Dr Jagatabandhu Mohapatra

Action Classics Inspirational

4.9  

Dr Jagatabandhu Mohapatra

Action Classics Inspirational

ନିର୍ଭୁଲ ନିଷ୍ପତ୍ତି

ନିର୍ଭୁଲ ନିଷ୍ପତ୍ତି

5 mins
379


ସରି ସରି ଯାଉଥାଏ, ଅପରାହ୍ନ I ମାଡି ମାଡି ଆସୁଥାଏ, ଗୋଧୂଳି ଲଗନ l ଶରତର ସ୍ଵଚ୍ଛ ସୁନୀଳ ମେଘମୁକ୍ତ ଆକାଶ I ରଙ୍ଗ ବେରଙ୍ଗର ଜାତି ଜାତି ଫୁଲ ସୁସଜ୍ଜିତ ବିପଣୀମାଳା ଉଦବେଳିତ କରୁଥାନ୍ତି, ଠାଏ ଠାଏ ବସିଥିବା ପ୍ରେମୀଯୁଗଳଙ୍କ ହୃଦୟତନ୍ତ୍ରୀକୁ I

ପାର୍କର ଗୋଟିଏ କୋଣରେ ଦୁଇଜଣ ବସି କଥା ହେଉଥାନ୍ତି I ସୁନନ୍ଦା ଆଉ ରୀତା I ସୁନନ୍ଦା କହୁଥାଏ, ରୀତାକୁ I ରୀତା ତୁ ମୋ ସ୍କୁଲ ସାଙ୍ଗ I ମୋତେ ଏ ସମୟରେ ତୋର ସହଯୋଗ ଦରକାର I ମୋ ପାଇଁ ଗୋଟେ ଚାକିରୀଟିଏ ଦେଖେ I ତୁ ତ ମୋ ବିଷୟରେ ସବୁ ଜାଣିଛୁ I ଆଜି ସେଥିପାଇଁ ତତେ ଡକେଇଲି, କଥା ହେବାକୁ I

ରୀତା କହିଲା, ଆରେ ତୁ ତ ଚାକିରୀ କରିଥିଲୁ I କ'ଣ ପାଇଁ ଛାଡିଲୁ ? କିଛି ଅସୁବିଧା ହେଲା କି ? ଭଲ ସଂସ୍ଥାରେ ତ ଥିଲୁ, କ'ଣ ପାଇଁ ଛାଡିଲୁ ?

ସୁନନ୍ଦା କହିଲା, ଶୁଣୁ ରୀତା, ସମୟ ଅବାରିତ ଧାରାରେ ଗତିକରି ଚାଲୁଅଛି, ଆଗକୁ ଆଗକୁ I ସମୟର ଗତି ସହିତ ତlଳ ଦେଇ ସୃଷ୍ଟି ହେଉଛି, ନୂଆ ନୂଆ ସମସ୍ୟା I ଭବିଷ୍ୟତ ସମୟର ବେଳାଭୂମିରେ ଏକ ନିର୍ଦ୍ଧିଷ୍ଟ ଅତୀତ ସମୟର ଭିତ୍ତିଭୂମିରେ ବର୍ତ୍ତମାନର ସ୍ଥିତି ଓ ବର୍ତ୍ତମାନର କାର୍ଯ୍ୟକଳାପ ଭବିଷ୍ୟତକୁ ନିୟନ୍ତ୍ରଣ କରେ I ଅତୀତରେ ମୋ ଜୀବନରେ ସେହି ସଂସ୍ଥାରେ ଥିଲାବେଳେ ଏମିତି କିଛି ଘଟିଥିବା ଘଟଣାବଳୀକୁ ତତେ ମୁଁ ଆଜି ସବୁ କହିବି l

ଶୁଣ ରୀତା, ସେଦିନ ମୋତେ ନିଜକୁ ବହୁତ ଆଶ୍ଵସ୍ତ ଲାଗୁଥିଲା I ଯେମିତିକି ମୋର ସବୁ ଦ୍ଵନ୍ଦର ଅବସାନ ଘଟିଯାଇଥିଲା I କାରଣ ମୋ ଅଫିସର ପ୍ରୋଗ୍ରାମ ମ୍ୟାନେଜର ପ୍ରଦୀପ ମୋତେ କରିଥିବା ପ୍ରେମ ନିବେଦନକୁ ମୁଁ ସିଧା ସିଧା ମନା କରିଦେଲି I ଗଢି ଉଠୁଥିବା ବାଲି ଘରଟାକୁ ମୁଁ ସବୁଦିନ ପାଇଁ ଭାଙ୍ଗିଦେଲି I ଆଉ କିଛି ବି ଅନୁଶୋଚନା ନIହିଁ, ମୋ ମନରେ I ଖାଲି ଆଉ ଗୋଟେ ଚାକିରୀ ମିଳିଗଲେ, ମୁଁ ବହୁତ ଖୁସି ହେବି !  

ଗୋଟିଏ ଗୋଟିଏ ଘଟଣା ମୁଁ ଆଜି ତତେ କହୁଛି I ମୁଁ ଯେଉଁ ସଂସ୍ଥାରେ ଚାକିରୀ କରୁଥିଲି, ସେଠି ପ୍ରଦୀପ ବୋଲି ଜଣେ ପ୍ରୋଗ୍ରାମ ମ୍ୟାନେଜର ଥିଲେ I ଆଗ ଆଗ ସେ ମୋତେ ଅଫିସରୁ ଘରେ ଡ୍ରପ କରିଦେବେ, ବୋଲି ଜଣେ ସହକର୍ମୀ ହିସାବରେ କହୁଥିଲେ I ମୁଁ ରାଜି ନ ହେଲେ ବି ବାରମ୍ବାର ଅନୁରୋଧ କରିବା ପରେ ଯେହେତୁ ଗୋଟିଏ ଅଫିସରେ ଚାକିରି କରୁଛି, ସେଥିପାଇଁ ମୋତେ ଅସହଜ ବୋଧ ହେଉଥିଲେ, ବି ମୁଁ ତାଙ୍କ ଗାଡିରେ ବସିଥିଲି I

ଆଉ ଯେଉଁଦିନ ମୋ ବୋଉର ଦେହ ଖରାପ ହୋଇଥିଲା, ସେଦିନ ବି ପ୍ରଦୀପ ଉପରେ ପଡି ଆଗେଇ ଆସିଥିଲା I ସେ ଅବସ୍ଥାରେ ମୁଁ ବହୁତ ହତାଶ ଆଉ ଭାଙ୍ଗିପଡ଼ିଥିଲି I ଡାକ୍ତରଖାନାକୁ ନେବା ଆଣିବା ଭଳି ଅସୁବିଧା ସମୟରେ ତଥା ସବୁ କାମରେ ତ ପ୍ରଦୀପ ଠିଆ ହୋଇଥିଲା I   

ସେହି ଘଟଣା ପରଠୁ ପ୍ରଦୀପ ପ୍ରତି କେମିତି ଗୋଟେ ସମ୍ମାନ ପଳେଇଆସିଥିଲା I ଆମେ ସାଙ୍ଗ ହୋଇ ଯିବା ଆସିବା ମଧ୍ୟ ଆରମ୍ଭ କଲୁ I ଜଣେ ସହକର୍ମୀ ହିସାବରେ ସେ ମୋର ଭଲ ସାଙ୍ଗ ମଧ୍ୟ ହୋଇଗଲା I ଅଫିସରେ ପ୍ରଦୀପ ବି ସମସ୍ତଙ୍କ ସହ ଭଲ ଭାବରେ ମିଶେ, ଭଲ ବ୍ୟବହାର କରେ I ସମସ୍ତଙ୍କ ସୁବିଧା ଅସୁବିଧାରେ ଠିଆ ହୁଏ I  

ଯଦିଓ ମୁଁ ଓ ପ୍ରଦୀପ ପାଖାପାଖି ସମବୟସ୍କ I ସେ ମୋର ଉପରିସ୍ଥ ଅଫିସର ହେଲେ ବି କେବେ ଖରାପ ବ୍ୟବହାର ମୋ ପ୍ରତି ସେ କରିନି I ବରଂ ମୋ ସୁବିଧା ଅସୁବିଧାରେ ଠିଆ ହୋଇଛି I ଧୀରେ ଧୀରେ ସେ ମୋର ଭଲ ବଂଧୁ ହୋଇଗଲା I  

ସେଦିନ କଥା ବି ମନେ ଅଛି, ମୋର I ମୋର ଟିକେ କାମ ଥିବାରୁ ଅଫିସରୁ ବାହାରିବାକୁ ଡେରି ହୋଇଗଲା I ବର୍ଷାରେ ପିହୁକୁ ସ୍କୁଲରୁ ଆଣିବାକୁ ମୋର ଡେରି ହୋଇଯାଉଥାଏ I ତଥାପି ତରତର ହୋଇ ଯାଉଥିଲି, ମୁଁ I ଏକୁଟିଆ ମୋ ଝିଅ ସ୍କୁଲରେ ଥିବ, ମୋତେ ଯାଇ ଆଣିବାକୁ ହେବ I ଏକଥା ଭାବି ଭାବି ଜୋରରେ ଚାଲୁଥିଲି, ମୁଁ I ହଠାତ୍ ଅଧାବାଟରୁ ପ୍ରଦୀପ ଆସି ପୁଣି ଅନୁରୋଧ କରି ମୋତେ ନେଇ ପିହୁର ସ୍କୁଲକୁ ନେଇଥିଲା I ଆଉ ସ୍କୁଲରୁ ଘରକୁ ନେଇ ଛାଡ଼ିଥିଲା, ମଧ୍ୟ I ପିହୁ ପାଇଁ ବହୁତ ଚକଲେଟ ଓ ଖେଳଣା ବି କିଣି ଦେଇଥିଲା, ପ୍ରଦୀପ I 

ମୋତେ ଛୋଟ ପିଲାଙ୍କୁ ବହୁତ ଭଲ ଲାଗେ I ସେଥିପାଇଁ ମୁଁ ପିହୁକୁ ସ୍କୁଲକୁ ନେବା ଆଣିବା କରିଦେବି, ବୋଲି ପ୍ରଦୀପ ଯେତେବେଳେ ମୋତେ କହିଥିଲା I ମୁଁ ସିଧା ସିଧା ମନା କରିବାକୁ ଭାବିଲି, କିନ୍ତୁ ମୋର ବିବେକ ବାଧା ଦେଲା I କାରଣ ମୁଁ କାହାର ଦୟାର ପାତ୍ରୀ ହେବାକୁ ଚାହୁଁ ନଥିଲି I ବନ୍ଧୁତା ଭିତରେ କେମିତି ମୁଁ ସିଧା ସିଧା ମନା କରିଦେବି ? କିନ୍ତୁ ପ୍ରଦୀପର ଆନ୍ତରିକତା ଦେଖି ବାଧ୍ୟ ହୋଇ ପୁଣି ହଁ ଭରିଲି I 

ପ୍ରଦୀପ ପାଇଁ ଆହୁରି ସମ୍ମାନ ବଢିଗଲା, ମୋ ମନରେ I ସତରେ ପ୍ରଦୀପ କେତେ ଭଲ ମଣିଷ I ଉପରିସ୍ଥ ଅଫିସର ହେଲେ ବି ତାଙ୍କର ଟିକେ ଗର୍ବ କି ଅହଂକାର ନାହିଁ I ଆଉ ମୋତେ ସବୁବେଳେ ଉପକାର କରି କରି ଋଣୀ କରି ଦେଲେଣି I ଅନେକ ସମୟରେ ଅଫିସ କାମରେ ବି ସହଯୋଗ କରନ୍ତି, ମୋତେ I  

ଏହିଭଳି ଭାବରେ ମୋ ସହ ପ୍ରଦୀପର ସମ୍ପର୍କ କ'ଣ ପାଇଁ କେଜାଣି ଧୀରେ ଧୀରେ ଅଧିକ ନିବିଡ ହୋଇ ଉଠୁଥିଲା I ସାଙ୍ଗ ହୋଇ ଆମେ ଚା ପିଇବାକୁ ଯାଉ I ଅଫିସର ଟୁର ସାଙ୍ଗ ହୋଇ ବି ଯାଉ I ଏକାଠି ଗପସପ ବି କରୁ I ପ୍ରଦୀପ ବି ଭଲ ବଂଧୁଟିଏ ପରି ମୋ ସହ ସବୁବେଳେ ରହନ୍ତି I

ଧୀରେ ଧୀରେ ମୋତେ ଲାଗୁଥିଲା, ମୋର ଏକୁଟିଆପଣ ବି ଦୂର ହେଉଛି I ଗୋଟେ ଭଲ ବଂଧୁଠାରୁ ଅଧିକ ଜଣେ ଲୋକକୁ ପାଇ ମୁଁ ବହୁତ ଖୁସି ଥିଲି, ବୋଧେ I ଅଫିସରେ ପ୍ରଦୀପ ନ ଆସିଲେ ମୋତେ ଏକୁଟିଆ ଏକୁଟିଆ ଲାଗେ I ମୋ ମନ ଦୁଃଖ ଥିଲେ, ପ୍ରଦୀପର କଥାରେ ମୋ ମନର ଦୁଃଖ ବି ଦୂର ହୋଇଯାଏ I ଆମ ଭିତରେ ଆପଣାପଣର ମାତ୍ରା ବି ଧୀରେ ଧୀରେ ବଢିବାକୁ ଲାଗୁଥିଲା I ମୁଁ ବି ସେଇ ଆପଣାପଣର ସୁଅରେ ଭାସୁଥିଲି I   

ସେଦିନ ପିହୁର ଜନ୍ମ ଦିନ ଥାଏ I ରାତିରେ କେକ କାଟି ଭୋଜି କରିବାର ବି ପ୍ରବନ୍ଧ ଥିଲା, ଆମ ଘରେ I ଛୁଟିଦିନ ଥିବାରୁ ପ୍ରଦୀପଙ୍କ ସହ ଆମେ ଦୁଇଜଣ ଦ୍ଵିପ୍ରହରରେ ହୋଟେଲ ବି ଯାଇଥାନ୍ତୁ, ଆମର ଆଗରୁ କଥା ହୋଇଥିଲା I ଆମେ ସମସ୍ତେ ବହୁତ ଖୁସି ଥିଲୁ I ପ୍ରଦୀପ ବି ପିହୁକୁ ବହୁତ ସ୍ନେହ କରୁଥାଏ I 

ଜନ୍ମଦିନ ଥିବାରୁ ମୁଁ ପିହୁକୁ ନେଇ ସକାଳୁ ସକାଳୁ ମନ୍ଦିରକୁ ଯାଇଥିଲି I ମନ୍ଦିରରେ ଦର୍ଶନ ସାରି ଫେରିଲା ବେଳେ ମଙ୍ଗଳା ମନ୍ଦିରରେ ଜଣେ ସ୍ତ୍ରୀ ଲୋକ ମନ୍ଦିରର ନନାଙ୍କ ଆଗରେ କାନ୍ଦି କାନ୍ଦି ନିଜର ଦୁଃଖ କହୁଥିଲେ, ମୋ ସ୍ଵାମୀ ଅଲଗା କୋଉ ସ୍ତ୍ରୀ ଲୋକର ପାଲରେ ପଡିଯାଇଛନ୍ତି I ମୋତେ ଅଣଦେଖା କରୁଛନ୍ତି I କିଛି ଗୋଟେ ଉପାୟ ବତାନ୍ତୁ, ମୋତେ I ମୋତେ କୁହନ୍ତୁ, ମୁଁ କି ପୂଜା, ଓଷା କି ବ୍ରତ କରିବି !  

ସତ କହୁଛି, ରୀତା ମୋ ମନରେ ଗୋଟେ ଭାବାନ୍ତର ସୃଷ୍ଟି ହେଲା I ପ୍ରଦୀପ ବି ବିବାହିତ I ମୋ ସହ ପ୍ରଦୀପର ନିବିଡତା ବି ତ ପ୍ରଦୀପର ସ୍ତ୍ରୀ ମନରେ ବହୁତ ଦୁଃଖ ଦେଉଥିବ I ମୋ ପାଇଁ ପ୍ରଦୀପର ସ୍ତ୍ରୀ ବି ଅବହେଳିତ ଅନୁଭବ କରୁଥିବ, ନିଶ୍ଚୟ ! ସେତେବେଳେ ସେଇ ମନ୍ଦିରରେ ହିଁ ମୁଁ ନିଷ୍ପତ୍ତି ନେଲି, ମୋତେ ନିଜକୁ ପ୍ରଦୀପଠାରୁ ଦୂରେଇ ରଖିବା ଠିକ ହେବ ! ସତରେ ମୁଁ ଭୁଲ କରୁନି ତ ? 

ମନ୍ଦିରରୁ ଆସିବା ପରେ ପ୍ରଦୀପ ଆମ ଘରେ ଆସି ପହଁଚିଲା I ଆମେ ସାଙ୍ଗ ହୋଇ ହୋଟେଲ ଗଲୁ I କେମିତି କହିବି, କେମିତି କହିବି, କିଛି ବି ଭାବୁ ପାରୁ ନଥାଏ, ମୁଁ I ହୋଟେଲରେ ସାଙ୍ଗ ହୋଇ ଖାଇଲୁ I ରାତିରେ ସମସ୍ତଙ୍କ ଖାଇବା ପାଇଁ ଆଉ ଗୋଟେ ହୋଟେଲରେ ଅର୍ଡର ମଧ୍ୟ କରିଦେଲୁ I ତା' ପରେ କେକ ଆଣିବାକୁ ଗଲୁ I କେକ ଆଣି ଘରକୁ ଆସିଲୁ I ମୁଁ ପ୍ରଦୀପକୁ କହିଲି, ତମକୁ ମୋର କିଛି କହିବାକୁ ଅଛି I ପ୍ରଦୀପ ବହୁତ ଆରାମରେ ହଁ କୁହ, କ'ଣ କହିବ I କହିବାକୁ ସାହସ ହେଉ ନ ଥାଏ, ମୋର I ମନରେ ବହୁତ କିନ୍ତୁ ପରନ୍ତୁ ରଖି କହିବାକୁ ଚେଷ୍ଟା କଲା ବେଳେ ପ୍ରଦୀପ କହିଲା, ମୋର ବି ତମକୁ କିଛି କହିବାକୁ ଅଛି I ପ୍ରଦୀପ ମୋ ପାଇଁ ଗୋଟିଏ ନାଲି ଗୋଲାପ ଫୁଲ ଆଉ ଗୋଟେ ମୁଦି ଆଣି ଦେଲା I ବହୁତ ସାହସ ଧରି ମୁଁ ହସି ହସି ସେଇ ଗୋଲାପ ଫୁଲ ଆଉ ମୁଦିକୁ ଆଣି ପୁଣି ତା' ହାତକୁ ଦେଇ କହିଲି, ପ୍ରଦୀପ ଏ ଦୁଇଟି ଅମୂଲ୍ୟ ଜିନିଷର ପ୍ରକୃତ ହକଦାର ତମ ସ୍ତ୍ରୀ, ମୁଁ ନୁହେଁ I ମୁଁ ଗୋଟେ ବିଧବା I ମୋର ଗୋଟେ ଝିଅ ବି ଅଛି I ମୁଁ ପିହୁ ମୁହଁକୁ ଅନେଇ ବଞ୍ଚିଯିବି, ପ୍ରଦୀପ I କିନ୍ତୁ ତମ ସ୍ତ୍ରୀ ! ମୁଁ ତମର ସୁନାର ସଂସାରକୁ ଭାଙ୍ଗିବାକୁ ଚାହେଁନି I ମୋତେ କ୍ଷମା କର I ସେତେବେଳେ ପ୍ରଦୀପର ମୁହଁ ମଳିନ ପଡ଼ିଯାଇଥିଲା I ଆଉ ପ୍ରଦୀପ ସେଠୁ ଉଠି ଚାଲିଗଲା I ସେତେବେଳେ କିନ୍ତୁ ମୋ ମନରେ ଦୁଃଖ କି ଅନୁଶୋଚନା ନ ଥିଲା I ଅନ୍ତରାତ୍ମାରୁ ବାରମ୍ବାର ମୁଁ ଠିକ କରିଛି, ବୋଲି ମୋତେ ପ୍ରତିଧ୍ଵନି ଶୁଭୁଥିଲା I ସମାଜରେ ପରକୀୟା ପ୍ରୀତି ଯୋଗୁଁ ବହୁତ ସଂସାର ଭାଙ୍ଗି ଯାଉଛି I ମୁଁ କାହାର ସଂସାର ଭାଙ୍ଗିବା ପାପରେ ପାପୀ ହେବାରୁ ବଞ୍ଚିଗଲି, ବୋଲି ମୋତେ ବହୁତ ଶାନ୍ତି ଲାଗୁଥିଲା I  

ପ୍ରଦୀପ ଗଲା ପରେ ବେଡ ରୁମକୁ ଆସି ହରେଶଙ୍କ ଫଟୋକୁ ଛାତିରେ ଧରି ବହୁତ କାନ୍ଦିଲି I ଆଜି ହରେଶ ଯଦି ମୋ ପାଖରେ ଥାଆନ୍ତେ, ହୁଏତ ମୁଁ ଏମିତି ଭୁଲ କରିନଥାନ୍ତି I କ'ଣ ପାଇଁ ହରେଶ ତମେ ମୋତେ ଏ ଦୁନିଆରେ ଆମ ମା' ଝିଅଙ୍କୁ ଏକୁଟିଆ କରି ଚାଲିଗଲ ? 

ତା' ପରଠୁ ଅନୁଭବ କରିଥିଲି, ପ୍ରଦୀପଙ୍କ ବ୍ୟବହାରରେ ପରିବର୍ତ୍ତନ I ବିନା କାରଣରେ ମୋ ଉପରେ ବିରକ୍ତ ହେବା I ଜାଣିଶୁଣି ମୋତେ ଅଧିକ କାମ ଦେବା I କୌଣସି କାମରେ ମୋତେ ସହଯୋଗ ନ କରିବା I ମୋର ଦରମା ନ ବଢେଇବା ଇତ୍ୟାଦି I  ସବୁ ବୁଝିଗଲି, ମୁଁ ରୀତା I କେତେଦିନ ଆଉ ଏମିତି ମାନସିକ ଚାପରେ ରହିଥାନ୍ତି I ନିଷ୍ପତ୍ତି ନେଲି, ଚାକିରି ଛାଡିବାକୁ I ଆଉ ଦରଖାସ୍ତ ଦେଇ ଚାକିରି ଛାଡିଦେଲି I 

ରୀତା କହିଲା, ସୁନନ୍ଦା ତୁ ଏକଦମ ଠିକ କରିଛୁ I ନିର୍ଭୁଲ ନିଷ୍ପତ୍ତି ନେଇଛୁ, ତୁ I ଜୀବନରେ ଏମିତି ଗୋଟେ ଗୋଟେ ମୂହୁର୍ତ୍ତ ଆସେ ଆଉ ଯାଏ I କିନ୍ତୁ ଠିକ ସମୟରେ ତୁ ସଠିକ ପଦକ୍ଷେପ ନେଇଛୁ I ଠିକ, ଭୁଲ, ନ୍ୟାୟ ଆଉ ଅନ୍ୟାୟକୁ ତୁ ଠିକ ସେ ବୁଝିପାରିଛୁ I ଆଜିକାଲି ସମାଜରେ ପରକୀୟା ପ୍ରୀତି ଯୋଗୁଁ ବହୁତ ପରିବାର ଭାଙ୍ଗି ଯାଉଛି I ବହୁତ ନିରୀହ ଲୋକ ବି ବଳି ପଡ଼ୁଛନ୍ତି I   

ସୁନନ୍ଦା କହିଲା, ହଁ ରୀତା, ମୋ ବିବେକ ମୋତେ ବାଧା ଦେଲା I ତୁ ମୋ ପାଇଁ ଗୋଟେ ଚାକିରୀ ଦେଖେ I ପିହୁ ପାଇଁ ମୋତେ ଆଗକୁ ଆଗେଇବାକୁ ପଡିବ I 

ନିଶ୍ଚୟ ସୁନନ୍ଦା I ତୁ ଜମା ବ୍ୟସ୍ତ ହୁଅନା I ମୋ ନଜରରେ ଗୋଟେ ଅନାଥ ଆଶ୍ରମଟିଏ ଅଛି I ତୁ ଯଦି ସେଠି ସେ ପିଲାମାନଙ୍କର ଦେଖା ଚାହାଁ କରିବୁ I ତା'ହେଲେ କାଲିଠାରୁ ଚାକିରୀ କରିପାରିବୁ I

ରୀତା, ମୁଁ କାଲିଠାରୁ ସେଠିକି ଯାଇ ରହିବି I ବହୁତ ଖୁସି ଆଉ ଆନନ୍ଦରେ କହିଲା, ସୁନନ୍ଦା I

ଠିକ ଅଛି, ସୁନନ୍ଦା I ଅନ୍ଧାର ହେଲାଣି, ଚାଲ ଘରକୁ ଯିବା I ଦୁହେଁ ସାଙ୍ଗ ହୋଇ ପାର୍କରୁ ବାହାରିଲେ I    

    

                                           


Rate this content
Log in

Similar oriya story from Action