Dr Jagatabandhu Mohapatra

Tragedy Classics

4.8  

Dr Jagatabandhu Mohapatra

Tragedy Classics

ଅଭୁଲା ଅତୀତ

ଅଭୁଲା ଅତୀତ

6 mins
195


ସହରର ଗୋଟେ ବୃଦ୍ଧାଶ୍ରମକୁ ନୂଆ ହୋଇ ଆସିଥାନ୍ତି, ଭୁବନାନନ୍ଦ ତ୍ରିପାଠୀ I ସେ ଏଠିକି ଆସିବା ପରଠୁ ବହୁତ ଭାବୁକ ହୋଇ ପଡିଛନ୍ତି, କାହିଁକି କେଜାଣି ? ସେ ବାରମ୍ବାର ଝୁରି ହେଉଛନ୍ତି, ତାଙ୍କର ସେହି ପୁରୁଣା ଦିନ ସବୁକୁ ! ନନା, ବୁଢା ବାପାଙ୍କ ଅମଳର ସମୟ ସବୁକୁ I ଚଳଚ୍ଚିତ୍ରର ରିଲ୍ ପରି ଗୋଟିଏ ଗୋଟିଏ ଦୃଶ୍ୟ ତାଙ୍କ ଆଖି ଆଗରେ ନାଚି ଉଠୁଛି I ସେ ଭୁବନାନନ୍ଦ ତ୍ରିପାଠୀ I ମାଣିକପୁର ପାଟଣା ଗାଁର ମହାଦେବ ତ୍ରିପାଠୀଙ୍କ ପୁଅ I ସେ ଥିଲେ, ଏକ ଆଭିଜାତ୍ୟ ପୂର୍ଣ୍ଣ ଜମିଦାରୀ ଘରର ସନ୍ତାନ I ତାଙ୍କର ଥିଲା, ସେତେବେଳେ ୧୬ ବାଟି ସମ୍ପତ୍ତି I କୁହାଯାଏ, ମହାଦେବ ତ୍ରିପାଠୀଙ୍କ ନାଁ ଶୁଣିଲେ ଗର୍ଭିଣୀ ଗାଈ ବି ବାଟ ଛାଡିଦିଏ I ଭୁବନାନନ୍ଦ ଏତେ ବଡ ଜମିଦାରୀ ଘରେ ଜନ୍ମ ହୋଇଥିଲେ, ବି ଭଲ ପାଠ ପଢୁଥିଲେ I ସେତେବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ଵର୍ଣ୍ଣ ପଦକ ଲାଭ କରି କୃତିତ୍ଵର ସହ ଏମ. ଏ. ପାସ କରିଥିଲେ I କିନ୍ତୁ ନନାଙ୍କ ଆଦେଶରେ ସରକାରୀ ଚାକିରୀ କରି ନଥିଲେ I ସ୍କୁଲ ଶିକ୍ଷା ଶେଷ ହେବା ଯାଏଁ, ଗାଁରେ ସେ ରହୁଥିଲେ I କେତେ ସମ୍ମାନ ମିଳୁଥିଲା, ତାଙ୍କୁ I ସବୁ କାମ କରିବାକୁ ଲୋକବାକ ଥିଲେ I ସତରେ ଆମ ଘର କେତେ ଗହଳି ରହୁଥିଲା, ସବୁବେଳେ I ହଳିଆ, ମୁଲିଆ, ଗଉଡ ସବୁବେଳେ ଘରକୁ ଯିବା ଆସିବା କରୁଥିଲେ I ଗାଈ, ବଳଦ, ଛେଳି ସବୁ ଆମ ଘରେ ଥିଲେ I ପାଞ୍ଚ ପାଞ୍ଚ ଜଣ ପିଉସୀ, ତାଙ୍କ ପିଲାମାନେ, ମାମୁଁ ଘର ଲୋକ ଆଉ ଅନ୍ୟାନ୍ୟ ସ୍ନେହ ସମ୍ପର୍କ ବଂଧୁବାନ୍ଧବମାନେ ବି ଘରକୁ ଆସୁଥିଲେ I ଯୌଥ ପରିବାରର ଚଳଣି, ପିଲାଛୁଆଙ୍କ ଗହଳି, ଓଷା, ବାହାଘର, ବ୍ରତଘର, ପୁଣ୍ୟପର୍ବ, ରଜ, ଦଶହରା, କୁମାର ପୂର୍ଣ୍ଣିମା, ଦୋଳ ଆଉ ଝୁଲଣରେ ସମସ୍ତେ ଏକାଠି ହେବା ତଥା ସାଙ୍ଗ ସାଥିମାନଙ୍କ କଥା ସବୁ ଆଖି ଆଗରେ ଭାସି ଯାଉଥିଲା I ଆମ ଗାଁ ଘର ଦୁଆରେ ଆମ ଅଞ୍ଚଳର ଯାହାର ଯାହା ସୁବିଧା ଅସୁବିଧାର ଶୁଣାଣି ହେଉଥିଲା I ନ୍ୟାୟ, ନିଶାପ ବି ଆମ ଦୁଆରେ ହେଉଥିଲା I ଆମ ପରିବାର ପ୍ରତି ଲୋକଙ୍କର ପ୍ରବଳ ସମ୍ମାନ ଥିଲା I ସେ ଅଞ୍ଚଳର ମୁଖ୍ୟ ହିସାବରେ ଆମ ପରିବାରକୁ ଅଗ୍ରାଧିକାର ଦିଆଯାଉଥିଲା I ଘର ଆଗରେ ଜମି ଧରିବାକୁ ଆଉ ଗୁହାରି କରିବାକୁ ବହୁତ ଲୋକ ରୁଣ୍ଡ ହେଉଥିଲେ I ମୋର ମନେ ଅଛି, ରାସ୍ତା କରିବାକୁ ସେତେବେଳେ ବୁଢା ବାପା ଦୁଇ ଏକର ଜାଗା ବିନା ସ୍ଵାର୍ଥରେ ଦେଇଦେଇଥିଲେ I ବାପା ଗାଁରେ ଡାକ୍ତରଖାନା କରିବାକୁ ବି ଜାଗା ଦେଇଥିଲେ I ସେତେବେଳେ ପରିବାରର କୌଣସି ବି ସଦସ୍ୟ ନିଜକୁ ଏକୁଟିଆ ବୋଲି ଭାବୁ ନଥିଲେ I ବୁଢା, ବୁଢୀମାନଙ୍କର କୌଣସି ଚିନ୍ତା କରିବାର କିଛି ନଥିଲା I ସବୁ ସମୟରେ କେହି ନା କେହି ସେମାନଙ୍କ ସେବା କରିବା ପାଇଁ ସେମାନଙ୍କ ପାଖରେ ରହୁଥିଲେ I ଆଜିକାଲି ପରି ସେତେବେଳର ସମାଜ ଏତେ ବିକାଶ କରି ନଥିଲା I କିନ୍ତୁ ସମସ୍ତଙ୍କ ପାଖେ ମଣିଷ ପଣିଆ ଥିଲା, ଭଲ ପାଇବା ଥିଲା ଆଉ ସୁବିଧା ଅସୁବିଧାରେ ଠିଆ ହେବାର ଯଥେଷ୍ଟ ଭରସା ବି ମିଳୁଥିଲା I ପିଲାମାନେ କ’ଣ ପଢିଲେ କି ନ ପଢିଲେ ସେ ବିଷୟ କେହି ବି ବୁଝୁ ନଥିଲେ I ପିଲା ସ୍କୁଲ ଗଲେ କି ନାହିଁ, କ’ଣ ପଢିଲେ, ବହିପତ୍ର ଅଛି କି ନାହିଁ, ସେ ସବୁ ଦିଗ ପ୍ରତି ସବୁ ବାପା, ମା’ ଏତେ ଯତ୍ନଶୀଳ ନ ଥିଲେ I ଏବେ ଯେମିତି ପାଠ ପଢାର ବୋଝକୁ ପିଲାମାନଙ୍କ ଉପରେ ଲଦିବା ସହିତ ତାଙ୍କ ବାପା, ମା’ଙ୍କ ଉପରେ ବି ଲଦା ଯାଉଛି, ସେତେବେଳେ ଏହାର ଉପଲବ୍ଧି କେହି ବି କରୁ ନଥିଲେ I ପାଠ ପଢାରେ ପ୍ରତିଯୋଗିତା ବି ଏତେ ନ ଥିଲା I ଏବେ ବି ମନେ ଅଛି, ବୁଢା ବାପା ପ୍ରଥମ ବ୍ୟକ୍ତି ଥିଲେ, ଯିଏ ଆମ ଅଞ୍ଚଳକୁ ଆଗ ସାଇକେଲ ଆଣିଥିଲେ I ଶୂନ ଗାଡିକୁ ସେତେବେଳେ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା I ନନା ଯେତେବେଳେ ପ୍ରଥମେ ରାଜଦୂତ ଗାଡି ଆଣିଥିଲେ, ଆଉ ଘରକୁ ଆଣିବା ପୂର୍ବରୁ ମଙ୍ଗଳା ମନ୍ଦିରରେ ଗାଡି ପୂଜା ପାଇଁ ଅଟକିଥିଲେ I ଆମ ଅଞ୍ଚଳ ଲୋକ ସେଠାରେ ଯାଇ ଜମା ହୋଇଥିଲେ I ଏବେ ତ ବହୁତ କିଛି ବଦଳି ଯାଇଛି I ସେତେବେଳେ ଆମେ ଶଗଡ ଗାଡିରେ ଯିବା ଆସିବା କରୁଥିଲୁ I ମନୋରଂଜନ ପାଇଁ ତ କେବଳ ରେଡିଓ ହିଁ ଥିଲା I ତା’ ଛଡା ସାଙ୍ଗ ସାଥୀଙ୍କ ମେଳରେ ଅଧିକା ସମୟ ବିତୁଥିଲା I କିନ୍ତୁ ଏବେ ଛୋଟ ଛୁଆ ଜନ୍ମ ହେବା ପରଠୁ ତାକୁ ମୋବାଇଲ ଦିଆଯାଉଛି I ଆଜିକାଲି ଟେକ୍ନୋଲୋଜି ବହୁତ ଆଗକୁ ଆଗେଇଛି, ସମସ୍ତଙ୍କର ସାଙ୍ଗ ତ ସ୍ମାର୍ଟ ଫୋନ ହୋଇଯାଇଛି I ସୋସିଆଲ ମିଡ଼ିଆ ଦ୍ଵାରା ଖୁବ କମ ସମୟରେ ଖବର ମାନ ଚାରିଆଡେ ଖେଳିଯାଉଛି I ସ୍ମାର୍ଟ ଫୋନରେ କ୍ରିକେଟ ଠାରୁ ଆରମ୍ଭ କରି ଲୁଡୁ ଖେଳ ବି ହେଉଛି I ଲୋକମାନେ ଦିନରେ କାମ କରିବାକୁ ଯାଆନ୍ତି I ସନ୍ଧ୍ୟା ସମୟରେ ଭାଗବତ ଟୁଙ୍ଗୀରେ ଭାଗବତ ଶୁଣିବାକୁ ଯାଆନ୍ତି I ସମସ୍ତଙ୍କ ଘରେ ସଞ୍ଜବତୀ ଲଗା ହୁଏ I ଯେ କୌଣସି ପର୍ବପର୍ବାଣୀରେ ସମସ୍ତେ ଏକାଠି ହୋଇ କାମ କରନ୍ତି I ଠାକୁରଙ୍କ ଭୋଗ ଖିଆ ହେଉ ବା ଗାଁ ବୁଲା ହେଉ, ସବୁ କାମ କରିବା ପାଇଁ ଆଗ୍ରହରେ ଲୋକ ବାହାରି ଥାନ୍ତି I ଏବେ ପରିସ୍ଥିତି ବଦଳିଛି, ଲୋକେ ଗାଁକୁ ଛାଡି ସହର ମୁହଁI ହେଲେଣି I ଗାଁରେ ଭାଇଚାରାର ବନ୍ଧନ ଧୀରେ ଧୀରେ ହୁଗୁଳିବାକୁ ଲାଗିଲାଣି I ଗ୍ରାମ୍ୟ ଜୀବନର ସେତେବଳର ମିଠାପଣ ବି କମି ଗଲାଣି I ରାଜନୀତିର ପଶାପାଲିରେ ଗ୍ରାମ୍ୟ ଜୀବନ ବି ଭାଙ୍ଗିବାକୁ ବସିଲାଣି I  

ଏବେ କିନ୍ତୁ ସେ ସମୟ ଆଉ ନାହିଁ, କି ପୂର୍ବର ସେ ଖାତିର ବି ଆଉ ନାହିଁ I ସମୟ ବହୁତ ଆଗକୁ ଆଗେଇ ଗଲାଣି I ଏବେ ଭୁବନାନନ୍ଦ କେବଳ ତାଙ୍କ ପରିବାରର ସାଙ୍ଗିଆକୁ ଧରି ଅଛନ୍ତି I ହେଲେ ତା’ ପଛରେ ଥିବା ଓଜନ ଆଉ ନାହିଁ I ଉଡି ଯାଇଛି କର୍ପୁର, ପଡିଛି କେବଳ କନା I ଧୀରେ ଧୀରେ ଜମିଦାରୀ ପ୍ରଥା ଲୋପ ପାଇବାକୁ ଲାଗିଲା I ନନା ଆଉ ବୁଢା ବାପାଙ୍କ ସେତେବେଳର ପ୍ରତିପ୍ରତ୍ତି ଧୀରେ ଧୀରେ ମୋ ଅମଳରେ କମିବାକୁ ଲାଗିଥିଲା I ଜମିଦାର ଭାବେ ଯେଉଁ ସମ୍ମାନ ମୋ ନନା, ବୁଢା ବାପାଙ୍କର ଆମ ଗାଁରେ ଥିଲା, ତାହା ମୋର ନଥିଲା I ତିନିଝିଅଙ୍କର ବିବାହ ଧୂମ ଧାମରେ କରିବା ପାଇଁ ମୋତେ ଜମିବାଡ଼ି ବିକିବାକୁ ପଡିଲା I ନିଜର ଗୁଜୁରାଣ ମେଣ୍ଟାଇବାକୁ ବି ମୋତେ ପୈତୃକ ସମ୍ପତ୍ତି ବିକିବାକୁ ପଡିଲା I ଧୀରେ ଧୀରେ ମୁଁ ଜମିଦାରରୁ ମୁଁ ଜଣେ ସାଧାରଣ ମଣିଷ ହେଉଥିଲି I ମୋର ସମ୍ମାନ ଗାଁରେ କମିବାକୁ ଲାଗୁଥିଲା I  

ସେତେବେଳେ ମୋର ମନେ ଅଛି, ହଜାରେ ବସ୍ତା ଧାନ ହେଉଥିଲା, ଆମର I କାଳକ୍ରମେ ଭାଗ ଚାଷ, ତା’ ପରେ କୁତ ବ୍ୟବସ୍ଥା ଲାଗୁ ହେଲା I ଫଳରେ ଆମର ରୋଜଗାର ବି କମିଗଲା I ଏମିତି ଅବସ୍ଥା ଆସିଲା, ଯେ ଘର ଡିହକୁ ଛାଡି ସବୁ ପଡିଆ, କଙ୍କାଳ, ତୋଟା ଆଉ ଜମିବାଡିକୁ ମୋତେ ବିକି ଭାଙ୍ଗି ଚଳିବାକୁ ପଡୁଥିଲା I ଯେହେତୁ ମୁଁ ପରିବାରର ଆଭିଜାତ୍ୟର ଖୋଳପା ଭିତରେ ରହି କିଛି କାମ ଛୋଟବେଳୁ କରିନଥିଲି, ତେଣୁ କାମ କରିବା ମୋ ପାଇଁ ବହୁତ ଅସମ୍ଭବ ଥିଲା I କଥାରେ ଅଛି, ବସି ଖାଇଲେ ନଈବାଲି ସରେ I ଏମିତି ଅବସ୍ଥା ଆସିଲା, ଯେ ନିଜ ଘର ଡିହକୁ ମରାମତି କରିବା ବି ମୋ ପକ୍ଷେ କାଠିକର ପାଠ ଥିଲା I ପିଲାଙ୍କୁ ଠିକ ସେ ପାଠ ବି ପଢାଇ ପାରିଲି ନାହିଁ I ଗୋଟେ ବୋଲି ପୁଅ ରଞ୍ଜନକୁ ଗାଁ ପାଖ କଲେଜରେ କଷ୍ଟେ ମଷ୍ଟେ ବି. କମ. ପଢେଇଥିଲି I ସେ ବି ବହୁତ କଷ୍ଟରେ ଗୋଟେ ଏନ. ଜି. ଓ ରେ ଛୋଟ ଚାକିରିଟିଏ କରିଛି I ସହରରେ ରହି ଅଳ୍ପ ଦରମାରେ ଚଳିବା କେତେ ଯେ କଷ୍ଟ ତାହା ମୁଁ ଉପଲବ୍ଧି କରିପାରିଲି, ଯେତେବେଳେ ମୁଁ ତା’ ପାଖରେ ଯାଇ ରହିଲି I ଦୁଃଖ ରହିଗଲା, ବିମଳାଙ୍କ ପାଇଁ I ବିମଳା ମୋ ସ୍ତ୍ରୀ I ବିଚାରୀ ସେ ବି ମୋ ଭଳି ଜନ୍ମ ହୋଇଥିଲା, ଏକ ଜମିଦାର ଘର ପରିବାରରେ କିନ୍ତୁ ମୋତେ ବାହା ହୋଇ ବହୁତ ଦୁଃଖ କଷ୍ଟରେ ଚଳିଲା ଆଉ ନିଜ ଜନ୍ମ କଲା ପୁଅର ବାହାଘର ପୂର୍ବରୁ ହିଁ ମୋ ହାତ ଛାଡି ମୋତେ ଏକୁଟିଆ କରି ଚାଲିଗଲା I କିଛି ବି ସୁଖ ମୁଁ ତାକୁ ଦେଇପାରିଲିନି I

ଏକୁଟିଆ ରୋଜଗାର କରି ଚଳିବା କଷ୍ଟ ଯୋଗୁଁ ସେ ବି ଗୋଟେ ଏନ. ଜି . ଓ ରେ ଚାକିରି କରୁଥିବା ଝିଅକୁ ବାହାହେଲା I ରଞ୍ଜନର ଏବେ ଗୋଟେ ପୁଅ I ମୁଁ ଯାହା ମୋ ଜୀବନରେ ଭୁଲ କରିଛି, ମୁଁ ଚାହୁଁନି ରଞ୍ଜନ ସେମିତି ଭୁଲ କରୁ ବର୍ତ୍ତମାନ ଏଇ ବ୍ୟସ୍ତ ବହୁଳ ଦୁନିଆରେ ଆଉ ଗୋଟେ କଥା ମୁଁ ମଧ୍ୟ ଉପଲବ୍ଧି କରିଛି I ଏଠି ସମୟ କାହା ପାଖରେ ଆଉ ନାହିଁ I ସମସ୍ତେ ଦୌଡୁଛନ୍ତି, ଆଗକୁ ଆଗକୁ ନହେଲେ ପଛରେ ପଡିଯିବାର ଭୟ ଯେ ଅଛି I ପେଟ ପାଟଣା ବି ଯୋଗାଡ଼ କରିବାକୁ ତ ପଡିବ ! ପୁଅ, ବୋହୂ, ଝିଅ, ଜ୍ଵାଇଁ ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ ନିଜର ନିଜର ଜଞ୍ଜାଳରେ I

ମୋତେ ବି ଏଇ ବୃଦ୍ଧାଶ୍ରମକୁ ନିଜର କରିବାକୁ ପଡିବ I ଏଠି ରହିବା କୌଣସି ପାପ କି ବଦନାମି ନୁହଁ I ମୁଁ ଅଯଥାରେ ପୁଅ ଉପରେ କ'ଣ ପାଇଁ ବୋଝ ହେବି ? ତାକୁ ବି ଦୋଷ ଦେଉନି I ସେ ଏଥିପାଇଁ ଦାୟୀ ବି ନୁହଁ I ଯେଉଁ ପିଲାମାନଙ୍କୁ ତାଙ୍କ ବାପା, ମା’ ମାନେ ପାଠ ପଢାଇ ମଣିଷ କରିଛନ୍ତି, ସେମାନେ କ'ଣ ପାଇଁ ହାତ ବାନ୍ଧି ବସିବେ ! ସେମାନେ ତାଙ୍କ କର୍ମସ୍ଥଳୀରେ ରହିଲେ ସିନା ସେମାନଙ୍କ ସଂସାରକୁ ଆଗେଇ ନେବେ I ମୋ ପୁଅ ମୋତେ ତା’ ପାଖରେ ରଖିବାକୁ ଚାହେଁ, କିନ୍ତୁ ସୀମିତ ରୋଜଗାରରେ ମୋ ବୋଝ କ'ଣ ପାଇଁ ସେ ଉଠେଇବ I ଅନ୍ତତଃ ସେ ଟିକେ ଖୁସିରେ ରହୁ I ମୁଁ ତାକୁ କେବେ ବି ଦୋଷାରୋପ କରୁନାହିଁ I ସମୟ ବଦଳୁଛି I ପୁରୁଣା ଦିନର ସେ ଗ୍ରାମ୍ୟ ଜୀବନ ଆଉ ନାହିଁ I ଖୋଜିଲେ ବି ମିଳିବନି ସେକାଳ ପଖାଳ ଆଉ ଏ କାଳେ ନାହିଁ I ସମୟ ବଦଳିବା ସହ ଚାଲିଚଳନ ବି ବଦଳୁଛି I ବଦଳୁଛି ଲୋକଙ୍କ ମାନସିକତା I ତେଣୁ ସମୟ ଅନୁସାରେ ନିଜକୁ ଖାପ ଖୁଆଇଲେ ଜୀବନ ସହଜ ଆଉ ସୁଖମୟ ହେବ I ବର୍ତ୍ତମାନ ମୁଁ ସେହି ନିଖୋଜ ସମ୍ପର୍କଗୁଡିକୁ ମୋ ମନ ଭିତରେ ଖୋଜିବୁଲୁଛି, ମୋର ଅଭୁଲା ଅତୀତର ଅଧ୍ୟାୟ ଗୁଡିକରେ ହେଲେ ଅତୀତକୁ କ'ଣ ଆଉ ଫେରାଇ ଅଣାଯାଇପାରେ ନଦୀରେ ବୋହି ଯାଉଥିବା ପାଣି, ପାଟିରୁ ବାହାରି ପଡିଥିବା କଥା ଆଉ ବିତି ଯାଇଥିବା ଅତୀତ କ'ଣ ଆଉ ଫେରିଆସେ କେବଳ ଅତୀତର ସ୍ମୃତିଗୁଡିକୁ ସାଉଁଟି ସାଉଁଟି ବଞ୍ଚିବାକୁ ତ ପଡିବ ।


Rate this content
Log in

Similar oriya story from Tragedy