Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

T.Durga Prasad Rao

Horror

3  

T.Durga Prasad Rao

Horror

ଆର୍ କିଛୁ ଚାଇ...

ଆର୍ କିଛୁ ଚାଇ...

6 mins
499




- କିରେ, ଏତେ ରାତିରେ? କଣ କରୁଛୁ ଏଠି? ହଠାତ୍ କାହାର ଡାକରେ ବସିଥିବା ଜାଗାରୁ ମୁହଁ ଉଠାଇ ଚାହିଁଲା ଲିଟୁ। ଟିକିଏ ଦୋଦୋପାଞ୍ଚ ହୋଇ ଚିହ୍ନିଲା ପରେ ପାଟି କରି ଉଠିଲା।

- ସ-ମ-ର... ଆଉ କଣ ସବୁ ଖବର?

- ସବୁ ଭଲ। କିନ୍ତୁ ତୁ ଏତେ ରାତିରେ?

- ଭବାନିପାଟଣା ବାହାରିଛି। ହେଲେ, ଗାଡ଼ି ଖରାପ ହେଇଗଲା। ଡ୍ରାଇଭର୍ ଯାଇଛି ମେକାନିକ୍ ଡାକିବାକୁ। ଆଉ... ତୋ ଖବର କଣ?

ସମର ଟିକିଏ ଆଶ୍ଚର୍ଯ୍ୟଚକିତ ଚାହିଁଲା ଲିଟୁ ଆଡ଼କୁ। କହିଲା, ଏ ସ୍ଥାନଟି ଆଦୌ ନିରାପଦ ନୁହଁ। ସେ ଗାଡ଼ି ଛାଡ଼। କେହି ନେବେନି। କିନ୍ତୁ ତୁ ଏଠି ଅଧିକ ସମୟ ରହିବା ଉଚିତ ନୁହେଁ। ଉଠୁ ଯିବା। ମୁଁ ଏଇ ଦୁଇ କିଲୋମିଟର ଆଗରେ ଗୋଟିଏ ଗାଁରେ ରହୁଛି।

- ତୁ ଏ ଗାଁରେ କଣ କରୁଛୁ?

- ତୁ ତ ବଡ଼ କମ୍ପାନୀରେ ମ୍ୟାନେଜର ହେଇ ବସିଲୁ। ଆମ ଖବର ଆଉ କାହିଁକି ରଖିବୁ? ମୁଁ ଏଠି ଗୋଟେ ପ୍ରାଇମେରୀ ସ୍କୁଲରେ ଶିକ୍ଷକତା କରୁଛି।

- ମାନେ ଏ ଫର୍ ଏପଲ୍, ବି ଫର୍ ବାଲ୍। ଲିଟୁ ହସିଲା ମନ ଖୋଲି।


ସମର କିନ୍ତୁ ଲିଟୁର ହସ ସହ ହସ ମିଳାଇ ହସି ପାରୁନଥିଲା। କହିଲା, ଚାଲ୍ ଯିବା। ବାକି କଥା ଘରେ ପହଞ୍ଚିଲା ପରେ। ଲିଟୁ କିଛି ସମୟ କଣ ଚିନ୍ତା କରି କହିଲା, ଆରେ ନା, ଡ୍ରାଇଭର ଫେରୁଥିବ ମେକାନିକ୍ ସହ। ମୋତେ ନ ପାଇ ବ୍ୟସ୍ତ ହେଇ ଉଠିବ। ତାଛଡ଼ା ମୋତେ ଯେମିତି ହେଉ ସକାଳ ସୁଦ୍ଧା ଭବାନୀପାଟଣାରେ ପହଞ୍ଚିବାକୁ ହେବ।


ସମର ହତାଶ ଦୃଷ୍ଟିରେ ଚାହିଁଲା ଲିଟୁ ଆଡ଼କୁ। ତାପରେ ବାଇକ୍.ଟିକୁ ଟିକିଏ ସାଇଡ୍ କରି ରଖି ପକେଟ୍.ରୁ ମେଟାଲ୍.ର କ୍ରସ୍ ଟିଏ ବାହାର କରି ଲିଟୁ ହାତକୁ ବଢ଼ାଇ ଦେଲା। କହିଲା, ଏଇଟାକୁ ତୋର ପ୍ୟାଣ୍ଟ୍ ପକେଟରେ ରଖିନେ। କଦାପି କୌଣସି ପରିସ୍ଥିତିରେ ମଧ୍ୟ ଏହାକୁ ହାତଛଡ଼ା କରିବୁନି ଅନ୍ତତଃ ଘରେ ପହଞ୍ଚିଲା ଯାଏଁ। ଏବେ ଏ ଚିଜର ଆବଶ୍ୟକତା ମୋ ଠାରୁ ତୋର ବେଶୀ। ଆସୁଛି। ତାପରେ ବାଇକ୍ ଚଳାଇ ଚାଲିଗଲା ସମର।

ଲିଟୁ କ୍ରସ୍ ଟିକୁ ହାତରେ ନେଇ କିଛି ସମୟ ନିରୀକ୍ଷଣ କଲା ପରେ ପ୍ୟାଣ୍ଟ୍ ପକେଟରେ ରଖି ପୁଣି ଥରେ ଯାଇ ବସିଲା ରାସ୍ତା ପାର୍ଶ୍ୱର ପଥର ଉପରେ। ମୋବାଇଲ୍ ଉଠାଇ ରିଙ୍ଗ୍ କଲା ଡ୍ରାଇଭର୍.କୁ। କିନ୍ତୁ ନା, କିଛି ଶୋର୍ ଶବ୍ଦ ନାହିଁ। କଲ୍ ଯାଉନି। ସମୟ ଦେଖିଲା। ସାଢ଼େ ଦଶ। ରାସ୍ତାରେ ଗାଡ଼ିମାନଙ୍କର ଯିବା ଆସିବା ମଧ୍ୟ କମି କମି ଯାଉଛି। ବୋଧହୁଏ ସମସ୍ତେ ରାତି ବଢ଼ିବା ପୂର୍ବରୁ ଯେ ଯାହାର ନିରାପଦ ସ୍ଥାନ ବାଛି ନେଇଛନ୍ତି। ଲିଟୁ କିନ୍ତୁ ନିରୁପାୟ।


ଅପେକ୍ଷା କରି କରି ଆଉ ଅଧଘଣ୍ଟା ବିତିଗଲା। ହଠାତ ବାଇକ୍.ଟିଏ ଆସି ପାଖରେ ଲାଗିଲା। ଧପ୍.ଧାପ୍ ହୋଇ ଓହ୍ଲାଇପଡ଼ିଲେ ଡ୍ରାଇଭର୍ ଓ ମେକାନିକ୍।

- ଏତେ ଡେରି କଣ ହେଲା?

- କଣ ଆଉ କହିବି, ଏ ବାବୁ ଗ୍ୟାରେଜ୍ ବନ୍ଦ କରି ଦୁଇ ଢୋକ ପିଇ ହୋଟେଲ୍ ରେ ଖାଇ ଏବେ ବାହାରିଲେ।

ଡ୍ରାଇଭର୍ ପାଟିରୁ ବି ବାସ୍ନା ଆସୁଥିଲା। ଲିଟୁ କହିଲା, ଆଉ ତାଙ୍କ ସାଙ୍ଗରେ ତମେ ବି ଦି ଢୋକ ପିଇନେଲ?

- ହି, ହି, ହି, ହି।

- ବନ୍ଦ କର ସେ ହସ। ଟିକିଏ ବି ସିରିୟସ୍ ନୁହଁ କୌଣସି କଥାରେ। ମୋ ପାଇଁ କିଛି ଆଣିଛ?

- ଆପଣ ପିଇବେ?

- ମୁର୍ଖ, ମୁଁ ଖାଇବା କଥା କହୁଛି।

ଡ୍ରାଇଭର ନା କହି ମୁଣ୍ଡ ହଲାଇଲା। ଲିଟୁ ଭୋକ ଆଉ ବିରକ୍ତରେ ପଚାରିଲା, କେତେ ସମୟ ଲାଗିବ?

ଡ୍ରାଇଭର ମେକାନିକ୍ ଉଦ୍ଦେଶ୍ୟରେ ପଚାରିଲା, ସୁଜନଦା, ଆର୍ କତ ଟାଇମ୍ ଲାଗ୍.ବେ?

- ଦେଖ୍.ଛି... ଟାଇମ୍ ତ ଲାଗ୍.ବେ... ମେକାନିକ୍ ଇଞ୍ଜିନ୍ ଭିତରେ ମୁହଁ ଗୁଞ୍ଜି ଫାଲ୍ଟ ଖୋଜୁ ଖୋଜୁ କହିଲା।

ଲିଟୁ ଯାଇ ପଥର ଉପରେ ବସିଲା।

ସାଢ଼େ ବାର। ଡ୍ରାଇଭର ଲିଟୁର ଖଣ୍ଡେ ଦୂରରେ ଠିଆ ହୋଇ କହିଲା, ମେକାନିକ୍ ଫାଲ୍ଟ୍ ଧରି ପାରୁନି। ଇଞ୍ଜିନ୍ ଷ୍ଟାର୍ଟ ହେଉ ହେଉ ପୁଣି ବନ୍ଦ ହେଇ ଯାଉଛି। କହୁଛି ସକାଳେ ଦେଖିବ। କଣ କରିବା?

- କଣ ହେଲା? ହେଇ ପାରିବନି? କେମିତିଆ ମେକାନିକ୍ ଡାକି ଆଣିଲ?

- ନା, ନା, ମେକାନିକ୍ ତ ନମ୍ବର ୱାନ୍। ହେଲେ ଏବେ ତା ମୁଣ୍ଡ କିଛି କାମ କରୁନି। ସକାଳେ ଯାଇ ଯାହା।

- ଏବେ କଣ ହେବ ତାହେଲେ?

ସୁଜନଦା ଗାଡ଼ି ପାଖରୁ ଲିଟୁ ଆଡ଼କୁ ଆସୁ ଆସୁ କହିଲା, ଏକ୍.ଟା କଥା ବଲ୍.ବୋ। ଆମାର ଶ୍ୱଶୁରବାଡ଼ି ଏଇ ଗ୍ରାମେ। ଚଲୋ ଯାଇ। ଏଖାନେ ଥାକା ଠିକ୍ ହବେନା।

ଲିଟୁ ଆନମନା ହୋଇ ପକେଟ୍.ରୁ କ୍ରସ୍ ବାହାର କରି ତାର ରିଙ୍ଗରେ ଆଙ୍ଗୁଳି ପୁରାଇ ଘୁରାଇବାକୁ ଲାଗିଲା। ସୁଜନଦା ଦୁଇପାଦ ପଛେଇ ଯାଇ କହିଲା, ଇଏ କି?

- ଏଇଟା... ଆରେ ଏଇଟା ମୋ ସାଙ୍ଗ ଦେଇଛି ସମର। କାହିଁକି କେଉଁଥିପାଇଁ ଦେଲା ମୁଁ ବି ଜାଣିନି। ତମେମାନେ ଆସିବା ପୂର୍ବରୁ ଅନେକ ଦିନ ପରେ ଏଇଠି ଦେଖା ହେଲା ତା ସହ।

- ସମର... ସମର ମଜୁମଦାର ନା ତ?

- ହଁ ସେଇ...

- ମାଷ୍ଟର୍ ଆଛେ?

- ହଁ, ଜାଣ ତାକୁ?

- ଖୁବ୍ ଭାଲୋ ଭାବେ ଜାଣେ ସାର୍। ସେ କିନ୍ତୁ ଏକ୍.ଟା ରୋଡ୍ ଆକ୍ସିଡେଣ୍ଟ୍.ରେ ମରି ଦୁଇବର୍ଷ ହେଲାଣି। ସେଇଥିପାଇଁ ସାର୍ କହୁଥିଲି ମୋ ଶ୍ୱଶୁର ବାଡ଼ି ଚାଲନ୍ତୁ। ଆର୍ ଏକ୍.ଟା କଥା ସାର୍। ସମର ତ ହିନ୍ଦୁ, ଏ କ୍ରସ୍ ତା ପାଖରେ କେଉଁଠୁ ଆସିଲା। ଏକ୍.ଟା ମଲା ଲୋକେର ଚିଜ ଆପନ୍ ଧରି ବୁଲୁଛନ୍ତି।


ଲିଟୁର ପାଦରୁ ମସ୍ତକ ଯାଏଁ ଏକ ଶିହରଣ ଖେଳିଗଲା। ସେ ଭୟରେ କ୍ରସ୍.ଟିକୁ ଦୂରକୁ ଫୋପାଡ଼ି ଦେଇ ସୁଜନଦା ଓ ଡ୍ରାଇଭର ପାଖକୁ ଲାଗି ଆସିଲା। ସୁଜନଦା ବାଇକ୍ ଷ୍ଟାର୍ଟ କଲା। ମଝିରେ ବସିଲା ଲିଟୁ। କାର୍.ଟିକୁ ଭଲ ଭାବରେ ଲକ୍ କରି ଡ୍ରାଇଭର ଆସି ପଛରେ ବସିଲା। ରାସ୍ତାରେ ଲିଟୁ ପଚାରିଲା, ସେ ମୋତେ କହୁଥିଲା, ତା ଘରକୁ ନେଇଯିବ ବୋଲି...

- ଘର? ସୁଜନଦା ହସିଲା ହୋ ହୋ ହୋଇ। ଶ୍ମଶାନକୁ ନେଇ ଯାଇଥାନ୍ତା ସାର୍...

ଅଳ୍ପ ସମୟରେ ହିଁ ସେମାନେ ପାଖ ଗାଁରେ ଯାଇ ପହଞ୍ଚିଲେ। ଯେଉଁ ଘର ସାମ୍ନାରେ ସୁଜନଦା ବାଇକ୍ ରଖିଲା, ସେଇଟା ଥିଲା ନୂଆଁଣିଆ ଏକ ଆଜ୍.ବେସ୍.ଟସ୍ ଘର। ସୁଜନଦା ଡାକି ନେଲା ଭିତରକୁ। ଗୋଟିଏ ରୁମ୍ ଭିତରେ ଲିଟୁ ଓ ଡ୍ରାଇଭର୍ ପାଇଁ ବିଛଣାର ବ୍ୟବସ୍ଥା କରିଦେଲା। କହିଲା, ଆପନ୍ କିଛୁତେଇ ଖାଇ ନାହାନ୍ତି। ଥାକେନ୍, ବିଜ୍.ଲି ହାତରେ ଆପନଙ୍କ ପାଇଁ କିଛି ଖାଇବା ପାଠାଛି।


ବିଛଣାରେ ପଡ଼ିଲା କ୍ଷଣି ଡ୍ରାଇଭରକୁ ନିଦ ହେଇଗଲା। ଲିଟୁକୁ କିନ୍ତୁ ପ୍ରବଳ ଭୋକ ଲାଗୁଥିଲା। ସେ ଆଖିମୁଦି ବିଛଣାରେ ପଡ଼ି ଏପାଖ ସେପାଖ ହେଉଥାଏ। ଏତେ ବେଳେ କାହାର ପାଉଁଜି ଶବ୍ଦରେ ଚାହିଁଲା ଲିଟୁ। ଝିଅଟିଏ ହାତରେ ଖାଇବା ଥାଳି ଧରି ପଶି ଆସୁଛି ଭିତରକୁ। ବିଛଣା ପାଖରେ ଥାଳିଟିକୁ ଥୋଇ ଦେଇ ଦ୍ୱାର ପାଖରେ ଯାଇ ଠିଆ ହେଲା। କିଛି ଆଗପଛ ନ ଭାବି ଲିଟୁ ଥାଳି ଉପରେ ଉହୁଁକି ପଡ଼ିଲା। ଲିଟୁର ଖାଇବାରେ ବ୍ୟସ୍ତତା ଦେଖି ଫିକ୍ କରି ହସି ଉଠିଲା ଝିଅଟି। ଲିଟୁ ଆଖି ଉଠାଇ ଚାହିଁଲା। କ୍ଷୁଧାର ପ୍ରାବଲ୍ୟରେ ଏ ଯାଏଁ ଝିଅଟିକୁ ଭଲ ରୂପେ ଦେଖି ନ ଥିଲା ଲିଟୁ। ଆଖି ତାର କେତେ ସମୟ ଲାଖି ରହିଗଲା ସେଇ ସୁନ୍ଦର ମୁହଁଟି ପାଖରେ ଜାଣି ପାରିଲା ନାହିଁ। ଆର ଘରୁ ସୁଜନଦା ବଡ଼ ପାଟିରେ କହୁଥିଲା, ସାର୍ ଖାଇଦେଇ ଜଲ୍.ଦି ଶୁଏଯାନ୍। ପ୍ରକୃତିସ୍ଥ ହେଲା ଲିଟୁ। ଝିଅଟି ହାତ ଧୋଇବା ପାଇଁ ବାଟ କଢେଇ ନେଲା ବାରିପଟକୁ।

- ଆଛା, ତମର ନାଁ କଣ?

ଏକ ରହସ୍ୟମୟ ହସ ହସି ଝିଅଟି କହିଲା, ଆମାର୍ ନାମ ବିଜ୍.ଲି।

- ପୁରା ବିଜୁଳି ପରି ଝଟକୁଛ।

ପ୍ରତ୍ୟୁତ୍ତରରେ ବିଜ୍.ଲି କେବଳ ହସିଲା ଖିଲ୍ ଖିଲ୍ ହୋଇ।

- ଖାଇବା ଖୁବ୍ ଭଲ ହେଇଛି। ତମ ହାତରେ ଯାଦୁ ଅଛି।

- ନା, ଆମି ରାନ୍ଧ୍.ନା କରିନି, ଆମାର୍ ଦିଦି କରିଛି।

- ଆଛା, ମୋର ଧାରଣା ତମେ ରୋଷେଇ କଲେ ୟା ଠାରୁ ବି ସୁସ୍ୱାଦୁ ଲାଗିବ।

ହସିଲା ବିଜ୍.ଲି।

- ଆର୍ କିଛୁ ଚାଇ...

- ନା, ନା, ତମେ ଯାଅ ଶୋଇପଡ଼।

- ଆର୍ କିଛୁ ଦରକାର ନାଇ...

- ନା, ଆଉ କଣ ଦରକାର?

- ଠିକ୍ ଆଛେ। ଯାଛି ଆମି...

ବିଜ୍.ଲି କୁଣ୍ଠିତ ପଦରେ ବାହାରି ଗଲା ନିଜ ଶୟନକକ୍ଷକୁ। ଆଉ ଲିଟୁ ବିଛଣାରେ ପଡ଼ି ପଡ଼ି ଭାବୁଥିଲା ବିଜ୍.ଲି କଥା- “ଆର୍ କିଛୁ ଚାଇ...” କଣ କିଛି କହିବାକୁ ଚାହୁଁଥିଲା ବିଜ୍.ଲି? ବିଜ୍.ଲିର ସ୍ୱପ୍ନରେ ବିଭୋର ହୋଇ ଶୋଇପଡ଼ିଲା ଲିଟୁ।


ସକାଳେ ଯେତେବେଳେ ନିଦ ଭାଙ୍ଗିଲା ଲିଟୁର ଦେଖେତ ଖୋଲା ଅଗଣାରେ ଶୋଇଛି ସେ। କିଏ ଜଣେ ତା ଦେହରେ ହାତ ମାରି ତାକୁ ହଲାଇ ଦେଉଛି। ଚମକି ପଡ଼ି ଉଠି ପଡ଼ିଲା ଶୋଇବା ଜାଗାରୁ। ଆରେ ଏ କଣ! ସେ ଶୋଇଛି ଏକ ସମାଧି ଉପରେ। ଆଗରେ ଠିଆ ହୋଇଛି ତାର ଡ୍ରାଇଭର।

ହତଚକିତ ହୋଇ ସମାଧି ଉପରୁ ଡେଇଁ ପଡ଼ିଲା ଲିଟୁ।

- ମୁଁ ... ମୁଁ ଏଠି କେମିତି?

- ସାର୍, ମେକାନିକ୍ ନେଇ ଗାଡ଼ି ପାଖରେ ପହଞ୍ଚିଲା ବେଳକୁ ଆପଣ ଗାଡ଼ି ପାଖରେ ନାହାନ୍ତି। ସେତିକିବେଳୁ ସୁଜନଦା ଓ ମୁଁ ଆପଣଙ୍କୁ ଖୋଜି ଚାଲିଛୁ। ଆପଣ ଏ ମଶାଣିକୁ କେମିତି ଆସିଲେ? ଡ୍ରାଇଭର ପଛରେ ଠିଆ ହୋଇଥିବା ସୁଜନଦାକୁ ଦେଖି ଲିଟୁ ପାଟି କରି ଉଠିଲା, ତମେ ପରା ଆମ ଦୁହିଁଙ୍କୁ ତମ ଶ୍ୱଶୁର ଘରକୁ ନେଇ ଯାଇଥିଲ। ପୁଣି ମୁଁ ଏଠିକି କେମିତି ଆସିଲି?

- ଆମି କେତେବେଳେ ଆପନଙ୍କୁ ଦେଖିଲି? ଆଉ ମୋ ଶ୍ୱଶୁର ବାଡ଼ି ତ ଜଗଦଲପୁରରେ। ମୁଁ ତ ଏଇ ପ୍ରଥମ ଦେଖୁଛି ଆପନଙ୍କୁ। କିଛି ସମୟ ଚିନ୍ତା କରି ସୁଜନଦା କହିଲା, ସାର୍, ଆପନଙ୍କ ଭାଗ୍ୟ ଭଲ। କିଛି ହେଇ ନାହିଁ ଆପନଙ୍କର। ଚାଲନ୍ତୁ ଏ ଜାଗାରୁ। ଭଳି ଭଳି ଲୋକଙ୍କ ରୂପ ନେଇ ପାରନ୍ତି ଏମାନେ।


ସୁଜନଦାର କଥା ଶୁଣି ଆପାଦମସ୍ତକ ଥରି ଉଠିଲା ଲିଟୁ। ଗୋଟେ ଡିଆଁରେ ରାସ୍ତା ପାଖରେ ଠିଆ ହୋଇଥିବା ନିଜ କାର୍.ରେ ଉଠିଲା। ପଚାରିଲା, ଗାଡ଼ି ଠିକ୍ କରିଦେଇଛ ତ? ସୁଜନଦାର ପାଉଣା କେତେ ହେଲା?


ଡ୍ରାଇଭର ଗାଡ଼ିରେ ଷ୍ଟାର୍ଟ୍ ଦେଇ କହିଲା, ସୁଜନଦାର ଅନେକ ଚେଷ୍ଟା ସତ୍ତ୍ୱେ ରାତିରେ ଗାଡ଼ି ଷ୍ଟାର୍ଟ ହେଲା ନାହିଁ। ତାପରେ ଆମେ ଟର୍ଚ୍ଚ ଧରି ଆପଣଙ୍କୁ ଖୋଜି ବାହାରିଲୁ। ନିରାଶ ହୋଇ ସକାଳ ବେଳକୁ ପୁଣି ଗାଡ଼ି ପାଖକୁ ଫେରିଲୁ। ଭୋର୍ ବେଳା କିନ୍ତୁ ଗୋଟିଏ ଥରରେ ଗାଡ଼ି ଷ୍ଟାର୍ଟ୍ ହେଇଗଲା। ତାପରଠାରୁ ଗାଡ଼ି ଧରି ଆପଣଙ୍କୁ ଖୋଜି ବୁଲୁଛୁ। ଲିଟୁ ସୌଜନ୍ୟତା ରକ୍ଷା କରି ଦୁଇଶହ ଟଙ୍କା ସୁଜନଦା ହାତକୁ ବଢ଼େଇ ଦେବା ଅବସରରେ ଥର ଥର ହାତରେ ସୁଜନଦାର ପାପୁଲିକୁ ଛୁଇଁ ଦେଖୁଥିଲା।



Rate this content
Log in

More oriya story from T.Durga Prasad Rao

Similar oriya story from Horror