Priyadarshini Mishra

Drama

4.0  

Priyadarshini Mishra

Drama

ଆଳୁମଣ୍ଡା

ଆଳୁମଣ୍ଡା

2 mins
124



  ବର୍ଷାପାଗ ହୋଇଥିବାରୁ ଘରେ ସମସ୍ତଙ୍କ ବରାତ ଛଣାଛଣି କିଛି ଖାଇବେ । ରିମା ତରତର ହୋଇ ରୋଷେଇ ଘର ଭିତରକୁ ଗଲା । ପକୁଡି ଛାଣିବା ପାଇଁ ସମସ୍ତ ଆୟୋଜନ କରିବାରେ ଲାଗିଗଲା । ଗରମା ଗରମ ପକୁଡି କଡେଇରୁ ବାହାରିବା ସଙ୍ଗେ ସଙ୍ଗେ ନଣନ୍ଦ ସାଲୁ ନେଇ ହଲରେ ବସିଥିବା ତା' ଭାଇ ଓ ବାପାଙ୍କୁ ପରଶିବାରେ ବ୍ୟସ୍ତ । ରିମା ଯେତେ ଅଧିକ ବେଗରେ ପକୁଡି ଛାଣିବାରେ ଲାଗିଥିଲା ପକୁଡି ଥାଳି ସମବେଗରେ ଶେଷ ହୋଇଯାଉଥାଏ । ରିମାକୁ ବିରକ୍ତ ଲାଗୁଥିଲେ ମଧ୍ୟ ନବବଧୂ ଭାବେ ନିଜ ବିରକ୍ତିକୁ ଚପାଇ ରଖି ତେଲ କଡେ଼ଇରୁ ପକୁଡିଗୁଡିକୁ ଛାଣି ଆଣୁଥାଏ । ପକୁଡି ଛାଣି ଯୋଗାଇବା ରିମାର ବିରକ୍ତିର କାରଣ ନଥିଲା । ବିରକ୍ତିର କାରଣ ଥିଲା ଏଇ ପକୁଡି । ପିଲାଦିନୁ ରିମାକୁ ପକୁଡି ଆଦୌ ପସନ୍ଦ ନଥିଲା । ଘରେ ଯେଉଁଦିନ ପକୁଡି ଛଣାଯିବ ରିମା ପାଇଁ ବୋଉ ଆଳୁଚପ ଛାଣିଥିବ । ଆଳୁଚପ ହୋଇଗଲେ ରିମା ବିନା ତରକାରୀରେ ଭାତ ମଧ୍ୟ ଖାଇଦିଏ । ଆଳୁଚପରେ ପିଆଜ, କଞ୍ଚାଲଙ୍କା, ଲୁଣ ଓ ପାଣି ଦେଇ ଚକଟି ଚକଟି ରିମା ଝୋଳ ବନାଏ । ସେହି ଝୋଳରେ ଭାତ ଖାଏ । ଶେଷରେ ବଳିଥିବା ଝୋଳକୁ ବସି ବସି ହାଁପୁରେ । ତା'ର ଆଳୁଚପ ଝୋଳ ହାଁପୁରା ଦେଖି ତା' ଭାଇ ତାକୁ ମଣ୍ଡାଖିଆ ଅସୁରୁଣୀ କହି ଚିଡାଏ । ଆଳୁଚପ ଭିତରେ ଆଳୁ ପୁର ଥିବାରୁ ଭାଇ ଆଳୁଚପକୁ ଆଳୁମଣ୍ଡା କହୁଥିଲା ଓ ରିମାର ଏପରି ନାମକରଣ କରିଥିଲା । ଏପରି ଅନେକ କଥା ଭାବୁ ଭାବୁ କେତେବେଳେ ପକୁଡିର ସବୁ ଆଣ ପକୁଡିର ରୂପ ନେଇସାରିଥିଲେ ରିମା ଜାଣିପାରିନଥିଲା । ପକୁଡି ଛଣା କାମ ସରିସାରିଥିଲା । ରିମାକୁ ହାଲିଆ ଲାଗୁଥିବାରୁ ସେ ଶୋଇବାଘର ଖଟ ଉପରେ ନିଜ କ୍ଳାନ୍ତ ଶରୀରକୁ ଗଦେଇଦେଲା । 

  ହଠାତ କଲିଂ ବେଲ ର ଶବ୍ଦରେ ରିମା ଉଠି ବସିଲା । ହଲକୁ ଆସି ଦେଖିଲା ତା'ସହ ସବୁବେଳେ ଝଗଡା କରୁଥିବା ତା' ଭାଇ ଆସିଥିଲା । ଭାଇ ତା'ଠାରୁ ବୟସରେ ପାଞ୍ଚ ବର୍ଷ ସାନ ଥିଲା । ସବୁବେଳେ ତା' ସହ କଳି କରୁଥିଲା । କିନ୍ତୁ ରିମା ବାହାଘରରେ ସେ ହିଁ ସବୁଠାରୁ ଅଧିକ କାମ କରିଥିଲା । ରିମା ଲକ୍ଷ୍ୟ କରିଥିଲା ଭାଇ ହିଁ ସବୁଠାରୁ ଅଧିକ କାନ୍ଦିଥିଲା । ଭାଇକୁ ଦେଖି ରିମା ବହୁତ ଖୁସିହେଲା । ଭାଇ କହିଲା ମୁଁ ଜିଜୁଙ୍କୁ ଫୋନ କରିଥିଲି । ସେ କହିଲେ ତୁ ପକୁଡି ଛାଣୁଛୁ । ମୋତେ ଖାଇବାକୁ ଇଚ୍ଛା ହେବାରୁ ବୋଉକୁ କହି ଘରୁ ଚାଲିଆସିଲି । ରିମା କହିଲା ତୁ ବସେ ମୁଁ ପକୁଡି ଛାଣି ଆଣୁଛି । ଯାହା ଛାଣିଥିଲି ସରିଯାଇଛି । ଭାଇ ସଙ୍ଗେ ସଙ୍ଗେ କହିଲା ନାନୀ ମୁଁ ତେଲଭାଜି କିଛି ଆଣିଛି । ତୁ କିଛି କରିବା ଦରକାର ନାହିଁ । ଘରେ ସମସ୍ତେ କହିଲେ ଆମେ ପକୁଡି ଖାଇଛୁ ତେଣୁ କିଛି ଖାଇପାରିବୁନି । ରିମାର ଶାଶୁ କହିଲେ ତୁମେ ଭାଇଭଉଣୀ ଦୁଇଜଣ ଖାଇଦିଅ । ରିମା ପକୁଡି ଖାଇନଥିବାର ତା' ଶାଶୁ ଲକ୍ଷ୍ୟ କରିଥିଲେ । ରିମା ଭାଇକୁ ତା'ଶୋଇବା ଘରକୁ ନେଇଗଲା । ତେଲଭାଜି ପୁଡାକୁ ଖୋଲିଦେଖିଲା ପରେ ରିମାର ଆଖିରେ ଲୁହ ବନ୍ଧ ବାଡ଼ ମାନିବାକୁ ପ୍ରସ୍ତୁତ ନଥିଲେ । ପୁଡାଟିରେ କେବଳ ଆଳୁମଣ୍ଡା ହିଁ ଥିଲା । ଭାଇ ତା'ର ଲୁହ ପୋଛି କହୁଥିଲା,"ମଣ୍ଡାଖିଆ ଅସୁରୁଣୀ କ'ଣ ପକୁଡି ଖାଇଥିବ"!!!!!!



Rate this content
Log in

Similar oriya story from Drama