STORYMIRROR

Akshaya Dash

Action Classics Inspirational

4  

Akshaya Dash

Action Classics Inspirational

ଆମ ଘର ହାଲ ଚାଲ

ଆମ ଘର ହାଲ ଚାଲ

3 mins
10


ପିଲାବେଳର କଥା। ମୋ ବୋଉ ହାଣ୍ଡିରେ ଭାତ ରାନ୍ଧେ, ଡାଲି କି ତରକାରୀ କରେ। ଯେଉଁଠି ରନ୍ଧା ହୁଏ ତାକୁ ହାଣ୍ଡିଶାଳ କହୁ। ମନ୍ଦିର ପରି ପବିତ୍ର ରଖେ। ଅଧୁଆ ପ୍ରବେଶ ନିଷେଧ। ଥରେ କୁକୁର ଟିଏ ପଶିଗଲା, କଥା ସରିଗଲା। ବୋଉ ହାଣ୍ଡିଶାଳରେ ପଖାଳ ତକ ଆଉ ଯେତେ ସବୁ ହାଣ୍ଡିଥିଲା ସବୁ ବାହାର କରି ବନ୍ଧ ତଳେ ଫିଙ୍ଗି ଆସିଲା। ହାଣ୍ଡିଶାଳ କୁ ଗୋବର କନା ରେ ଲିପିଲା ଆଉ ଠାକୁର ପାଣି ଛିଞ୍ଚି ରୋଷେଇ କଲା। ଏମିତିବି ଶ୍ରାଦ୍ଧ କି ପର୍ବ ପର୍ବାଣୀରେ ହାଣ୍ଡି ବଦଳ ହୁଏ। ହାଣ୍ଡିଶାଳରେ ଘିଅ ପୋଡାଯାଏ ଶ୍ରାଧ ହେଲେ। ନିରାମିଷ ପ୍ରସ୍ତୁତ ହୁଏ। ଆମିଷ ପ୍ରସ୍ତୁତ ନିମନ୍ତେ ବାହାରେ ଗୋଟିଏ ଉଠା ଚୁଲି ଥାଏ। ସେଇ ଚୁଲିରେ ମାଛ, ମାଂସ,ଓ ଶୁଖୁଆ ପୋଡ଼ି ଖାଉ।ଥରେ ସକାଳୁ ଶୁଖୁଆ ପୋଡ଼ି ଆଣି ହାଣ୍ଡିଶାଳରୁ ପଖାଳ ଖାଇବାକୁ କଂସାରେ ବାଢି ଆଣିଲି, ନିଅ ଗାଳି, ସବୁ ହାଣ୍ଡି ମାରା ହେଲା। ଫୋପଡ଼ା ଗଲା। ଲିପା ପୋଛା ହେଲା। ହାଣ୍ଡିଶାଳର ମାଲିକ ବୋଉ। ଏମିତିକି ଝିଅ କି ବୋହୂମାନେ ବୋଉକୁ ପଚାରି ହାଣ୍ଡିଶାଳରେ ପଶନ୍ତି। ଏହି ହାଣ୍ଡି ପାଇବାକୁ ଆମ ଗାଁ ରୁ ପାଞ୍ଚ କୋଶ ପରେ ଭାଲୁଖାଇ ଗାଁର କୁମ୍ଭାର ଆଣି ଦିଅନ୍ତି। ମୋର ବୋଉକୁ ଭଳୁଖାଇର କୁମ୍ଭାର ଅଜା ଦୁଲ୍ଲଭା ହାଣ୍ଡି ଆଣି ବର୍ଷକୁ ତିନିଥର ଦିଅନ୍ତି। ସେ ବୋଉକୁ ଧରମ ଝିଅ କରିଥିଲେ। ଆମ ଘରର ପ୍ରତେକ କାମରେ ତାଙ୍କୁ ଗୁଆ ଦେଉ। ସେ ବେଭାର ଆଣନ୍ତି। ଶୁଦ୍ଧି କ୍ରିୟା ହେଲେ ଘରେ ଥିବା ସମସ୍ତ ହାଣ୍ଡି ଫୋପଡା ଯାଏ। ଅଜାଙ୍କୁ ଖବର ଯାଏ। ସେ ଭାର କରି ହାଣ୍ଡି ଧରି ଆସନ୍ତି। ଅଜାଙ୍କର କଳା ମୁଚୁ ମୂଚୁ ଦେହର ରଙ୍ଗକୁ ବାଣ୍ଠୁରା ଚେହେରା। ସବୁବେଳେ ପାନ କଳରେ ଜାକି ଦାନ୍ତ ଓ ଓଠ ଲାଲ ଦିଶୁଥାଏ। ଭାରି ମଜା କଥା କୁହନ୍ତି। ତାଙ୍କ ଘରକୁ ମୁଁ କେତେଥର ଆସିଛି। ପିଜୁଳିପାକଳ ଆମ୍ବୃତ୍ ଭଣ୍ଡା କଦଳୀ ଖାଇବାକୁ ଦିଅନ୍ତି। ସେ ଏସଂସରରେ ନାହାନ୍ତି, ହେଲେ ତାଙ୍କ ଶ୍ରୁତି ଭୂଲିହେବ ନାହିଁ। 

ବୋଉର ଗୋଟିଏ କଥା, ଖାଦ୍ୟରେ ଈଶ୍ୱର ଥାଆନ୍ତି। ଖାଦ୍ୟ ଯାହା ହେଉନା କାହିଁକି ଶୁଦ୍ଧ ଓ ପବିତ୍ର ମନରେ ରାନ୍ଧିଲେ ତାହା ଅମ୍ବୃତ୍ ହୁଏ। ସତ୍ କଥା, ବୋଉ ଟିକେ ଶାଗ ଖଡକି ଆଣି ଆମକୁ ଆଣି ପରସିଲେ ତାହା ଏତେ ସ୍ଵାଦ, କହିପାରିବିନି। ଖରାଦିନେ ପରିବା ମିଲେନି, ବୋଉ ସଜନା ଶାଗ କୁ ମୁଗ ଡା ଲିରେ ତରକାରୀ କରି ପରଶେ। ବାଡ଼ିରୁ ଟୁଙ୍ଗା ଆଣି ଝୋଳ ପରି ରାନ୍ଧେ ତ ବଢ଼ି ପକେଇ ସଜନା ଛୁଇଁ ତରକାରୀ ଆଜି ଝୁରୁଛି। ସମସ୍ତେ ଜାଣନ୍ତି ମାଆ ହାତ ରନ୍ଧା ସବୁଠୁ ନିଆରା। କିନ୍ତୁ ମୋ ମତରେ ମାଆ ତାର ସନ୍ତାନଙ୍କ ପାଇଁ ସବୁକିଛି ତ୍ୟାଗ କରିଥାଏ। ତନ୍ ମନ ଧନ ଠାରୁ ବଡ ଆତ୍ମା। ପ୍ରତ୍ୟେକ ମା ଙ୍କର ଏହି ମହନୀୟତା ଗୁଣ ପାଇଁ ସେ ଧନ୍ୟା।

ମୋ ବୋଉ ଆଉ ନାହିଁ। ହେଲେ ତାର ରୋଷେଇ କଳା ଊଣା ଅଧିକ ଆମ ପାଖରେ ଅଛି। ତା ପରି ଆଜିକାଲିର ରୋଷେଇ ଘରେ ଆଉ ପବିତ୍ରତା ନାହିଁ। ଏଠାରେ ଆମିଷ ଅଧିକ ନିରାମିଷ କମ୍। ପ୍ରେସର୍ କୁକର, ଗ୍ରାଇଣ୍ଡର, ଫ୍ରିଜର ବାସି ଖାଦ୍ୟ, ଡବା ମସଲା, ଭେଜାଲ ତେଲ, ଆଡ୍ଡା ଜମାଇବା ସହିତ ଆମର ଲାଳସା ସ୍ଵାଦ ହରେଇ ବସିଛି। ସାର ଦିଆ ପନିଁ ପରିବା, ଆନ୍ଦ୍ର ରୋହି, ଦାନା ଖାଉଥିବା ଖାସିର ମାଂସ , ବାଏଲାର କୁକୁଡ଼ା ମାଂସ ଓ ଅଣ୍ଡା ସବୁ ଯେମିତି ଅଭିଶାପ ଦେଇ ଚାଲିଛନ୍ତି। ରେ ମଣିଷ, ତୁ ଆଉ ବେଶୀଦିନର ନୁହଁ।

ଚୁଡ଼ା, ଗୁଡ଼, କଦଳୀ ବୋଧେ ଆଜିକାଲି ରୋଷେଇ ଘରେ ଅଦୃଶ୍ୟ। ତାଙ୍କ ବଦଳରେ ଆଡା ଜମେଇଛନ୍ତି ବିସ୍କୁଟ ଓ ବାର ମଜା। ଚାଆ କେଟିଲ ଓ ଡିବା କ୍ଷୀର। ଖଜିର ଗଛ କିଗୁଣ ଗାଇବି, ମୂଳରୁ ପାହାଚ ପାହାଚ। ଆଜିର ରୋଷେଇ ଘର ଗୋଟିଏ ତେଜରାତି ଦୋକାନ।

ମୋର ବଡ ଭାଇଙ୍କୁ ସତୁରୀ ବର୍ଷ। ସେ ନିଜେ ଏବେ ରୋଷେଇ କରନ୍ତି। ତାଙ୍କ ରୋଷେଇ ଖାଇବାକୁ ଘରକୁ ନିତି ଗୋଟାକ ଭିତରେ ତିନି ଚାରିଜଣ ଆସନ୍ତି। ତାଙ୍କ ହାତ ରନ୍ଧା ଡାଲମା ଖାଈଛି ଯିଏ ଗାଉଛି। ମାଂସ କି ମାଛ ସ୍ଵାଦ ବିରଳ। ରୋଷେଇ କରିସାରି ଟିକେ ଅଗ୍ନି ଶାନ୍ତି କରନ୍ତି। ଖାଇବାକୁ ଦେବାରେ ସେ ବଡ ପ୍ରସନ୍ନ ପାଆନ୍ତି। ରୋଷେଇ କରିବାର କଳାରେ ସେ ପାରଙ୍ଗଡ। ଅନୁମାନ ଖାଇ ଖୁସିହେବା ଲୋକ କମ୍।

ଦିନେ ତାଙ୍କୁ ଟୋକେଇ କୁଣ୍ଡେଇ ଗଛ ଚିନେଇଁ ଦେବାକୁ କହିଲି। ସେ ମତେ ବାଡ଼ିକୁ ନେଇଗଲେ, ଗଛଟି ଦେଖାଇଲେ। ମୁଁ ତାଙ୍କୁ କହିଲି, ଏହାକୁ ଚାଷ କଲେ କେମିତି ହୁଅନ୍ତା। ହସିଲେ, କହିଲେ ଏହାକୁ କିଏ ଚାଷ କରିବାର ମୋର ନଜରକୁ ଆସିନାହିଁ। ଏଠାରେ କହିବସେ, ମୋର ବୋଉ ବର୍ଷା ଦିନ ଫୁଟୁଥିବା ଟୋକେଇ କୁଣ୍ଡେଇ ଫୁଲ ବାଡ଼ କଡ଼ରୁ ତୋଳି ଆଣି ଆମକୁ ରାନ୍ଧି ଖାଇବାକୁ ଦିଏ। ବାସ କି ମଜା, ମାଛ, ମାଂସ ଠାରୁ ସବୁଠାରୁ ଉତକର୍ଷ ସ୍ଵାଦ। ଥରେ ଖାଆନ୍ତୁ ଜାଣିବେ। ଆମେ ଭାଇମାନେଜନକା ଦୁଇକଂଶା ପଖାଳ ଖାଇ ଦେଉ। ଜାଣିବ ସେଦିନ ଆମକୁ ରାଜ ଖାଦ୍ୟ ମିଳିଛି।

 ପ୍ରକୃତି ଆମକୁ ଅମୂଲ୍ୟ ନିଧି ଉତ୍ତମ ଫଳ, ମୂଲ, ଫୁଲ,ଓ ପତ୍ର ଦେଇଛି। ତାକୁ ଖାଦ୍ୟ ରୁପେ ପାଇ ଆମର ଶାରୀରିକ ଓ ମାନସିକ ଆନନ୍ଦ ମିଳେ। ତାହା ଅଶେଷ ସ୍ଵାଦ ଯୁକ୍ତ, କିନ୍ତୁ ଆମେ ବଜାର ର ସ୍ଵାଦ ପଛରେ ଧାଇଛେ। ବିନାଶ କାଳରେ ଆମର ବୁଦ୍ଧି ବିଭ୍ରମ। ପ୍ରଥମ ଭାଗ ଏତିକି। କେମିତି ଲାଗିଲା ଜଣାଇବେ।


Rate this content
Log in

Similar oriya story from Action