ଅଭାଗିନୀ ଫୁଲ
ଅଭାଗିନୀ ଫୁଲ
ଦୂର ଦିଗବଳୟ ସେଠି ସେତେ ଦୂର ନୁହେଁ। ଚାହିଁ ଦେଖିଲେ ଏ ପାଖରେ ଅଳ୍ପଦୂର ବାଟ ସେପାଖେ ଅଳ୍ପଦୂର ବାଟ ଦିଶିଯାଏ। ତାହାରି ଭିତରେ, ଚାରିପାଖ ଗୋଲ ହୋଇ ସୁନ୍ଦର୍ ପାହାଡ ଆଉ ତା ପାଖକୁ ଲାଗିରହିଛି ଆଖିଦୃଶିଆ ସବୁଜ ଜଙ୍ଗଲ। ସେଇ ଜଙ୍ଗଲ
ପାଖକୁ ଲାଗି ରହିଛି ଗୋଟିଏ ଛୋଟ ଗାଁ। ଗାଁ ଟିର ନାମ ରତନପୁର। ସେଇ ଗାଁ ର ଶେଷ ମୁଣ୍ଡରେ ଗାଁ ର ମୁଖିଆ ହରି ନାୟକ ଓ ତାର ସତର ବର୍ଷର ଝିଅ ଫୁଲ ରୁହନ୍ତି। ଗାଁ ର ମୁଖିଆ ହିସାବରେ ହରି ନାୟକ କୁ ସମସ୍ତେ ମାନନ୍ତି ଓ ସମ୍ମାନ ମଧ୍ୟ କରନ୍ତି। ନିପଟ ମଫସଲରେ ବଢିଥିଲେ ବି ଫୁଲ ଦେଖିବାକୁ ଭାରି ସୁନ୍ଦରୀ ଆଉ କିଛି ମାତ୍ରାରେ ଶିକ୍ଷିତା ମଧ୍ଯ। ଆଧୁନିକତାର ସ୍ପର୍ଶ ଫୁଲ ଦେହରେ କିଛିକାଂଶରେ ବାରି ହୋଇପଡେ। ତାର ସେ ଢ଼ଳ ଢଳ ଆଖି, ନିରୀହ ଚେହେରା, ସମସ୍ତଙ୍କ ପ୍ରତି ସ୍ନେହ ଆଦରରେ ସେ ସଭିଙ୍କ ମନକୁ ତା ଆଡକୁ ଆକୃଷ୍ଟ କରିନିଏ। ପ୍ରକୃତରେ କହିବାକୁ ଗଲେ ଫୁଲର ଗାଁ ରତନପୁର ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର। ବିଶେଷ କରି ଶୀତଦିନେ ଏହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦୂରଦୂରାନ୍ତରୁ ବିଭିନ୍ନ ଲୋକ ଆସନ୍ତି କିନ୍ତୁ ଫୁଲର ସେସବୁ ରେ ହିସାବ ନଥାଏ କି ଧ୍ୟାନ ମଧ୍ଯ ନଥାଏ । ମାତ୍ର ସୁଦୂର ସହରରୁ ଆସିଥିବା ବାପାଙ୍କର ଜଣେ ବନ୍ଧୁଙ୍କ ପୁଅ ରେହାନ୍ ପାଖରେ ଫୁଲର କୋମଳ ମନଟା ଲାଖିଯାଏ। ରେହାନ୍ ରତନପୁର ଗାଁ କୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସି ଫୁଲ ଘରେ ରୁହେ। ଫୁଲ ତାକୁ ସହରୀ ବାବୁ ବୋଲି ଡାକେ। ବାପାଙ୍କ କହିବା ଅନୁସାରେ ଫୁଲ ରେହାନ୍ ର ସବୁ ଦାୟିତ୍ୱନିଏ ଆଉ ତାର ଟିକିନିକି ଖବର ବୁଝେ। କାହିଁକି କେଜାଣି ରେହାନ୍ ତାକୁ ଭାରି ନିଜର ନିଜର ଲାଗେ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦୁଇମାସ ଛୁଟି ଆଣି ଆସିଥିବା ରେହାନ୍ ମଧ୍ଯ ଧୀରେ ଧୀରେ ଫୁଲ ପ୍ରେମରେ ପଡିଯାଏ। କ୍ରମେ ଦୁହେଁ ଦୁହିଁଙ୍କୁ ଭଲପାଇ ବସନ୍ତି। ମୁକ୍ତ ଆକାଶର ବିହଙ୍ଗ ପରି ଦୁହେଁ ପ୍ରେମରାଜ୍ୟରେ ଘୂରିବୁଲନ୍ତି ଆଉ ନିଜ ପ୍ରେମକୁ ସାକାର କରିବା ପାଇଁ କେତେ କେତେ ସ୍ଵପ୍ନ ଦେଖନ୍ତି। ଦିନେ ଫୁଲ ଆଉ ରେହାନ୍ ଏକାନ୍ତରେ ବସିଥିବା ବେଳେ ଫୁଲ ମନଦୁଃଖ କରି କହିଲା.... ଆଚ୍ଛା ସହରୀ ବାବୁ ତୁମେ ମୋତେ ସତରେ ଭଲ ପାଉଛ ତ?? କାହିଁକି କେଜାଣି ମୋତେ ଏମିତି ଲାଗୁଛି ତୁମେ ଦିନେ ମୋତେ ସତରେ ଛାଡି ଚାଲିଯିବ। ନାଇଁ ଫୁଲ ତମେ ସେମିତି କାଇଁ ଭାବୁଛ?? ସେମିତି କିଛି ବି ହବନି... ତମେ ଖାଲି ମୋ ଉପରେ ବିଶ୍ବାସ ରଖ। ୟା ପରେ ବି ଯଦି ତମର ମୋ ଉପରେ ବିଶ୍ବାସ ନାହିଁ ତାହାଲେ ଚାଲ ମୋ ସହ ମନ୍ଦିରକୁ ଆମେ ସେଠାରେ ବାହାହେଇଯିବା । ମଜାରେ କହୁ କହୁ ସତକୁ ସତ ସେମାନେ ସେଦିନ ମନ୍ଦିରରେ ବିବାହ କଲେ। ପ୍ରଥମେ ପ୍ରଥମେ ଫୁଲର ବାପା ସେମାନଙ୍କ ବିବାହକୁ ଗ୍ରହଣ କରୁନଥିଲେ ବି ଝିଅର ଖୁସି ପାଇଁ ପର ମୁହୂର୍ତ୍ତରେ ସେମାନଙ୍କୁ ଗ୍ରହଣ କରିନେଇଥିଲେ । ଉଭୟଙ୍କ ଦାମ୍ପତ୍ୟ ଜୀବନ ବହୁତ୍ ହସ ଖୁସିରେ ବିତୁଥିଲା। କ୍ରମେ ରେହାନ୍ ର ଛୁଟି ସବୁ ସରିଆସିଲା ତେଣୁ ସେ ତା ସହରକୁ ଯିବାକୁ ବାହାରିଲା। ଗଲାବେଳେ ରେହାନ୍ ଫୁଲକୁ କହିଲା... ତମେ ଆଦୌ ଚିନ୍ତା କରନାହିଁ ଫୁଲ। ମୁଁ ଘରଲୋକଙ୍କ ସହ କଥାହେଇ ତମକୁ ବୋହୂଭାବେ ସଜେଇ ନିଶ୍ଚିତ ଆମ ଘରକୁ ନେଇଯିବି। ସେଦିନ ଆଉ ବେଶିଦିନ ଡେରି ନାହିଁ ଫୁଲ।ପ୍ଲିଜ୍.... ଆଉ କିଛି ଦିନ ତମେ ଅପେକ୍ଷା କରିଯାଅ। ନିଜ ମନର କୋହ ଆଉ ଆଖିର ଲୁହକୁ ଚାପିରଖି କହିଲା... ହଁ ସହରୀ ବାବୁ କିଛି ଦିନ ନୁହେଁ ବରଂ ମୁଁ ତୁମକୁ ସାରା ଜୀବନ ମଧ୍ଯ ଅପେକ୍ଷା କରିପାରିବି। କିନ୍ତୁ ତୁମେ ଜଲଦି ମୋ ପାଖକୁ ଫେରିଆସିବ। ତାପରେ ରେହାନ୍ ଚାଲିଗଲା ସହରକୁ।ସତେଯେପରି ସେଦିନ ପ୍ରେମର ଦୁଇପକ୍ଷୀ ସବୁଦିନ ପାଇଁ ବିଚ୍ଛେଦ ହେଇଗଲେ। ଦୁଇ ତିନି ମାସ ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍ ଠାକ୍ ଥିଲା ମାତ୍ର ତାପରେ ରେହାନ୍ ଧୀରେ ଧୀରେ ଫୁଲକୁ ଅଣଦେଖା କରିବା ଆରମ୍ଭ କରିଦେଲା। ଫୁଲ ଯେତେବେଳେ ବି ତାକୁ କଲ୍ କରି କଥା ହେବାକୁ ଚେଷ୍ଟା କରେ କିଛି ନା କିଛି ବାହାନା କରି ରେହାନ୍ କଲ୍ କାଟିଦିଏ। ନିଜ ବାପାଙ୍କ ସମ୍ମୁଖରେ ଫୁଲ ସବୁବେଳେ ହସୁଥିଲେ ବି ଭିତରେ ଭିତରେ ତାକୁ ବହୁତ୍ କଷ୍ଟ ହୁଏ। ତା ସହରୀ ବାବୁର ତା ପ୍ରତି ଏମିତି ଅଣଦେଖାକୁ ସେ ଆଦୌ ସହିପାରେନା।
ୟା ଭିତରେ ରେହାନ୍ ର ସହର ଯିବା ପ୍ରାୟ ପାଞ୍ଚ ଛ' ମାସ ହୋଇଗଲାଣି। ତାକୁ ଅପେକ୍ଷା କରି କରି ଫୁଲର ଅବସ୍ଥା ମଧ୍ଯ ଖରାପ ହେଇଗଲାଣି। ଆଜି ସକାଳୁ ଫୁଲର ମନ ଭାରି ଦୁଃଖ। କାରଣ ଆଜି ହେଉଛି ସାବିତ୍ରୀ ବ୍ରତ। ସବୁ ସ୍ତ୍ରୀ ମାନଙ୍କ ପରି ତା ମନରେ ମଧ୍ଯ ଥିଲା ଅସୁମାରୀ ଆଶା ଓ ସ୍ଵପ୍ନ। ଆଜି ଯଦି ତା ସ୍ଵାମୀ ତା ପାଖରେ ଥାନ୍ତା ତାହାଲେ ସିଏ ବି କେତେ ହସ ଖୁସିରେ ଏ ବ୍ରତ ପାଳନ କରିଥାନ୍ତା। କିନ୍ତୁ ସେମିତି କିଛି ବି ହୋଇପାରିଲାନି। ସ୍ଵାମୀର ପଥକୁ ଚାହିଁ ଚାହିଁ ଫୁଲ ଆଖିରୁ ପାଣି ମରିଗଲାଣି। କିନ୍ତୁ ତାର ଦେଖାଦର୍ଶନ ନାହିଁ। ଏପଟେ ତା ବାପାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଲାଣି।ତେଣୁ ସେ ମନେ ମନେ ଭାବିଲା ଏମିତି ପ୍ରତିଦିନ ଆଖିରୁ ଲୁହ ଝରେଇଲେ କିଛି ବି ହବନି ତେଣୁ ମୋତେ ହିଁ କିଛି କରିବାକୁ ପଡିବ ଆଉ ମୋତେ ହିଁ ମୋ ସହରୀ ବାବୁଙ୍କୁ ଖୋଜିବାକୁ ପଡ଼ିବ। ତା ପରଦିନ ନିଜ ବାପାଙ୍କ ଠାରୁ ଶାଶୁଘର ଠିକଣା ନେଇ ଫୁଲ ଚାଲିଲା ତା ସହରୀ ବାବୁର ଅନ୍ୱେଷଣରେ। ଚାଲି ଚାଲି ସେ କ୍ଲାନ୍ତ ହୋଇଗଲାଣି କିନ୍ତୁ ବାଟ ଏ ପର୍ଯ୍ୟନ୍ତ ସରୁନି। ଶେଷରେ ବହୁ ଘାତ ପ୍ରତିଘାତକୁ ସାମ୍ନା କରି ଫୁଲ ପହଞ୍ଚିଲା ତା ଶାଶୁଘରେ। ସେଠାରେ ଏତେ ବଡ଼ କୋଠା, ଘରଦ୍ଵାର, ଗାଡି ଦେଖି ଫୁଲର ଆଖି ଲାଖିଗଲା ଆଉ ମନେ ମନେ ଭାବୁଥିଲା... କି ଭାଗ୍ୟ ମୋର। ନିଜେ ଏତେ ବଡ଼ ଘରର ବୋହୂ ବୋଲି ସେ ସହଜରେ ବିଶ୍ଵାସ କରିପାରୁନଥିଲା। ସେ ଘର ଭିତରକୁ ଯିବାକୁ ଉଦ୍ୟମ କଲାବେଳେ ହଠାତ୍ ସେଠାରେ ଜଗିଥିବା ସିକ୍ୟୁରିଟି ତାକୁ ଅଟକାଇ କହିଲା.... କିଏ ତୁମେ ?? ତୁମର ଏଠାରେ କାମ କ'ଣ ?? ଦେଖ.... ଆଜି ଏଠି କିଛି ଭିକ ମିଳିବନି କାରଣ ଆଜି ଏ ଘରେ ଗୋଟେ ବଡ଼ ଫଙ୍କ୍ସନ ଅଛି। ତେଣୁ ତୁମେ ଜଲଦି ଏଠୁ ଚାଲିଯାଅ। ଉତ୍ତରରେ ଫୁଲ କହିଲା... ନାଇଁ ଆଜ୍ଞା ମୁଁ ଭିକାରୁଣୀ ନୁହେଁ... ମୁଁ ତ ଏ ଘରର ବୋହୁ ଆଉ ସହରୀ ବାବୁଙ୍କର ସ୍ତ୍ରୀ। ଫୁଲ ମୁହଁରୁ ଏକଥା ଶୁଣି ହସିଉଠିଲା ସେ ସିକ୍ୟୁରିଟି ଜଣକ ଆଉ କହିଲା ତୁମେ ବୋଧେ ଜାଣିନ ଆଜି ହେଉଛି ସାନବାବୁ ମାନେ ରେହାନ୍ ବାବୁଙ୍କର ନିର୍ବନ୍ଧ ଆଉ ତୁମେ କ'ଣ କହୁଛ ନା ତୁମେ ତାଙ୍କ ସ୍ତ୍ରୀ । ସିକ୍ୟୁରିଟି ମୁହଁରୁ ଏସବୁ ଶୁଣି ଫୁଲ ଆଶ୍ଚର୍ଯ୍ୟ ହେଇଗଲା ଆଉ ତାକୁ ଟିକେ ତା ସହରୀ ବାବୁ ସହ ଦେଖା କରେଇଦେବା ପାଇଁ ସିକ୍ୟୁରିଟି ଆଗରେ ନେହୁରା ହେଲା ।ଫୁଲର ବହୁ କାକୁତିମନତି ପରେ ସିକ୍ୟୁରିଟି ଜଣକ ତା ସହରୀ ବାବୁଙ୍କୁ ଡାକିବାକୁ ଗଲା। ଫୁଲ ବାବଦରେ ସବୁ ଶୁଣିସାରି ରେହାନ୍ କହିଲା... ତୁମେ ତାଙ୍କୁ କହିଦିଅ ମୁଁ କୋଉ ଫୁଲକୁ ଚିହ୍ନିନି କି ଜାଣିନି ତେଣୁ ତାଙ୍କୁ କୁହ ସେ ଏଠାରୁ ଜଲଦି ଚାଲିଯିବ। ରେହାନ୍ କଥା ଅନୁସାରେ ସିକ୍ୟୁରିଟି ଟି ଆସି ଫୁଲକୁ ସବୁ କଥା କହିଲା ଓ ତୁରନ୍ତ ସେଠାରୁ ଚାଲିଯିବା ପାଇଁ ନିର୍ଦ୍ଦେଶ ମଧ୍ଯ ଦେଲା। ମାତ୍ର ଫୁଲ ଥିଲା ତା ଜିଦି ରେ ଅଟଳ। ସହରୀ ବାବୁଙ୍କୁ ଦେଖା ନକରିବା ପର୍ଯ୍ୟନ୍ତ ସେ ସେଠାରୁ ଟିକେ ବି ହଲିବନି ବୋଲି ରୋକ୍ ଠୋକ୍ ସିକ୍ୟୁରିଟିକୁ ଜଣାଇଦେଲା। ଏପଟେ ଦିନ ସରି ରାତି ଆରମ୍ଭ ହେବାକୁ ଲାଗିଲାଣି କିନ୍ତୁ ଫୁଲ ସେଇ ଗେଟ୍ ପାଖରେ ସେମିତି ଜାକିଜୁକି ହୋଇ ବସି ରହିଥାଏ ଆଉ ଅପେକ୍ଷା କରିଥାଏ ତା ସହରୀ ବାବୁଙ୍କୁ । କେତେ ଲୋକ ସେଇ ଗେଟ୍ ପାଖ ଦେଇ ଯିବା ଆସିବା କରୁଥାନ୍ତି କିନ୍ତୁ କାହାର ନଜର ନଥାଏ ଫୁଲ ପ୍ରତି। ଶେଷରେ ପାର୍ଟି ସରିବା ପରେ ରେହାନ୍ ଆସିଲା ଫୁଲ ପାଖକୁ। କାହିଁ କେତେ ଦିନ ପରେ ନିଜ ସହରୀ ବାବୁଙ୍କୁ ପାଖରେ ଦେଖି ଫୁଲ ଆଖିରୁ ଖୁସିର ଲୁହ ଦୁଇଟୋପା ଝରିଗଲା। ସଙ୍ଗେ ସଙ୍ଗେ ତାକୁ କୋଳାଗ୍ରତ କରି ଅଭିମାନ ରେ ଫୁଲ କହିଲା... ଏତେଦିନ ତୁମେ ମୋତେ ଏକୁଟିଆ ଛାଡି କେମିତି ରହିପାରିଲ ସହରୀ ବାବୁ ?? ଜାଣିଛ ତୁମର ଅନୁପସ୍ଥିତି ମୋତେ କେତେ କଷ୍ଟ ଦେଉଥିଲା। ଗୋଟିଏ ଗୋଟିଏ ମୁହୂର୍ତ୍ତ ମୋତେ ଗୋଟିଏ ଗୋଟିଏ ଯୁଗ ପରି ଲାଗୁଥିଲା। ସେସବୁ ଦିନ ଗୁଡିକ କେମିତି କଟିଛି କେବଳ ମୁଁ ଜାଣିଛି ସହରୀ ବାବୁ। ତୁମର କ'ଣ ମୋ କଥା ଟିକେ ବି ମନେ ପଡୁନଥିଲା?? ତାପରେ ରେହାନ୍ ଚିତ୍କାର କରି କହିଲା... ଓ ପ୍ଲିଜ୍ ଫୁଲ ଏସବୁ ଫାଲତୁ କଥା ବନ୍ଦ କର। ତୁମର ଏସବୁ ବେକାର କଥା ଶୁଣିବାକୁ ମୋ ପାଖେ ସମୟ ନାହିଁ। ପ୍ରଥମେ କୁହ ତୁମେ ଏଠାକୁ କ'ଣ ପାଇଁ ଆସିଛ ?? ରେହାନ୍ ର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ଫୁଲ ଆଉ କହିଲା... ତୁମେ ଏ କ'ଣ କହୁଛ ସହରୀ ବାବୁ !! ମୁଁ ତୁମ ସ୍ତ୍ରୀ... ଆଉ ତୁମ ପାଖକୁ ଆସିବିନି ତ କାହା ପାଖକୁ ଯିବି ?? ତୁମେ ମୋ ମଥାରେ ସିନ୍ଦୂର ଦେଇଛ ସହରୀ ବାବୁ ଏକଥାକୁ କ'ଣ ଏତେ ଜଲଦି ଭୁଲିଗଲ?? ଓ ପ୍ଲିଜ୍... ସେସବୁ ବନ୍ଦ କର। ଆରେ ଏ ସିନ୍ଦୂର ମୋ ପାଇଁ ମାମୁଲି କଥା। ସେଥିରୁ ଟୋପାଏ ତୁମ ମଥାରେ ଦେଇଦେଲି ବୋଲି ଆଜି ମୋ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଚାଲିଆସିଲ ନୁହେଁ। ଆଉ ଶୁଣ... ଏ ଶଙ୍ଖା, ଏ ସିନ୍ଦୂର, ଏ ବିବାହ ସବୁକିଛି ମୋ ପାଇଁ ମୂଲ୍ୟହୀନ... ସବୁକିଛି ।ତୁମେ କ'ଣ ଭାବିଥିଲ ତୁମ ପରି ଜଣେ ଗାଉଁଲି ଝିଅକୁ ମୁଁ ମୋ ଜୀବନ ସାଥି ଭାବରେ ସାରା ଜୀବନ ଗ୍ରହଣ କରିଥାନ୍ତି ?? କାଇଁ ମୋତେ କ'ଣ ଆଉ ଝିଅ ମିଳିବେନି ?? ସହରୀ ବାବୁ ତୁମେ ଏ କ'ଣ କହୁଛ ?? ତା ମାନେ ଆମ ଭଲପାଇବା କ'ଣ ମିଛ ଥିଲା ଆଉ ତୁମର ପ୍ରତିଟି କଥା ଆଉ ପ୍ରତିଶ୍ରୁତି ଗୁଡିକ ସବୁ କ'ଣ ଛଳନା ଥିଲା ??କାନ୍ଦି କାନ୍ଦି ଫୁଲ କହିଲା... କେମିତି ଭୁଲିବି ତୁମ ସହ ବିତିଥିବା ପ୍ରତ୍ୟେକଟି ମୁହୂର୍ତ୍ତକୁ ଆଉ କେମିତି ଅମାନ୍ୟ କରିବି ମୋ ହାତର ଶଙ୍ଖା ଆଉ ମଥାର ସିନ୍ଦୂରକୁ । ପାରିବିନି ଏସବୁ ସହି ମୁଁ ସହରୀ ବାବୁ। ମୋ ପ୍ରତି ଏତେ ବଡ଼ ଅନ୍ୟାୟ ତୁମେ କରନି ନହେଲେ ଜୀଇଁ ଥାଉ ଥାଉ ମୁଁ ମରିଯିବି... ମରିଯିବି ମୁଁ । ଆଉ ତୁମେ ଜାଣିଛ ଆମ ଭଲପାଇବାର ସନ୍ତକ ଏବେ ମୋ ଗର୍ଭରେ ବଢୁଛି। ତୁମେ କ'ଣ ତାକୁ ବି ଅସ୍ୱୀକାର କରିପାରିବ ?? ତୁମେ ଯଦି ଆମ ଦୁଇଜଣଙ୍କୁ ଗ୍ରହଣ ନକରିବ ତାହାଲେ କ'ଣ ହେବ ମୋର ଅବସ୍ଥା ଆଉ ଦୁନିଆ ଆଲୋକ ଦେଖିନଥିବା ମୋ ପିଲାର ଭବିଷ୍ୟତ ?? ଏ ମୁହଁ ନେଇକି ମୁଁ କେମିତି ଗାଁ କୁ ଯିବି। କେତେ ଆଶା ରଖିଥିଲେ ବାପା ଝିଅ ତାଙ୍କର ବଡ଼ ଘରର ବୋହୂ ବୋଲି କିନ୍ତୁ ସେ ଯେତେବେଳେ ଜାଣିବେ ତାଙ୍କ ଝିଅକୁ ସହରୀ ବାବୁ ଗ୍ରହଣ କରୁନାହାନ୍ତି ବୋଲି... ସହି ପାରିବେନି ସିଏ।ସଂମ୍ପୂର୍ଣ୍ଣ ଭାଙ୍ଗିପଡିବେ ମୋର ଏ ଅବସ୍ଥା ଦେଖି। ମୋ ପାଇଁ ନହେଲେ ନାଇଁ ତୁମ ପିଲାଟା ପାଇଁ ହେଉ ପଛକେ ମୋତେ ଏ ଘରେ ରହିବାକୁ ଟିକେ ଜାଗା ଦିଅ।ସ୍ତ୍ରୀ ଭାବରେ ନହେଲା ନାହିଁ ଚାକରାଣୀ ଭାବରେ ହେଉ ପଛେ ମୋତେ ଟିକେ ତୁମ ଘରେ ସ୍ଥାନ ଦିଅ। ସବୁ ଶୁଣିସାରି ଚିତ୍କାର କରି ଉଠିଲା ରେହାନ୍ ଆଉ କହିଲା... ସେ ବାଜେ କଥା ତୁମ ପାଖେ ରଖ ଫୁଲ। ତା ଛଡା ତୁମ ପାଖେ କ'ଣ ପ୍ରମାଣ ଅଛି ଯେ ତୁମ ଗର୍ଭରେ ଯୋଉ ପିଲା ବଢୁଛି ସେ ମୋର ବୋଲି?? ଆଉ କାହାର ପାପ ଭାରକୁ ମୋ ଉପରେ ଲଦିଦେବାକୁ ଆଦୌ ଚେଷ୍ଟା କରନି ତୁମେ। ଜାଣିଛ ଫୁଲ ତୁମର ଏ ଅବସ୍ଥା ଦେଖି ନା ମୋତେ ବହୁତ ଦୟାଲାଗୁଛି। ତେଣୁ ତୁମେ ଗୋଟେ କାମ କର... ଏଇ ନିଅ କିଛି ଟଙ୍କା ଆଉ ନୂଆ କରି ନିଜ ଜୀବନକୁ ଆରମ୍ଭ କର। ହଁ ଯଦି ପାରୁଛ... ଏ ପିଲାଟାକୁ ନଷ୍ଟ କରିଦିଅ। ଏହାଦ୍ବାରା ଆମ ଦୁଇଜଣଙ୍କର ମଙ୍ଗଳ ହେବ ଫୁଲ ଆଉ ସେମିତିରେ ବି ମୋ ମ୍ୟାରେଜ ମୋ ଷ୍ଟାଣ୍ଡାର୍ଡ଼ର ଝିଅ ସହ ଫିକ୍ସ ହୋଇ ସାରିଲାଣି। ତେଣୁ ଭଲ ହେବ ତୁମେ ଏଠାରୁ ଚାଲିଯାଅ। ତୁମର ଯଦି ୟା ବଦଳରେ ଆହୁରି ଟଙ୍କା ଦରକାର ତାହାଲେ କୁହ.. ମୁଁ ଦେବାକୁ ବି ରାଜିଅଛି। ରେହାନ୍ ମୁହଁରୁ ଏସବୁ ଶୁଣିସାରି ପ୍ରକୁତିସ୍ଥ ହୋଇ ଠିଆହୋଇ ରହିଥିଲା ଫୁଲ। ଆଖିରୁ ତାର ଗଡିଯାଉଥିଲା ଧାର ଧାର ଲୁହ। ନିଜ ମନର ଅଜସ୍ର ଦୁଃଖ,ଯନ୍ତ୍ରଣାକୁ ଚାପିରଖି ଫୁଲ କହିଲା... ନାଇଁ ସହରୀ ବାବୁ ଏ ଟଙ୍କା, ପଇସା ମୋର ଦରକାର ନାହିଁ। ସମ୍ପର୍କ ଟଙ୍କା, ପଇସାରେ ଗଢିଉଠେନି ବରଂ ସ୍ନେହ, ମମତା ଆଉ ଭଲପାଇବାରୁ ଗଢିଉଠେ। ଏସବୁ ଟଙ୍କା ପଇସା ଦେଇ ତୁମେ ମୋ ଭଲପାଇବାକୁ କିଣାବିକା କରିବାକୁ ଚେଷ୍ଟା କରନି।କାରଣ ଏମିତି କଲେ ଆମ ଭଲପାଇବାର ଅପମାନ ହେବ, ଯୋଉଟା ମୁଁ ଚାହେଁନି। ତୁମ କଥା ମାନି ମୁଁ ଚାଲିଯାଉଛି ଆଜି ତୁମଠାରୁ ବହୁତ ଦୂରକୁ ଆଉ ଭଗବାନ୍ ଙ୍କୁ ପ୍ରାର୍ଥନା କରୁଛି ସେ ତୁମକୁ ଦୁନିଆର ସବୁ ଖୁସି ଦିଅନ୍ତୁ। ଏତିକି କହି ଫୁଲ ଚାଲିଗଲା ତା ବାଟରେ। ଅନ୍ୟପଟେ ପୂର୍ବରୁ ଗେଟ୍ ପାଖରେ ଠିଆ ହୋଇ ରହିଥିବା ରେହାନ୍ ର ବାପା ସେ ଦୁଇଜଣଙ୍କ କଥାକୁ ସବୁ ଶୁଣିସାରିଥିଲେ। ନିଜ ପୁଅର ଏପରି କାର୍ଯ୍ୟ ପାଇଁ ସେ ନିଜକୁ ଶତବାର ଧିକ୍କାର କରୁଥିଲେ।ପୁଅକୁ ଏକ ଶକ୍ତ ଚାପୁଡ଼ା ମାରି କହିଲେ.... ତୁ ଏ କ'ଣ କଲୁ ରେ ମୂର୍ଖ ?? ଏତେ ବଡ଼ କଥା ତୁ ମୋତେ ଆଜି ପର୍ଯ୍ୟନ୍ତ ଲୁଚେଇ ରଖିଥିଲୁ। ଆରେ କ'ଣ ଦୋଷ ଥିଲା ସେ ନିରୀହ ଝିଅଟିର ?? ଖାଲି ତୋ ଠାରୁ ଟିକେ ଭଲପାଇବା ଲୋଡୁଥିଲା କିନ୍ତୁ ତୁ ଏତେ ବଡ଼ ଶାସ୍ତି ଦେଲୁ। ଟିକେ ହେଲେ ବି ଭାବିଲୁନି ଏତେ ରାତିରେ ଏକୁଟିଆ ଝିଅ ଟା କୁଆଡେ ଯିବ କ'ଣ କରିବ?? ଶେଷରେ ସେ ନିରୀହ ଶିଶୁ... ଯିଏ ଏପର୍ଯ୍ୟନ୍ତ ଏ ଦୁନିଆକୁ ବି ଆସିନି ତା ସହ ବି ଏତେ ବଡ଼ ଅନ୍ୟାୟ ତୁ କେମିତି କରିପାରିଲୁ?? ମୋ ସ୍ନେହ, ଶ୍ରଦ୍ଧା, ଶିକ୍ଷା ଆଉ ସଂସ୍କାରରେ କୋଉଠି ଅଭାବ ରହିଗଲା ଯେ ତୁ ଶେଷରେ ଏମିତି କଲୁ। ସବୁ ଶୁଣୁଥିଲା ରେହାନ୍ କିନ୍ତୁ କହିବାକୁ ତା ପାଖରେ କିଛି ଶବ୍ଦ ନଥିଲା କାରଣ ସେ ଭୁଲ କରିଛି। ଅନୁତାପ ନିଆଁରେ ସେ ଜଳୁଥିଲା। ନିଜ ପ୍ରତି ତାର ଘୃଣା ଆସୁଥିଲା ଆଉ ନିଜକୁ ନିଜେ ଧିକ୍କାର କରୁଥିଲା। ବାପା ଆଉ କିଛି କହିବା ପୂର୍ବରୁ ଧାଇଁ ଯାଇଥିଲା ନିଜ ସ୍ତ୍ରୀ ଫୁଲକୁ ଖୋଜି ଘରକୁ ଫେରେଇ ଆଣିବାପାଇଁ।
ସେପଟେ ରେହାନ୍ ପାଖରୁ ଶକ୍ତ ଆଘାତ ପାଇଲା ପରେ ଦିଗହରା ହୋଇ ଫୁଲ ଯାଉଥିଲାବେଳେ ମନେ ମନେ ଭାବୁଥିଲା କ'ଣ ହେବ ମୋର ଏବେ ଅବସ୍ଥା। ମୋତେ ଆଉ ମୋ ପିଲାକୁ କ'ଣ ଏ ଦୁନିଆ ଗ୍ରହଣ କରିବ ?? ବରଂ ସେ ଦୁନିଆକୁ ଆସିଲେ ଏ ସମାଜ, ଏ ଦୁନିଆ ତାକୁ ଘୃଣା କରିବ ଆଉ ନିନ୍ଦା କରିବ। ପରିଶେଷରେ ସହରୀ ବାବୁଙ୍କ ବିନା ମୋତେ ବି ଏ ସମାଜ ଭଲରେ ବଞ୍ଚିବାକୁ ଟିକେ ଦବନି ଆଉ ବାପା... ମୋତେ ଏମିତି ଅବସ୍ଥାରେ ଦେଖି ସେ ଆଦୌ ସହିପାରିବେନି । ତେଣୁ ଭଲ ହେବ ମୁଁ ଏ ଦୁନିଆ ଛାଡି ଚାଲିଯିବି ସବୁଦିନ ପାଇଁ... ହଁ ସବୁଦିନ ପାଇଁ। ମୁଁ ଚାଲିଗଲେ ସହରୀ ବାବୁ ଖୁସିରେ ରହିବେ ଆଉ ବାପାଙ୍କୁ ମଧ୍ଯ ମୋ ଚିନ୍ତା କରିବାକୁ ଜମା ପଡିବନି। ଏମିତି ଭାବି ଭାବି ଫୁଲ ପାଖ ବ୍ରିଜ୍ ର ଉପରକୁ ଚଢିଗଲା। ତାପରେ ରେହାନ୍ ଫୁଲକୁ ଖୋଜି ଖୋଜି ସେଇ ବ୍ରିଜ୍ ପାଖରେ ତାକୁ ଦୂରରୁ ଦେଖିଲା ଆଉ ମନେ ମନେ ଖୁସି ହୋଇ ଭାବିଲା... ଯାହା ବି ହେଇଯାଉ ଫୁଲକୁ ମନେଇ ତାକୁ ମୋ ସହ ନେଇଯିବାକୁ ପଡିବ ଆଉ ତାପରେ ଆମ ଦୁଇଜଣଙ୍କ ମଧ୍ୟରେ ସବୁକିଛି ଠିକ୍ ଠାକ୍ ହୋଇଯିବ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ରେହାନ୍ ସେଇ ବ୍ରିଜ୍ ପାଖରେ ପହଞ୍ଚୁ ପହଞ୍ଚୁ ଫୁଲ ନଦୀର ସେଇ ଅତଳ ଜଳରାଶିକୁ ଡେଇଁପଡିଥିଲା। ନିଜ ଆଖି ଆଗରେ ଫୁଲ ଆତ୍ମହତ୍ୟା କରୁଥିବାର ଦେଖି ମଧ୍ଯ ରେହାନ୍ କିଛି କରିପାରୁନଥିଲା। ବହୁ ଚେଷ୍ଟାପରେ ମଧ୍ଯ ରେହାନ୍ ସେଦିନ ଫୁଲକୁ ବଞ୍ଚାଇ ପାରିନଥିଲା। ନିଜ ଭୁଲ୍ ପାଇଁ ସେ ନିଜକୁ ବାରମ୍ବାର ଧିକ୍କାର କରୁଥିଲା। କ୍ଷଣିକ ସୁଖରେ ମୋହ ହୋଇ ସେ ଆଜି ଦୁଇ ଦୁଇଟା ଜୀବନ ନଷ୍ଟ କରିଦେଲା। କେବଳ ତା ପାଇଁ ଦୁନିଆ ଆଲୋକ ଦେଖିବା ପୂର୍ବରୁ ତା ପିଲାଟା ଆଜି ସବୁଦିନ ପାଇଁ ଆଖିବୁଜି ଦେଲା। ଏସବୁ ଦେଖି ସାରା ଶରୀରଟା ତାର କମ୍ପିଉଠୁଥିଲା ଆଉ ଆତ୍ମଗ୍ଳାନିରେ ହୃଦୟଟା ସତେଯେମିତି ତାର ଫାଟି ପଡୁଥିଲା । କେବଳ ହତବାକ୍ ହୋଇ ଚାହିଁ ରହିଥିଲା ନଦୀର ସେଇ ନୀଳ ଅତଳ ଜଳରାଶିକୁ। ଯେଉଁ ଜଳରାଶି ଶତ୍ରୁ ସାଜି ତା ଠାରୁ ଆଜି ସବୁକିଛି ଛଡେଇ ନେଇଗଲା।
