ସନ୍ଦେହୀ ପ୍ରେମିକା
ସନ୍ଦେହୀ ପ୍ରେମିକା
ମା' ଙ୍କ ଡାକରେ ଅତିଷ୍ଠ ହୋଇ ଲିପ୍ସା ତରତର ହୋଇ ରୁମ୍ ରୁ ବାହାରି ଆସୁଥିଲା ଡାଇନିଙ୍ଗ୍ କୁ। କାହିଁକି କେଜାଣି ଆକ୍ସିଡେଣ୍ଟ ପରଠାରୁ ଲିପ୍ସା ସବୁକଥାରେ ଖାଲି ଚିଡିଚିଡା ହେଉଛି। ଖାସ୍ ସେଥିପାଇଁ ସେ ଘରେ ନ ବସି ସେ ଅଫିସ୍ ଯିବାକୁ ଚାହୁଁଛି କିନ୍ତୁ ମାଆଙ୍କର ଏକା ଜିଦ୍ ଦେହ ସଂମ୍ପୂର୍ଣ୍ଣ ସୁସ୍ଥ ନ ହେବା ଯାଏ ସେ କୁଆଡେ ବି ଯାଇପାରିବନି। ୟା ଭିତରେ ଲିପ୍ସା ଫୋନ୍ କୁ ଗୋଟିଏ ଅଜଣା ନମ୍ବର୍ ରୁ କଲ୍ ଆସେ ଆଉ ତାପରେ ସେ ବିରକ୍ତ ହୋଇ କଲ୍ ଟି କାଟିଦିଏ। ବାରମ୍ବାର କଲ୍ ଆସିବାରୁ ମା' ବିରକ୍ତ ହୋଇ କହିଲେ ଆରେ ମା କିଏ କଲ୍ କରିଛନ୍ତି ରିସିଭ୍ କ'ଣ ପାଇଁ କରୁନୁ ? ବୋଧହୁଏ କିଏ ତୋର ଚିହ୍ନାଲୋକ ହେଇଥିବେ ନହେଲେ ବାରମ୍ବାର କ'ଣ ପାଇଁ କଲ୍ କରିବେ ?? ତେଣୁ ମୋ ମତରେ ତୁ କଲ୍ ଟା ରିସିଭ୍ କରି ଦେଖ୍। ମା'ଙ୍କର କଥା ଶୁଣି ଚିଡିଚିଡା ହୋଇ ଲିପ୍ସା ଫୋନ୍ ରିସିଭ୍ କଲା। ସେପଟୁ ଉତ୍ତର ଆସିଲା ହ୍ୟାଲୋ ଆପଣ ଲିପ୍ସା କହୁଛନ୍ତି ତ ? ହଁ କହୁଛି କିନ୍ତୁ ଆପଣ କିଏ ? ଆଉ ମୋତେ କେମିତି ଜାଣିଲେ ? ମୁଁ ଲିପୁନ୍ କହୁଛି। କିଛିଦିନ ତଳେ ମୋ ବ୍ୟକ୍ତିଗତ କାର୍ଯ୍ୟରେ ମୁଁ ଆପଣଙ୍କ ଅଫିସ୍ କୁ ଯାଇଥିଲି ଆଉ ସେଠାରେ ହିଁ ଆପଣଙ୍କ ବିଷୟରେ ସବୁକିଛି ଜାଣିଥିଲି। ତାପରେ ତୁମ ଫୋନ୍ ନମ୍ବର କଲେକ୍ଟ କରି ତୁମ ପାଖକୁ କଲ୍ କରିଛି। ତୁମ ବିଷୟରେ ମଧ୍ଯ ଅଫିସ୍ ରୁ ବହୁତ୍ ପ୍ରଶଂସା ଶୁଣିଛି। ବାସ୍ତବରେ ତୁମେ ଜଣେ ବହୁତ ଭଲ ଝିଅ ଲିପ୍ସା। ମୁଁ ତୁମକୁ ବହୁତ୍ ପସନ୍ଦ କରେ। ସେଥିପାଇଁ ମୁଁ ଆମ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରିବାକୁ ଚାହୁଁଛି। କାହିଁକି କେଜାଣି ଲିପ୍ସା ସେଦିନ ତା ଉପରେ ରାଗିପାରୁନଥିଲା। କିନ୍ତୁ ଆଗରୁ ଯେତେବେଳେ ବି ଲିପ୍ସା ପାଖକୁ ଅଜଣା ନମ୍ବର୍ ରୁ କଲ୍ ଆସୁଥିଲା ସେ ସଂଗେ ସଂଗେ ରାଗି ଯାଉଥିଲା। କିନ୍ତୁ କାହିଁକି କେଜାଣି ଲିପୁନ୍ ର ଏସବୁ ଶୁଣି ତାକୁ ଆଦୌ ରାଗ ଆସୁନଥିଲା। ଦୁଇଜଣଙ୍କ ଦେଖା ହେବାପରେ ଧୀରେ ଧୀରେ ସେମାନଙ୍କ ସମ୍ପର୍କ ବନ୍ଧୁତାରେ ପରିଣତ ହେଲା। ଦୁଇଜଣ ଫୋନ୍ ରେ କଥା ହେବାବେଳେ କେତେବେଳେ ଘଣ୍ଟାଏ ଦୁଇଘଣ୍ଟା ବିତିଯାଏ ସେମାନେ ଆଦୌ ଜାଣିପାରନ୍ତିନି। ଲିପୁନ୍ ଥିଲା ଜଣେ ସମାଜସେବୀ ଆଉ ଏକ ଅଫିସର ମ୍ୟାନେଜର୍ ମଧ୍ଯ। ଗୋଟିଏ ଅନାଥାଶ୍ରମ ଖୋଲି ସେଠାରେ ଅନେକ ଲୋକଙ୍କୁ ଆଶ୍ରୟ ଦେଇଥିଲା ଲିପୁନ୍। ଧୀରେ ଧୀରେ ଲିପ୍ସା ଲିପୁନ୍ କୁ ବହୁତ୍ ଭଲ ଭାବରେ ଜାଣିଲା। ଲିପୁନ୍ ମନଭିତରେ ଲିପ୍ସାକୁ ଖୁବ୍ ଭଲପାଉଥିଲେ ବି ତାକୁ ନିଜର ମନକଥା କହିବାକୁ ସାହସ କରିପାରୁନଥିଲା। ଲିପୁନ୍ ଲିପ୍ସାର ଭଲପାଇବାକୁ ସେଦିନ ହୃଦୟଙ୍ଗମ କରିଥିଲା ଯେଉଁଦିନ ଲିପ୍ସା ତାକୁ ଲିପୁନ୍ ବାବୁ ପରିବର୍ତ୍ତେ କେବଳ ଲିପୁନ୍ ବୋଲି ସମ୍ବୋଧନ କରିଥିଲା। ସମୟ ଓ ସୁଯୋଗର ଅପେକ୍ଷାରେ ଥିବା ଲିପୁନ୍ ଦିନେ ଲିପ୍ସାକୁ ପ୍ରେମ ନିବେଦନ କଲା ଓ ଲିପ୍ସା ମଧ୍ଯ ଏହାକୁ ଖୁସିରେ ଖୁସିରେ ଗ୍ରହଣ କରିନେଇଥିଲା କାରଣ ଲିପ୍ସା ଜାଣିଥିଲା ଲିପୁନ୍ ଜଣେ ଭଲମଣିଷ ବୋଲି। ଲିପୁନ୍ ର ପ୍ରତିଟି କଥା, ତାର ବ୍ୟକ୍ତିତ୍ୱ, ତାର ଜୀବନର ଆଦର୍ଶ ଓ ନିଷ୍ଠା ପ୍ରଭୃତି ଲିପ୍ସା କୁ ତା ଆଡକୁ ବାରମ୍ବାର ଆକର୍ଷିତ କରୁଥିଲା। ଏମାନଙ୍କ ସମ୍ପର୍କକୁ ଆଦୌ ସହିପାରୁନଥିଲା ଲିପ୍ସା ର ପିଲାଦିନ ସାଙ୍ଗ ଆଶା କାରଣ ସେ ମଧ୍ଯ ଲିପୁନ୍ କୁ ଦେଖିବା ଦିନଠାରୁ ମନେ ମନେ ତାକୁ ଭଲପାଇ ବସିଥିଲା। ତେଣୁ ଲିପୁନ୍ ବିରୁଦ୍ଧରେ ସବୁବେଳେ ଲିପ୍ସା କୁ ଆଶା ବହୁତ୍ ଖରାପ କଥା କୁହେ, ଯାହାକୁ ଶୁଣି ଲିପ୍ସା ଖୁବ୍ ଭାଙ୍ଗିପଡ଼େ ଆଉ ସଙ୍ଗେ ସଙ୍ଗେ ଦୌଡ଼ିଯାଇ ଲିପୁନ୍ କୁ ବହୁତ୍ ଗାଳିକରେ ଆଉ ତା ସାମ୍ନାରେ ବହୁତ୍ କାନ୍ଦିପକାଏ। ଏସବୁ ଶୁଣି ଲିପୁନ୍ ଲିପ୍ସା କୁ କୁହେ .... ଶୁଣ ଲିପ୍ସା ଆମ ଭଲପାଇବା କ'ଣ ଏତେ ଦୁର୍ବଳ ଆଉ ଏତେ ମୂଲ୍ୟହୀନ ? ତୁମ ସାଙ୍ଗର କଥା ଶୁଣି ତୁମେ ମୋତେ ସନ୍ଦେହ କରୁଛ ?? ପ୍ରକୃତ ଭଲପାଇବାରେ କେବେ ସନ୍ଦେହ ନଥାଏ ଲିପ୍ସା। ତୁମେ ଜାଣିଛ... ସନ୍ଦେହଟା ଏମିତି ଏକ ଜିନିଷ ଯାହା ଗୋଟିଏ ମଜଭୁତ୍ ସମ୍ପର୍କକୁ ମଧ୍ଯ ନିମିଷକରେ ଭାଙ୍ଗି ଚୁର୍ ମାର୍ କରିଦିଏ। ସନ୍ଦେହର ଚେରଟା ଯେତେବେଳେ ମଣିଷ ମନରେ କାୟାବିସ୍ତାର କରେ ନା ସେତେବେଳେ ତାର ମୂଳକୁ ଖୋଜି ପାଇବା ଏକାନ୍ତ କଷ୍ଟକର ହୋଇପଡେ ଲିପ୍ସା। ଗୋଟିଏ ସମ୍ପର୍କକୁ ଭାଙ୍ଗିବା ପାଇଁ ଗୋଟିଏ ମୁହୂର୍ତ୍ତ ମଧ୍ଯ ଲାଗିନଥାଏ କିନ୍ତୁ ତାକୁ ଗଢ଼ିବା ପାଇଁ କାହିଁ କେତେ ବର୍ଷ ଲାଗିଯାଏ ତେଣୁ ସବୁବେଳେ ସମ୍ପର୍କର ସମ୍ମାନ କରିବା ଉଚିତ୍। ଲିପୁନ୍ ମୁହଁରୁ ଏସବୁ ଶୁଣି ଲିପ୍ସା ମନ ସଙ୍ଗେ ସଙ୍ଗେ ତରଳିଯାଏ ।
ଆଜିକାଲି ଲିପୁନ୍ ଲିପ୍ସା କୁ ଆଉ ଅଧିକ ସମୟ ଦେଇପାରୁନି କାରଣ ଅଫିସ୍ ର କାମ ସାଙ୍ଗକୁ ଆଶ୍ରମର କାମ ଭିତରେ ସେ ବହୁତ୍ ବ୍ୟସ୍ତ ରହିଯାଉଛି। ସେଥିପାଇଁ ଲିପ୍ସା ର ବହୁତ ଗୁଡାଏ ଅଭିମାନ ମଧ୍ଯ ଲିପୁନ୍ ଉପରେ। ଅଭିମାନ କଣ୍ଠରେ ଲିପ୍ସା କହେ.... ସତରେ ଲିପୁନ୍ ଆଜିକାଲି ତୁମେ ମୋତେ ଆଉ ଜମା ବି ଭଲପାଉନ। ସବୁବେଳେ ଖାଲି କାମ ଆଉ କାମ। ମୋ ପାଇଁ ତୁମର ଟିକେ ବି ସମୟ ନାହିଁ। ନାଇଁ ଲିପ୍ସା ସେମିତି କିଛି ନାହିଁ। ପ୍ରକୃତରେ ଆଶ୍ରମରେ ଟିକେ ବହୁତ୍ କାମ ରହିଯାଉଛି ତେଣୁ ମୁଁ ତୁମକୁ ଟିକେ ସମୟ ଦେଇପାରୁନି ସେଥିପାଇଁ... ସରି ଲିପ୍ସା। କିନ୍ତୁ ତୁମ ପାଇଁ ଗୋଟେ ଖୁସି ଖବର ଅଛି ଲିପ୍ସା। ବହୁତ ଜଲଦି ମୁଁ ଆମ ବିଷୟରେ ଘର ଲୋକଙ୍କୁ ଜଣାଇବି ଆଉ ମୋର ସଂମ୍ପୂର୍ଣ୍ଣ ବିଶ୍ବାସ ଅଛି ଯେ ସେମାନେ ଆମ ସମ୍ପର୍କକୁ ନିଶ୍ଚିତ ଭାବରେ ଗ୍ରହଣ କରିନେବେ। ସେଦିନ ଖୁସିରେ ଲିପ୍ସା ପାଗେଳୀ ହୋଇଯାଇଥିଲା ଆଉ ମନେ ମନେ ସ୍ଥିର କରିଥିଲା ନିଜ ଜନ୍ମଦିନରେ ସେ ମଧ୍ଯ ଲିପୁନ୍ କଥା ତା ଘରଲୋକଙ୍କୁ କହିବ। ଲିପ୍ସାର ଆଜି ଜନ୍ମଦିନ। ଅତିଥି ଭାବରେ ସେ ଲିପୁନ୍ କୁ ନିମନ୍ତ୍ରଣ କରିଛି ନିଜ ବାର୍ଥ ଡେ ପାର୍ଟିକୁ । ସମସ୍ତେ ଆସି ପାର୍ଟିରେ ଉପସ୍ଥିତ ହେଲେଣି କିନ୍ତୁ ଲିପୁନ୍ ଏ ପର୍ଯ୍ୟନ୍ତ ଆସିନାହିଁ। ସେଥିପାଇଁ ଲିପ୍ସା ବ୍ୟସ୍ତହୋଇ ବାରମ୍ବାର ତାକୁ କଲ୍ କରେ ମାତ୍ର ସବୁଥର ତା ପାଖକୁ କଲ୍ ଯିବାରେ ଅସଫଳ ହୁଏ। ତାପରେ ହଠାତ୍ ଲିପୁନ୍ ର କଲ୍ ଆସିଲା ଓ ସେ କହିଲା ସରି ଲିପ୍ସା ମୁଁ ଆଜି ତୁମ ବାର୍ଥ ଡେ ପାର୍ଟିକୁ ଯାଇପାରିବିନି। ମୁଁ ବହୁତ୍ ବ୍ୟସ୍ତ ଅଛି। ସେଥିପାଇଁ ତୁମେ ମୋତେ କ୍ଷମା କରିଦେବ। ଲିପୁନ୍ ମୁହଁରୁ ଏସବୁ ଶୁଣି ଲିପ୍ସା ସଂମ୍ପୂର୍ଣ୍ଣରୂପେ ଭାଙ୍ଗିପଡିଥିଲା।କାହିଁକି କେଜାଣି ସେଦିନ ତାକୁ ଅନୁଭବ ହେଉଥିଲା ସତେଯେପରି ତାଙ୍କ ସମ୍ପର୍କ ସେଇଠି ଶେଷ ହୋଇଗଲା। ସେତେବେଳେ ତାର ବାରମ୍ବାର ମନେପଡୁଥିଲା ଆଶା ଲିପୁନ୍ ବିରୁଦ୍ଧରେ କହୁଥିବା ସବୁକଥାଗୁଡ଼ାକ । ମନେ ମନେ ସେ ଭାବିଲା ସତରେ କ'ଣ ଲିପୁନ୍ ମୋ ସହ ଛଳନା କରୁଥିଲେ ଆଉ ପ୍ରତାରଣା କରୁଥିଲେ। ନା ନା ମୋ ଲିପୁନ୍ ମୋ ସହ କେବେ ବି ଏମିତି କରିପାରିବେନି କେବେନୁହେଁ ।ଏମିତି ଭାବି ଭାବି ଲିପ୍ସା ଏକମୁହାଁ ହୋଇ ଧାଇଁଗଲା ଆଶ୍ରମକୁ। ସେଠାରେ ଲିପୁନ୍ ଓ ଜଣେ ଝିଅକୁ ଗୋଟେ ରୁମ୍ ରେ ଦେଖି ଚମକିପଡ଼ିଲା ସେ। ହୃଦୟଟା ତାର ରାଗ ଓ ଈର୍ଷାରେ କମ୍ପିଉଠିଲା। କାନ୍ଦି କାନ୍ଦି ଲିପ୍ସା କହିଲା ଆଚ୍ଛା ଲିପୁନ୍ ତୁମେ ତାହାଲେ ଏଇ କାମରେ ବ୍ୟସ୍ତ ଅଛ ? ଏଥିପାଇଁ ତୁମେ ମୋ ଠାରୁ କିଛିଦିନ ହେବ ଦୂରେଇଯାଉଥିଲ। ଭଲ ହେଲା ଆଜି ତୁମ ଅସଲ ଚେହେରାଟା ମୋ ସାମ୍ନାକୁ ଆସିଗଲା, ନହେଲେ କ'ଣ ହେଇଥାନ୍ତା ମୋ ଭବିଷ୍ୟତ ? କେତେ ସ୍ଵପ୍ନ ଦେଖିଥିଲି ତୁମକୁ ନେଇ ମୁଁ ହେଲେ ସବୁ ସ୍ଵପ୍ନ, ଆଶାକୁ ତୁମେ ମୋର ଭାଙ୍ଗିଦେଇ ଚାଲିଗଲ। ଉତ୍ତରରେ ଲିପୁନ୍ କହିଲା ନାଇଁ ଲିପ୍ସା ତୁମେ ମୋତେ ଭୁଲ୍ ବୁଝୁଛ। ଏ ହେଉଛି ରୀତା। ଆମ ଭିତରେ ସେମିତି କିଛି ନାହିଁ। ଥରେ ହେଲେ ବୁଝିବାକୁ ଚେଷ୍ଟା କର। ଥାଉ ଲିପୁନ୍ ତୁମେ ମୋତେ ଆଉ ବୁଝେଇବାକୁ ଚେଷ୍ଟା କରନି। ମୁଁ ଜାଣିସାରିଲିଣି ତୁମେ କ'ଣ। ତୁମେ ହେଉଛ ଜଣେ ଭଦ୍ରମୁଖା ପିନ୍ଧିଥବା ଅଭଦ୍ର ମଣିଷ। ସମାଜସେବା ନାଁ ରେ ଅନାଥାଶ୍ରମ ଖୋଲି ଝିଅ ମାନଙ୍କୁ ନିଯୁକ୍ତି ଦେଇ ତୁମେ ସେଠାରେ ତାଙ୍କ ଅସହାୟତାର ଫାଇଦା ଉଠାଉଛ। କେଜାଣି ଭଗବାନ୍ ଜାଣନ୍ତି ତୁମେ ଆଉ କେତେଜଣ ଝିଅଙ୍କ ସହ ଏମିତି କରିଛ। ଆଶା ମୋତେ ସବୁବେଳେ ଠିକ୍ କହୁଥିଲା ତୁମ ବିଷୟରେ। ପ୍ରକୃତରେ ତୁମେ ଉପରକୁ ଯେମିତି ଦେଖାଯାଅ ଭିତରେ ଆଦୌ ସେମିତି ନୁହେଁ। ତୁମର ଏ ଭୁଲ୍ ପାଇଁ ମୁଁ ତୁମକୁ କେବେ କ୍ଷମା କରିପାରିବିନି କେବେ ନୁହେଁ। ସେଥିପାଇଁ ମୁଁ ତୁମକୁ ସବୁଦିନ ପାଇଁ ଛାଡ଼ି ଚାଲିଯାଉଛି ବହୁତ୍ ଦୂରକୁ। ଆଜିଠାରୁ ଆମ ଦୁଇଜଣଙ୍କ ରାସ୍ତା ସଂମ୍ପୂର୍ଣ୍ଣ ଅଲଗା। ତାପରେ ଲିପ୍ସା ଆଉ ଲିପୁନ୍ ଅଲଗା ହେଇଗଲେ ସବୁଦିନ ପାଇଁ ।
ବର୍ତ୍ତମାନ ଲିପ୍ସା ବିବାହିତା। ଡାକ୍ତର ମନୋଜ କୁମାର ପଟ୍ଟନାୟକଙ୍କ ଧର୍ମପତ୍ନୀ ସେ । ଲିପ୍ସା ବିଷୟରେ ସବୁ କଥା ଜାଣିକି ବି ସେ ତାକୁ ଗ୍ରହଣ କରିନେଇଛନ୍ତି। ବିବାହ ପରଠାରୁ ଲିପ୍ସାକୁ ଲିପୁନ୍ ର ଜଣେ ବନ୍ଧୁ ବାରମ୍ବାର କଲ୍ କରି କିଛି କହିବାକୁ ଚେଷ୍ଟା କରେ କିନ୍ତୁ ଲିପ୍ସା କିଛି ଶୁଣିବା ପୂର୍ବରୁ ବିରକ୍ତ ହୋଇ କଲ୍ ଟି ସବୁବେଳେ କାଟିଦିଏ ଆଉ ଭାବେ ଯୋଉ ସମ୍ପର୍କକୁ ମୁଁ ଅନେକ ଦିନ ଆଗରୁ ପଛରେ ଛାଡିଦେଇ ଆସିଛି କାହିଁକି ସେ ମୋ ପିଛା ଆଦୌ ଛାଡୁନି।ଏମିତି ସବୁ ଭାବୁ ଭାବୁ ପୂର୍ବ ସ୍ମୃତିଗୁଡିକ ତା ଆଖି ଆଗରେ ନାଚିଉଠେ ଆଉ ଅଜାଣତରେ ତା ଆଖିରୁ ଦୁଇଟୋପା ଲୁହ ଝରିପଡେ। ଏକଦା ଲିପ୍ସା ମନ ଦୁଃଖରେ ବସିଥିବାବେଳେ ହଠାତ୍ ଜଣେ ପୋଷ୍ଟମ୍ୟାନ୍ ଆସି ଚିଠି ଚିଠି ବୋଲି ଡାକିଲା। ଚମକିଉଠି ଚାହିଁ ରହିଥିଲା ଲିପ୍ସା ତା ଆଡକୁ ଆଉ ଭାବୁଥିଲା ଆଜିର ଏ ଇଣ୍ଟରନେଟ ଯୁଗରେ ପୁଣି ଚିଠି ? କିନ୍ତୁ କିଏ ଦେଇଛି ? ତାକୁ ପଚାରିଲା ଚିଠିଟି କିଏ ଦେଇଛନ୍ତି ?ଉତ୍ତରରେ ସେ କହିଲା ଜାଣିନି ମ୍ୟାଡାମ୍ କିନ୍ତୁ ଚିଠିଟି ଆପଣଙ୍କ ଆଡ୍ରେସ୍ ଅନୁସାରେ ଆସିଥିଲା। ଚିଠିଟିକୁ ପୋଷ୍ଟମ୍ୟାନ୍ ହାତରୁ ଆଣି ସେ ଅତି ଉତ୍କଣ୍ଠାର ସହ ତାକୁ ଦେଖିଲା। ଆରେ ଏ କ'ଣ ? ଲିପୁନ୍ ପଠେଇଛନ୍ତି ଏ ଚିଠିକୁ ? କିନ୍ତୁ କ'ଣ ପାଇଁ ? ଲୁହଭିଜା ଚକ୍ଷୁରେ ସେ ଚିଠିଟି ଖୋଲି ପଢିବାକୁ ଆରମ୍ଭ କଲା। ଯେଉଁଥିରେ ଲେଖାଥିଲା
ପ୍ରିୟର ଲିପ୍ସା,
ତୁମେ ମୋ ଜୀବନକୁ ପୂର୍ଣ୍ଣିମାର ଜହ୍ନ ସାଜି ଆସିଥିଲ ଲିପ୍ସା କିନ୍ତୁ ଅମାବାସ୍ୟା ପରି ଅନ୍ଧକାର ଭରିଦେଇ ତୁମେ ମୋଠାରୁ ସବୁଦିନ ପାଇଁ ଦୂରେଇଗଲ। ମୁଁ ଜାଣିଛି ତୁମକୁ ଆଉ କିଛି କହିବାର ଅଧିକାର ମୋର ଆଜି ନାହିଁ।କାହିଁକିନା ତୁମେ ନିଜେ ସେ ଅଧିକାରକୁ ମୋ ଠାରୁ ଛଡେଇ ନେଇଛ। ହୁଏତ ତୁମେ ଏ ଚିଠି ପାଇଲାବେଳକୁ ମୁଁ ଆଉ ଏ ଦୁନିଆରେ ନଥିବି। ତୁମର ସେଇ ସନ୍ଦେହ, ସେଇ ଅବିଶ୍ବାସ ସବୁଦିନ ପାଇଁ ଭାଙ୍ଗିଦେଇଛି ଆମ ପ୍ରେମର ସେଇ ଛୋଟ ଘରକୁ। ଭାବୁଥିଲି ଆମ ପ୍ରେମର ତାଜମହଲଟା ପଥରରେ ନିର୍ମିତ ବୋଲି ମାତ୍ର ପ୍ରକୃତରେ ତାହା ଥିଲା କାଚର ଯାହାକୁ ତୁମ ସନ୍ଦେହ ଅସ୍ତ୍ରଟା ସଂମ୍ପୂର୍ଣ୍ଣ ଧ୍ୱଂସବିଧ୍ୱସ୍ତ କରିଦେଲା। କେତେ ଆଶା ମନରେ ଥିଲା ସବୁ ଅଭିମାନ ଭୁଲି ଦିନେ ତୁମେ ମୋ ପାଖକୁ ଫେରିଆସିବ ମାତ୍ର ସେସବୁ ଭୁଲ୍ ହେଇଗଲା। ସେଦିନ ଆଶ୍ରମରେ ତୁମେ ମୋତେ ଯେଉଁ ଝିଅ ସହ ଦେଖିଥିଲ ସେ ହେଉଛି ରୀତା, ଜଣେ ଅନାଥ। ତା ବାପା ମା' ଚାଲିଗଲା ପରେ ଦୁଃଖ ସହିନପାରି ମୁଁ ତାକୁ ଆମ ଆଶ୍ରମରେ ନିଯୁକ୍ତି ଦେଇଥିଲି ଆଉ ସେହିଦିନଠାରୁ ସେ ମୋତେ ନିଜ ଭାଇ ବୋଲି ଭାବିନେଇଥିଲା। ତୁମେ ବୁଝିପାରିବନି ଲିପ୍ସା ଭାଇ ଭଉଣୀର ସେ ପବିତ୍ର ସମ୍ପର୍କକୁ। ସେଦିନ ସନ୍ଧ୍ୟାରେ ମୁଁ ତୁମ ବାର୍ଥ ଡେ ପାର୍ଟିକୁ ବାହାରିଥିଲି। ମାତ୍ର ହଠାତ୍ ସେଦିନ ରୀତା ଦେହ ବହୁତ୍ ଖରାପ ହେଇଗଲା ସେଥିପାଇଁ ତାକୁ ହସ୍ପିଟାଲ ନେବାପାଇଁ ମୁଁ ଆଶ୍ରମ ଯାଇଥିଲି ଆଉ ତାପରେ ତୁମେ ଆମ ଦୁଇଜଣଙ୍କୁ ସେଠାରେ ଦେଖିନେଇଥିଲ। ସେଦିନ ତୁମକୁ ବୁଝାଇବାକୁ ଚେଷ୍ଟା କରି କରି ମୁଁ ଥକିପଡ଼ିଲି କିନ୍ତୁ ତୁମେ ବୁଝିଲନି। ତୁମ ସନ୍ଦେହର ରଜ୍ଜୁକୁ ମୋ ପ୍ରେମ ଅସ୍ତ୍ର କାଟିପାରିଲାନି ଲିପ୍ସା। ତାପରେ ତୁମେ ସବୁଦିନ ପାଇଁ ଚାଲିଗଲ ମୋ ଜୀବନରୁ।
ତୁମଠାରୁ ମୋର ଦୂରତ୍ୱ ବୋଧହୁଏ ଭଗବାନ୍ ବି ସହିପାରୁନଥିଲେ।ତୁମେ ଚାଲିଯିବା ପରେ ମୁଁ ସଂମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି।କିଛିମାସ ପରେ ହଠାତ୍ ମୋ ଦେହ ବହୁତ୍ ଖରାପ ହେଲା ଆଉ ଡାକ୍ତରୀ ଚିକିତ୍ସାରୁ ଜାଣିବାକୁ ପାଇଲି ମୋତେ ବ୍ଲଡ୍ କ୍ୟାନ୍ସର। ଡାକ୍ତର କହୁଛନ୍ତି ଏ ଦୁନିଆରେ ମୋର ପରମାୟୁ ଖୁବ୍ କମ୍ ଦିନ।କାହିଁକି ତୁମେ ଆମ ସମ୍ପର୍କରେ ଅବିଶ୍ୱାସର ଚେର ରୋପଣ କଲ ?? ସେ ସନ୍ଦେହ ଆଉ ଅବିଶ୍ବାସ ଆମ ସମ୍ପର୍କକୁ ଧୂଳିସାତ୍ କରିଦେଲା। ମୁଁ ଜାଣେ ମୋର ଆଉ କିଛି ଅଧିକାର ନାହିଁ ତୁମକୁ ଏସବୁ କଥା କହିବାକୁ କିନ୍ତୁ ଆଜି ଯଦି ତୁମକୁ ଏସବୁ ନକୁହେ ତାହାଲେ ମରିଗଲା ପରେ ଉପରେ ଥାଇ ମୋ ଆତ୍ମା କେବେ ବି ଶାନ୍ତି ପାଇବନି। ଶେଷରେ ଏତିକି ଭଗବାନ୍ ଙ୍କୁ ପ୍ରାର୍ଥନା କରିବି ତୁମେ ସବୁବେଳେ ଖୁସିରେ ରୁହ ଆଉ ସେ ତୁମର ସବୁ ଇଚ୍ଛା ପୂରଣ କରନ୍ତୁ।
ଇତି
ତୁମର ଲିପୁନ୍
ଚିଠିଟି ପଢିସାରି ହତବାକ୍ ହୋଇ ଛିଡ଼ା ହୋଇଥିଲା ଲିପ୍ସା। ସତେଯେମିତି ତା ଶରୀରର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗ ଗୁଡିକ ଅଚଳ ହୋଇପଡୁଥିଲା। ପଶ୍ଚାତାପ ଅଗ୍ନିରେ ହୃଦୟ ତାର ଥରିଉଠୁଥିଲା ଆଉ ନିଜ ଅବିଶ୍ୱାସ ଓ ଭୁଲ୍ ପାଇଁ ବାରମ୍ବାର ନିଜକୁ ଧିକ୍କାର କରି ଚିତ୍କାର କରୁଥିଲା। ଶେଷଥର ଲିପୁନ୍ କୁ ଟିକେ ମନଭରି ଦେଖିବା ପାଇଁ ଲିପ୍ସା ଧାଇଁଗଲା ହସ୍ପିଟାଲକୁ କିନ୍ତୁ ସେତେବେଳକୁ ଲିପୁନ୍ ଦୁନିଆ ଛାଡି ସବୁଦିନ ପାଇଁ ଯାଇସାରିଥିଲା । ହସ୍ପିଟାଲ ବାହାରୁ ଲିପୁନ୍ ସାଙ୍ଗ ମୁହଁରୁ ଏସବୁ କଥା ଶୁଣି ଲିପ୍ସା ପାଦଦୁଇଟି ଆପେ ଆପେ ପଛକୁ ଫେରିଆସିଲା। ସେ ନିଜକୁ ଏ ପରିସ୍ଥିତିରେ ଆଦୌ ସମ୍ଭାଳି ପାରୁନଥିଲା। ସେ କେବଳ ମନେ ମନେ ଈଶ୍ୱରଙ୍କୁ ପ୍ରାର୍ଥନା କରି ଏତିକି କହୁଥିଲା ଉପରେ ଥାଇ ଲିପୁନ୍ ଙ୍କର ଆତ୍ମା କେବେ କଷ୍ଟ ନ ପାଉ ଓ ତାଙ୍କ ପରି ସନ୍ଦେହୀ ପ୍ରେମିକା ଖାଲି ଲିପୁନ୍ ନୁହେଁ ବରଂ କେବେ କାହା ଜୀବନରେ ନ ଆସୁ କେବେ ନୁହେଁ ।