Padmalaya Padhy

Inspirational

3  

Padmalaya Padhy

Inspirational

ଆଶ୍ରା

ଆଶ୍ରା

6 mins
207



ଶ୍ୟାମଳୀ ବୋହୂକୁ କେତେ ଥର କହିବେ ଛୋଟିଆ ଛୋଟିଆ କଥାରେ ଗାଡି ବାହାର କରି ହସ୍ପିଟାଲ ନେବା ପାଇଁ l ଯିବା ଆଗରୁ ବୋହୂ ଆଗ ଭାଷଣ ଝାଡ଼ିବ ଯେ ବିଦେଶ ରେ କେମିତି ବୁଢା ବୁଢ଼ୀ ମାନେ ନିଜେ ଗାଡି ଚଲାଉଛନ୍ତି ସୁତରାଂ ଶ୍ୟାମଳୀ ମଧ୍ୟ ଗାଡି ଚଲାଇବା ଶିଖନ୍ତୁ l ହେଲେ ଅତ୍ୟଧୁନିକା ବୋହୂକୁ କିଏ ବୁଝାଇବ ଯେ ବିଦେଶ ଜନ୍ମିତ ଓ ଆମ ଦେଶର ଅଖ୍ୟାତ ପଲ୍ଲୀରେ ଜନ୍ମ ହୋଇଥିବା ଶ୍ୟାମଳୀ ମାନଙ୍କ ମଧ୍ୟରେ ଆକାଶ ପାତାଳର ଫରକ l


 ବୋହୂ ଗାଡି ଚଲାଏ -ଲକଜୁରୀ l ଶ୍ୟାମଳୀ ଗାଡି ଶିଖିବେ - ମଜବୁରି l ବୋହୂ ସବୁ ସପ୍ତାହ ରେ ବିୟୁଟି କ୍ଲିନିକ କୁ ଯିବାଟା ଲକଜୁରୀ ହେଲେ ତାଙ୍କୁ ନୂଆ ନୂଆ ରୋଗ ହେଲେ ସବୁ ସପ୍ତାହରେ ହସ୍ପିଟାଲ ଯିବାଟା ମଜବୁରି ନୁଁହେତ ଆଉ କଣ l ରଙ୍ଗ ବେରଙ୍ଗ ଜିନିଷ ମୁହଁରେ ଲଗାଇ ହରରଙ୍ଗି ଚଢେଇ ସାଜି ବାହାରକୁ ବାହାରିବା ବୋହୂର ଲକଜୁରୀ ହୋଇପାରେ ହେଲେ ଅଠର ବର୍ଷ ର ଶ୍ୟାମଳ ବର୍ଣ୍ଣା ଶ୍ୟାମଳୀ ବର ଘର ଲୋକଙ୍କ ଆଗରେ ପଡିଶା ଘରୁ ମାଗି ଆଣିଥିବା ଭଙ୍ଗା ଲିପସ୍ଟିକ ଖଣ୍ଡିଏ ଲଗାଇ ତିନି ତିନି ଘଣ୍ଟା ବସି ରହି ବର ଘର ଦ୍ୱାରା ଚୟନ ହେବାକୁ ଅପେକ୍ଷା କରିବାଟା ମଜବୁରି ନଥିଲା କି ?


ଏମିତି ମଜବୁରି ମାନଙ୍କ ବଳୟ ଭିତରେ ସାରା ଜୀବନ ବନ୍ଧା ପଡିଗଲା l ନା ରହିଲା କିଛି ଇଛା ନା ରହିଲା ଅନୁଭୁତି ଯାହାକୁ ମନେ ପକାଇ ସେ ଆଜି ସତୁରି ବର୍ଷ ବୟସ ରେ ଉଲ୍ଲସିତ ହୋଇଥାନ୍ତେ l ସେ ସୀତାଂଶୁ ଙ୍କ ସହ ମିଶି ନୀଡଟିଏ ଗଢିଲେ ଏବଂ ପରେ ପରେ ପୁପୁ ର ଜନ୍ମ l ଏକୋଇର ବଳା ବିସିକେଶନ ଗୋଟିଏ ବୋଲି ପୁଅ ତାଙ୍କର l ବାପା ମାଙ୍କର ଘର ପୁଅ ଝିଅ ଜନ୍ମ ହେଲା ପରେ ତାହା ପିଲାଙ୍କର ହୋଇଯାଏ ହେଲେ ପୁଅର ତିଆରି ଘରକୁ ବାପା ମା ଭରସି କରି ମୋ ଘର ବୋଲି କହି ପାରନ୍ତି ନାହିଁ l ଦୁନିଆ ଟା ଅତି ବିଚିତ୍ର l


ପୁଅର ଗୋଟିଏ ବୋଲି ଝିଅ l ପନ୍ଦର ପୁରି ଷୋହଳ ଚାଲୁଛି ତାକୁ l ତା ସହିତ ଦିନ ଦିନ ଧରି ଶ୍ୟାମଳୀଙ୍କର ଦେଖା ବି ହୋଇ ପାରେନାହିଁ  l ନା ସେ ବେଶି କଥା କହେ ନା ବେଶି ହସି ଥାଏ l ସବୁ କିଛି ମପା ଚୁପା l ଟିକେ ଟିକେ କଥାରେ ମୁଡ଼ ଖରାପ l


ଶ୍ୟାମଳୀ ତ ଏ ବୟସରେ ତାଙ୍କର ପାଞ୍ଚ ଭଉଣୀ ଓ ତିନି ଭାଇର ପରିବାର ଭିତରେ କେତେବେଳେ ଦିନ ଯାଇ ରାତି ଆସୁଥିଲା ଜାଣି ପାରୁ ନଥିଲେ l ମାପି ଚୁପି କଥା କହିବା, ମୁଡ଼ ଖରାପ ବୋଲି ସମସ୍ତଙ୍କ ଠାରୁ ଦୁରେଇ ରହିବା କେବଳ ଆଜିକାଲି ର ପିଲାଙ୍କ ପାଖରେ ଦେଖିବାକୁ ମିଳୁଛି l ନହେଲେ ତାଙ୍କ ସମୟରେ ତ ଆଠଟି ପିଲାର ମା ହୋଇ ମଧ୍ୟ ବୋଉ ପିଲାଙ୍କର ମୁହଁ ଦେଖି ବୁଝି ଯାଉଥିଲା କାହାର କଣ ଅସୁବିଧା ହେଇଛି l ମାତ୍ର ଏବେ ନାତୁଣୀର ମନ ବୁଝିବାକୁ କେହି ହେଲେ ଜଣେ ନାହିଁ l 


ଏକମାତ୍ର ନାତୁଣୀ ର ରୁମକୁ ଯିବାକୁ ତାଙ୍କୁ ମନା, ତା ଖାଇବା ବିଷୟରେ କହିବା ମନା, ବେଶି ଗୁଡ଼ାଏ ବକ ବକ ତା ସହିତ ହେବାକୁ ବି ମନା l ଖାଲି ମନା ମନା ରେ ଦିନ କଟୁଛି l ଥରେ ନାତୁଣୀକୁ ଘିଅ ଗୋଳାଇ ଭାତ ଦି ଗୁଣ୍ଡା ଦେବିକି ବୋଲି ପଚାରିଥିଲେ ଯେ ବୋହୂର ଶାଣିତ ବାକ୍ୟ ଏବେ ବି କାଟୁଛି l ବୋହୂ କହିଲା ମା ତାକୁ ଆପଣଙ୍କ ଭଳିଆ କରିବେ ନା କଣ l ପ୍ରତି କଥାରେ ବୋହୂ ତାଙ୍କର ଉଦାହରଣ ଦେଇଥାଏ l ଭୁଲରେ ହେଲେ ବି ନାତୁଣୀ ଶ୍ୟାମଳୀଙ୍କ ପରି କେବେ ବି ହେବ ନାହିଁ l ହେଲେ ରକ୍ଷା ନାହିଁ l


ସେ ବା ଶ୍ୟାମଳୀଙ୍କ ପରି କାହିଁକି ହେବ l ତା ବାପା ର ଗଦା ଗଦା ପଇସା l ଏକମାତ୍ର ଅଲିଅଳି କନ୍ୟା ଅଟେ ସେ l ଶ୍ୟାମଳୀ ତା ସରି ହେବେକି କେବେ ହେଲେ ? ସେ ତ ପିଲାଦିନରୁ ସ୍ବପ୍ନ ବୁଣି ନାହାନ୍ତି ବରଂ ସ୍ବପ୍ନ ଗୁଡିକୁ ମଜବୁରି ଓ ଅସହାୟତା ତଳେ ଜଳାଞ୍ଜଳି ଦେଇ ଆସିଛନ୍ତି ଆଜି ପର୍ଯ୍ୟନ୍ତ l


ଆଜିକୁ ସପ୍ତାହେ ହେଲାଣି ଦେଖୁଛନ୍ତି ନାତୁଣୀ ଟି ମନ ମାରି ବସି ରହୁଛି l କଣ ହୋଇଛି କେଜାଣି ? ଶ୍ୟାମଳୀଙ୍କ ଛାଇ ମଧ୍ୟ ପିଲାଟି ଉପରେ ପଡ଼ିବାକୁ ହେବନାହିଁ l ବୋହୂର କଥା ଅମାନ୍ୟ କରିବାକୁ ଶ୍ୟାମଳୀଙ୍କ ବା ସାଧ୍ୟ କାହିଁ ଯେ l ଯଦି ବୋହୂ ଯାଇ ପୁଅ ଆଗରେ ଫେରାଦ ହୋଇଯାଏ ତେବେ ପୁଅ ତାଙ୍କୁ ଗାଁ ରେ ନେଇ ଛାଡି ଆସିବ l ଯଦି ସେଠାରେ ଦେହ ମୁଣ୍ଡ ଖରାପ ହୁଏ କିଏ ଅଛି ତାଙ୍କୁ ହସ୍ପିଟାଲ ନେଇ ସେବା କରିବାକୁ ? ପଡି ପଡି ମରିଯିବେ ସେ l ଏତେ ପ୍ରକାର ଯଦିର ଉତ୍ତର ଶ୍ୟାମଳୀଙ୍କ ପାଖରେ ନଥିବାରୁ ପୁଅ ବୋହୂଙ୍କ କଥା ଶ୍ୟାମଳୀ ଅକ୍ଷରେ ଅକ୍ଷରେ ପାଳନ କରନ୍ତି l ତାଙ୍କ ଛାଇ ମଧ୍ୟ ନାତୁଣୀ ଉପରେ ପଡେ ନାହିଁ l


 ନାତୁଣୀର ଉଦବେଗର କାରଣ ବୁଝି ପାରୁନାହାନ୍ତି ସେ l ବୋହୂକୁ ପଚାରିବେ ନା ପୁଅକୁ କହିବେ ନା ନାତୁଣୀକୁ ସିଧା ସଳଖ ଯାଇ ପଚାରିବେ l ତା ମା ବାପା ଯେ ଯାହା ବାଟରେ l ବୋହୂ ଚାକିରୀ କରୁନାହିଁ ମାତ୍ର ଘରେ କମ ସମୟ ରହେ l ଏଠି ତ ସମସ୍ତେ କୁଣିଆ l


ସେଦିନ ପୁଅ ବୋହୂ ବହୁତ ରାତି ଯାଏଁ ନଫେରିବାରୁ ସେ ଭାବିଲେ ନାତୁଣୀ ର ମନ କଥା ଜାଣିବା ପାଇଁ ଏହା ହିଁ ଉପଯୁକ୍ତ ମୌକା l ହେଲେ ସେ କଣ କିଛି କହିବ ? ସବୁ ତ ମପା ଚୁପା ଏଠି l


--ମା ରିଚା ! କେତେ ଦିନ ହେଲା ଦେଖୁଛି ଯେ ତୋ ମନ ଭଲ ନାହିଁ l ଆଗରୁ ସେଇ ଚଳ ଚଞ୍ଚଳ ରିଚାକୁ ଆଉ ଦେଖୁନି ତ ତେଣୁ ରହି ପାରିଲିନାହିଁ ଚାଲି ଆସିଲି l

--ଆପଣ ମୋ କଥା ବୁଝି ପାରିବେ ନାହିଁ l ସେଟା ମୋର ପରସନାଲ l

--ହେଲା ଲୋ ମା ମୁଁ ଗୋଟେ ଅଶିକ୍ଷିତା l କିନ୍ତୁ ତୁ ଯାହା କହିବୁ ମୁଁ ପ୍ରତିଜ୍ଞା କରୁଛି ଆମ ଦୁଇ ଜଣକ ଭିତରେ ହିଁ ରହିବ l

--ଆପଣ ଦୟାକରି ଚାଲି ଯାଆନ୍ତୁ ଏଠୁ l

--ଚାଲି ଯିବି ଯେ l କିନ୍ତୁ ମୋତେ ବିଶ୍ୱାସ କର ମା ! ଯମା କାନରୁ ଦୁଇ କାନ ହେବନି l ବୟସ ରେ ମୁଁ ପୁଣି ତୋ ଠାରୁ ବହୁତ ବଡ l ଅଭିଜ୍ଞତାରେ ବି ଅଧିକ l ଥରେ ସୁଯୋଗ ଦେ ମୋତେ l ମୋ ସୁନା, ମୋ ଧନ !

--ଯଦି ଏ କଥା କାନରୁ ଦି କାନ ହୁଏ ତେବେ ମୋ ମଲା ମୁହଁ ଆପଣ ଦେଖିବେ ? କୁହନ୍ତୁ ରାଜି ତ ?

--ମୁଁ ତୋର ସବୁ ସର୍ତ୍ତରେ ରାଜି ଅଛି l ଏବେ କହ l


ରିଚା ଏତେ ସହଜରେ ମାନି ଯିବ ବୋଲି ଶ୍ୟାମଳୀ ଜାଣି ନଥିଲେ l ହୁଏତ ନିଜ ଲୋକ କାହାକୁ ଖୋଜୁଥିଲା କହିବା ପାଇଁ l ପାଖରେ କେହି ନଥିବାରୁ କହି ପାରୁ ନଥିଲା l ରିଚାର ବୟ ଫ୍ରେଣ୍ଡ ରକି ପୁଣି ତାକୁ ବ୍ଲାକମେଲ କରୁଛି l କାହିଁକି ନା ପିକନିକ ଯାଇଥିବା ବେଳେ ରିଚାର କେତୋଟି ଅସତର୍କ ମୁହୂର୍ତ୍ତ ର ଫୋଟୋ ରିଚାର ଅଗୋଚରରେ ରକି ଉଠାଇ ନେଇଛି l ବଦଳରେ ସେ ପୁଣି ରିଚା ସହ ରାତ୍ରିଯାପନ କରିବାକୁ ଚାହୁଁଛି l


ରକି ଜଣେ ବଡ ବଡ଼ିଆଙ୍କ ପୁଅ ପୁଣି ମାଲଦାର ପାର୍ଟି l ତାର କେହି କିଛି କରି ପାରିବେ ନାହିଁ କାରଣ ତା ବାପା ଜଣେ ପ୍ରଭାବଶାଳୀ ବ୍ୟକ୍ତି l ଏପଟେ ରିଚାର ବାପା ମା ଙ୍କ ସମ୍ମାନର ପ୍ରଶ୍ନ ସେପଟେ ରକିକୁ ସାଧ୍ୟ କରିବା ଅସମ୍ଭବ କାରଣ ସେ ବଡ ଲୋକର ପୁଅ l ରିଚାକୁ ମାତ୍ର ଗୋଟିଏ ଦିନ ସମୟ ମାଗିଥିଲେ ଶ୍ୟାମଳୀ l ତା ପରେ ଯାହା ହେଲେ କରିବେ l


ତହିଁ ପରଦିନ ରିଚା ଠୁ ରକିର ନମ୍ବର ଲଗାଇ ବହୁତ ଭଲ ମନ୍ଦ ଝାଡ଼ି ଦେଇଥିଲେ l ହେଲେ ବି ସେ ବଦମାସ ଟୋକା ମାନିଲା ନାହିଁ l ଓଲଟା ଶ୍ୟାମଳୀଙ୍କୁ ମୂର୍ଖ ବୁଢ଼ୀର ଆଖ୍ୟା ଦେଇ ଏ ସବୁଥିରୁ ଦୁରେଇ ଯିବା ପାଇଁ କହିଥିଲା l ଶ୍ୟାମଳୀ କହିଲେ


--ଆଜି ଯାହାକୁ ମୂର୍ଖ ବୁଢ଼ୀ ବୋଲି କହୁଛୁ କାଲି ସେ ମୂର୍ଖ ବୁଢ଼ୀ କଣ କରିପାରିବ ଦେଖିବୁ ରହିଥା !


--ମୋ ବିରୁଦ୍ଧରେ କି ପ୍ରମାଣ ତମ ପାଖେ ଅଛି ହୋ l ତମେ ମୋର କଣ କରି ପକାଇବ ? ଯାଅ ପୋଲିସରେ କମ୍ପ୍ଲେନ ଦିଅ l


--ପ୍ରମାଣ ନଥିଲେ କଣ ତିଆରି ହେବାକୁ କେତେ ସମୟ ଲାଗିବ କି ? ଆଜିକାଲି କଣ ପୁଣି ଦୁଇଟି ଫୋଟୋକୁ ଯୋଡି କେତେ କାରନାମା କରି ହେଉଛି ପରା l ତୁ କଣ ରିଚା ସହ ଫୋଟୋ ଛାଡ଼ିବୁ ମୁଁ ତୋ ବାପାର ଫୋଟୋ ଦୁଇ ଚାରି ଜଣ ଏମିତି କୋଠିବାଲୀଙ୍କ ସହ ମିଶାଇ ଛାଡ଼ିବି ଯେ ରାତାରାତି ତୋ ମା ଛାଡ଼ପତ୍ର ଦେଇ ଚାଲିଯିବ l ତା ପରେ ତୋ ବାପାର ପାୱାର ଥିବ ନା ତୁ ଆଉ ଡ଼େଇଁପାରିବୁ l


--କିଛି ନହେଲେ ସେଇ ସ୍ତ୍ରୀ ଲୋକ ଗୁଡିକ ତୋ ବାପା କୁ ଦି ଚାରି ଥର ଥାନାକୁ ତ ଟାଣି ପାରିବେ ନା l କାନ୍ଥ ବାଡ଼ ରେ ତୋ ବାପାକୁ ହିଁ ଦେଖିବାକୁ ପାଇବୁ ଏଥର l ସେଥିରେ ତ ତୋ ବାପା ର ସମ୍ମାନ ମାଟିରେ ମିଶିବାଟା ପକ୍କା ଓ ତୋ ବାପା କି ମା ଭିତରୁ କେହି ଜଣେ ହେଲେ ଆତ୍ମହତ୍ୟା କରିବାଟା ନିଶ୍ଚିତ l ତା ପରେ ତୋର ଆଉ ଥିବ କଣ l ଆମ ଗାଁ ପିଲାଙ୍କୁ କମ ଭାବିଲୁ କି ? ଯୋଡି ବନେଇବାରେ ଧୁରନ୍ଧର l କାହାକୁ କାହା ସହିତ ମିଶାଇବେ କିଛି ଠିକଣା ନାହିଁ l କେତେ ଫୋଟୋ ଛାଡ଼ିବୁ ଛାଡ଼ ଏଥର l କୋଉ ଦିନ ଛାଡ଼ିବୁ ମୋତେ ଟିକେ ଆଗରୁ ଜଣେଇବୁ ହେଲା ?


ଏତିକି କଥା ଶୁଣି ରକି ହଡବଡେଇ ଯାଇଥିଲା l କୌଣସି ବ୍ଲାକମେଲର ର ବୋଧେ ଏପରି ଅଭିଜ୍ଞତା ନଥିବ l ଶ୍ୟାମଳୀ ତର ତର ହୋଇ ଅନ୍ଧାରରେ ବାଡ଼ି ବୁଲାଉ ବୁଲାଉ ଠିକ ଯାଗାରେ ଲାଗିଯିବ ବୋଲି ଭାବି ନଥିଲେ l ସେ ଯାହା ହେଉ ରକିର ବିପଦ ଟଳିଲା ଓ ତାଙ୍କୁ ରିଚା ଭଳିଆ ଗୋଟେ ସାଙ୍ଗ ମିଳିଗଲା l ଦିନେ ରିଚାକୁ ଉପଦେଶ ଦେବା ଛଳରେ କହିଲେ


--ଗୋଟିଏ ଜିନିଷ ସବୁବେଳେ ମନେ ରଖିଥିବୁ ରେ ମା  ! ରକି ଭଳିଆ ପ୍ରାଣୀ ଗୁଡିକ ନିହାତି ଅସୁରକ୍ଷିତ l ଏମାନଙ୍କ ଦମ ବୋଲି କିଛି ନଥାଏ l ବାପାର ପଇସା ଓ ପ୍ରତ୍ତିପତି ବଳରେ ଏମାନେ ଶକ୍ତିଶାଳୀ ବୋଲାଉ ଥାନ୍ତି l ଥରେ ଏମାନଙ୍କ ଦୁର୍ବଳତା ଖୋଜି କି ଯଦି ପାଇଯିବୁ ତେବେ ସେଇଥିରେ ହିଁ ତାଙ୍କର ବିନାଶ କରି ପାରିବୁ l ତା ପରେ ଏମାନଙ୍କ ସବୁ ବଳ ମାଟିରେ ମିଶିଯିବ l ରକିର ଦୁର୍ବଳତା ହେଉଛି ତା ବାପାର ପାୱାର ଓ ପଇସା l ଏ ଦୁଇଟି ଜିନିଷ ଚାଲି ଯିବାର ଭୟ ତାକୁ ଦିନ ରାତି ଖାଇ ଗୋଡାଉଛି l ତେଣୁ ତାର ଦୁର୍ବଳତାରେ ହିଁ ତାକୁ ଶେଷ କରିବାକୁ ହେଲା l ଯେ ଅନ୍ୟର କ୍ଷତି କରେ ମାନସିକ ସ୍ତରରେ ସେ ନିତାନ୍ତ ଅନଗ୍ରସର ହୋଇଥାଏ l ସେ ଗୋଟିଏ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହେଉ କିମ୍ବା ଗୋଟେ ସାଧାରଣ ଚୋର ହେଇଥାଉ  l ତାର ଦୁର୍ବଳତାକୁ ଅସ୍ତ୍ର କରି ତାକୁ ଧୂଳିସାତ କରିବାକୁ ହେବ l


ରିଚା ଭାବୁଥିଲା ବୟସ୍କ ବ୍ୟକ୍ତିଙ୍କ ଅଭିଜ୍ଞତା ଓ ଅନୁଭୁତି ଦେଖିଲେ ସବୁ ପରିବାରରେ ଏମିତି ଜଣେ ଜଣେ ରହିବା ଆବଶ୍ୟକ ଯେ କି ବିପଦ ସମୟରେ ଭାସି ଯାଉଥିବା ତାର ଆଗାମୀ ପୀଢ଼ିକୁ ଆଶ୍ରା ଓ ସୁରକ୍ଷା ଦେବ l ମାତ୍ର ଦୁର୍ଭାଗ୍ୟ ଯେ ପୂର୍ବ ପୀଢ଼ିକୁ ଅଦରକାରୀ ଭାବି ଆମେ ଦୁରେଇ ଦେଉଛୁ ଯାହା ଦ୍ୱାରା ନିରାଶା ଓ ଅବହେଳାର ଶିକାର ହୋଇ ଏମାନେ ଆୟୁଷ ଥିଲେ ମଧ୍ୟ ଯଥେଷ୍ଟ ଆଗରୁ ଆମକୁ ଛାଡି ଚାଲି ଯାଉଛନ୍ତି l ସେଇ ସମୟ ଦିନେ ଆମର ମଧ୍ୟ ଆସୁଛି ଓ ଆମେ ବି ଦିନେ ସେଇକଥା ହୃଦୟଙ୍ଗମ କରୁଛୁ କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଉଛି l


Rate this content
Log in

Similar oriya story from Inspirational