Sabitri Mohapatra

Drama Romance

4.4  

Sabitri Mohapatra

Drama Romance

ଅଭିମାନିନୀ ସେ

ଅଭିମାନିନୀ ସେ

4 mins
638


ସେଦିନ ରୁବି ଏକା ଏକା ପାର୍କ ରେ ବୁଲୁ ବୁଲୁ ହଠାତ୍ ଫେରିଗଲା ତାର ମନ ଦୀର୍ଘ ପଚିଶ ବର୍ଷ ତଳକୁ । ସେହି ସାଙ୍ଗ ସିଲୁ କଥା ହଠାତ୍ ତାର ମନେ ପଡିଗଲା , ଯେତେବେଳେ ସେମାନେ  ଶୈଳବାଳା  ମହିଳା କଲେରେ ପଢୁଥିଲେ । ସିଲୁ ଥିଲା ଭାରି ଏକ୍ଜିଦିଆ ଝିଅ। ମାତ୍ର ତାର ଶାଢୀ ପିନ୍ଧାର ଶୈଳୀ ଥିଲା ଏକ ନୂତନ ଢଙ୍ଗର ଆଉ ଉନ୍ନତ ଧରଣର ତଥା ରୁଚି ସଂପର୍ଣ୍ଣ । ସେ ଅତ୍ୟଧିକ ସୁନ୍ଦରୀ ନ ଥିଲେହେଁ ନିଜ କୁ ସଜ୍ଜେଇବାର ଢଙ୍ଗ ଥିଲା ନୂଆ ପ୍ରକାର ର । ସେ ଯେତେବେଳେ କଲେଜ୍ ର ହତା ଭିତରକୁ ବା କ୍ଲାସ ଭିତରକୁ ପଶି ଆସେ ସମସ୍ତଙ୍କ ନଜର ତାଆଡେ ଅଲକ୍ଷରେ ଟିକେ ପଡିଯାଏ । କିନ୍ତୁ ସେଇ ସିଲୁ ଆଜି ପର୍ଯ୍ୟନ୍ତ  ଅବିବାହିତ ହୋଇ ରହିଗଲା ।


ଦୀର୍ଘ ପଚିଶ ବର୍ଷ ତଳର କଥା । ଶୈଳବାଳା ମହିଳା କଲେଜରେ ପଢୁଥାନ୍ତି ସେମାନେ। ସିଲୁ ଭାରି ଭଲ ପାଠ ପଢୁଥିଲା । ଅନେକ ଭଲ ଗୁଣ ମଧ୍ୟ ତାର ଥିଲା ମାତ୍ର ଏହି ଏକ୍ଜିଦିଆ ଗୁଣ ପାଇଁ ସାଙ୍ଗ ମାନଙ୍କୁ ବିରକ୍ତିରେ ପକୋଉଥିଲା | ସେଦିନ ରୁବି ଓ ସିଲୁ ସାଙ୍ଗ ମାନଙ୍କ ସହିତ ନିଜ ନିଜର କ୍ଲାସ ସାରି ବାହାରେ ଆସି ଦହିବରା ଆଳୁଦମ୍ ଖାଇବାକୁ ଲାଇନ୍ ଲଗେଇ ଠିଆ ହୋଇଛନ୍ତି, ହଠାତ୍ ସିଲୁ ଖାଇବା ମଝିରେ ଫିକ୍ କିନା ବିନା କାରଣରେ ହସି ଦେଲା । ରୁବି ର ଆଖି କୁ ବାଦ ଯାଇନି ଏ ଦୃଶ୍ୟ । ତେଣେ ସେପଟେ ଦେଖିଲା ତିନିଜଣ ପୁଅ ବାଇକ୍ ଉଡେଇ ପଳାଉଛନ୍ତି । ମାତ୍ର ଜଣଙ୍କ ମୁହଁ ରେ ଟିକେ ସ୍ମିତହାସ୍ୟ ଲାଗି ରହିଛି । ରୁବି ମନରେ ଟିକେ ସନ୍ଦେହ ଆସିଲା । କଥା କଣ ?ସେ ହସର ରହସ୍ୟ ଜାଣିବାକୁ ଚେଷ୍ଟା କଲା ଓ ପଚାରି ବସିଲା ସିଲୁକୁ ।ରୁବି କହିଲା  ସିଲୁ, ସାଙ୍ଗ ମାନଙ୍କୁ ମନକଥା କହିବନି ତ କହିବ କାହାକୁ? ସିଲୁ ତା ନିଜର ମନର କଥା କହି ଚାଲିଲା ।


ହଁ! ସାନ ଭାଇ ଦେବୁ ର ରୁମ୍ ଟା ସବୁବେଳେ ଅସ୍ତବ୍ୟସ୍ତ ହୋଇ ପଡିଥାଏ । ବହିପତ୍ର ଗୁଡିକ ଏପଟସେପଟ ହୋଇ ପଡିଥାଏ, ବେଡସିଟ୍ ମଧ୍ୟ ଠିକ୍ ହୋଇ  ପଡିନଥାଏ,ଏସବୁ ସିଲୁ କୁ ଆଦୌ ଭଲଲାଗେ ନାହିଁ। ସେ ମଝିରେ ମଝିରେ ଯାଇ ଦେବୁ ର ରୁମ୍ କୁ ସଜାଡି ଦେଇ ଆସେ । ଏମିତିଦିନେ ଖରାବେଳଟାରେ ସିଲୁ ସଜାଡିସୁଜୁଡି ତା ରୁମ୍ କୁ ଫେରୁଥିବା ସମୟରେ ଅମିତ୍ ,ଯେ କି ଦେବୁ ର ସାଙ୍ଗ ସାଙ୍ଗେ ଦେଖା ହୋଇଗଲା । ଅମିତ୍ ସବୁଦିନ ଦେବୁ ପାଖକୁ ଆସେ,ସେମାନେ ମିଶି ପାଠ ପଢନ୍ତି । ଏମିତି ସବୁଦିନ ଘର ସଜାଡିବା ନାଁ ରେ ଅମିତ୍ ସହିତ ସିଲୁ ର ଦେଖା ସାକ୍ଷାତ ହୋଇଯାଏ । ଆସ୍ତେ ଆସ୍ତେ ସିଲୁ ର ସ୍ୱପ୍ନ ର ଦୁନିଆରେ ସେ କେବଳ ଦେଖି ପାରିଲା ଅମିତ୍ ର ମୁହଁ । ଅମିତ୍ ର ମନରେ ଭି ସେହି ଭାବନା ଜାତହେଲା । ସେମାନେ ସାଙ୍ଗ ହୋଇ ସିନେମା ଯିବା, ପାର୍କ ଯିବା ,ହୋଟେଲ ଯିବା ଆରମ୍ଭ କରିଦେଲେ। ମାତ୍ର ବେଳେ ବେଳେ ଅଦୃଶ୍ୟ ଭବିଷ୍ୟତ ତାର ପ୍ରେମର ସ୍ରୋତକୁ ଅଟକାଇଦିଏ । ଆହୁରି ମଧ୍ୟ ସମୟ ସମୟରେ ତାର ମନଟା ଉଦାସ ହୋଇଯାଏ । ସତେକଣ ଏହା ସମ୍ଭବ ହୋଇପାରିବ ? ସେ କଣ ସତରେ ଅମିତ୍ କୁ ନେଇ ତାର ସ୍ବପ୍ନ ର ମହଲ ଗଢିପାରିବ ? କାରଣ ଅମିତ୍ ହେଉଛି ସାନ ଭାଇ ଦେବୁ ର ସାଙ୍ଗ ମାନେ ତାଠାରୁ ବୟସରେ ସାନ ହୋଇଥିବ ,ଆଉ ତାଛଡା ଅମିତ ଏକ ବ୍ରାହ୍ମଣ ଘରର ପୁଅ ଓ ସେ ହେଉଛି ଏକ ଖଣ୍ଡାୟତ ଘର ର ଝିଅ । ଏହା କେମିତି ସମ୍ଭବ ହେବ ?ସେ ଯେତେ ଚେଷ୍ଟା କଲେ ଭି ଏ ସଂଯୋଗ ରୁ ମୁକୁଳି ପାରିଲାନି । ଆହୁରି ମଧ୍ୟ ସେ ଅନିଶ୍ଚିତ ଭବିଷ୍ୟତ ଭାବନାରେ ବିଚଳିତ ହୋଇ ପଡିଲା । ଏମିତି ଦିନେ ସବୁ ଭାବୁ ଭାବୁ ତାର ଭାବନାରେ ପୂର୍ଣ୍ଣଚ୍ଛେଦ ପଡିଗଲା । ଭାବନା ଟା ଅନ୍ତ ହୋଇଗଲା ଯେମିତି । ନୀରବରେ ରହିବାଟା ହିଁ ସେ ଶ୍ରେୟ ମନେକଲା ।


ହଠାତ୍ ଅମିତ୍  ପନ୍ଦର ଦିନ ପାଇଁ କୁଆଡେ ଗାଏବ ହୋଇଗଲା । ଆଉ ଦେବୁ ପାଖକୁ ଆସିଲାନି । ବୋଧହୁଏ ପରୀକ୍ଷା ସରିଯାଇଛି କିମ୍ବା ଦେହ ମୁଣ୍ଡ ଠିକ୍ ନାହିଁ । ଏହା ଭାବି ସିଲୁ ମନେ ମନେ ରହିଥାଏ । ବଗିଚା କାମରେ ଏପଟସେପଟ ହୋଇ କାମ କରୁଥାଏ ସେଦିନ। ହଠାତ୍ ସେପଟେ ଫୋନ ଆସି କଟିଗଲା । ପୁନର୍ବାର ଫୋନ କଲ୍ ଆସି କଟିଯାଉଥାଏ । କିଏ ଏମିତି ବଦମାସି କରୁଛି ଭାବି ଫୋନ କାଟି ବଗିଚା କାମରେ ମନ ଦେଲା। ତାପରେ ପୁନର୍ବାର ଫୋନ ରିଙ୍ଗ ବାଜି ଉଠିଲା। ସିଲୁ ବଗିଚା କାମରୁ ଉଠିଯାଇ ଫୋନ ଧରିଲା । ସେପଟୁ ଗୋଟେ ଅଚିହ୍ନା ଝିଅର  ସ୍ୱର  ଶୁଭିଯାଉଥିଲା । କିଛି  ନକହି ସେ ଝିଅଟି ଖାଲି ହସି ଦଉଥାଏ । ବାରମ୍ବାର  ସେମିତି କରିବାପରେ ସିଲୁ କିଛି ବୁଝିପାରିଲାନି କଣ ହେଉଛି ଓ ସେ ଝିଅଟି କିଏ ? ତାପରେ ଗୋଟେ ଗୁରୁଗମ୍ଭୀର ସ୍ୱର ଶୁଣି ସିଲୁ ର ଛାତି ଥରିଗଲା । ଏ ସ୍ୱର ତାରଆଗରୁ ବହୁତ ପରିଚିତ ସ୍ୱର । ତାକୁ କିଛି ଅଛପା ହେଲାନି ଜାଣିବାକୁ । ଅମିତ୍ ର ଥିଲା ଏହି ସ୍ୱର । ଅମିତ୍ ସେପଟୁ ହସି ହସି କହୁଛି  ସିଲୁ କେମିତି ଅଛ ? ସିଲୁ ସବୁକଥା ବୁଝି ଗଲା ଓ କହିଲା ହଁ! ଭଲ ଅଛି । କିନ୍ତୁ ତୁମସାଥେ ସେ ଝିଅ ର ସ୍ୱର ଟି କାହାର ?ଅମିତ୍ କିଛି ନକହି ଚୁପ୍ ରହିଲା । ସିଲୁ ଫୋନ କୁ କାଟିଦେଇ  ଘର ଭିତରକୁ ପଶି ଆସିଲା ରାଗ ଆଉ ଅଭିମାନରେ । ଘର ଭିତରେ ସେ ଯାଉ ଯାଉ ଶୁଣି ପାରିଲା ,ଦେବୁ କହୁଛି ତାର ଭାଉଜ କୁ--- ମୋର ସେ ସାଙ୍ଗ ଅମିତ୍ ର ବାହାଘର ପାଂଚ ଦିନ ପୂର୍ବେ ହୋଇଗଲା । ବାହାଘର ଗୋଆ ରେ ହେଲା ତ,ଆମେ ସାଙ୍ଗମାନେ କେହି ଯାଇପାରିଲୁନି । ଏକଥା ଦୁଇପଦ ସିଲୁ କାନରେ ଆଲାରାମ ବାଜିଲା ଭଳି ବାରମ୍ବାର ଶୁଭି ଯାଉଥାଏ । ଅମିତ୍ ର ପାଂଚ ଦିନ ପୂର୍ବେ ବାହାଘର ହୋଇ ଯାଇଛି ।ସେ ତାର କାନକୁ ଯେତେଜୋରରେ ବଂଦ  କରିବାକୁ ଚେଷ୍ଟା କଲେ ଭି ସେହି ସ୍ୱର  ଜୋର ଜୋରରେ ଶୁଭି ଯାଉଥାଏ ।


ସିଲୁ କଣ ଶୁଣୁଛି ଭାବି ପାରିଲିନି ।ଏତେ ଦିନର ଗଢିଥିବା ସ୍ବପ୍ନ ର ମହଲ କଣ ଭାଙ୍ଗି ଧୂଳିସାତ ହୋଇଯିବ ? ସବୁ କିଛି କଣ ସ୍ମୃତି ହୋଇ ରହିଯିବ? ସିଲୁ କୁ ଜୀବନଟା ଫାଙ୍କା ଫାଙ୍କା ପରି ବୋଧହେଲା । କଣ କରିବ ସେ ? ଏ ସବୁର ସମାଧାନ ର ଖିଅ ଖୋଜି ପାଇଲାନି କିଛି । ଏପଟେ ସିଲୁର ବାହାଘର  ପାଇଁ ଜୋରସୋରରେ ଖୋଜାଖୋଜି ଚାଲିଛି । ବାପା, ମା, ଭାଇ, ଭାଉଜ ମିଶି ଭଲ ଭଲ ପ୍ରସ୍ତାବ ମାନ ଆଣି ପକୋଉଥାନ୍ତି । କିନ୍ତୁ ସବୁ ପ୍ରସ୍ତାବ କୁ ଅନାଗ୍ରହ ଦେଖୋଉଛି ସିଲୁ ଓ ସବୁଥିରେ ନାହିଁ କରି ରହିଯାଉଛି । ଏଥିରେ ସିଲୁର ବାପା ରାଗିଯାଇ ସାନଭଉଣୀ ମିଲୁର ବାହାଘର କରିଦେଲେ । ତଥାପି ସିଲୁ ନୀରବ ।


ଦିନେ ସିଲୁ ସ୍ଥିର କଲା, ଘର ଛାଡି ଚାଲିଯିବ ଅନେକ ଦୂର। ସେହି ପନ୍ଥା ହିଁ ଶେଷରେ ସେ ବାଛିନେଲା ଓ ଶିକ୍ଷା ବିଭାଗରେ ଚାକିରୀ ପାଇ ଚାଲିଗଲା ଅନେକଦୂର--- ମାଲକାନଗିରି । ସେଠାରେ ଅଧ୍ୟାପିକା ଚାକିରୀ କରି ପିଲାମାନଙ୍କୁ ପଢେଇ କୌଣସିମତେ ସମୟ କଟାଇବାକୁ ଲାଗିଲା । ବହୁତ ଦିନ ଅତିକ୍ରମ କଲାପରେ ଦିନେ ସିଲୁ ଫେରିଛି ଘରକୁ ପୂଜା ଛୁଟିରେ। କିଛିଦିନ ହସଖୁସି ରେ ବିତିଗଲା ପରେ ନିଜ ଜାଗାକୁ ଫେରିବାର ଦିନ ପାଖେଇ ଆସିଲା । ଦିନେ ସେପଟଦେଇ ପାଶ୍ କଲା ବେଳକୁ ସାନଭାଇ ଦେବୁ ,ଭାଉଜ ସାଙ୍ଗରେ କଥା ହେଉଥିବାର ଶୁଣିଲା । ଦେବୁ କହୁଥିଲା-- ଭାଉଜ,ମୋର ସାଙ୍ଗ ଅମିତ୍ କଥା ମନେଥିବ ? ବେଶ ଭଲ ଚାକିରୀ କରିଥିଲା,ଭଲଘରେ ମଧ୍ୟ ବାହାହୋଇଥିଲା । ଗୋଟିଏ ଝିଅ ତାର ।ଏବେ ହଠାତ୍ ଶୁଣିଲି ତାର ଦେହ ଭୀଷଣ ଖରାପ ହୋଇଯାଇଛି । ଆଉ ବଞ୍ଚିବାର ଆଶା ଖୁବ୍ କମ୍ । ବୋଧହୁଏ ଵ୍ଲଡ କ୍ୟାନ୍ସର ହୋଇଛି । ସେପଟେ ସିଲୁ ଯାଉ ଯାଉ ପାଦ ଦୁଇଟା ତାର ଅଟକି ଗଲା ଯେମିତି । କଣ ଶୁଣୁଛି ସେ ? ବଞ୍ଚିବାର ଆଶା ଖୁବ୍ କମ୍ । ଵ୍ଲଡ କ୍ୟାନ୍ସର ହୋଇଛି । ଏ କଥା ଦୁଇଟି ତା କାନରେ ବାରମ୍ବାର ପ୍ରତିଧ୍ବନିତ ହୋଇ ଚାଲିଥାଏ ।


କଣ କରିବ ସେ ? ଏ କଥା ଶୁଣି ସତେକି ତାର ଶ୍ଵାସରୁଦ୍ଧ ହୋଇଯାଉଛି । ମନଟା ଅହେତୁକ ଯଂତ୍ରଣାରେ ଥରି ଉଠୁଛି । ସେ ଭାବିଲା ଯାଇ ଟିକେ ଦେଖି ଆସିବ କି ? ନା! ଟିକେ ଫୋନ କରି ବୁଝିବ କି ? ନା!ସେ କିଛି ବି କଲାନି । ଖାଲି ଦୁଇ ଆଖି ରୁ ଅବାରିତ ଲୁହଧାର ବୋହି ଚାଲିଲା । ଶୂନ୍ୟ ହୃଦୟରେ ସବୁ ସ୍ମୃତିଗୁଡିକ ଆସ୍ତେ ଆସ୍ତେ ଲିଭିଯିବାକୁ ବସୁଛି ଯେମିତି । ଅବାରିତ ଲୁହ ଧାରାକୁ ପୋଛିବାକୁ ନଦେଇ ରାତିଟା ସେମିତି କଟେଇଦେଲା । ତା ପରଦିନ ସକାଳୁ ଚାଲିଗଲା ତାର ନିଜ ସ୍ଥାନକୁ......ବହୁତ ଦୂରକୁ ଆଉ ଦୂରକୁ,  ଅଭିମାନିନୀଟିଏ ହୋଇ ।


Rate this content
Log in

Similar oriya story from Drama