Nihar Ranjan samal

Classics

3.4  

Nihar Ranjan samal

Classics

ଅଦୃଶ୍ୟ ସମ୍ପର୍କ

ଅଦୃଶ୍ୟ ସମ୍ପର୍କ

11 mins
267


   “ଏ ଘରେ ଲୋକ ରହୁଛନ୍ତି ନା ଭୂତ l ଏ ବୁଢ଼ୀ କଣ କହୁଛି ସମସ୍ତଙ୍କୁ ବାଧୁଛି ହେଲେ କାହିଁକି କହୁଛି କିଛି ଜାଣିପାରୁନ ନା ଜାଣି ଅଜଣା ଚାଉଳର ଭାତ ଖାଉଛ l” 

ନିଜ ଶୋଇବା ଘରକୁ ନିଜ ବୋହୂକୁ ଡାକି ତାଗିଦ କରୁଥାଏ ଶାଶୁମା  l ବୁଢ଼ୀର ଏରୂପ ନୂଆ ନୁହେଁ l ଶାଶୁର ଗାଳୀକୁ ମହାପ୍ରସାଦ ପରି ପାନ କରୁଥିଲେ ବୋହୂ l ମାନୁଛି ସେ ଆଜିର ନାରୀ ହେଲେ ଗୋଟିଏ ଅଯୋଗ୍ୟ ସ୍ୱାମୀର ସ୍ତ୍ରୀ କଣ ବା କରିପାରେ l ଭାଗ୍ୟକୁ ଆଦରି ରହିବାକୁ ପଡେ l ହାତେ ମାପି ଚାଖଣ୍ଡେ ଚାଲିବାକୁ ହୁଏ l ଏତେସବୁ ପରେ ମଧ୍ୟ କିପରି ଏତେ ବଡ ଭୂଲ ହେଇଗଲା l ଏମିତି କେମିତି ହେଲା l ଶାଶୁମାଙ୍କ ଚଷମା ଖୋଳରୁ ବାହାରି ତଳେ ପଡି ଭାଙ୍ଗିଗଲା କିପରି ? ବିନା ଚଷମାରେ ଶାଶୁମାଙ୍କୁ କିଛି ଦେଖା ଯାଏନା l ଭୂଲତ ହେଇଛି ସହିବାକୁ ପଡିବ l ସବୁତକ ସାହାସକୁ ଗୋଟାଇ ବୋହୂ ଏତିକି କହିପାରିଲା “ଆପଣଙ୍କ ପୁଅ ଆସିଲେ ତାଙ୍କ ସାଥିରେ ଯାଇଁ ଆଉ ଗୋଟିଏ ତିଆରି କରି ନେଇଆସିବେ l” ନିଜ କଥାର କି ପ୍ରତିଉତ୍ତର ମିଳିଥିବ ଜାଣି ସ୍ଥାଣୁ ହୋଇ ରହିଲେ ବୋହୂ l ଏସବୁକୁ ବିସ୍କୁଟ ଖାଇଖାଇ ଟିଭି ଦେଖୁଥିବା ଛଅ ବର୍ଷର ନାତି ଆଦି କାନ ଡେରି ଶୁଣୁଥାଏ l କାହିଁକି କେଜାଣି ମନେ ମନେ ହସୁଥାଏ l ଘରେ ପାଟି ଜୋରେ ହେବାରୁ ଟିଭି ବନ୍ଧ କରି ଶୋକେସରୁ ହାତରେ କଣ ଗୋଟିଏ ଲୁଚେଇ ନେଇ ବାରି ଆଡକୁ ଦୌଡିଲା l ବାରି ଚାରି ଆଡକୁ ଅନାଇ କାହାକୁ ଖୋଜୁଥିଲା ବୋଧେ, ନଜର ପଡିଗଲା ପାଚେରୀ ପଛକୁ l ହସି ହସି ଦୌଡ଼ି ଗଲା ସେ ଆଡକୁ , ଚୁପି ଚୁପି ଡାକିଲା ଜେଜେ !ଜେଜେ ! ଜେଜେବୁଢ଼ା ଆସ୍ତେ ଆସ୍ତେ ପାଚେରୀ ଡେଇଁ ଭିତରକୁ ଆସିଲେ l ବାଡ଼ି ପଛ ପଟେ ଥିବା ସେ ପକ୍କା ପିଣ୍ଡି ଉପରେ ଜେଜେ ନାତି ବସିଗଲେ l ଜେଜେକୁ ନିଜ ଦିଗବିଜୟର ଗାଥା କହିଚାଲିଲା l

 ଆଜି ବିଦ୍ୟାଳୟରେ ମଣ୍ଟୁ କିପରି ଗୋବିନ୍ଦ ସାରଙ୍କ ଅନୁପସ୍ଥିତିରେ ତାଙ୍କ ଚଷମା ଲୁଚେଇ ଆଣି ଭାଙ୍ଗି ଦେଇଥିଲା l ଯାହାଫଳରେ ଆଜି ଗୋବିନ୍ଦ ସାର ଗଣିତ ଖାତା ଦେଖିପାରିଲେ ନାହିଁ l ମଣ୍ଟୁ ଘରପଢ଼ା ନ କରି ବଞ୍ଚିଗଲା l ମଣ୍ଟୁ ହିଁ ତାର ପ୍ରିୟ ସାଙ୍ଗ l ସେ ଯାହା କରେ ସବୁ କହେ l ତାକୁ କାଳେ ଏସବୁ ତାର ବଡଭାଇ ପିଣ୍ଟୁ ଶିଖେଇଥିଲା l ସେହି ଉପାୟ ଆଜି ଆଦି ଘରେ ପ୍ରୟୋଗ କରିଛି l ଆଦିକୁ ଅନୁଭବ ହେଉଥିଲା ତା ଜେଜେବାପା ଯେଉଁ ଲୁଚିଲୁଚି ତାକୁ ଦେଖା କରିବାକୁ ଆସନ୍ତି ସେସବୁ କାଳେ ଜେଜେମା ସନ୍ଦେହ କରୁଛି l ତେଣୁ ବାରମ୍ବାର ବାଡ଼ିପଟକୁ ନ ଆସିବାକୁ ତାଗିଦ କରୁଛି l ଆଦି ଭଲ ଭାବରେ ଜାଣିଛି ଜେଜେମା ଯେଉଁଦିନ ଜେଜେବାପାଙ୍କୁ ଘରୁ ବାହାର କରିଦେଲେ ସେଦିନ ତା ବାପାମା ଯେତେ କାନ୍ଦି ବୋବେଇ ଘରେ ରଖିବାକୁ କହିଲେ ଜେଜେମା କିଛି ଶୁଣିଲେନି l ଲୋକ ଲଗାଇ ଟେକିଟେକି ବିଦା କରିଦେଲେ l ସେହିଦିନୁ ଜେଜେବାପା ସଦର ଦରଜା ଦେଇ ଘରକୁ ଆସିପାରନ୍ତି ନାହିଁ ସତ, ଯେବେ ନିଜ ନାତିକୁ ଦେଖା କରିବାକୁ ଇଛା ହୁଏ ଏମିତି ଲୁଚିଲୁଚି ଆସନ୍ତି l ଏସବୁ କଥା ଖାଲି ବାପା ଜାଣିଛନ୍ତି l ଏବେ ଜେଜେମାର ଚଷମା ଭାଙ୍ଗି ଯାଇଛି l ଦୂରରୁ କିଛି ଦେଖିପାରିବ ନାହିଁ l ଜେଜେବାପାଙ୍କ ଓଠରେ ସ୍ମିତହାସ୍ୟ ଦେଖି ଖୁବ ଖୁସି ହୋଇଗଲା ଆଦି l ଜେଜେଙ୍କ କୋଳରେ ମୁଣ୍ଡ, ରଖି ଶୋଇଗଲା l ଦିନସାରା କଣକଣ ହୋଇଥିଲା ସବୁ କହିଚାଲିଲା l ଜେଜେଠାରୁ ଗପ ଶୁଣିଲା l ଏହାରି ମଧ୍ୟରେ ବାଡ଼ିପଟ କବାଟ ଯାହାକୁ ସେ ବନ୍ଦ କରି ଆସିଥିଲା ତାକୁ କିଏ ଖୋଲିବାର ଶବ୍ଦ ହେଲା l ଆଦି ଓ ଜେଜେ ଚମକି ପଡିଲେ l ସାଙ୍ଗେସାଙ୍ଗେ ଜେଜେ ପାଚେରୀ ଚଢି ଡେଇଁବାକୁ ଲାଗିଲେ l ସେହି ସମୟରେ ଆଦି ନିଜ ହାତରେ ଧରିଥିବା ସେ କଣ୍ଢେଇଟାକୁ ଜେଜେ ହାତକୁ ଧରାଇ ଦେଇ କହିଲା – “ଜେଜେ ୟାକୁ ମୋ ଗେହ୍ଲି ଭଉଣୀ ଆଦ୍ୟାକୁ ଦେଇଦେବ, ଆଉ କହିବ ସେ ରାକ୍ଷୀ ପୂର୍ଣିମାରେ ରାକ୍ଷୀ ବାନ୍ଧିବାକୁ ଆସିଲେ ମୁଁ ତାକୁ ବହୁତ ସାରା କଣ୍ଢେଇ, ଚକଲେଟ ଦେବି l”ଏତିକି ବେଳେ ମା ବାରିପଟ କବାଟ ଖୋଲି କହିଲେ – “ସନ୍ଧ୍ୟା ହେଲାଣି ବାରିପଟେ କଣ କରୁଛୁ l ଚାଲ ଭିତରକୁ ଗୋଡ ହାତ ଧୋଇ ପାଠ ପଢ଼ିବୁ l ଜେଜେମା ଭାରି ରାଗିଛନ୍ତି ବଦମାସ ହେବୁନାହିଁ, ଗାଳି କରିବେ l”ଅଚ୍ଛା ଚଷମା ଭାଙ୍ଗିଯାଇଛି ଦେଖିପାରିବେ ନାହିଁ ବୋଲି ମା ଙ୍କୁ ପଠେଇଛନ୍ତି l ଏମିତି ଭାବି ଭାବି ଆଦି ଭିତରକୁ ଗଲା l

ରାତିପ୍ରାୟ ଆଠଟା l ପାଠ ପଢ଼ା ସରିଥାଏ l ହଠାତ କବାଟ ବେଲ ବାଜିଲା l ବେଲ ଶୁଣି ଏକା ନିଶ୍ୱାସରେ ଆଦି ଦୌଡିଗଲା କବାଟ ଖୋଲିବାକୁ l ଜେଜେମା ଆସ୍ତେ ଆସ୍ତେ ଯିବାକୁ ଯେତେ ଆକଟ କଲେ ମଧ୍ୟ ନିଜକୁ ସ୍ଵଘୋଷିତ ଯୋଦ୍ଧା ଭାବରେ ଜେଜେମାଙ୍କ କୌଣସି କଥାକୁ ନଶୁଣି ଆଗକୁ ଚାଲି ଥାଏ l କବାଟ ଖୋଲୁ ଖୋଲୁ କହୁଥାଏ – “ବାପା ମୁଁ ଯାହା କହିଥିଲି ଆଣିଛ ନା l” ବାପାଙ୍କ ସ୍ମିତହାସ୍ୟକୁ ଦେଖି ଜାଣିପାରେ ସବୁକିଛି l ସେ କହିଥିବା ଜିନିଷ ଆସିଛି କି ନାହିଁ l ସେ ଭଲ ଭାବରେ ଜାଣିଛି ସେ ସିନା ନିଜ ଜେଜେମାକୁ ଡରେନାହିଁ ହେଲେ ଜେଜେବାପାଙ୍କ ପରି ବାପା ମଧ୍ୟ ଜେଜେମାକୁ ଡରି କିଛି ଉତ୍ତର ଦେଇପାରିବେନି l ତେଣୁ ସେ ବାପାଙ୍କ ଖିଆସାରି ଶୋଇବା ପର୍ଯ୍ୟନ୍ତ ସେହିପରି ବିଛଣାରେ ପଡି ଗଡିଗଡି ଅପେକ୍ଷା କରିଥିବି l ବାପା ସବୁଦିନ ପରି ଆଜି ମଧ୍ୟ ଚକଲେଟ ଆଣିଥାନ୍ତି l ସେ ତାକୁ ନେଇ ନିଜ ବହି ଥାକରେ ରଖିଦେଲା l ଭାବିଲା କାଲି ଜେଜେ ଆସିଲେ ଆଦ୍ୟା ପାଇଁ ଏ ଚକଲେଟ ଦେବ l ତାହା ସହ ତା ପାଖରେ ଥିବା ସେ ଗାଡ଼ିଟା ବି ଦେଇଦେବ l ସେ ଜାଣିଛି ସେ ବଡ ହେଇଗଲାଣି l ସ୍କୂଲ ଗଲାଣି l ପାଠ ପଢ଼ିଲାଣି, ସାଙ୍ଗସାଥି କଲାଣି l ହେଲେ ତା ଭଉଣୀ ଆଦ୍ୟାକୁ ଏସବୁ ଖେଳଣା ଦରକାର l ଏମିତି ଭାବୁଭାବୁ ଶୋଇଗଲା l 

ସ୍କୂଲ ବସରୁ ଓଲ୍ହେଇ ଆସିବା ବେଳେ ମା ଲକ୍ଷ୍ୟ କଲେ ଆଦି ମୁହଁରେ ହସ ନାହିଁ l ନିହାତି କିଛି ନା କିଛି ହେଇଛି l ପଚାରିଲେ ମଧ୍ୟ, ହେଲେ ଏଇ କିଛିଦିନ ହେଲା ମାଙ୍କ ପାଇଁ ଆଦି ମନରେ ସେମିତି କିଛି ଭାବନା ନାହିଁ l ଆଗପରି ଆଉ ନିଜର ଭାବୁନାହିଁ କି ମନର କଥା କହୁନାହିଁ l ଯାହା କହୁଛି ନିଜ ଜେଜେବାପା ଓ ବାପାଙ୍କୁ କହୁଛି l କାରଣ ସେ ଜାଣିଛି ମା ତା ଆଡୁଆ ନୁହେଁ l ସେତ ଜେଜେମା ପଟିଆ ହେଇଯାଇଛନ୍ତି l ଜେଜେମା ଯାହା କରିବାକୁ କହୁଛନ୍ତି ସେ କଥା ମା ଅକ୍ଷରେ ଅକ୍ଷରେ କରୁଛନ୍ତି l ତେଣୁ ତାଙ୍କୁ ସ୍କୂଲର କଥା କହି ଲାଭ କଣ? କାଲି ରାତିରେ ମଣ୍ଟୁ ଗାଧୋଇବା ଘରେ ପଡି ମୁଣ୍ଡ ଫଟେଇ ଦେଇଥିଲା l ଡାକ୍ତର କହିଲେ ଆଘାତ ଯଦି ଟିକେ ଅଧିକ ହୋଇଥାନ୍ତା ତେବେ ମଣ୍ଟୁକୁ ବଞ୍ଚେଇବା ଅସମ୍ଭବ ହୋଇଥାନ୍ତା l ତେଣୁ ସେ ସ୍କୂଲ ଆସିଥିଲା ସତ ହେଲେ ଏତେ ବୁଲାଚଲା କରୁନଥିଲା l ଆଦି ବାଧ୍ୟ ହୋଇ ତା ସହ ଦିନସାରା ଥିଲା l କିଛି ଖେଳକୁଦ ହୋଇନାହିଁ ଦିନସାରା ଖାଲି ମୁଣ୍ଡର ପଟିରେ ଦେଖାଯାଉଥିବା ସେ ନାଲି ଦାଗକୁ ଲକ୍ଷ୍ୟ କରୁଥାଏ ଆଦି l ମଣ୍ଟୁ କହିଲା ସେ ଗାଧୋଇବା ଘରେ ପଡିଯାଇନାହିଁ ବରଂ ତା ଭାଇ ପିଣ୍ଟୁ ଜାଣିଜାଣି ତାକୁ ପକାଇବା ପାଇଁ ଗାଧୋଇବା ଘରେ ତେଲ ପକାଇଥିଲା l ସାମାନ୍ୟ ସାଇକେଲଟିଏ ପାଇଁ କିପରି ନିଜ ଭାଈ ଏପରି କରିପାରିଲା ଏକଥା ଆଦି ଭାବୁଥାଏ l ଜୋତା ଖୋଲୁଖୋଲୁ ଦେଖିଲା ଜେଜୀମା ନୂଆ ଚଷମା ପିନ୍ଧି ଟିଭି ଦେଖୁଛନ୍ତି l ଆଦି ମୁଣ୍ଡକୁ ରାଗ ଉଠିଗଲା l ଏଇ ଚଷମା ପାଇଁ କାଲି କେତେ ଫନ୍ଦିଫିକର କରିଥିଲା l ଆଜି ନିଶ୍ଚିତ ମା ବାପାଙ୍କୁ କହି ଜେଜେମାଙ୍କ ପାଇଁ ନୂଆ ଚଷମା କରିଆଣିଛି l ମା ଏମିତି କିପରି କରିପାରିବେ ! ସେ କଣ ନିଜ ଛୁଆ କଥା ବୁଝିପାରୁନାହାନ୍ତି ! ଏମିତି ଭାବୁଥିବା ସମୟରେ ମା କହିଲେ, “ଆଦି ଯା, ଗୋଡହାତ ଧୋଇଦେଇ ଆସିବୁ l ମୁଁ ତୋପାଇଁ ଖାଇବାକୁ ବାଢି ଦେଉଛି l “ ନିଜକୁ ପରାଜିତ ଭାବୁଥିବା ଆଦି ସବୁ ରାଗ ଅଭିମାନକୁ ମନ ଭିତରେ ରଖି ଗାଧୁଆଘରେ ଗୋଡହାତ ଧୋଇ ଆସିଲା l ମା ନିଜ ହାତରେ ଭାତ ଡାଲି ଗୋଳେଇ ଖୋଇ ଦେଉଥାନ୍ତି l ଖାଇସାରି ନିଜ ବହି ଥାକରୁ ବାପା ଦେଇଥିବା ଚକଲେଟକୁ ପକେଟରେ ପୁରାଉଥିବା ସମୟରେ ଜେଜୀମାଙ୍କର ଚିତ୍କାର ଶୁଭିଲା l “ମରିଗଲି ମରିଗଲି “l ମା ଦୌଡ଼ିଗଲେ ହେଲେ ଆଦି କିଛି ନ ଜାଣିଲାପରି ନିଜ ଖେଳଣା ଧରି ଖେଳୁଥାଏ l ଆଜି ଏ ଖେଳଣାକୁ ସେ ଜେଜେଙ୍କୁ ଦେଇଦେବ l ତେଣୁ ଶେଷଥର ପାଇଁ ଖେଳି ଦଉଛି l ସେପଟେ ମା ଯାଇ ଦେଖିଲେ ଜେଜେମା ପଡି ରଡି ଛାଡ଼ୁଛନ୍ତି l ମୋଟୀ ଜେଜେମାକୁ ମା ଅତି କଷ୍ଟରେ ଉଠାଇ ଚୌକି ଉପରେ ବସାଇ କହୁଥାନ୍ତି –“କଣ ହେଲା, କଣ ହେଲା “? ପଡ଼ିଗଲ କେମିତି? ସାଙ୍ଗେ ସାଙ୍ଗେ ଔଷଧ ଜେଜେମାଙ୍କର ଅଣ୍ଟାରେ ଘଷି ଦେଲେ l ଜେଜେମା କହିଲେ, “ଅନ୍ଧ ଭଳି କାମ କରୁଛ, ଗାଧୋଇବା ଘରେ ବୋତଲ ସାରା ତେଲ ପଡିଛି l ମୁଁ ଗୋଡ ଦେଉଦେଉ ଗୋଡ ଖସିଗଲା ଓ ମୁଁ ପଡ଼ିଗଲି l ଜିନିଷ ଠିକସେ ରଖିପାରୁନ,, ଖାଲି ନଷ୍ଟ କରିଚାଲିଛ l ଏଠି କଣ ଗୁପ୍ତଧନ ପୋତା ଅଛି, ଯେତେ ଖୋଲିଲେ ମିଳିବ ଆଉ ନଷ୍ଟ କରିଚାଳିବ l” ଗାଧୁଆଘରେ ତେଲ ପଡିଥିଲା l ଏବେ ତ ଆଦି ଗୋଡାତକ ଧୋଇବାକୁ ଯାଇଥିଲା l ଏହା ନିଶ୍ଚୟ ତା କାମ l ଏମିତି ଭାବୁଥିଲେ ମା ହେଲେ ଜେଜେମାର ମନକଥା ବୁଝିପାରି କହିଲେ – “ସେ ପିଲାଲୋକ l ତେଲ ବୋତଲ ଉଚ୍ଚା ଜାଗାରେ ନରଖି ତା ଦୋଷ ଦେଲେ କଣ ହେବ l” ଯାହାହେଉ ବଞ୍ଚିଗଲା, ନହେଲେ ତା ପିଠି ଫାଟିଥାନ୍ତା, ମନେମନେ ଆଦି ଖୁସି ହେଇଯାଇ ଲୁଚିକରି ବାରିପଟକୁ ଚାଲିଗଲା l ଦେଖିଲା ଜେଜେବାପା ଆଜି ଶୀଘ୍ର ଆସି ସେମାନେ ବସୁଥିବା ସେ ପିଣ୍ଡିରେ ବସିଛନ୍ତି l ହାତରେ କଣ ଗୋଟିଏ ଧରି ଦେଖୁଛନ୍ତି l ଆଦି ଧୀରେଧୀରେ ଯାଇ ଜେଜେଙ୍କ ଆଗରେ ଜୋରରେ ଆବାଜ କରି ଡ଼ରାଇଦେଲା l ଜେଜେ ଚମକି ପଡିଲେ l ହାତରେ ଧରିଥିବା ସେ ଜିନିଷଟାକୁ ଲୁଚାଇଦେଲେ l ଆଦି ଜାଣିପାରି ଜେଜେଙ୍କୁ ବାଧ୍ୟ କରିଦେଲା କଣ ଲୁଚାଇଛନ୍ତି ଦେଖାଇବାକୁ l ଆଦି ଦେଖି ନିଜ ଆଖିକୁ ଖୁସିର ଲୁହରେ ଓଦା କରିଦେଲା l ଜେଜେ ତା ପାଇଁ ଆଜି ତାର ଗେଲ୍ଲୀ ଭଉଣୀ ଆଦ୍ୟାର ଫୋଟୋ ଆଣିଛନ୍ତି l ଆଦ୍ୟା କଥା ଜେଜେ ଅନେକ କହିଛନ୍ତି ହେଲେ ପ୍ରଥମ ଥର ପାଇଁ ନିଜ କୁନି ଆଦ୍ୟାର ଫୋଟୋକୁ ଦେଖିବାକୁ ପାଇଲା l ଆଦି ଜେଜେଙ୍କୁ କୁଣ୍ଢେଇ ପକାଇଲା l କୋଳରେ ଶୋଇପଡି ଦିନସାରାର ଘଟଣାର ବିବରଣୀ ପାଠ କଲା l ଜେଜୀମାଙ୍କ ଚଷମା ପୁଣି ଠିକ ହୋଇଯାଇଛି ତେଣୁ ସେମାନେ ସବୁଦିନ ଦେଖାକରିବା ସମ୍ଭବ ନୁହେଁ l ଧରାପଡିଗଲେ ଜେଜୀମା ତାକୁ ମଧ୍ୟ ଘରୁ ବାହାର କରିଦେବେ l ପକେଟରେ ରଖିଥିବା ସେ ଚକଲେଟଟାକୁ ଜେଜେଙ୍କ ହାତକୁ ବଢ଼ାଇ ଦେଲା l ଜେଜେଙ୍କ ହାତରୁ ସେ ଫୋଟୋଟାକୁ ଆଣି ପିଣ୍ଡି ତଳେ ଗୋଟିଏ ଗାତ ଖୋଳି ପୋତିଦେଲା l କାରଣ ସେ ଏକଥା ଜାଣିଛି ଫୋଟଟାକୁ ଘରକୁ ନେଲେ କଣ ହେବ l ଘର ଭିତରୁ ଜେଜୀମା ତାକୁ ଡାକ ଛାଡିଲେ l ଆଦି ଫୋଟଟି ପୋତୁପୋତୁ ଚମକି ପଡିଲା l ଦେଖିଲା, ଜେଜେମାଙ୍କ ଡାକ ଶୁଣି ଜେଜେ ଡରି ପାଚେରୀ ଡେଇଁ ପଳାଇଗଲେ l ଆଦି ସେହିପରି ଧୁଳିଧୁସର ହେଇ ଘରକୁ ପଶିଗଲା l ଜେଜେମା ଯେତେ ଗାଳି ଦେଲେ ମଧ୍ୟ ସେ କିଛି ଶୁଣୁ ନ ଥାଏ କାରଣ ତାକୁ ଆଜି ତା ଭଉଣୀର ଫଟୋ ଦେଖିବାକୁ ମିଳିଛି l 

         ରାତିରେ ଖାଇସାରି ଯେତେବେଳେ ବାପା ଶୋଇବାକୁ ଆସିଛନ୍ତି ଆଦି ଚୁପିଚୁପି ଜେଜେଙ୍କ କଥା ଓ ସେ ଫଟୋ କଥା ବାପାଙ୍କୁ କହିଛି l ବାପା ତା ପାଟି ବନ୍ଦ କରିଦେଇଛନ୍ତି l ଆଦି ଜାଣିପାରିଛି ବାପା କାହିଁକି ତା ପାଟି ବନ୍ଦ କଲେ l ବାପା ଚାହୁଁନାହାନ୍ତି ମା କିମ୍ବା ଜେଜେମା ଆଦ୍ୟା କଥା ଜାଣନ୍ତୁ l ସେଦିନ କଥା ଆଦିର ମନେଅଛି l କଥାଟା ପାଖାପାଖି ବର୍ଷେ ତଳର l ରାକ୍ଷୀ ପୁର୍ଣିମା ପାଇଁ ସ୍କୂଲ ଛୁଟି ହେଇଥାଏ l ଆଦି ମୁହଁ ଫୁଲେଇ ଘରକୁ ଆସିଥିଲା l ରାକ୍ଷୀ ପୁର୍ଣିମା ଛୁଟି ନହେଲେ କଣ ହୁଅନ୍ତା ନାହିଁ l ମଣ୍ଟୁ ବି ଏଇ କଥା କହେ l ଯେଉଁମାନଙ୍କ ଭଉଣୀ ନାହିଁ ସେମାନଙ୍କ ପାଇଁ ରାକ୍ଷୀ ପୁର୍ଣିମା କଣ ଦରକାର l ମା ଆଦିର ମୁହଁ ଦେଖି ପଚାରିଲେ ଓ ନିଜ ପିଲାର କଥା ବୁଝିଗଲେ l ଶେଷରେ ଆଦିର କୁନିକୁନି ହାତକୁ ନେଇ ନିଜ ପେଟରେ ଲଗାଇ କହିଲେ ଏହାରି ଭିତରେ ତୋ କୁନି ଭଉଣୀ ଅଛି l ଏ ବର୍ଷ ନହେଲା ନାହିଁ ଆର ବର୍ଷ ତୋ ହାତରେ ରାକ୍ଷୀ ବନ୍ଧାଯିବ l ଆଦି ଏ ପଦକ ଶୁଣି ଖୁବ ଖୁସି ହୋଇଥିଲା l ମା’ ର ପେଟକୁ ସବୁଦିନ ରାତିରେ ଶୋଇବାବେଳେ ଆଁଉସେ l ଗେଲ୍ହା କରେ l ଗପ କହେ l ସ୍କୂଲର ସବୁକଥା କହେ l ହେଲେ ଜେଜୀ ଯେତେବେଳେ ଜାଣିଲେ ମା ପେଟରେ ଆଦ୍ୟା ଅଛି ବୋଲି ରାଗରାଗ ହୁଅନ୍ତି l ମା ସହ ଝଗଡା କରନ୍ତି l ମା’ଙ୍କୁ ସଫାସଫା କହିଛନ୍ତି ଏ ଘରକୁ ଝିଅ ଦରକାର ନାହିଁ l ସବୁଥର ପରି ବାପା ନିରୁତ୍ତର ରୁହନ୍ତି l ସେଦିନ ରାତିରେ ମା କାନ୍ଦିକାନ୍ଦି ବାପାଙ୍କ ସହ ଡାକ୍ତରଖାନା ଯାଇଥିଲେ l ଯେବେ ଘରକୁ ଫେରିଲେ ଆଦ୍ୟା କାହିଁ ବୋଲି ପଚାରିବାରୁ ବାପା ନିଜ ପୁଅ କାନରେ କହିଲେ ସେ ଆଦ୍ୟାକୁ ଜେଜେଙ୍କ ପାଖରେ ଛାଡି ଆସିଛନ୍ତି l ଜେଜୀ ଚାହାନ୍ତି ନାହିଁ ଏ ଘରକୁ ଝିଅ ଆସୁ l ସେଥିପାଇଁ ସେ ଜେଜେଙ୍କୁ ଲୁଚେଇ ଦେଇଦେଲେ l ହେଲେ ଏ କଥା ଯେପରି କାହାକୁ ଏପରିକି ମା’କୁ ବି ନକହିବାକୁ ତାଗିଦ କରିଥିଲେ l ସେ କଥା ମନେପକେଇ ଆଦି ଚୁପ ରହିଲା l ବାପାଙ୍କ ଛାତିରେ ମୁଣ୍ଡ ରଖି ଶୋଇପଡ଼ିଲା l

        ଅଧରାତିରେ ଆଦିର ନିଦ ଭାଙ୍ଗିଗଲା l ପ୍ରବଳ ଘଡଘଡି ସହ ବର୍ଷା l ଆରେ ସେ ଆଦ୍ୟାର ଯେଉଁ ଫଟୋଟା ମାଟିତଳେ ପୋତିଥିଲା ବର୍ଷା ପାଣିରେ ନଷ୍ଟ ହେଇଯିବ l କଣ କରିବ ଭାବୁଭାବୁ ବିଛଣାରୁ ଉଠି ବାଡ଼ି କବାଟ ଖୋଲି ଦୌଡ଼ିଗଲା ସେ ଜାଗାକୁ l ନିଜ କୁନିକୁନି ହାତରେ ବର୍ଷାପାଣିକୁ ଅଟକାଇବାକୁ ଚେଷ୍ଟା କରୁଥାଏ l 

  ଏହାରି ଭିତରେ ସକାଳ ହେଇଯାଇଥାଏ l ବର୍ଷା ବି ଛାଡି ଯାଇଥାଏ l ମା ବିଛଣାରୁ ଉଠି ଆଦିକୁ ନପାଇ ଚାରିଆଡେ ଖୋଜିଲେ l ଆଦିକୁ ନ ପାଇବାରୁ ଜେଜେମା ଓ ବାପାଙ୍କୁ ଡାକି ଉଠାଇଲେ l ବାରିକବାଟ ଖୋଲା ଥିବାର ଦେଖି ସମସ୍ତେ ବାରିପଟକୁ ଗଲେ l ସେଠାରେ ଆଦି ବର୍ଷା ପାଣିରେ ଭିଜି ପିଣ୍ଡି ପାଖରେ ଶୋଇପଡିଛି l ଶୀତରେ ଥରୁଛି l ମା ଦୌଡି ଯାଇ ଆଦିକୁ ଉଠେଇ କୋଳକୁ ନେଲେ l ଦେହରେ ଖଇ ଫୁଟୁଥାଏ l ଚେତା ନାହିଁ l ଆଦିକୁ ଉଠାଇ ଘର ଭିତରକୁ ନେଇଗଲେ l ଡାକ୍ତରଙ୍କୁ ଡକାଗଲା l ଡାକ୍ତର ଇଞ୍ଜେକ୍ସନ ଓ ଔଷଧ ଦେଲେ l ସମସ୍ତେ ଭାବୁଥାନ୍ତି ଆଦି କାହିଁକି ବର୍ଷାରେ ସେଠାକୁ ଗଲା l ଆଦିର ହୋସ ଆସିଲା l ସେ ସେଠାକୁ କାହିଁକି ଯାଇଥିଲା ପ୍ରଥମେ କହିବାକୁ ରାଜି ନ ଥିଲା ହେଲେ ବାପା ବୁଝେଇବାରୁ କହିଲା l ତା କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ l ସବୁଠାରୁ ବେଶୀ ଆଶ୍ଚର୍ଯ୍ୟ ବାପା l ସମସ୍ତେ ଗମ୍ଭୀର ହୋଇପଡିଛନ୍ତି l କିଛି ଦିନ ପରେ ଆଦି ଦେହ ଭଲ ହେଲା l ସେ ପୂର୍ବପରି ଜେଜେଙ୍କ କଥା ଆଦ୍ୟା କଥା ଲୁଚେଇ ନ ରଖି ସମସ୍ତଙ୍କୁ ଖୋଲି କହିବାକୁ ଲାଗିଲା l ଜେଜେମା ବାଡ଼ିପଟ କବାଟରେ ତାଲା ପକେଇ ଦେଇଛନ୍ତି l ତେଣୁ ସେ ସେଠାକୁ ଯାଇ ପାରୁନାହିଁ l ତେଣୁ ଛାତ ଉପରକୁ ଯାଇ ସେ ବାଡ଼ିପଟ ପାଚେରୀ ଆଡକୁ ଅନାଇ ରହୁଥାଏ l ହେଲେ ଜେଜେ ବୋଧହୁଏ ସବୁ ଜାଣି ସାରିଛନ୍ତି, ତେଣୁ ଆଉ ଆସୁନାହାନ୍ତି l କିନ୍ତୁ ସେ ଠିକ ଜାଣିଛି ଜେଜେ ଏଇ ରାକ୍ଷୀ ପୁର୍ଣିମାରେ ଆଦ୍ୟାକୁ ନେଇ ଆସିବେ l ସେଦିନ ବାପା-ମା ଆଦିକୁ ନେଇ ଡାକ୍ତରଙ୍କ ପାଖକୁ ଯାଇଛନ୍ତି l ବାପା ଡାକ୍ତରଙ୍କୁ କହିଲେ – “ବର୍ଷେ ହେଲା ବାପା ମରିସାରିଛନ୍ତି l ଆଦି ସବୁଦିନେ କାନ୍ଦିବାରୁ ମୁଁ ତାକୁ କହିଥିଲି ଜେଜେଙ୍କୁ ଜେଜେମା ଘରୁ ବାହାର କରିଦେଇଛନ୍ତି l ସେ ଅଲଗା ରହୁଛନ୍ତି l ତତେ ଦେଖା କରିବାକୁ ଆସିବେ l ସେହିପରି ଆମର ଝିଅଟିଏ ହେବାର ଥିଲା, ହେଲେ ଆମେ ତାକୁ ନଷ୍ଟ କରିଦେଇଥିଲୁ l ଆଦି ପଚାରିବାରୁ ତାକୁ କହିଥିଲି ସେ ବି ଜେଜୀମା ଡ଼ରରେ ଜେଜେଙ୍କ ପାଖରେ ଅଛି l ବଡ ହେଲେ ଆସିବ l ହେଲେ ସେ କିଛିଦିନ ହେଲା ନିଜ ବ୍ୟବହାର ବଦଳେଇ ଦେଇଛି l ଜେଜେ ଓ ଆଦ୍ୟାଙ୍କ ବିଷୟ କହୁଛି l ସେ ଯେଉଁ ଫଟୋ କଥା କହୁଥିଲା ଆମେ ଖୋଳି ଦେଖିଲୁ, ସେଟା ଖାଲି କାଗଜଟିଏ l ଆମକୁ ଡର ଲାଗୁଛି l ଆମ ପୁଅର କଣ ହେଇଛି? “ ଡାକ୍ତର ପରୀକ୍ଷା ନିରୀକ୍ଷା କରି କହିଲେ –“ହଁ, ଆଦିର ଏସବୁ hallucination ବା କାଳ୍ପନିକ ଚରିତ୍ର l ଯଦି ଏହା ଭଲ ନ ହୁଏ ତେବେ ଭବିଷ୍ୟତରେ ଆଦି ପାଗଳ ବି ହେଇପାରେ l ତେଣୁ ମୁଁ ତାକୁ ଔଷଧ ଲେଖିଦେଉଛି ଦେବ l ତା ସହ ତାର ଉପଯୁକ୍ତ ଯତ୍ନ ନେବ, ତାକୁ ବୁଝିବାକୁ ଚେଷ୍ଟା କରିବ “l 

      ଆଦିକୁ ନେଇ ସମସ୍ତେ ଘରକୁ ଆସିଲେ l ତାର ଯତ୍ନ ନେଲେ l ଔଷଧ ଖାଇ ଆଦି ଶୋଇପଡ଼େ l ଯେବେ ନିଦ ଭାଙ୍ଗେ ସମସ୍ତଙ୍କୁ ଜେଜେ ଓ ଆଦ୍ୟା କଥା ପଚାରେ l ରାକ୍ଷୀ ପୂର୍ଣିମା କେବେ ହେବ ପଚାରେ l ସମସ୍ତେ ଆଖିରେ ଲୁହଭରି ତାର ଏପରି ପ୍ରଶ୍ନର ଉତ୍ତର ଦେବକୁ ସମସ୍ତେ ଅସମର୍ଥ ହୋଇପଡନ୍ତି l ସେଦିନ ଟିଭି ଦେଖୁଦେଖୁ ଜାଣିଲା କାଲି ରାକ୍ଷୀ ପୂର୍ଣ୍ଣିମା ହବ l ଆଦି ନାଚି ଉଠିଲା l ଘରସାରା ଦୌଡ଼କୁଦ କଲା l ସବୁ ଖେଳଣା ଓ ଚକଲେଟକୁ ନିଜ ବ୍ୟାଗରେ ପୁରାଇଲା l ସମସ୍ତେ ତାକୁ ଦେଖୁଥାନ୍ତି କିନ୍ତୁ କିଛି କହିପାରୁନଥାନ୍ତି l ରାତିସାରା ଶୋଇପାରି ନାହାନ୍ତି କେହି l କିଏ ଖୁସିରେ ତ କିଏ ଦୁଃଖରେ l 

       ସେଦିନର ସେ ଅପେକ୍ଷିତ ଦିନ ଆସିଲା l ଆଜି ରାକ୍ଷୀ ପୂର୍ଣିମା l ଜେଜେ ସହ ଆଦ୍ୟା ଆସିବ l ଜେଜୀମା ସକାଳୁ ସକାଳୁ ବାହାରି ଯାଇଛନ୍ତି l ଘରେ ଖାଲି ବାପା -ମା ଅଛନ୍ତି l ସେ ଆଜି ବାପା -ମା’ଙ୍କୁ ଜେଜେ ଓ ଆଦ୍ୟା ସହ ଦେଖା କରେଇଦେବ l ସେମାନଙ୍କୁ ଘର ଭିତରକୁ ଆଣିବ l ଆଦ୍ୟାକୁ ସବୁଦିନ ନିଜ ପାଖରେ ରଖିବ l ଅନେକ କାନ୍ଦିବୋବେଇ ନିଜ ବାପା-ମା’ଙ୍କୁ ରାଜି କରେଇଛି ବାଡ଼ିପଟ କବାଟ ଖୋଲିବାକୁ l ସମସ୍ତଙ୍କୁ ସେହି ପିଣ୍ଡି ପାଖକୁ ନେଇ ଠିଆ କରେଇଛି l ବାପା ଜାଣିଛନ୍ତି ଏ ପିଣ୍ଡି ନୁହେଁ ବରଂ ବାପାଙ୍କ ସମାଧି l ଆଦି ଯେତେବେଳେ କାନ୍ଦେ ସେ ହିଁ ସେ ସମାଧି ଦେଖାଇ କୁହନ୍ତି, “ସେଠି ଜେଜେ ଅଛନ୍ତି” l ତାଙ୍କର ସେ ମିଛ ଆଜି ତାଙ୍କର ସର୍ବନାଶ କରିବାକୁ ବସିଛି l ସେମାନେ ଜେଜେ ଓ ଆଦ୍ୟାକୁ ଅନେକ ସମୟ ହେଲା ସେଠାରେ ଅପେକ୍ଷା କରିଛନ୍ତି l ମା ବାପାଙ୍କ ପାଖରେ କିଛି କଥା ନାହିଁ ଯାହାକୁ କହି ଆଦିକୁ ବୁଝେଇଦେବେ l ଆଦି ମନେମନେ ଡ଼ରୁଥାଏ କାଳେ ଜେଜେମା ଘରକୁ ଫେରିଆସିବେ l ସବୁ ଯୋଜନା ନଷ୍ଟ ହୋଇଯିବ l ଏହାରି ଭିତରେ ଜେଜେମା ସେଠାରେ ପହଞ୍ଚିଗଲେ l କୋଳରେ ଗୋଟିଏ କୁନି ଝିଅ l ଜେଜେମା କୁ ଦେଖି ସମସ୍ତେ ଚମକି ଗଲେ l ଜେଜେମା ନିଜ କୋଳରୁ ସେ କୁନି ଛୁଆଟିକୁ ମା କୋଳକୁ ଦେଇ କହିଲେ, “ ନେ ତୋ ଆଦିର ଭଉଣୀ ଆଦ୍ୟାକୁ”l ଆଦି ଜେଜେମାଙ୍କ କଥା କିଛି ବୁଝିପାରିଲା ନାହିଁ l ହଠାତ ଏତେ ଭଲ କେମିତି ହେଲେ! ସେ ଆଦ୍ୟାକୁ ପାଇଲେ କେଉଁଠୁ? ଜେଜେମା ଆଣ୍ଠେଇ ପଡି ଆଦିକୁ କହିଲେ, ସକାଳୁ ସକାଳୁ ତୋ ଜେଜେ ମତେ ଫୋନ କରି ଡକାଇଲେ l ମୁଁ ତାଙ୍କୁ ଭୁଲ ମାଗିଲି l ତାଙ୍କର କାମଥିବାରୁ ସେ ଏଠାକୁ ଆସିପାରିବେ ନାହିଁ ବୋଲି କହିଲେ l ମୋ ହାତରେ ଏ ଆଦ୍ୟାକୁ ଦେଲେ ଓ ଏ ରାକ୍ଷୀ ଦେଲେ ଆଉ କହିଲେ, “ଆମ ଆଦିକୁ ଏ ଆଦ୍ୟା ଦରକାର” ଆଦି ରାକ୍ଷୀଟାକୁ ହାତରେ ଧରି ଆଦ୍ୟାକୁ ଦେଖିଲା l ସତ ତ ଏହାର ମୁହଁ ଫଟୋର ମୁହଁ ସହ ପୁରାପୁରି ସମାନ l ସତରେ ଏ ହେଉଛି ତାର ଆଦ୍ୟା l ସେ ଧରିଥିବା ରାକ୍ଷୀଟାକୁ ଆଦ୍ୟା ହାତରେ ବାନ୍ଧିଦେଲା l କହିଲା –“ବଡ ହେଲେ ତୁ ମତେ ବାନ୍ଧି ଦେବୁ l” ତାକୁ ଚକଲେଟ ଦେଲା, କଣ୍ଢେଇ ଦେଲା l ମା -ବାପା ସ୍ଥାଣୁ ପାଲଟି ଯାଇଥାନ୍ତି l ମା’ଙ୍କ ଆଖିରୁ ଲୁହ ଝରୁଥାଏ l ଜେଜେମା ବାପାଙ୍କୁ କହିଲେ –“ଯା, ସେ ଅନାଥ ଆଶ୍ରମର ଗାଡ଼ିଟା ଗେଟରେ ରହିଛି l ମୁଁ ଵ୍ୟସ୍ତରେ ଟଙ୍କା ଦେଇପାରିଲି ନାହିଁ l ତୁ ଦେଇଦେବୁ” l



Rate this content
Log in

Similar oriya story from Classics