puspanjali das

Inspirational

3  

puspanjali das

Inspirational

ଆତ୍ମୀୟତା

ଆତ୍ମୀୟତା

4 mins
222



     ସାନଝିଅର ଟ୍ରଲିବ୍ୟାଗଟି ସଜାଡୁ ସଜାଡୁ,କୁସୁମର ହାତ ଅଟକି ଯାଇଥିଲା।ପାଖରେ ଥିବା ବଡ଼ ଟ୍ରଙ୍କଟି ଉପରକୁ ହାତ ତା'ର ମନକୁ ମନ ଚାଲି ଯାଇଥିଲା।ତା'ଉପରେ ହାତ ବୁଲାଉ ବୁଲାଉ,ସତେ ଯେମିତି କିଛି ପୁରୁଣା ସ୍ମୃତିକୁ ସାଉଁଟି ଆଣୁଥିଲା।କିଛି ବର୍ଷ ତଳେ ବଡ଼ ଝିଅ ପ୍ରଭାର ବାହାଘରର ଘଟଣା ଗୁଡିକ ଯେମିତି ଗୋଟି ଗୋଟି ହୋଇ ଆଖି ଆଗରେ ନାଚି ଯାଉଥିଲା!

       ସେଇ ଟ୍ରଙ୍କଟିରେ ବାହାଘରର ସବୁ ସରଞ୍ଜାମ ପୁରା ହୋଇ ମଣ୍ଡପ ପାଖକୁ ଯାଇ ଥିଲା।ଆଉ ବେଦୀ ଉପରେ ସେସବୁ ଲିଷ୍ଟ ଅନୁଯାୟୀ ବାହାର କରି ଦେବାକୁ ଜଣଙ୍କର ଦାଇତ୍ୱରେ ରହିଥିଲା।ବଡ଼ ଝିଅର ବାହାଘରର ସବୁ ଦାୟିତ୍ୱକୁ ତା'ବାପା ସମସ୍ତଙ୍କୁ ଆଗରୁ ବାଣ୍ଟି ଦେଇଥିଲେ, ଯୋଉଥି ପାଇଁ ସମସ୍ତେ ଆଶ୍ୱସ୍ତ ଥିଲେ।ଯଦିଓ ସେତେବେଳକୁ ତାଙ୍କର ଦେହ ଖରାପ ହେବା ଆରମ୍ଭ ହୋଇଯାଇଥିଲା, ହେଲେ ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ଭରସା ରଖି କୁସୁମ ,କୌଣସି ପ୍ରକାର ଅବ୍ୟବସ୍ଥା ନ ହେବ ବୋଲି ଭାବିଥିଲା!ହେଲେ ବର ଆସି ପହଞ୍ଚିବାର ଅଳ୍ପ ସମୟ ଭିତରେ ଅନେକ କିଛି ଏପଟ ସେପଟ ହୋଇ ଯାଇଥିଲା!କ୍ୟାଟରିଂ ଦାଇତ୍ୱରେ ଥିବା ପିଲାଟି ଅବଶ୍ୟ ନିଜଲୋକ ପରି ଅନେକ କିଛି ସମ୍ଭାଳି ନେଇଥିଲା ହେଲେ ବେଦୀ ପାଖରେ ବିବାହ ସାମଗ୍ରୀର ଦାୟିତ୍ୱରେ ଥିବା ମଣିଷଟି ଯେମିତି ପୁରାପୁରି ଭୁଲି ଯାଇଥିଲା ନିଜ ଦାଇତ୍ୱ ଓ କର୍ତ୍ତବ୍ୟ!ବର ପହଞ୍ଚିବାର ଖୁସି ଓ ବନ୍ଧୁ ବାନ୍ଧବ ମାନଙ୍କର ଆସିବା ଭିତରେ ଯେମିତି ହଜି ଯାଇଥିଲେ କିଛି ଅତ୍ମୀୟ ,ଆଉ ସେ ପରିସ୍ଥିତିକୁ ସମ୍ଭାଳିବାକୁ ସେତେବେଳେ କୁସୁମ ମୁଣ୍ଡରେ କିଛି ବି ପସିନଥିଲା!

        ସେତିକିବେଳେ କିନ୍ତୁ ତା'ବଡ଼ ଭଉଣୀର ଉପସ୍ଥିତ ବୁଦ୍ଧି ସବୁ ସମ୍ଭାଳି ନେଇଥିଲା!କୌଣସି ପ୍ରକାର ଅସୁବିଧା ନ ହୋଇ,ସୁରୁଖୁରୁରେ ବାହାଘରଟି ସମ୍ପନ୍ନ ହୋଇ ଯାଇଥିଲା।ତା'ଶାଶୁଙ୍କ ଅଭାବ ସତେ ଯେମିତି ତା'ବଡ଼ ଭଉଣୀ ପୂରଣ କରି ଦେଇଥିଲା!ବିବାହ ବେଦୀ ଠାରୁ ଆରମ୍ଭ କରି ମଣ୍ଡପରେ ସବୁ ପ୍ରକାର ଛୋଟ ବଡ ଆବଶ୍ୟକତାକୁ ତା'ବଡ଼ ଭଉଣୀ ଓ ବଡ଼ ଭାଉଜ ସମ୍ଭାଳି ନେଇ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ କରାଇ ଦେଇନଥିଲେ ଓ ଅଭିଜ୍ଞତା ନ ଥିବା କୁସୁମ ଶାନ୍ତିରେ ନିଶ୍ୱାସ ମାରି ପାରିଥିଲା!ହେଲେ ସେଇ ଦୁଇଜଣ ଯେ ଆଜି ନିଜକୁ ସମ୍ପୂର୍ଣ୍ଣ ଦୁରେଇ ନେଉଛନ୍ତି ଏକଥା ଭାବି ଭାବି କୁସୁମ ଯେମିତି ଶକ୍ତି ହୀନ ହୋଇ ଯାଉଥିଲା!ବଡ଼ଭାଇ ଓ ବଡ଼ ଭିଣେଇ ,ଦୁହେଁ ଡାକ ହାକ ହୋଇ ବର୍ଷକ ଭିତରେ ଆର ପାରିକୁ ଚାଲିଯାଇ ଭଉଣୀ ଓ ଭାଉଜଙ୍କୁ ଯେମିତି ମାନସିକ ସ୍ତରରେ ଓ ସାମାଜିକ ରୀତିନୀତିରେ ବାନ୍ଧି ପକାଇଥିଲେ!ପ୍ରଚଳିତ ପ୍ରଥା ଅନୁଯାୟୀ କୌଣସି ଶୁଭ କାର୍ଯ୍ୟରେ କିଛି ନକରିପାରିବାର ଷ୍ଟାମ୍ପଟା ଯେମିତି ଲାଗିଯାଇଥିଲା!ଯଦିଓ ମନ ଭିତରେ କୁସୁମ ସେ ନୀତିନିୟମକୁ ଆଦୌ ଗ୍ରହଣ କରିପାରିନଥିଲା ହେଲେ ସେ ଦୁହିଁଙ୍କୁ ବୁଝାଇବାର ଶକ୍ତି କି ସାମର୍ଥ୍ୟ ଜୁଟାଇ ପାରୁନଥିଲା!ସେମାନଙ୍କର ଅନୁପସ୍ଥିତି ତା'ସାନଝିଅ ବାହାଘରରେ କଳ୍ପନା ମଧ୍ୟ କରିପାରୁନଥିଲା!

     ଶାଶୁ ଓ ବୋଉ ଦୁଇଜଣଙ୍କୁ ହରାଇଥିଲେ ମଧ୍ଯ ବଡ଼ ଭାଉଜ ଓ ବଡ଼ ଭଉଣୀର ଉପସ୍ଥିତି ଯେ ତା'ମନବଳକୁ ଅନେକ ବଢ଼ାଇ ଦେଇଥିଲା ଯୋଉଥିପାଇଁ ବଡ଼ ଝିଅର ବାହାଘର ବେଳେ ଭରସା ପାଇ ସବୁ କରିପାରିଥିଲା, ହେଲେ ସାନ ଝିଅର ବାହାଘର ବେଳେ ତାକୁ କେବଳ ସେମାନଙ୍କର ଅନୁପସ୍ଥିତି ନୁହେଁ ଆହୁରି ଅନେକ ପ୍ରତିକୂଳ ପରିସ୍ଥିତିର ମଧ୍ୟ ସାମ୍ନା କରିବାକୁ ପଡିବ ଭାବି ଭାବି ଭାଙ୍ଗି ପଡୁଥିଲା!ନିଜ ଜୀବନ ସାଥିଙ୍କ ଦେହ ଖରାପ ଓ ସିରିଅସ ସର୍ଜରୀ ପରେ ପରେ ନିଜ ସାନ ଭାଇକୁ ହରାଇବାର ବିପତ୍ତିର ସାମନା କରି ପୁରା ନିର୍ବାକ୍ ହୋଇଯିବାକୁ ମଧ୍ୟ ତାକୁ ସମ୍ଭାଳିବାକୁ ଯେ ପଡିବ,ଏକଥା ଭାବି ଭାବି ଅବଶ ହୋଇ ପଡୁଥିଲା!

     ରାତି ପାହିଲେ ମଙ୍ଗଳପାକ ହେବାର ଆୟୋଜନ କରିବାକୁ ପଡିବ ଓ କୌଣସି ବୟୋଜ୍ୟେଷ୍ଠଙ୍କ ଉପସ୍ଥିତି ଯେ ସେ ପାଇବନି ଏକଥା ଚିନ୍ତା କରି ବ୍ୟସ୍ତ ହୋଇ ପଡୁଥିଲା।ଅବଶ୍ୟ ସାନ ଝିଅର ବିଦେଶୀ ଶାଶୁଘର ଲୋକେ,କି ସାନ ଝିଅ ନିଜେ ,ସେସବୁ ପ୍ରଥାର ଘୋର ବିରୋଧୀ ଥିଲେ ଏମିତି କି ସାନଝିଅ ଏକପ୍ରକାର ଜିଦ୍ଦି କରିଥିଲା ଯେ ବାହାଘରରେ ଯେମିତି ହେଲେ ତା'ମାଉସୀ ଓ ମାଇଁ ସବୁ କର୍ମରେ ଯୋଗଦେଇ ଠିକ ଯେମିତି ବଡ଼ ଭଉଣୀର ବାହାଘରରେ କରିଥିଲେ,ହେଲେ ସେସବୁକୁ ଅନ୍ୟ କେହି ଗ୍ରହଣ କରି ପାରୁନଥିଲେ!କୁସୁମର ଶାଶୁ ଘର ର ରକ୍ଷଣଶୀଳ ପରିବାର ବର୍ଗଙ୍କ ପାଇଁ ତ ସେସବୁ ପୁରା ଅସମ୍ଭବ ଥିଲା!

        ମଙ୍ଗଳପାକ ର ଦିନ ନ'ଟା ବାଜିବାକୁ ବସିଥିଲା,ବାରିକିଆଣି ଦୁଲିି ଆସି ଆଭାକୁ ଖୋଜି ପକାଇଥିଲା।ଅତି ପରିଚିତ ବାରିକିଆଣିଟି ପରିବାରର ସଦସ୍ୟ ପରି ସବୁ ପର୍ବ ପର୍ବାଣୀରେ ଆସି ଯୋଗ ଦେଉଥିବାରୁ ଆଭା ଠାରୁ ତା'ପିଲାଙ୍କ ପାଇଁ କିଛି ବିଦେଶୀ ଚକୋଲେଟ ନେବାର ଆଶା ରଖି,ପୁରା ଘର ସାରା ଖୋଜି ପକାଇଥିଲା,ହେଲେ ନିରାଶ ହୋଇ କୁସୁମ ପାଖରେ ଅଭିମାନ ଭରା ଅଭିଯୋଗ କରି ବସିଥିଲା।ତା'ପାଖରେ ଗୋଡ କୁ ଲମ୍ବାଇ ବସିପଡି କହିପକେଇଥିଲା-ହେଇଟି ମା,ତମ ଝୁଅ କୁଆଡେ ଗଲେ କି?ଏଇନେ ପା ଦିଅମଙ୍ଗୁଳା ହେବ,ତା'ପୂର୍ବରୁ ମୁଁ ସେ ବିଦେଶୀ ଚକୋଲେଟ ନ ନେଇ ଛାଡ଼ୁନି!ଆଉ କଣ ସବୁ ଆଣିଛନ୍ତି,ସାନଦେଇ ମୋ ପାଇଁ?କାହିଁ ,ଦିଶୁ ନାହାନ୍ତି ତ?

         କୁସୁମ ତର ତର ହୋଇ ଦିଅମଙ୍ଗୁଳା ପାଇଁ ସବୁ ସଜାଡୁ ସଜାଡୁ ଦୁଲି ର କଥା ରେ ଚମକି ପଡି କହିପକାଇଲା-ଆଲୋ,ଆଜି କୁଆଡେ ଯିବ?ଏଇଠି କୋଉଠି ଗପୁ ଥିବ!ଅନ୍ୟ ରୁମରେ ଦେଖିଲୁନି ସମସ୍ତେ ଯୋଉଠି ମେଳି କରୁଥିଲେ, ସେଇଠି ଥିବ।ସକାଳୁ ତ ଉଠି ପଡିଥିଲା!ହଠାତ୍ ପଛପଟୁ ଆଭାର ପାଟିରେ ବୁଲିପଡ଼ି ଦେଖିଦେଇ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା!'ସରପ୍ରାଇଜ୍' କହି ଜୋରରେ କୁସୁମକୁ କୁଣ୍ଢାଇ ପକାଇଥିଲା ଆଭା!କିଛି ଦୂରରେ ଠିଆ ହୋଇଥିଲେ ତା'ବଡ଼ ଭାଉଜ ଓ ଭଉଣୀ ଆଉ ପାଖରେ ଠିଆ ହୋଇ ଥିଲେ ଆଭାର ବାପା ,ମୁହଁରେ ଛୋଟିଆ ହସ ଟିଏ ନେଇ!

ଅବଶ୍ୟ ପୂର୍ବରୁ କୁସୁମ ଜାଣିଥିଲା ଯେ ସେଇ ଲୋକ ତା'ଶାଶୁ ଘର ପଟୁ ଯିଏ ସେସବୁ ପୁରୁଣା କାଳିଆ ନୀତି ନିୟମକୁ ମନ ଭିତରେ ମାନୁ ନ ଥିଲେ,ଯଦିଓ ଘରର ଅନ୍ୟ ମାନଙ୍କ କଥା କାଟି ପାରୁନଥିଲେ!

     ଆଭା ଏଥର ସାମାନ୍ୟ ସହଜ ହୋଇଯାଇ ହସି ହସି କହିପକାଇଲା-'ଦେଖ ମମି,ତୋ ଲାଇଫ ଲାଇନ ଦୁଇ ଜଣଙ୍କୁ ମୁଁ ବହୁତ କଷ୍ଟରେ ମନେଇକି ଆଣିଛି । ତୁ ଏଥର ସମ୍ଭାଳିବୁ!ମୋ ବାହାଘର ରେ,ପ୍ରଭା ଦି' ର ବାହାଘର ଭଳି ମାଇଁ ,ମାଉସି ସବୁ କରିବେ,ଏକଥା ମୁଁ ସ୍ପଷ୍ଟ କରିଦେଇଛି!କୋଉ ମା'ସମାନ ମଣିଷ ର ଆଶୀର୍ବାଦ ଅମଙ୍ଗଳ କହିଲୁ??ମୋର ସବୁ ମଙ୍ଗଳ ହେବ!'କୁସୁମ ର ଆଖିରୁ ଧାର ଧାର ଲୁହ ବୋହି ଚାଲିଥିଲା-ସେ ଲୁହ ଦୁଃଖ ର ନଥିଲା,ଥିଲା ଖୁସୀ ର, ଆତ୍ମ ସନ୍ତୋଷ ର!ଆଭା ବାହାଘର ର ସମସ୍ତ ଚିନ୍ତା ଯେମିତି ଫିକା ପଡି ଯାଉଥିଲା!!ଆଖିର ଲୁହ ଧାର ସାଙ୍ଗରେ ଓଠରେ ଲାଖିରହିିଥିଲା ଛୋଟିଆ ହସ ଟିଏ...।


Rate this content
Log in

Similar oriya story from Inspirational