Click here for New Arrivals! Titles you should read this August.
Click here for New Arrivals! Titles you should read this August.

Satyaprakash Sethy, M. A(UGC NET)

Horror


3  

Satyaprakash Sethy, M. A(UGC NET)

Horror


ଆମ ଗାଁ ମଶାଣି ପଦର

ଆମ ଗାଁ ମଶାଣି ପଦର

5 mins 270 5 mins 270

ଆମ ଗାଁ ମଶାଣି ପଦର ପଳାଶ ବଣ ଘେରା ବିସ୍ତୀର୍ଣ୍ଣ ପ୍ରାନ୍ତର। ଭାରି ନିଛାଟିଆ ନିକାଞ୍ଚନ ଜଙ୍ଗଲ। ଗାଁଠୁ ଟିକିଏ ଛାଡି ତା’ର ଅବସ୍ଥିତି। ରାତି ହେଲେ କେହି ଏକୁଟିଆ ସେଠାକୁ ଯିବାକୁ କେବେ ସାହସ କରେ ନାହିଁ। ସେଇଠି ପୁଣି ଅଛି ବଡ଼ ବଡ଼ ଦ୍ରୁମ କେଇଟା, ଗଛର କୋରଡ, ଚଢେଇ ଚିରିଗୁଣୀର ବସା। ଭାରି ଭୟଙ୍କର ତା’ର ପରିବେଶ। ଗାଁରେ କେହି ମରିଗଲେ ତାହାରି ଶବ ଉଠେ ସେହି ମଶାଣି ଭୂଇଁକି। ସେଇଠି କେତେ ଯେ ଶବ ପୋତା ହୋଇଛି ତା’ର ହିସାବ ଏଯାଏଁ କେହି ରଖି ନାହିଁ। ଆଉ କେତେକ କଞ୍ଚା ମଣିଷର ଶବ ବି ସେଇଠି ପୋଡ଼ା ହୋଇଛି, ଯେଉଁଠି ହାଡ଼ର ମର୍ମର ଶବ୍ଦ କର୍ଣ୍ଣ ଗୁହା ଭେଦି ଗିରି ଲଂଘେ। ବଡ଼ କରୁଣ ଓ ମର୍ମତୁଦ ସେ ଦୃଶ୍ୟ। ଅନେକ ସ୍ମୃତି ଓ ଅନେକ ଶୋକାକୁଳ ପରିବେଶ, ସତେ କି ସବୁ ସେଇଠି ସେ ଓଜାଡ଼ି ହୋଇ ପଡ଼ିଛି। ହେତୁ ହେଲାଠୁଁ ଏଯାଏଁ ଦେଖିଛି କେତେ ଯେ ଶବ ବୁହା ହୋଇ ସେଇଠିକି ଯାଇଛି। କେତେ ଯେ ହାଡ଼ ମାଂସ ସବୁ ସେ ସେଇଠି ଜମାଟ ବାନ୍ଧିଛି- ତା’ର ହିସାବ କେହି ରଖି ପାରି ନାହିଁ। ତେବେ ସେଇଠାକୁ ଗଲେ ଖାଲି ଯନ୍ତ୍ରଣା ଦଗ୍ଧ ସ୍ମୃତି ଗୁଡ଼ାକ ସବୁ ଥେଇ ଥେଇ ହୋଇ ଆଖି ସାମ୍ନାରେ ନାଚି ଉଠେ। ସେଦିନ ମଦନା ମାଆ ମରିଗଲା ପରେ ସିଏ ବି ସେଇଠି ପୋଡ଼ା ହୋଇଥିଲା। ତା’ରି ପାଖକୁ ପୁଣି ଲାଗିଥିଲା ଆଉ କେତୋଟି ଯୂଇ। ରଡ଼ ରଡ଼ ନିଆଁ, ହାଡ଼ର ଚର୍ବଣ, ମାଂସର ଫୁରୁକିଟିଆ ଗନ୍ଧ ସବୁ ସେ ନାକରେ ବାଜେ। ହରିଆ ବୁଢ଼ା ଓ ଧନୀକ ସାଆଁନ୍ତେ ସେଇଠି ପୋତା ହୋଇଥିଲେ। ମାନ୍ଦ୍ରୁ ମୁଣ୍ଡା ବି କାଠ ଅଭାବରୁୁ ପୋଡା ହୋଇନପାରି ସେଇଠି ପୋତା ହୋଇଥିଲା। ରୋଦନା ମାଆ କଷ୍ଟ ନେଇ ପିଲା ଜନ୍ମ କରି ପାରିଲା ନାହିଁ, ତେଣୁ ମାଆ ଛୁଆ ସେଇଠାରେ ପୋତା ହୋଇଛନ୍ତି। ଯିଏ ମରିଗଲା ସେ ତରି ଗଲା, ସିଧା ସ୍ଵର୍ଗ ପ୍ରାପ୍ତି କରନ୍ତି। କିନ୍ତୁ ଯାହାର ସାଂସାରିକ ମୋହ ମାୟା ତୁଟି ନଥାଏ ବା ଅକାଳ ବିୟୋଗରେ ମୃତ୍ୟୁ ବରଣ କରଥାଏ ସେମାନଙ୍କର ପ୍ରେତାତ୍ମା ସବୁ କୁଆଡେ ସେଇଠି ଘୂରି ବୁଲେ। ରାତି ଅଧରେ ସେମାନେ ଜାଗ୍ରତ ହୋଇ ଉଠନ୍ତି। ସେଇଠି ଡାଆଁଣୀ ଜୀବନ୍ତ ହୋଇ ତା ଛୁଆକୁ ନିଆଁରେ ସେକେ। ଭେଟଣା ହୋଇଗଲେ କଞ୍ଚା ଖାଇଯିବେ। ଲମ୍ବ ଲମ୍ବ ପାଉଲ ବଢାଇ ଧାଇଁ ଆସିବେ। ବେକକୁ ମୋଡି ତଳେ ପକେଇଦେବ। କେତେ ଲୋକ ବେହୋସ୍ ହୋଇଛନ୍ତି। ତେଣୁ କେହି ସାହସ କରନ୍ତି ନାହିଁ। ସେଇଠି ମୁହଁ ସଞ୍ଜ ବେଳେ କୁଆଡେ ଖଡଖାଡ ଶବ୍ଦ ହୁଏ। ଗଛରୁ ପତ୍ର ଝରିଲା ପରିକା ଟେକା ବୃଷ୍ଟି ହୁଏ। ଏକୁଟିଆ ପାଇଲେ ଖପିସ ଦେହରେ ସବାର ହୁଏ। ମାଉଁସ କି ମାଛ ସେଇ ବାଟ ଦେଇ ଧରି ଆସିଲେ ଡାଆଁଣୀ ପିତାଶୁଣୀ ଗୋଡ଼ାଏ। ରାତି ଅଧରେ ବ୍ରହ୍ମ ରାକ୍ଷସ ଜଗି ବସି ଥାଏ। ବାଟ ଓଗାଳେ। ଆଗକୁ ଯିବାକୁ ଦିଏ ନାହିଁ। ଲୋକଙ୍କ ମନରେ ଭାରି ଡର। ରାତି ହେଲେ ସେପଟେ କେହି ଯାଆନ୍ତି ନାହିଁ।

କିନ୍ତୁ ଷ୍ଟେସନରୁ ଓହ୍ଲାଇ ଗାଁକୁ ଯିବା ଆସିବା ବାଟରେ ଆଗ ସେଇ ମଶାଣି ଭୂଇଁ ପଡେ। ତେଣୁ ଘରକୁ ଯେବେ ଆସିବାର ଥାଏ, ଆଗ ଘରକୁ ଓ ଗାଁକୁ ଖବର ଦିଆ ଯାଇଥାଏ। ଗଣ୍ଡେ ଛଅଟା ଲୋକ ଆସି ବାଟ ଯଗିଥାନ୍ତି। ରାତି ଲୋକାଲ ଟ୍ରେନ୍ ଟା ଡେରି ହେଲେ ସେମାନଙ୍କର ସାହାଯ୍ୟରେ ପାଦ ଚଲା ରାସ୍ତା ଦେଇ ଗାଁରେ ପହଞ୍ଚିବାକୁ ହୁଏ। ନୋହିଲେ ବେଳ ଖରାପ ପଡ଼ିଲା ଜାଣ। ଏକାଏକା ଘରକୁ ଆସିବାର ଉପାୟ ନାହିଁ।

ସେଦିନ ଟ୍ରେନଟା ଲେଟ୍ ଥାଏ। ମୁଁ ବି ଘରକୁ ଆସୁଛି ବୋଲି କାହାକୁ କହି ପାରି ନଥାଏ। ହଠାତ୍ କଲେଜରେ ସାଏନ ଡାଏ ହୋଇଯିବାରୁ ଏମିତି ଦିନେ ପଳାଇ ଆସିବାକୁ ମୁଁ ବାଧ୍ୟ ହେଲି। ହେଲେ ଅନ୍ଧକାର କିଟିମିଟିଆ ରାସ୍ତା। କେମିତି ଘରକୁ ଆସିବି କିଛି ବୁଦ୍ଧି ବାଟ ଦିଶୁ ନଥାଏ। ପାଖରେ ତ କେହି ଗାଁ ଲୋକ ନଥାନ୍ତି, ରାତି ଦି’ଘଡ଼ି ହେଲାଣି। ପ୍ରଥମେ ଭାବିଲି ରାତିଟା ଷ୍ଟେସନରେ ବସି ବସି କାଟିଦେବି। ପରେ ସକାଳ ହେଲେ ଘରକୁ ଯିବି। ହେଲେ ପୁଣି ମନରେ ସାହସ ବାନ୍ଧିଲି। ହିମ୍ମତ ହାରିଲି ନାହିଁ। ହାତରେ ସମାନ ପତ୍ର ଧରି ସିଧା ଚାଲିଲି ରାସ୍ତେ ରାସ୍ତେ। ରାସ୍ତାରେ ଚଢେଇଟେ ଉଡି ଗଲେ କି ପତ୍ର ପଡ଼ି ଖସଖାସ୍ ଶବ୍ଦ ହେଲେ ମନରେ ଭିତ୍ତି ସଞ୍ଚାରିତ ହେଉଥାଏ। ଆହୁରୁ ଦ୍ରୁତ ପଦପାତରେ ଆଗକୁ ଆଗକୁ ଧାଇଁ ଚାଲି ଯାଉଥାଏ। ଡରରେ ଦେହରେ ପ୍ରାଣ ନଥାଏ। ମନରେ ଟିକିଏ ଦମ୍ଭ ଥାଏ। ଘର ପାଖରେ ପହଁଞ୍ଚିଲା ବେଳକୁ ଠାକୁବା ପାଖରୁ ଶୁଣିଥିବା କଥା ଗୁଡ଼ାକ ମନେ ପଡ଼ି ଯାଉଥିବାରୁ ମୁଁ ଅଧାମରା ହୋଇ ସାରିଥାଏ। ଘର କବାଟ ବାଡେଇଲି। “କିଏସେ, କିଏସେ” କହି ଆଗ ମାଆ ଓ ପରେ ବାପା ଉଠି ପଡ଼ିଲେ। ମୋ ପାଟି ବାରି କବାଟ ଖୋଲିଲେ। ବହେ ହାଇପ ସାଇପ ହେଲେ। ଏତେ ରାତିରେ କାହିଁକି ଏକୁଟିଆ ଆସିଲୁ, କାହିଁକି ଖବର ଦେଲୁ ନାହିଁ, ବାଟରେ ଭୂତ ପ୍ରେତ କିଛି ଦେଖି ନାହୁଁ ତ – ଏମିତି କିଛି ବ୍ୟସ୍ତଆସ୍ତ ହୋଇ ପ୍ରଶ୍ନ। ଆଗ ଛାଞ୍ଚୁଣିରେ ବହେ ଝାଡି ପକାଇଲେ, ତା ‘ପରେ ଗୁଣିଆ ପାଗଳ ବଡ଼ପାକୁ ଡାକି ଝଡ଼ାଫୁଙ୍କା କଲେ। ମନ୍ତରା ପାଣି ବି ପିଇବାକୁ ଦେଲେ – କାଳେ ଭୂତ ପ୍ରେତ ଦେହରେ ରହି ଯାଇଥିବ ବୋଲି। ଏଇମିତି ବଡ଼ ଅଜବ ସେଦିନର ସ୍ମୃତି, ଯାହା ମୋ କଲେଜ ପଢ଼ିଲା ବେଳର ମୋ ଗାଁର ଅଭୂଲା ସ୍ମୃତି।

ବଡ଼ ହୋଇଗଲା ପରେ ଏବେ ନିରୋଳାରେ ଏକାନ୍ତରେ ବସି ବେଳେ ବେଳେ ଭାବେ ସତରେ କ’ ଣ ଭୂତ ପ୍ରେତ ଅଛନ୍ତି? ଠାକୁବା କହନ୍ତି – କୁଆଡେ ଆଗ କାଳରେ ସବୁ ଥିଲା। ଏବେ ଜଙ୍ଗଲ କାଟି ସଫା କରିଦେଲା ଠାରୁ, ପୁଣି ଗାଁକୁ ବିଦ୍ୟୁତ୍ ଆଲୁଅ ଆଇଲା ଦିନଠାରୁ ସେ ଡାଆଁଣୀ ପିଶାଚ ଗୁଡ଼ାକ କୁଆଡେ ଏ ଜାଗା ଛାଡ଼ି ପଳେଇଲେଣି। ସେମାନଙ୍କ ପାଇଁ ଗାଡି ମୋଟରର ପେଁ ପାଁ ଶବ୍ଦରେ ଏ ଜାଗା ଆଉ ପ୍ରକୃଷ୍ଠ ଜାଗା ହୋଇ ରହି ନାହିଁ।

ଦିନେ କୁଆଡେ ଚେମା ବୋଉ ସଞ୍ଜ ସଂଜୁଆ ନଇ ଆଡ଼େ ଯାଇଥିଲା। ସେହି ଶ୍ମଶାନ ପଦର ପାଖରେ ପହଞ୍ଚିଛି କି ନାହିଁ ତାକୁ ଡାଆଁଣୀ ଗୋଡାଇଲା। ସେ ଦୌଡ଼ି ଦୌଡ଼ି ଆସି ଘର ପାଖରେ ଅଛାଟ ହୋଇ ପଡିଗଲା। ତା’ର ହୋସ୍ ନଥାଏ। ପାଣି ଛାଟି ସ୍ରାଷ୍ଟମ କଲାଠୁଁ ହୋସ୍ କୁ ଆସିଲା। ତିନି ଦିନ ତିନି ରାତି ଜ୍ଵର ରହିଲା। ଖାଲି ବାଉଳି ଚାଉଳି ହେଉଥାଏ। ପୁଣି ଗୁଣିଆ ଡାକି ଝାଡିଲାଠୁଁ ଭଲ ହେଲା।

ସେମିତି ଆଉ ଦିନେ ଧଡ଼ିଆ ବାପା ଖାସି ମାଂସ ଧରି ବଜାରରୁ ଘରକୁ ଫେରୁଥିଲା। ବାଟରେ ଡେରି ହୋଇଯିବାରୁ ରାତି ହୋଇଗଲା। ଏକୁଟିଆ ଦେଖି ଆଇଁଷ ବାସନାରେ ବ୍ରହ୍ମ୍ ରାକ୍ଷସଟା ତା ପିଛା କଲା। ଖାଲି ବାଟ ଛେକୁଥାଏ। ସେ ଖଣ୍ଡେ ମାଂସ ଖୋଲି ଦୂରକୁ ଫିଙ୍ଗି ଦେଉଥାଏ। ବ୍ରହ୍ମ୍ ରାକ୍ଷସ ଖାଉ ଖାଉ ସେ କିଛି ବାଟ ଚାଲି ଆସେ। ଖାଇ ସାରି ପୁଣି ଗୋଡାଏ, ଆଗ ଛେକେ। ପୁଣି ଖଣ୍ଡେ ଫିଙ୍ଗି ଦେଲେ କିଛି ବାଟ ଚାଲି ଆସେ। ଏଇମିତି ଘର ପାଖରେ ପହଞ୍ଚିଲା ବେଳକୁ ଝୁଲି ମୁଣିରେ କିଲେ ମାଉଁସରୁ ଆଉ ଅଢେଇ ସହ ସରିକେ ଥାଏ। ଏକା ବେଳକେ ସେ ଯଦି ସବୁ ମାଂସ ଫିଙ୍ଗି ଦେଇଥାନ୍ତା, ତାହାଲେ ସେତକ ମାଉଁସ ଖାଇ ସାରି ବ୍ରହ୍ମ୍ ରାକ୍ଷସ ତାକୁ ଗୋଟାପୁଣି କଞ୍ଚା ଚୋବାଇ ଯାଇଥାନ୍ତା। ତା’ର ବୁଦ୍ଧି ଥିଲା ବୋଲି ସେଦିନ ସେ ବ୍ରହ୍ମ୍ ରାକ୍ଷସ କବଳରୁ ମୁକ୍ତି ପାଇଲା।

ଆଉ ଦିନେ ସେମିତି ଚଇତା ଓ ସଇତା ଦୁଇ ସାଙ୍ଗ ରାତିରେ କଥା ହୋଇଥିଲେ-ଭୋରରୁ ଉଠି ଯାଇ ଚଉକା ବୋହି ମାଛ ଧରିବା ପାଇଁ। ଏ କଥା କୁଆଡେ ବହୁରୂପି ଖପୀଶ ଶୁଣି ପାରିଥିଲା। ତେଣୁ ସେ ରାତି ଅଧାରୁ ସଇତା ରୂପ ପରିଗ୍ରହଣ କରି ହାତରେ ପାଣି ବୁହା ଜନ୍ତ୍ର ଶେଣୀ ଖଣ୍ଡେ ଧରି ଚଇତାକୁ ଡ଼ାକିଲା । ଚଇତା ବି ହାତରେ ଦଣ୍ଡୁରୀ (ମାଛ ପୂରାଇ ରଖିବା ପାତ୍ର) ଓ ମୁଣ୍ଡୁଳି ଜାଲ ଧରି ଘରୁ ବାହାରି ଆସିଲା। ଚଉକାରୁ ଶେଣୀରେ ଡବ ଡବ କରି ପାଣି ବୋହି ଲା। ଚଇତା ଯେତେ କଥା କହୁଥାଏ ବା ପ୍ରଶ୍ନ ବାଢ଼ୁଥାଏ – ସେ କିଛି ଉତ୍ତର ରଖୁ ନଥାଏ। ଖାଲି ହଁ ଢ଼ଁ ସିନା ମାରୁଥାଏ, ହେଲେ ପାଟି ଖୋଲୁ ନଥାଏ। କାରଣ ସେ ସଇତା ନୁହଁ ଭୂତ। ଏ କଥା ଜାଣି ପାରି ଆହୁରି କୁହ! ଚଇତା ଗୋଡ଼ରେ ଚଉକାରେ ଘଳିଆ ପକାଇ ଦେଲା। ଫଳରେ ଯେତେ ପାଣି ବୁହା ହେଉଥାଏ ସେତେ ପାଣି ପୁଣି ଚଉକା ଭିତରକୁ ପଶି ଆସୁଥାଏ। ନୋହିଲେ ପାଣି ବୁହା ସରିଯାଇଥିଲେ ଭୂତ ତାକୁ ମାଡ଼ି ବସି ମାରି ଦେଇଥାନ୍ତା। ସାହସ ଓ ବୁଦ୍ଧି ଥିଲା ବୋଲି ସେ ବଞ୍ଚିଗଲା। ରାତି ପାହି ଆସିଲା ବେଳକୁ ସଇତା ଖୋଜି ଖୋଜି ଆସି ପହଞ୍ଚିଗଲା। ତେଣୁ ଭୂତ ଛାଡ଼ି ପଳାଇ ଗଲା।

ଏଇମିତି ଅନେକ କଥା ଅଛି ଠାକୁବା କହୁଥିଲେ। ତେବେ ଆଜି କାଲି ସେ ସବୁ କଥା ଆଉ ନାହିଁ। ଏ କଥାରେ କେତେଦୂର ସତ୍ୟତା ରହିଛି ତାହା ଆପଣମାନେ ଠିକ୍ ସେ ଜାଣିଥିବେ। ହେଲେ ହୁଏତ ଠାକୁବା ଆଉ ଟିକିଏ ଫିଟାଇ କହିଥିଲେ ମୁଁ ଟିକେ ଭଲ ଭାବେ କଥାଟା ବୁଝିଥାନ୍ତି। ହେଲ ସେଦିନ ଏହି ଗାଉଁଲି ଲୋକମାନଙ୍କର ସରଳ ବିଶ୍ବାସ ବୋଧକୁ ମୁଁ ବା କେମିତି ସହଜରେ ଏଡ଼ାଇ ଯାଇ ପାରିଥାନ୍ତି?


Rate this content
Log in

More oriya story from Satyaprakash Sethy, M. A(UGC NET)

Similar oriya story from Horror