STORYMIRROR

Aravinda Das

Inspirational

4  

Aravinda Das

Inspirational

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

3 mins
480


ବାତ୍ୟା ରିପୋର୍ଟିଂ ସାରି,ପାହାଡିଆ ରାସ୍ତାରେ ଫେରିଲା ବେଳକୁ ବାଟରେ ମଟର ସାଇକେଲ ଖରାପ।

ମେକାନିକ କେଉଁଠି ମିଳିଵ ?ଚିନ୍ତାରେ ପଡ଼ିଲା ସ୍ୱରାଜ ।ନିଜ ଉପରେ ଓ ଚ୍ୟାନେଲ ଉପରେ ବିରକ୍ତି ଆସୁଥିଲା।ସାଙ୍ଗରେ କାହାକୁ ହେଲେ ଆଣିଥାନ୍ତା ସେ।

 ବାତ୍ୟା ପରେ ଚାରିଆଡ଼ ଖାଁ ଖାଁ ଲାଗୁଥିଲା।ପାହାଡ଼ରୁ ଅତଡା ଖସିବ ବୋଲି ବହୁତ ଜାଗାରୁ ଲୋକଙ୍କୁ ସ୍ଥାନାନ୍ତରୀଣ କରାଯାଇଥିଲା ସରକାରଙ୍କ ତରଫରୁ।

 

 କିଛି ବାଟ ମଟର ସାଇକେଲ ଠେଲିଲା ପରେ ରାସ୍ତାରେ ଗୋଟେ ଘର ଦିଶିଲା।ସ୍ୱରାଜ ର ମନେପଡ଼ିଲା ଗତକାଲି ଏଇ ରାସ୍ତା ଦେଇ ଗଲା ବେଳେ ସେଇ ଛୋଟ ଜଳଖିଆ ଦୋକାନଟା ତା ଆଖିରେ ପଡ଼ିଥିଲା।

-ମଉସା କିଛି ଖାଇବାକୁ ଅଛି କି ?"

ଦୋକାନରେ ବସିଥିବା ବୁଢ଼ାକୁ ପଚାରିଲା ସ୍ୱରାଜ।

-ଜଳଖିଆ ନାଇଁ।ଶୁଖିଲା ବରା ଦୁଇଟା ପଡିଛି।ଭାତ ଖାଇବ କି ବାବୁ ?ତେବେ ମିଲରେ ଆଜି ଖାଲି ଭାତ,ଡାଲି ,ଆଳୁ ଭର୍ତ୍ତା।ଚଳେଇ ପାରିବ ତ ?"

 ସ୍ୱରାଜ ନିଜ କାନକୁ ବିଶ୍ବାସ କରିପାରୁ ନଥିଲା।ଭୋକରେ ସେ ଆଉଟୁପାଉଟୁ ହେଉଥିଲା।

-ଭାତ ଅଛି ମଉସା ?ଜଲଦି ଦିଅ।ସେ ବରା ଦୁଇଟା ବି ଦିଅ।ଭାରି ଭୋକ।ଟିଭି ରେ ନିଉଜ ଦେଖାଉ ଆମେ।ତମ ଏରିଆ କଭର ପାଇଁ ଆସିଥିଲି।ବାତ୍ୟାରେ ତମର କଣ କ୍ଷତି ହୋଇଛି ମଉସା ?"

  ଘର ଭିତରେ ବସିଥିବା ବୃଦ୍ଧାଙ୍କୁ କହିଲା ,"ବାବୁଙ୍କ ପାଇଁ ଥାଳି ଆଣ।"କହି ବରା ଦୁଇଟା କାଢ଼ିଲା।

ଭିତରୁ ବୁଢ଼ୀ କହିଲା,"ସେ ଶୁଖିଲା ବରା ଦୁଇଟା ଦିଅ ମୋତେ,ରସୁଣ ଲଙ୍କା ଛେଚି ପାଗ କରିଦେବି।"


 ଖଲି ପତ୍ରରେ ଗରମ ଉଷୁନା ଭାତ,କାନ୍ଦୁଲ ଡାଲି, ଆଳୁ ଭର୍ତ୍ତା ଓ ବରା ଛେଚା ବଢ଼ା ହୋଇଥିଲା ଟେବୁଲ ଉପରେ।କଡ଼ରେ ଟିକେ ଆଚାର।ହାଉଁ ହାଉଁ ହୋଇ ସବୁ ଖାଇଦେଲା ସ୍ୱରାଜ। ଜୀବନରେ ଏମିତି ତୃପ୍ତି ସେ ବୋଧେ ଆଗରୁ ପାଇ ନଥିଲା।ବରା ଛେଚା ବି ସେ ଆଗରୁ ଖାଇନଥିଲା।

-ମାଉସୀଙ୍କ ହାତରେ ଯାଦୁ ଅଛି।କେତେ ଟଙ୍କା ହେଲା ମଉସା ?

- ୧୦ ଟଙ୍କା ମିଲ ପାଇଁ ବାବୁ।ଚାରି ଟଙ୍କା ବରା ପାଇଁ।ଚଉଦ ଟଙ୍କା ହେଲା।


ଚମକି ପଡ଼ିଲା ସ୍ୱରାଜ।ଏତେ କମ ଦାମ !ମାତ୍ର ଚଉଦ ଟଙ୍କା !ସରକାର ସିନା ଆହାର କେନ୍ଦ୍ରରେ ପାଞ୍ଚ ଟଙ୍କା ଦାମ ରଖିଛି।ହେଲେ ଏଇ ଅଞ୍ଚଳରେ ଏତିକି ଦାମରେ ବିକି କେମିତି ଚଳୁଛି ବୁଢ଼ା ?ତାହା ପୁଣି ଏଇ ବାତ୍ୟା ସମୟରେ ? ଆଉ କିଏ ହୋଇଥିଲେ ଶହେ,ଦେଢ଼ଶ ହାଙ୍କିଥାନ୍ତା।

- ମଉସା, ମିଲ ଦାମ ମାତ୍ର ଦଶ ଟଙ୍କା ?"

- ବାପା, ମୋ ବାପା,ଜେଜେ ବାପା ଅମଳର ଏଇ ଦୋକାନ।ପ୍ରଥମେ ଖାଲି ଚା,ପରେ କେଵଳ ଇଟିଲି ଓ ଅନେକ ଦିନ ପରେ ଭାତ ଡାଲି ବିକିବା ଆରମ୍ଭ ହେଲା।ଆଜି ବି ଆମ ଦୋକାନରେ ଇଟିଲି ବରା ଦୁଇଟଙ୍କା,ମିଲ ଦଶ ଟଙ୍କା।ଗରିବ ନୋକ ଆମେ ବାବୁ,ଗରିବଙ୍କ ପେଟ ଓ ପକେଟ ବୁଝିବାକୁ ହୁଏ।ଏଇ ଆଖ ପାଖରେ ଜାଳ କାଠ ବିକି ଲୋକ ଗୁଡା କେତେ ରୋଜଗାର କରିବେ ଆଉ ଖର୍ଚ୍ଚ କରିବେ ?ଆମର ଭଗବାନଙ୍କ ଦୟାରୁ ଚାଷ ଜମି ଅଛି,ପିଲାଛୁଆ ନାହାନ୍ତି।ବାସ୍ ଲୋକଙ୍କ ସେବା ପାଇଁ ଦୋକାନ ଚଳେଇଛୁ।ଟଙ୍କା ବେଶୀ ଲାଭ କରି କେଉଁ କୋଠା ବାଡେଇବୁ ?


  ପର୍ସ ଖୋଲିଲା ସ୍ୱରାଜ।ଧେତ !ଦୁଇଟା ପାଞ୍ଚଶ ଟଙ୍କିଆ ନୋଟ ପଡିଛି।ଚେଞ୍ଜ ନାହିଁ।ଅବଶ୍ୟ ଏଟିଏମ କାର୍ଡ ପଡିଛି।

- ପୁଅ ରେଜା ଦିଅ।ଏଠି ଏତେ ଟଙ୍କା କିଏ ଭଙ୍ଗେଇବ ?

- ଆପଣଙ୍କର ପେଟିଏମ କିମ୍ବା ବ୍ୟାଙ୍କ ସ୍ବାଇପ ମେସିନ ଅଛି ?କାର୍ଡ ପେମେଣ୍ଟ କରିଦେବି।"

  ହାତରେ ତିନି ଚାରିଟା କାର୍ଡ ଧରି ପଚାରୁଥିଲା ସ୍ୱରାଜ।

- ସେସବୁ କିଛି ନାହିଁ ବାପା।

  କଣ କରିବ ଚିନ୍ତା କରୁଥିଲା ସ୍ୱରାଜ।ବୁଢ଼ାକୁ ପଇସା ନଦେଇ କେମିତି ଚାଲିଯିବ ?ତା ବିବେକ ବାଧା ଦେଉଥିଲା।ଚିହ୍ନା ଜଣା ନାହିଁ।

- ମଉସା ,ତମେ ପାଞ୍ଚଶ ଟଙ୍କା ରଖ।ପରେ କେବେ ମୁଁ ଆସିଲେ ବଳକା ଟଙ୍କା ନେଇଯିବି।ମୁଁ ଏଠିକା ଲୋକ ନୁହେଁ କି ଆମର ଜଣାଶୁଣା ନାହିଁ।


 ପଛପଟୁ ହସିଦେଇ ବୁଢ଼ୀ କହିଲା,"ଏଥିରେ ଜଣାଶୁଣା ପ୍ରଶ୍ନ କାହିଁକି ? କଣ ଦିଇଟା ଖାଇଲ ଯେ ଟଙ୍କା ପାଇଁ ଏମିତି ବ୍ୟସ୍ତ ହୋଇପଡୁଛ ପୁଅ।ସେଥିରେ ପୁଣି ବର୍ଷା ପାଇଁ ପରିବାପତ୍ର ନାହିଁ।ଆମ ପାଇଁ ରାନ୍ଧିଥିବା ମୁଠାରୁ ତମେ ଖାଇଲ।ଆମ ଅଞ୍ଚଳ କଥା ଦେଖାଇବାକୁ ଏତେ କଷ୍ଟ କରୁଛ।ଏଇ ଚଉଦ ଟଙ୍କା ନନେଲେ କଣ ଆମେ ଗରିବ ହୋଇଯିବୁ ନା ତମ ପାଖରେ ରହିଲେ ତମେ ବଡ଼ ନୋକ ହୋଇଯିବ?୧୪ ଟଙ୍କା ଜାଗାରେ ପାଞ୍ଚଶ ରଖିଲେ ଆମକୁ ଧରମ ସହିବ ?ବାବୁ, ଦେଖିକି ଯିବ ଏଇ ପାହାଡିଆ ରାସ୍ତା।"


 ବୁଢ଼ା କହିଲା,"ଚିହ୍ନା ଅଚିହ୍ନା କଣ ବାବୁ ?ଆଜି ଦେଖା ହେଲା,ଆମର ଚିହ୍ନା ପରିଚୟ ହୋଇଗଲା।ଲୋକକୁ ନୁହେଁ,ମଣିଷକୁ ଚିହ୍ନିବା ଦରକାର।ତମ ମୁହଁକୁ ଦେଖି ମୁଁ ସାଙ୍ଗେ ସାଙ୍ଗେ ଜାଣୁଥିଲି ତମ ପେଟ ଭୋକ କଥା।ଅଚିହ୍ନାପଣ କେଉଁଠି ରହିଲା ?

 ଯେତେ କହିଲେ ବି ବୁଢ଼ା ବୁଢ଼ୀ ଶୁଣିଲେନି।ରାସ୍ତାରେ ଫେରିଲା ବେଳେ ମୋବାଇଲରେ ମେସେଜ ପାଇଲା ସ୍ୱରାଜ।।


ଭୁବନେଶ୍ବରରେ କଳାବଜାରୀ ମାତିଛନ୍ତି।ଦଶ ଟଙ୍କା ପାଣି ବୋତଲକୁ ପଚାଶ ଟଙ୍କା।ଘଣ୍ଟାଏ ଜେନେରେଟରକୁ ଦୁଇହଜାର ଟଙ୍କା।ଲୋକଙ୍କ ପାଖରେ ମାନବିକତା ହଜି ଯାଉଥିବା ବେଳେ ସେଇ ପାହାଡିଆ ଅପନ୍ତରା ଗାଁ ର ବୁଢ଼ା ମଣିଷ ସତରେ ନିଆରା।ଲାଭଖୋର ବେପାରୀ ଗୁଡାକ ସତରେ ବିବେକ,ମଣିଷପଣିଆ ଭୁଲି କେଵଳ ବେପାର କରୁଛନ୍ତି;ବେପାରୀ ହିଁ ହୋଇଯାଉଛନ୍ତି।ଦେଖନ୍ତେ ଥରେ ଆସି ଏଇ ଅପାଠୁଆ ବୁଢ଼ା ,ବୁଢ଼ୀଙ୍କୁ ,ଯିଏ ବେପାରକୁ ମଣିଷ ଧର୍ମ ବୋଲି ଗ୍ରହଣ କରିଛନ୍ତି।ଅଚିହ୍ନା ମଣିଷକୁ ବି ନିଜର କରିପାରୁଛନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational