Seema Samantray

Drama Romance

0.7  

Seema Samantray

Drama Romance

ଆକର୍ଷଣ ବନାମ ପ୍ରେମ

ଆକର୍ଷଣ ବନାମ ପ୍ରେମ

4 mins
266



ପ୍ରଥମ କରି ଯେଉଁଦିନ ମାନିନୀ କଲେଜ୍ ଗଲା ତାକୁ ଲାଗିଲା ସିଏ ଯେମିତି କେଉଁ ଦୂର ଦେଶକୁ ଯାଉଚି।କେବେ ଭୋର୍ ରୁ ନ ଉଠୁଥିବା ଭାଇଟା ସେ ଘରୁ ଭାରି ମୁରବି ଢଙ୍ଗରେ କହିଲା ସ୍କୁଲ୍ ରେ ଯେମିତି ନେତ୍ରୀ ହୋଇଥିଲୁ କଲେଜ୍ ରେ ସେମିତି ହବୁନି,ସିଧା ଯିବୁ ସିଧା ଘରକୁ ଆସିବୁ। ବୋଉ ସକାଳୁ ଉଠି ପୂଜା ଶେଷ କରି ଠାକୁରଙ୍କ ଫୁଲଟେ ଦେଇ କହିଲା ଏଟା ଖାତା ଭିତରେ ରଖି ଦେ, ବାପା ଦାଣ୍ଡ ପଟେ ଜଗି ବସିଥିଲେ ।ବାପାଙ୍କୁ ମୁଣ୍ଡିଆ ମାରି ସେ ତା ସାଙ୍ଗ ସହିତ ବାହାରି ଗଲା । 


           ପ୍ରଥମ ଦୁଇ ତିନ ଦିନ ମଜାରେ କଟିଗଲା ।ତା ପରେ ପାଠପଢ଼ା ଜୋର୍ ଚାଲିଲା।ସ୍କୁଲ୍ ବିଜ୍ଞାନ,କଲେଜ୍ ଫିଜିକ୍ସ କେମେଷ୍ଟ୍ରୀ ବହୁତ୍ ଫରକ୍। ପାଠ ପରୀକ୍ଷା ଏସବୁରୁ ଫୁରୁସତ ନଥିଲା। ପାଠପଢ଼ାର ଘନ କୁହୁଡ଼ି ଭିତରୁ କେବେ କେମିତି ଝାପସା ଆଲୁଅର ଶିଖାଟିଏ ଦୂରରୁ ଦିଶିଯାଉଥିଲା ମାନିନୀକୁ। ଧୀରେ ଧୀରେ ଆଲୋକ ଶିଖାଟା ଉଜ୍ଜ୍ଜଳ ହେବାରେ ଲାଗିଲା ।

ତାକୁ ଲାଗିଲା କେହି ଯେମିତି ନୂଆଁ ଢଙ୍ଗରେ ତାକୁ ଦୁନିଆଁକୁ ଦେଖଉଛି । ଜହ୍ନ, ଜ୍ୟୋସ୍ନା, ତାରା ଭରା ରାତି ,ଗୋଧୂଳି ଉଷା, ମଳୟ ପବନ ସହ ତାକୁ ପରିଚୟ କରାଉଛି। ପବନରେ ସୁରଭି ,ଜହ୍ନ ରେ ମାଦକତା ,ପକ୍ଷୀ କାକଳିରେ ସଙ୍ଗୀତ, ଉଷା ଗୋଧୂଳିରେ ଭିଜାପଣ ,ଏତେ ସବୁ ତ ଆଗରୁ ଦିଶୁ ନ ଥିଲା। ଧୀରେ ସବୁ କିଛି ପରିଷ୍କାର ହେଇଗଲା। ସେ ବୁଝି ପାରିଲା ସିଏ କାହା ପ୍ରେମରେ ପଡି ସାରିଛି। ସେଠୁ ପଛକୁ ଫେରିବା ଆଉ ସମ୍ଭବ ନୁହେଁ। କଲେଜ୍ ଆସିବା ପୂର୍ବରୁ ବୋଉ ତାକୁ ଅନେକ ଥର ଚେତାବନୀ ଦେଇଛି ପୁଅ ପିଲାଙ୍କ ଠାରୁ ଦୂରରେ ରହିବୁ ,ତାଙ୍କୁ ବିଶ୍ୱାସ କରିବୁନି, ତୋ ହାତ କେବେ କାହାକୁ ବଢେଇବୁନି ଇତ୍ୟାଦି ଇତ୍ୟାଦି। ଯାହାର ମୋଟାମୋଟି ଅର୍ଥ ଥିଲା କାହା ପ୍ରେମରେ ପଡିବୁନି। ସେ ସବୁ କଥା କୁଆପଥର ତରଳିବା ପରି ବୋହିଗଲା। ବୋଉକୁ ମନେ ମନେ କ୍ଷମା ମାଗିନେଇ ସେ ସୁଅ ମୁହଁରେ ପତର ପରି ଭାସିଗଲା ।

             ନିହାରଙ୍କ ସାନ୍ନିଧ୍ୟରେ କେମିତି ଦି ବର୍ଷ କଟିଗଲା। ପାଠ ପଢାରେ ତାକୁ ବହୁତ୍ ସାହାଯ୍ୟ ବି କରିଥିଲେ ନିହାର । ତାପରେ ପରୀକ୍ଷା ସରିଲା ପୁଣି ରେଜଲ୍ଟ ବାହାରିଲା । ଦିଜଣ ଯାକ ବହୁତ୍ ଭଲ ନମ୍ବର ରଖି ପାସ୍ କରିଥିଲେ । ତାପରେ ନିହାର ଇଞ୍ଜିନିୟରଂ ପାଇଲେ ସେ ବିଜ୍ଞାନ ସ୍ନାତକ ପଢିଲା । ଯିବା ଆଗଦିନ  ନିହାର ତା ହାତକୁ ଦୁଇ ହାତରେ ଚାପିଧରି ଛଳ ଛଳ ଆଖିରେ କହିଥିଲେ ତମେ କେବଳ ମୋର ମାନିନୀ । ମୋ ହାତ କେବେ ଛାଡିବନି । ସେଦିନ ପ୍ରଥମ କରି ନିହାରଙ୍କ ସ୍ପର୍ଶରେ ମାନିନୀ ନିଜକୁ ନିଜେ ଖୋଜି ପାଇନଥିଲା । ସେ ମହୁ ଝରା ଅନୁଭୂତି ଖାଲି ଅନୁଭବି ହିଁ ଜାଣେ ।  

           ତାପରେ ନିହାର ଚାଲିଗଲେ । ଦିନେ ଛଡା ଦିନେ ଚିଠି ଦିଅନ୍ତି ନିହାର । କାହା ହାତରେ ପଡ଼ିଯିବ ବୋଲି ସେ ପୋଷ୍ଟ୍ ଅଫିସ୍ ରୁ ସିଧା ଚିଠି ନେଇ କଲେଜ୍ ଯାଏ । ନିହାର ଲେଖନ୍ତି ସେଠି କା କଲେଜ୍ କଥା, କ୍ଲାସ୍ କଥା ,ତା ଅନୁପସ୍ଥିତି କେମିତି ତାଙ୍କୁ କଷ୍ଟ ଦେଉଛି ସେସବୁ କଥା। ଧୀରେ ଧୀରେ ସମୟ ଗାଡ଼ି ଚାଲିଲା । ଏବେ ନିହାର ମାସେ ଦି ମାସରେ ଥରେ ଚିଠି ଦିଅନ୍ତି।କେବେ କେବେ ଚିଠିରେ ମାନସୀ ବୋଲି ତାଙ୍କ ସାଙ୍ଗ ବିଷୟରେ ପଦେ ଅଧେ ଲେଖନ୍ତି।ସେ ଖୁସି ହୁଏ ଯାହେଉ ଦୂର ଜାଗାରେ କେହିତ ସାଙ୍ଗ ଟିଏ ମିଳିଛି।ଧୀରେ ଚିଠି ଆସିବା ଆହୁରି କମିଗଲାଣି । ସେ ମଧ୍ୟ ବି.ଏଡ୍ କରିବା ପାଇଁ ରାଧାନାଥ ଟ୍ରେନିଂ କଲେଜ୍ ରେ ଦାଖିଲ୍ ହୋଇ ସାରିଥାଏ।  ଥରେ ଚିଠି ସହ ତାଙ୍କ ପିକନିକ୍ ର କିଛି ଫୋଟୋ ପଠେଇଥାନ୍ତି ନିହାର।ପାଖେ ପାଖେ ଝିଅଟିଏ ଥାଏ ତାଙ୍କର । ମାନିନୀ ମନକୁ ମନ କହିଲା ହେଇଥିବ ଭଲ ବାନ୍ଧବୀ ଟିଏ।ସବୁ ବାନ୍ଧବୀ କଣ ପ୍ରେମିକା ହେଇ ପାରିବେ । ସେ ମାନସୀ ହେଉ କି ରୂପସୀ ହେଉ ତା ଜାଗା ନିହାରଙ୍କ  ଜୀବନରେ କେହି ନେଇ ପାରିବେନି । ସେ ଅଯଥା କଣ ଭାବି ଦେଉଛି । ଇଞ୍ଜିନିୟରିଂ ପାଠ କଥା, ସମୟ ପାଉ ନ ଥିବେ ଚିଠି ଲେଖିବାକୁ । ଭଗବାନ ଭଲରେ ରଖିଥାନ୍ତୁ ।

     

               ଧୀରେ ଧୀରେ ଚିଠି ଆସିବା ପ୍ରାୟ ବନ୍ଦ ହେଇଗଲାଣି । ନିହାରଙ୍କ ବାପା ମଧ୍ୟ ତାଙ୍କ ସହରରୁ ବଦଳି ହୋଇ ଅନ୍ୟସହରକୁ ଯାଇ ସାରିଲେଣି । ତେଣୁ ନିହାରଙ୍କ ସହିତ ଦେଖା ହେବା ବି ବନ୍ଦ ହୋଇ ସାରିଛି । ତା ପାଖରେ ବି ନିହାରଙ୍କ କୌଣସି ଠିକଣା ନ ଥିଲା, ଯେଉଁଥିରେ ସିଏ ଖଣ୍ଡେ ଚିଠି ଦେଇ ପାରିବ । ଏବେ ନିହାର ଆଗ  ଅପେକ୍ଷା ବେଶୀ  ମନେପଡୁଛନ୍ତି ।ତାଙ୍କୁ ହରେଇବାର ଭୟଟା ବେଳେ ବେଳେ ମାନିନୀକୁ ବିଚଳିତ କରିଦେଉଛି । ଆ ଭିତରେ ନିହାରଙ୍କ ଇଞ୍ଜିନିୟରିଂ ଶେଷ ହୋଇ ସାରିଥିବ । ତାର ମଧ୍ୟ ବି ଏଡ୍ ଶେଷ ହୋଇ ଚାକିରି ଆସିଗଲାଣି । ହଠାତ୍ ନିହାର୍ ଦିନେ ତା ସହିତ ଦେଖା କରିବାକୁ ଆସିଲେ । ତା ପାଖରେ ଠିଆ ହୋଇ ତା ହାତକୁ ଧୀରେ ଚାପି ଧରିଲେ ଯେମିତି ଚାରି ବର୍ଷ ତଳେ ଧରିଥିଲେ । ସେଇ ଶିହରଣ ,ସେଇ କମ୍ପନ, ସେଇ ସମ୍ମୋହନକୁ ପୁଣି ନିବିଡ଼ ଭାବରେ ଅନୁଭବ କରିଥିଲା ମାନିନୀ । ନିହାର କହିଲେ କେମିତି କହିବି ମାନିନୀ । ଆମେ ଯେଉଁ ସମ୍ପର୍କକୁ ପ୍ରେମ ବୋଲି ଭାବିଥିଲୁ ସେଟା ବୋଧେ ପ୍ରେମ ନ ଥିଲା କେବଳ ଆକର୍ଷଣ ଥିଲା । ମୁଁ ମୋ ପ୍ରେମକୁ ମାନସୀ ପାଖରେ ପାଇ ଯାଇଛି । ଆମେ ଖୁବ୍ ଶୀଘ୍ର ବାହା ହେବାକୁ ଯାଉଛି । ମୋତେ ଭୁଲ୍ ବୁଝିବୁନି। ସେଇ ବୟସରେ ଆକର୍ଷଣ ସାଧାରଣ କଥା । ତାକୁ ହାଲୁକା ଭାବରେ ନେବ । ଟ୍ରେନ୍ ଟାଇମ୍ ହେଲାଣି ମୁଁ ଯାଉଛି । ମାନିନୀ କିଛି ବୁଝିବା ଆଗରୁ ସବୁ ସରି ଯାଇଥିଲା।

            ମାନନୀ ରାତିରେ ଛାତରେ ଠିଆ ହୋଇ ତାରା ଭର୍ତ୍ତି ଆକାଶକୁ ଚାହିଁ ବହୁତ୍ କାନ୍ଦିଲା। କହିଲା ତମ ପାଇଁ ଯାହା ଆକର୍ଷଣ ଥିଲା ମୋ ପାଇଁ ପ୍ରେମ ଥିଲା ନିହାର। ଯାହାକୁ ମୁଁ କେବେବି ଭୁଲି ପାରିବିନି। ଏ ଜହ୍ନ ,ଏ ଜ୍ୟୋସ୍ନା, ତାରା ଭରା ରାତି ,ପକ୍ଷୀ କାକଳି ,ଉଷା ଗୋଧୂଳି ,ମଳୟ ପବନ ଯାହାଙ୍କୁ ସବୁ ତମେ ଚିହ୍ନେଇ ଥିଲ ତମ ସାଥିରେ ନେଇଯାଅ ନିହାର ,ଏସବୁର ପ୍ରୟୋଜନ ଆଉ ମୋର ନାହିଁ । ତାପରେ ଫୁଲବାଣୀ ସରକାରୀ ସ୍କୁଲରେ କାମରେ ଯୋଗ ଦେଇଥିଲା ମାନିନୀ। ସମୟ ସବୁ କିଛି ସଜାଡି ଦିଏ। ଶିକ୍ଷକତା ଓ ଫୁଲବାଣୀ ର ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ସେ ବିଭୋର ରହିଲା। ସେ ପଟେ ବୋଉ ବାରେ ବାରେ ବାହାଘର ପାଇଁ ବ୍ୟସ୍ତ କରୁଥାଏ। ବୋଉ କେମିତି ଜାଣିବ ସେ ଏତେ ମାତ୍ରାରେ ନିହାର ମନସ୍କ ଯେ ଆଉ କାହାକୁ ନେଇ କେମିତି ସଂସାର କରିବ। ଏହା ଭିତରେ ଅନ୍ୟ ଶିକ୍ଷକ ମାନଙ୍କ ସହିତ ଆତ୍ମୀୟତା ବଢିଲାଣି । ବିଶେଷ କରି ଅତସୁ ସାରଙ୍କ ଦୁଇ ବର୍ଷର ଝିଅ ସହିତ। ବିଚାରି ବର୍ଷେ ହେଲାଣି ମା କୁ ହରେଇ ସ୍ନେହ ଟିକେ ପାଇଁ ରଙ୍କୁଣି ହେଉଛି। ତାକୁ ନେଇ ମାନିନୀ ଜୀବନରେ ବି ଆଲୋକ ଶିଖାଟେ ଦିଶିଲାଣି । ବେଳେ ବେଳେ ମାନିନୀ ଭାବିଲାଣି ଝିଅଟିକୁ ଆପଣେଇ ନେଲେ କ୍ଷତି କଣ। ବୋଉକୁ ଅତି ସନ୍ତର୍ପଣରେ ଏ କଥାଟି ଜଣେଇଲା ମାନିନୀ। ବୋଉ ମୋଟେ ରାଜି ହେଲାନି। କହିଲା ବାପାଙ୍କ ସାଙ୍ଗର ପୁଅ ପ୍ରଶାସନିକ ଚାକିରୀ ପାଇଛି ‌। ସେମାନେ ତୋତେ ବୋହୂ କରିବେ ବୋଲି ଚାହିଁ ବସିଛନ୍ତି । ଅଥଚ ତୁ ..। ବୁହୁତ୍ କଷ୍ଟରେ ବୋଉ କୁ ମନେଇ  ସେ ଅତସୁ ସାର୍ ଙ୍କୁ ଦେଖା କରିଵା ପାଇଁ ରାଜି କରେଇ ନେଲା। ଅତସୁ ସାର୍ ତାଙ୍କ ଝିଅ ପାଇଁ ଖୁସିରେ ଆତ୍ମହରା ହୋଇଗଲେ । ତମକୁ କେମିତି କୃତଜ୍ଞତା ଜଣାଇବି ବୁଝି ପାରୁ ନି ମାନିନୀ ମାମ୍ । ମାମ୍ ନୁହେଁ ଖାଲି ମାନିନୀ ।

           ଏବେ ଅତସୁ ସାର୍ ଓ ଝିଅକୁ ନେଇ ତାର ସୁଖର ସଂସାର। ଶୁଣିଛି ନିହାର ବି ତାଙ୍କ ସଂସାର ନେଇ ଖୁସିରେ ଅଛନ୍ତି। ହେଲେ ଏବେ ବି ନିହାରଙ୍କ ପ୍ରେମର ଆତ୍ମା ତା ଭିତରେ ପେଡିସାଇତା ହୋଇ ରହିଛି । ଶ୍ରୀମଦ୍ଭଗବତଗୀତାରେ ଶ୍ରୀ କୃଷ୍ଣ ଆତ୍ମା ବିଷୟରେ ଯେଉଁ କଥା ଅର୍ଜୁନଙ୍କୁ କହିଥିଲେ ଯଦି ପ୍ରେମ ବିଷୟରେ କହିଥାନ୍ତେ ଠିକ୍ ସେଇଆ ହିଁ କହିଥାନ୍ତେ।

   

ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକ।

 

ସାଧାରଣ ଭାଷାରେ ପ୍ରେମ ଶାଶ୍ଵତ ଚିର ସବୁଜ, ଗୋଟିଏ ମନରୁ ଆଉ ଗୋଟେ ମନକୁ ବୋହି ଆସିଥିବାଦିବ୍ୟ ଅନୁଭୁତି ଟିଏ।


ବେଳେ ବେଳେ ମାନିନୀ ନିହାର ପାଇଁ ମନେ ମନେ ଗୁଣୁଗୁଣାଏ 

"ହଜେ ନାହିଁ କେବେ ପ୍ରେମ ର ସୁରଭି

ହଜେ ନି ସେ ଦିନ ବାସ୍ନା

ଭୁଲି ହୁଏ ଅବା ଭୁଲି ପାରେ କେହି

ଫିକା ପଡିଥିବା ତୃଷ୍ଣା।"


Rate this content
Log in

Similar oriya story from Drama