହା ନିହାତି ଅକଳ୍ପନିୟ। ଉକ୍ତ ବିଷୟ ଉପରେ ତଳେ ଆପଣଙ୍କ ମତାମତ ଦିଅନ୍ତୁ।


    ଧୈର୍ଯ୍ୟର ସହ ନିଜର ବହୁ ମୂଲ୍ୟ ସମୟ ଦେଇ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଆପଣଙ୍କ ହୃଦୟରୁ ଧନ୍ୟବାଦ।




Rate this content
Log in

Similar oriya story from Drama