ଅଭିଶପ୍ତା
ଅଭିଶପ୍ତା
ପିଲାଟି ନିସ୍ତବ୍ଦ ହୋଇ ଲାସଟିକୁ ଚାହିଁ ରହିଥାଏ ଲୋକମାନେ ଜମା ହୋଇଥାନ୍ତି । ମୁଁ ମଧ୍ୟ ନିଜକୁ ଗଣିତ କରିଥାଏ, ଟୁପୁରୁ ଟାପର ହୋଇ କହୁଥାନ୍ତି ସ୍ୱାମୀଟି ସ୍ତ୍ରୀକୁ ଭଲ ପାଉନଥିଲା ସେଥିପାଇଁ ସେ ଗୀତ ମାଷ୍ଟରକୁ ପ୍ରେମ କରୁଥିଲା, ଫୁଣି କିଏ କହୁଥିଲା ସ୍ତ୍ରୀ ର ଚାରିତ୍ରିକ ତ୍ରୁଟି ଥିଲା ତାର ସ୍ୱାମୀଟି ଅତି ଭଲ । ନିର୍ମାୟ ଲୋକ ଟିଏ । ସେ ବ୍ୟବସାୟ ଦୃଷ୍ଟି କୋଣରୁ ସବୁବେଳେ ବାହାରେ ରହୁଥିଲା ତେଣୁ ପରିବାରକୁ ସମୟ ଦେଇ ପାରୁନଥିଲା ।
ମୁଁ ଛୁଆଟିର ମୁଖମଣ୍ଡଳଟିକୁ ଆକଳନ କରୁଥିଲି । ଛୁଆଟି 12 ବର୍ଷ ଭିତରେ ହେବ । ବେସ ଗୋଲ ମଟୋଲ ଚେହେରା, ସେ ସମସ୍ତଙ୍କୁ ଜଳ ଜଳ ଚାହୁଁ ଥାଏ । ମୁଁ ସମସ୍ତଙ୍କୁ ଅନୁରୋଧ କଲି ଦୟାକରି ଛୁଆ ସାମନାରେ ଆଲୋଚନା କରନ୍ତୁ ନାହିଁ । କିଛି ଲୋକ ଟାହି.. କରି କହିଲେ ଆସିଲା ସମାଜ ସେବିକା । ମୁଁ ଭାବିଲି ସଂସାର ଟା କଣ.... ଦୋଷ କାହାର?? ଅବଶ୍ୟ ପୋଲିସ ଆସିଯାଇଥିଲେ, ପ୍ରେସଵାଲା ମଧ୍ୟ ଖବର ପାଇ ଆସିଗଲେ l
ଶବଟି ପୋଷ୍ଟମର୍ଟମ ହେବ, ତାର ସ୍ୱାମୀ କୁ ସମସ୍ତେ ଅପେକ୍ଷା କରିଥାନ୍ତି ।ସେ ତିନି ଘଣ୍ଟା ମଧ୍ୟରେ ପହଂଚିଵ ବୋଲି ବୋହୁ ର ଶାଶୁ କହିଲେ, ପୋଲିସ ଓ ପ୍ରେସ ତାଙ୍କ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଛୁଆକୁ ବେଶୀ ପ୍ରେସଵାଲା ପଚାରୁ ଥାନ୍ତି । ମୁଁ ଛୁଆଟି ର ଦାମ୍ଭିକତା ଦେଖୁଥିଲି ସତେ ଯେମିତି ମା ଟିର ମୃତ୍ୟୁରେ ଦୁଃଖ ନଥାଏ ବରଂ ଘୃଣା ର ଆଭାସ ପାଇଲି l
ପୁରୁଷ ଲୋକଙ୍କ ଅପେକ୍ଷା ସ୍ତ୍ରୀ ଲୋକଙ୍କର ସଂଖ୍ୟା ଅଧିକ ଥିବା ଆକଳନ କଲି। ମୁଁ ଜଣେ ନାରୀ ଭାବରେ ପୁଙ୍ଖାନୁପୁଙ୍ଖ ଭାବରେ ଏକ ମନସ୍ତତ୍ୱବିତ୍ତ ପରି ମନେ ମନେ ବିଚାରକ ସାଜିଥିଲି...ନାରୀଟି କଣ ସତରେ ଚରିତ୍ରହିନା ? ନା..... ସମୟ ତାକୁ ଏହି ସ୍ଥାନକୁ ନେଇ ଆସିଥିଲା! ଯଦି ସ୍ୱାମୀଟି ତାକୁ ସମୟ ଦେଇ ତା ମନ କଥାକୁ ବୁଝିଥାନ୍ତା ଵଧେ ଆଜିର ଏ ପରିସ୍ଥିତି ସୃଷ୍ଟିହୋଇ ନଥାନ୍ତା । ଏକ ବିଚଳିତ ମନ ସ୍ୱାମୀର ଅନୁପସ୍ଥିତି ଓ ଆଦିମ ପ୍ରଭୁତିର ଭୋକ ନାରୀଟିକୁ ମୃତ୍ୟୁ ମୁଖକୁ ଠେଲିଦେଲା ।
ଶଵଟି ଉଠିଗଲା, ସମସ୍ତେ ଗୋଟି ଗୋଟି ହୋଇ ନିଜ ଘର ଆଡକୁ ପାଦ ବଢ଼ାଇଲେ, ସତେ ଯେମିତି ଡ୍ରାମା ସରିଗଲା । କେବଳ ଡ୍ରାମାଟି କେତେ ଦୂର ଦର୍ଶକଙ୍କ ମନ ଗହନକୁ ଆନ୍ଦୋଳିତ କରୁଥିଲା, ତାହା ପ୍ରଶ୍ନ ବାଚୀ ହୋଇ ରହିଗଲା । ମୁଁ ମଧ୍ୟ ଆସ୍ତେ ଆସ୍ତେ ପାଦକୁ ପଛ ଆଡକୁ ବୁଲାଇଲି । କିଛି ଜଣ ବିସ୍ମିତ ଭାବରେ ମୋ ଭାବୁକ ମୁଖମଣ୍ଡଳକୁ ଚାହିଁ ରହି ଟୁପୁରୁ ଟାପୁର ହେଉଥିଲେ ମୁଁ ସେତେବେଳେ ଭାବୁଥିଲି ସତରେ ଏହି ନାରୀଟି ସ୍ୱାମୀ ଥାଇ ଚୋରା ପ୍ରେମରେ ଲିପ୍ତ ରହି ଥିବାରୁ କଣ ପାଇଲା?