ଅଭିଶପ୍ତ ପଲଙ୍କ
ଅଭିଶପ୍ତ ପଲଙ୍କ
ଭଞ୍ଜନଗର ଉପକଣ୍ଠ ଠାରୁ ଟିକେ ଭିତରକୁ ଗଲେ ପଡେ, ପାହାଡ଼ ପର୍ବତ ଘେରା ସବୁଜ ବନାନୀ ପରିବେଷ୍ଟିତ କୁରୁମ ପଢାଳ ନାମକ ଏକ ଅଖ୍ୟାତ ପଲ୍ଲୀ।ସେହି ପଲ୍ଲୀ ର ଶୋଭା ବର୍ଦ୍ଧନ କରୁଥାଏ ଅଙ୍କା ଵଙ୍କା ହୋଇ କୁଳୁକୁଳୁ ତାନ କରି ବୋହି ଯାଉଥିବା ବଡ଼ ନଦୀ। ପଲ୍ଲୀ ର ଲୋକ ସଂଖ୍ୟା ପ୍ରାୟ ହଜାରେ ଜଣ। ସେହି ଗ୍ରାମରେ ବିପ୍ର ପାହାନ(ଛଦ୍ମ ନାମ) ନାମକ ଜଣେ ବ୍ୟକ୍ତି ସପରିବାରେ ବାସ କରୁଥାନ୍ତି।ଦୁଇ ପୁଅ ଓ ଦୁଇ ଝିଅ କୁ ନେଇ ତାଙ୍କର ହସ ଖୁସୀ ର ସଂସାର।ବିପ୍ର ପାହାନ ବି-- ଆଠ ଖଣ୍ଡ ଗାଁ ର ମୁଖିଆ, ତା ସାଙ୍ଗକୁ ତେର ଶହ ଏକର ଜମି ର ମାଲିକ।ଭାରି ନା ଡାକ ଥାଏ ତାଙ୍କର ଗାଁ ରେ।ଯେତେ ସବୁ ଗାଁର ମାଲି ମକଦ୍ଦମା,ହାନି ଲାଭ ସେ ଗାଁ ଭିତରେ ହିଁ ସମାଧାନ କରି ଦିଅନ୍ତି।ଗାଁ ବାହାରକୁ ଖବର କେବେ ଯାଇ ହିଁ ନ ଥାଏ ।
ବିବାହ ବୟସ ଉପନୀତ ହୁଅନ୍ତେ ନିଜ ଜ୍ୟୋଷ୍ଠ ପୁତ୍ର ର ବାହାଘର କରାନ୍ତି ପାହାନ ବୁଢା ,ପୋଡ଼ଶୀ ଗ୍ରାମ ର ରଙ୍କ ପାହାନ ଙ୍କ କନିଷ୍ଠl କନ୍ୟା ପାର୍ବତୀ ଙ୍କ ସହ।ଝିଅ ନୁହେଁ ତ ସାକ୍ଷାତ ଲକ୍ଷ୍ମୀ ପ୍ରତିମା ଟିଏ।ବାହାଘର ସରିଥାଏ ,ବୋହୂ ଆସିବ ହୁଳହୁଳି ଶଙ୍ଖମହୁରୀ,ବାଦ୍ୟ ବlଜଣl ଧ୍ୱନି ରେ ଗାଁ ଦାଣ୍ଡ ଫାଟି ପଡୁଥାଏ।ଗାଁ ସାରା ସବୁ ଲୋକ ଙ୍କ ପାଇଁ ଭୋଜି ଭାତ ର ବ୍ୟବସ୍ଥା କରାଯାଇଥାଏ।।ଧନୀ ଘରୁ ବୋହୁ ଆଣୁଛନ୍ତି ଜୋ ସିଏ।ଦାଣ୍ଡ ସୁନ୍ଦର ପାଇଁ ରଙ୍କ ପାହାନବୁଢା ଖଡ଼ି ରୁ ଖଡିକା ଯାଏଁ ସବୁ ଜିନିଷ ସମୁଦି ଘର ଦାଣ୍ଡରେ ଆଣି ଶଗଡ଼ ସାହାଯ୍ୟ ରେ ଗଦା କରିଦେଇଥାନ୍ତି । ସେ ଜାତି ର ଗୋଟିଏ ପ୍ରଥା ଥିଲା ବୋହୁ ର ଯାହା ଜିନିଷ ବାପା ଘରୁ ଆସିଥିବ ,ସେସବୁ କୁ ଦାଣ୍ଡରେ ଖେଳେଇ ରଖାଯିବ।ପଦର୍ଶନୀ ଦେଖିଲା ପରି ଗାଁ ଲୋକ ଧାଡି ଧାଡି ହୋଇ ଆସି ଜିନିଷ ସବୁ ଦେଖି ସାରିଲା ପରେ ଯାଇ ଜିନିଷ ସବୁ ଘର ଭିତରକୁ ବୁହା ହୋଇ ଯିବ।ରଙ୍କ ପାହାନ ଦେଇଥିବା ସବୁ ଜିନିଷ ମଧ୍ୟରୁ ମୁଖ୍ୟ ଆକର୍ଷଣ ଥିଲା ସେହି ସୁନ୍ଦର ପଲଙ୍କ। ସେ କୁଆଡେ ସ୍ବତନ୍ତ୍ର ଭାବରେ ବରାଦ ଦେଇ ସୁଦୂର ରେଂଗୁନ ରୁ କିଣି ଆଣିଥିଲେ ସେହି ପଲଙ୍କ ଟିକୁ ଝିଅ କୁ ଦେବା ପାଇଁ।କି ସୁନ୍ଦର ପଲଙ୍କ !!ଯିଏ ବି ଦେଖୁଥାଏ ଘଡ଼ିଏ ନ ଅନେଇ ରହି ପାରୁ ନଥାଏ।ଶିଶୁଆ କାଠ ରେ ତିଆରି ଛଅ ଫୁଟିଆ ଲମ୍ଵର ସୁନ୍ଦର କାରୁକାର୍ଯ୍ୟ ବିଶିଷ୍ଟ ପଲଙ୍କ ଟିଏ ।ଏମିତି ଲାଗୁଥିଲା ପଲଙ୍କ ଟି ପୂର୍ବର କୋ ରାଜା ରାଜୁଡା ଅମଳର।କାରଣ, ପଲଙ୍କ ଦେହରେ ଗଛ ବ୍ରୁଛ,ହାତୀ,ଘୋଡା ,ମୟୁର ,ମୟୂରୀ ପିକ, ସାରୀ ଓ ସୁନ୍ଦର ସୁନ୍ଦର ରମଣୀ ଙ୍କ ଚିତ୍ର ସହିତ ନର୍ତ୍ତକୀ ଓ ବାଦ୍ୟ କାର ମାନଙ୍କ ଙ୍କ ଚିତ୍ର ଅତି ନିଖୁଣ ଭାବରେ ଖୋଦେଇ କରି ଅଙ୍କନ କରାଯାଇଥିଲା। ତତ ସହିତ ସେହି ସୁନ୍ଦର କାରୁକାର୍ଯ୍ୟ ଭିତରେ , ଆଖି ଝଲସେଇଲା ପରି ଉଜ୍ବଳ
ଧଳା ବର୍ଣ୍ଣ ର ପଥର ଗୁଡିକ ଖଞ୍ଜି ହୋଇ ରହି କଳା ରଙ୍ଗର ପଲଙ୍କ ର ଶୋଭା କୁ ଦ୍ଵି ଗୁଣିତ କରିଦେଉଥିଲା।ଏବଂ ଦେଖିବା ଲୋକ ର ଆଖି ଝଲସି ଯାଉଥିଲା।କେବଳ ପଲଙ୍କ ନୁହେଁ ବୋହୁ ଆଣିଥିବା ସବୁ ଜିନିଷ ଏକୁ ଆରେକ ଭଳି ଉଚ୍ଚ କୋଟିର ଥିଲା। ବୋହୁ ବାପା ଘର କୁ , ଏତେ ସାରା ସୁନ୍ଦର ଜିନିଷ ଦେଇଥିବାରୁ ପ୍ରଶଂସା ରେ ପୋତି ପକାଉଥିଲେ ଗ୍ରାମ ସାରା ଲୋକ। କେବଳ ଜିନିଷ ନୁହେଁ ବୋହୂ ଟି ମଧ୍ୟ ବହୁତ ସୁନ୍ଦରୀ ହେବା ସହିତ ଗୁଣବତୀ ମଧ୍ୟ ଥିଲା।ପାହାନ ବୁଢା ଗୁଣବତୀ ବୋହୂ କୁ ପାଇ ବହୁତ ଗର୍ବ ଅନୁଭବ କରୁଥିଲେ।ଏମିତି କିଛି ଦିନ(ପ୍ରାୟ ତିନି ମାସ) ବହୁତ ହସ ଖୁସୀ ରେ ଚାଲି ଯାଇଥିଲା।କିନ୍ତୁ ସମସ୍ତ ଙ୍କ ଅଲକ୍ଷ୍ୟ ରେ ହସ ଖୁସୀ ରେ ଭରା, ଭର ପୁର ପରିବାର ଉପରକୁ କାହାର କଳା ନଜର ପଡିଲା ପରି ବୋହୁ ଟି ବିନା କାରଣ ରେ ଶୁଖି କଳା କାଠ ପଡିବାକୁ ଲାଗିଥିଲା।କେହି ବି କିଛି ବୁଝି ପାରୁନଥିଲେ ଏହାର କାରଣ।ଖାଇବା ପିଇବା ର ତ କିଛି ବି ଅଭାବୀ ନ ଥିଲା ଘରେ।ଘର ଲୋକ ମଧ୍ୟ ନୂଆ ବୋହୂ ଟିକୁ ବହୁତ ସ୍ନେହ ଆଦର ରେ ରଖୁଥିଲେ।ସେ ଯାହା ବି ହେଉ ବୋହୂ ର ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଦେଖି ପାହାନ ବୁଢା ଚିକିତ୍ସା ର କୌଣସି ଅବହେଳା ନ କରି ସହର କୁ ନେଇ ଯାଇଥିଲେ ବୋହୁ କୁ, ନାମୀ ଦାମୀ ଡାକ୍ତର ଖାନା ରେ ଉତ୍ତମ ଚିକିତ୍ସା ନିମିତ୍ତେ।ଡାକ୍ତର ପରୀକ୍ଷା ନିରୀକ୍ଷା କରି କହିଥିଲେ କୌଣସି କାରଣରୁ ବୋହୁ ର ରକ୍ତ ସବୁ ଶୁଖି ଶୁଖି ଯାଉଛି।କିନ୍ତୁ ପରୀକ୍ଷା ବେଳେ ସେପରି କିଛି ରୋଗ ଥିବା ଜଣା ପଡୁ ନାହିଁ।ତେଣୁ ଅଧିକ ରୁ ଅଧିକ ରକ୍ତ ର ଆବଶ୍ୟକ ବୋହୂ କୁ ଦେବା ପାଇଁ । ପାହାନ ବୁଢା କୌଣସି କ୍ଷେତ୍ର ରେ ଅଭାବ କରି ନଥିଲେ ଆବଶ୍ୟକ ମୁତାବକ ରକ୍ତ ଯୋଗାଡ଼ କରିଥିଲେ। କିନ୍ତୁ ଯେତେ ରକ୍ତ ଚଢାଓ , ଆଶ୍ଚର୍ଯ୍ୟ ଜନକ ଭାବେ ସବୁ ରକ୍ତ କୁଆଡେ ଯାଉଥିଲା ଦେହରୁ କିଛି ଜଣା ହିଁ ପଡୁ ନଥିଲା ।ଶେଷରେ ଡାକ୍ତର ଙ୍କର ସବୁ ପ୍ରଚେଷ୍ଟା ବିଫଳ ହୋଇଥିଲା ।ଡାକ୍ତର ବିଜ୍ଞାନ ଫେଲ ମାରିଥିଲା।ନୂଆ ବୋହୂ ଟି ହସ୍ପିଟାଲରେ ରକ୍ତ ହୀନତା ର କାରଣ ରୁ ମୃତ୍ୟୁ ବରଣ କରିଥିଲା।ଖବର ପାଇ ସାରା ପରିବାର ରେ ଶୋକ ର ଛାୟା ଖେଳିଯାଇଥିଲା।ବୋହୂର ଶବ କୁ ନେଇ ଗ୍ରାମ କୁ ଫେରିଥିଲେ ପାହାନ ବୁଢା ଓ ତାଙ୍କ ପୁଅ।ବୋହୂ ଟି ବାହା ହୋଇ ଆସିବା ବେଳେ ଯେତେ ସବୁ ଲୋକ ଦେଖିବାକୁ ଆସିଥିଲେ ତାର ଚାରି ଗୁଣ ରୁ ଅଧିକ ଲୋକ ଆସିଥିଲେ ନୂଆ ବୋହୂ ର ଶବ ଯାତ୍ରା ରେ ଯୋଗ ଦେବା ପାଇଁ।କାରଣ ଏମିତି ଆଶ୍ଚର୍ଯ୍ୟ ଜନକ ଘଟଣା ପୂର୍ବରୁ କେବେ ଘଟିବାର ଲୋକେ ଜାଣିନଥିଲେ। ବୋହୁ ର ବାପା ଘର ପରିବାର ର ମଧ୍ୟ ସମସ୍ତେ ଅନ୍ତେଷ୍ଟି କ୍ରିୟା ରେ ଯୋଗ ଦେବା ପାଇଁ ଆସିଥିଲେ।ଶୁଦ୍ଧି କ୍ରିୟା ସମାପନ ପରେ ଯେତେବେଳେ ବୋହୂ ବାପଘର ଲୋକ ଯିବା ପାଇଁ ବାହାରିଥିଲେ ସେତେବେଳେ ପାହାନ ବୁଢା,ସମୁଦି ଙ୍କୁ ସେମାନେ ଝିଅ ବାହାଘର ବେଳକୁ ଦେଇଥିବା ସବୁ ଜିନିଷକୁ ଫେରେଇ ନେବା ପାଇଁ ଅନୁରୋଧ କରିଥିଲେ।କିନ୍ତୁ ବୋହୂର ବାପା ରୋକଠୋକ ନାସ୍ତିବାଣୀ ଶୁଣେଇ ଦେଇଥିଲେ। ସେ ଯେହେତୁ ଝିଅକୁ ଦେଇଥିଲେ ଜିନିଷ ,ତେଣୁ କନ୍ୟାଦାନରେ ଦେଇଥିବା ଗୋଟିଏ ବି ଜିନିଷ ସେ ଫେରେଇ ନେବେ ନାହିଁ ବୋଲି କହିଥିଲେ।ଯଦି ଜିନିଷ ରଖିବା କୁ ଚାହୁଁ ନାହାନ୍ତି ତେବେ ସାନ ଝିଅ (ନଣନ୍ଦ) ର ବାହାଘର ବେଳେ ଏସବୁ ଜିନିଷ ଦେଇ ଦେବା ପାଇଁ ଅନୁରୋଧ ବି କରିଥିଲେ ବିପ୍ର ପାହାନ ଙ୍କୁ।କିଛି ଦିନ ପୁଣି ବିତିଯାଇଥିଲା, ଲୋକ ସବୁ ଭୁଲିବାକୁ ଲାଗିଥିଲେ ହୃଦୟ ସ୍ପର୍ଶୀ ଘଟଣା ଟି କୁ ।ପାହାନ ବୁଢା ଙ୍କର ସାନ ଝିଅ ମଧ୍ୟ ବିବାହ ଯୋଗ୍ୟl ହେଇଥିଲା ।ଏକ ଭଲ ପ୍ରସ୍ତାବ ଦେଖି ତାର ବାହାଘର ମଧ୍ୟ କରାଯାଇଥିଲା।ଏବଂ ବୋହୁ ବାପା ଙ୍କର କହିବା ଅନୁଯାୟୀ ବୋହୂ ର ସବୁ ଜିନିଷ ତାକୁ ଦିଆ ଯାଇଥିଲା।କିଛି ଦିନ ବେଶ ହସଖୁସିରେ ସାନଝିଅ ଶାଶୁ ଘରେ ରହିବା ପରେ, ଯେତେବେଳେ ଝିଅ ଦ୍ୱିତୀୟ ପାଳି ଥର/ବାହାଘର ର ଦଶଦିନ ପରେ ବାପା ଘରକୁ ଆସିଥିଲା ପାହାନ ବୁଢା ଝିଅ କୁ ଦେଖି ଚମକି ପଡ଼ିଥିଲେ ।କାରଣ ସେହି ଏକା ଲକ୍ଷଣ ସେ ଝିଅ ଠାରେ ଲକ୍ଷ୍ୟ କରିଥିଲେ।ଗୋରା ତକ ତକ ଝିଅ ତାଙ୍କର ଶୁଖି କଳା କାଠ ପଡିଯାଇଥିଲା।ଯାହା ପୂର୍ବରୁ ସେ ବୋହୂ ଠାରେ ଦେଖିଥିଲେ।ଯାହା ପୁଅ କୁ ସାପ କାମୁଡ଼େ ତାର ମା ପାଳ ଦଉଡି ଦେଖିଲେ ବି ଡ଼ରେ ,ଠିକ ସେହିପରି ଅବସ୍ଥା ହେଇଥିଲା ପରିବାର ଲୋକଙ୍କର।ଝିଅ କୁ ବାରମ୍ବାର ପଚାରିଥିଲେ ମଧ୍ୟ କିନ୍ତୁ ଝିଅ ସେମିତି କିଛି ଅସୁବିଧା କଥା କହି ନଥିଲା।କେବଳ ଏତିକି କହିଥିଲା ଦିନ ସାରା ତ ବହୁତ ଭଲ ରେ କଟୁଛି କିନ୍ତୁ ରାତିରେ ଯେତେବେଳେ ଶୋଇବାକୁ ଯାଉଛି ପଲଙ୍କ ଉପରକୁ, ସେତେବେଳେ ସ୍ୱପ୍ନ ରେ ତାର ବିଚିତ୍ର ଘଟଣା ମାନ ଦେଖୁଛି ଏବଂ ବେକ ଉପରେ ତାର ମାଡି ବସି ତୀକ୍ଷ୍ଣ ଦନ୍ତ ସାହାଯ୍ୟ ରେ କିଏ ତାର ରକ୍ତ ଶୋଷିଲା ପରି ଅନୁଭବ ହେଉଛି।କିନ୍ତୁ ସକାଳୁ ଉଠିଲା ପରେ ସବୁ କିଛି ସ୍ୱାଭାବିକ ଥାଉଛି ।ନା କୌଣସି ରକ୍ତ ଶୋଷି ବାର ଚିନ୍ହ ନା ଆଉ କିଛି ବି ଅସୁବିଧା ।ପ୍ରଥମେ ପ୍ରଥମେ ତ ଟିକେ ତାକୁ ଭୟ ଲାଗୁଥିଲା କିନ୍ତୁ ସବୁଦିନ ସେହି ଏକା ପ୍ରକାର ଅନୁଭବ ହେଉଥିବାରୁ ଆଉ କିଛି ଭୟ ଲାଗୁନାହିଁ ବୋଲି କହିଥିଲା ସାନଝିଅ।ବୁଢା ଚମକି ଉଠିଥିଲେ ସ୍ୱପ୍ନ ରେ କିଏ ରକ୍ତ ଶୋଷ ଥିବା କଥା ଶୁଣି।ବୁଢା ପଚାରିଥିଲେ ଝିଅକୁ ଏଠାରେ ସେମିତି କିଛି ଘଟୁଛି କି।ଝିଅ ମନା କରିଥିଲା ଏଠାରେ ସେମିତି କିଛି ଘଟୁ ନାହିଁ ବୋଲି।ବୁଢା ଟିକେ ଆଶ୍ୱସ୍ତ ହେଇଥିଲେ।ଏବଂ ଭୟରେ ଝିଅ କୁ ଆଉ ଶାଶୁ ଘରକୁ ନ ଛାଡି କାହିଁକି ଏପରି ହେଉଛି ତାର କାରଣ ଅନୁସନ୍ଧାନ କରିବାରେ ଲାଗି ପଡିଥିଲେ।ଠିକ ଏହି ସମୟରେ ବୋହୂ ର ବାପା ଘରୁ , ସମୁଦି ରଙ୍କ ପାହାନ ଖବର ଦେଇଥିଲେ ତୁରନ୍ତ ସେହି ପଲଙ୍କ ବିକ୍ରି କରିବା ପାଇଁ।କାରଣ ସେ କୁଆଡେ ଜଣେ ରେଂଗୁନ ବାସିନ୍ଦା ଠାରୁ ଖବର ପାଇଥିଲେ ସେ ପଲଙ୍କ ଯାହା ପାଖରେ ବି ରହୁଛି ଏବଂ ତା ଉପରେ ଯେଉଁ ନବ ବଧୂ ଶୋଉଛି ତାର ମୃତ୍ୟୁ ର କାରଣ ବନୁଛି।ପଲଙ୍କ ଟି କୁଆଡେ ଅଭିଶପ୍ତ ପଲଙ୍କ।କେବଳ ଅତି ସୁନ୍ଦର ହେତୁ କେହି ଏହାକୁ ନଷ୍ଟ କରି ନ ପାରି ଅନ୍ୟତ୍ର ବିକ୍ରି କରି ଦେଉଛନ୍ତି।ପୂର୍ବରୁ ବହୁତ ଜଣ ଙ୍କର ନବ ବଧୂ ମୃତ୍ୟୁ ର କାରଣ ଏହି ପଲଙ୍କ ବନିଛି।ଏଥର ଆଉ ପାହାନ ବୁଢା କାଳ ବିଳମ୍ବ ନ କରି ଝିଅ ଶାଶୁ ଘରକୁ ଯାଇ ପଲଙ୍କ ବିଷୟରେ ସବୁ କହି ,ପଲଙ୍କ ଟିକୁ ସର୍ବ ସମ୍ମୁଖରେ ଗାଁ ଦାଣ୍ଡରେ ନିଆଁ ଲଗେଇ ଜାଳି ପୋଡି ନଷ୍ଟ କରି ଦେଇଥିଲେ।

