ଆତ୍ମାହୁତି
ଆତ୍ମାହୁତି
ଅଣ୍ଡରଗ୍ରାଉଣ୍ଡରେ ବିରୋଧୀ ଦଳର ନେତାଙ୍କ ଘନ ଘନ ବୈଠକ ଅନୁଷ୍ଠିତ ହେଉଛି। ସରକାରଙ୍କ ଜନମାରଣ ନୀତିକୁ ନେଇ ଗଢି ତୋଳିବାକୁ ହେବ ବ୍ଯାପକ ଜନ ଆନ୍ଦୋଳନ। ଆନ୍ଦୋଳନ ହିଂସକ ନହେଲେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବା କଷ୍ଟକର ବ୍ୟାପାର। ଏଣୁ ଦେଶ ସାରା ଅସନ୍ତୋଷର ନିଆଁ ଜାଳିବାକୁ ହିଁ ହେବ। ଏଥିପାଇଁ ଛାତ୍ର ସମାଜକୁ ନିହାତି ଭାବେ ସଂଶ୍ଲିଷ୍ଟ କରିବା ଜରୁରୀ। କାରଣ ଦେଶର ଜନସଂଖ୍ୟାର ପ୍ରାୟ ଚାଳିଶ ପ୍ରତିଶତ ସଂଖ୍ୟା ହେଉଛି ଯୁବକ ଓ ଛାତ୍ରଙ୍କର। ଯେକୌଣସି ରାଜନୈତିକ ଦଳ ପାଇଁ ଏମାନେ ଟ୍ରମ୍ପ କାର୍ଡ୍ ସାବ୍ଯସ୍ତ ହୋଇ ପାରନ୍ତି! ଆନ୍ଦୋଳନର ଯଜ୍ଞକୁଣ୍ଡରେ ଏହିମାନଙ୍କୁ ବଳି ବୋଦା କରାଗଲେ ଦେଶ ବ୍ଯାପି ଆନ୍ଦୋଳନ ଫଳପ୍ରଦ ହେବ। ଅନ୍ତତଃପକ୍ଷେ କିଛି ଛାତ୍ରଙ୍କୁ ଆତ୍ମ ବଳିଦାନ ପାଇଁ ପ୍ରେରିତ କରିବାକୁ ହେବ। ଯଦ୍ୱାରା ସରକାର ବିରୋଧୀ ଦଳଙ୍କ ଦାବି ମାନି ନେବାକୁ ବାଧ୍ୟ ହେବେ, ହୁଏତଃ ଇସ୍ତଫା ମଧ୍ଯ ଦେଇ ପାରନ୍ତି ଚାପରେ।
ହଠାତ୍ ଗର୍ଜି ଉଠିଲା ପ୍ରମୁଖ ବିରୋଧୀ ଦଳର ଛାମୁଆ ଯୁବ ଛାତ୍ର ସଂଗଠନର ନିଖିଳ ଭାରତୀୟ ନେତା ବ୍ରିଜେଶ୍ କୁମାରଙ୍କ ମୋବାଇଲ୍ ଫୋନ୍। ଅପରପକ୍ଷରୁ ଭାଷି ଆସୁଥିଲା ହାଇକମାଣ୍ଡଙ୍କ ନିର୍ଦ୍ଦେଶ। "ଯାହା ବି ହେଉ, ଯେମିତି ବି ହେଉ ଏଇ ଛାତ୍ର ଆନ୍ଦୋଳନ ଜୋରଦାର ହେବା ଦରକାର। ସାରା ଦେଶ ଆନ୍ଦୋଳନର ବହ୍ନିରେ ଜାଳିବା ଦରକାର। ଖର୍ଚ୍ଚ ପାଇଁ ଚିନ୍ତା କରନାହିଁ, ଏଥିପାଇଁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀଙ୍କ ମସ୍ତିଷ୍କରେ ସରକାରଙ୍କ ବିରୁଦ୍ଧରେ ବିଷ ମଞ୍ଜି ରୋପଣ କର। ଜାଳ ପୋଡ଼ ନିଜକୁ ବି ଜାଳି ଦିଅ, ଯାହା କିଛି ବି କର କିନ୍ତୁ ଏଇ ସରକାର ଶାସନ ଗାଦିରୁ ହଟିବା ଦରକାର। ତେବେ ଯାଇ ତୁମକୁ ମନ୍ତ୍ରୀପଦ ମିଳିବ ଆମ ଦଳ ଦ୍ୱାରା ଗଠିତ ହେବାକୁ ଥିବା ଆଗାମୀ ସରକାରରେ। ଠିକରେ ବୁଝି ପାରିଲ ନା ନାହିଁ? ଏଥିରେ କିଛି ସନ୍ଦେହ ଅଛି କି ତୁମ୍ଭର?"
"ଆଜ୍ଞା! ବୁଝିଗଲି ଠିକରେ। କଣ କରିବାକୁ ହେବ ମୋତେ। ଆପଣଙ୍କ ଇଛା ଅନୁସାରେ ସବୁ କାର୍ଯ୍ୟକ୍ରମ ହେବ। ଆପଣ ନିଶ୍ଚିତ ରୁହନ୍ତୁ।" ମନ୍ତ୍ରୀପଦର ଥୋପ ଗିଳି ଥିବା ବ୍ରିଜେଶ୍ କୁମାର କୃତ୍ଯ କୃତ୍ଯ ହୋଇ ପ୍ରତ୍ୟୁତ୍ତରରେ କହିଲେ ହାଇକମାଣ୍ଡଙ୍କୁ।
ଏଇ ବ୍ରିଜେଶ୍ କୁମାର ଭାରି ପାରିବାର ନେତା। ନୂଆଦିଲ୍ଲୀ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟର ଉତ୍କୃଷ୍ଟ ଉତ୍ପାଦ ସେ। ଆନ୍ଦୋଳନ, ଧର୍ମଘଟ, ଧାରଣା, ଶୋଭାଯାତ୍ରା, ବିକ୍ଷୋଭ କିପରି ସଙ୍ଗଠିତ କରାଯାଏ, ଏଥିରେ ସେ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି ନିଜର ଛାତ୍ର ଜୀବନରେ। ବିଶ୍ବ ବିଦ୍ୟାଳୟ ଛାତ୍ର ସଂସଦର ସଭାପତିତ୍ବ ସମୟରେ ଅନେକ ଛାତ୍ର ଆନ୍ଦୋଳନର ପୁରୋଧା ସାଜିଛନ୍ତି। ଦଶ ଗୋଟି ଦେଶୀୟ ଓ ସାତ ଗୋଟି ବିଦେଶୀ ଭାଷାରେ ପାରଦର୍ଶିତା ହାସଲ କରିଛନ୍ତି। ତାଙ୍କର ଓଜସ୍ବିନୀ ସାରଗର୍ଭକ ଅକାଟ୍ଯ ଅଗ୍ନିବର୍ଷୀ ଭାଷଣ ଯୁବ ଓ ଛାତ୍ର ସମାଜ ପାଇଁ ଆଗ୍ନେୟ ପ୍ରେରଣାର ଉତ୍ସ। ସମଗ୍ର ଦେଶରେ ତାଙ୍କ ନେତୃତ୍ଵର କାଟତି ରହିଛି। ଗୋଟିଏ ଇସାରାରେ ଦେଶର ବିଭିନ୍ନ ପ୍ରାନ୍ତରେ ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ଆସନ୍ତି ପାଠ ପଢ଼ା ଛାଡ଼ି କରି। ଦେଶସାରା କିଛି ଦିନ ଜଳା ପୋଡାର ତାଣ୍ଡବଲୀଳା ଲାଗି ରହେ, ସୁରକ୍ଷାକର୍ମୀ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂଘର୍ଷ ସଂଘଟିତ ହୁଏ ରାସ୍ତାଘାଟରେ। ଗଣମାଧ୍ୟମରେ ଚର୍ଚ୍ଚା ହୁଏ। ବିଭିନ୍ନ ମହଲରୁ ସରକାରଙ୍କୁ ନିନ୍ଦା କରାଯାଏ ଦମନମୂଳକ କାର୍ଯ୍ୟ ନିମନ୍ତେ। ନାଗରିକ ସଂଗଠନ ଚାପ ସୃଷ୍ଟି କରନ୍ତି ସରକାରଙ୍କ ଉପରେ। ସୂତରାଂ ସରକାର ବାଧ୍ୟ ହୋଇ ଛାତ୍ରମାନଙ୍କ ଦାବି ମାନି ନିଅନ୍ତି। ଏହିପରି ଆନ୍ଦୋଳନକୁ ପାଥେୟ କରି ନିଜ ରାଜନୈତିକ କ୍ଯାରିୟରକୁ ବେଶ୍ ସୁଦୃଢ଼ କରି ପାରିବାରେ ସକ୍ଷମ ହୋଇଛନ୍ତି ବ୍ରିଜେଶ୍ କୁମାର।
ଅଧୁନା ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ଉତ୍ତର ପ୍ରଦେଶର ଗୋଟିଏ ପଛୁଆ ଅଞ୍ଚଳର ପ୍ରତିନିଧିତ୍ବ କରୁଛନ୍ତି ସଂସଦର ନିମ୍ନ ସଦନରେ ଅର୍ଥାତ୍ ଲୋକସଭାର ସାଂସଦ ଅଛନ୍ତି ସେ। ଜାତି ଧର୍ମ ଭିତ୍ତିକ ସାଂପ୍ରଦାୟିକ ରାଜନୀତିରୁ ଉର୍ଦ୍ଧ୍ଵରେ ସେ ବିକାଶ ପାଇଁ ଆହ୍ବାନ ଦିଅନ୍ତି ସବୁବେଳେ।ସମସ୍ତଙ୍କ ପାଇଁ ରୋଟି - କପଡା - ମକାନ୍ ତାଙ୍କର ପ୍ରାଥମିକତା। ତିନି ତିନି ଥର ଲଗାତର ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ବିରୋଧୀ ଦଳର ସଦସ୍ୟ ହୋଇଥିବା ହେତୁ କେନ୍ଦ୍ରରେ ମନ୍ତ୍ରୀପଦ ମିଳି ନାହିଁ ତାଙ୍କୁ। ଏଥିପାଇଁ ତାଙ୍କ ଦଳର ସରକାର ଗଠନ ହେବା ଅନିବାର୍ଯ୍ୟ। ଦଳବଦଳ ରାଜନୀତି କଲେ ସେ ନିଜର ରାଜନୈତିକ ନୀତି ଆଦର୍ଶରୁ ବିଚ୍ଯୁତ ହେବାର ସମ୍ଭାବନା ରହିଛି। ଏଣୁ ଏହା ତାଙ୍କ ପକ୍ଷେ ଆଦୌ ସମ୍ଭବପର ନୁହେଁ।
ପୂର୍ବରୁ କୌଣସି ସୂଚନା ନଥାଇ ଅଚାନକ ରାତିଅଧିଆ ଆରମ୍ଭ ହୋଇଗଲା ଛାତ୍ର ଆନ୍ଦୋଳନ ସାରାଦେଶରେ ସରକାରଙ୍କ ଜନମାରଣ ନୀତିକୁ ବିରୋଧ କରି। ଏଥରର ଆନ୍ଦୋଳନ ପ୍ରାଥମିକ ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ନଥିଲା ଆଦୌ। "ଡାଇରେକ୍ଟ୍ ଆକ୍ସନ୍" ଥିଲା ଅଭିଯାନର ନାମ। ସୁଚିନ୍ତିତ ଓ ସୁପରିକଳ୍ପିତ ଭାବେ ସଂଗଠିତ ହୋଇଥିଲା ହିଂସାକାଣ୍ଡ। ରାତି ପାହୁ ପାହୁ ଅପରିମିତ ସରକାରୀ ବେସରକାରୀ ଜାତୀୟ ସଂପତ୍ତି ଜଳି ପୋଡି ପାଉଁଶ ହୋଇଯାଇଥିଲା। ଟିଭି ଚ୍ୟାନେଲରେ ତୁହାକୁତୁହା ଏ ସମ୍ପର୍କିତ ଖବର ପ୍ରସାରିତ ହେଉଥିଲା। ବୁଦ୍ଧିଜୀବୀ ମହଲରେ ଗୁଇନ୍ଦା ବିଭାଗର ବିଫଳତାକୁ ନେଇ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲାବଳେ ସରକାର ଥିଲେ ନିର୍ବିକାର, ନିଦାବିଷ୍ଣୁ!
ବିଦେଶୀ ଶକ୍ତି କତିପୟ ରାଷ୍ଟ୍ରଦ୍ରୋହୀଙ୍କ ସହାୟତାରେ ଦେଶରେ ସାଂପ୍ରଦାୟିକ ସଦଭାବନା କ୍ଷୁର୍ଣ୍ଣ କରିବା ପାଇଁ ଚକ୍ରାନ୍ତ ଜାରି ରଖିଛନ୍ତି ବୋଲି ଚିରାଚରିତ ବିବୃତ୍ତି ଜାରି କରାଗଲା ସରକାରଙ୍କ ତରଫରୁ। ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ଲୋକଦେଖାଣିଆ ଭାବେ ଉଚ୍ଚ ସ୍ତରୀୟ ତଦନ୍ତ କମିଶନ ଗଠନ କରାଗଲା। କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ପର୍ଯ୍ଯାପ୍ତ ପରିମାଣର କ୍ଷତିପୂରଣ ପ୍ରଦାନ କରାଗଲା ଯୁଦ୍ଧକାଳୀନ ଭିତ୍ତିରେ। ସରକାର ନୀତିଗତ ନିଷ୍ପତ୍ତିରେ ଥିବା ଦୋଷତୃଟିକୁ ସୁଧାରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସଂସଦୀୟ କମିଟିକୁ ନିଦ୍ଦେର୍ଶ ଦେଲେ। କମିଟିର ତତ୍କାଳ ପରାମର୍ଶରେ ସରକାର ନିଜର ନୀତିରେ କିଞ୍ଚିତ ପରିବର୍ତ୍ତନ ଆଣିବାକୁ ବିଜ୍ଞପ୍ତି ପ୍ରକାଶ କଲେ। ଏଥିରେ ସଭିଏଁ ଖୁସ୍!
ଏକବାରକେ ଥମିଗଲା ଛାତ୍ର ଆନ୍ଦୋଳନ। କିଏ ଏବଂ କାହିଁକି ଏହି ଆନ୍ଦୋଳନକୁ ଉସୁକାଇଥିଲେ ସେସବୁ ବାବଦରେ କିଛି ବି କେଉଁଠି ଚର୍ଚ୍ଚା ହେଉନଥିଲା। ତଦନ୍ତ କମିଶନ ଦେଶ ସାରା ଗସ୍ତ କରୁଥିଲେ ଟିକିନିକି ତଥ୍ଯ ସଂଗ୍ରହ କରିବାକୁ। ସରକାର ପୂର୍ବପରି ସୁଶାସନରେ ବ୍ଯସ୍ତ ରହିଲେ। ଆନ୍ଦୋଳନର ନେତାମାନେ ନିଜ ସ୍ବାର୍ଥ ହାସଲ କରିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ଶାସନଗାଦି ଦଖଲର ମହତ ଉଦ୍ଦେଶ୍ୟ ସାଧିତ ହୋଇ ପାରିନଥିବାରୁ ଏକରକମ ଭାଙ୍ଗି ପଡ଼ିଥିଲେ ବିରୋଧୀ।
ପାଉଁଶ ତଳର ନିଆଁ ପରି କିଛି ଦିନ ପରେ ଦାନା ବାନ୍ଧିଲା ପୁନର୍ବାର ଛାତ୍ର ଆନ୍ଦୋଳନ। ସରକାର ପୂର୍ବବତ୍ ଥିଲେ ନିର୍ବିକାର। ଗିରଫଦାରୀ, ଲୁହବୁହା ଗ୍ୟାସ ମାଡ଼ କରି ସ୍ଥାନେ ସ୍ଥାନେ ଆନ୍ଦୋଳନକୁ ଚପାଇଦେବାକୁ ଉଦ୍ୟମ କରୁଥିଲେ ପ୍ରାଦେଶିକ ସରକାରମାନେ। କେନ୍ଦ୍ରରେ ଜନସ୍ବାର୍ଥ ବିରୋଧୀ ସରକାରର ପତନ ଏକାନ୍ତ ଅପରିହାର୍ଯ୍ୟ, ଏହି ବାର୍ତ୍ତା ଦିଆଯାଇଥିଲା ଛାତ୍ର ସମାଜକୁ ବ୍ରିଜେଶ୍ କୁମାରଙ୍କ ଦ୍ବାରା। ଦେଶରେ ପରିବର୍ତ୍ତନ ଆଣିବାକୁ ହେଲେ ରାଷ୍ଟ୍ରୀୟ ସଂପତ୍ତିକୁ କ୍ଷତି ପହଞ୍ଚାଇବା ପରିବର୍ତ୍ତେ ଆତ୍ମ ବଳିଦାନ ନିମନ୍ତେ ପ୍ରସ୍ତୁତ ରହିବାକୁ ଆଗ୍ନେୟ ପ୍ରେରଣା ଯୋଗାଇ ଦେବାକୁ ହାଇକମାଣ୍ଡଙ୍କ କଠୋର ନିର୍ଦ୍ଦେଶ ମିଳିଥିଲା ତାଙ୍କୁ। ଏଥିରେ ତିଳେ ବି ତୃଟି ବିଚ୍ୟୁତି ଆଦୌ ଗ୍ରହଣୀୟ ନୁହେଁ। ପୂର୍ବର ତୃଟିକୁ ଆଉ ଦୋହରାଇବାକୁ ଚାହୁଁନଥିଲେ ବ୍ରିଜେଶ୍ କୁମାର। ହାତକୁ ଆସିବାକୁ ଥିବା ମନ୍ତ୍ରୀ ପଦକୁ ଶୀଘ୍ରାତିଶୀଘ୍ର ହାତେଇବାକୁ ତତ୍ପର ହୋଇ ଉଠିଲେ।
କ୍ଷମତାର ଏହି ଯଜ୍ଞରେ କାହାରିକୁ ତ ବଳି ବୋଦା ବନାଇବାକୁ ହେବ ହିଁ ହେବ। ନଜରକୁ ଆସିଲା ତାଙ୍କର ଅତି ବିଶ୍ବସ୍ତ ନୂଆଦିଲ୍ଲୀ କେନ୍ଦ୍ରୀୟ ବିଶ୍ବ ବିଦ୍ୟାଳୟର ଛାତ୍ର ନେତା ଆକାଶ ବର୍ମା। ବଡ଼ ଆଗତୁରା ପିଲାଟେ ଆକାଶ, ଧର କହିଲେ ବାନ୍ଧି ପକାଇବ ସେ! ଏବେ ଏବେ ନୂଆ କରି ବିଶ୍ବ ବିଦ୍ୟାଳୟ ଛାତ୍ର ସଂସଦର ସମ୍ପାଦକ ବନିଛି ବ୍ରିଜେଶ୍ କୁମାରଙ୍କ ଆଶୀର୍ବାଦରୁ। ଖବର ପାଇ ଆକାଶ ହାଜର ହୋଇଗଲା ରାଜନୈତିକ ଗୁରୁଙ୍କ ଗୁପ୍ତ ଆଡ୍ଡାରେ। ଚରଣ ସ୍ପର୍ଶ କରିବା ଉପରାନ୍ତେ ପଚାରିଲା, "ଭୈୟାଜୀ! କାହିଁକି ଏମିତି ଅଚାନକ ଡ଼କାଇ ପଠାଇଲେ? ସବୁ କିଛି କୁଶଳ ତ?"
: ଆରେ ଏମିତି କିଛି ନାହିଁ। ମୁଁ ଠିକ୍ ଠାକ୍ ଅଛି। ଆଛା ଆକାଶ! କୁହ ତ ତୁମେ ମୋ ପାଇଁ କଣ କରି ପାରିବ?
: ଭୈୟାଜୀ! ମୁଁ ଆପଣଙ୍କ ପାଇଁ ସବୁ କିଛି କରି ପାରିବି। ଦରକାର ହେଲେ ମୋ ଜୀବନ ବି ଦେଇ ପାରିବି।
: ଜୀବନ ଦେବା ଦରକାର ନାହିଁ। କେବଳ ଟିକେ ଅଭିନୟ କରିବାକୁ ହେବ। ପାରିବୁ ତ...
: କି କଥା କହୁଛନ୍ତି ଆପଣ? ନିଶ୍ଚୟ ପାରିବି
: ଆଛା। ତାହେଲେ ଧ୍ୟାନରେ ଶୁଣ। ଏତେ ଦିନ ଧରି ଛାତ୍ର ଆନ୍ଦୋଳନ ଜାରି ରହିଛି କିନ୍ତୁ ସରକାର ଆମର ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ଏଣୁ ଭିନ୍ନ ରାସ୍ତା ଆପଣେଇବାକୁ ହେବ ଆମକୁ।
: କଣ ସେ ଭିନ୍ନ ରାସ୍ତା କୁହନ୍ତୁ ଭୈୟାଜୀ? ଆପଣଙ୍କ ମାର୍ଗ ଦର୍ଶନରେ ଗୋଟିଏ ଇସାରାରେ ଆମେ ସଭିଏଁ ରାଷ୍ଟ୍ରର ହିତ ପାଇଁ ହସି ହସି ଗୁଳି ଖାଇବାକୁ ପ୍ରସ୍ତୁତ ଅଛୁ।
: ଆଛା, ତାହେଲେ କାଲି ସକାଳେ ପାର୍ଲିଆମେଣ୍ଟ ଭବନ ସମ୍ମୁଖରେ ଆତ୍ମାହୁତିର ନାଟକ କରିବାକୁ ହେବ ତୋତେ। ପାରିବୁ ତ?
: ନିଶ୍ଚିତ ଭାବେ ଭୈୟାଜୀ।
: ପ୍ରସ୍ତୁତ ହୋଇ ଯାଅ କାଲିର ନିର୍ଣ୍ଣାୟକ ଲଢେଇ ନିମନ୍ତେ...
: ଯଥା ଆଜ୍ଞା ଭୈୟାଜୀ। ପ୍ରଣାମ୍ ...
: ଯଶସ୍ବୀ ଭବଃ...
ପରଦିନ ସକାଳୁ ସକାଳୁ ଛାତ୍ରମାନେ ନିର୍ଦ୍ଦାରିତ ସମୟରେ ପାର୍ଲିଆମେଣ୍ଟ ଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିବା ପାଇଁ ରୁଣ୍ଡ ହେଲେ। ଅଗ୍ନିବର୍ଷୀ ଭାଷଣ ଦେଉଥାନ୍ତି ବ୍ରିଜେଶ୍ କୁମାର। ଶାନ୍ତିପୂର୍ଣ୍ଣ ଭାବେ ଚାଲୁଥିବା ଧାରଣାରେ ହଠାତ୍ ଜଣେ କେହି ଆତ୍ମ ଦାହ କରିବା ପାଇଁ ପେଟ୍ରୋଲ ନିଜ ଉପରେ ଢାଳି ନିଆଁ ଲଗାଇ ଦେଲା। ହୁତୁ ହୋଇ ଜଳିଗଲା ଛାତ୍ରଟି। ନିଆଁ ଲିଭାଇବା ପାଇଁ ଚେଷ୍ଟା କଲେ ସଭିଏଁ। ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଗଲା। ଶରୀରର ପ୍ରାୟ ନବେ ଭାଗ ପୋଡି ଯାଇଥିଲା। ଡାକ୍ତରମାନେ ନାସ୍ତିବାଣୀ ଶୁଣାଇ ଦେଇଥିଲେ। କିଛି ସମୟ ପରେ ଅକଲ ବିୟୋଗ ଘଟିଥିଲା ଏକ ଉଦୀୟମାନ ଯୁବ ନେତାର। ମାତାପିତାଙ୍କର ଏକମାତ୍ର ପୁତ୍ର ଥିବା ଆକାଶ ବର୍ମାର ଆତ୍ମାହୁତିକୁ ନେଇ ହୁଲସ୍ତୁଲ ହେଲା ରାଜନୈତିକ ମାହୋଲ। ଗୋଟିଏ ପଟେ ଚିତାର ଯୁଇ ଥଣ୍ଡା ହୋଇନଥିବା ବେଳେ ଅନ୍ୟ ପଟେ ଏଥିରୁ ରାଜନୈତିକ ଫାଇଦା ନେବାକୁ ପାଇଁ ସଭିଏଁ ତତ୍ପର ହୋଇ ଉଠିଲେ ପୂର୍ବ ଯୋଜନା ମୁତାବକ।
ଏହି ଆତ୍ମଦାହ ପ୍ରକରଣକୁ ନେଇ ସମଗ୍ର ଦେଶରେ ହାହାକାର ଖେଳି ଗଲା। ଗଣମାଧ୍ୟମରେ ଚର୍ଚ୍ଚା ଥମିବାର ନାଁ ଧରୁନଥିଲା। ଜନସାଧାରଣ, ବୁଦ୍ଧିଜୀବୀ, ବିରୋଧୀ ସଭିଏଁ ଛି'ଛାକର କରୁଥିଲେ ସରକାରଙ୍କୁ। ବେଳକୁ ବେଳ ତୀବ୍ର ହୋଇ ଉଠୁଥିଲା ଏହି ଛାତ୍ର ଆନ୍ଦୋଳନ। ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଗଲା। ଏହାକୁ ଆଭ୍ୟନ୍ତରୀଣ ମାମଲା କହି ସରକାର ଖସି ଯିବାକୁ ମସୁଧା କରୁଥିବା ବେଳେ କିଛି ସୁବିଧାବାଦୀ ସହଯୋଗୀ ଦଳ ନିଜର ଭାବମୂର୍ତ୍ତିକୁ ସୁଧାରିବା ପାଇଁ ସରକାରଙ୍କ ହାତ ଛାଡ଼ି ଦେଲେ। ସୂତରାଂ ଅଳ୍ପସଂଖ୍ୟକ ସାଂସଦଙ୍କ ସମର୍ଥନରେ ତିଷ୍ଠି ରହିବା ଅସମ୍ଭବ ହେବାରୁ ସରକାର ଭାଙ୍ଗିଗଲା ଆପଣା ଛାଏଁ। ନିଜର ଅଭିଷ୍ଟ ପୁରଣ ନିମନ୍ତେ ବିରୋଧୀ ଦଳର ନେତା ଲାଗିପଡିଲେ। କୌଣସି ଦଳ ପକ୍ଷରୁ ଏକାକୀ ସରକାର ଗଠନ କରିବା ସମ୍ଭବପର ନଥିଲା। ପୂନର୍ବାର ନିର୍ବାଚନ ଅନୁଷ୍ଠିତ ହେବାକୁ ବହୁତ ସମୟ ବାକି ରହିଥିଲା ତେଣୁ କେହି ବି ସାନି ନିର୍ବାଚନ ପାଇଁ ଆଗ୍ରହୀ ନଥିଲେ।
କିଛି ଦିନର ଘୋଡ଼ା ଦୌଡ଼ର ସମାପନାନ୍ତେ ପ୍ରମୁଖ ବିରୋଧୀ ଦଳର ନେତୃତ୍ବରେ ନୂତନ ମେଣ୍ଟ ସରକାର ଗଠନ ହେଲା। ପୂର୍ବ ସରକାରର ପତନ ଘଟାଇବାରେ ସମର୍ଥ ହୋଇଥିବା ହାଇକମାଣ୍ଡଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ପଦ ସର୍ବ ସମ୍ମତି କ୍ରମେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ଭବ୍ୟ ଉତ୍ସବରେ ବ୍ରିଜେଶ୍ କୁମାର ଗଳାବନ୍ଦ କୋର୍ଟ୍ ପିନ୍ଧି କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥପାଠ କରୁଥିଲେ ସହାସ୍ଯ ବଦନରେ। ବିଚରା ଆତ୍ମାହୁତିରେ ଆପଣାର ଜାଗତିକ ସତ୍ତାକୁ ଉତ୍ସର୍ଗ କରିଥିବା ଅତୃପ୍ତ ଅଥଚ ଜାତିସ୍ମର ଆତ୍ମାଟି ନିଜ ପୂର୍ବ ଜନ୍ମର ନିର୍ବୋଧତାକୁ ନିନ୍ଦି ନିନ୍ଦି ଘୁରି ବୁଲୁଥିଲା ଚଉରାଶୀ ଲକ୍ଷ ଜନ୍ମର ପାପ ଭାର ଲାଘବ କରିବା ନିମନ୍ତେ!!