Satyabati Swain

Inspirational

4  

Satyabati Swain

Inspirational

ଆର୍ମି

ଆର୍ମି

5 mins
402



ମୁଁ ଆର୍ମି । ମୋର ପସନ୍ଦ ରଙ୍ଗ ' ଧଳା' ଯିଏ କି ଅହିଂସା ଓ ଶାନ୍ତିର ପ୍ରତୀକ। ଆଶ୍ଚର୍ଯ୍ୟ ହେଉଥିବେ ଆର୍ମି ଗୋଟେ ନାଁ ଭାବି । ମୁଁ ଯଦି କୁହେ ପ୍ରଥମେ ମୋ ନାଁ ଆର୍ମି ନ ଥିଲା । ତାହେଲେ କଣ ଥିଲା ମୋ ନାଁ ? କଣ ଟି.. ,କଣ ଟି ..? ହଁ ଅମନ୍। ମୋ ନାଁ ଅମନ୍ ଥିଲା । ତୁମେ ପୁଣି ଭାବିବ ଅମନ୍ ! ହିନ୍ଦୁ ନା ମୁସଲମାନ ? ଖ୍ରୀଷ୍ଟ ନା ଈଶାୟୀ ? ମୁଁ କହିବି ଏଥିମଧ୍ୟରୁ ମୁଁ କେହି ନୁହେଁ କେବଳ ଜଣେ ମଣିଷ ମାତ୍ର। 

ତାହେଲେ ଅମନ୍ ଆର୍ମି କେମିତି ହେଲା ! ଏ ପ୍ରଶ୍ନ ବି ତୁମକୁ ବିସ୍ମୟ ଖାଇକୁ ଠେଲି ଦେଉଥିବ। ତାହେଲେ ଶୁଣ। ମୁଁ ଶୋଭନ ଶ୍ରୀବାସ୍ତବଙ୍କ କନିଷ୍ଠ ସନ୍ତାନ। ମୋ ବାବା ସବୁ ଧର୍ମ ଉପରେ ମଣିଷ ଧର୍ମକୁ ବେଶୀ ପ୍ରାଧାନ୍ୟ ଦିଅନ୍ତି।ମୋର ଦୁଇ ଭଉଣୀ ଶ୍ରୀୟା, ଓ ମାରିଆ।ଆଉ ମୁଁ ଅମନ୍।ଆମ ଘର ହିଁ ଭାରତ ; ସର୍ବ ଧର୍ମ ସମନ୍ୱୟର ଏକ ସୁଖୀ ପରିବାର। ବାବା ଥିଲେ ୟୁନିୟନ୍ ବ୍ୟାଙ୍କର ମ୍ୟାନେଜର । ପରେ ଚିପ୍ ମ୍ୟାନେଜର ହୋଇଗଲେ । ଦେଶ ବିଦେଶ ବାବାଙ୍କ ସହ ବୁଲିବା ଦ୍ୱାରା ସବୁ ମଣିଷ ସବୁ ଦେଶ ଆମକୁ ନିଜର ଲାଗୁଥିଲେ । ଆମେ ନିଜକୁ କୌଣସି ଧର୍ମ କି ସମ୍ପ୍ରଦାୟ ମଧ୍ୟରେ ସୀମିତ ନ ରଖି ଏ ବିଶ୍ୱ ଆମ ଘର ଏବଂ ଏ ବିଶ୍ୱବାସୀ ଆମ ଘରର ଜଣେ ଜଣେ ସଦସ୍ୟ ଭାବୁଥିଲୁ।ସମସ୍ତକୁ ଆପଣେଇବା ,ଭଲ ପାଇବା ଗୁଣ ଆମେ ଆମ ବାବା ମାଆଙ୍କ ଠାରୁ ଗ୍ରହଣ କରିଥିଲୁ । ଆମ ପରିବାରର ବସୁଧୈବ କୁଟୁମ୍ବକମ୍ ଭାବର ପ୍ରଭାବ ଆମ ସ୍ୱଭାବରେ ପ୍ରତିଫଳିତ ହେଉଥିଲା । ଅନାଦର କଣ ଜାଣି ନ ଥିଲୁ। ଆଦର ଓ ସମ୍ମାନ କରିବା ଶିଖିଥିଲୁ ।

ବାବା ଚାହୁଁଥିଲେ ମୁଁ ଜଣେ ଡାକ୍ତର ହେବି । ଲୋକଙ୍କ ସେବା କରିବି। ବିଶେଷ କରି ହାର୍ଟ ସ୍ପେଶାଲିଷ୍ଟ । କାହିଁକିନା ଏବେ  ଅନେକ ଲୋକ ବିଭିନ୍ନ କାରଣରୁ ମାନସିକ ଚାପରେ ରହି ହାର୍ଟ ଆଟାକ୍ ରେ ଅବେଳରେ ମରୁଛନ୍ତି । ସେମାନଙ୍କୁ ବଞ୍ଚେଇବାକୁ ହେବ । ଏଥିପାଇଁ ସେ ମୋତେ ଡାକ୍ତରଟିଏ ହେବାକୁ ଇଛା କରୁଥିଲେ ଏବଂ ଏ ଇଛା ପଛର କାରଣ ବି ମୋତେ କହୁଥିଲେ । ମୋର କିନ୍ତୁ ଡାକ୍ତର ନୁହେଁ ଅନ୍ୟ କିଛି ହେବାର ଇଛା ଥିଲା।ମୋତେ ସୈନିକ ହେବାକୁ ପସନ୍ଦ ଥିଲା। ସୈନିକ ହୋଇ ଯୁଦ୍ଧ ଜାହାଜର ପାଇଲଟ୍ ହେବାକୁ ମନ କହୁଥିଲା।ପ୍ରଥମେ ମୋ ନାଁ ରୁ ଏ ଅଭିଯାନ ଆରମ୍ଭ କଲି । ଅମନ୍ ନାଁ ଟା ବଦଳେଇ ଦେଲି।


ବାବା ମୋ ନାଁ ଆର୍ମି ରଖା ଯାଉ।


ଆର୍ମି ! କିନ୍ତୁ କାହିଁକି ?


ଏ ନାଁ ଟି ମୋତେ ଭଲ ଲାଗୁଛି ବାବା।


ପ୍ରଥମରୁ କହି ରଖିଛି ଆମ ଘର ସର୍ଵଧର୍ମ ସମନ୍ନୟ ପୀଠସ୍ଥଳୀ ପରି ସମସ୍ତଙ୍କୁ ପର୍ଯ୍ୟାପ୍ତ ସ୍ୱାଧୀନତା ବି ମିଳୁଥିଲା। ବାବା ମାଆ ପିଲାଙ୍କ ବିରୋଧରେ ଯାଇ କିଛି କରନ୍ତି ନାହିଁ।କେବଳ ମହତ ଉଦ୍ଦେଶ୍ୟ ନେଇ ମୋତେ ଡ଼ାକ୍ତର ଟିଏ ହେବା କହିବା ବ୍ୟତୀତ କୌଣସି ଦିନ ସେମାନଙ୍କ ଇଛା ଆମ ଉପରେ ଲଦି ନ ଥିଲେ। ଛୋଟ ବଡ଼ ପ୍ରତ୍ୟେକଙ୍କୁ ସମ୍ମାନ ଦିଆଯାଏ ପ୍ରତ୍ୟେକ କ୍ଷେତ୍ରରେ। ଏଣୁ ମୋ ନାଁ ଅମନ୍ ରୁ ଆର୍ମି ହୋଇଗଲା ଜନ୍ମ ପ୍ରମାଣ ପତ୍ରରେ ମୋର ହାଇ ସ୍କୁଲ ପ୍ରବେଶ ପୂର୍ବରୁ।


ହାଇ ସ୍କୁଲରେ ମଣିପୁରୀ ଝିଅ ସିନୋରିଟା ମୋର ଏକମାତ୍ର ଭଲ ବାନ୍ଧବୀ ଥିଲା । ମୋ ମନ କଥା ତାକୁ ହିଁ କେବଳ କହିଥିଲି। ମୁଁ ତାକୁ ଡାକୁଥିଲି ସିନୋ । ତାର ମୋର ବନ୍ଧୁତାରେ ଝିଅ କି ପୁଅର ଭାବ ନ ଥିଲା । କେବଳ ଆମେ ଦୁଇ ଜଣ ଘନିଷ୍ଠ ବୋଲି  ମୋ ଏକ ତରଫା ଭାବନା ଥିଲା।। ମୋ ଜୀବନର ଟିକି ନିକି  ସବୁ ଖବର ଥିଲ ତା ପାଖରେ। 

ସୈନିକ ହେବାର ପ୍ରଥମ ପାହାଚ ପାରି ହୋଇଗଲି ମୋ ନାଁ ବଦେଲେଇ। ସିନୋ ବି ଭାରି ଖୁସି ମୋ ଖୁସିରେ। ସେ କିମ୍ବା ଅନ୍ୟ ଜଣେ କେହି ମୋତେ ଆର୍ମି ଡାକିଲେ ଦେଲେ ଆଃ ଏକ ଚମକ ମୋ ଦେହରେ ଖେଳିଯାଏ। ସତକୁ ସତ କିଛି କ୍ଷଣ ମୁଁ ଜଣେ ଆର୍ମି ମ୍ୟାନ୍ ପାଲଟି ଯାଏ। ବନ୍ଧୁକରୁ ଠାଏ ଠାଏ ଗୁଳି ବର୍ଷା କରି କେତେ ଶତ୍ରୁପକ୍ଷ ସୈନିକଙ୍କୁ ସ୍ୱର୍ଗକୁ ପଠେଇ ଦିଏ।ଆଖିରେ ଭର୍ତ୍ତି ହୋଇଯାଏ ଜିତିବାର ଏବଂ ମାଟି ମାଆର ସେବା କରିବାର ମୋହ ତଥା ଆନନ୍ଦ ।


ବାବା କିନ୍ତୁ ବାର ବାର ମନେ ପକେଇ ଦେଇ କୁହନ୍ତି ଅମୁ ମନେ ଅଛି ତ "ତୋତେ ହାର୍ଟ ସ୍ପେଶାଲିଷ୍ଟ ହେବାର ଅଛି ? " ବାବା ମାଆ ମୋତେ  ଗେହ୍ଲାରେ ଅମୁ ଡାକନ୍ତି।

ଶ୍ରୀୟା ନାନୀ ଶିକ୍ଷକତା କରେ। ମାରିଆ ନାନୀ ପୋଲିସରେ ଭର୍ତ୍ତି ହୋଇଛି । ଦୁଇ ନାନୀ ନିଜ ଇଛାର ବୃତ୍ତି ଚୟନ କରିଛନ୍ତି । ମୋତେ କିନ୍ତୁ ନିଜ ପସନ୍ଦର ବୃତ୍ତି ଚୟନ କରିବାକୁ କାହିଁକି କେଜାଣି ସୁଯୋଗ ଦିଅନ୍ତି ନାହିଁ? ଅବଶ୍ୟ ନାଁ ପରିବର୍ତ୍ତନ କଲା ପରି ମୁହଁ ଖୋଲି କହିଥିଲେ ହୁଏତ ବାବା ମାଆ ପ୍ରତି ବନ୍ଧକ ହୋଇ ନ ଥାନ୍ତେ। ମୁଁ କିନ୍ତୁ ସାହସ କରି କହି ପାରି ନ ଥିଲି।

ବାବାଙ୍କୁ ଖୁସି କରିବା ପାଇଁ ବୋଧେ ମୁଁ ଚୁପ୍ ରହୁଥିଲି। ମେଡ଼ିକାଲ ପ୍ରତିଯୋଗିତା ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇ ମେଡ଼ିକାଲ କୋର୍ସ ବି ସମାପ୍ତ କଲି ।ହାର୍ଟ ସ୍ପେଶାଲିଷ୍ଟ ନୁହେଁ ଜଣେ ମେଡ଼ିସିନ ସ୍ପେଶାଲିଷ୍ଟ ଭାବେ ।ଆର୍ମି ଡାକ୍ତର ହେବାକୁ ଚାହିଁଲି। ଆର୍ମି ଡାକ୍ତର ଭାବେ ନିଯୁକ୍ତ ହୋଇ କ୍ଷତାକ୍ତ ସୈନିକଙ୍କ ସେବା କରିବାରେ ଥିଲା ମୋର ବିପୁଳ ଆନନ୍ଦ।

ଆର୍ମି ଡାକ୍ତର ଥିବା ବେଳେ ମୋ ମନ କଥା ଆର୍ମି ଅଧ୍ୟକ୍ଷ ଙ୍କୁ ଜଣାଇଁଲି । ସେ ମୋର ସୈନିକ ହେବାର ପ୍ରବଳ ଆଗ୍ରହ ଦେଖି ଡାକ୍ତରୀ ସେବାରୁ ନିବୃତ୍ତ ହୋଇ ଆର୍ମି ପ୍ରଶିକ୍ଷଣରେ ଯୋଗ ଦେବାର ସୁଯୋଗ ପ୍ରଦାନ କଲେ । ଏ କାର୍ଯ୍ୟଟି ବାବା ମାଆଙ୍କ ଅଗୋଚରରେ କଲି । ଯୁଦ୍ଧ ଜାହାଜ ଉଡେଇବା ପ୍ରଶିକ୍ଷଣ ବି ପ୍ରାପ୍ତ ହେଲି। ଆର୍ମିରେ ଡାକ୍ତର ହେବା ବେଳେ ଜଣେ ଆର୍ମି ଅଫିସରଙ୍କ ଝିଅ ଫ୍ଲୋରିନା ପ୍ରେମରେ ପଡ଼ିଗଲି। ଏକଥା ସିନୋକୁ ମଧ୍ୟ ଜଣାଇଁଥିଲି । ପ୍ରଥମ ଥର ସିନୋ ସ୍ୱରରେ ଫୋରିନା ପ୍ରତି ଏକ ଅସହିଷ୍ଣୁ ଭାବ ଅନୁଭବ କଲି।ତେବେ କଣ ସିନୋ ମୋତେ ଭଲ ପାଉଥିଲା। ମନେ ମନେ ହସିଲି ଅଜବ ଏ ପ୍ରେମ କହି।

ମୋ ଇଛା ଖୁବ୍ ଶୀଘ୍ର ଫଳବତୀ ହେଲା ଯେତେ ବେଳେ ଆମ ଦେଶ ସହ ଆଉ ଏକ ଦେଶର ଯୁଦ୍ଧ ଲାଗିଲା। ଖୁସି ଥିଲି ଖୁବ୍ ଯୁଦ୍ଧ ଜାହାଜ ଉଡ଼ଉଛି ବୋଲି। ମାତ୍ର ଯେତେବେଳେ ଆକାଶ ମାର୍ଗରୁ ବୋମା ଫିଙ୍ଗିଲି ଓଃ କି କରୁଣ ଚିତ୍କାର ନିରପରାଧ ସାଧାରଣ ଜନତାଙ୍କର ଦେଖିଲି ! ବାରମ୍ବାର ଏପରି କରୁଣ ଦୃଶ୍ୟ ଦେଖି ମୋ ଭିତରେ ବିରାଟ ପରିବର୍ତ୍ତନ ଆସିଲା । ମୁଁ ବୁଝିଗଲି ଯୁଦ୍ଧରେ କେବଳ କ୍ଷତି ଓ କ୍ଷତାକ୍ତ ହୁଅନ୍ତି ସାଧାରଣ ମଣିଷ। ଯୁଦ୍ଧ କରାଉଥିବା ବ୍ୟକ୍ତିଙ୍କର କିଛି କ୍ଷତି ହୁଏ ନାହିଁ । ଯେଉଁଠି ବମ୍ ପକାଉ ତା ତଳେ କେତେ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ପରିଯ୍ୟନ୍ତ ପୋଡି ହୋଇ ମରନ୍ତି !ଏ କଥା ମୋତେ ବ୍ୟଥିତ କରେ । ମାନସ୍ତାପ ଭିତରେ ମୁଁ ମରଣ ଜୀଉଁଥାଏ ଜାଣ। ଏଇଠି ପ୍ରଥମ ଥର ବାବାଙ୍କ ମୁଁ ଡାକ୍ତର ହେବା ଇଛାଟି ଭଲ ଥିଲା ବୋଲି ଅନୁଭବ କଲି। ସେଇଠି ଗୋଟେ ଦିବ୍ୟ ଜ୍ଞାନ ଲଭିଲି ଯେ କୌଣସି ବାପା ମାଆ ପିଲାଙ୍କର ଖରାପ ପାଇଁ କିଛି ବି ଚିନ୍ତା କରନ୍ତି ନାହିଁ। ବାବାଙ୍କୁ ଲୁଚେଇ ଯୁଦ୍ଧ ଜାହାଜର ପାଇଲଟ ହେବାର ଆତ୍ମ ଗ୍ଲାନି ମୋତେ ଖାଇ ଯାଉଥିଲା ଏବଂ ସବୁ ସତ ଗୋଟେ ଚିଠିରେ ଲେଖି ବାବାଙ୍କ ପାଖକୁ ପଠାଇ ଦେଲି।

ଅନୁତପ୍ତ ହୃଦୟ ମୋର ଯୁଦ୍ଧରେ ଆହୁରି ଭାଙ୍ଗି ପଡୁଥିଲା ।ଯୁଦ୍ଧ ନୁହେଁ ଶାନ୍ତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ଖୋଜୁଥିଲି । ଘୃଣା ଲାଗିଲା ନିଜକୁ ।ମୁଁ ଅନେକ ମଣିଷ ,ସହର ,ଜଙ୍ଗଲ ,ଘରଦ୍ୱାର ପୋଡିର କାରଣ ହେଲି । କେତେ ଆର୍ତ୍ତନାଦ ମୋ ହୃଦୟରେ ପଶି ଚିତ୍କାର କଲେ । ଏହା ପରେ ଥରେ ଯୁଦ୍ଧ ଜାହାଜ ଉଡେଇ ବମ୍ ଫିଙ୍ଗୁଥିଲା ବେଳେ ଶତ୍ରୁ ପକ୍ଷ ବମ୍ ଆସି ମୋ ଜାହାଜ ଦେହରେ ବାଜିଲା । 

ସେବେଠାରୁ ମୁଁ ନିଖୋଜ । ଯେଉଁଠି ମୁର୍ମୁର୍ଷୁ ଅବସ୍ଥାରେ ପଡିଛି ସେଇଟା କେଉଁ ସ୍ଥାନ, ଆମ ଦେଶ କି ଶତ୍ରୁ ପକ୍ଷଙ୍କ ଦେଶ ନିଜେ ବି ଜାଣେନି। ଏଠି କେତେ ଦିନ ହେବ ପଡିଛି ତାହା ବି ଅନୁମାନ ଲଗେଇ ପାରୁ ନାହିଁ। ମୋତେ ଖୋଜୁଥିବେ ମୋ ପ୍ରେମିକା ଫ୍ଲୋରିନା ଏବଂ ମୋ ଗାର୍ଲ ଫ୍ରେଣ୍ଡ୍ ବନ୍ଧୁ ସିନୋ।  ମାଆବାବା ମୋ ଚିଠି ପାଇଁ ଅତ୍ୟନ୍ତ ଦୁଃଖିତ ଯେ ସେମାନେ ମୋ ଇଛା ବିରୁଦ୍ଧରେ ଯାଇ ଡ଼କ୍ଟର କରି ଦେଇଥିବାରୁ। ଏବେ ଯୁଦ୍ଧରେ ଯୁଦ୍ଧ ଜାହାଜର ପାଇଲଟ ହେବା ଖବର ଶୁଣି ମାଆ ଅତି ବ୍ୟସ୍ତ ବୋଲି ଶେଷ ଥର ଫୋନ୍ କଲ୍ ରେ ବାବା କହିଥିଲେ।।  କ୍ଷମା କରିଦେବ ତୁମର ଏ ଅବାଧ୍ୟ ଆର୍ମିକୁ ବାବା ଓ ମାଆ। ଫୋନ୍ ଟି ମଧ୍ୟ କେଉଁଠି ଛିଟିକି ପଡିଛି ଜାଣେନା। ଅର୍ଦ୍ଧ ଦଗ୍ଧ ଗୋଡ଼ ଦୁଇଟି ମୋର।ଘୁଷିରିବା ଅବସ୍ଥାରେ ବି ନାହିଁ। ଯନ୍ତ୍ରଣା ସହ ମୈତ୍ର ହେବା ଆର୍ମି ମ୍ୟାନ୍ ଜାଣନ୍ତି। କିନ୍ତୁ ବିନା ଖାଦ୍ୟ,ପେୟ ପୁଣି ଅଧା ପୋଡା ପଚା ଗୋଡ଼କୁ ନେଇ କେତେ ଦିନ ଯନ୍ତ୍ରଣା ସହି  ଶ୍ଵାସ କ୍ରିୟା ଚଲେଇ ହେବ ! 

ମୁଁ ଆଜିଯାଏ ଶୋଇଥିଲି ଜାଣ ନିଦ୍ରା ଭାଙ୍ଗିଛି ଆହତ ହେଲା ପରେ ।ଯୁଦ୍ଧ କେବଳ ଭାଙ୍ଗେ,ଧ୍ୱଂସ କରେ । କୌଣସି ପକ୍ଷର ଆଦୋୖ ଲାଭ ହୁଏ ନାହିଁ। ହୁଏତ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ ହେଉଥିଲେ ଗୋଟିଏ ଦିନରେ କିଛି ସୈନିକ ମରନ୍ତେ। କିନ୍ତୁ ଏବେ ତ ତୀର ଖଣ୍ଡା କି ବନ୍ଧୁକରେ ଆଉ ଯୁଦ୍ଧ ହେଉନି। ଯୁଦ୍ଧ ହେଉଛି ପରମାଣୁ ଅସ୍ତ୍ର ଦ୍ୱାରା ମହାକାଶରେ। ଯାହା ନିମିଷେ ଗୋଟିଏ ଭୂଖଣ୍ଡ ଜାଳି ପୋଡି ପାଉଁଶ କରି ଦେବାର ସାମର୍ଥ୍ୟ ରଖେ ।  ବିରତ ହୁଅ ଏ ପରମାଣୁ ଲଢ଼େଇରୁ ମୋର  । ବଞ୍ଚ ଓ ବଞ୍ଚାଅ ନୀତି ଅବଲମ୍ବନ କର।


ହେ ବିଶ୍ବାବାସୀ ! ମୋର ପ୍ରିୟ ଭାଇ ଭଉଣୀ ଏ ଆର୍ମିର ନିଃଶ୍ୱାସ ବନ୍ଦ ହେବା ପୂର୍ବରୁ ତୁମ ସଭିଙ୍କୁ ନିବେଦନ ଯୁଦ୍ଧରୁ ନିବୃତ୍ତ ହୁଅ । ଏଥିରେ କ୍ଷତି କେବଳ ଆମର ଏଇ ଜନସଧାରଙ୍କର। ଧଳା ରଙ୍ଗକୁ ଭଲ ପାଅ। ଏ ରଙ୍ଗ ସବୁ ରଙ୍ଗର ଉତ୍ସ। ଶାନ୍ତିର ପଥ ଅନୁସର। ଅନ୍ୟକୁ ବୁଝ । ଦୁଇ ଦିନର ଜୀବନ ଖୁସି ଖୁସିରେ ରୁହ । ଆଃ ମୋ ଚାରି ପାଖେ ବହଳେ ଅନ୍ଧାର । ଆଖି ବୁଜି ବୁଜି ହୋଇ ଆସୁଛି। । ମୋତେ ବିଶ୍ରାମ ଦିଅ।ଥକି ପଡିଛି ବହୁତ। ଟିକେ ଶୋଇବାକୁ ଚାହେଁ। ମାଆ ମାଆ ....

କିନ୍ତୁ ଏତେ ଶୀଘ୍ର ଏ ସୁନ୍ଦର ପୃଥିବୀ ଛାଡି ଯିବାକୁ ଇଛା ହେଉ ନାହିଁ । କାହିଁକିନା ଥରେ ମୃତ୍ୟୁ ଲୋକକୁ ଗଲେ ଆଉ କେବେ ବି ଫେରିବାକୁ ହେବ ନାହିଁ ଏଇ ମୋ ଅତୁଲ୍ୟ ମହାନ ଜନ୍ମ ଭୁଇଁ ଭାରତକୁ। ହୁଏତ ଏହା ପରେ ଯୁଦ୍ଧ ବନ୍ଦ ହୋଇଯିବ ଏବଂ ପୁଣି ସବୁ ନୂଆ କରି ଗଢା ହେବ। ମାତ୍ର ମୁଁ କଣ ଥିବି  ସେଇ ନୂଆ ହୋଇ ଗଢା ହୋଇଥିବା ସହର ,ବଜାରରେ ଚଳିବା ପାଇଁ !! ଆଃ ମାଆ ....ପାଣି, ପା....ଣି।



           

           




Rate this content
Log in

Similar oriya story from Inspirational