Nihar Ranjan samal

Tragedy

4.9  

Nihar Ranjan samal

Tragedy

ରିକ୍ସାବାଲା

ରିକ୍ସାବାଲା

19 mins
380


ଏହାରି ଭିତରେ ତେତିଶି ବର୍ଷ ହେଇଗଲାଣି l କାଲିପରି ଲାଗୁଛି l ନୂଆ କରି ଚାକିରୀ କରିବାକୁ ଆସିଥାଏ l ଏ ନୂଆ ସହରକୁ l କେହି ଚିହ୍ନା କି ଜଣା ନଥିଲେ lଝିଅଟିଏ ବୋଲି ଘରେ ଛାଡୁନଥିଲେ l ମା ର ରୋକ ଠୋକ ମନା l କାନ୍ଦି ବୋବେଇ ଆସି ପହଂଚିଲି ଏଠି l ବସରୁ ଓହ୍ଲେଇ ପ୍ରଥମ ଥର ପାଇଁ ଏ ସହରର ଭାଷା ଶୁଣିଲି l “ରିକ୍ସା, ରିକ୍ସା”  କିଛି ସମୟ ରେଟ କଟାକଟି ପରେ ସେହି ରିକ୍ସା ରେ ବସିପଡ଼ିଲି ଯେ ଆଜି ପଯ୍ୟନ୍ତ ବସିଛି l କହିବାକୁ ଗଲେ ସେହିଦିନରୁ ସେହି ରିକ୍ସା ମୋ କର୍ମମୟ ଜୀବନରେ ଏକ ଅଙ୍ଗ ପାଲଟି ଗଲା l  ଆଉ ସେ ରିକ୍ସା ଚାଳକ ମଧ୍ୟ ଏକ ଭିନ୍ନ ସମ୍ପର୍କରେ ବନ୍ଧା ହୋଇ ଗଲା l ଚାକିରୀ ଜୀବନରେ ମୋର ଅନେକ ସ୍ଥାନ ବଦଳିହେଇଛି ହେଲେ ନା ସେ ରିକ୍ସା ନା ସେ ରିକ୍ସାଵାଲା ବଦଳି ହେଇଛି l ମୋ ସ୍ୱାମୀଙ୍କ ଛଡା ମୋ ଉପରେ ମୋ ବିଳମ୍ବ ପାଇଁ କିଏ ଜଦି ରାଗେ ସେ ହେଉଛି ଏ ରିକ୍ସାଵାଲା l କୁହା ହୋଇଥିବା ସମୟ ପୂର୍ବରୁ ଆସି ପହଞ୍ଚିଯାଏ l ଠିକ ସେହିପରି ଛୁଟି ପୂର୍ବରୁ ଅଫିସ ଦ୍ଵାରରେ ପହଞ୍ଚିଯାଏ l ଆଲାର୍ମ ହୁଏତ ଠକିଦେଇପାରେ ହେଲେ ସେ କେବେ ଠକେନି l ସେ ରିକ୍ସାଵାଲା ମୋ ପାଇଁ ଖବର କାଗଜ ବି ଥିଲା l କାରଣ ଏ ସହରରେ କଣ କଣ ଘଟିଛି ଓ ଘଟିବାକୁଯିବା ସବୁର ବିବରଣୀ ନିର୍ଭୁଲ ଭାବରେ କହି କହି ରିକ୍ସା ଗଡା଼ଏ l କହିବାକୁଗଲେ ସେ ମୋ ଭାଇ ନଥିଲା, କି ବାପା ନଥିଲା l ପ୍ରେମିକ ନଥିଲାକି ଯୌବନର ଦୁର୍ବଳତା ନଥିଲା l ହେଲେ ସେ ଯେଉଁ ବନ୍ଧନରେ ମୋ ସହ ବନ୍ଧା ତାକୁ କିଛିବି ନାଁ ଦେଇ ହେବ ନାହିଁ l ବାସ ଏତିକି କହିପାରବି ସେ ମୋ କର୍ମମୟ ଜୀବନର ସାରଥୀ l


               ଆଜି କିନ୍ତୁ ଏତେ ବର୍ଷ ପରେ ପ୍ରଥମ ଥର ପାଇଁ ତାର ଅନୁପସ୍ଥିତକୁ ଅନୁଭବ କଲି l ଚାକିରୀ ଜୀବନର ପ୍ରଥମ ଦିନରୁ ନେଇ କାଲି ପଯ୍ୟନ୍ତ ତାକୁ ସାରଥୀ କରିଥିଲି ହେଲେ ଆଜି ମୋ ଚାକିରୀ ଜୀବନର ଶେଷ ଦିନରେ ତାକୁ ଓ ତା ରିକ୍ସାକୁ ଆଡେଇଦେବା ଠିକ ହେଲାନି l ହେଲେ ପରିସ୍ଥିତି ମତେ ବାଧ୍ୟ କଲା l ଚାକିରୀର ଶେଷ ଦିନରେ ମୋ ସହକର୍ମୀ ମାନେ ବାଧ୍ୟ କଲେ କି ସେମାନେ ପଠାଇଥିବା ଗାଡ଼ିରେ ଆସିବାକୁ l ମୁଁ ସେମାନଙ୍କ କଥାରେ ସଂମତି ଦେଇ ବୋଧେ ଟିକେ ଭୁଲ କରିଦେଲି l ସେମାନେ ପଠେଇଥିବା ଗାଡ଼ିରେ ତ ଗଲି, ରାସ୍ତା ତ ଚିହ୍ନା ଥିଲା, ସମୟ ବି ସମାନ ଥିଲା ହେଲେ କାହଁକି କେଜାଣି ଏତେ ଗହଳି ଭିତରେ ବି ମୁଁ ଏକା ଏକା ଅନୁଭବ କରୁଥିଲି l ମନେ ମନେ ଭାବୁଥିଲି ସେ ଦେଖା ହେଇଯାନ୍ତା କି l ସାଙ୍ଗେ ସାଙ୍ଗେ ଏ ଗାଡ଼ିରୁ ଯାଇ ତା ରିକ୍ସାରେ ବସି କହନ୍ତି ଚାଲ ସାରଥୀ ଚାଲ l ହୁଏତ ସେ ଟିକେ ରାଗିଯିବ, ମୁହଁ ଫୁଲାଇ କଥା ହେବନି, ହେଲେ ରାସ୍ତାରେ କିଛିବି ଦେଖିଦେଲେ ବି.ବି.ସି ଚାଲୁ କରିଦେବ l 

 

              ଏ ରିକ୍ସାଵାଲା ତ ମତେ ଓ ସରୋଜ କୁ ମିଳେଇ ଥିଲା l ଗୋଟିଏ ଛୋଟ କାଟିଆ ଦୁର୍ଘଟଣା ସରୋଜ ଗାଡି ସହ ଆମ ରିକ୍ସାର l ସେଦିନ ରିକ୍ସାଵାଲା ମୋ ମୁଖିଆ ସାଜି ସରୋଜକୁ ଅନେକ କଥା କହି ଥିଲା l ସେଦିନ ସେ ଜଣେ ପୁରୁଷ ହୋଇମଧ୍ୟ ଏକ ଅବଳା ନାରୀ ଦେଖିଲେ କାମୁକ ପୁରୁଷର ଚରିତ୍ରକୁ ଖୁବ ସୁନ୍ଦର ଭାବରେ ବ୍ୟଙ୍ଗ କରିଥିଲା l ହେଲେ ଯେତେବେଳେ ସେ ଜାଣିଲା ସରୋଜ ସେ ଶ୍ରେଣୀୟ ନୁହନ୍ତି ସେତେବେଳେ ନିଜ ରୁଦ୍ର ରୂପ କୁ ପରିହାର କରି ଏକ ଶାନ୍ତମୟ ରୂପ ଧାରଣକରି ଘଟଣାର ଯବନିକା ପକାଇ ଥିଲେ l ଏ ଘଟଣା ପରେ ମୋର ଦୁଇଟି ଲାଭ ହେଲା l ପ୍ରଥମରେ ମୁଁ ଏ ଅଜଣା ସହରରେ ରିକ୍ସାଵାଲା ପରି ଅଭିଭାବକ ପାଇ ନିଜକୁ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ମଣିଲି l ଦ୍ଵିତୀୟରେ ସରୋଜ ପରି ବନ୍ଧୁ ପାଇଲି l ସରୋଜ ସହ ମୁଁ କେତେ ସିନେମା ଦେଖିବାକୁ ଯାଇଛି l ପାର୍କ ଯାଇଛି l ହୋଟେଲ ଯାଇଛି l କେତେ ଜାଗା ଯାଇଛି, ହେଲେ କେବେବି ମୁଁ ଏକା ଏକା ଯାଇନି l ସବୁବେଳେ ସବୁଆଡେ ମୁଁ ମୋ ଅଘୋଷିତ ଅଭିଭାବକ ସହ ଥାଏ l ବେଳେ ବେଳେ ସରୋଜ ମତେ ବ୍ୟଙ୍ଗ କରି କଥା କୁହନ୍ତି l ହେଲା ସେ ରିକ୍ସାଵାଲାକୁ ମୁଁ ଟିକେ ଅଧିକ ବିଶ୍ୱାସ କରେ l ଏକ ରକ୍ଷଣଶୀଳ ପରିବାର ଝିଅ କେବେବି ନିଜର ପ୍ରେମକୁ ପରିବାର ଲୋକ ଆଗରେ ଉପସ୍ଥାପନା କରିପାରେ ନାହିଁ l ସେତେବେଳେ ବି ଏ ରିକ୍ସାଵାଲା ମୋର ମନର ବୋଝ ହାଲୁକା କରିଥିଲା l ସେ ମୋ ପାଖକୁ ବୁଲି ଆସିଥିବା ବାପାଙ୍କ ଆଗରେ ସରୋଜ ନାମକୁ ଏମିତି ପ୍ରକାଶ କଲା ଯେପରିକି ଏ ବିଶ୍ୱରେ ସେ ହିଁ କେବଳ ମାତ୍ର ପୁରୁଷ ଯେ ମୋପାଇଁ ଜନ୍ମ ନେଇଛନ୍ତି l ତା କଥାରେ ବାପା ଏତେ ଖୁସି ହୋଇଗଲେ ଯେ ମୋ ସହ ସରୋଜଙ୍କ ବାହାଘର କରିଦେଲେ l ସେଦିନର ସେ ଛୋଟିଆ ଦୁର୍ଘଟଣାଟି ଆମ ତିନିଜଣଙ୍କୁ ଅଦେଖା ବନ୍ଧନରେ ବାନ୍ଧିଦେଲା l ବୟସର ତାରତମ୍ୟ ଥିବା ସତ୍ୱେ ସେ ମୋର ଘନିଷ୍ଠ ବନ୍ଧୁ ପାଲଟି ଯାଇଥିଲା l କିନ୍ତୁ ଆଜି ମୁଁ ଠିକ କରିନାହିଁ l ମନେ ମନେ ଭୁଲ ମାଗିନେବା ଛାଡ ମୋ ପାଖରେ କିଛି ଉପାୟ ନାହିଁ l କାହଁକି କେଜାଣି ଆଜି ଦୁର୍ଭାଗ୍ୟକୁ ରାସ୍ତାରେ ଅନ୍ୟ ରିକ୍ସାଵାଲାଙ୍କୁ ବି ଦେଖି ପାରୁନାହିଁ lଯାହାଙ୍କୁ ମୁଁ ସେ ରିକ୍ସାଵାଲା କଥା ପଚାରି ପାରିବି l 


               ଦେଖିବାକୁଗଲେ ମୁଁ ଆଜି କେବଳ ଚାକିରୀରୁ ବିଦାୟ ନେଉନାହିଁ ତାହା ସହ ଆଜିବି ମୁଁ ସେ ରିକ୍ସା ଵାଲା ସେବାରୁ ବି ବିଦାୟ ନେଉଛି l କାରଣ ମତେ ଅନେକଥର କହିଛି କି ତା ପୁଅ ମୁକେଶ ପୋଲିସ ଚାକିରୀ ପାଇବା ପରେ ତାହା ସହ ଅନେକ ଥର ଲାଗୁଚି ଏ କାମଧନ୍ଦା ଛାଡି ଘରେ ରହୁ ବୋଲି l ମୁକେଶ ଖୁବ ଭଲ l ସେ ମୋ ଛାତ୍ର l ଛୁଟିଦିନସାରା ମୋ ପାଖରେ ଥାଏ, ପାଠପଢେ, ଛୋଟ ମୋଟ ବୋଲ କରିଦିଏ l ମୋ ପୁଅ ଝିଅ କୁ ସାନ ଭାଇଭଉଣୀ ପରି ଭାବେ l ବାପାର କଷ୍ଟ ସେ ଦେଖିଛି l ଦିନ ନାହିଁ ରାତି ନାହିଁ, ବର୍ଷା ନାହିଁ ଶୀତ ନାହିଁ ବଳଦ ପରି ରିକ୍ସା ଟାଣେ l ଆଜି ଜଦି ତା ପୁଅ ତାକୁ ସେଥିରୁ ମୁକ୍ତି ଦେବାକୁ ଚାହଁଉଛି ସେତେବେଳେ ମୁଁ କିଏ l କେତେ ଥର ମୁଁ ବି ତା ପୁଅ କଥାକୁ ସମର୍ଥନ କରି ତାକୁ ଏ ହାଡ ଭଙ୍ଗା କାମରୁ ବିଶ୍ରାମ ନେବାକୁ କୁହେ l ହେଲେ ସେ ବଳଦିଆ ମଣିଷ ଟା ମୋ କଥାକୁ ଶୁଣେ ନାହିଁ l କହେ “ ଏ ରିକ୍ସାରୁ ତମ ଚାକିରୀ ଆରମ୍ଭ କରାଇଥିଲି ଆଉ ଏ ରିକ୍ସାରୁ ହିଁ ତମ ଚାକିରୀ ଶେଷ କରି ମୁଁ ଆରାମ କରିବି” l ହେଲେ ମୁଁ ସେ ଲୋକଟାର କଥା ରଖିପାରିଲି ନାହିଁ l ଆଜି ପ୍ରଥମ ଥର ନିଜ ଉପରେ ଘୃଣା ଆସୁଛି l ସେ ମୂର୍ଖ ରିକ୍ସାଵାଲା ଟା ଫୋନ ବି ଧରେନାହିଁ l ନହେଲେ ଫୋନରେ କ୍ଷମା ମାଗି ନେଇ ଥାନ୍ତି ଅଥବା ସାଙ୍ଗେ ସାଙ୍ଗେ ଡକେଇଥାନ୍ତି l ଆଜି ମୋ ଉପରେ ଯେତେ ରାଗ ଲାଗୁଚି ସେ ରିକ୍ସାଵାଲା ଉପରେ ସେତେ ରାଗ ଲାଗୁଛି l କାହିଁକି ସେ ମତେ ତାଗିଦ କରି ପାରିଲାନାହିଁ କାହା ସହ ଚାକିରୀର ଶେଷ ଦିନ ଆସିବା ଦରକାର ନାହିଁ, ମୁଁ ସବୁଦିନ ଯେମିତି ଆଣେ ଆଜିବି ବି ସେମିତି ଆଣିବି l 

             ତାଗିଦ !ସେ କଣ ମତେ ଆଗରୁ ତାଗିଦ କରି ନଥିଲା କି, ଆଜି ତାଗିଦ କରି ଦେଇଥିଲେ ମୁଁ ଖରାପ ଭାବିଥାନ୍ତି l ମୋର ଠିକ ମନେ ଅଛି, ମୋ ପୁଅ ପିଲା ଜନ୍ମ ସମୟରେ ସେ କେତେ ତାଗିଦ କରୁଥିଲା l ଏଟା କର ନା, ସେଟା କର ନା, ୟାକୁ ଖାଇବାକୁ ପଡିବ, କେତେ ସମୟ ଶୋଇବାକୁ ପଡିବ, ସବୁ ତ ସେ ତାଗିଦ କରୁଥିଲା l ମୋ ସ୍ୱାମୀ ମତେ ଯାହା ତାଗିଦ କରିନାହାନ୍ତି ସେ ମତେ ବେଶୀ ତାଗିଦ କରିଥିଲା l ଶେଷରେ ନିଜ ସ୍ତ୍ରୀ କୁ ମୋ ଘରେ ଛାଡିଦେଇ ଗଲା l ମୋର ଭଲମନ୍ଦ ବୁଝିବାକୁ l ସେଦିନର କଥା ମୋର ଏବେବି ମନେଅଛି, ବାଧ୍ୟ ବାଧ୍ୟତା ରେ ସରୋଜ ସରକାରୀ କାମରେ ବାହାରକୁ ଚାରି ଦିନ ପାଇଁ ଯାଇଥିଲେ l ଏ ରିକ୍ସାଵାଲା ଓ ତା ସ୍ତ୍ରୀ ମତେ ଓ ମୋ ପେଟରେ ଥିବା ଛୁଆକୁ କେତେ ଯତ୍ନ ନେଉଥିଲେ l ପ୍ରସବ ବେଦନା ହେବାରୁ ସ୍ୱାମୀ ସ୍ତ୍ରୀ ଦୁଇ ଜଣ କେତେ ବ୍ୟସ୍ତ ବିବ୍ରତ ହୋଇ ନିଜ ରିକ୍ସାରେ ବସେଇ ଡାକ୍ତରଖାନା ନେଇଥିଲେ l ରକ୍ତ ଦରକାର ହେବାରୁ କିଛି ନଭାବି ସାଙ୍ଗେ ସାଙ୍ଗେ ନିଜେ ମୋ ପାଇଁ ନିଜ ରକ୍ତଦାନ କରିଥିଲା l ବୋଧ ହୁଏ ଭଗବାନ ସେ ଦିନ ଆମ ଭିତରେ ଏକ ରକ୍ତର ସମ୍ପର୍କ ଗଢିଦେଇଥିଲେ l ସେଥିପାଇଁ ବୋଧେ ଡାକ୍ତର ଯେତେବେଳେ ଔଷଧ, ଇଞ୍ଜେକ୍ସନ ଲେଖୁଥିଲେ ପାଖରେ ଟଙ୍କା ନଥିବା ସତ୍ୱେ ନିଜ ସ୍ତ୍ରୀ ବେକରୁ ମଙ୍ଗଳସୂତ୍ର ବନ୍ଧା ପକାଇ ଆଣୁଥିଲା l ଯେତେବେଳେ ମୁଁ ଡାକ୍ତରଖାନା ରୁ ଘରକୁ ଫେରି ତାଙ୍କ ପଇସା ଫେରେଇବାକୁ ଯାଚିଲି ସେତେବେଳେ ତା ଆଖିର ଜକେଇ ଆସୁଥିବା ଲୁହ ମୋ ମୁହଁରୁ ଭାଷାକୁ ବନ୍ଦ କରିଦେଲା, ମୁଁ ହାତ ଆଗକୁ ବଢିବାକୁ ଦେଲାନାହିଁ l ସେଦିନ ମୁଁ ଆଉଥରେ ଗ୍ରହଣ କରିବାକୁ ବାଧ୍ୟ ହେଲି ଯେ ଏ ଅଜଣା ସହରରେ ଘର ଠାରୁ, ସ୍ୱାମୀ ଠାରୁ ଦୂରରେ ଥିଲେ ବି ଡରିବାର କିଛି ନାହିଁ, କାରଣ ମୋ ପାଖରେ ମୋ ସାରଥୀ ରିକ୍ସାଵାଲା ଅଛି l ମୁଁ ଜୀବନ ସାରା କେବେବି ଆମ ସମ୍ପର୍କର ନା ଦେଇପାରିଲିନାହିଁ l କିନ୍ତୁ ସେ ବୋଧ ହୁଏ ଦେବାକୁ 7ଚେଷ୍ଟା କରିଥିଲା l ମୋ ପୁଅ ନାମକରଣ ଦିନ ମୋ ପୁଅ ପାଇଁ ପୋଷାକ ,ସୁନା ପଦକ, ଓ କିଛି ମିଠା ନେଇ ଆସିଥିଲା l ମୋ ପୁଅ ପାଇଁ ନାମଟିଏ ବି ବାଛିଥିଲା ହେଲେ ମୁଁ ତା ଅର୍ଥ ସେତେବେଳେ କିଛି ବୁଝି ନଥିଲି l ଯେତେବେଳେ ମୋ ଭାଇ ମୋ ପୁଅକୁ ନାମକରଣ ପାଇଁ ପୂଜା ମଣ୍ଡପକୁ ନେଉଥିଲା ସେତେବେଳେ ରିକ୍ସା ଵାଲା ର ମନରେ ସାମାନ୍ୟ ହତାଶ ଭାବ ଲକ୍ଷ୍ୟ କରିଥିଲି l ହେଲେ ସବୁଥର ପରି ସେଥର ବି ସେ ମତେ ଭୁଲେଇ ଦେଲା l 

                 ସବୁ ଦୋଷ ତାର l ପୁରୁଷ ପୁଅ କଥା ଦେଇ ନରଖିବା କଣ ଠିକ l ସେ ମତେ କହିଥିଲା ଯେଉଁ ରିକ୍ସାରେ ସେ ମୋ ଚାକିରୀ ଆରମ୍ଭ କରାଇଥିଲା ସେ ରିକ୍ସାରେ ମୋ ଚାକିରୀ ଶେଷ କରେଇବ l ହେଲେ ସେ ତା କଥା ରଖି ପାରିଲା ନାହିଁ l ସେ ନିହାତି ମିଛୁଆ l ମୂର୍ଖ l ଆଜି ଯଦି ସକାଳୁ ସକାଳୁ ସବୁ ଦିନ ପରି ନିଜ ରିକ୍ସାଟାକୁ ମୋ ଘର ଆଗରେ ଲଗାଇ ରଖିଥାନ୍ତା ତେବେ ମୁଁ ବି କଣ ବାଧ୍ୟ ହୋଇ ତା ରିକ୍ସାରେ ଆସିନଥାନ୍ତି l ତାର ବୋଧହୁଏ ମତେ ଆଣିବାକୁ ଇଚ୍ଛା ନଥିଲା l ମୋଠାରୁ ପ୍ରତିଶୋଧ ନେଲା l ସେଦିନ ତା ସ୍ତ୍ରୀ କାନ୍ଦି ବୋବେଇ ମୋ ଆଗରେ କହିଥିଲା କି ସେ କାହା ବୁଦ୍ଧିରେ ପଡି କାଳେ ମଦ ପିଉଛି, ରିକ୍ସା ଷ୍ଟାଣ୍ଡରେ ବାସି ଜୁଆ ଖେଳୁଛି l ଆକଟ କଲେ ବି ଶୁଣୁନାହିଁ l ପିଲାଛୁଆ ଘର, ରୋଜଗାର ହାତଗଣିତି, ଏମିତି ଉଡେଇଲେ ଚଳିବ କେମିତି l ବାସ ଏସବୁ ଶୁଣି ମୋ ରାଗ ମଥାନକୁ ଉଠିଗଲା l ତାପର ଦିନ ମୁଁ ରାଗି ଏକା ଏକା ଚାଲି ଚାଲି ମୋ କାମକୁ ଯାଉଥିଲି l ମତେ ଏ ମୂର୍ଖ ମଦୁଆ ରିକ୍ସାଵାଲା ର ସାହାଯ୍ୟ ଦରକାର ନାହିଁ l ଯିଏ ନିଜ ପିଲାର ନୁହେଁ, ଯିଏ ନିଜ ସ୍ତ୍ରୀର ନୁହେଁ ସେ ମୋର କଣ ହେବ l ଯାହା ହେଉ ତା ସ୍ତ୍ରୀ ମୋ ଆଖି ଖୋଲି ଦେଇଥିଲା l ସରୋଜ ମୋ ରାଗକୁ ଠିକ ଅନୁମାନ କରିଥିଲେ l ସେଥିପାଇଁ ସେ ମତେ ଆସ୍ତେ କରି କହିଲେ “ରିକ୍ସା ଷ୍ଟାଣ୍ଡ ରୁ ଆଉ ଜଣେ ରିକ୍ସାଵାଲା କୁ ଡାକିଦେବି କି” ? ମୋ ମୁହଁ ଦେଖି ସେ ତାଙ୍କ ଉତ୍ତରବି ପାଇଗଲେ l ସେ ରିକ୍ସାଷ୍ଟାଣ୍ଡର ସବୁ ରିକ୍ସାଵାଲା ଖରାପ, ଅଭଦ୍ର, ମୂର୍ଖ l ନହେଲେ ସଂସାର କରିବି ସେମାନେ କେମିତି ଏମିତି ନଷ୍ଟ ବାଟରେ ଯାଉଛନ୍ତି l ଉପରେ ଭଦ୍ର ଦେଖେଇ ହେଉଥିବା ସବୁ ରିକ୍ସାଵାଲା ସମାନ l ତେଣୁ ମୋର ସେମାନଙ୍କ ସାହାଯ୍ୟ ଦରକାର ନାହିଁ l ଏମିତି ଭାବି ଭାବି କିଛି ବାଟ ଯାଇଛି କି ନାହିଁ ପଛପଟରୁ ସେଇ ଚିହ୍ନା ଡାକ ଶୁଭିଲା l ମୁଁ ଶୁଣି ନଶୁଣିବାର ଅଭିନୟ କରି ଆଗକୁ ଚାଲୁଥାଏ l ଧାଇଁ ସଇଁ ହୋଇ ସେ ମୂର୍ଖ ରିକ୍ସାଵାଲା ମୋ ଆଗରେ ରିକ୍ସା ରଖିଦେଇ ଭୁଲ ମାଗିଲା l ଆଉ କେବେବି ମୋତେ ରିକ୍ସାରେ ଆଣିବା ଯାଏଁ ସେ ମଦ ଛୁଇଁବ ନାହିଁ କି ଜୁଆ ଖେଳିବ ନାହିଁ ବୋଲି ମୋ ଦେହ ଛୁଇଁ ଶପଥ କଲା l ବିଚରା ମୋ ରାଗରେ ଫସିଗଲା l ମୁଁ ବି ତ ଏହା ଚାହୁଁଥିଲି l ସେ ସୁଧାରିଯାଉ, ଭଲରେ ସଂସାର କରୁ l ମୁଁ ଜାଣିଚି ସେ ଭାରି ଭଲ ମଣିଷ l ଗୋଟିଏ ସୁନ୍ଦର ସଂସାର, ସୁନ୍ଦର ଭବିଷ୍ୟ ତାର ଅଧିକାର l ମୁଁ ଯଦି ତାକୁ ସେସବୁ କୁ ପାଇବା ପାଇଁ ଟିକେ ସାହାଯ୍ୟ କଲି ସେଥିରେ ମୋର ଆତ୍ମତୃପ୍ତି l ହେଲେ ଆଜି ସେ ଜଣେ କୃତଘ୍ନ l ଯିଏ ତାକୁ ତା ହସ ଖୁସି ର ସଂସାର ଫେରେଇ ଦେବାପାଇଁ ସେଦିନ ଏତେବାଟ ଚାଲି ଚାଲି ଯାଇଥିଲା, ନିଜ ସ୍ୱାମୀର କଥା କୁ ଶୁଣିନଥିଲା ଆଜି ସେ କୃତଘ୍ନ ମଣିଷଟା ଚାକିରୀର ଶେଷ ଦିନରେ ମତେ ନଆଣି କୁଆଡେ ପଳେଇ ଗଲା l ସେଦିନ ପରି ଆଜି ଯଦି ରିକ୍ସା ଆଣି ମୋ ଆଗରେ ରଖିଦେଇଥାନ୍ତା ମୁଁ କଣ ଅଫିସଵାଲା ପଠେଇ ଥିବା ଗାଡ଼ିରୁ ବାହାରି ତା ରିକ୍ସାରେ ରିକ୍ସାରେ ବାସି ଯାଇନ ଥାନ୍ତି l ଠିକ ହେଇଚି ଆମ ଭିତରେ ଥିଲା ଦୁର୍ବଳତାକୁ ମୁଁ କୌଣସି ନାମ ଦେଇନଥିଲି l ଏମିତି ଲୋକ ସହ କି ସମ୍ପର୍କ l ଯିଏ ସମ୍ପର୍କର ମୂଲ୍ୟ ଜାଣିନି l

                      କାଇଁ ସେ ଏମିତିତ ନଥିଲା ବୋଧହୁଏ ପୁଣିଥରେ କାହା ବୁଦ୍ଧିରେ ପଡି ଏମିତି କରିଛି l ବଳଦିଆ ମଣିଷ କାହା ବୁଦ୍ଧି ରେ ପଡିବା ଜମା ବିଚିତ୍ରକଥା ନୁହେଁ l ନା ନା ନା, ବୋଧହୁଏ ତା ପୁଅ ଏଥର ମନା କରିଛି l ହଁ ଚାକିରୀ କରିଛି, ବାପାକୁ ଭଲରେ ନେଇ ରଖିବ l ରଖୁ କିଏ ମନା କରିଛିକି l ହେଲେ ବାପାକୁ ଏ କାମ କରିବାକୁ ମନା କରିବା ପୂର୍ବରୁ ମତେ ଦେଖା କରିଦେଇଥିଲେ କଣ ବେଦ ଆସୁଦ୍ଧ ହେଇଯାଇଥାନ୍ତା l ମୁଁ କଣ ତା ବାପାର ଶତ୍ରୁ l ଯିବାକୁ ଦେଇନଥାନ୍ତି l ସିଏବି ବାପା ପରି ମୂର୍ଖ l ପାଠ ପଢି ଚାକିରୀ କରିଦେଲେ କଣ ହେବ l ସାଧାରଣ ବ୍ୟବହାର ନାହିଁ l ତା ମା ମଲାପରେ ମୁଁ କଣ ତାକୁ ମା ର ସ୍ନେହ ଦେଇନାହିଁ l ସେ କଣ ଭୁଲିଗଲା କି ମୁଁ ଏକ ଭୁଲ କରିଦେଇଥିଲି ବୋଲି ତା ବାପା ମା ମତେ କେତେ କଥା ଶୁଣେଇ ଥିଲେ l ମୁଁ ଚାକିରୀ କରିବାକୁ ଅଫିସ ଆସିବାବେଳେ ମୁଁ ଛୁଆ ଦୁଇଟା କୁ ତା ମା ପାଖରେ ରଖି ଦେଇ ଆସେ l ମୋ ପିଲାମାନେ ବି ତା ମା କୁ ମୋଠାରୁ ବେଶୀ ଭଲପାନ୍ତି l କାରଣ ଛୁଟିଦିନ ବି ସେମାନେ ତାଙ୍କ ଘରକୁ ଯିବାପାଇଁ ଜିଦ କରିବସନ୍ତି l ବାଧ୍ୟ୍ୟ ହୋଇ ମୁଁ ତାଙ୍କ ଘରେ ସେମାନଙ୍କୁ ଛାଡି ଦେଇଆସେ l ସେମାନେ ବି ମୋ ଛୁଆଙ୍କୁ ନିଜ ଛୁଆ ପରି ଭଲ ପାଆନ୍ତି l ସେଦିନ ମୋ ଝିଅ ପାଇଁ ବରଘର ଦେଖିବାକୁ ସରୋଜ, ସହ ମୋ ଭାଇ ଯାଇଥିଲା l ବାସ ଏତିକି କଥାରେ ସେ ସ୍ୱାମୀସ୍ତ୍ରୀ ଦୁଇଜଣ କି କାଣ୍ଡ ନକରି ଥିଲେ l ଦୁଇ ଦିନଯାକ କଥାବାର୍ତ୍ତା ନାହିଁ l ରିକ୍ସାରେ ବସାଇ କାଠ ଭୁତ ପରି ଚଲାଏ l ଯାହା ପଚାରିରେ ନଶୁଣିଲା ପରି କିଛି ଜବାବ ନାହିଁ l ଅନେକ ଅନୁସନ୍ଧାନ ପରେ ଜାଣିଲି ମଞ୍ଜିଟା କେଉଁଠି l ପୁଣି ମୁଁ ଆଉ ସରୋଜ ବିନା ସର୍ତରେ ଭୁଲ ମାଗିଲୁ l ଭବିଷ୍ୟତରେ ଏମିତି ଆଉ ହେବନି ବୋଲି କଥା ଦେବାରୁ ସ୍ୱାମୀ ସ୍ତ୍ରୀ ଦୁଇଜଣ ଶାନ୍ତ ପଡିଲେ l ହେଲେ ଆଜି ସେ ଆଉ ଟା ପୁଅ ଦୁଇଜଣ ଯେଉଁ ଭୁଲ କଲେ ତାର ହିସାବ କିଏ କରିବ l ଟା ସ୍ତ୍ରୀ ଥିଲେ ମୁଁ ବି ଆଜି ଝଗଡା କରିଥାନ୍ତି l ମୁଁ ବି ମୁହଁ ଫୁଲେଇଥାନ୍ତି l କଥା ହେଇନଥାନ୍ତି l ତା ପୁଅଟା ବି ଗୋଟିଏ ବେଇମାନ ବାହାରିଲା ଏକଥା ମୁଁ ବିଶ୍ୱାସ କରିପାରୁନାହିଁ l ସେ ଯେତେବେଳେ ଚାକିରୀକୁ ଗଲା, ସେତେବେଳେ ସେ ମୋ ପାଖକୁ ଆସି ତା ବାପାକୁ ମୋ ପାଖରେ ଜମା ଦେଇ ଯାଇଥିଲା, ହେଲେ ଆଜି ବିନା ଖବରରେ ନେଇଯିବାକୁ ତାକୁ ଅଧିକାର କିଏ ଦେଲା l ମୋ ପାଖରେ ଥିବା ଜମା ଜିନିଷଟା ମୋ ବିନା ଅନୁମତିରେ ନେବା କଣ ଠିକ l ହଁ, ସେ ମୂର୍ଖ ରିକ୍ସାଵାଲା, ସ୍ୱାର୍ଥପର ରିକ୍ସାଵାଲା, ଆଜି ତା ପୁଅ ଚାକିରୀ କଲାବୋଲି କଣ ଇନ୍ଦ୍ରଚନ୍ଦ୍ର ମାନିବ ନାହିଁ l ହଉ ସେ ଯୁଆଡେ ଯାଉ, ଯୁଆଡେ ଥାଉ ଭଲରେ ଥାଉ l ସେ ମୂର୍ଖ ବୋଲି ମୁଁ କଣ ମୂର୍ଖ l ସେ ସ୍ୱାର୍ଥପର ବୋଲି ମୁଁ କଣ ସ୍ୱାର୍ଥପର l 


               ଏହାରି ଭିତରେ ମୁଁ ସେ ଗାଡ଼ିରେ ବସି ଅଫିସ ପହଂଚି ଗଲି l ଅଫିସରେ ସବୁ ସହକର୍ମୀ ବନ୍ଧୁ ମତେ ଅତି ଆଦରରେ ପାଛୋଟି ନେଲେ l ଫୁଲମାଳରେ ମୋ ବେକ ଭରିଯାଉଥିଲା l ଭାରି ଖୁସି ଲାଗୁଥିଲା l ସେ ମୂର୍ଖ ରିକ୍ସାଵାଲା ଏ ସବୁ ଦେଖିଥିଲେ ଜମା ସାହିପାରି ନଥାନ୍ତା l ବୋଧହୁଏ ସେ ସେଇଥି ପାଇଁ ଆସିଲା ନାହିଁ l ହେଲେ ଏତେ ଗହଳିରେ ବି କାହଁକି କେଜାଣି ସେ ରିକ୍ସାଵାଲା କଥା ମନରୁ ଭୁଲି ହେଉନଥିଲା l ଯେଉଁ ଦିନ ମୋର ପ୍ରମୋସନ ହେଉଥିଲା ସେ ରିକ୍ସାଵାଲା ନିଜ ଜମାରୁ ଗୋଟିଏ ଗୋଟିଏ ଫୁଲମାଳ କିଣି ମୋ ବେକରେ ପିନ୍ଧେଇ ସହର ସାରା ହାଲ୍ଲା କରୁଥିଲା l ମୋ ଠାରୁ ସେ ଶହେ ଗୁଣ ଅଧିକ ଖୁସି ହେଉଥିଲା l ତା ସ୍ତ୍ରୀ ବି ଶୁଣିବା ମାତ୍ରେ ମନ୍ଦିରକୁ ଯାଇ ମୋ ପାଇଁ ପୂଜା କରି ପ୍ରସାଦ ଆଣେ l ତା ସ୍ତ୍ରୀ ତ ନାହିଁ ମୋ ପାଇଁ ଆଜି କିଏ ମନ୍ଦିର ଯାଇ ପୂଜା କରିବ l ଆଜି ମତେ ମିଳୁଥିବା ସଂମ୍ମାନ କିଏ ପୁରା ସହର ସାରା ହାଲ୍ଲା କରିବ l ବାପା ପୁଅ ଦୁଇଜଣ ମୋ ପାଇଁ ଷଡଯନ୍ତ୍ର କଲେ ମୁଁ କେବେବି ସେମାନଙ୍କୁ କ୍ଷମା କରିବି ନାହିଁ l ଅଫିସଵାଲା ମୋ ପାଇଁ ବିଦାୟକାଳୀନ ସଭାଟିଏ ଆୟୋଜନ କରିଥିଲେ l ସଭା ମଞ୍ଚରେ ଅନେକ ଚୌକି ପଡିଥିଲା l ବାସ ଗୋଟିଏ ଚୌକିରେ କେହି ନଥିଲେ l ପଚାରିବାରୁ ଆମ ଅଫିସର କହିଲେ “ମାଡାମ ଏ ଚୌକିଟି ତମ ସାରଥୀ ରିକ୍ସାଵାଲା ପାଇଁ,ତାର ବି ତ ଆଜି ତ କାମରେ ଶେଷ ଦିନ l ସେ ଆପଣଙ୍କୁ ଠିକ ସମୟରେ ଅଫିସକୁ ଆଣୁଥିଲା l ଯାହା ଫଳରେ ଆମର ସବୁ କାମ ଠିକ ଠାକ ହେଇଯାଉଥିଲା l ସେ ଆମକୁ ଏତେ ଦିନ ସେବା କରିଛି, ତା ସେବାକୁ କିପରି ଭୁଲି ଯିବୁ l ସେଥିପାଇଁ ଆଜି ତାକୁ ବି ନିମନ୍ତ୍ରଣ କରିଛୁ l ପିଅନ ଯାଇଛି ତାକୁ ଧରିକି ଆସିବ”l ଏ ସବୁ କଥା ଶୁଣି ମୁଁ ଯେପରି ପଥର ହେଇ ଯାଉଥିଲି l ନିଜ ଉପରେ ନିଜକୁ ଘୃଣା ଲାଗିବାକୁ ଲାଗିଲା l ଆରେ ସାରା ଦୁନିଆକୁ ତାର ସେବା ଦେଖାଗଲା, ହେଲେ ମୁଁ ତାକୁ ଅବିଶ୍ୱାସ କଲି l ମିଛଟାରେ ରାଗିଲି l ରାଗିଲି ଯଦି କଣ ହେଲା ସେ କଣ ଭୁଲ କରିନାହିଁ କି ? ସବୁ କଥାତ ମତେ କୁହେ ଆଜିବି କହିପାରିଥାନ୍ତା l ସେଦିନର କଥା ସବୁ କଣ ଭୁଲି ଯାଇଛି l ଛୋଟରୁ ଛୋଟ କଥା ମତେ କୁହେ l ତା ପୁଅ କେତେ ନମ୍ବର ରଖିଲା, ଇଣ୍ଟରଭିଉ ଦେବାକୁ କୁଆଡେ ଯିବ, ଚାକିରୀ ପାଇବା ସବୁ କଥା କୁହେ l ମୁଁ କଣ ତା ଖୁସିରେ ଇର୍ଷା କରେ କି ଲୁହ ଗଡା଼ଏ l ଆଜି ଯଦି କହିଦେଇଥାନ୍ତା ମୁଁ କଣ ତାକୁ ଏଠାକୁ ଆସିବାକୁ ମନା କରିଦେଇଥାନ୍ତି l ମୁଁ କଣ କହିଥାନ୍ତି ରିକ୍ସାଵାଲା ପୁଣି ମୋ ପାଖରେ ସଭାରେ ବସିବ l ବୋଧ ହୁଏ ସେ ମତେ ଚିହ୍ନି ପାରିଲାନାହିଁ l ସେ ଏ ସଭାକୁ ଆସିଥିଲେ ସବୁଠାରୁ ମୁଁ ଖୁସି ହେଇଥାନ୍ତି l ହେଲେ ସେ ମତେ ତ ପଚାରିଲାନାହିଁ, ମୁଁ କାହଁକି ତାକୁ ଉପରେ ପଡି କଥା ହେବି, l ସେ ଆସୁ, ତା ଚୌକିରେ ବସିବ, ମୁଁ ମୋ ଚୌକିରେ ବସିବି l ଜମା କଥା ହେବିନାହିଁ l ସିଏ ନିଜକୁ ଯାହା ଭାବୁ ମୁଁ ଜଣେ ଅଫିସର ଆଉ ସେ ମୋ ରିକ୍ସାଵାଲା l ବାସ ସେ ଖାଲି ମୋପାଇଁ ଜଣେ ରିକ୍ସାଵାଲା ଥିଲା l ସେ ତ ମୋ ସାରଥୀ ଥିଲା l ସାରଥୀ ତ ସ୍ୱୟଂ ଭଗବାନ ବି ହେଇଥିଲେ l ସାରଥୀ ନଥିଲେ ସେଦିନ ଯେମିତି ଅର୍ଜୁନ କୁରୁକ୍ଷେତ୍ର ଯୁଦ୍ଧ ଜିତିପରି ନଥାନ୍ତେ ଠିକ ସେହିପରି ମୁଁ ମୋ ସାରଥୀ ବିନା ବୋଧ ହୁଏ ଏ ସଂସାର ରୂପକ ଯୁଦ୍ଧକୁ ଜିତିପରିନଥାନ୍ତି l ହଉ ହଉ ସବୁ ରାଗ ରୁଷା ଭୁଲି ତା ସହ କଥା ହେବି l ସେ ତା ଭୁଲକୁ ମାନୁ କି ନମାନୁ ମୁଁ ମୋ ତରଫରୁ କରିଥିବା ଭୁଲ ପାଇଁ ଭୁଲ ମାଗିନେଲେ କଣ ଛୋଟ ହେଇଯିବି l ହେଲେ ସେ କେତେବେଳେ ଆସିବ l ପିଅନ କେତେବେଳେ ତାକୁ ଧରି ଆଣିବ l ସମସ୍ତେ ତାକୁ ଅପେକ୍ଷା କରିଥାନ୍ତି l ସେ ଜାଣି ଶୁଣି ବୋଧେ ଡେରି କରୁଛି l ସବୁଦିନେ ସେ ଅଫିସ ଗେଟ ଆଗରେ ଅପେକ୍ଷା କରେ ଆଉ ଆଜି ସେ ସମସ୍ତଙ୍କୁ ଅପେକ୍ଷା କରାଉଛି l ତାକୁ ମଜା ଆସୁଥିବ l ହେଲେ ଆସୁ ତା ମଜା ମୁଁ ବାହାର କରିବି l ଟିକେ କାମରେ ଫସିଗଲାଗଲେ ଡେରି ହେଇଗଲେ କେତେ ଗାଳି କରେ, ତାକୁ ଯେମିତି ଲାଗେ ମୁଁ ଜାଣିଶୁଣି ଡେରି କରି ଅଫିସରୁ ବାହାରୁଛି l ଆଜି ସେ ଜାଣି ଜାଣି ମତେ ଚିଡ଼େଇବାକୁ ଡେରି କରି ଆସୁଛି l ସେ ମତେ ଯେମିତି ମୁହଁ ଭଣ ଭଣ କରି କୁହେ ଆଜି ମୁଁ ବି ତାର ସବୁ କଥାକୁ ସୁଧ ମୂଳ କରି ସୁଝେଇ ଦେବି l ସେ ଖାଲି ଆସୁ l ମତେ ଚିହ୍ନିବ l ଅପେକ୍ଷା କରୁ କରୁ ମୋ ଆଖିରେ ପଡିଗଲା ଟେବୁଲ ଉପରେ ଥିବା ଆଜିର ପେପର ଉପରେ l ପେପର ବୋଧହୁଏ ମୁଁ ଅନେକ ବର୍ଷ ହେଲା ଦେଖିନି କାରଣ ଦେଖିବା ଆବଶ୍ୟକ ପଡିନି l ସବୁ ଖବର ତ ସେ ରିକ୍ସା ଵାଲା ଦେଇ ଦିଏ l ସହର ଖବର, ସହରର ପ୍ରତି ଗଳି ଖବର ଠାରୁ ଆରମ୍ଭ କରି ରାଜ୍ୟ, ଦେଶ, ବିଦେଶ ଖବର ସବୁ କହେ l ମୁଁ ତା ରିକ୍ସାରେ ବସିବା ଠାରୁ ଆରମ୍ଭ କରି ଓହ୍ଲେଇବା ପର୍ଯ୍ୟନ୍ତ ସବୁ ଧାରା ବିବରଣୀ ଦେଇଥାଏ l ମତେ ବେଳେ ବେଳେ ଲାଗେ ବୋଧହୁଏ ସେ ପେପରକୁ କେବଳ ମତେ ଖବର ଦେବା ପାଇଁ ପଢୁଛି l ଅନେକ ସମୟ ମୁଁ ତା ଉପରକୁ ରାଗେ l ହେଲେ ପ୍ରକୃତି ଛାଡିବ କେମିତି l ପୁଣି ଧାରାବିବରଣୀ ଦେଇ ଚାଲେ l ହେଲେ ଆଜିର ଖବର ବିଷୟରେ ମୁଁ କିଛି ଜାଣିନି କି କାହାଠାରୁ ଧାରାବିବରଣୀ ପାଇନାହିଁ l ଏତେ ଦିନେ ମୁଁ ପୁଣି ଥରେ ପେପରକୁ ପଢିବାକୁ ଲାଗିଲି ଆଉ ଭାବିଲି ଏ କେଉଁ ନୂଆ କଥା କି କଲି ଠାରୁ ଚାକିରୀରୁ ଅବସର ନେବାପରେ ଅନେକ ପୁରୁଣା କାମ ଛାଡି ନୂଆ କାମ କରିବାକୁ ପଡିବ l ଏସବୁ ଭାବୁ ଭାବୁ ମୁଁ ପେପରରେ ଆଞ୍ଚଳିକ ପୃଷ୍ଠା ଖୋଲି ଦେଖିଲି l ଖବର ପଢୁ ପଢୁ ଟିକେ ଚମକି ପଡିଲି l କାରଣ କାଲି ଆମ ସହରରେ ଏତେ ବଡ଼ ଘଟଣା ହେଇଗଲା କିନ୍ତୁ ମୁଁ ଜାଣି ପାରିଲି ନାହିଁ l ବିଷାକ୍ତ ମଦ ପିଇ ପାଇଁ ପାଞ୍ଚ ଜଣ ମାରିଛନ୍ତି ଦୁଇଜଣ ଡାକ୍ତରଖାନାରେ ଭର୍ତ୍ତି l ସବୁ ପୁଣି ରିକ୍ସାଵାଲା l ସେଇଥିପାଇଁ ତାହେଲେ ଏ ରିକ୍ସାଵାଲାର ଦେଖା ନାହିଁ l ଯାଇଥିବ ନିଜ ବନ୍ଧୁମାନଙ୍କ ପାଖକୁ l ମୁଁ ସେଦିନ କଥା ଦେଇଥିଲି ବୋଲି ଏ ରିକ୍ସାଵାଲା ବଞ୍ଚିଗଲା l ନହେଇଥିଲେ କେବେଠୁ ଖବର କାଗଜରେ ଗୋଟିଏ ଖବର ହେଇ ସହରରେ ବିକ୍ରି ହେଇସାରିଥାନ୍ତା l ସେ ବି ଏକଥା ନିଜେ ମାନେ l ପୂର୍ବରୁ ଯେତେବେଳେ ଏପରି ବିଷାକ୍ତ ମଦ ପି ତିନିଜଣ ମାରିଥିଲେ ସେ ମୋ ହାତଧରି କାନ୍ଦି କାନ୍ଦି କହିଥିଲା ମୋ ପାଇଁ ତା ଜୀବନ ବଞ୍ଚିଗଲା, ନହେଲେ ଯେଉଁମାନେ ମଲେ ସେ ବି ସେଇମନଙ୍କ ସହ ମିଶି ମଦ ପିଉଥିଲା l ତାକୁ ଯଦି ମୁଁ ମୋ ଦେହ ଛୁଇଁ ମନାକରିନଥାନ୍ତି ତେବେ ସେ ବି ସେମାନଙ୍କ ମଧ୍ୟରୁ ଜଣେ ହୋଇଥାନ୍ତା l ସେ ମତେ ଅନେକ ଥର କହିଛି ଅନ୍ୟ ମାନଙ୍କୁ ବି ଟିକେ ବୁଝେଇବାକୁ ହେଲେ ମୁଁ ମନା କରିଛି, କହିଛି ସେମାନେ ମୋ କଥା କାହଁକି ଶୁଣିବେ l ଏହାରି ଭିତରେ ଆମ ଅଫିସର ପିଅନ ଆସିଗଲା, ସେ ବଡ ଅଫିସର କାନରେ କଣ କହିଦେଲା l ମୁଁ ଠିକ ଅନୁମାନ କରିଦେଲି ସେ ରିକ୍ସାଵାଲା ଆସିବାକୁ ମନା କରିପଠେଇଛି l ସେ କେମିତି ଅସିଥାନ୍ତା, ସେ କଣ ଆମ ମାନଙ୍କ ପରି ସଂମ୍ମାନର ଭୋକି ହେଇଛି ଯେ ଆପଣାମାନଙ୍କୁ ଏ ଦୁଃଖରେ ଛାଡି ଏଠାକୁ ଆସିବ l ବେକାରଟାରେ ଆଜି ଦିନ ସାରା ତା ଉପରେ ମିଛରେ ମିଛରେ ରାଗିଲି l ଅଭିମାନ କଲି l ହେଲେ ମୋର କି ଦୋଷ ସେ ସିନା ମତେ କହିଥିଲେ ମୁଁ ଏ କଥା ଜାଣିଥାନ୍ତି l ଯାହେଉ ଡେରିରେ ହେଉ ପଛେ ସେ ନଆସିବା କାରଣ ତ ଜାଣିଗଲି l ଏବେ ଯାଇ ମନ ଟିକେ ହାଲୁକା ହେଲା l ସଭା ସରିଲା, ସମସ୍ତେ ମୋ ବିଷୟରେ ଅନେକ କଥା କହିଲେ l ମୋ ଗୁଣ ଗାରିମା ବଖାଣିଲେ l ମୁଁ ମୋ ବିଷୟରେ ଯେତେ ଜାଣିନଥିଲି ସେମାନେ ମୋ ବିଷୟରେ ଅଧିକ ଜାଣିଥିବାର ମୁଁ ଅନୁମାନ କରିନେଲି l ମୁଁ ବି ମୋ ପ୍ରଶଂସା ଶୁଣି ଖୁବ ଖୁସି ହେଲି l ସତରେ ମୁଁ କେତେ ସମୟାନୁବର୍ତ୍ତୀ ଥିଲି l କିପରି ମୁଁ କୌଣସି କାମକୁ ନିର୍ଭୟର ସହ କରୁଥିଲି l ଆରେ କିଛି ସମୟ ପରେ ମୁଁ ଭାବିଲି ଏମାନେ ମତେ ଆଉ ମୋ କାମକୁ ପ୍ରଶଂସା କରୁଛନ୍ତି ନା ସେ ରିକ୍ସାଵାଲା କୁ ପ୍ରଶଂସା କରୁଛନ୍ତି l କାରଣ ମୁଁ କେବେବି ଠିକ ସମୟରେ ଅଫିସ ଆସିବାକୁ ଚାହିଁନଥାଏ, ବାସ ସେ ରିକ୍ସାଵାଲାର ରିକ୍ସାର ଘଣ୍ଟି ମତେ ଘରେ ରହିବାକୁ ଦିଏନାହିଁ l ଆଉ ରହିଲା ଡର କଥା ସେ ରିକ୍ସାଵାଲା ଥାଉ ଥାଉ ମୁଁ କାହାକୁ ଡରିବାର ପ୍ରଶ୍ନ ଉଠୁନଥିଲା l ଧ କହିଲେ ବାନ୍ଧିକି ଆଣିଦେବ l ତାର ବାହୁ ବାଳରେ ତାର ଯେତେ ଭରସା ନଥିବ ମୋର ବେଶୀ ଭରସା ଥିଲା l କହିବାକୁ ଗଲେ ସେ କିଚକ ବାହୁ ବଳରେ ଏ ବିରାଟ ରାଜା l 

             ସଭା ସାଙ୍ଗ ହେଲା l ଖିଆପିଆ, ଗୀତ ନାଚ ଖୁବ ଧୁମ ଧାମରେ ଚାଲିଲା l ପରେ ସମସ୍ତଠାରୁ ବିଦାୟ ନେଇ ଅଶ୍ରୁଳ ନୟନରେ ଅଫିସ ଗେଟ ରୁ ବାହାରିଲି l ଗୋଟିଏ ଯୁଗର ସମାପ୍ତି l ଠିକ ସେତିକି ବେଳେ ଗେଟ ବାହାରେ ସେ ରିକ୍ସାଵାଲାର ରିକ୍ସା ଆସୁଥିବାର ଦେଖାଗଲା l ମୁଁ ଆଖିରୁ ଲୁହ ଝରିବା ବନ୍ଦ ହେଲାନାହିଁ l ମୋ ଆଶା, ମୋ ବିଶ୍ୱାସ ପୁଣିଥରେ ସତ୍ୟ ପ୍ରମାଣିତ ହେଲା l ଆମ ଭିତରେ କି ସମ୍ପର୍କ, କଣ ସେ ସମ୍ପର୍କର ନାମ ମୁଁ ଜାଣିନି କି ଜାଣିବାକୁ ଚାହେଁନି l ଏ ରିକ୍ସାଵାଲା ସମସ୍ତଙ୍କ ପାଇଁ ଗୋଟିଏ ସାଧାରଣ ରିକ୍ସାଵାଲା ହେଇପାରେ ହେଲେ ମୋପାଇଁ ସେ ମୋ ସାରଥୀ l ସ୍ୱୟଂ ଭଗବାନ ସାରଥୀ l ସେ ତାର କଥା ରଖିଛି l ଯେଉଁ ରିକ୍ସାରୁ ମୋ ଚାକିରୀ ଆରମ୍ଭ ସେଇ ରିକ୍ସାରୁ ହିଁ ମୋ ଚାକିରୀ ଶେଷ l ରିକ୍ସା ପାଖେଇ ପାଖେଇ ଆସିଲା l ରିକ୍ସା ସହ ରିକ୍ସାଵାଲା ବି ଦେଖା ହେବାକୁ ଲାଗିଲା l ଆଖିରୁ ଲୁହ ପୋଛି ଦେଖିଲି ଏ କଣ ? ରିକ୍ସାଟା ତ ସେଇଆ ହେଲେ ରିକ୍ସାଵାଲା ସେ ନୁହେଁ ବରଂ ତା ପୁଅ l ଏହା କିପରି ସମ୍ଭବ l ତାମାନେ ସେ କଣ ସତରେ ଅଭିମାନ କରି ନିଜେ ନଆସି ତା ପୁଅକୁ ନେବାକୁ ପଠେଇଛି l ନର ବା ଗୁଞ୍ଜର ଅଶ୍ୱସ୍ଥମା ବଦ୍ଧ l ନିଜେ ରାଗି, ଅଭିମାନ କରି ଆସିଲାଣି କିନ୍ତୁ ନିଜ କଥା ରଖିବାକୁ ପୁଅକୁ ପଠେଇ ଦେଇଛି l ତା ପୁଅ ଆସି ଧୀରେ କହିଲା ବାପା କହିଛନ୍ତି ତମକୁ ନେବାକୁ l ମୁଁ ଅଭିମାନ କରି ତା ରିକ୍ସାରେ ବାସିଗଲି, ମୋର ବି ଇଛା ଥିଲା କି ତାରି ରିକ୍ସାରେ ହିଁ ମୋ ଚାକିରୀ ସରୁ l ପୁଅଟି ର ମନ ଉଦାସ l ଉଦାସ ହେବନି କେମିତି ସେ ଜଣେ ପୋଲିସ ସହରରେ କେତେ ନା ହେଲେ ସେ ଜିଦଖୋର ବୁଢ଼ା ପାଇଁ ତାକୁ ରିକ୍ସା ନେଇ ଆସିବାକୁ ପଡିଲା l ମନ ଦୁଃଖ ରେ ପୁଅଟା କହିଲା ଦିଦି ଖବର କାଗଜ ପଢିଛ l କାଲି ଯାହା ହେଲା ଶୁଣିଲ l ମୁଁ କହିଲି ହଁ ପଢ଼ିଲି ହେଲେ କିଏ କିଏ ମଲେ l ଲୋକଗୁଡାକ ବୁଝୁନାହାନ୍ତି, ମଦ ପି କଣ ପାଉଛନ୍ତି କେଜାଣି, ଘର ସଂସାର କରି ଜୀବନକୁ ନଷ୍ଟ କରୁଛନ୍ତି l ବାସ ଏତିକି କଥାରେ ସେ ମତେ ରୋକିଦେଇ କହିଲା ବାପା ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ l ସେ ଏବେ ଡାକ୍ତରଖାନାରେ l ଏ କଥା ଶୁଣିବାକୁ ଯେମିତି ମୁଁ ପ୍ରସ୍ତୁତ ନଥିଲି l ମୋ ପାଦତଳ ମାଟି ଯେମିତି ଖସିଗଲା l ଯେମିତି ମୁଁ ପୁରାପୁରି ନିସ୍ଵ ହେଇଗଲି l ଏତେ ଗହଳି ଭିତରେ ଯେମିତି ମୁଁ ନିଜେ ନିଜକୁ ହଜେଇ ଦେଲି l ହେଲେ ଏହା ସମ୍ଭବ କେମିତି, ସେ ତ ମୋ ଦେହ ଛୁଇଁ କଥା ଦେଇଥିଲା ମଦ ଛୁଇଁବ ନାହିଁ l ହେଲେ କେମିତି ସେ ନିଜ ଶପଥ ଭାଙ୍ଗି ଦେଲା l ନା ନା ସେ କହିଥିଲା ମତେ ରିକ୍ସାରେ ଆଣୁଥିବା ପଯ୍ୟନ୍ତ ମଦ ଛୁଇଁବ ନାହିଁ l ତାମାନେ ତାକୁ ମୁଁ ହତ୍ୟା କରିଛି l ନା ନା ନା l ସେ ମୂର୍ଖ, ମତେ ତା କଥାର ମାୟାଜାଲରେ ଫସାଇ ମୂର୍ଖ ବନେଇ ରଖିଥିଲା l ସେ ମୋ ସାରଥୀ ନୁହେଁ, ସେ ସ୍ୱାର୍ଥପର ମଣିଷ ଟା କାହାର କିଛି ନୁହେଁ l ତାପାଇଁ ଆଖିରୁ ଲୁହ ଗଡ଼ାଇବା ଅନାବଶ୍ୟକ l ଛାତିରୁ କୋହ ଉଠିବା ମୂର୍ଖତା l ଇଚ୍ଛା ହେଉଥିଲା ତା ରିକ୍ସାରୁ ଓଲହାଇ ଏକା ଏକା ଚାଲି ଚାଲି ଯିବି ଓ ତା ପୁଅକୁ କହିବି ସେ ମୂର୍ଖ, ସ୍ୱାର୍ଥପର ମଣିଷ କଥା ନଭାବି ଖୁସିରେ ରହୁ l ହେଲେ ସେସବୁ କଥା ମୋ ପାଟିରୁ ବାହାରି ପାରିଲାନି l ସେ ସ୍ୱାର୍ଥପର ନୁହେଁ, ସେ ମୂର୍ଖ ନୁହେଁ ମୁଁ ସ୍ୱାର୍ଥପର, ମୁଁ ମୂର୍ଖ l ପାଟିରୁ ଏତିକି ବାହାରିଲା ବାବା ଏ କେମିତି ହେଲା l ସେ କହିଲା “ଦିଦି, କାଲି ବାପା କହିଲେ ବାବା ମୁକେଶ ଆଜି ମୁଁ ମୋ କର୍ତ୍ତବ୍ୟରୁ ମୁକ୍ତି, କାଲି ଦିଦିଙ୍କ ଚାକିରୀରେ ଶେଷ ଦିନ, ତାଙ୍କୁ ନେବାକୁ ତାଙ୍କ ଅଫିସଵାଲା ଆସିବେ l କାଲି ସିନା ଦିଦିଙ୍କ ଚାକିରୀ ସରିଯିବ ହେଲେ ଆଜି ମୋ ଚାକିରୀ ସରିଗଲା l ଏ ରିକ୍ସା ବି ମୋର ଆଉ ଦରକାର ନାହିଁ l ଏଇ ରିକ୍ସାରୁ ହିଁ ମୋର ସଂସାର ଚାଲୁଥିଲା l ତୁ ଏଇ ରିକ୍ସା ପଇସାରେ ହିଁ ପୋଲିସ ହେଲୁ l ଏ ରିକ୍ସା ସହ ମୋର ଅନେକ ସ୍ମୃତି ରହିଛି l ଏହି ରିକ୍ସାରେ ବସାଇ ମୁଁ ତୋ ମା କୁ ବାହା ହେଇ ଆଣିଥିଲି l ତୁ ବି ଏଇ ରିକ୍ସାରେ ବସି ଡାକ୍ତରଖାନାରୁ ଘରକୁ ଆସିଥିଲୁ l ଏଇ ରିକ୍ସାରେ ତୋ ମା ର ଶବ ବି ମୁଁ ଡାକ୍ତରଖାନା ରୁ ଘରକୁ ଆଣିଥିଲି l ଦିଦିଙ୍କ ଚାକିରୀ ବି ଏଇ ରିକ୍ସାରୁ ଆରମ୍ଭ ହେଇଥିଲା, ଶେଷ ହେଇଥିଲେ ଭଲ ହେଇଥାନ୍ତା l ନହେଲା ନାହିଁ l ଖାଲି ଆମର ନୁହେଁ ଦିଦିଙ୍କ ଅନେକ ସ୍ମୃତିର ସାକ୍ଷୀ ଏ ରିକ୍ସା l ତେଣୁ ମୁଁ ଏହାକୁ ବିକି ପାରିବିନି କି ଘରେ ପକେଇ ନଷ୍ଟ କରିବି ନାହିଁ, ମୁଁ ସିନା ବୁଢ଼ା ହାଇଗଲି ଯେ କାମ କରିପାରିବିନାହିଁ l ହେଲେ ସେ ଏବେବି ସକ୍ଷମ ନିଜ ଭିତରେ ଅନେକ ସ୍ମୃତିକୁ ସାଉଁଟିବାକୁ ତାର ଇଚ୍ଛା ତେଣୁ ମୁଁ ଭାବିଛି ତାକୁ ନବିକି କାହାକୁ ଦେଇଦେବି l ପୁଣି ମୋ ଚାକିରୀରୁ ବିଦାୟ ନେଉଥିବାରୁ ମୋ ସାଙ୍ଗ ସାଥି ଙ୍କଠାରୁ ତା ବିଦାୟ ନେବାକୁ ପଡିବ l ତେଣୁ ତୁ କହିବୁ ଯଦି ଶେଷ ଥର ପାଇଁ ଆମ ରିକ୍ସାଷ୍ଟାଣ୍ଡରୁ ସମସ୍ତଙ୍କ ଠାରୁ ବିଦାୟ ନେଇ ଆସିବି l ବାପାଙ୍କ କଥା ଶୁଣି ମୁଁ କାନ୍ଦି ପକାଇଲି l ବାପା ରିକ୍ସା ଧରି ରିକ୍ସାଷ୍ଟାଣ୍ଡ ଆଡକୁ ଗଲେ l ମୁଁ ସେମିତି ବାପାଙ୍କ ଆଡକୁ ଅନେଇ ଭାବୁଥାଏ କଣ ସତରେ ମୁଁ ଭୁଲ କରୁଛି l ସତରେ ମୁଁ କଣ ମୋ ମିଛ ସ୍ୱାଭିମାନ ପାଇଁ ତାଙ୍କ ସ୍ମୃତିଠାରୁ ଦୂରେଇ ଦେଉଛି l ସେ ଯଦି ରିକ୍ସା ଟାଣି ଖୁସି ହେଉଛନ୍ତି ତେବେ ମୁଁ କିଏ ତାଙ୍କୁ ମନା କରିବାକୁ l ସେଦିନ ଯେତେବେଳେ ମୁଁ ଚାକିରୀ ପାଇଥିଲି ସେ ମତେ ଏଇ ରିକ୍ସାରେ ବସାଇ ପୁରା ସହର ବୁଲେଇ ବୁଲେଇ ସମସ୍ତଙ୍କୁ କହୁଥିଲେ ଦେଖ ଏ ରିକ୍ସାର କମାଲ ସେ ମୋ ପୁଅକୁ ପୋଲିସ କରିଦେଲା l ମୁଁ ମନେ ମନେ ନିଜକୁ ବହୁତ ଦୋଷୀ କାଲି l ଭାବିଲି ବାପା ଆସନ୍ତୁ ତାଙ୍କୁ କହିବି ଆମର ସେ ରିକ୍ସା କାହାକୁ ଦେବା ଦରକାର ନାହିଁ, ତମେ ଯେପର୍ଯ୍ୟନ୍ତ ଚଲେଇବ ଚଲା ପରେ ମୁଁ ତାକୁ ମୋ ବଂଶର ସ୍ମୃତି ହିସାବରେ ସାଇତି ରଖିବି l ଏହାପରେ ମୁଁ ଥାନା ପଳେଇଗଲି l ସେଠୁ ଏ ଦୁଃଖଦ ଖବର ପାଇଲି l ଘଟଣା ସ୍ଥାନରେ ପହଂଚି ଜାଣିଲି ବାପା ମନା କରିବା ପରେ ବି ନିଜ ସାଙ୍ଗମାନଙ୍କ କଥା କାଟି ନପାରି ମଦ ପିଇ ଦେଲେ l ଭାଗ୍ୟ ମନ୍ଦ ହେବାରୁ ସେମାନେ ପିଇ ଥିବା ମଦ ବିଷାକ୍ତ ଥିଲା l ସମସ୍ତଙ୍କୁ ଡାକ୍ତରଖାନା ନେଇଗଲୁ l ହେଲେ ବାପା ବାରମ୍ବାର କହୁଥାନ୍ତି ଦିଦିଙ୍କ କଥା ରଖି ପାରିଲିନି, ତାଙ୍କୁ କ୍ଷମା ମାଗିନେବୁ l ତାପରେ ସେ ଚେତାଶୂନ୍ୟ ହୋଇଗଲେ l ଆଜି ଯେତେବେଳେ ଚେତା ଆସିଲା ବାରମ୍ବାର କହୁଥିଲେ ଦିଦିଙ୍କ ଫେରିବା ସମୟ ହେଇଯିବ l ଅଫିସଵାଲା ନେବାକୁ କହିଥିଲେ, ଛାଡିବାକୁ କହିନଥିଲେ l ସେମାନେ ବଡ଼ ଲୋକ କାମ ସରିଗଲେ ଆଖୁ ଚୋପା ପରି ଅଲଗା କରିଦେବେ, ବିଚାରୀ କାହାକୁ କିଛି ନକହିପାରି ଏକା ଏକା ଚାଲିକି ଆସୁଥିବେ l ତୁ ଟିକେ ଯା ନେଇ ଆସିବୁ l ତୁ ଡରନା, ତୁ ନଆସିବାଯାଏ ମୋର କିଛି ବି ହେବନି l ସେମିତି ବି ଦିଦିଙ୍କୁ କିଛି କହିବାର ଅଛି l ଭୁଲ ମାଗିବାର ଅଛି”l କଥା ସରୁ ସରୁ ଆମେ ଡାକ୍ତରଖାନାରେ ପହଂଚି ଗଲୁ l ହେଲେ ସେତେବେଳେ ବହୁତ ଡେରି ହେଇଯାଇଥିଲା l ସେ ଆଉ ଆମ ପାଖରେ ନଥିଲା l ଆମକୁ ଠକି ବହୁ ଦୁରକୁ ପଳେଇଯାଇଥିଲା l ଯେଉଁଠି ଆମ କଥା ବି ପହଂଚି ପାରିବନି l ସେ ସତରେ ସ୍ୱାର୍ଥପର ଖାଲି ପର ପାଇଁ ବଞ୍ଚିଲା l ପର ପାଇଁ କର୍ତ୍ତବ୍ୟ କଲା ହେଲେ ଯେତେବେଳେ ତା କରଜ ସୁଝା ହେବା ବେଳ ଆସିଲା ସମସ୍ତଙ୍କୁ କରଜରେ ବୁଡେଇ ନିଜେ ପଳେଇଗଲା l ମୁଁ ଠିକ ଜାଣିଛି ସେ ନିଜ ପୁଅକୁ ମୋ ପାଖକୁ କାହଁକି ପଠେଇ ଥିଲା l ମୋ ପାଖରେ ତାର କି କାମ ଥିଲା l ନିଜ ପୁଅକୁ ମୋ ପାଖରେ ଜମା ଦେବାକୁ l ତା ସ୍ତ୍ରୀ ବି ତ ଦେଇଯାଇଥିଲା, ମୁଁ କଣ କେବେ ମୋ କଥାରୁ ଓହରି ଯାଇଥିଲି କି l ତେବେ ଶେଷ ସମୟରେ ନିଜ ପୁଅ ହାତରୁ ପାଣି ପିଇବା ବଦଳରେ ମତେ ଆଣିବାକୁ କାହଁକି ପଠେଇ ଥିଲା l ମୂର୍ଖ ନିଜକୁ ମହାନ ବୋଲି ପ୍ରମାଣ କରିବାକୁ କେତେ ଅପଚେଷ୍ଟା ନକଲା l 

                  ଆଜିବି ସେଦିନ କଥା ମୋର ମନେ ପଡିଯାଉଛି, ବସଷ୍ଟାଣ୍ଡର ସେ ରିକ୍ସା ରିକ୍ସା ଶବ୍ଦ ମୋ କାନରେ ସ୍ପଷ୍ଟ ଶୁଭୁଥିଲା l ସେଦିନର ସରୋଜ ଓ ତାର ଝଗଡାର ପ୍ରତି କଥା ମତେ ଶୁଭୁଥାଏ l ବାପାଙ୍କୁ ସରୋଜ ବିଷୟରେ ବର୍ଣ୍ଣନା ଆଜିବି ଭୁଲି ପାରିନି lମୋ ପୁଅ ହେବା ବେଳର ପ୍ରତିଟି ଘଟଣା ମୁଁ ଭୁଲି ପାରିନାହିଁ l ସ୍ୱାମି ସ୍ତ୍ରୀ କରିଥିବା ମୁହଁଫୁଲା ଝଗଡା ମୋ ଆଖି ଆଗରେ ନାଚି ଯାଉଥିଲା lସତରେ ସେ ମୂର୍ଖ ନା ମୁଁ, ସେ ସ୍ୱାର୍ଥପର ନା ମୁଁ l ବିଚରା ଯାହାକୁ ସେ ବୀରଙ୍ଗନା ଭାବି ନିଜକୁ ସାରଥୀ କରି ଗର୍ବ କରୁଥିଲା ସେଇ ବୀରଙ୍ଗନା ଯେ ଗୋଟିଏ ଭୀରୁ, ଅବଳା, ଦୁର୍ବଳl ବୋଧହୁଏ ଜାଣି ପରି ଅଭିମାନ କରି ଚାଲିଗଲା l ଆଜି ମୋ ସାରଥୀର ମହାଯାତ୍ରା ହେବ l ଆଜି ସିଏ ମୋପାଇଁ ନୁହେଁ ମୁଁ ତା ପାଇଁ ସାରଥୀ ହେବି l ଲୋକ ଲଜ୍ଜ୍ୟା, ସାମାଜିକ ବନ୍ଦନ, ପରମ୍ପରା କୁ ଗୋଡ଼ରେ ଆଡେଇ ମୁଁ ନିଜେ କାହା ସ୍ତ୍ରୀ ହେଇ ବି, ଗୋଟିଏ ଘରର ବୋହୂ ହୋଇବି ମୋ କାନ୍ଧରେ ତା ପବିତ୍ର ଶବକୁ ସ୍ମଶାନଯାଏ ବୋହି ନେବି l ସେ ପାଞ୍ଚଭୂତରେ ବିଲିନ ହେବାବେଳେ ସେଇ ପାଞ୍ଚଭୂତମାନଙ୍କୁ ପଚାରିବି ତାର ମୋର ସମ୍ପର୍କ କଣ ବାପା -ଝିଅର, ଭାଇ-ଭଉଣୀର, ସାଙ୍ଗ-ସାଥିର, ପ୍ରେମିକ-ପ୍ରେମିକାର ନା ଆଉ କିଛି l ଯେଉଁ ସମ୍ପର୍କର ନାମ ମଧ୍ୟ ସେ ପାଞ୍ଚଭୂତ ମାନଙ୍କ ପାଖରେ ନଥିବ l ଯେଉଁ ସମ୍ପର୍କର ନାମ ସ୍ୱୟଂ ଭଗବାନଙ୍କୁ ଜଣା ନାହିଁ ସେ ସମ୍ପର୍କ କାହିଁକି ଯୋଡିଥିଲା lହେ ପାଞ୍ଚଭୂତ ଆପଣମାନଙ୍କୁ ଉତ୍ତର ଦେବାକୁ ପଡିବ l ସେ କଣ ଜଣେ ରିକ୍ସାଵାଲା ନା ଜୀବନ ରଥର ସାରଥୀ l 



Rate this content
Log in

Similar oriya story from Tragedy