ଆସନ୍ତାକାଲି
ଆସନ୍ତାକାଲି
ଆସନ୍ତାକାଲି ଯଦି ଭଲ କରିବାକୁ ଚାହଁ, ତେବେ ଆଜିକୁ ହିଁ ଭଲ କରିବାକୁ ହେବ ।
ରାହୁଲ୍ ଅନେକଥର ବାପାଙ୍କ ଠାରୁ ଏଇ ସମାନ ଉପଦେଶ ଶୁଣି ଶୁଣି ଥକି ଯାଇଛି । ଅଥଚ କେବେ ଏହାକୁ ତିଳେ ମାତ୍ର ଗୁରୁତ୍ୱ ଦେଇନି । ଆସନ୍ତାକାଲିର ସୁଖ ପାଇଁ ସ୍ବପ୍ନ ବିଭୋର ହୋଇ ମୂଲ୍ୟବାନ ଅନେକ ଆଜିକୁ ଅଳସୁଆରେ କାଟି ଦେଇଛି ସିନା କେବେ ବି ଭବିଷ୍ୟତ ପାଇଁ ଯୋଜନା କରିନି । ଫଳତଃ ରାହୁଲ୍ ର ଆସନ୍ତାକାଲିର ସବୁ ସୁଖ ସ୍ବପ୍ନ ପାଣି ଫୋଟକା ପରି ମିଳେଇଯାଇ ତା ଜୀବନର ଆସନ୍ତାକାଲି ଅମା ଅନ୍ଧାର ଭିତରେ ଲଟକି ପଡି ରହିଛି ।
ରାହୁଲ ଥିଲା ଘରେ ଏକୋଇରବଳା ବିଶୀକେତନ । ଖୁବ୍ ଗେହ୍ଲା ଆଦରରେ ବଢିଛି । ସବୁ ସୁଖ ସୁଖ ସୁବିଧା ଅନାୟାସରେ ପିଲାଟି ଦିନରୁ ପାଇଛି । ଅତ୍ଯଧିକ ଗେହ୍ଲା ଯୋଗୁଁ ରାହୁଲ୍ ପିଲାଟିଦିନରୁ ବିଗିଡି ଗଲା । ପାଠ ପଢାରେ କମ୍ ଧ୍ଯାନ ଦେଇ ବେଶି ସମୟ ଖେଳକୁଦ ଓ ମନୋରଂଜନରେ ସାରି ଦେଉଥିଲା । ଯେତେବେଳେ ପ୍ରାଇମେରୀ ସ୍କୁଲରେ ପଢୁଥିଲା , ପାଠପଢାରେ ଅବହେଳା ସତ୍ତ୍ଵେ ଯେନତେନ ପ୍ରକାରେଣ ଉପରଶ୍ରେଣୀକୁ ଉନ୍ନୀତ ହୋଇ ଯାଉଥିଲା ସତ, କିନ୍ତୁ ଦଶମ ବୋର୍ଡ ପରୀକ୍ଷାବେଳକୁ ନିଜର ଏଇ ସ୍ବଭାବ ପାଇଁ ଫେଲ୍ ହୋଇଗଲା । ଥରେ ନୁହଁ ଅନେକଥର ମ୍ଯାଟ୍ରିକ୍ଯୁଲେସନ୍ ରେ ଫେଲ୍ ହେଲା । ତା' ଦେଇ କଲେଜ୍ ପଢିବା ଆଉ ହେଲାନି । ତା' ସାଙ୍ଗ ମାନେ ଯେତେବେଳେ ଭଲ ପାଠ ପଢି ଉଚ୍ଚଶିକ୍ଷା ଲାଭକଲେ ଓ ଭଲ ପଦପଦବୀରେ ନିଯୁକ୍ତି ବି ପାଇଲେ, ରାହୁଲ କିନ୍ତୁ ସେତେବେଳେ ବେକାର ହୋଇ ଘରେ ପଡି ବାପାଙ୍କ ପଇସା ଉଡାଉଥିଲା ।
ବାପା ବିରକ୍ତ ପ୍ରକାଶ କରି କହୁଥିଲେ- ଭବିଷ୍ୟତ ପାଇଁ ଚିନ୍ତା କର। କିଛି କାମ ଧନ୍ଦା କର । ମୁଁ ଥିଲା ଯାଏଁ ହୁଏତ ତୋର କିଛି ଅସୁବିଧା ହେବନି, ମୋ ଅନ୍ତେ ତୁ ତୋ ଜୀବନକୁ କେମିତି କାଟିବୁ ଏବେ ଠୁ ଯୋଜନା କର । ନ ହେଲେ ତୋ ଜୀବନର ଆସନ୍ତାକାଲି ଖୁବ୍ ଦୁର୍ବିସହ ହୋଇ ପଡିବ । କାରଣ ଏ ବାପା ସବୁବେଳେ ତୋ ପାଖରେ ନ ଥିବ ।
ରାହୁଲ୍ ଏସବୁ ମୁଣ୍ଡରେ କିଛି ବି ପୁରାଉ ନ ଥାଏ । ବରଂ ତା'ର ଦାୟିତ୍ବହୀନତା ବେଳୁବେଳୁ ବଢୁଥିଲା ସିନା ସୁଧୁରି ପାରୁ ନ ଥିଲା ।
ସମୟ ସବୁବେଳେ ସମାନ ନ ଥାଏ । ଦିନ ପରେ ରାତି, ସୁଖ ପରେ ଦୁଃଖ ଆସେ ସମସ୍ତଙ୍କ ଜୀବନରେ । ରାହୁଲ୍ ର ଜୀବନରେ ବି ସେମିତି ଏକ ସମୟ ଆସି ଠିଆ ହେଲା । ହୃଦ୍ ଘାତରେ ହଠାତ୍ ଦିନେ ବାପା ଅସମୟରେ ଚାଲିଗଲେ । ବାପା ଆର ପାରିକୁ ଚାଲିଯିବା ପରେ ରାହୁଲ୍ ର ମୁଣ୍ଡରେ ବଜ୍ର ପଡିବାକୁ ଲାଗିଲା । ନିଜକୁ ଖୁବ୍ ଅସହାୟ ଓ ଅଯୋଗ୍ୟ ଅନୁଭବ କରିବାକୁ ଲାଗିଲା । ରୋଜଗାରଶୂନ୍ଯ କାରଣରୁ ଖୁବ୍ ଭାଙ୍ଗି ପଡିଲା ସେ । ତା' ଆଗରେ ଆସନ୍ତାକାଲି ଖୁବ୍ ଅନ୍ଧକାର ଓ ବିକଟାଳ ହୋଇ ଦେଖାଗଲା ।
ସମୟ ମଣିଷକୁ ଅନେକ କିଛି ଶିଖାଇ ଦେଇଯାଏ । ଏମିତି ପ୍ରତିକୂଳ ପରିସ୍ଥିତିରେ ବାପା କହି ଯାଇଥିବା ଉପଦେଶ ତାଙ୍କୁ ଗୋଟି ଗୋଟି କରି ମନେ ପଡି ଯାଉଥିଲା । ତାଙ୍କର ହୃଦବୋଧ ହେଲା ଆସନ୍ତାକାଲି ପାଇଁ ତାଙ୍କୁ ଆଜିକୁ ହିଁ ସୁଧାରିବାକୁ ପଡିବ । ଧୀରେ ଧୀରେ ରାହୁଲର ମାନସିକତା ଓ ଚାଲିଚଳନରେ ପରିବର୍ତ୍ତନ ଘଟିଲା । ଅଳସୁଆରୁ ଜଣେ କର୍ମଠ ଯୁବକ ହୋଇ ଅଧାରୁ ଛାଡି ଚାଲି ଯାଇଥିବା ବାପାଙ୍କ ବ୍ଯବସାୟକୁ ଅଳପ ଦିନରେ ଆଉ କେଇ ପାଦ ଆଗକୁ ବଢାଇନେବାକୁ ସମର୍ଥ ହେଲା । ସହରରେ ଜଣେ ଲବ୍ଧ ପ୍ରତିଷ୍ଠିତ ବ୍ଯବସାୟୀ ଭାବେ ସେ ଜଣାଶୁଣା ହେଲା ।
ଏଣିକି ରାହୁଲ୍ ପାଇଁ ଆସନ୍ତାକାଲି ଟି ଉଜ୍ଜ୍ୱଳ ହୋଇ ପ୍ରତୀୟମାନ ହେଲା ।
