ନୀରବ ପ୍ରେମ
ନୀରବ ପ୍ରେମ
ଖୁସି ଏ ଖୁସି ଆଜି ତୁ ସମସ୍ତଙ୍କୁ ଉପବାସ ରଖିବୁ ନା କ'ଣ ?ଏମିତି କହି ଘର ଭିତରୁ ଉଷା ଦେବୀ ଚାଲି ଆସିଲେ ରୋଷେଇଶାଳା ଯାଏ। ନାଇଁ ମା' ରୋଷେଇ ସାରିଲାଣି। ଆପଣମାନେ ସମସ୍ତେ ଡାଇନିଙ୍ଗ୍ ରେ ବସନ୍ତୁ ମୁଁ ସଙ୍ଗେ ସଙ୍ଗେ ଖାଇବା ବାଢିଦେଉଛି। ଉଷାଦେବୀ ଥିଲେ ମହୀଦାସପୁର ଗାଁର ଜମିଦାର୍ ଅଭିଜିତ ସାମନ୍ତରାୟଙ୍କର ଧର୍ମପତ୍ନୀ। ପାଖ ଆଠ ଦଶ ଖଣ୍ଡ ଗାଁର ସେ ଥିଲେ ସାଆନ୍ତ ଆଉ ଉଷାଦେବୀ ଥିଲେ ସାଆନ୍ତାଣୀ। ସ୍ଵଭାବତଃ ଉଷାଦେବୀ ଥିଲେ ଶାନ୍ତ, ସରଳ ଓ ନିରୀହ କିନ୍ତୁ ସାଆନ୍ତ ଥିଲେ ଟିକିଏ ବଦରାଗି ମଣିଷ। ଅବଶ୍ୟ ସେ ତାଙ୍କ ପ୍ରଜାମାନଙ୍କୁ ବହୁତ୍ ସ୍ନେହ ଶ୍ରଦ୍ଧା କରୁଥିଲେ। ସଦା ସର୍ବଦା ତାଙ୍କ ଅଞ୍ଚଳର ମଙ୍ଗଳ ନିମନ୍ତେ ଅନେକ ଜନହିତକର କାର୍ଯ୍ଯ ମଧ୍ଯ କରୁଥିଲେ। ଆଦ୍ୟାଶା ଓ ଆୟୁଷ ନାମରେ ସାଆନ୍ତେଙ୍କର ଗୋଟିଏ ଝିଅ ଆଉ ଗୋଟିଏ ପୁଅ ଥିଲେ। ଖୁସି ହେଉଛି ତାଙ୍କ ଘର ଚାକରାଣୀ ମାଳତୀର ଝିଅ। ବେଳେବେଳେ ମାଳତୀ କାମକୁ ନ ଆସିପାରିଲେ ଖୁସିକୁ ସାଆନ୍ତଙ୍କ ଘରକୁ କାମ କରିବାକୁ ପଠାଇଦିଏ । ଖୁସି ଥିଲା ମାତ୍ର ସତର ବର୍ଷ ବୟସର। ଚାକରାଣୀର ଝିଅ ହେଲେ ବି ଦେଖିବାକୁ ସେ ଥିଲା ଖୁବ୍ ସୁନ୍ଦରୀ। ତାର ମିଠା ମିଠା କଅଁଳିଆ କଥାରେ ସେ ସମସ୍ତଙ୍କ ମନ ମୋହି ନେଉଥିଲା। ସାଆନ୍ତେ ଓ ସାଆନ୍ତାଣୀ ମଧ୍ଯ ଖୁସିକୁ ଭାରି ଭଲପାଆନ୍ତି। ଏବେ ମାଳତୀ ଦେବୀ ଆଉ ବେଶି କାମଦାମକୁ ପାରୁନାହାନ୍ତି, ତେଣୁ ପ୍ରାୟତଃ ଖୁସି ଚାଲିଆସେ ସାଆନ୍ତଙ୍କ ଘରକୁ କାମଧନ୍ଦା କରିବାକୁ। କାହିଁକି କେଜାଣି ଆୟୁଷ, ଖୁସିକୁ ବହୁତ୍ ପସନ୍ଦ କରେ। ତା ମନରେ ଖୁସି ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ରହିଅଛି। ତାକୁ କେହି ଯଦି ଟାଣ କଥା ପଦେ କହିଦିଏ ତାହାଲେ ଆୟୁଷକୁ ଖୁବ୍ ବାଧେ। ମନଭିତରେ ଖୁସି ପାଇଁ ଅଜସ୍ର ସ୍ନେହ, ଶ୍ରଦ୍ଧା ଓ ଭଲପାଇବା କିନ୍ତୁ କେବେ ବି ଆୟୁଷ ତା ମନ କଥା ଖୁସି ସାମ୍ନାରେ ପ୍ରକାଶ କରିନି। ଖୁସି ମୁହଁକୁ ଟିକେ ଦେଖିଦେଲେ ତାର ସାରାଦିନଟା ଆନନ୍ଦରେ ବିତିଯାଏ। ତାଙ୍କ ଘରେ ଖୁସି ହିଁ ଏକମାତ୍ର ମଣିଷ ଯିଏ କି ଆୟୁଷର ମନକଥାକୁ ଅତି ସହଜରେ ବୁଝିଯାଏ। ସେଥିପାଇଁ ଆୟୁଷ ତା ଜୀବନର ସମସ୍ତ ସୁଖ, ଦୁଃଖକୁ ଖୁସିଆଗରେ ପ୍ରକାଶ କରେ।
ଖୁସି ଦିନେ ମନଦୁଃଖରେ ଏକୁଟିଆ ବସିଥାଏ। ସେହି ସମୟରେ ଆୟୁଷ ତା ପାଖକୁ ଯାଇ ପଚାରିଲା ଖୁସି ତତେ ଗୋଟେ କଥା ପଚାରିବି ସତ କହିବୁ ? ହଁ ମ ସାନବାବୁ ପଚାର। କଥା ହେବାପାଇଁ ତୁମେ ମୋର ଅନୁମତି ପୁଣି ମାଗୁଛ ? ଯାହା କହିବା କଥା କୁହ। ଆଛା ଖୁସି ତତେ ଯେତେବେଳେ ଆଦ୍ୟାଦି ଆଜି ଏତେ ଗାଳିଦେଲା ତୁ ସେତେବେଳେ କଣ ପାଇଁ ତାକୁ କିଛି କହିଲୁନି ?? ନାଇଁ ସାନବାବୁ ଭୁଲ ତ ମୋର ଥିଲା। ସେ କହିଥିବା ଖାଇବାଟିକୁ ମୁଁ ବନେଇବାକୁ ଭୁଲିଯାଇଥିଲି ଯେଉଁଥିପାଇଁ ସେ ରାଗିଯାଇ ମୋତେ ଟିକେ ଗାଳିଦେଲେ। ହେଲେ ସତ କହୁଛି ସାନବାବୁ ସେଥିପାଇଁ ମୋ ମନ ଆଦୌ ଦୁଃଖ ନାହିଁ। ଯାହା ହେଲେ ବି ମୁଁ ଏ ଘର ଚାକରାଣୀର ଝିଅ। କହିବା ନୁହେଁ ବରଂ ସହିବା ମୋ ଧର୍ମ। ଆଉ ତୁମେ ନିଜେ କୁହ ମୁଁ ମୋ ଧର୍ମଟାକୁ କେମିତି ଭୁଲିପାରିବି। ହେଲେ ଖୁସି ସବୁପରେ ବି ତୁ ଗୋଟେ ମଣିଷ ଆଦ୍ୟାଦି ସେକଥାକୁ କେମିତି ଭୁଲିଗଲା। ଦିନସାରା ତୁ ଏତେ ସବୁ କାମ କରୁଛୁ ହେଲେ ତା ଆଖିକୁ କ'ଣ କିଛି ଦେଖାଯାଉନି। ଓହୋ ସାନବାବୁ ଛାଡ ନା ସେକଥା। ତମେ ତ ଜାଣିଛ ଆଦ୍ୟାଦି ଟିକେ ରାଗି ସେଥିପାଇଁ କ'ଣ ଟିକେ କହିଦେଲେ କିନ୍ତୁ ବିଶ୍ବାସ କର ସାନବାବୁ ମୁଁ ସେ କଥାପାଇଁ ଆଦୌ ମନଦୁଃଖ କରିନି। ସେଥିପାଇଁ ତୁମେ ଜମା ବି ଚିନ୍ତାକରନି। ଆୟୁଷ କହିଲା ହେଲେ ଖୁସି ।ଓହୋ ସାନବାବୁ ଛାଡ ସେକଥା। ତମେ ଗଲ ଏଠୁ ମୋର ସେପଟେ କେତେ କାମ ପଡିଛି ଆଉ ମୁଁ ଜାଣିଛି ତମେ ଏଠି ରହିଲେ ମୋତେ କିଛି ବି କାମ କରିବାକୁ ଦବନି। ହଁ ଖୁସି ମୁଁ ତ ଚାହୁଁଛି ତୁ କିଛି ବି କାମ କରନା। ସବୁବେଳେ ଖାଲି ମୋ ଆଖିଆଗରେ ବସିରହ ଆଉ ମୁଁ କେବଳ ଏମିତି ତତେ ଚାହିଁରହିଥିବି ସାରାଜୀବନ ପାଇଁ । ଅଜାଣତରେ ଖୁସି ଆଖିରୁ ଦୁଇଟୋପା ଲୁହ ଝରିଯାଏ। ଖୁସିକୁ ଟିକେ ହସାଇବା ପାଇଁ ଆୟୁଷ କୁହେ ଜାଣିଛୁ ଖୁସି ମୋତେ ନା ବହୁତ୍ ଭଲ ରୋଷେଇ ଆସେ। ତୁ ଯଦି କହିବୁ ତାହାଲେ ମୁଁ ତତେ କିଛି ହେଲ୍ପ କରିପାରେ। ହସିଦେଇ ଖୁସି କୁହେ ଥାଉ ସାନବାବୁ ମୋତେ ହେଲ୍ପ କରିବା ଏବେ ତମର କିଛି ବି ଦରକାର ନାହିଁ। ତମେ ଏବେ ଯାଅ ମୋର ଯେତେବେଳେ ବି ତୁମଠାରୁ ସାହାଯ୍ଯ ଦରକାର ପଡିବ ମୁଁ ନିଜେ ତୁମକୁ କହିବି କିନ୍ତୁ ସେତେବେଳକୁ ତମେ ଯେମିତି ମନା ନକର ଆଉ କିଛି ବି ବାହାନା ନ କର ବୁଝିପାରିଲ।ହଁ ଖୁସି ଆଜି ମୁଁ ତୋତେ କଥା ଦେଉଛି ସବୁ ସ୍ଥାନରେ, ସବୁ ପରିସ୍ଥିତିରେ ତୋ ସାନବାବୁ
ତୋ ସହ ସବୁବେଳେ ଅଛି। ତେଣୁ ତୁ ନିଜକୁ କେବେ ବି ଏକୁଟିଆ ମନେକରିବୁନି। ସେତେବେଳେ ଖୁସି ଆଖିରୁ ବୁନ୍ଦା ବୁନ୍ଦା ଲୁହ ଝରିପଡେ ଆଉ ଭାବେ କାହିଁକି ସାନବାବୁଙ୍କର ମୋ ପାଇଁ ଏତେ ଚିନ୍ତା। ମୋ ଆଖିରେ ଟିକେ ଲୁହ ଦେଖିଲେ କାହିଁକି ତାଙ୍କୁ ଏତେ କଷ୍ଟ ହୁଏ ? କ'ଣ ପାଇଁ ମୋତେ ଏତେ ସ୍ନେହ, ଶ୍ରଦ୍ଧା କରନ୍ତି ? ଏ ଘର ଚାକରାଣୀର ଝିଅ ମୁଁ ଏକଥା ଜାଣି ସୁଦ୍ଧା ସେ କାହିଁକି ମୋ ବିଷୟରେ ଏତେ ଚିନ୍ତାକରନ୍ତି ଆଉ ମୋତେ ଦୁଃଖରେ ଦେଖିଲେ କ'ଣ ପାଇଁ ସେ ଟିକେ ବି ସହିପାରନ୍ତିନି ? ସାନବାବୁଙ୍କ ମନରେ ମୋ ପାଇଁ ଆଉ ସେମିତି କିଛି ଭାବନା ନାହିଁ ତ ? ନା ନା ମୁଁ ଏ କଣ ଭାବୁଚି ଏସବୁ ମୁଁ କେମିତି ଭାବିପାରିଲି ? ଏମିତି ଅନେକ ପ୍ରଶ୍ନ ତା ମନକୁ ବାରମ୍ବାର ଆନ୍ଦୋଳିତ କରେ। ସେହି ସମୟରେ ଆୟୁଷ ତାକୁ କୁହେ ଖୁସି ଏ ଖୁସି କୋଉ ଦୁନିଆରେ ହଜିଗଲୁ ତୁ। ସଙ୍ଗେ ସଙ୍ଗେ ଆଖିର ଲୁହକୁ ପୋଛିଦେଇ ଖୁସି କହେ ନାଇଁ ସାନବାବୁ ସେ କିଛି ନୁହେଁ। ତାପରେ ଭାବନା ଦୁନିଆରୁ ଫେରିଆସି ଖୁସି ପାଦଦିଏ ନିଜର ବାସ୍ତବ ଦୁନିଆରେ।
ଆଜି ସାଆନ୍ତଙ୍କର ଏକମାତ୍ର ପୁଅର ଜନ୍ମଦିନ। ସେଥିପାଇଁ ତାଙ୍କ ଘର ବିଭିନ୍ନ ପ୍ରକାର ଲାଇଟ୍ ଓ ଫୁଲଗୁଡିକରେ ସଜା ହୋଇ ବହୁତ୍ ଶୋଭନୀୟ ଦିଶୁଛି। ସାରା ପରିବାର ନିଜ ନିଜର କାମରେ ବ୍ୟସ୍ତ। କାହାକୁ ମଧ୍ଯ ସମୟ ନାହିଁ ଟିକେ ବସିଯିବାକୁ। ଏହି ଉତ୍ସବରେ ବହୁ ଭଦ୍ର ବ୍ୟକ୍ତି, ଆଉ ଆୟୁଷର ସାଙ୍ଗସାଥି ମାନେ ସାମିଲ ହେବେ। ସେଥିପାଇଁ ସାଆନ୍ତ ବହୁତ୍ ଲୋକଙ୍କୁ ଲଗାଇ ସବୁ ପ୍ରକାରର ବନ୍ଦୋବସ୍ତ ମଧ୍ଯ କରିସାରିଲେଣି। ତାପରେ ଆୟୁଷ ଆସେ ବାହାରକୁ କେକ୍ କାଟିବା ପାଇଁ। ସମସ୍ତେ ତାକୁ ଅତ୍ୟନ୍ତ ଉତ୍ସାହର ସହ ବାହାରେ ଅପେକ୍ଷା କରିଛନ୍ତି କିନ୍ତୁ କାହିଁକି କେଜାଣି ତାକୁ ଏମିତି ଅନୁଭବ ହୁଏ ଯେ ସତେଯେପରି ତାର କିଏ ନିକଟତର ମଣିଷଟି ଆଜି ଏଠି ଉପସ୍ଥିତ ନାହିଁ। ସେ ବିଚଳିତ ହୋଇ ଚାରିଆଡ଼କୁ ଚାହିଁଲା ସମସ୍ତେ ଅଛନ୍ତି କିନ୍ତୁ ଖୁସି ଏଠାରେ ନାହିଁ। ବିଚଳିତ ହୋଇ ଆୟୁଷ ଭାବିଲା ଆରେ ଏ କ'ଣ ସମସ୍ତେ ତ ଅଛନ୍ତି କିନ୍ତୁ ଖୁସି କାହିଁ ? ଅଜାଣତରେ ତା ପାଦ ଦୁଇଟି ଚାଲିଗଲା ଖୁସିକୁ ଖୋଜିବାକୁ। ବ୍ୟସ୍ତହୋଇ ଆୟୁଷ ଖୁସିକୁ କହିଲାଆରେ ଖୁସି ତୁ ଏଠି କ'ଣ କରୁଛୁ। ମୁଁ ତୋତେ ସେପଟେ କେତେ ଖୋଜିଲିଣି ତତେ କ'ଣ କିଛି ଜଣାପଡୁନି। ମୋତେ ଖୋଜୁଛ ସାନବାବୁ ? କିନ୍ତୁ କ'ଣ ପାଇଁ ? ଦେଖୁଛ ତ ତୁମେ ଆଜି ଘରେ କେତେ ଲୋକ ତେଣୁ ସମସ୍ତଙ୍କ କଥା ମୋତେ ବୁଝିବାକୁ ପଡୁଛି। ସେଥିପାଇଁ ମୁଁ ଟିକେ ବ୍ୟସ୍ତ ରହିଯାଇଛି। ହଉ ଖୁସି ତୁ ସେସବୁ ଛାଡ ଆଉ ଜଲଦି ମୋ ସହ ଚାଲ କେକ୍ କାଟିବା ପାଇଁ। ସେପଟେ ସମସ୍ତେ ମୋତେ ଅପେକ୍ଷା କରିଛନ୍ତି କିନ୍ତୁ ତୁ କହ ତୋ ବିନା ମୁଁ କେମିତି କେକ୍ କାଟିପାରିବି ? ତାପରେ ଆୟୁଷ ଖୁସିର ହାତକୁ ଟାଣିନେଇ ଚାଲିଆସିଲା। ମାତ୍ର ଏସବୁକୁ ଦୂରରୁ ନିରୀକ୍ଷଣ କରୁଥିଲେ ଖୁସିର ମା' ମାଳତୀ। ବୋଧହୁଏ ସେ ଆୟୁଷ ଓ ଖୁସିର ସମ୍ପର୍କକୁ କିଛି କିଛି ଠଉରେଇ ପାରିଥିଲା ସେଦିନ। ପରେ କେକ୍ କଟାହେଲା ଓ ସମସ୍ତେ ଭୋଜିଖାଇ ନିଜ ନିଜର ଗୃହକୁ ଫେରିଗଲେ।
ତା ପରଦିନ ଖୁସି ଘରକାର୍ଯ୍ୟରେ ବ୍ୟସ୍ତ ଥାଏ। ହଠାତ୍ ଆୟୁଷ ତା ପାଖକୁ ଯାଇ ତାକୁ କୋଳେଇ ନେଇ ବହୁତ୍ ଜୋର୍ ରେ କାନ୍ଦିବାକୁ ଲାଗିଲା। ତା କାନ୍ଦିବା ଦେଖି ଖୁସି ମଧ୍ଯ ଆଉ ନିଜକୁ ସମ୍ଭାଳି ପାରିଲାନି। କାନ୍ଦି କାନ୍ଦି ଖୁସି କହିଲା ସାନବାବୁ ଏ କ'ଣ ତୁମ ଆଖିରେ ଲୁହ। କ'ଣ ହେଇଛି ତୁମର ? ମୁଁ ଚାଲିଯିବି ଖୁସି ତୋ ଠାରୁ ଦୂରକୁ କିନ୍ତୁ ସତ କହୁଛି ଖୁସି ତୋ ଠାରୁ ଦୂରକୁ ଯିବାପାଇଁ ଏ ସାନବାବୁର ଜମା ବି ଇଚ୍ଛା ନାହିଁ। ରୁହ ସାନବାବୁ। ଏସବୁ ତମେ କ'ଣ କହିଯାଉଛ ମୁଁ କିଛି ବି ବୁଝିପାରୁନି। କୁଆଡେ ଯିବ ତୁମେ ? କାନ୍ଦି କାନ୍ଦି ଆୟୁଷ କହିଲା ବାପାଙ୍କ ନିଷ୍ପତ୍ତି ମୁଁ ଆମେରିକାରେ ଯାଇ ସେଠାରେ ଦୁଇବର୍ଷ ପାଠ ପଢିବି। କାଲି ବାପା ପାର୍ଟିରେ ମୋତେ ଏହି ସର୍ପପ୍ରାଇଜ୍ ଦେଇଛନ୍ତି। କିନ୍ତୁ ଏ ସର୍ପପ୍ରାଇଜ୍ ମୋର ଆଦୌ ଦରକାର ନାହିଁ ଖୁସି । ଏସବୁ ଶୁଣି ଖୁସି ନିଜକୁ ଆଦୌ ସମ୍ଭାଳି ପାରୁନଥିଲା। ଦୁଃଖରେ ସେ ସଂମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲା। ଧୀରେ ଧୀରେ ତାର ପଦ୍ମପାଖୁଡା ମୁହଁଟି ମଳିନ ଦିଶୁଥିଲା। ନିଜ ଦୁଃଖ ଆଉ ମନ ଭିତରେ ଫୁଟୁଥିବା କୋହକୁ ଚାପିରଖି ଖୁସି କହିଲା ସତରେ ସାନବାବୁ ତମେ ଚାଲିଗଲା ପରେ ମୁଁ ସଂମ୍ପୂର୍ଣ୍ଣ ଏକା ହୋଇଯିବି ଆଉ ତୁମକୁ ବହୁତ୍ ମିସ୍ କରିବି। କାହିଁକି କେଜାଣି ସାନବାବୁ ମୋତେ ଏମିତି ଲାଗୁଛି ଆମର ଆଉ ଦେଖା ହୋଇପାରିବନି। ହେଲେ ସାନବାବୁ ଶୁଣ ତମେ ସେଠାକୁ ପାଠ ପଢିବାକୁ ଯାଉଛ ଯାଅ କିନ୍ତୁ ଯେମିତି କୋଉ ଝିଅ ଚକର୍ ରେ ନପଡ ନହେଲେ ମୋତେ ଚିହ୍ନିବ। ସାମାନ୍ୟ ହସି ଆୟୁଷ କୁହେ ନାଇଁ ବାବା କୋଉ ଝିଅ ଚକର୍ ରେ ପଡ଼ିବା ତ ଦୂରର କଥା ମୁଁ କୋଉ ଝିଅକୁ ଆଖିଉଠାଇ ବି ଚାହିଁବିନି। ଏଥର ତୁ ଖୁସି ତ ? ତାର ଦୁଇଦିନ ପରେ ଆୟୁଷ ଗଲା ବିଦେଶକୁ। ଖୁସି ମଧ୍ଯ ତାକୁ ବିଦାୟ ଦେବାକୁ ଏୟାରପୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ସତେଯେପରି ସେଦିନ ଆୟୁଷ ସହ ଖୁସିର ସବୁ ହସ, ଖୁସି, ଆଶା,ଓ ସ୍ଵପ୍ନ ଚାଲିଯାଇଥିଲା। ତା ପର ଠାରୁ ଖୁସିକୁ କେହି କେବେ ହସିବା ଦେଖିନି। ବେଳେବେଳେ ଖୁସି ଭାବେ କାହିଁକି ସାନବାବୁଙ୍କ ଠାରୁ ଦୂରତା ମୋତେ ଏତେ କଷ୍ଟ ଦଉଛି ? ମୁଁ ଆଉ ସାନବାବୁଙ୍କୁ ମନେ ମନେ ଭଲପାଉନି ତ ? ନା ନା ଏ କଣ ମୁଁ ଭାବୁଛି ଏସବୁ ଭାବିବା ମୋ ପାଇଁ ଭୁଲ୍। ଗୋଟେ ଚାକରାଣୀ ମୁଁ ଆଉ ଏସବୁ କଥା ମୁଁ କେମିତି ଭାବିପାରିଲି ?ଏସବୁ ମୋ ପାଇଁ ଭୁଲ୍।
ଆୟୁଷ ବିଦେଶ ଯିବା ପ୍ରାୟ ଦୁଇବର୍ଷ ପାଖାପାଖି ହେଇଗଲାଣି। ୟା ଭିତରେ ଖୁସିର ଜୀବନ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ଖୁସି ବର୍ତ୍ତମାନ ବିରାଟ ବିଜନେସ୍ ମ୍ୟାନ୍ ବିବେକ ରାୟର ଧର୍ମପତ୍ନୀ। ବିବାହ ପରଠାରୁ ଖୁସି ତା ସ୍ଵାମୀ ସହ ଗୋଟେ ଦିନ ବି ଖୁସିରେ କାଟିନି। ମାଳତୀ ଖୁସିକୁ ଜଲଦି ବିବାହ କରିବାର କାରଣ ଥିଲା ଆୟୁଷ। ସେ ଜାଣିସାରିଥିଲା ଯେ ଆୟୁଷ ଓ ଖୁସି ପ୍ରକାଶ ନକଲେ ବି ପରସ୍ପରକୁ ବହୁତ୍ ଭଲ ପାଉଛନ୍ତି। ଆଉ ଏସବୁ କଥା ସାଆନ୍ତଙ୍କ କାନକୁ ଯିବା ଆଗରୁ ସେ ଖୁସିକୁ ଅନ୍ୟତ୍ର ବିବାହ କରିବାକୁ ନିଷ୍ପତି ନେଲା। କାରଣ ଏସବୁ କଥା ସାଆନ୍ତ ଆଉ ସାଆନ୍ତାଣୀ ଜାଣିଲେ ତାଙ୍କ ଘରର ଚୁଲି ବନ୍ଦ ହୋଇଯିବା ସହ ସେମାନଙ୍କ ମାନ ସମ୍ମାନରେ ମଧ୍ଯ ହାନି ଘଟିବ ଯାହାକୁ ମାଳତୀ ଆଦୌ ସହ୍ୟକରିପାରିବନି । ସେଥିପାଇଁ ସାଆନ୍ତଙ୍କ ସହ ବିବାହ ସମ୍ପର୍କରେ ପରାମର୍ଶ କରି ଆଉ ଆୟୁଷକୁ ନଜଣେଇ ଖୁସିର ବିବାହ ଅନ୍ୟତ୍ର କରିବା ପାଇଁ ଠିକ୍ କଲା। ଖୁସିକୁ ମଧ୍ଯ ତାଗିଦ୍ କରି କହିଲା ଦେଖ୍ ଖୁସି ତୁ ଯଦି ବିବାହ ପାଇଁ ରାଜି ନହେଉ ତାହାଲେ ସତ କହୁଛି ତୋରି ଆଗରେ ମୁଁ ଆତ୍ମହତ୍ୟା କରିବି। ଏବେ ତୁ ସ୍ଥିର କର ତୁ ବିବାହ ପାଇଁ ରାଜିହେବୁ ନା ତୋ ମାଆ ର ମଲାମୁହଁ ଦେଖିବୁ। ଖୁସି ଯେତେ କାକୁତିମନତି ହୋଇ କହିଲା ମାଳତୀ ଆଦୌ ତା କଥା ଶୁଣିନଥିଲା। ଶେଷରେ ନିଜ ମା ଜୀବନକୁ ବଞ୍ଚାଇବାକୁ ଯାଇ ଖୁସି ନିଜର ଅନିଚ୍ଛା ସତ୍ତ୍ବେ ବିବାହ କରିଥିଲା ବିବେକକୁ। ଯୋଉ ବିବେକକୁ ତା ମା' ଖୁସି ପାଇଁ ଉପଯୁକ୍ତ ଭାବି ତା ସହ ବିବାହ ଦେଇଥିଲା,ପରେ ମା' ଓ ଝିଅ ଉଭୟ ଜାଣିବାକୁ ପାଇଲେ ଯେ ବିବେକ ଥିଲା ଭଦ୍ରମୁଖା ପିନ୍ଧିଥିବା ଗୋଟେ ଅଭଦ୍ର ମଣିଷ, ଜଣେ ଲମ୍ଫଟ, ଆଉ ପରିଶେଷରେ ଜଣେ ଚରିତ୍ରହୀନ ଲୋକ ମାତ୍ର ମାଳତୀ ଏସବୁ ଜାଣିବା ପରେ ସବୁକିଛି ସରିଯାଇଥିଲା। ପଶ୍ଚାତାପ ଅଗ୍ନିରେ ବାରମ୍ବାର ମାଳତୀ ଜଳୁଥିଲା ଆଉ ଭାବୁଥିଲା ଆଜି ଯଦି ହୁଏତ ଖୁସିକୁ ସେ ବିବାହ ଦେଇନଥାନ୍ତା ତାହାଲେ ଖୁସିର ଆଜି ଏ ଅବସ୍ଥା କେବେ ବି ହୋଇନଥାନ୍ତା। ମାଳତୀ ସବୁ ଜାଣିଲେ ବି ଖୁସି ପାଇଁ କିଛି କରିପାରେନି। ସେପଟେ ଆୟୁଷ ଖୁସିଠାରୁ ଦୂରରେ ରହି ତାକୁ ବହୁତ୍ ଝୁରେ ଆଉ ଘରକୁ ଆସିଲେ ଖୁସିକୁ ତା ମନକଥା କହିବ ବୋଲି ସ୍ଥିର କରେ ।
କ୍ରମେ ଖୁସି ଉପରେ ଶାଶୁ ଘରଲୋକମାନଙ୍କ ଅତ୍ୟାଚାର ତୀବ୍ର ଗତିରେ ବଢିଚାଲେ। ସ୍ଵାମୀ ତାକୁ ଶାରୀରିକ ଓ ମାନସିକ ନିର୍ଯାତନା ଏତେ ଦିଅନ୍ତି ଯେ ବିଚାରି ବେଳେବେଳେ କହିବା ଶକ୍ତି ମଧ୍ଯ ହରାଇବସେ କିନ୍ତୁ କେବେ କାହାକୁ ମୁହଁ ଖୋଲି କିଛି ବି କହିପାରେନି। ଶାଶୁଘରେ ସ୍ଵାମୀ, ଓ ଶାଶୁଙ୍କ ମାଡ,ଗାଳି ସହ ଅକଥନୀୟ ନିର୍ଯ୍ୟାତନାକୁ ଖୁସି ଆଖିବୁଜି ସହିଯାଏ। ଏସବୁ ସହିବାର ଧୈର୍ଯ୍ଯ ସେଦିନ ଶେଷ ହୋଇଯାଇଥିଲା ଯେଉଁଦିନ ତାର ସ୍ଵାମୀ ବିବେକ ଆଠମାସ ଗର୍ଭାବସ୍ଥାରେ ଖୁସିକୁ ଅକଥନୀୟ ନିର୍ଯ୍ୟାତନା ଦେଇ, ଘରୁ ତଡି ଆଉ ଏକ ସ୍ତ୍ରୀକୁ ଆଣିଥିଲା। ଖୁସି ସେଦିନ ସେ ରାକ୍ଷସ ସାମ୍ନାରେ କେତେ ନେହୁରା ହେଲା କିନ୍ତୁ ତାର ମନ କି ହୃଦୟ ଆଦୌ ତରଳି ନଥିଲା। ଶେଷରେ ବାଧ୍ୟହୋଇ ଖୁସି ତ୍ୟାଗ କରିଥିଲା ସବୁଦିନ ପାଇଁ ତା ଶାଶୁଘର। ଶାରୀରିକ ନିର୍ଯ୍ୟାତନା ସାଙ୍ଗକୁ ଆଠମାସର ଗର୍ଭକୁ ଧରି ଖୁସି ପାଦେ ବି ଆଗକୁ ଚାଲିପାରୁନଥିଲା। ଆଖିକୁ ତାର ଝାପ୍ସା ଝାପ୍ସା ଦିଶୁଥିଲା। ଏସବୁ ପରେ ବି ସେ କାନ୍ଦି କାନ୍ଦି କହୁଥିଲା ମୋର ପଛେ ଯାହା ହେଇଯାଉ କିନ୍ତୁ ମୋ ପିଲାଟାକୁ ବଞ୍ଚେଇଦିଅ ପ୍ରଭୁ ବଞ୍ଚେଇଦିଅ ତାକୁ। ବାଟରେ ଚାଲିକରି ଆସୁଥିବା ସମୟରେ ତାର ମନେପଡିଲା ବୋଉ କହୁଥିଲା ସାନବାବୁ ଆଜି ଆସି ଘରେ ପହଞ୍ଚିବେ। ଯେତେବେଳେ ସାନବାବୁ ଆସି ଦେଖିବେ ଖୁସି ଘରେ ନାହିଁ ଆଉ ସେ ଯେ ପୁଣି ବିବାହ କରିସାରିଛି ସେତେବେଳେ ତାଙ୍କୁ କେତେ କଷ୍ଟ ନହେବ। କେମିତି ଏସବୁ ସହିବେ ମୋ ସାନବାବୁ ? ଲୁହ ପୋଛିଦେଇ ପୁଣି କୁହେ ମୋ ସାନବାବୁ ଏସବୁ ଆଦୌ ସହିପାରିବେନି ଭାଙ୍ଗିପଡିବେ ସେ। ମୁଁ କ'ଣ କରିବି କିଛି ଜାଣିପାରୁନି। ଜୀବନରେ ପାଇଥିବା ଏତେ ଯନ୍ତ୍ରଣା ସତ୍ତ୍ୱେ ଖୁସିର ମନେପଡୁଥିଲା ତା ସାନବାବୁ ସହ ବିତିଥିବା ପ୍ରତିଟି ମୁହୂର୍ତ୍ତକୁ, ମନେପଡୁଥିଲା ସାନବାବୁଙ୍କର ସେହି ହସ ହସ ଚେହେରା। ବିଚଳିତ ହୋଇ ଖୁସି ଭାବେ ଆଜି ଯଦି ସାନବାବୁଙ୍କ ସହ ମୋର ଦେଖାହୁଏ ତାହାଲେ ମୁଁ ତାଙ୍କୁ କେମିତି ସାମ୍ନା କରିବି ? କ'ଣ କହି ବୁଝେଇବି ତାଙ୍କୁ ? ତାଙ୍କ ଖୁସିକୁ ସେ ଯେତେବେଳେ ଏମିତି ଅସହାୟ ଅବସ୍ଥାରେ ଦେଖିବେ କ'ଣ ହେବ ତାଙ୍କର ଅବସ୍ଥା ? ଏମିତି ସବୁ ଭାବୁ ଭାବୁ ହଠାତ୍ ଗୋଟିଏ ଟ୍ରକ ଆସି ଖୁସିକୁ ଧକ୍କା ଦେଇ ଚାଲିଗଲା। ଅସହାୟ ଅବସ୍ଥାରେ ରକ୍ତ ଜୁଡୁବୁଡୁ ହୋଇ ଖୁସି ପଡିରହିଥିଲା ରାସ୍ତାଉପରେ। କେତେଲୋକ ସେପଟେ ଯାଉଥିଲେ ବି କାହାର ନଜର ଖୁସି ଉପରେ ପଡିନଥିଲା। ଅସହ୍ଯ ଯନ୍ତ୍ରଣାରେ ଖୁସି ଚିତ୍କାର କରି କରୁଥିଲା।ସେପଟେ ସାଆନ୍ତଙ୍କ ଘରେ ଆଜି ସମସ୍ତେ ଖୁସି ଥିଲେ। କାରଣ ଦୀର୍ଘ ଦୁଇବର୍ଷ ପରେ ଆୟୁଷ ଆଜି ଘରକୁ ଫେରୁଛି। ସେଥିପାଇଁ ସଠିକ୍ ସମୟରେ ପୁଅ ଆସିବା ପାଇଁ ଗାଡି ମଧ୍ଯ ପଠାଇଛନ୍ତି। ଆୟୁଷ ଆସୁଥିବା ବାଟରେ ଖୁସି ଆଉ ତାର ସବୁ ସ୍ମୃତିକୁ ମନେପକାଇ ବହୁତ୍ ଖୁସି ହେଇଯାଏ। ଖୁସିକୁ ଟିକେ ଆଖିପୁରାଇ ଦେଖିବା ପାଇଁ ତା ମନ ଚଳଚଞ୍ଚଳ ହୋଇଉଠେ। ଘରେ ପହଞ୍ଚୁ ପହଞ୍ଚୁ ହଠାତ୍ ଜଣେ ଲୋକ ଧାଇଁଆସି କହିଲା ମାଳତୀ ମାଉସୀ ଘରେ ନାହାନ୍ତି କି ? ତାଙ୍କ ଝିଅ ଖୁସିର ଆକ୍ସିଡେଣ୍ଟ ହେଇଛି ଆଉ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାକୁ କିଛି ଲୋକ ସିଟି ହସ୍ପିଟାଲକୁ ନେଇଯାଇଛନ୍ତି। ଆପଣମାନେ ଜଲଦି ହସ୍ପିଟାଲ ଆସନ୍ତୁ। ସଙ୍ଗେ ସଙ୍ଗେ ଚମକିପଡ଼ିଲେ ଆୟୁଷ ଖୁସିର ଆକ୍ସିଡେଣ୍ଟ କଥା ଶୁଣି। ନିଜକୁ ସମ୍ଭାଳି ନପାରି ଧାଇଁଗଲେ ହସ୍ପିଟାଲକୁ।ତାପରେ ପୁରା ପରିବାର ପହଞ୍ଚିଥିଲେ ହସ୍ପିଟାଲରେ। ଆୟୁଷ ହସ୍ପିଟାଲରେ ପହଁଞ୍ଚିବା ପୂର୍ବରୁ ଖୁସି ଏକ କନ୍ୟା ସନ୍ତାନକୁ ଜନ୍ମଦେଇ ଚେତାଶୂନ୍ୟ ହୋଇପଡିଥିଲା ଆଉ ଖୁସିର ଅବସ୍ଥା ଲହୁଲୁହାଣରେ ସଂମ୍ପୂର୍ଣ୍ଣ ଶୋଚନୀୟ ହୋଇପଡିଥିଲା। ଆୟୁଷ ଏ ଅବସ୍ଥାରେ ଖୁସିକୁ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇଯାଇଥିଲା ଆଉ ଦୌଡ଼ିଯାଇ ମାଳତୀକୁ ପ୍ରଶ୍ନ କଲା ମାଉସୀ ଏ କ'ଣ ? ଖୁସି ମଥାରେ ସିନ୍ଦୂର, ହାତରେ ଶଙ୍ଖା ଆଉ ତା ପାଖରେ ସେ ପିଲାଟି କିଏ ? ଏସବୁ କ'ଣ ମାଉସୀ ମୁଁ କିଛି ବୁଝିପାରୁନି। ତାମାନେ ଖୁସି କଣ ମ୍ୟାରେଜ କରିସାରିଛି ? ମାଉସୀ ମୋତେ ଟିକେ କ୍ଲିୟର କୁହନ୍ତୁ ଏସବୁ କ'ଣ ? ତାପରେ ମାଳତୀ ଲୁହ ଛଳଛଳ ହୋଇ ସବୁକଥା କହିଦେଲା ଆୟୁଷ ଆଗରେ। ଆୟୁଷ ବାବା ମୁଁ ତୁମର ଆଉ ଖୁସି ବିଷୟରେ ସବୁ କିଛି ଜାଣିଥିଲି। ସେଥିପାଇଁ ସାଆନ୍ତଙ୍କର ଓ ତୁମ ଘରର ସମ୍ମାନ ରକ୍ଷା ପାଇଁ ମୁଁ ଖୁସିକୁ ତା ଇଚ୍ଛା ବିରୁଦ୍ଧରେ ଅନ୍ୟତ୍ର ବିବାହ କରିଦେଲି। କିନ୍ତୁ ସତ କହୁଛି ଆୟୁଷ ବାବା ସେଇଟା ହିଁ ମୋର ସବୁଠାରୁ ବଡ଼ ଭୁଲ ଥିଲା। ବିବାହ ପରେ ସେ ନରରାକ୍ଷସ ବିଷୟରେ ମୁଁ ସବୁକିଛି ଜାଣିଲି ସତ କିନ୍ତୁ କିଛି ମୋ ଝିଅ ପାଇଁ କରିପାରିଲିନି। ଯେଉଁଥିପାଇଁ ମୋ ଝିଅ ଆଜି ମୃତ୍ୟୁ ଶଯ୍ୟାରେ। ସେଠି ଶୋଇଥିବା କୁନି ଝିଅଟି ହେଉଛି ମୋ ଖୁସିର। ଏ ଅବସ୍ଥାରେ ମଧ୍ଯ ସେ ରାକ୍ଷସ ମୋ ଝିଅକୁ ବହୁତ୍ ନିର୍ଯ୍ୟାତନା ଦେଉଥିଲା ଆଉ ଶେଷରେ ମୋ ଝିଅର ଅବସ୍ଥା ଏମିତି ହେଇଗଲା। ଏସବୁ ଶୁଣିବା ପରେ କେବଳ ନୀରବରେ ଠିଆ ହୋଇଥିଲେ ଆୟୁଷ। ଆଖିରୁ ତାଙ୍କର ଲୁହ ଝରିପଡୁଥିଲା। ସେ ବିଶ୍ୱାସ କରିପାରୁନଥିଲେ ଯେ କି ତାଙ୍କ ଖୁସି ସହ ଏପରି ହୋଇଛି। ତାପରେ ଆୟୁଷ କହିଲା ମାଉସୀ ଆପଣ ପରା ମୋତେ ସବୁବେଳେ ନିଜ ପୁଅ ବୋଲି ଭାବୁଥିଲେ। ଯଦି ଜାଣିଥିଲେ ମୁଁ ଖୁସିକୁ ପସନ୍ଦ କରେ ବୋଲି ତାହାଲେ କ'ଣ ପାଇଁ ଆପଣ ଏମିତି କଲେ ? ମୋ ଖୁସି ଏତେ କଷ୍ଟ ପାଇଲା ହେଲେ ଆପଣ ଥରୁଟିଏ ମୋତେ କହିବାକୁ ଉଚିତ୍ ମନେକଲେନି ? ଛଡେଇନେଲେ ମୋ ଖୁସିକୁ ମୋ ଠାରୁ, ଭାଙ୍ଗିଦେଲେ ମୋର ସବୁ ସ୍ଵପ୍ନ। କାନ୍ଦି କାନ୍ଦି ଆୟୁଷ କହିଲା ଆପଣ କୁହନ୍ତୁ ଆଜିର ଦୁନିଆରେ ଭଲପାଇବା କ' ଣ ଭୁଲ୍ ? ଭଲ ପାଇବାରେ କ'ଣ ଛୋଟବଡ଼ ଦେଖାଯାଏ ମାଉସୀ ? କାହିଁକି ଆପଣ ମୋ ଖୁସିକୁ ମୋ ଠାରୁ ଅଲଗା କରିଦେଲେ ? ନିଜ ପୁଅର ଏ ଅବସ୍ଥା ଦେଖି ଉଭୟ ସାଆନ୍ତ ଓ ସାଆନ୍ତାଣୀ ମଧ୍ଯ ନିଜକୁ ସମ୍ଭାଳି ପାରୁନଥିଲେ। ସବୁ ଧୈର୍ଯ୍ୟ ହରାଇ ସାରିଥିଲା ଆୟୁଷ। ପାଗଳ ପରି ଚିତ୍କାର କରୁଥିଲା ଖୁସି ପାଇଁ। ଦୌଡ଼ିଯାଇ ଡାକ୍ତରଙ୍କୁ ରିକ୍ୱେଷ୍ଟ କରୁଥିଲା ଖୁସିକୁ ବଞ୍ଚାଇଦେବା ପାଇଁ କିନ୍ତୁ ଖୁସି ମୁଣ୍ଡରେ ଜୋର୍ ରେ ଆଘାତ ଲାଗିଥିବାରୁ ଡାକ୍ତର ମଧ୍ଯ ସଠିକ୍ ଭାବରେ କିଛି କହିପାରୁନଥିଲେ। ଏହି ସମୟରେ ଖୁସି ଧୀରେ ଧୀରେ ଡାକିଲା ସାନବାବୁ ସାନବାବୁ।ଖୁସିର ଭଏସ୍ ଶୁଣି ଆୟୁଷ ଧାଇଁଗଲା ତା ପାଖକୁ ଆଉ କହିଲା ଖୁସି ତୋର କିଛି ହବନି ଏ ସାନବାବୁ ତୋ ପାଖକୁ ଆସିଗଲାଣି ନା। ତୋର ଯିଏ ଏ ଅବସ୍ଥା କରିଛି ମୁଁ ତାକୁ କେବେ ଛାଡ଼ିବିନି ଖୁସି କେବେ ନୁହେଁ। ତେଣୁ ତୁ ଜମା ଚିନ୍ତା କରନା। ଯେହେତୁ ଖୁସି ମୁଣ୍ଡରେ ବହୁତ୍ ଜୋର୍ ରେ ଆଘାତ ଲାଗିଥିଲା ସେଥିପାଇଁ ତାକୁ ଭଲରେ କିଛି ବି ଦିଶୁ ନଥିଲା। ସାନବାବୁ ତାକୁ ଦେଖାକରିବାକୁ ଆସିଛନ୍ତି ଜାଣି ସେ ବହୁତ୍ ଖୁସି ହୋଇଯାଇଥିଲା ଆଉ କହିଲା ସାନବାବୁ ମୋର ତୁମକୁ ବହୁତ୍ କିଛି କହିବାର ଥିଲା କିନ୍ତୁ ସେସବୁ ଅଧାରେ ରହିଗଲା। ମୁଁ ଆଉ ବେଶି ସମୟ ବଞ୍ଚିବିନି ସାନବାବୁ ହେଲେ ତମେ ମୋତେ କଥାଦିଅ ତମେ ମୋ ଝିଅକୁ ନିଜ ଝିଅ ଭଳି ସ୍ନେହ, ଶ୍ରଦ୍ଧା କରିବ। ତାକୁ କେବେ ବି ଅନୁଭବ କରିବାକୁ ଦବନି ଯେ ମୁଁ ତା ପାଖରେ ନାହିଁ ବୋଲି। ନାଇଁ ଖୁସି ତୁ ସେମିତି କହନା ତୋର କିଛି ବି ହବନି। ତତେ ନେଇ ମୁଁ କେତେ ସ୍ଵପ୍ନ ଦେଖିଛି ଖୁସି ତେଣୁ ତୁ ମୋତେ ଛାଡି କୁଆଡେ ବି ଯାଇପାରିବୁନି ବୁଝିଲୁ। ତୁ, ମୁଁ ଆଉ ଆମ କୁନି ଖୁସି ଆମେ ସମସ୍ତେ ମିଶିକି ଏକାଠି ରହିବା। ମୁଁ ତତେ ବହୁତ ଭଲପାଏ ଖୁସି ବହୁତ୍ । ତୋ ବିନା ଏ ସାନବାବୁ କେମିତି ବଞ୍ଚିବ କହିଲୁ ? ମରିଯିବିରେ ମୁଁ। ତୁ ସେମିତି କହନା। ତାପରେ ଗୋଟେ ଦୀର୍ଘନିଶ୍ଵାସ ନେଇ ଖୁସି କହିଲା ସାନବାବୁ ଏ ଜନ୍ମରେ ଭଗବାନ ଆମକୁ ଏକାଠି କଲେନି ସତ କିନ୍ତୁ ଆର ଜନମରେ ଆମେ ଦୁଇଜଣ ନିଶ୍ଚିତ ଏକାଠି ହେବା ଆଉ ମୁଁ ବି ତୁମକୁ ଏତିକି କହି ଖୁସି ଆଖି ବୁଜିଦେଲା ସବୁଦିନ ପାଇଁ, ହୋଇଗଲା ଅଫେରା ପଥର ପଥିକଟିଏ। ନିଜ ମନର କୋହ ଆଉ ଲୁହକୁ ଚାପିରଖି ଆୟୁଷ କୋଳେଇ ନେଲା କୁନି ଖୁସିକୁ ଆଉ ଚାହିଁରହିଥିଲା ତାର ସେ ଛୋଟ ଆଖି ଦୁଇଟିକୁ। ସତେଯେପରି ସେ କହୁଥିଲା ଖୁସିର ସେଇ ଅସମ୍ପୂର୍ଣ୍ଣ କଥାକୁ ଆଉ କହୁଥିଲା ଆୟୁଷ ବାବା ମୋ ମାମା ତୁମକୁ ବହୁତ୍ ଭଲପାଉଥିଲା। ତୁମେ କାହିଁକି ତାକୁ ଛାଡ଼ିକି ପଳେଇଲ ? ମୋ ମାମା ଯଦି ତୁମ ସହ ଥାନ୍ତା ତାହାଲେ ସେ ଆଜି ନିଶ୍ଚୟ ବଞ୍ଚିଯାଇଥାନ୍ତା ଆୟୁଷ ବାବା। ସ୍ତବ୍ଧହୋଇ ଚାହିଁରହିଥିଲା ଆୟୁଷ ସେ କୁନି ଝିଅଟିକୁ ଆଉ ଖୁସିର ଅନ୍ତିମ ସତ୍କାର ପରେ ତାର ଶେଷ କଥା ଅନୁଯାୟୀ ଖୁସିର ଝିଅ କୁନି ଖୁସିକୁ ଆପଣେଇନେଇଥିଲା ସବୁଦିନ ପାଇଁ।