ଆମ ଗାଆଁ ବଦଳି ଯାଇଛି
ଆମ ଗାଆଁ ବଦଳି ଯାଇଛି




କେବେ ଯଦି ଆମ ଗାଆଁ ଆଡକୁ ଆସିବାର ପ୍ରୋଗ୍ରାମ ହୁଏ, ତେବେ ଟିକିଏ ସମୟ ବାହାରକରି, ଦୁଇ ମିନିଟ୍ ପାଇଁ ଆମ ଘରଆଡେ ଆସିବ, ଥରେ ମୁହଁ ମାରିଦେଇ ଯିବ । ବହୁତ ଦିନ ପରେ ଆସୁଛ, ସବୁକିଛି ମନେଥିବ କି ନାହିଁ, ତେଣୁ ତୁମକୁ ଦି'ପଦ ଆଗୁଆ କହିରଖେ, ଯେପରି ଘର ଖୋଜିବାରେ କିଛି ଅସୁବିଧା ନହେବ । ଆଗୁଆ କହି ଦେବାଟା ଠିକ୍ ହେବ । ବହୁତ କିଛି ବଦଳି ଯାଇଛି ଏଇ ଜନପଦରେ ।ଶଯେମିତି ସମୟ ସହିତ ସମସ୍ତେ ବଦଳି ଯାଆନ୍ତି । ଟିକିଏ ବର୍ଷା ହେଲେ ରାସ୍ତାଘାଟ ଆଉ କାଦୁଅରେ ପଚ୍ ପଚ୍ ହଉନି ଆମ ଗାଆଁରେ, ଝଡି ବର୍ଷାରେ ରାସ୍ତାମଝିରେ ଆଉ ଝର ଫିଟି ଯାଉନି । ବର୍ଷା ହେଲେ ଗାଆଁ ମଝିଦାଣ୍ଡରେ ଆଗରୁ ଯେମିତି ପାଣିର ସୁଅ ଚାଲୁଥିଲା, ଆମେ ସେ ପାଣିରେ କାଗଜ ଡଙ୍ଗା ଭସେଇ କେତେ ମଜା କରୁଥିଲୁ, ବର୍ଷାରେ ଭିଜି ଭିଜି କାଗଜ ଡଙ୍ଗା ପଛରେ ଗୋଡେଇ ଗୋଡେଇ ଯାଉଥିଲୁ, କାହା ଡଙ୍ଗା ଓଲଟିଗଲା, କାହାର ସିଧା ଆଗକୁ ଚାଲିଗଲା ଦେଖିବାକୁ । ଏବେ ଆଉ ସେମିତି ପାଣି ବୋହୁନି ଗାଆଁ ମଝିଦାଣ୍ଡରେ । ପିଲାବି ନାହାନ୍ତି କାଗଜ ଡଙ୍ଗା ଭସେଇବା ପାଇଁ । ଗାଆଁ ରାସ୍ତାସବୁ ସିମେଣ୍ଟ କଂକ୍ରିଟ ହୋଇ ଯାଇଛି, ବର୍ଷାପାଣି ଏବେ ରାସ୍ତା କଡ ଡ୍ରେନ୍ ରେ ବୋହୁଛି । ବର୍ଷାପରେ ରାସ୍ତା ଏକଦମ ଶୁଖିଲା, ପାଦରେ ପାଣିବି ଲାଗୁନି ।
ଗାଆଁରେ ଏବେ ଚାଳଘର କଁ ଭାଁ ଗୋଟେ ଅଧେ କେଉଁଠି କେଇମିତି ଦିଶିଯିବ, ବାକି ସବୁ କୋଠାଘର ହୋଇଗଲାଣି । ମୋ ଘରଟି କିନ୍ତୁ ଯେଉଁଠି ଥିଲା, ସେଇଠି ସେଇମିତି ମିଳିଯିବ ତୁମକୁ । ସେଇ ପୁରୁଣା ଧୁସର ନଡା ଛପର ଚାଳ, ଝାଟି ଆଉ ମାଟିବୋଳା କଚ୍ଚାଘର । ନାଲି ରଙ୍ଗମାଟିର ଲିପା ଚିକ୍କଣ କାନ୍ଥ, କାନ୍ଥରେ ଚାଉଳ ପିଠଉର ଚିତା, ଶେଷ ମାଗୁଶିର ଗୁରୁବାର ପାଇଁ, ଭାଉଜ ପକେଇ ଥିଲା, ଏବେଯାଏ ସେମିତି ଝଟକୁଛି । ତୁମେ ଆସିଲେ ନିଶ୍ଚୟ ଦେଖିବ । ଗୋବରରେ ଲିପା କସରା କଳା ରଙ୍ଗର, ଚିକ୍କଣିଆ ଉଚ୍ଚା ପିଣ୍ଡା, ଏବେ ବି ଗୋବରର ବାସ୍ନା ମହକି ଉଠେ । ସେ ମହକ ସତେ ଆତ୍ମାରେ ଛୁଇଁଯିବ । ତୁମେ ଯେବେ ଆସିବ ମୋତେ ମୋ ପିଣ୍ଡା ଉପରେ ସେଇ ଶିଶୁକାଠର ପୁରୁଣା ଆରାମ ଚୌକିରେ ଖଣ୍ଡେ ପୁରୁଣା ବହି, ଅବା ବାସି ଖବର କାଗଜ ଧରି ଧୋବ ଫରଫର ଧୋତିପିନ୍ଧା ଲୋକଟିଏ ବସିଥିବାର ଦେଖିବ । ସେ ଆଉ କେହି ନୁହେଁ ମୁଁ ଥିବି । ମୋତେ ଛାଡିଦେଲେ ଧୋତି ପଞ୍ଜାବୀ ପିନ୍ଧୁଥିବା ଲୋକ ଆମ ଗାଆଁରେ ଆଉ କେହି ନାହାନ୍ତି ।
ଏବେ ଏଇ ଗାଆଁରେ ତୁମକୁ ଦେଖି କେତେ ଜଣ ଚିହ୍ନି ପାରିବେ କେଜାଣି, ତୁମେ ବି ଚିହ୍ନି ପାରିବନି କେତେ ଲୋକଙ୍କୁ । କାଲି ଯେଉଁ ଛୁଆସବୁ ଏଇ ଗାଆଁ ଦାଣ୍ଡରେ ଲଙ୍ଗଳା ହୋଇ ବୁଲୁଥିଲେ, ଏଇ ଦାଣ୍ଡରେ ଗୁଲିଦଣ୍ଡା, ବାଟି କି କବାଡି ଖେଳୁଥିଲେ, ଆଜି ସେମାନଙ୍କର ପିଲାମାନେ ବି ବଡ ବଡହୋଇ ଫୁଲ୍ ପେଣ୍ଟ ପିନ୍ଧା ବାବୁ ହୋଇଗଲେଣି । କିଏ ସ୍କୁଲ ତ କିଏ କଲେଜରେ ପଢିଲେଣି । ଏବେ ମୋଟର ସାଇକେଲରେ ଗାଆଁରେ ଚକ୍କର କାଟୁଛନ୍ତ । ଆମର କେତେ ସାଙ୍ଗସାଥି ଏବେ ଆଉ ନାହାନ୍ତି । ଗଲା ମାସରେ ମଦନ ଭାଇ ଚାଲିଗଲେ । ବ୍ଲଡ ପ୍ରେସର ବଢି ପାରାଲିସିସ୍ ହୋଇଯାଇଥିଲା ତାଙ୍କୁ । ପିଲାମାନେ ସହରରେ ରହୁଛନ୍ତି, ବୁଢାବୁଢି ଦି'ଜଣ ରହୁଥିଲେ ଗାଆଁରେ । ପୁଅ ଝିଅମାନେ କେବେ କେମିତି ଆସୁଥିଲେ, ଦେହ'ପା ଖବର ବୁଝିଯାଉଥିଲେ । ସହରରୁ ଔଷଧପତ୍ର ଆଣି ଦେଇଯାଉଥିଲେ । ବୁଢିପାଖରେ ମୋବାଇଲ ଫୋନଟିଏ ବି ଦେଇଥିଲେ । ଯେତେବେଳେ ବେଶି ଜରୁରିହେବ ଫୋନ କରିବାକୁ କହିଥିଲେ । ହଠାତ୍ ଦିନେ ରାତିରେ ମଦନ ଭାଇର ଦେହ ବେଶି ଖରାପ ହେଲା, ଭାଉଜ ଫୋନ କଲାରୁ ବଡପୁଅ ଆସି କଟକ ନେଇଯାଇଥିଲା, ବଡ ଡାକ୍ତରଖାନାରେ ଦୁଇ ଦିନ ରହି ଶେଷରେ ମଦନଭାଇ ଚାଲିଗଲା । ଗାଁରେ ଅଳ୍ପବହୁତ ସମସ୍ତଙ୍କର ଖବର ସେମିତି ଏକାପରି । ଜୀବନ ସାରା ଗଧ ପରି ଖଟି ଖଟି, ପାଠଶାଠ ପିଲା ମାନଙ୍କୁ ବଡ କଲେ, ହେଲେ ଏଇ ବୁଢା ବୟସରେ ପିଲାଙ୍କଠାରୁ ଦୂରରେ ଏକୁଟିଆ ନିର୍ବିସିତ ଜୀବନ କାଟୁଛନ୍ତି । ପିଲାଏ ଭାବୁଛନ୍ତି କିଛି ଟଙ୍କା ପଇସା ପଠେଇଦେଲେ ମାଆ ବାପାଙ୍କ ପାଇଁ ତାଙ୍କ ଦାୟିତ୍ୱ ଶେଷ ହୋଇ ଯାଉଛି । ମାଆ ବାପା କଣ କେତେଟା ଟଙ୍କାପାଇଁ ପିଲାଙ୍କୁ ପାଠଶାଠ ପଢାଇ ବଡ କରିଥାଆନ୍ତି । ସେମାନଙ୍କର ସ୍ନେହ ମମତାର ମୂଲ୍ୟ କିଛି ନାହିଁ ? ପିଲାଏ କେମିତି ବୁଝିବେ, ଏ ବୁଢା ବୟସରେ ମାଆ ବାପା ଟଙ୍କା ପଇସା ନୁହେଁ ପିଲାଙ୍କ ସାହଚର୍ଯ୍ୟ, ସେମାନଙ୍କ ଠାରୁ ଟିକିଏ ସେବା ଆଦର ପାଇବା ପାଇଁ ବ୍ୟାକୁଳ ହୃଦୟରେ ଚାହିଁ ରହିଥାଆନ୍ତି । ପିଲାଏ ପାଖରେ ଥିଲେ ବାପା ମାଆଙ୍କୁ କେବେ ଲାଗେନା ସେମାନେ ବୁଢା ହୋଇଗଲେଣି ବୋଲି । ପୁଅ ଝିଅ ପାଖରେ ଥିଲେ କେତେ ସାହାସ ଆସେ ମନରେ । ନାତି ନାତୁଣୀଙ୍କ ସାଥିରେ ଦି'ଘଢି ହସି ଖେଳି ଦେଲେ ଏ ବୁଢା ବୟସରେ ସେମାନେ ପୁଣି ଥରେ ପିଲାଟିଏ ପରି ହୋଇଯାଆନ୍ତି । ଏଇ ଟିକିଏ ଆନନ୍ଦ ପାଇବା ଦେଖିଲେ, ଯମ ବି ମାଆ ବାପାଙ୍କ ବୟସରେ ଆଉ କେଇଟା ଦିନ ଯୋଡିଦେଇ ଯାଏ ।
ତୁମର ମନେଥିବ ବନ୍ଧୁ, ଆମ ଘର ସାମ୍ନା ଦାଣ୍ଡରେ, ଯେଉଁଠି ହଳେ କାଳିଆ କସରା ବଳଦ ବନ୍ଧା ହେଉଥିଲେ, ତାର ଟିକେ ଆଗକୁ ଖାଲି ଶଗଡ ଗାଡିଟାଏ ଦି'ପହର ସାରା ସେମିତି ଠିଆହୋଇ ରହୁଥିଲା । ସେଇ ଶଗଡ ଦଣ୍ଡାରେ ବସି କେତେ ମସ୍ତି କରୁଥିଲେ ଆମେ । ଏବେ ସେଇଠି କାହାର ଗୋଟେ, ମାରୁତି କାର ଠିଆ ହେଉଛି । ଆଜି କାଲି ଗାଆଁରେ ଲୋକବାକ ଚାଷକାମ ଛାଡି ସାରିଲେଣି, ଆଉ କାହା ପାଖରେ ହଳ ବଳଦ ନାହିଁ, କି ଶଗଡ ବି ନାହିଁ । ପିଲାମାନେ ସବୁ ସହରରେ, ଗାଆଁରେ ଘର ଛପର କି ଚାଷକାମ ପାଇଁ ମୂଲିଆ ମିଳୁ ନାହାନ୍ତି । ଟଙ୍କିକିଆ ଚାଉଳ ଖାଇ କାମିକା ଲୋକ ଗୁଡାକ ଅଳସୁଆ ହୋଇ ସାରିଲେଣି । ସବୁତ ମାଗଣା ମିଳୁଛି, ଗାଆଁ ଗାଆଁରେ ମଦ ଦୋକାନ । ପେଟରେ ଭୋକଥିଲେ ସିନା କିଏ କାମ କରିବାକୁ ଯିବ । ମାଗଣା ସବୁ ମିଳିଗଲେ କିଏ କାହିଁକି ହାତ ହଲେଇବ । ଗାଆଁରେ ଚାଷ ଜମି ସବୁ ପଡିଆ ପଡିଛି । ସମସ୍ତେ ଭାବୁଛନ୍ତି ଚାଷ ନହେଲେ ନାହିଁ, ବଜାରରେ ସବୁକିଛି କିଣିବାକୁ ତ ମିଳୁଛି, ଚାଷକରିବା କଣ ଦରକାର ? କିନ୍ତୁ କହିଲ ଦେଖି, ସମସ୍ତେ ଯଦି ଏମିତି ଭାବି ଚାଷ ଛାଡିଦେବେ, ତେବେ ବଜାରକୁ ଏତେସବୁ ଜିନିଷ ଆସିବ କେଉଁଠୁ ?
ତୁମେ ତ ଜାଣିଛ, ଆମ ଗାଁ ଚାରିପାଖେ ଚାରୋଟି ପୋଖରୀ । ପୋଖରୀରେ ଗାଧୋଇବା ପାଇଁ ନୁଆବୋହୁ ଆଉ ତୁଠକୁ ଯାଉନି । ପୋଖରୀ ତୁଠରେ ସେ ଗହଳ ଚହଳ, ନଣନ୍ଦ ଭାଉଜଙ୍କ ଟାହି ଟାପରା ଆଉ ଶୁଭୁନି । କାହାଘର ବୋହୁ କ'ଣ କଲା, କାହା ଘରେ କ'ଣ ହେଲା କିଛି ଚର୍ଚ୍ଚା ହୁଏନି । ପୋଖରୀ କୁଳର ତୁଠପଥର ଏବେବି ବାହୁନୁଛି, ନହୁଲି ବୟସର ବଧୁଲି ବୋହୁର ନରମ ପାଦର ପରଶ ଟିକିଏ ପାଇଁ, ରୁଣୁଝୁଣୁ ପାଉଜିର ମଧୂର ସଙ୍ଗୀତ ଶୁଣିବା ପାଇଁ । ଘରେ ଘରେ ଗଧୁଆଘର ପାଇଖାନା ସବୁ ହୋଇଗଲାଣି । ଆମେ ସଭ୍ୟତା ଦିଗରେ ବହୁତ ଆଗକୁ ମାଡି ଗଲୁଣି । ହେଲେ ଗ୍ରାମ୍ୟ ଜୀବନର ସେଇ ସରସତା ମଧୁରତା ଆପଣା ପଣ ସବୁ ଯେପରି ଇତିହାସ ହୋଇଯାଉଛି । ଆମେ ଯେତେଦିନ ବଞ୍ଚିଛେ, ଆମ ନାତି ନାତୁଣୀ ମାନଙ୍କୁୁ ଶୁଣେଇ ଯିବା ଏସବୁ କଥା। ହେଲେ ସେମାନେ କଣ ଏସବୁ ଶୁଣିବେ ? ନା ଶୁଣିଲେ ବିଶ୍ୱାସ କରିବେ ? ବିଶ୍ୱାସ କଲେ ବି ନାକ ଟେକିବେ, କହିବେ ପୋଖରୀର ସେଇ ଅସନା ପାଣିରେ କିଏ କଣ ଗାଧାଏ? ଏସବୁ ଅନହାଇଜିନିକ । ହେଲେ ସେ କଣ ବୁଝିବେ, କେଉଁ ଯୁଗରୁ ଆମ ବାପା ଜେଜେବାପା ଏଇ ପାଣିରେ ଗାଧୋଇଛନ୍ତି, ହେଲେ କେହିକେବେ ପାଣିଲାଗି ବେମାର ପଡିନି । ଧୋବା ତୁଠ କିନ୍ତୁ ଏବେବି ଅଛି ସେଇଠି । ଦି'ପହରରେ ଧୋବା ଧୋବଣୀ ଲୁଗା ପିଟୁଥିବାର ଦେଖିବ। ହୁଡା ଉପରେ ମାଟି ହାଣ୍ଠିରେ ଖାରସୋଡା ପାଣିରେ ଲୁଗା ଶିଝୁଥିବା ଦେଖିବ । ଧୋବ ଫରଫର ଲୁଗା ସୁଖୁଥିବାର ଦେଖିବ ।
ସେଇ ପୋଖରୀରେ ଏବେବି ପଞ୍ଚାୟତି ମାଛଚାଷ ହୁଏ । ଖରା ଦିନେ ଯଦି ଆସିବ ଆମ ଗାଆଁର ସୁଆଦିଆ ମାଛ ତିଅଁଣ ଖାଇବ । ଯଦି ଅନ୍ୟଦିନ ମାନଙ୍କରେ ଆସିବ ତେବେବି ଚିନ୍ତାନାହିଁ, ଗାଆଁରେ ଏବେ ଗୁରୁବାରକୁ ଛାଡିଦେଲେ, ସବୁଦିନ ସବୁକିଛି ମିଳି ଯାଉଛି, ମାଛ ମାଂସ ବଏଲର ଚିକେନ ଅଣ୍ଡା ସବୁକିଛି । ଆଇଁଶ ଟିକିଏ ଖାଇବାପାଇଁ ଆଉ ସାପ୍ତାହିକ ହାଟପାଳି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁନି । ଗାଁମୁଣ୍ଡର ସେଇ ଛୋଟ ବଜାରଟି ଏବେ ବଡ ହୋଇଗଲାଣି । ସବୁ ଦିନ ସବୁକିଛି ମିଳିଯାଉଛି । ସପ୍ତାହରେ ମଙ୍ଗଳବାର, ଶୁକ୍ରବାର ହାଟ ଏବେବି ଲାଗୁଛି ।
ଆଜିବି ମନେପଡେ ପିଲାଦିନ କଥା । ମାଆ ବାପାଙ୍କୁ କୁହେ, ଏତେ ବଡ ପରିବାର ଖାଇବାକୁ, ହାଟ ପରିବା ପାଇଁ ପାଞ୍ଚଟଙ୍କା ଦିଅ, ହାଟରୁ ପରିବା ନଆଣିଲେ ଏ ଗାଆଁରେ କିଛିବି ମିଳିବନି । ପାଞ୍ଚଟଙ୍କା ହାତରେ ଧରେଇଦେଇ ମାଆ ମୋତେ, ହାଟକୁ ପଠେଇଦିଏ । ଗଲାବେଳେ ବଡ ବଡ ଦୁଇଟା ବ୍ୟାଗ୍ ହାତରେ ଧରାଇ ଦିଏ । ହାଟ ସଉଦା ବଡ କଷ୍ଟକର କାମ, ଦଶ ଜାଗା ଦାମ ବୁଝ, ଭଲ ଭଲ ପରିବା ଶସ୍ତାରେ ବାଛି ବାଛି କିଣ । ପାଞ୍ଚ ଟଙ୍କା ପରିବାରେ ଦୁଇବ୍ୟାଗ ପୁରା ହୋଇଯାଉଥିଲା, ତଥାପି ଆଠଣି ଚାରଣି ପକେଟ ଖର୍ଚ୍ଚ ବଞ୍ଚିଯାଉଥିଲା । ହାଟସାରି ଯେତେବେଳେ ମୁଁ ଘରକୁ ଫେରେ, ବ୍ୟାଗ ଦୁଇଟା ପରିବାରେ ଭରିଯାଇଥାଏ । ମୁଁ ଉଠାଇ ପାରେନି, ବଡ କଷ୍ଟରେ କୁନ୍ଥେଇ କୁନ୍ଥେଇ ଘରେ ପହଞ୍ଚେ । ମନେ ମନେ ଖୁବ୍ ରାଗିଯାଏ, ମାଆ ବାପାଙ୍କୁ ମନେମନେ କେତେ କଥା ବକିଯାଏ । କହେ ପିଲାଟା ଉପରେ ଟକିଏ ହେଲେ ଦୟା ନାହିଁ କାହାର । ମୁଁ ପରା ଛୋଟ ପିଲାଟିଏ, ଛୋଟ ପିଲାଙ୍କୁ ପାଞ୍ଚ ଟଙ୍କାର ପରିବା ଆଣିବା ପାଇଁ କିଏ କଣ ହାଟକୁ ପଠାଏ ? ପାଞ୍ଚ ପାଞ୍ଚ ଟଙ୍କାର ପରିବା ପାଇଁ ଯାହା ମାଆ ମୋତେ ହାଟକୁ ପଠାଇ ଦିଅନ୍ତି ।
ହେଲେ ବନ୍ଧୁ, ଆଜି ଆଉ ସେଇକଥା ନାହିଁ, ଭାବିଲେ ଗପ ପରି ଲାଗୁଛି । ପରିବାର ଛୋଟ ହୋଇଗଲା । ଏବେ ତ ଘରେ ଆମେ ଦୁଇଜଣ, ପିଲାମାନେ ସବୁ ସହରରେ ରହୁଛନ୍ତି । ହେଲେ ପରିବା ମହଙ୍ଗା ହୋଇଗଲାଣି । ହାଟ ପାଳିରେ ଘରଣୀ ଦୁଇଶହ ଟଙ୍କା ଧରେଇ ଦିଅନ୍ତି, ଆଉ ବ୍ୟାଗ କେବଳ ଗୋଟିଏ ଦିଅନ୍ତି । କୁହନ୍ତି ବୁଢା ହୋଇ ଗଲଣି, ବେଶି କିଛି ବୋହି ପାରିବନି, ଏତିକି ଟଙ୍କାରେ ଅଧା ମୁଣି ଭରିଯିବ, ଆଣିବାକୁ ତୁମକୁ କଷ୍ଟ ବି ହେବନି । ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ପରିବା ଦାମ ବଢିଗଲା ନା ପଇସାର ମୂଲ୍ୟ କମିଗଲା ।
ଏବେ ଆମ ଗାଆଁ ଆଉ ଗାଆଁ ପରି ଲାଗେନି, ଛୋଟ ମୋଟ ସହରରେ ବଦଳି ଗଲାଣି, ସହରକୁ ଯିବାପାଇଁ ବସ୍ ଲାଗି ଏବେ ଆଉ ନୂଆ ବୋହୁକୁ ପାଞ୍ଚ କୋଶ ଶଗଡରେ ଯିବାକୁ ପଡୁନି । ଆଜିବି ମନେପଡୁଛି, ପିଲାଦିନେ ମାମୁଁ ଘରକୁ ଯିବାକୁ ହେଲେ, ସକାଳ ଚାରିଟାରୁ ଉଠିବାକୁ ପଡୁଥିଲା । ହଳିଆ ଶଗଡଗାଡି ସଜାଡିଦିଏ । ସେଥିରେ ବସି ପାଞ୍ଚ ମାଇଲିଯାଏ ଯିବାକୁ ହୁଏ । ସେଇଠି ଗୋଟିଏ ସ୍କୁଲ ଥିଲା ସେତେବେଳେ । ସେଇ ସ୍କୁଲ ବାରଣ୍ଡାରେ ଆମେ ବସି ଅପେକ୍ଷା କରୁ । ସକାଳ ଛଟା ବେଳେ ଗୋଟିଏ ବସ୍ ଆସେ, ସେଥିରେ ବସି ଆମେ ମାମୁଁ ଘରକୁ ଯାଉ । ଯଦି ସେ ବସ ଫେଲ ହୋଇଗଲ, ତାହେଲେ ଆଉ ବସନାହିଁ ସେଦିନ । ପୁଣି ଆସନ୍ତା କାଲି ମିଳିବ ବସ । ତେଣୁ ଆଗୁଆ ବାହାରିବାକୁ ପଡେ । ଏବେ ପିଲାଏ ସହରକୁ କଲେଜ ପଢିବା ପାଇଁ ଯାଉଛନ୍ତି । ପୁଅ ଛୁଟିରେ ଘରକୁ ଆସିଲେ ସହର ଫେରିବା ପାଇଁ ବସ ଧରିବାକୁ ସାଇକେଲ ଖୋଜା ପଡେନି, ବସଯାଏ ଯିବାପାଇଁ । ଗାଆଁରୁ ଏବେ ତିନି ଟାଇମ ସହର ବସ ଆରାମରେ ମିଳିଯାଉଛି ।
ତୁମ ସହରର ସୂର୍ଯ୍ୟ ପରି, ମୋ ଗାଆଁ ସୁରୁଜ, ବେଳ ଉଛୁର ଯାଏ ଶୋଇ ରୁହେନାହିଁ । ମୋ ଗାଆଁର ଚଞ୍ଚଳିଆ କାଉ, ସିନ୍ଦୁରା ଫିଟିବା ଆଗରୁ, ସୂରୁଜ ଉଇଁବା ଖବର କହିଦେଇ ଯାଏ । ନୂଆ ବୋହୁ ମାଛି ଅନ୍ଧାରରୁ ଉଠି ଅଗଣାରେ ଝାଡୁଲଗାଇ ଗୋବରର ପିଣି ସିଞ୍ଚିଦିଏ । ଏବେ ବି ସେମିତି ସହଳ ସକାଳୁ, ହଳ ବଳଦଙ୍କ ସଙ୍ଗରେ କ୍ଷେତ ଯୋଚିବାକୁ ଚାଷି ଟାକରା ଫୁଟାଇ ବାହାରିଯାଏ । ସଂଜ ସକାଳେ ସେଇମିତି ମନ୍ଦିରରେ ଘଣ୍ଟ ଘଣ୍ଟା ମୁର୍ଦ୍ଦଳ ବାଜେ, ଚଉରା ମୂଳରେ ବୃନ୍ଦାବତୀଙ୍କ ପାଖରେ ସଂଜ ସଳିତା ଜଳେ ।
ଗାଆଁରେ ଏବେବି ବାର ମାସରେ ତେର ଜାତ ହେଉଛି । ରଥଯାତ୍ରା, ଦୋଳ ମେଲଣ, ରାସନାଚ, ପଣା ସଂକ୍ରାନ୍ତି ଆଦି । ଆଜି କାଲି ବଡ ଧୂମ ଧାମରେ ହେଉଛି ସବୁ ଜାନିଜାତରା । ସହରରୁ ପିଲେ ଛୁଟିରେ ଘରକୁ ଆସନ୍ତି, କିଛିଦିନ ପାଇଁ ଗାଆଁ ପୁଣି ଭରପୁର ଲାଗେ, ଗହଳ ଚହଳ ହୁଏ, ପିଲାମାନଙ୍କୁ ପାଖରେ ପାଇ ମାଆ ବାପାଙ୍କର ଗୋଡ ତଳେ ଲାଗେନି । ମାଆ ଜାଣିଥାଏ ପୁଅକୁ କଣ ଖାଇବାକୁ ଭଲ ଲାଗେ । ବାପାଙ୍କୁ ଦଶଥର ବଜାର ପଠେଇଦିଏ ଅମୁକଟା ନେଇଆସ, ସମୁକଟା ନେଇଆସ । ନାତି ନାତୁଣୀଙ୍କ ପାଇଁ କେତେକଥା ସାଇତି ରଖିଥାଏ ଜେଜେମାଆ । ପାଖରେ ବସି ଏଇଟା ଖାଆ ସେଇଟା ଖାଆ କହି କହି ପେଟପୁରାଇ ଖୁଆଇଦିଏ ପିଲାମାନଙ୍କୁ । ହେଲେ ଏ ଖୁସି ବେଶିଦିନ ରହେନି, ଦିନ ଦୁଇ ଚାରିଦିନ ପରେ ପୁଣି ପିଲାମାନେ ସହରକୁ ଫେରିଯାଆନ୍ତି । ଘରବାରି ଖାଲିଖାଲି ଲାଗେ, ଘର ଖାଁ ଖାଁ କରି ଗୋଡାଏ । ଗାଆଁ ରାସ୍ତା ପୁଣି ଶୁନଶାନ ହୋଇଯାଏ ।
ଗାଆଁ ଏବେ ବଡ ଶୁନ୍ ଶାନ୍, ଖାଲି ଖାଲି ନିଛାଟିଆ ଲାଗେ । ଯୁଆନ ଭେଣ୍ଡିଆ ଯେତେକ ସବୁ କାମପାଇଁ ଗାଆଁଛାଡି ସହରକୁ ଚାଲି ଯାଉଛନ୍ତି । ଗାଆଁ ଏବେ କେବଳ ବୁଢାବାପା, ବୁଢିମାଆଙ୍କର ଜିମାରେ ଅଛି । ବୁଢା ବୁଢି ଯେତେକ କେବଳ ଘରକୁ ଜଗିରହିଛନ୍ତି । ସଂଜ ହେଲେ କେହି ଆଉ ଘରୁ ବାହାରକୁ ଯାଉନା । ଅଗଣାରେ ଦଉଡିଆ ଖଟଟା ଉପରେ ଆମେ ବୁଢାବୁଢି ବସୁ, ଅତୀତର କଥା କହୁ ଶୁଣୁ, ଏଇ ଅଗଣାରେ ପିଲାଙ୍କର ଖେଳ କୁଦ, ଗହଳ ଚହଳ କଥା, ଭାଇ ଭଉଣୀର ଖେଣ୍ଟା ଖେଣ୍ଟି, ଛୋଟ ଛୋଟ ଲଢେଇ, ରାଗ ରୁଷା, ମାନ ଅଭିମାନ, ୟାର ତାର ଅଭିଯୋଗ, ପିଲାମାନଙ୍କର ଛୋଟବେଳର କଥା ମନେପକାଉ, ଗପୁଥିଲେ କଥା ସରେ ନାହିଁ, ସେଇ ସ୍ମୃତି ଟିକକ ପରା ଆମ ଅସରନ୍ତି ଖୁସିର ଭଣ୍ଡାର । କେବେ କେବେ ମିଞ୍ଜି ମିଞ୍ଜି ଆଲୁଅରେ ପୁରୁଣା ଆଲବମ ଅଣ୍ଡାଳୁ, ପିଲାଙ୍କ ଫଟୋ ଦେଖି ପୁଣି ସେଇ ପୁରୁଣା ଦିନରେ ହଜିଯାଉ ।
ହଉ, କହୁ କହୁ ବହୁତ କଥା କହି ଦେଲିଣି, ଏବେ ମୁଁ ରହୁଛି, ଯେବେ ଆସିବ, ଦୁଇ ଚାରିଦିନ ରହିବ ଆମ ସାଙ୍ଗରେ । ବହୁତ ଗପିବା, ରିଟାୟଡ ପରେ ଏବେ କରିବାକୁ ଆଉ କିଛି କାମ ବାକି ନାହିଁ । ପୁଅ ଝିଅଙ୍କର ବାହାଘର ସାରିଦେଇଛି । ସେମାନେ ନିଜ ନିଜ ପରିବାର ନେଇ ସହରରେ ରହୁଛନ୍ତି । ଏଇଠି ଆମେ ବୁଢାବୁଢି ଦିଟା ଘର ଜଗିବା ପାଇଁ ରହିଛୁ । ତୁମେ ଆସିଲେ ରୋଷେଇ ପାଖରେ ବସିବା, ବହୁତ ଗପିବା, ଭାଉଜ ବି ଶୁଣିବ, ଦି’ ପଦ ସିଏ ବି କହିବ, ବଡ ଆନନ୍ଦ ଆସିବ । ପୁଣି ଥରେ ଅତୀତକୁ ମନ ଭରି ଜିଇଁବାର ବାହାନା ମିଳିଯିବ ।