ଆମର ବି ମନ ଅଛି (ଆଧୁନିକତା)
ଆମର ବି ମନ ଅଛି (ଆଧୁନିକତା)
ଆଧୁନିକ ଯୁଗର ବନ୍ଧୁତ୍ୱ ଦିବସ, ବନ୍ଧୁର ପରିଭାଷା ଓ ସଂଜ୍ଞା ହିଁ ବଦଳି ଯାଇଛି । ନା ବନ୍ଧୁ ଅଛନ୍ତି କୃଷ୍ଣ ଓ ସୁଦାମା ଭଳି, ନା ଅଛି ସେ ଭାବ । ସମସ୍ତେ ଏକ ମିଛ ଓ ମାୟା ପଛରେ ଧାବମାନ ।
ଆଜି ବନ୍ଧୁତ୍ୱ ଦିବସରେ ସୋସିଆଲ ମିଡିଆର ପ୍ରଚାର ଓ ପ୍ରସାର ବହୁଳ ଭାବରେ ବଢି ଚାଲିଛି । ଆଧୁନିକ ଯୁବପୀଢି ମଧ୍ୟ ତାର ଅନୁଗାମୀ । ଯୁଗ ବଦଳିଛି ତା ସହ ରୁଚି ମଧ୍ୟ । ଯୁବପୀଢି ଭାବନ୍ତି ସମାଜ କେବଳ ତାଙ୍କର । ସେମାନଙ୍କ ପାଇଁ ସବୁ ଜଳାଞ୍ଜଳି ଦେଇ ବୟସର ଅପରାହ୍ନରେ ପହଞ୍ଚିଥିବା ବାପା ମାଆମାନଙ୍କର ନା ମନ ଅଛି ନା ପ୍ରାଣ । ସେମାନେ କେବଳ ଘରେ ସାଇତା ହୋଇଥିବା ପୁରାତନ ମୂଲ୍ୟହୀନ ସାମଗ୍ରୀ ।
ସେହି ଭାବ ଓ ଆବେଗକୁ ନେଇ ଆଜିର ଏ କାହାଣୀ । ଦାମବାବୁ ଆଜି ବୟସର ଅପରାହ୍ନରେ । ସ୍ତ୍ରୀ, ଓ ଦୁଇ ପୁଅଙ୍କୁ ନେଇ ତାଙ୍କ ସଂସାର । ଜଣେ ଅବସରପ୍ରାପ୍ତ ଶିକ୍ଷକ । ଯାହା ପେନସନ ମିଳେ ସେଥିରେ ମାସକର ତେଲ ଲୁଣର ସଂସାର ଖୁସିରେ ଚଳିଯାଏ । ଦୁଇ ପୁଅ ପାଠ ପଢି ସହରରେ ଚାକିରି କରିଛନ୍ତି । ଜଣେ ସ୍ୱାଭିମାନୀ ହିସାବରେ କେବେ ପୁଅମାନଙ୍କ ପାଖରେ ହାତ ପତାଇନାହାନ୍ତି । ପୁଅ ମାନେ ଯେବେ ଆସନ୍ତି ମାଆକୁ କଣ ପଇସା ପତର ଦେଇଥାନ୍ତି ସେଥିରେ ଧାର ଧରନ୍ତି ନାହିଁ ଦାମ ବାବୁ ।
କିଛି ଦିନ ହେବ ସେ ବହୁତ ବ୍ୟସ୍ତ ରହୁଥିବା ଲକ୍ଷ୍ୟ କରୁଥିଲେ ସୁଷମା ଦେବୀ(ଦାମ ବାବୁଙ୍କ ଧର୍ମପତ୍ନୀ) । ଯେତେ ପଚାରିଲେ କିଛି କୁହନ୍ତି ନାହିଁ ।
ଦିନକର କଥା ହଠାତ୍ ଦାମ ବାବୁ ସକାଳୁ ନିଜର ନିତ୍ୟକର୍ମ ସାରି ବାହାରି ପଡିଲେ । ତାଙ୍କର ଏପରି ବ୍ୟବହାର ଦେଖି ସୁଷମା ଦେବୀ ବ୍ୟସ୍ତ ହୋଇ ପଡିଲେ । ଜାଣିବାକୁ ଚାହିଁବାରୁ କହିଲେ, ମୁଁ ଟିକେ ଗାଆଁ ମୁଣ୍ଡକୁ ଯାଉଛି ।
ହଠାତ ଏତେ ବର୍ଷ ପରେ କି କାମ କିଛି ନକହି ବାହାରିଗଲେ । ଏହା ଦେଖି ସୁଷମା ଦେବୀ ବ୍ୟସ୍ତ ହୋଇଗଲେ । ଯେବେ ଯୁଆଡେ ଯାନ୍ତି ସଠିକ କହିକି ଯାନ୍ତି । ଏବଂ ନିଜେ କୁହନ୍ତି କହିକି ଯାଇଥିଲେ ଡେରି ହେଲେ ଜଣେ ସେଇଠି ଖୋଜି ଏବଂ ବ୍ୟସ୍ତ ହେବନି ମାତ୍ର ଆଜି ନିଜେ ସେଥିରୁ ବିଚ୍ୟୁତ ହେଲେ । ଏହା ଦେଖି ସୁଷମା ଦେବୀ ବ୍ୟସ୍ତ ହୋଇ ସଙ୍ଗେ ସଙ୍ଗେ ପୁଅମାନଙ୍କୁ ଫୋନ କଲେ । ସେତେବେଳକୁ ଦାମ ବାବୁ ବାହାରି ଯାଇସାରିଲେଣି ।
କିଛି ସମୟ ପରେ ପୁଅମାନେ ଆସି ପହଞ୍ଚିଗଲେ । ସେତେବେଳକୁ ସୁଷମା ଦେବୀ ବ୍ୟସ୍ତ ଓ ବିବ୍ରତ ହୋଇ ଅପେକ୍ଷାରେ ଥାନ୍ତି ।
ପୁଅମାନଙ୍କୁ ଦେଖି ଟିକେ ଆଶ୍ୱସ୍ଥ ହେଲେ ।
ବର୍ତ୍ତମାନ କଥା ହେଲା, ବାପା କୁଆଡେ ଗଲେ । ସକାଳ ଯାଇ ଦ୍ୱିପ୍ରହର ହେଲା । ସମସ୍ତେ ମିଶି ତାଙ୍କର ଯେତେ ସାଙ୍ଗମାନଙ୍କୁ ଜାଣିଥିଲେ ଫୋନ କଲେ ମାତ୍ର କାହାର ହେଲେ ବି ଖବର ପାଇଲେ ନାହିଁ । କିଛି ସମୟ ପରେ ତାଙ୍କ ପାଖକୁ ମଧ୍ୟ ଫୋନ ଆସିଲା କିଛି ଅଜଣା ବ୍ୟକ୍ତିଙ୍କର । ସେମାନେ ମଧ୍ୟ ତାଙ୍କ ବାପା ମାନଙ୍କୁ ଖୋଜୁ ଥିଲେ । କେହି କିଛି ବୁଝିପାରିଲେ ନାହିଁ ।
ହଠାତ ଗାଆଁର ଜଣେ ପାନଦୋକାନୀ ଯିଏ କି ଗାଆଁ ମୁଣ୍ଡ ଛକରେ ପାନ ଦୋକାନ କରିଛି ଧାଇଁ ଧାଇଁ ଆସିଲା । ତାର ଅବସ୍ଥା ଦେଖି ସମସ୍ତଙ୍କ ଛାତିରେ ଛନକା ପଶିଗଲା । ଆରେ କଣ ହେଲା, ସମସ୍ତେ ଏକ ସ୍ୱରରେ କହିଉଠିଲେ ? ଧଁଇ ସଁଇ ହୋଇ କହିଲା, ଆଜ୍ଞା ଦାମ ସାର ଓ ଆଉ କିଛି ବ୍ୟକ୍ତି ଗାଆଁ ପାଖ କ୍ଲବ ଘରେ ବହୁ ବେଳରୁ ଅଛନ୍ତି । କିଛି ସମୟ ପୂର୍ବରୁ ସେଠାରୁ ବହୁ ଜୋରରେ ପାଟି ଶୁଣାଯାଉଥିଲା । ମୁଁ ଡରି ଗଲି, ସେଥିପାଇଁ ଧାଇଁ ଆସିଲି କହିବାକୁ ।
ଏହା ଶୁଣି ସମସ୍ତେ ଅଣନିଃଶ୍ୱାସି ହୋଇ ଧାଇଁଲେ ସେଠାକୁ । ସେମାନଙ୍କ ମଧ୍ୟରୁ କିଏ କିଏ ପୋଲିସକୁ ମଧ୍ୟ ଫୋନ କରି କହିଲେ । ଏକ ଅଜଣା ଡରରେ କିଛି ସମୟ ପରେ ସେଠାରେ ଏକାଠି ହେଲେ । ଦାମ ବାବୁଙ୍କ ପୁଅ ଡରି ଡରି ଯାଇ କବାଟ ବାଡେଇଲା । ସେତେବେଳକୁ ପୋଲିସ ଓ ଡାକ୍ତର ସମସ୍ତେ ଘର ବାହାରେ ପହଞ୍ଚି ସାରିଥିଲେ ।
କିଛି ସମୟ ଡାକିଲା ପରେ କବାଟ ଖୋଲିଲା । ଦାମ ବାବୁ ଓ ତାଙ୍କ ପିଲାଦିନର ବନ୍ଧୁ ତଥା ସହକର୍ମୀ ଶିକ୍ଷକ କିଛି ବାହାରକୁ ଆସିଲେ । ସେମାନେ ଏତେ ଲୋକଙ୍କ ସମାଗମ ବାହାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କେହି କିଛି ନ ପଚାରି ଘର ଭିତରକୁ ପଶିଗଲେ । ଦେଖିଲା ବେଳକୁ ସେଠାରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସାଙ୍ଗକୁ କିଛି ପୁରୁଣା ଗୀତର ସ୍ୱର ଶୁଣାଯାଉଛି । ଏବଂ ସେଠାରେ ଏକ ବ୍ୟାନର ଲାଗିଛି ପୁରାତନ ବନ୍ଧୁମିଳନ ।
ଏହା ଦେଖି ସମସ୍ତ ଯୁବପୀଢି ଯେତେ ଥିଲେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ବୟସ୍କମାନଙ୍କର ଆଧୁନିକତା ଆପଣେଇବାର ଶୈଳୀକୁ ଦେଖି ।
କିଛି ମୁହୂର୍ତ୍ତ ମଧ୍ୟରେ ସେଠାରେ ଏକ ହାସ୍ୟମୟ ପରିବେଶ ସୃଷ୍ଟି ହୋଇଗଲା ।
