JAGYASINI PARIDA

Tragedy

4.8  

JAGYASINI PARIDA

Tragedy

ଚରିତ୍ରହୀନା

ଚରିତ୍ରହୀନା

10 mins
394


ପ୍ରାୟ ଘଣ୍ଟାଏ ଧରି ଚାଉଳ ବଣ୍ଟା ପାଖରେ ଚୁପ୍ ଚାପ୍ ହୋଇ ଛିଡାହୋଇଛି ଜଣେ ସ୍ତ୍ରୀଲୋକଟିଏ। ତାର ଅସଜଡ଼ା କେଶ, ପିନ୍ଧିଥିବା ଶାଢ଼ି ଓ ବେଶଭୂଷାରୁ ଯାହା ଜଣାପଡୁଥାଏ ସେ ବହୁତ୍ ଗରିବଶ୍ରେଣୀର ବୋଲି। ତା ପଛରେ ଆସି ମଧ୍ଯ ବହୁତ୍ ଲୋକ ଚାଉଳ ନେଇକରି ଗଲେଣି କିନ୍ତୁ ତାର ସ୍ଥାନ ଯେଉଁଠି ଥିଲା ଏବେବି ସେଇଠି ଅଛି। ସ୍ତ୍ରୀଲୋକଟିକୁ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକେ କଟାକ୍ଷ ନଜରରେ ଦେଖୁଛନ୍ତି ତା ବିଷୟରେ କେତେ କ'ଣ କଥା କହିଯାଉଛନ୍ତି। ଏହି ଖବର କ୍ରମେ କାନକୁ କାନ ପ୍ରସାରିତ ହୋଇ ଚତୁଃପାର୍ଶ୍ଵ ବ୍ୟାପିଯାଏ। କିଏ ତାକୁ ସେଠି ଦେଖି ନାକ ଟେକୁଛି ତ, କିଏ ତାକୁ ଅଲକ୍ଷଣୀ, କଳଙ୍କିନୀ, ବ୍ୟଭିଚାରିଣୀ ଏମିତି ବହୁତ୍ ଖରାପ ଭାଷାରେ ଗାଳିଦେଉଛନ୍ତି। ଏସବୁ ଶୁଣିବା ସତ୍ତ୍ଵେ ବି ନା ସେ ସ୍ତ୍ରୀ ଲୋକଟିର ବାଦ ଅଛି ନା ଅଛି ପ୍ରତିବାଦ କେବଳ ଏକ ନିସ୍ତେଜ କାଠଗଣ୍ଡିଟି ପରି ସେଠାରେ ଥିବା ଦରଭଙ୍ଗା କାନ୍ଥକୁ ଆଉଜି ପଡି ଠିଆହୋଇ ରହିଛି ସେ । କାରଣ ଏ ସମାଜରେ, ଏ ଦୁନିଆରେ, ତାର କୌଣସି ଅଧିକାର ନାହିଁ କିଛି କହିବାକୁ। କାହିଁକିନା ସେ ଆଜି ଏ ଦୁନିଆପାଇଁ, ଏ ନିଷ୍ଠୁର ସମାଜପାଇଁ ସେ ହେଉଛି ଜଣେ ଅସ୍ପୃଶ୍ୟା, ଅଗ୍ରହଣୀୟା, କଳଙ୍କିନୀ ଓ ପରିଶେଷରେ ଜଣେ ଚରିତ୍ରହୀନା ନାରୀ। ସେଥିପାଇଁ ସେ କାହାରି କଥାକୁ କର୍ଣ୍ଣପାତ କରେନାହିଁ କି ପ୍ରତିବାଦ ମଧ୍ଯ କରେନାହିଁ। ସେ ଯଦି ଏସବୁକୁ ପ୍ରତିରୋଧ କି କର୍ଣ୍ଣପାତ କରେ ତାହାଲେ ତାକୁ କ'ଣ ଏ ସମାଜ କେବେ ଭଲରେ ଟିକେ ବଞ୍ଚିବାକୁ ଦେବ ? କେମିତି ଅବା ଦେବ ସମାଜ ତାକୁ ଏ ସ୍ୱୀକୃତି ? ସେ ପାପ କରିଛି ତେଣୁ ସେ ପାପୀନି, ତାର ଚରିତ୍ର ଖରାପ ତେଣୁ ସେ ଚରିତ୍ରହୀନା, ତା ମଥାରେ କଳଙ୍କର ଟୀକା ଲାଗିଛି ତେଣୁ ସେ କଳଙ୍କିନୀ। ତେଣୁ ତାର ଏ ସଭ୍ଯ ସମାଜରେ ଭଲରେ ଟିକେ ବଞ୍ଚିବାର କୌଣସି ଅଧିକାର ନାହିଁ।ଏହିପରି ଭାବରେ ଲାଇନ୍ ଠିଆ ହୋଇଥିବା ସମସ୍ତ ଲୋକମାନେ ସେ ସ୍ତ୍ରୀଲୋକଟିକୁ ଲକ୍ଷ୍ୟ କରି ଏମିତି ସବୁ କହିଯାଉଥିଲେ। ମାତ୍ର ଏସବୁକୁ ନିରୀକ୍ଷଣ କରୁଥିଲେ ଚାଉଳ ବଣ୍ଟା ପାଖରେ ବସିଥିବା ଲିସା ନାମରେ ଜଣେ ମହିଳା କର୍ମଚାରୀ। କାହିଁକି କେଜାଣି ସେ ସ୍ତ୍ରୀଲୋକଟି ପ୍ରତି ଲୋକମାନଙ୍କର ଏମିତି ବ୍ୟବହାର ଲିସାକୁ ବହୁତ୍ କଷ୍ଟ ଦେଉଥିଲା। ମନେ ମନେ ଲିସା ଭାବୁଥିଲା କେମିତିକା ସ୍ତ୍ରୀଲୋକ ଇଏ ନିଜ ବିଷୟରେ ଏତେ ଖରାପ କଥା ଶୁଣିକି ବି ପ୍ରତିରୋଧ ଆଦୌ ନାହିଁ। ନା ନା ମୋତେ କାଇଁ ଲାଗୁନି ସେ ସ୍ତ୍ରୀଲୋକଟି ଏତେ ଖରାପ ହେଇଥିବେ ବୋଲି। ସେଥିପାଇଁ ଲିସା ସେଠାରେ ଉପସ୍ଥିତ ଥିବା ଜଣେ ସ୍ତ୍ରୀଲୋକକୁ ଡାକି କହିଲା ମାଉସୀ ଯେଉଁ ସ୍ତ୍ରୀଲୋକଟି ସେ ଭଙ୍ଗା କାନ୍ଥକୁ ଆଉଜି ଠିଆ ହୋଇଛି ଆପଣ ତାକୁ ଜାଣିଛନ୍ତି କି ? ତାଙ୍କୁ କ'ଣ ପାଇଁ ସମସ୍ତେ ଏତେ ଅସଭ୍ୟ ଭାଷାରେ ଗାଳି କରୁଛନ୍ତି ? ତାଙ୍କର ଭୁଲ୍ କ'ଣ ? ଉତ୍ତରରେ ସେ ମାଉସୀ ଜଣକ କହିଲେ କ'ଣ କହିବି ମା ତତେ ନାଁଟି ତାର ରୀତା। ସେ ଗୋଟିଏ ଚରିତ୍ରହୀନା ନାରୀ, ଗୋଟେ କଳଙ୍କିନୀ ନାରୀ ।ତା ସଂସ୍ପର୍ଶରେ ଆସିଲେ ତୋର ମଧ୍ଯ ପାପ ହେବ ମା। ଟଙ୍କା ପାଇଁ ସେ କିଛି ବି ଖରାପ କାମ କରିପାରେ। ସେଥିପାଇଁ ଆମ ଗାଁର ଲୋକମାନେ ପରା ତାକୁ ବାସନ୍ଦ କରିଦେଇଛନ୍ତି। ତା ପାଖ ମାଡ଼ିବା ତ ଦୂରର କଥା କେହି ତା ସହ ପଦୁଟିଏ କଥା ବି ହୁଅନ୍ତିନି। ଏମିତି ଭାବରେ ମାଉସୀ ଜଣକ ସେ ସ୍ତ୍ରୀଲୋକଟିକୁ ବହୁତ୍ ଖରାପ ଭାଷାରେ ଗାଳି କରୁଥିଲେ ଆଉ ନୀରବରେ ଶୁଣୁଥିଲା ଲିସା। ତାପରେ ସମସ୍ତେ ଚାଉଳ ନେଇ ଯାଇସାରିବା ପରେ ରୀତା ଚାଉଳ ଆଣି ଘରକୁ ଫେରିଆସିଲା। 


କାହିଁକି କେଜାଣି ଚାଉଳବଣ୍ଟା ପାଖରୁ ଆସିଲା ପରଠାରୁ ଲିସାର କୌଣସି କାମରେ ମନ ଲାଗୁନଥାଏ। କେବଳ ସେଇ ନିରୀହ ସ୍ତ୍ରୀଲୋକଟିର ମୁହଁଟି ତାକୁ ଦିଶିଯାଉଥାଏ। ତା ବିଷୟରେ ଏତେ ସବୁ ଖରାପ କଥା ଶୁଣିଲା ପରେ ବି ଲିସା ମନ ଆଦୌ ମାନୁନଥାଏ। ଇଚ୍ଛା ହେଉଥାଏ ତା ସାଙ୍ଗରେ ପୁଣି ଥରେ ଦେଖା ହୁଅନ୍ତା କି ତା ବିଷୟରେ ସଠିକ୍ କଥା ଜାଣିପାରନ୍ତି। ଏମିତି ସବୁ ଭାବି ଭାବି କେତେବେଳେ ଦିନ ସରି ରାତି ସରିଯାଏ ଲିସା ଜାଣିପାରେନା। ଦୁଇଦିନ ପରେ ସେଇ ସ୍ତ୍ରୀଲୋକଟି ସହ ଲିସାର ପୁଣି ଥରେ ଦେଖାହୁଏ ମନ୍ଦିରରେ। ସମସ୍ତେ ମନ୍ଦିର ଭିତରକୁ ଯାଆନ୍ତି ଭଗବାନଙ୍କ ଦର୍ଶନ ନିମନ୍ତେ କିନ୍ତୁ ସେଇ ସ୍ତ୍ରୀ ଲୋକଟି ବାହାରୁ ଦର୍ଶନ କରେ ଭଗବାନଙ୍କୁ। ଲିସା ଏସବୁ ଦେଖି ତା ପାଖକୁ ଯାଇ ପଚାରେ ଭଉଣୀ ଆପଣ ବାହାରୁ ଦର୍ଶନ କରୁଛନ୍ତି ଯେ ହେଲେ ସମସ୍ତେ ତ। ଉତ୍ତରରେ ସ୍ତ୍ରୀଲୋକଟି କହିଲା ସମସ୍ତଙ୍କ ସହ ମୁଁ ସମାନ ନୁହେଁ ମ୍ୟାଡମ୍। ମୋ ପାଇଁ ଏ ମନ୍ଦିର ଭିତରକୁ ପ୍ରବେଶ ମନା। ଲିସା କହିଲା ଭଉଣୀ ମୁଁ ଆପଣଙ୍କ ନାଁ ଟା ଜାଣିପାରେ ? ସାମାନ୍ୟ ହସିକରି ସ୍ତ୍ରୀ ଲୋକଟି କହିଲା ହଁ ନିଶ୍ଚୟ, କାହିଁକି ନୁହେଁ। କିନ୍ତୁ ଆପଣ ମୋତେ କୋଉ ନାମରେ ଡାକିବାକୁ ଚାହାଁନ୍ତି ମୋର ତ ବହୁତ ନାମ। ଏ ସମାଜ, ଏ ଲୋକମାନେ ମୋର ବିଭିନ୍ନ ନାମ ଦେଇଛନ୍ତି ଯେମିତି କି କଳଙ୍କିନୀ, ଅଲକ୍ଷଣୀ, ଚରିତ୍ରହୀନା ଏପରି ବହୁତ ନାମ। ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲା ଲିସା ସ୍ତ୍ରୀଲୋକଟିର ମୁହଁକୁ। ନାଇଁ ଏସବୁ ନୁହେଁ ଭଉଣୀ ୟା ବ୍ୟତୀତ ଆଉ କିଛି ନାମ ତୁମର କୁହ। ଉତ୍ତରରେ ସ୍ତ୍ରୀଲୋକଟି କହିଲା ଆଚ୍ଛା ହଉ ତୁମେ ମୋତେ ରୀତା ବୋଲି ଡାକିପାରିବ। ଆଚ୍ଛା ରୀତା ଆପଣଙ୍କୁ କାଇଁ କେଜାଣି ଦେଖିଲେ ମୋତେ ଲାଗୁଛି ଆପଣ ଶିକ୍ଷିତ ବୋଲି କିନ୍ତୁ ଏମିତି ଗୋଟେ ରାସ୍ତାକୁ ଆପଣ କ'ଣ ପାଇଁ ବାଛିଲେ, ଯେଉଁଥିରେ କେବଳ ନିନ୍ଦା ଆଉ ଅପମାନ। ସେତେବେଳେ ରୀତା ଆଖିରୁ ଝରିପଡୁଥିଲା ଟୋପା ଟୋପା ଲୁହ। ସେହି ଲୁହ ସବୁକୁ ପୋଛି, ଅଜସ୍ର ଦୁଃଖ ଓ ଯନ୍ତ୍ରଣାକୁ ଛାତି ତଳେ ଚାପିରଖି ରୀତା କହିଲା ପରିସ୍ଥିତି ଆଜି ମୋତେ ଏଠି ଆଣି ଛିଡା କରେଇଛି ଭଉଣୀ ଚାହିଁଲେ ବି ମୁଁ ଏଥିରୁ ମୁକୁଳିପାରିବିନି। ଏ ସମାଜର ଲୋକମାନେ ମୋତେ କଳଙ୍କିନୀ ସଜେଇ ଦେଇଛନ୍ତି, ଚରିତ୍ରହୀନାର ଉପାଧି ପିନ୍ଧେଇଦେଇଛନ୍ତି ତେଣୁ ମୁଁ ଏଥିରୁ ମୁକୁଳିବା ପୁରା ଅସମ୍ଭବ। ମୁଁ ଯୁଆଡେ ବି ଯିବି ଏ ଉପାଧିଟି ମୋ ପିଛା ଛାଡିବନି। କିନ୍ତୁ ଭଉଣୀ ଏଥିପାଇଁ ମୁଁ ଦୋଷ କାହାରିକୁ ଦେବିନି, କାହାକୁ ଅବା ଦେବି ସବୁ ତ ମୋ ଭାଗ୍ୟର ଦୋଷ। ମୋ ଭାଗ୍ୟ ଆଜି ମୋତେ ଏଠି ଆଣି ଛିଡାକରାଇଛି। ଆପଣ ଯଦି ମୋ ବିଷୟରେ ଆଉ କିଛି ଜାଣିବାକୁ ଚାହୁଁଛନ୍ତି ତାହାଲେ ମୋ ସହ ମୋ ଘରକୁ ଆସନ୍ତୁ। କାରଣ ଏଠି ମୋ ସହ ଆପଣଙ୍କୁ ଯଦି କିଏ ଦେଖେ ତାହାଲେ ଆପଣଙ୍କୁ ବି ଖରାପ ଭାବିବେ। ମୁଁ ଚାହୁଁନି ମୋ ପାଇଁ ଆପଣଙ୍କୁ କିଏ ଖରାପ ଭାବୁ। ଲିସା ମନରେ ପ୍ରଥମେ ପ୍ରଥମେ ଭୟ ଆସୁଥିଲେ ବି ସେ ସାହସ କରି ତା ସହ ତା ଘରକୁ ଗଲା। ସେଠାକୁ ଯାଇ ଦେଖେତ ଗୋଟିଏ କଅଁଳ ଶିଶୁଟିଏ ହାତ ଗୋଡ଼ ବାଡ଼େଇ ଖଟ ଉପରେ ଖେଳୁଛି। ଘରର ଅବସ୍ଥାଟା ନକହିବା ଭଲ କାରଣ ସେଠାକୁ ଯିଏ କେହି ଥରେ ଗଲେ ଦ୍ବିତୀୟ ଥର ଯିବାକୁ କେବେ ବି ଚେଷ୍ଟା କରିବନି। ତାପରେ ରୀତା ଲିସାର ଉପଯୁକ୍ତ ସତ୍କାର କରି ତା ଜୀବନର ଦୁଃଖଦ ଘଟଣାକୁ ତା ଆଗରେ ପ୍ରକାଶ କରି କହିଲା ମୋ ନାମ ରୀତା ଚୌଧୁରୀ। ବାପା ମା'ଙ୍କର ମୁଁ ଗୋଟିଏ ବୋଲି ଝିଅ ଆଉ ମୋର ଗୋଟେ ଭାଇ ବି ଅଛି କିନ୍ତୁ ପରିସ୍ଥିତି ଚକ୍ରରେ ପଡି ସମସ୍ତେ ମୋ ଠାରୁ ଦୂରକୁ ଚାଲିଗଲେ ଆଉ ମୋତେ ସବୁଦିନ ପାଇଁ ପର କରିଦେଲେ। ସ୍କୁଲ ଠାରୁ ଆରମ୍ଭକରି କଲେଜ ପର୍ଯ୍ୟନ୍ତ ସମସ୍ତ ଗୁରୁଜୀ, ଗୁରୁମା ମୋତେ ବହୁତ୍ ସ୍ନେହ, ଆଦର କରୁଥିଲେ। କାହିଁକିନା ମୁଁ କ୍ଲାସରେ ସବୁବେଳେ ଭଲ ପାଠ ପଢୁଥିଲି। ଥରେ ଆମ କଲେଜରେ ବାର୍ଷିକ ମହୋତ୍ସବ ହେଉଥାଏ ଆଉ ସେଠାରେ ଅତିଥି ଭାବରେ ସେଠାକାର ଏମ୍.ଏଲ୍. ଏ ଯୋଗ ଦେଇଥାନ୍ତି। ସେଇଠି ହିଁ ପୋଲିସ୍ ଅଫିସର ରାଜ ସାମନ୍ତଙ୍କ ସହ ମୋର ଦେଖାହୁଏ। ପ୍ରଥମ ଦେଖାରେ ହିଁ ସେ ମୋତେ ଭଲପାଇ ବସିଥିଲେ ଆଉ ତାପରେ ବିବାହ ପ୍ରସ୍ତାବ ନେଇ ଆମ ଘରକୁ ଆସିଥିଲେ। ଘରଲୋକଙ୍କ ଅନୁମତିରେ ଆମ ଦୁଇଜଣଙ୍କ ବିବାହ ହେଇଥିଲା। ସବୁକିଛି ଠିକ୍ ଠାକ୍ ଚାଲିଥିଲା। ସେ ମୋତେ ବହୁତ୍ ସ୍ନେହ,ଶ୍ରଦ୍ଧା ଓ ସମ୍ମାନ କରୁଥିଲେ। କିଛିଦିନ ପରେ ଆମ କୋଳକୁ ଏକ କନ୍ୟା ସନ୍ତାନ ଆସିଲା। ସେ ଆସିବା ପରେ ଆମ ଜୀବନରେ ଖାଲି ଖୁସି ହିଁ ଖୁସି ଆସିଥିଲା। ତାଙ୍କ ଘର ଲୋକମାନେ ମୋତେ ଏତେଟା ଭଲନପାଇଲେ ବି ରାଜ୍ ଙ୍କ ଭଲପାଇବା ପାଇ ମୁଁ ସେସବୁକୁ ଭୁଲିଯାଉଥିଲି। କିନ୍ତୁ ହଠାତ୍ ମୋ ଜୀବନରେ ଅମାବାସ୍ୟା ପରି କଳା ଅନ୍ଧକାର ଘୋଟିଆସିଲା ଆଉ ତାପରେ ମୋ ଜୀବନଟା ସଂମ୍ପୂର୍ଣ୍ଣ ରୂପେ ଛାରଖାର ହୋଇଗଲା। ସ୍ଵାମୀ ମୋର ଦିନେ ଅପରାଧି ମାନଙ୍କ ଗୁଳିର ଶିକାର ହେଲେ। ଯେତେ ଚେଷ୍ଟା କଲେ ବି ମୁଁ ତାଙ୍କୁ ଭଲ କରିପାରିଲିନି ଶେଷରେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସବୁଦିନ ପାଇଁ ମୋ ଜୀବନରୁ ଆଉ ମୋ ଝିଅ ଜାବନରୁ ସେ ଚାଲିଗଲେ। ତାଙ୍କର ହଠାତ୍ ଚାଲିଯିବାକୁ ମୁଁ ଆଦୌ ବରଦାସ୍ତ କରିପାରୁ ନଥିଲି। ମୋ ଅସହାୟତାର ସୁଯୋଗ ନେଇ ଶାଶୁଘର ଲୋକମାନେ ମୋ ଉପରେ ନିର୍ଯ୍ୟାତନା କରିବା ଆରମ୍ଭ କରିଦେଲେ ଆଉ ସରକାରଙ୍କ ଠାରୁ ମିଳିଥିବା ସମସ୍ତ ସହାୟତାକୁ ସେମାନେ ହଡପ୍ କରିନେଉଥିଲେ। ମାତ୍ର ଏସବୁକୁ ସହିବା ଛଡା ମୋ ପାଖରେ ଅନ୍ୟକିଛି ଉପାୟ ନଥିଲା। କାରଣ ମୋ ବାପଘରର ଆର୍ଥିକ ଅବସ୍ଥା ମଧ୍ଯ ସେତେ ଭଲ ନଥିଲା। ବାପା ମୋର ଥିଲେ ଜଣେ ହାର୍ଟ ପେସେଣ୍ଟ। ଭାଇ ଥିଲା ଗୋଟେ ଦିନ ମଜୁରିଆ। ତେଣୁ ସେଥିରେ କଷ୍ଟେମଷ୍ଟେ ଭାଇ, ଭାଉଜ, ବାପା ଓ ବୋଉ ଚଳି ଯାଉଥିଲେ। ସେଥିପାଇଁ ମୁଁ ତାଙ୍କ ଉପରେ ବୋଝ ହେବାକୁ ଚାହୁଁନଥିଲି। ଦିନେ ଘରେ କେହି ନଥିବାବେଳେ ମୋ ଦେଢଶୂର, ଯାହାକୁ ମୁଁ ସଦାସର୍ବଦା ବଡଭାଇ ସଦୃଶ ସ୍ନେହ, ଆଦର ଓ ସମ୍ମାନ କରିଆସିଛି ସେ ମୋ ଉପରେ ଖରାପ ଦୃଷ୍ଟି ପକାଇଲେ ଆଉ ଯେତେବେଳେ ମୁଁ ସେ କଥାକୁ ଘରଲୋକଙ୍କ ସାମ୍ନାରେ ପ୍ରକାଶ କଲି ସେତେବେଳେ ସେମାନେ ମୋ ଚରିତ୍ର ଉପରେ ପ୍ରଶ୍ନବାଚୀ ଉଠାଇଲେ ଆଉ ରାତାରାତି ମୋତେ ଓ ମୋ ଦୁଇମାସର ଛୋଟଝିଅକୁ ଗଳାଧକ୍କା ଦେଇ ଘରୁ ତଡ଼ିଦେଲେ। ସେତେବେଳେ ମୁଁ କ'ଣ କରିବି ଆଉ କ'ଣ ନ କରିବି କିଛି ବି ଜାଣିପାରୁନଥିଲି। ଛୋଟ ଛୁଆଟିକୁ ଧରି କୁଆଡେ ଯିବି କ'ଣ କରିବି କିଛି ଭାବିପାରୁନଥିଲି। ତେଣୁ ବାଧ୍ୟ ହୋଇ ସେଦିନ ରାତିରେ ମୋ ଝିଅକୁ ଧରି ମୋତେ ରାସ୍ତା କଡରେ ରହିବାକୁ ପଡିଲା। 

ବହୁ ଅସୁବିଧାକୁ ସାମ୍ନା କରି ଶେଷରେ ମୁଁ ମୋ ବାପଘରେ ପହଞ୍ଚିଲି। ସେମାନେ ମୋତେ ଏ ଅବସ୍ଥାରେ ଦେଖି ପୂରାପୂରି ଭାଙ୍ଗିପଡ଼ିଲେ। ତାଙ୍କ ଦୁଃଖ, କଷ୍ଟକୁ ଦେଖି ମୁଁ ମଧ୍ଯ ଆଦୌ ସହିପାରୁନଥିଲି। ମୋର ଅସହାୟ ଅବସ୍ଥାକୁ ଦେଖି ଦେଖି ମୋ ବାପା ଦିନେ ଆରପାରିକୁ ଚାଲିଗଲେ। ସ୍ଵାମୀ ଯିବାପରେ ବାପାଙ୍କର ଏପରି ଅଚାନକ ଚାଲିଯିବା ମୋ ଜୀବନକୁ ସଂମ୍ପୂର୍ଣ୍ଣ ଦୋହଲାଇ ଦେଇଥିଲା। ଏସବୁ ପରେ ମଧ୍ଯ ମୁଁ ଆଦୌ ହାରିଯାଇନଥିଲି କି ଭାଙ୍ଗିପଡିନଥିଲି କାରଣ ମୋତେ ମୋ ଛୁଆକୁ ବଞ୍ଚେଇବାର ଥିଲା। ସବୁ ଦୁଃଖ, ଯନ୍ତ୍ରଣାକୁ ମନ ଭିତରେ ଚାପିରଖି ମୁଁ ବାହାରିଲି ଚାକିରି ଅନ୍ୱେଷଣରେ କିନ୍ତୁ ଯେତେ ଜାଗା ମୁଁ ଯାଇଛି ସବୁଠି କେବଳ ମୋ ପ୍ରତି କୁଦୃଷ୍ଟି ପଡିଛି ସେ ନରରାକ୍ଷସ ମାନଙ୍କର। ମୋ ଅସହାୟତାର

ଫାଇଦା ସମସ୍ତେ ନେବାକୁ ଚେଷ୍ଟା କରିଛନ୍ତି। ତେଣୁ ବାଧ୍ୟହୋଇ ଏତେ ପାଠ ପଢିବା ସତ୍ତ୍ୱେ ମୁଁ ଭାଇଙ୍କ ସଙ୍ଗେ ବାହାରକୁ ସବୁଦିନ କାମ କରିବାପାଇଁ ଗଲି। ସେଥିରୁ ଯାହା ପଇସା ମିଳୁଥିଲା ଦୁଃଖକଷ୍ଟରେ ଆମେ ଚଳିଯାଉଥିଲୁ। ବୋଧହୁଏ ଭଗବାନ ମୋର ଏତିକି ସୁଖକୁ ବି ସହିପାରିଲେନି। ହଠାତ୍ ଏକ ଦିନେ ମୋ ଝିଅର ଦେହ ଖରାପ ହେଲା ଆଉ ସେ ବହୁତ୍ ଜୋର୍ ରେ କାନ୍ଦିବାକୁ ଲାଗିଲା । ଯେତେ ଚେଷ୍ଟା କଲେ ବି ତାର କାନ୍ଦିବା ଆଦୌ ବନ୍ଦ ହେଲାନି। ଝିଅର ଏ ଅବସ୍ଥା ଦେଖି ମୁଁ ନିଜକୁ ଆଦୌ ସମ୍ଭାଳି ପାରୁନଥିଲି। ସେତେବେଳେ ମୋ ପାଖରେ ବେଶି ଟଙ୍କା ପଇସା ମଧ୍ଯ ନଥାଏ। ତେଣୁ କ'ଣ କରିବି କିଛି ଜାଣିପାରୁନଥିଲି। ପାଖରେ ଯାହା ଅଳ୍ପ କିଛି ପଇସା ଥିଲା ତାକୁ ନେଇ ଭାଇଙ୍କର ମୋର ହସ୍ପିଟାଲ ନେଇଗଲୁ। ତାପରେ ଡାକ୍ତର ଆସି କହିଲେ ଝିଅର ହାତର ଗୋଟିଏ ସ୍ଥାନରେ ହାଡ଼ଟିଏ ବଢୁଛି, ଯେଉଁଥିପାଇଁ ତାକୁ ବହୁତ୍ କଷ୍ଟ ହେଉଛି। ସେସବୁକୁ ସହି ନପାରିବାରୁ ପିଲାଟି ଅନବରତ କାନ୍ଦୁଛି। ତେଣୁ ତାର ଏହି ସପ୍ତାହ ମଧ୍ୟରେ ଅପରେସନ ହେବା ନିହାତି ଆବଶ୍ୟକ।ନହେଲେ ତାର କିଛି ବି ହୋଇପାରେ। ସେଥିପାଇଁ ପ୍ରାୟ ଦେଢଲକ୍ଷ ଟଙ୍କା ଖର୍ଚ୍ଚହେବ। ଏତେ ଟଙ୍କା କଥା ଶୁଣି ମୋ ମୁଣ୍ଡରେ ଚଡକ ପଡିଲା। ଏତେ ଟଙ୍କା ସେ କୋଉଠୁ ଆଣିବି ଆଉ ଝିଅକୁ ବଞ୍ଚାଇବି ଭାବି ଭାବି ମୁଁ କାନ୍ଦିବାକୁ ଲାଗିଲି। ତାପରେ ସଙ୍ଗେ ସଙ୍ଗେ ଧାଇଁଗଲି ନିଜ ଶାଶୁଘରକୁ। କେତେ କାକୁତି ମିନତି ହେଲି ସେମାନଙ୍କ ସାମ୍ନାରେ କିନ୍ତୁ ସେମାନେ କିଛି ବି ଶୁଣିଲେନି ଓଲଟା ମୋତେ ଘରୁ ବାହାର କରିଦେଲେ। ସତରେ କ'ଣ ମୋ ଝିଅ ଆଉ ଭଲ ହବନି ? ମୁଁ କ'ଣ ମୋ ଝିଅ ମୁହଁରୁ କେବେ ମା'ଡାକ ଶୁଣିପାରିବିନି ? ଏମିତି ସବୁ ଭାବୁ ଭାବୁ ମୋର ମନେପଡିଲା ମୋ ସ୍ଵାମୀଙ୍କର ଜଣେ ବନ୍ଧୁ ରାମ୍ କଥା। ବିଚଳିତ ହୋଇ ଧାଇଁଗଲି ତାଙ୍କ ପାଖକୁ। ହଠାତ୍ ମୋତେ ଏ ଅବସ୍ଥାରେ ଦେଖି ରାମ୍ ତାର କାରଣ ପଚାରିଲେ। ତା ପରେ ମୁଁ କାନ୍ଦିକି କହିଲି ମୁଁ ରାଜ୍ ଙ୍କ ବିଧବା ପତ୍ନୀ। ମୁଁ ବହୁତ୍ ଅସୁବିଧାରେ ଅଛି ମୋ ଝିଅର ଅପରେସନ ପାଇଁ ଦେଢ଼ଲକ୍ଷ ଟଙ୍କା ଆବଶ୍ୟକ। କିନ୍ତୁ ମୁଁ ଆପଣଙ୍କୁ କଥା ଦେଉଛି ସମୟ ସୁବିଧା ଦେଖି ମୁଁ ଆପଣଙ୍କର ସବୁ ଟଙ୍କା ଶୁଝିଦେବି। ଦୟାକରି ଆପଣ ମନାକରନ୍ତୁନି ମୋ ଝିଅର ଜୀବନ ବଞ୍ଚେଇ ଦିଅନ୍ତୁ। ମୋର ଅସହାୟ ଅବସ୍ଥା ଦେଖି ରାମ୍ ରାଜି ହେଲେ ଟଙ୍କା ଦେବାପାଇଁ। ତାଙ୍କ ମୁହଁରୁ ଏକଥା ଶୁଣି ମୁଁ ଖୁବ୍ ଖୁସି ହୋଇଗଲି ଆଉ ମନେ ମନେ ଭାଗବାନଙ୍କୁ ଧନ୍ୟବାଦ ଅର୍ପଣ କଲି। ଯାହାହେଉ ଏତେ ବଡ଼ ଦୁନିଆରେ କେହି ଜଣେ ବି ତ ଅଛନ୍ତି ମୋତେ ସାହାଯ୍ଯ କରିବା ପାଇଁ।ତେଣୁ ମୁଁ ବହୁତ୍ ଆନନ୍ଦିତ ହୋଇଯାଇଥିଲି। ଟଙ୍କା ଦେବାକୁ ରାମ୍ ରାଜି ହୋଇଗଲେ ସିନା କିନ୍ତୁ ତା ବଦଳରେ ସେ ମୋ ପାଖରେ ଗୋଟିଏ ସର୍ତ୍ତ ରଖିଥିଲେ ଆଉ ସେ ସର୍ତ୍ତଟା ଥିଲା ଟଙ୍କାପାଇଁ ମୋତେ ତାଙ୍କ ସହ ଗୋଟିଏ ଦିନ ରହିବାକୁ ପଡିବ। ତାଙ୍କ ମୁହଁରୁ ଏକଥା ଶୁଣି ମୋ ପାଦତଳ ମାଟି ଦୋହଲିଗଲା ଆଉ ଚାରିଦିଗରୁ ମୋତେ ଅନ୍ଧାର ଦିଶିଲା। ହୃଦୟର କୋହକୁ ଲୁଚେଇ ମୁଁ କହିଲି ଏ କେମିତିକା ସର୍ତ୍ତ ରାମ୍।ମୁଁ ଏମିତି କେବେ କରିପାରିବିନି। ଉତ୍ତରରେ ରାମ୍ କହିଲେ ଆରେ ବାବା କିଛି ପାଇବାକୁ ହେଲେ କିଛି ହରେଇବାକୁ ପଡେ ଏତିକି କ'ଣ ତୁମେ ଜାଣିନ? ବିନା ସ୍ୱାର୍ଥରେ ତୁମକୁ କିଏ କାଇଁ ସାହାଯ୍ୟ କରିବାକୁ ଯିବ। ମୋ କଥାରେ ରାଜି ହୋଇଯାଅ ଆଉ ଟଙ୍କା ନେଇ ନିଜ ଝିଅର ଜୀବନ ବଞ୍ଚାଅ। ତାପରେ ମୁଁ ସେଠାରୁ ଚାଲିଆସିଲି ଆଉ ମନେ ମନେ ସ୍ଥିରକଲି ଅନ୍ୟ କିଛି ଉପାୟରେ ମୋ ଝିଅର ଜୀବନ ମୁଁ ନିଶ୍ଚିତ ବଞ୍ଚାଇବି। କିନ୍ତୁ ଯୁଆଡେ ଗଲି ପଇସା ପାଇଁ ସବୁଠାରୁ ନିରାଶ ହୋଇ ଫେରିଛି। ସେପଟେ ଝିଅର ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଲା ଆଉ ଡାକ୍ତର ସଙ୍ଗେ ସଙ୍ଗେ ଅପରେସନ କରିବାକୁ କହିଲେ। ସେତେବେଳେ ମୋ ନିଜ ଉପରେ ବହୁତ ଘୃଣା ଆସୁଥିଲା ସତରେ ଝିଅ ଜନ୍ମ କ'ଣ ଭୁଲ୍। ଯଦି ଭୁଲ୍ ତାହାଲେ କ'ଣ ପାଇଁ ମୁଁ ଝିଅ ହୋଇ ଜନ୍ମନେଲି ଯଦି ମୁଁ ଆଜି ପୁଅଟିଏ ହେଇଥାନ୍ତି ତାହାଲେ ହୁଏତ ମୋ ଛୁଆର ଜୀବନକୁ ବଞ୍ଚାଇରଖିବା ପାଇଁ ମୋତେ ଏତେ କଷ୍ଟ ସହିବାକୁ ପଡିନଥାନ୍ତା। ତେଣୁ ବାଧ୍ୟହୋଇ ମୋର ସତୀତ୍ଵ ଓ ମାତୃତ୍ୱ ମଧ୍ୟରେ ମୁଁ ମାତୃତ୍ୱକୁ ବାଛିନେଲି ଆଉ ପୁଣି ଥରେ ରାମ୍ ଙ୍କ ପାଖକୁ ଯାଇ ତାଙ୍କ ସର୍ତ୍ତରେ ରାଜି ହେଇଗଲି। ସେଇଦିନ ହିଁ ମୁଁ ଚରିତ୍ରହୀନା ପାଲଟି ମୋର ସତୀତ୍ଵ ହରାଇଲି ଆଉ ତାପରେ ଟଙ୍କାନେଇ ହସ୍ପିଟାଲରେ ଡିପୋଜିଟ୍ ପରେ ଝିଅର ଚିକିତ୍ସା ଆରମ୍ଭ ହେଲା। କ୍ରମେ ଝିଅ ମୋର ସୁସ୍ଥ ହୋଇଗଲା ସତ କିନ୍ତୁ ମୋ ବୋଉ ଆଉ ଭାଇ ଏସବୁ କଥା ଜାଣିବା ପରେ ମୋତେ ଘୃଣା କରିଲେ ଆଉ ସବୁଦିନପାଇଁ ଘରୁ ବାହାର କରିଦେଲେ। ତାପରେ ରହିମ୍ ଚାଚା ନାମକ ଜଣେ ବ୍ୟକ୍ତିଙ୍କ ସହିତ ମୋର ଦେଖାହେଲା। ସେ ମଧ୍ୟ ମୋ ପରି ଥିଲେ ସଂମ୍ପୂର୍ଣ୍ଣ ଅସହାୟ। ତେଣୁ ମୋ ଜୀବନର ସବୁ ଘଟଣା ଜାଣିସାରିବା ପରେ ସେ ମୋତେ ନିଜ ଝିଅ ଭାବି କୋଳେଇନେଇ ଆମ ମା ଝିଅଙ୍କର ସବୁ ଦାୟିତ୍ଵ ନେଲେ । ସେବେଠାରୁ ଏ ସମାଜ ଆଖିରେ ମୁଁ ପାଲଟିଯାଇଛି ଗୋଟେ ଚରିତ୍ରହୀନା, ଗୋଟେ କଳଙ୍କିନୀ ଆଉ ମୋର ଆତ୍ମସମ୍ମାନକୁ ସବୁଦିନପାଇଁ ହରାଇ ଆଦରି ନେଇଛି ଏଇ ଚରିତ୍ରହୀନା ଉପାଧିଟି। ସେହିଦିନଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ମୁଁ ସବୁବେଳେ ସଂଘର୍ଷ କରିଆସିଛି। ମୁଁ ଜାଣିନି ମୋ ଝିଅ ବଡହେବା ପରେ ମୋ ବିଷୟରେ ସବୁ ଶୁଣିଲେ ମୋତେ ଗ୍ରହଣ କରିବ କି ନାହିଁ କିନ୍ତୁ ମା' ହିସାବରେ ମୁଁ ମୋର ସବୁ କର୍ତ୍ତବ୍ୟ ନିଶ୍ଚୟ କରିବି ନିଶ୍ଚୟ । ମୁଁ ମଧ୍ଯ ଚାହୁଁନି ମୋ ଉପରେ ଯୋଉ ଦାଗ ଲାଗିଛି ସେସବୁ କେବେ ବି ମୋ ଝିଅ ଉପରେ ଲାଗୁ। କେହି ତାକୁ ଯେପରି କେବେ ନକୁହନ୍ତୁ ସେ ଗୋଟେ ଚରିତ୍ରହୀନାର ଝିଅ ବୋଲି। ସେଥିପାଇଁ ମୁଁ ସ୍ଥିର କରିଛି ସେ ଆଉ ଟିକେ ବଡ଼ ହେବାପରେ ତାର ରହିବା, ଖାଇବା, ଆଉ ବଞ୍ଚିବାର ସବୁ ବ୍ୟବସ୍ଥା କରିଦେଇ ମୁଁ ତାଠାରୁ ବହୁତ୍ ଦୂରକୁ ଚାଲିଯିବି ଯେଉଁଠିକୁ ଗଲେ ଆଉ କେହି କେବେ ଫେରନ୍ତିନି। ସବୁ ଶୁଣିସାରିଲା ପରେ ଲିସା ନିଜ ଆଖିର ଲୁହକୁ ଆଉ ମନର କୋହକୁ ଆଦୌ ସମ୍ଭାଳି ପାରୁନଥିଲା। ତା ଆଖିରୁ ଟୋପା ଟୋପା ଲୁହ ବୁନ୍ଦାଗୁଡିକ ଝରି ଆସୁଥିଲା। ନିଜକୁ ନିଜେ ବାରମ୍ବାର ପ୍ରଶ୍ନ କରୁଥିଲା ପ୍ରକୃତରେ କିଏ ଭୁଲ୍ ରୀତା ନା ଏ ସମାଜ ଯିଏ ତାକୁ ଆଜି ଚରିତ୍ରହୀନା ହେବାକୁ ବାଧ୍ୟ କରିଛି। ଗୋଟିଏ ମାଆ କ'ଣ କେବେ ଭୁଲ ହେଇପାରେ ? ନା ନା ମା କେମିତି ଖରାପ ହେଇପାରିବ ? ସେ ତ ମହାନ୍, ଚିରନମସ୍ୟା, ବନ୍ଦନୀୟା ଆଉ ପୂଜନୀୟା ।ତେଣୁ ସେ କେବେ ବି ଖରାପ ହେଇପାରିବନି କେବେ ନୁହେଁ। ଖରାପ ତ ଏ ସମାଜ ଆଉ ଏ ସମାଜର ଲୋକମାନେ ଯିଏ ରୀତାପରି ଝିଅକୁ ଚରିତ୍ରହୀନା ବନେଇଛି ।ଏସବୁ ଭିତରେ ଲିସା ଉପଲବ୍ଧି କରିପାରୁଥିଲା ରୀତା ମନରେ ଥିବା ଅଜସ୍ର ଦୁଃଖ ଆଉ ଯନ୍ତ୍ରଣାକୁ ଉପଲବ୍ଧି କରିପାରୁଥିଲା ତା ହସତଳେ ଥିବା ରହସ୍ୟମୟ ଦୁଃଖ ଓ କଷ୍ଟକୁ। ଲିସା ମନେମନେ ଧିକ୍କାର କରୁଥିଲା ଏ ସମାଜକୁ, ଏ ସମାଜରେ ଥିବା ଲୋକମାନଙ୍କର ଚିନ୍ତାଧାରାକୁ ଆଉ ଅପଲକ ନୟନରେ ଚାହିଁରହିଥିଲା ରୀତାର ସେ ନିରୀହ ମୁହଁଟିକୁ ।


Rate this content
Log in

Similar oriya story from Tragedy