Padmalaya Padhy

Inspirational

4  

Padmalaya Padhy

Inspirational

ଆଶ୍ୱସ୍ତ ଭବିଷ୍ୟତ

ଆଶ୍ୱସ୍ତ ଭବିଷ୍ୟତ

5 mins
184



--କେତେ ସମୟ ହେଲାଣି କାହା ସାଙ୍ଗରେ ଏତେ କଥା ହେଉଛି କେଜାଣି l ବାରମ୍ବାର ଫୋନ କାଟୁଛି ପୁଣି ଥରେ କଥା ଚାଲୁ l

--ବୋଉ ! ତା ମା'କୁ ପାରାଲିସିସ ବୋଲି ତୁ ତ ଜାଣିଛୁ l ପୁଣି ଥରେ ଏସବୁ କାହିଁକି ଆରମ୍ଭ କରୁଛୁ l ନିହାରର ଉତ୍ତରରେ ଶାନ୍ତ ପଡ଼ି ନଥିଲେ ମାଳତୀ l 

--ହଁ ବା ଆମର ଆଉ କଣ ବାପା ମା ଥିଲେ ନା ଆମେ ଆଉ ଘର ସଂସାର କରିଛୁ l ଦିନଯାକ ତ ମା ସାଙ୍ଗେ ଗେଲ ଆଉ ଶାଶୁ ଘର ଲୋକ ଚୁଲିକୁ ଯାଆନ୍ତୁ l ଏ ବୁଢ଼ୀ କେବେ ଯିବ ବା !!


ସୁରଭି ବେଡ଼ରୁମରୁ ବାହାରି ଆସୁ ଆସୁ ଶାଶୁ ମାଳତୀଙ୍କ କଥା ଶୁଣି ନଶୁଣିଲା ପରି ପୁଣି ବେଡ଼ରୁମରେ ପଶିଗଲା l ଶୁଣିଲେ କେମିତି ସାମ୍ନା କରିବ ଜଣା ନାହିଁ ତେଣୁ ନଶୁଣିଲା ପରି ରହିଯିବାକୁ ହେବ l ଏଇଟା ମାର ଦୁର୍ଭାଗ୍ୟ ନା ସୁରଭିର ଫଟା କପାଳ ଭଗବାନ ହିଁ କହିବେ l


ବାପ ଛେଉଣ୍ଡ ସୁରଭି ପାଇଁ ତା ମା ହିଁ ମା ବାପା ଉଭୟଙ୍କର ଦାୟିତ୍ତ୍ୱ ଆଜି ଯାଏଁ ତୁଲାଇ ଆସିଥିଲା l ସୁରଭି ବାହା ହେବାରର କେତେ ମାସ ପରେ ମାର ସ୍ମୃତି ଶକ୍ତି ଲୋପ ପାଇବାରେ

ଲାଗିଲା l ତା ପରେ ପାରାଲିସିସ l ବୋଧେ ଏକୁଟିଆ ରହିରହି ମା ଧୀରେ ଧୀରେ ଭୁଷୁଡ଼ି ପଡୁଥିଲା ଯାହା ସୁରଭିକୁ ଅଜଣା ଥିଲା l ସେତେବେଳକୁ ଝିଅ ଲୋରି ଦୁଇ ବର୍ଷ ଖଣ୍ଡେ ହେବ ଗୁରୁଣ୍ଡୁ ଥାଏ ଧୀରେ ଧୀରେ l ସୁରଭି ଘରେ ପାଦ ଦେଉ ଦେଉ ମାମା ମାମା ଡାକି ତା ଗୋଡ଼ରେ ଛନ୍ଦି ହୁଏ ଯାଇ l ଏଣେ ଚାକିରୀ ଟେନସନ ତେଣେ ମାର ଚିନ୍ତା ତା ସାଙ୍ଗକୁ ଛୁଆର ଯତ୍ନ ନେଇ ହୁଏନି l ଚାକିରୀ ଛାଡି ଦେବା ପାଇଁ କେତେ ଥର ଭାବିଥିବ ହେଲେ ମାର ଖର୍ଚ୍ଚ କେମିତି ଭରଣା ହେବ l


ମା ପାଇଁ କାମବାଲି ଯୋଗାଡ଼ କରିବାକୁ ସୁରଭି କମ ହଇରାଣ ହେଇନି l ଯୋଗକୁ ଅଫିସର ଲିନା ଗୋଟିଏ ଝିଅକୁ ଆଣି ଜୁଟାଇ ଦେଲା ବୋଲି ଗାଡି ଚାଲିଲା ନହେଲେ କଣ ହେଇଥାନ୍ତା ନା ଭାବି ହେଉନି l ଗୋଟିଏ ସହରରେରହିକି ବି ମାକୁ ଦେଖିବାକୁ ଗଲେ ନିହାରଙ୍କ କେତେ ତାଚ୍ଛଲ୍ୟ କଥା ଶୁଣିବାକୁ ପଡେ l ସୁରଭି ମା ପାଇଁ କାମବାଲୀଟିଏରଖିଲା ବେଳେ ବି ଶାଶୁଙ୍କର ତୁମୁଳ କାଣ୍ଡ l


--ତୁମେ ତ ଜାଣ ମୋ ବାପା କି ଭାଇ ଭଉଣୀ କେହି ନାହାନ୍ତି l

ମୁଁ ନକଲେ ମାର କରିବ କିଏ ?

--ବୋଉକୁ କିନ୍ତୁ ମୁଁ ସମ୍ଭାଳି ପାରୁନି l ତୁମେ ତାକୁ ବୁଝାଅ l ଏମିତିରେ ବି ବୋଉ ତ ଠିକ କଥା କହୁଛି l ବିବାହ ପରେ ସ୍ତ୍ରୀର ରୋଜଗାରରେ ତା ସ୍ୱାମୀ ଓ ଶାଶୁ ଘର ଲୋକଙ୍କର ହିଁ ଅଧିକାର ଥାଏ l


ମା ଭଲ ଥିଲା ବେଳେ ନିହାର ତ ମା ମା ବୋଲି ପାଣି ପିଉନଥିଲେ l ଗାଁରେ ବହୁ ଦିନରୁ ପଡ଼ିଥିବା ଜାଗା ଖଣ୍ଡେ ବିକ୍ରି କରି ନିହାରଙ୍କୁ ବାଇକ କିଣିବାକୁ ପଇସା ଦେଇଥିଲା ମା l ଜୋଇଁ କିଏ ପୁଅ କିଏ l ମାର ଗୋଡ଼ ତ ତଳେ ଲାଗୁ ନଥାଏ ସେତେବେଳେ l ନିହାର ବି ମା ମା କହି ଗଦଗଦ l ଯେମିତି ମା ଶେଯରେ ପଡିଗଲା ସେଦିନ ଠୁ ସବୁ ସମସ୍ୟାର ସୂତ୍ରପାତ ହେଲା l ବୋଝ ବୋହିବାକୁ ଅନିଛୁକ ସମସ୍ତେ l


ନିହାର ବିବାହ ବେଳେ ଯେଉଁ ଶାଶୁକୁ ସତର ପ୍ରକାର ରୋଷେଇ କରି ପରଷିବା ଦେଖିଥିଲେ ସେ ଏଇ ଲୋକ ନୁହେଁ l ଏବେ ସେ ଆଉ କାହା ପାଇଁ କିଛି କରି ପାରିବନି ବରଂ ସମସ୍ତଙ୍କ ଉପରେ ବୋଝ ହୋଇ ବାକି ଜୀବନ କାଟିବ ଓ ଘାଣ୍ଟିବ ସମସ୍ତଙ୍କୁ l ଯେମିତି ମାର ସମସ୍ୟା ଆରମ୍ଭ ହେଲା ସେଥି ସହିତ ତାଳ ଦେଇ ନିହାର ବି ଦୁରେଇ ଗଲେ ଓ ଫର୍ଦ୍ଦ ଫର୍ଦ୍ଦ ଅଭିଯୋଗ ମାନ ସୃଷ୍ଟି ହୋଇ ଚାଲିଲା l 


ଏମିତି କାହିଁକି ଭାଗ୍ୟ ଦେଲ ଭଗବାନ ? ବାହାଘରଟା ହେଲେ ଭାଙ୍ଗି ଯାଇଥାନ୍ତା ତ ମା ସହିତ ସବୁଦିନରହି ଯାଇଥାନ୍ତା l ଚାକିରୀ କରି ବି ମା ପାଇଁ ଟଙ୍କା ଦି ହଜାର ଖର୍ଚ୍ଚ କରି ପାରୁନାହିଁ ? ତା ସାଙ୍ଗ ଲତିକା ତ ବିବାହ ପରେ ବି ବାପା ମା ଉଭୟଙ୍କର ଦାୟିତ୍ତ୍ୱ ନେଉଛି ଓ ତା ଶାଶୁ ଘରେ କାହାର ଆପତ୍ତି ନାହିଁ l ଆହୁରି ବି ଅନେକ ଝିଅ ଅଛନ୍ତି ଯେଉଁମାନେ ଶାଶୁ ଘର ସହିତ ବାପ ଘରର ଦାୟିତ୍ତ୍ୱ ବି ନିଅନ୍ତି l ଏଭଳି ଅନେକ ଦୃଷ୍ଟାନ୍ତ ଅଛି l ହେଲେ ସୁରଭି ପାଇଁ ଯେତେ ସବୁ ବିଡମ୍ବନା l


ତାକୁ ଯାହା କହିଲେ କିଛି ଅସୁବିଧା ନଥିଲା l ଶାଶୁ ତ ଗୁରୁଜନ ଯାହା କହିଲେ କୁହନ୍ତୁ l ହେଲେ ମାକୁ ଏତେ ତିରସ୍କାର କରି କହିବା ଶୁଣିଲେ ହାଡ଼ ଭାଙ୍ଗିଗଲା ଭଳି ଲାଗେ ସୁରଭିକୁ l ମାକୁ ଦେଖିବାକୁ ଗଲା ବେଳେ କେତେ ନିୟମ କାନୁନ ମାନି ଯିବାକୁ ହୁଏ l ଏକୁଟିଆ ହିଁ ଯିବାକୁ ହୁଏ ମା ପାଖକୁ l


 ନିହାରଙ୍କ ଶକ୍ତ ନିର୍ଦ୍ଦେଶ ଲୋରିକୁ ଯେମିତି ସାଙ୍ଗରେ ନ ନିଏ l କାରଣ ମାର ଦେହ ମୁଣ୍ଡ ମଇଳା ଝିଅକୁ କାଳେରୋଗ ହେଇଯିବ l ମା ବି କାହାକୁ ଚିନ୍ହି ପାରେନି ଖାଲି ଆଖିଟି ମାନ ଖୋଲି ଜୁଳୁ ଜୁଳୁ କରି ଚାହୁଥାଏ ସୁରଭିକୁ l ପୃଥିବୀର ସବୁଠାରୁ ପାରିବାର ମାର ଏଭଳି ଅବସ୍ଥା ଦେଖିଲେ ସୁରଭିର ଲୁହ ଗୁଡାକ ତାକୁ ଶ୍ୱାସରୁଦ୍ଧ କରିଦିଅନ୍ତି l


ଭଗବାନଙ୍କ ଲୀଳା ବି କେହି ବୁଝି ପାରିବେ ନାହିଁ l ଯାହାକୁ କଷ୍ଟ ଦେଉଥିବେ ଦେଇ ଚାଲିଥିବେ ଆଉ ଯାହାକୁ ସୁଖରେ ଭସାଉ ଥିବେ ସେ ଖାଲି ସୁଖରେ ଉବୁଟୁବୁ ହେଉଥିବ l ସ୍ୱାମୀ, ଶାଶୁ, ଝିଅ, ମା ଓ ଚାକିରୀକୁ ନେଇ ନଟୁ ପରି ସୁରଭି ଘୁରି ବୁଲୁଥାଏ l


ସେଦିନ ମା ପାଖେ ଥିବା କାମବାଲିଟି ଫୋନ କଲା ସୁରଭିକୁ l ମା ସକାଳୁ ଆଖି ଖୋଲୁନାହିଁ କି କଥା କହୁନାହିଁ l ନିହାରଙ୍କୁ ଫୋନ ଲଗାଇବାରୁ ଅଧାରୁ ଫୋନ କାଟିଦେଲେ l ଶାଶୁଙ୍କୁ କହିବାରୁ ଘରର ଠିକା ଚାକରାଣୀଟି ଆସିନାହିଁ ଶୀଘ୍ର ଆସି ଝିଅକୁ ସମ୍ଭାଳିବା ପାଇଁ ତାଗିଦ l ବହୁ ବିଳମ୍ବରେ ଆମ୍ବୁଲାନ୍ସ ଡାକି ମାକୁ ନେଇ ହସ୍ପିଟାଲରେ ପହଞ୍ଚିଲା ବେଳକୁ ସନ୍ଧ୍ୟା l ୟା ଭିତରେ ନିହାର ଦଶ ଥର ଫୋନ ଲଗାଇଥିଲେ ଏବଂ ତାର ଫେରିବାକୁ ନେଇ ଶହେ ପ୍ରକାର ଏନକ୍ୱାରୀ ହେଇଥିଲା l ସେମିତି ବସିରହିଲା ମା ପାଖେ l ମା ଶୋଇଛି l ଡକ୍ଟର କହି ସାରିଲେଣି ଆଖି ଖୋଲିବାର ସମ୍ଭାବନା ଆଉ ନାହିଁ l 


--ମୋ ହାତ ଗୋଡ଼ ବନ୍ଧା କିଛି କରି ପାରୁନି ଲୋ ମା ତୋ ପାଇଁ l ମୁଁ ଛାଡି ଚାଲି ଆସିଲେ ମୋ ଝିଅଟି ଭାସି ଯିବ l ତାର କିଛି ଭୁଲ ନାହିଁ ସେ ନିର୍ଦ୍ଦୋଷ l ତାଆରି ଭବିଷ୍ୟତକୁ ଦେଖି ମୁହଁ ବନ୍ଦ କରିରହୁଛି l ନହେଲେ କେବେଠୁ ସବୁ ଛାଡ଼ିଛୁଡ଼ି ଦେଇ ପଳାଇ ଯାଇଥାନ୍ତି l ତୋତେ କେହି ଏତେ ହୀନ କଲେ ସହି ପାରୁନି ମୁଁ l ମା ତୁ ଏଥର ଚାଲିଯା l ଶାନ୍ତି ପାଉ ତୋ ଅତ୍ମା l ଶୀଘ୍ର ଚାଲିଯା ଲୋ ତୁ l


ମା ବୋଧେ ଝିଅ ଅନ୍ତରର କୋହକୁ ବୁଝିଦେଲା କି କଣ ସେଦିନରାତି ଆଠଟାରେ ହିଁ ଚାଲି ଯାଇଥିଲା l ମାର ସମ୍ପର୍କୀୟ ପୁତୁରା ଜଣେ ମୁଖାଗ୍ନି ଦେଇଥିଲେ l ମା ସିନା ତରିଗଲା ସୁରଭି ତ ଆହୁରି ଜଳି ପୋଡି ମରିବା ପାଇଁ ବାକି ଅଛି l କିନ୍ତୁ ମା ବିଷୟରେ ଆଉ ଶୁଣିବାକୁ ହେବ ନାହିଁ କିରକ୍ତାକ୍ତ ହେବାକୁ ପଡିବ ନାହିଁ l ଏଥର ସିଧା ଅଫିସରୁ ଘରକୁ l ସମସ୍ତଙ୍କ ଅଭିଯୋଗରୁ ମା ସୁରଭିକୁ ମୁକ୍ତି ଦେଇ ଚାଲିଗଲା l


ସେଦିନ ଅଫିସରୁ ଫେରୁ ଫେରୁ ଶାଶୁଙ୍କର ଫେରାଦ l

--କେତେ ଦିନ ଆଉ ମା ପାଇଁ ଶୋକ କରୁଥିବୁ ? ଯୋଉ ଘର ଛାଡି ଆସିଲୁ ସେ ଘର ଏବେ ପର l ଲକ୍ଷେ ଟଙ୍କା ହରାଇଲା ପରି ମୁହଁ କଲେ କଣ ହେବ l ମା ହୀରା ନୀଳା ଛାଡି ଯାଇଥିଲେ ଝିଅ ଗୁଣ ସୁମରି କାନ୍ଦିବାଟା ଶୋଭା ପାଏ l ଏମିତି ତୁଚ୍ଛା ମାହାଳିଆକୁ..... l


 ସୁରଭି କହିବା ଜାଣିଥିଲେ ମଧ୍ୟ ଯୁଦ୍ଧଂ ଦେହି ଘୋଷଣା କରିନାହିଁ କେବେ ବି l ଡର କାଳେ ସେମାନେ ଲୋରିକୁ ଜବରଦସ୍ତି ତା ଠୁ ଅଲଗା କରିଦେବେ କି ଆଉ l ସୁରଭି ଏମାନଙ୍କ ଆଗରେ ଦୁର୍ବଳ ଓ ପରାସ୍ତ l ସେ ଏତେ କୋର୍ଟ କଚେରୀ କରି ପାରିବ ନାହିଁ l ହଠାତ କାହାର ଡାକରେ ପ୍ରକୃତିସ୍ଥ ହେଲା l


--ମାମା… ମାମା….ନେ….ଖା…. ନେ… l ଲୋରିର ହାତରେ ଭାତ ଲାଗିଛି l

--କଣ କଲୁରେ ଲୋରି ମା l ହାତ ମଇଳା କଲୁ ନା l ମାମାର କାମ ବଢିଲା l ତୋତେ ଏବେ ସଫା କରିବି ଚାଲ l ହଠାତ ସୁରଭି ଆଖିରେ ପଡି ଯାଇଥିଲା ସାନ ଗିନାଟିଏ ଯୋଉଥିରେ ସେ ଲୋରିକୁ ଛାତ ଉପରେ ବୁଲାଇ ବୁଲାଇ ଭାତ ଖୁଆଇ ଥାଏ l ଲୋରି ତାରକୁନି ପାପୁଲିରେ ମୁଠାଏ ଭାତ ସେଇ ଗିନାରେ ରଖି ମାକୁ ଖାଇବାକୁ ଡାକୁଛି l


ସୁରଭି ଏବେ ଆଉ ଦୁର୍ବଳ କିମ୍ବା ଅସହାୟ ନଥିଲା l ମା ପାଇଁ ସିନା କିଛି କରି ପାରି ନଥିଲା ହେଲେ ଝିଅକୁ ତାଠାରୁ କେହି ଛଡାଇ ନେଇ ପାରିବେ ନାହିଁ l ସଫା କରିବାକୁ ନେବ କଣ ଅଜସ୍ର ଚୁମାରେ ଲୋରିର ମୁହଁଟିକୁ ଢ଼ାଙ୍କି ଦେଇଥିଲା ଆଉ ଲୋରି ମଧ୍ୟ ମାକୁ ଚୁମାରେ ହିଁ ଉତ୍ତର ଦେଉଥିଲା l ଆଉ ନିହାର କେତେବେଳୁ କେଜାଣି ଦୂରରୁ ମା ଝିଅଙ୍କ ଚୁମା ଦିଆ ଉପଭୋଗ କରି ଚାଲିଥିଲେ l ତାହା ବୋଧେ ପୃଥିବୀର ସବୁଠାରୁ ଶ୍ରେଷ୍ଠ ଦୃଶ୍ୟ ଥିଲା ତାଙ୍କ ପାଇଁ l


Rate this content
Log in

Similar oriya story from Inspirational