Subhalaxmi Nayak

Inspirational

3  

Subhalaxmi Nayak

Inspirational

ଅଧିନାୟିକା

ଅଧିନାୟିକା

5 mins
632


ମୁଁ ଦଶମ ପଢ଼ିବା ସମୟରେ ଆନ୍ତଃ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ବାଳିକା କ୍ରିକେଟ ଦଳ ଚୟନ ପ୍ରକ୍ରିୟା ଶେଷ ହେବା ଉପରେ। କିନ୍ତୁ ଅଧିନାୟିକା ଭାବରେ କାହାକୁ ବଛା ଯିବ ଆଉ କିଏ ନିଜ ଦଳ ପାଇଁ ଖାଲି ଜିତିବା ଆଉ ଖେଳିବା ମନୋଭାବ ପୋଷଣ ନ କରି ଦଳଗତ ପ୍ରଦର୍ଶନରେ ଶ୍ରେଷ୍ଠ ବିବେଚିତ ହେବ, ସେ ନେଇ ଆମ ପିଇଟି ସାର୍ ଚିନ୍ତା କରୁଥାଆନ୍ତି। ଏତିକି ବେଳେ ଆମରି ଭିତରୁ କିଏ ଗୋଟିଏ କହିଦେଲା କି, ଯେହେତୁ ଦୁଇଜଣ ଆମ ଭିତରେ ଅଧିନାୟିକା ହେବା ପାଇଁ ଯୋଗ୍ୟା ତେଣୁ ମତଦାନ ହିଁ ଶେଷ ରାସ୍ତା, ଅଧିନାୟିକା କିଏ ହେବ ସ୍ଥିର କରିବା ପାଇଁ। କିନ୍ତୁ ସାର୍ ଦୃଢ଼ ନିଶ୍ଚିତ ଥାଆନ୍ତି ଯେ, ତାଙ୍କ ମନରେ ଯାହାକୁ ଅଧିନାୟିକା ଭାବରେ ଚୟନ କରାଯିବାକୁ ସ୍ଥିର ହୋଇଛି, ପିଲାଏ ତାକୁ ଗ୍ରହଣ କରିବେନି। କାଇଁ ନା ମୁଁ ଏକଜିଦିଆ ଆଉ ମୁହଁ ଉପରେ ଖେଳାଳି ହିସାବରେ ଭୁଲ୍ ଠିକ୍ ବିଚାର କରି ଜଣେଇ ଦିଏ ବୋଲି ଦଳରେ ସାମିଲ ନ କରାଇଦେବାକୁ ଅନେକ ଚକ୍ରାନ୍ତର ଶିକାର ହୋଇ ସାରିଛି। ତଥାପି ହଁ/ନା, ହଁ/ନା ହୋଇ ହୋଇ ଶେଷରେ ଭୋଟ୍ ଦେଇ ଅଧିନାୟିକା ସ୍ଥିର କରିବା ବୋଲି ସାର୍ ମାନିଲେ। ଏକପାଖିଆ ନିଷ୍ପତ୍ତି ଠିକ୍ ନୁହେଁ ବୋଲି ଚିନ୍ତା କରି। ସେ ଯାହାହେଉ, ପିଲାଏ ମୋତେ ସହ-ଅଧିନାୟିକା କରି ଅଧିନାୟିକା ଭାବରେ ସସ୍ମିତାକୁ ବାଛିଲେ। ମୁଁ କିନ୍ତୁ ବହୁତ ଖୁସି ଯେ, ଅଯଥା ଚିନ୍ତା କରିବା ଛାଡ଼ି ଖେଳରେ ଧ୍ୟାନ ଦେଇ ପାରିବି। ଏତିକିବେଳେ ସସ୍ମିତା ଆଉ ଅନ୍ୟ ଝିଅମାନେ ଆସି ମୋ ପାଖରେ ହାଜର। "କିରେ!ତୁ ପରା ସହ-ଅଧିନାୟିକା। ଏମିତି ବସି ଭାବୁଛୁ କ'ଣ? ବ୍ୟାଟ୍ ଉଠା ପଡ଼ିଆକୁ ଚାଲ। ଆରମ୍ଭ କରିବା ଅଭ୍ୟାସ।ଆଉ ତ ୧୦ ଦିନ ବାକି ରହିଲା। ଫାଇନାଲ ଯୁଦ୍ଧ ଯେମିତି ଆମ ସପକ୍ଷରେ ଯିବ ଆଉ ଏବର୍ଷର ବିଜୟୀ ମୁକୁଟ ଆମ ବିଦ୍ୟାଳୟ ପିନ୍ଧିବ।"-ସସ୍ମିତା କହିଲା। ମୋ ମନରେ କିନ୍ତୁ ସାର୍ ଙ୍କ ମୁହଁ ସ୍ପଷ୍ଟ ଦେଖାଯାଉଥିଲା। ତାଙ୍କର ଅସହମତି ମଧ୍ୟ, ଅଧିନାୟିକା ଚୟନ ପ୍ରକ୍ରିୟାର। ଛାଡ଼ ସରି ତ ଗଲାଣି। ଏବେ ସବୁ ସ୍ଥିର ହୋଇ ଖାଲି ଦଳର ପ୍ରଦର୍ଶନ ଆଉ କ୍ରିକେଟ୍ ଖେଳରେ ଶ୍ରେଷ୍ଠତମ ବିଦ୍ୟାଳୟ ଭାବେ ପରିଚିତ ହେବା ଲକ୍ଷ୍ୟ।

ସେ ଦିନ ଉପନୀତ। ଆମେ ସବୁ ଯାଇ କଟକର ବାରବାଟୀ ଷ୍ଟାଡିୟମ ପାଖରେ ପହଞ୍ଚି ସାରି ଥାଉ। ସାର୍ ଙ୍କର ଚିହ୍ନା ପରିଚୟ ଓସିଏର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ। ତେଣୁ ସେ ମଧ୍ୟ ନୂତନ ଖେଳାଳି ସନ୍ଧାନରେ ଥାଆନ୍ତି। ଏକାଥରେ ଫାଇନାଲ ଖେଳ ସହିତ ଖେଳାଳି ଚୟନ ପ୍ରକ୍ରିୟା ଶେଷ କରାଯିବ ବୋଲି ସମସ୍ତେ ଜାଣି ଥାଉ ଆମେ। ଷ୍ଟାଡିୟମ ଭିତରକୁ ପ୍ରବେଶ କରି ଆମ ପ୍ରତିପକ୍ଷ ଦଳ ସାମ୍ନାସାମ୍ନି ଛିଡ଼ା ହୋଇ ହାତ ମିଳାଉ ଥାଉ ଯେ, ଏତିକି ବେଳେ ଖବର ଆସିଲା, ଆମ ପିଇଟି ସାର୍ ବାଟରେ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଚେତା ନାହିଁ, କି ଅବସ୍ଥା ବି ଠିକ୍ ନାହିଁ। ମୁଁ ସାର୍-ଙ୍କର ପ୍ରିୟ ଶିଷ୍ୟା ଥିଲି। ସିଏ ମୋତେ ତାଙ୍କ ଝିଅ ଭଳି ଦେଖୁଥିଲେ। ତେଣୁ ମୁଁ ଖବର ଶୁଣି ଅତ୍ୟନ୍ତ ମର୍ମାହତ ହୋଇ ତ ଯାଇଥିଲି, ପରେ ତାଙ୍କରି କଥା ମନେ ପଡ଼ିଲା ଯେ, "ଶୁଭ! ଜୀବନର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବା ସମୟରେ ତୁମେ କେତେ ସମର୍ପିତ ସେହି କାର୍ଯ୍ୟ ପ୍ରତି ଭଗବାନ ପରୀକ୍ଷା କରନ୍ତି। ତେଣୁ କେବେ ବି ଦୋ ଦୋ ପାଞ୍ଚ ହେବୁନି, ଲକ୍ଷ୍ୟ ସ୍ଥିର ମାନେ ଅନ୍ୟମନସ୍କ ହେବାକୁ ଯେତେ ବି ଦୁର୍ଯୋଗ ଆସିଲେ ସୁଦ୍ଧା ତୁ ପର୍ବତ ସମ ସ୍ଥିର ହୋଇ ପରୀକ୍ଷା ଦେବୁ। ବାକି ସବୁ ଜଗତର ନାଥ ଜଗନ୍ନାଥ ବୁଝିବ।" ବାସ୍ ଏତିକି ତ! ଟସ୍ ପଡ଼ିଲା, ଆମ ଦଳ ଟସ୍ ଜିତିଲୁ। ଆଉ ଆଗ ବୋଲିଂ କରିବାକୁ ଆମ ଅଧିନାୟିକା ସ୍ଥିର କଲାରୁ ମୁଁ ଉଇକେଟ୍ କିପିଂ କରିବାକୁ ସଜବାଜ ହୋଇ ଛିଡ଼ା ହୋଇଥାଏ। ଚାଲିଲା ଘମାଘୋଟ ଲଢ଼େଇ, ବୋଲିଂ କୁ ବ୍ୟାଟିଂ। ସତେ ଯେମିତି ଟଣାଓଟରା ଚାଲିଛି କେହି କାହାକୁ କମ୍ ନାହିଁ, କୋଉ ଦଳ ଜିତିବ ବୋଲି କହିବା କଷ୍ଟକର। ସେମାନେ ଆମକୁ ୨୦ଓଭର୍ ରେ ସବୁ ଉଇକେଟ୍ ସାରି ୧୦୦ରନ୍ କରିବାକୁ ଲକ୍ଷ୍ୟ ଦେଲେ। ଆଉ ଆମ ଅଧିନାୟିକା ମହାଶୟାଙ୍କ ପାଦ ତଳେ ଲାଗୁ ନ ଥାଏ। ଜମାରୁ ୧୦୦! ହେଃ, ମୋତ ଏକା ହିଁ ନିଅଣ୍ଟ କହି ହେଉ ଥାଏ ଡ୍ରେସିଂ ରୁମ୍ ରେ। ମୋ ମନରେ କିନ୍ତୁ କିଛି ଅଲଗା କଥା ଚାଲିଥାଏ। ମୋତେ ଅନ୍ୟମନସ୍କ ଦେଖି ମୋତେ ପରିହାସ ଛଳରେ କହିଲା ସସ୍ମିତା, "ଆଜି ସାର୍ ନାହାଁନ୍ତି, ଦେଖାଯାଉ ଆମ ମୋଷ୍ଟ୍ ଏଲିଜିବଲ୍ ଅଧିନାୟିକା କ୍ୟାଣ୍ଡିଡେଟ୍ କ'ଣ ତୀର ମାରିବେ।" ମୋତେ ଭାରି ଦୁଃଖ ଲାଗିଲା। ଦଳକୁ ସାର୍ ଙ୍କ ଅନୁପସ୍ଥିତିରେ ଅଧିନାୟିକା ସମସ୍ତଙ୍କ ମନୋବଳ ଦୃଢ଼ କରିବା ଉଦ୍ଦେଶ୍ୟରେ ରଖାଯାଇଥାଏ, କିନ୍ତୁ ଏଠି ଓଲଟା। ଛାଡ଼! ସାର୍ ଙ୍କ କଥା ହେଉ ଆଜି, "ଜଗତର ନାଥ ଜଗନ୍ନାଥ ବୁଝିବ...." ।ଆମର ବ୍ୟାଟିଂ ଆରମ୍ଭ ହେଲା। ଓପନର୍ ଖେଳାଳି ଯଥାକ୍ରମେ ୫ ଓ ୯ କରି କ୍ୟାଚ୍ ଆଉଟ୍ ହୋଇ ବ୍ୟାକ୍ ଟୁ ପ୍ୟାଭିଲିୟନ୍ ହେଲା ପରେ, ଆମର ଅଧିନାୟିକା ମହାଶୟା ପଡ଼ିଆକୁ ଓହ୍ଲାଇଲେ। ନିଜର ଓଭର୍ କନଫିଡେନ୍ସ୍ ଗୁଣ ପାଇଁ ୨୦ କରି ଆଉଟ୍ ହୋଇ ମୁହଁ ଫଣଫଣ କରି ଫେରିଲା ବେଳେ ମୁଁ ଯିବାକୁ ବାହାରିବାରୁ ମୋତେ ଅଟକାଇ ଦେଇ ଆଉ ଜଣକୁ ପଠାଇଲା। ମୁଁ ତ ରୋକଠୋକ୍ କହିଲା ପିଲା। ତାକୁ ବୁଝେଇଲି ଯେ, ଭୁଲ୍ ଖେଳ ନୁହେଁ ତୁ ତୋର ଓଭର୍ କନଫିଡେନ୍ସ୍ ଗୁଣ ପାଇଁ ଖେଳି ପାରିଲୁନି। କିନ୍ତୁ ସିଏ ମୁହଁ ମୋଡ଼ି ଦେଇ ପଛରେ ଯାଇ ବସିଲା। ଆଉ ପଡ଼ିଆକୁ ଅନ୍ୟ ପିଲାଙ୍କୁ ଜଣେ ପରେ ଜଣେ ପଠାଉ ଥାଏ। ମୁଁ ମୋର ଅପେକ୍ଷା କରିଥାଏ, ତାଙ୍କ ବୋଲିଂ କରିବା ଶୈଳୀକୁ ନିରୀକ୍ଷଣ କରି ମନେମନେ କେମିତି ଖେଳିବି ଭାବୁଥାଏ। ଶେଷରେ ୭ ନଂ ଉଇକେଟ୍ ଭାଗିଦାରୀରେ ମୋ ପାଳି ଆସିଲା। ସେତେବେଳକୁ ଆମ ଦଳର ପ୍ରଦର୍ଶନ ଅତି ଶୋଚନୀୟ ପରାଜୟ ଆଡ଼କୁ ଯିବା ଥୟ ବୋଲି କମେଣ୍ଟ୍ ଚାଲିଥାଏ। ସସ୍ମିତା ସେତେବେଳକୁ କାନ୍ଦୁଣୁମାନ୍ଦୁଣୁ ଅବସ୍ଥା। ମୁଁ ଉଠିକି ଆସୁଥାଏ ଯେ ପଛରୁ ଭିଡ଼ି ଧରି ହାତକୁ କହିଲା, "ଶୁଭ! ସାର୍ ଙ୍କ ବିଶ୍ୱାସ ଆଜି ଜିତିବ ତ!"

ମୁଁ ତ କର୍ମଯୋଗରେ ବିଶ୍ୱାସ ରଖେ। ତେଣୁ କିଛି ଚମତ୍କାରିତା ଲୋଭରେ ନ ରହି ମୁଣ୍ଡ ଟୁଙ୍ଗାରି "ଦେଖିବା" ବୋଲି କହି ପଡ଼ିଆ ଭିତରକୁ ପ୍ରବେଶ କଲି। ଆମ ଦଳ ଆଗରେ ୫୬ ରନ୍ ୩ ଉଇକେଟ୍ ଭାଗିଦାରୀରେ କରିବାକୁ ଲକ୍ଷ୍ୟ। ସସ୍ମିତା ଭାବୁଥାଏ କିଛି ଚମତ୍କାର ହିଁ ଆମକୁ ଜିତେଇ ପାରିବ। ନହେଲେ ଆମ ଦଳ ପାଇଁ ଏତେ ସହଜ ନୁହେଁ, ବିପକ୍ଷ ଦଳର ବୋଲର୍ ମାନଙ୍କ ଆଗରେ ତିଷ୍ଠିବା ବୋଲି କହି ଦେଇଥାଏ। ମୋର ବ୍ୟାଟିଂ ଆରମ୍ଭ। ପ୍ରଥମ ବଲ୍ ଆସିଲା ୱାଇଡ୍ ହେଇ। ଆଉ ତାପରେ ଗୋଟିଏ ମୋ ମୁଣ୍ଡର ଠିକ୍ ଉପରେ ଗଲା। ମୁଁ ବି ଜାଣି ସାରିଲିଣି, ବ୍ୟାଟିଂ ତ ହେବ କିନ୍ତୁ ଜିତିବା ପାଇଁ ଚେଷ୍ଟା କରି ବିଫଳ ହେଲେ ଦୁଃଖ ନାହିଁ। ଖେଳ ସରିଲେ ଆଗ ସାର୍ ଙ୍କୁ ଦେଖିବାକୁ ଯିବି। ମନେ ମନେ "ଜୟ ଜଗନ୍ନାଥ" କହି ବ୍ୟାଟ୍ ବୁଲେଇ ଚାଲିଥାଏ। ଆଉ ଦେଖୁ ନ ଥିଲି କ'ଣ କୁଆଡ଼େ ହେଉଛି। ଏତିକି ବେଳକୁ ମାଇକ୍ ରେ ଶୁଭିଲା ୩ ବଲ୍ ୮ ରନ୍ ବାକି। ଶେଷ ଓଭର୍। ଶେଷ ଉଇକେଟରେ ଖେଳ ଚାଲିଛି। କିଛି ବି ହୋଇପାରେ। ସାମ୍ନାରେ ବଲ୍ ଆସିଲା ଗୋଟିଏ, ଗଲା ୬ ହୋଇ। ଆଉ ୨ ବଲ୍ ୨ ରନ୍।ବିପକ୍ଷ ଦଳ ବି ଚିନ୍ତାରେ ଏବେ। ଏମିତି କେମିତି ଖେଳ ବୁଲିଗଲା? ଏ ମ୍ୟାଚ ଏକପାଖିଆ ହୋଇ ସାରିଥିଲା ତ! ଏ କ'ଣ ହେଲା! ପୁଣି ଗୋଟାଏ ବଲ୍ ଆସିଲା, ମୁଣ୍ଡ ଉପରେ ଗଲା ମୋର। ବାକି ରହିଲା ଶେଷ ବଲ୍, ଶେଷ ଉଇକେଟରେ ୨ ରନ୍। ସେପଟେ ବିପକ୍ଷ ଦଳର ଅଧିନାୟିକା ଭାରି ଖୁସି। ଗୋଟିଏ ହିଁ ସୁଯୋଗ, ଏଇଟା ଗଲା ତ, ସେମାନେ ବିଜୟୀ ମୁକୁଟ ପିନ୍ଧିବେ। ମୋ ହାବଭାବକୁ ନିରୀକ୍ଷଣ କରି ସିଏ ବି ଓଭର୍ କନଫିଡେନ୍ସ୍ ସ୍ଥିତିକୁ ଚାଲିଗଲା। ଏଥର ବଲ୍ ପଡ଼ି ସାରିଥିଲା, ମୁଁ ବ୍ୟାଟିଂ ବି କରି ସାରିଥିଲି, ବଲ୍ ୬ ହେବ କି କ୍ୟାଚ୍! ବାଉଣ୍ଡାରି ଡେଇଁ ଯେତେବେଳେ ବଲ୍ ସେପଟକୁ ଗଲା, ମୁଁ ବସି ପଡ଼ିଲି ସେଇଠି ପଡ଼ିଆରେ। ଗୋଟିଏ ସୁନ୍ଦର ସୁଉଚ୍ଚ ଛକା ସହିତ ଆମ ଦଳ ବିଜୟୀ ହୋଇ ସାରିଥିଲା। ଆମ ଦଳ ଦୌଡ଼ିକି ମୋ ଆଡ଼କୁ ଖୁସିରେ ଆସୁଥିବାର ଦେଖି ମୁଁ ଉଠି ଓଲଟା ଦୌଡ଼ିଛି, ପଡ଼ିଆ ବାହାରକୁ ଆଉ ବାପା ତ ଖେଳ ଦେଖୁଥିଲେ ବସି, ତାଙ୍କୁ ଅନୁରୋଧ କରି ସିଧା ଡାକ୍ତରଖାନା ମୁହାଁ ସାର୍ ଙ୍କ ପାଖକୁ। ସାର୍ ଙ୍କ ମୁହଁରେ ହସ ଦେଖି ମୁଁ ବୁଝି ବି ପାରିଲିନି, ସାର୍ କାହିଁକି ହସୁଛନ୍ତି। ଆମେ ଜିତିବା ଖବର ତ ଏତେ ଶୀଘ୍ର ଶୁଣି ନ ଥିବେ। ତାହେଲେ ହସ କାହିଁକି? ସାର୍ ଏତିକି କହିଲେ, "ଅଧିନାୟିକା ତୁ ମୋ ପାଇଁ ସବୁବେଳେ ଥିଲୁ, କିନ୍ତୁ ତୋତେ ଟ୍ରମ୍ପ୍ କାର୍ଡ଼ କରି ରଖିଥିଲି ପଛକୁ। ଆମ ଦଳ ତ ଜିତିଛି ମୁଁ ଜାଣେ। ଆଉ ଜିତିବାର ମୁଖ୍ୟ ଭୂମିକା ତୁ ନେଇଛୁ, ଏଇଟା ବି ଜାଣିଛି। କିନ୍ତୁ ତୋର ପୁରସ୍କାର ପାଇବା ସମୟରେ ଏଠି ମୋ ପାଖରେ କ'ଣ କରୁଛୁ?" ମୁଁ ସାର୍ ଙ୍କ ପାଦ ପାଖରେ ଛିଡ଼ା ହୋଇ ଥାଏ, କାନ୍ଦି ପକେଇଲି। ମୋ ଉପରେ ବିଶ୍ୱାସ ଦେଖାଇ ମୋତେ ଶୀର୍ଷ ଆସନରେ ନୁହେଁ, ଦଳର ଦରକାରୀ ସମୟରେ ଭାଗିଦାରୀ ହେବାର ସୁଯୋଗ ଦେଇଥିବାରୁ ଆଉ ସବୁ ଉପରେ ଆମ ସାର୍ ଙ୍କୁ ଏତେ ବଡ଼ ଦୁର୍ଘଟଣାରୁ ରକ୍ଷା କରି ସକୁଶଳ ଫେରାଇ ଦେଇଥିବାରୁ ଜଗା ତୋତେ କୋଟି କୋଟି ପ୍ରଣାମ। ସତରେ ସେଇ ଦିନ ବୁଝିଲି, ଖାଲି ମୁକୁଟ ପିନ୍ଧିଲେ ଜଣେ ଯେ, କାର୍ଯ୍ୟ କରିବା ପାଇଁ ଦାୟିତ୍ବବାନ ହୁଏ, ତାହା କେବେ ନୁହେଁ। ଜଣେ ଦାୟିତ୍ୱବୋଧ ରହିବା ଭଳି କାର୍ଯ୍ୟ କରିବାର କ୍ଷମତା ରଖିବା ହିଁ ପ୍ରକୃତ ଅଧିନାୟକର ପରିଚୟ।



Rate this content
Log in

Similar oriya story from Inspirational