Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Seema Samantray

Drama

3  

Seema Samantray

Drama

ସାନ ଖୁଡି

ସାନ ଖୁଡି

4 mins
297



ପିଲାସାଲୁଙ୍କି ନଈ ଧାରେ ଧାରେ  ଗଲେ ମୋ ଜେଜେମାର ସାନ ଉଉଣୀ ଗାଆଁ।ସେ ବି ମୋ କୁରେଇ ଜେଜେମା।କୁରେଇ ଜେଜେମାର ଚାରି ପୁଅ ରୁ ତା ସାନ ପୁଅ ଧନୁଦାଦା ଟି ଭାରି ଆଖିଦୃଶିଆ। ଡେଙ୍ଗା ଚଉଡା ମଣିଷ ଟା ।ବବୁରି ବାଳରୁ ଗୋଛାଏ ମୁଣ୍ଡରେ ।ଝିଅଙ୍କ ପରି ମଝି ସୁନ୍ଥାଣ କାଟି ସଦାବେଳେ ପାନିଆ କରୁଥିବ।ହାତରେ ଗୋଟେ ଷ୍ଟିଲ୍ କଡ଼ା। ବେକରେ କଳା ସୁତାରେ ପ୍ଲାଷ୍ଟିକ ବାଘନଖ ଟେ।ସଉକିଆ ରସିକିଆ ମଣିଷ ସାନତାଙ୍କ ଗାଁ ସୁଲି ଠି ତାର ଭାରି ମନ।ଶାଗୁଆ ନାଲିଆ ନେଳିଆ ଗଞ୍ଜିରୁ ଗୋଟାଏ ଲେଖା ପିନ୍ଧି ଦିନକୁ ଥରେ ସୁଲି ଘର ଆଡେ ବୁଲି ନ ଆସିଲେ ତା ଦିନ କଟେନି।ସୁଲିକୁ ନେଇ ଘର କରିବାର ସପନ ବି ଦେଖିଲାଣି।ଯେଉଁ ଦିନ ମା ଆଗରେ କଥା ପକେଇଲା ମା ମୋଟେ ରାଜି ହେଲାନି। କହିଲା ତା ଚାଲି ଚଳଣ ଭଲ ନୁହେଁ ରେ।ଭାଇମାନେ ତ ଜାତିଆଣ ,ଘର ବୁନିଆଦି କଥା କହି ରୋକଠୋକ୍ ମନା କରିଦେଲେ।ଢେର୍ କଥା କଟା କଟି କଳି ତକରାଳ ପରେ ବାଧ୍ୟ ହେଇ ପାଖ ଗାଁ ବାମ ମୁଣ୍ଡା ଝିଅ କୁ ବାହା ହବାକୁ ରାଜି ହେଲା।ହେଲେ ମନ ଭିତରେ ସୁଲିର ଗୋରା ତକତକ ସୁନ୍ଦରିଆ ମୁହଁ ଟା ଖାଲି ଖଜବଜ କରୁଥାଏ। ଯା ହେଉ ତା ମନ କଥା ସିଏ କେବେ ମୁହଁ ଖୋଲି ସୁଲିକୁ କହି ନଥିଲା, ନ ହେଲେ କେଡେ ଅପଦସ୍ତ ହେଇଥାନ୍ତା ।

            ଢୋଲ ମାଦଳ ,ପଣା ପଙ୍ଗତରେ ମହୁରୀ ହାତ ଧରିଲା ଧନୁ ଦାଦା ।ସାନ ଖୁଡି ସୁଲି ପରି ସୁନ୍ଦରୀ ନ ହେଲେବି ସେତେ ବି ଖରାପ୍ ନୁହଁ।ପାଠ ବି ଦି ଅକ୍ଷର ପଡ଼ିଛି।ଭଲ ସଣ୍ଠଣାର ଝିଅଟିଏ।ହେଲେ ଧନୁଦାଦା ର ମନକୁ ମୋଟେ ଗଲାନି ।ତା ସହ ଭଲରେ କଥା ହବା ତ ଦୂର କଥା ଖାଲି ରବେଇ ଖବେଇ ହେଲା ତା ଉପରେ।ସବୁ କଥାରେ ସୁଲି ସହ ତାକୁ ତୁଳନା କରି ଵଡ ହିନିମାନି କଲା ତାକୁ।ବିନା କାରଣରେ ଚାପୁଡେ ଦି ଚାପୁଡ଼ା ବି ଲଗେଇ ଦିଏ।ବିଚାରି ସରଳିଆ ଝିଅଟିଏ।ନୂଆ ନୂଆ କାନ୍ଦି ପକଉ ଥିଲା। ଧିରେ ଦମ୍ଭ ହେଇଗଲା।ଘର କାମରେ ମନ ଲଗେଇଦେଲା ।ଦିନ କେଇଟାର ସମସ୍ତଙ୍କୁ ଆପଣେଇ ନେଲା।ହେଲେ ସ୍ଵାମୀକୁ ମନେଇ ପାରିଲାନି। ସଉପ ତକିଆ ନେଇ ଧନୁଦାଦା ଦାଣ୍ଡ ପଟେ ଅଲଗା ଶୋଇଲା।ଗୋଟାଏ ଘରେ ଦିଟା ମନ ପୁରା ପୁରି ଅଲଗା।

‌                               ଦିନେ କାହାକୁ କିଛି ନ ଜଣେଇ ଧନୁଦାଦା ସୁଲିକୁ ମନ୍ଦିରରେ ବାହା ହେଇ ଘରକୁ ନେଇ ଆସିଲା ।ସାନ ଖୁଡି ମୁଣ୍ଡରେ ଯେମିତି ପଛରେ ବି ଲାଗିଗଲା ସୁଲି। ଦିନକୁ ଦିନ ଘରେ କଳି ବଢିଲା ।ଶେଷ ରେ ଭାଇ ଆକାଶ ଛିଣ୍ଡି ପଡିଲା। ଯାହା ଥିଲା।ସେଇ ବାଧାରେ କୁରେ଼ଇ ଜେଜେମା ଶେଯ ଧରିଗଲା।ଦିନ ବାଟ ମାନଙ୍କମାନେ ଭାଗ ଭାଗ ହୋଇଗଲେ।ଏବେ ପଡିଲା ସାନ ଖୁଡି ପାଳି ।ଦିନେ ସୁଲି ଏକା ଜିଦ୍ ଧରିଲା ମହୁରୀ ରହିଲେ ସିଏ ଏ ଘରେ ରହିବନି କାଉଁରୀ କାମାକ୍ଷା କି କାଁଉରୀ ଜାଣିଥିଲା କେଜାଣି ଧନୁ ଦାଦା ତ ତାରି କଥାରେ ବସୁଥିଲା ଉଠୁଥିଲା।ଶେଷରେ ଗାଁ ମୁଣ୍ଡରେ ତାଙ୍କର ପଡ଼ିଥିବା ଟାଙ୍ଗରା ଜମିରେ ପଲା ଟେ ମରା ହେଲା।ସାନ ଖୁଡି ତା ଟିଣ ବାକ୍ସ ରେ ଲୁଗାପଟା ଦି ଟା ହାଣ୍ଡି କୁଣ୍ଡେଇ ଦି ଖଣ୍ଡ ଧରି ସେଠିକୁ ବିଦା ହେଲା।

                            ସୁଲି ଏଥର ସେ ଘରେ ରାଣୀ ହୋଇ ବସିଲା। ମୁଣ୍ଡା ଘର ତା ସିରି ହଜେଇ ଦେଲା। ହେଲେ ସାନ ଖୁଡିଟା ତ କାମିକା ମଣିଷଟେ‌। ଦିନ କେଇଟାରେ ଫୁଲ ଫଳ ଶାଗ ମୁଗ ରେ ଟାଙ୍ଗରା ଭୂଇଁ ଟାକୁ ହସେଇଦେଲା।ଦୁଃଖ ବେଶୀ ଦିନ ରହିଲେ ଦେହସୁହା ହୋଇଯାଏ । ସବୁ ଭୂଲି ସାନ ଖୁଡି ଏବେ ଖୁସିରେ ଅଛି।ଗରୀବ ପିଲା ଦି ଚାରି ଟାଙ୍କୁ ପାଠ ବି ପଢଉଚି।ଆ ଭିତରେ କେତେ ବରଷ ବିତି ଗଲାଣି।ଧନୁ ଦାଦାର ଝିଅ ଟେ ହୋଇ ବିଦ୍ୟାଳୟ ବି ଗଲାଣି।ତା ମା ପରି ତା ଝିଅ ମୁନି ଟା ବି ଭାରି ସୁନ୍ଦରୀ। ଫୁଲଗଛ ଠି ତାର ଭାରି ଶରଧା ।ସବୁଦିନ ପାଠ ପଢି ଗଲା ବେଳେ ସାନ ଖୁଡି ର ବାରି ବାଡ଼ ପାଖରେ କିଛି ବେଳ ଠିଆ ହେଇ ଫୁଲ ଗଛ ଗୁଡ଼ାକୁ ଅନାଏ।ଏମିତି ହେଇ ଦି ଜଣଙ୍କ ଭିତରେ ଗୋଟେ କେମିତି ମିଠା ସମ୍ପର୍କ ଟେ ବସିଗଲା।ତା ହାତରୁ ପଣା ଗିନାଏ ପିଇ ପ୍ରଜାପତି ଦି ଚାରିଟା ଉଡ଼େଇ ଘରକୁ ଫେରେ।

                  ଅଦିନିଆ ବର୍ଷାଟା ଚାରିଦିନ ହେବ ଲାଗିଚି ଯେ ବାରିରେ ପାଣି ଠିଆ ହେଇ ଗଲାଣି।ନାଳି ନ କାଟିଲେ ପାଣି ଯିବନି।ତାଟି ଟା ଖୋଲି ସାନ ଖୁଡି ବାହାରକୁ ବାହାରେ ତ ଦେଖିଲା ଧନୁଦାଦା ଝିଅ ମୁନି ସେଠି ଠିଆ ହେଇଚି।ଗୋଡ଼ ପାଖରେ ବିଷ ଧର ସାପଟିଏ ଫଣା ଟେକିଚି। ତା ମୁଣ୍ଡ କିଛି କାମ କଲାଣି।ମୁନି କୁ ଧକ୍କା ଟାଏ ମାରି ,ପକେଇ ଦେଲାବେଳେ ସାପ ତାକୁ ଚୋଟଟେ ପକେଇଲା।ତା ପରେ କଣ ହେଲା ତାକୁ ଆଉ ଜଣା ନାହିଁ।ଚେତା ଆସିଲା ବେଳକୁ ସିଏ ଆଉ ମୁନି ଦି ଜଣ ଯାକ ଡାକ୍ତରଖାନାରେ।ଏବେ ଦି ଦିନ ହେଲା ଝିଅର କିଛି ଖବର ନ ପାଇ ଧନୁ ସୁଲି ପୋଲିସ ଷ୍ଟେସନରେ ପହଞ୍ଚିଲେ।କହିଲେ ଦୁଇ ଦିନ ହେବ ଖୋଜି ଖୋଜି ଆମେ ସ୍ଵାମୀ ସ୍ତ୍ରୀ ଦିଟା ନୟାନ୍ତ ହେଇ ଗଲୁଣି।ବିଦ୍ୟାଳୟ ଠୁ ଆରମ୍ଭ କରି ରେଳୱେ ଷ୍ଟେସନ ଯାଏ ଏପରିକି କୁଅ ମୂଳ ପୋଖରୀ ତୁଠ ବି ବାଦ୍ ପଡିନି।କିନ୍ତୁ ବାବୁ ଝିଅର କିଛି ବି ଖବର ମିଳୁନି ।ସାଙ୍ଗ ସାଥି କେହି କିଛି କହି ପାରୁ ନାହାନ୍ତି।ଆମକୁ ଦୟା କରନ୍ତୁ ସାହେବ୍।କାନ୍ଦି କାନ୍ଦି ଧନୁ ମୁଣ୍ଡା ପୋଲିସ କୁ ଗୁହାରି କରୁଥିଲା।ଦାରୋଗା ବାବୁ ଭଲ ମଣିଷ ।କହିଲେ ଚାଲେ ଗାଁ ଆଡେ ଟିକେ ବୁଲି ଆସିବା।

                    ଏତିକି ବେଳେ ସେପଟୁ ନିଧି ମାଷ୍ଟ୍ରେ ଆସୁଥିଲେ।କହିଲେ ଆରେ ତୁ ଏଠି କଣ କରୁଚୁ । ପୋଲିସ ବାବୁ ଏଠି।ମୁଁ ତ ମୁନି ଆଉ ମହୁରୀ ଙ୍କୁ ଡ଼ାକ୍ତରଖାନାରେ ଦେଖିକି ଆସିଲି।ଆଜି ବୋଧେ ଫେରିବେ।ନିଧି ସାର୍ ଙ୍କ କଥା ଶୁଣି ସୁଲି ଗଛ କାଟିଲା ପରି ତଳେ ପଡ଼ିଗଲା।କହିଲା ମୁଁ ଜାଣିଛି ପରା ସେ ଚଣ୍ଡାଳୁଣୀ ମୋ ଝିଅ କୁ ଚୋରି କରିଥିବା।ମୁଁ ରେଡ଼ିଓ ରୁ ଶୁଣିଛି ଆଜିକାଲି ପିଲାଙ୍କର ବି କିଡିନ୍ କାଢି ନଉଛନ୍ତି।ମୁଁ ଜାଣିଚି ଥାନା ବାବୁ ସିଏ ନିଶ୍ଚୟ ମୋ ଝିଅର କିଡିନ୍ ନେଇଥବା ।ତାକୁ ଶୀଘ୍ର କଡା ପିନ୍ଧେଇ ଥାନାରେ ଭର୍ତ୍ତି କରିଦିଅ ବାବୁ।ଧନୁ ଦାଦା ଜାଣିଥିଲା ମହୁରୀ କେବେ ଏ କାମ କରି ନ ଥିବା।କହିଲା ଆପଣ ଯାଆନ୍ତୁ ଆଜ୍ଞା ଝିଅ ତ ମିଳିଗଲା।

                   ଏପଟେ ଗାଆଁ ସାରା ଖବର ମାତି ଗଲା ପୋଲିସ ଆସିଥିଲା ବୋଲି।ଦିଜଣ ଟୋକା ଧାଇଁ ଧାଇଁ ଆସିଲେ ସବୁକଥା ଧନୁକୁ କହିଲେ।ସେମାନେ ମୁନି ଆଉ ମହୁରୀ କୁ ଡାକ୍ତର ଖାନା ନେଇଥିଲେ।ମହୁରୀ ଜୀବନ ଦେଇ ମୁନି କୁ କେମିତି ବଞ୍ଚେଇଚି ସେ କଥା ସବୁ କହିଲେ।ସେମାନେ କାମରେ ବାହାରକୁ ଯାଇଥିଲେ ବୋଲି ତାକୁ ଖବର କରି ପାରି ନ ଥିଲେ।ସୁଲି ଆଖିରୁ ଲୁହ ଧାର ଧାର ହୋଇ ବୋହି ଯାଉଥିଲା।ସେତିକି ବେଳେ ମୁନି ,ସାନଖୁଡି ଆସି ପହଞ୍ଚି ଲେ। ମୁନି କୁ ଧରି ସୁଲି ବହେ କାନ୍ଦିଲା।ନେହୁରା ହୋଇ ଗୋଡ଼ ଧରି ସାନ ଖୁଡିକୁ ଘରକୁ ଫେରିଯିବାକୁ ବହୁତ୍ ଡାକିଲା।ହେଲେ ସାନ ଖୁଡି ସେମାନଙ୍କୁ ବୁଝେଇ ଶୁଖେଇ ଘରକୁ ଫେରାଇ ଦେଲା ନିଜେ ବି ଘରକୁ ଫେରି ଗଲା।ସେ ଘଟଣା ପରେ ସୁଲି ପୁରାପୁରି ବଦଳି ଗଲା।ନିଜର କଲା କର୍ମ ପାଇଁ ବହୁତ୍ ଅନୁତାପ ମଧ୍ୟ କଲା। ଆ ଭିତରେ ସୁଲିର ଆଉ ଗୋଟେ ଝିଅ ମଧ୍ୟ ହୋଇସାରିଲାଣି ‌।ସ୍ଵାମୀ ସ୍ତ୍ରୀ ଠିକ୍ କଲେ ମହୁରୀର ଶୂନ୍ୟ ଜୀବନରେ ଟିକେ ଖୁସି ଆଣିବାକୁ ଝିଅ ଟିକୁ ସେମାନେ ମହୁରୀ ହାତକୁ ଟେକି ଦେବେ। ସେଇଆ ହେଲା।ଖୁସିରେ ମହୁରୀ ଗୋଡ଼ ତଳେ ଲାଗୁ ନ ଥାଏ।ଝିଅ କୁ ନେଇ କିଛିଦିନ ରହିଲା ପରେ ମହୁରୀ ଭବିଲା ସିଏ ତ ନୁଖୁରା ମଣିଷ ଟା, ଏଠି ଚଳି ଯାଉଚି ହେଲେ ଝିଅ ପାଇଁ ତାକୁ ସବୁବେଳେ ଭୟ ଲାଗିଲା। ଦିନେ ସିଏ ନିଶ୍ଚୟ କଲା ଘରକୁ ଫେରିଯିବ ବୋଲି।ସୁଲି ବି ମାନ ସମ୍ମାନରେ ତାକୁ ଘରକୁ ଫେରାଇ ଆଣିଲା।ଭାଇ ଭାଉଜ ମାନଙ୍କ ଗୋଡ଼ ଧରି ନିଜ ଭୁଲ୍ ପାଇଁ ତାଙ୍କୁ କ୍ଷମା ମାଗିଲା ସୁଲି। ।ଶେଷରେ ଅଗଣା ର ପାଚେରି ଭଙ୍ଗା ହେଲା । ଗୋଟାଏ ଚୁଲିରେ ଭାତ ବସିଲା।ଛୁଆ ପିଲାଙ୍କ ଖେଳ କୁଦରେ ମୁଣ୍ଡା ଘର ପୁଣି ହସିଲା।ଦେଖିବାକୁ ଯାହା କୁରେଇ ଜେଜେମା ଟା ନଥିଲା।

ଏହା ବିସ୍ମିତା ସାହୁଙ୍କ ଲେଖାରୁ ଉଦ୍ଧୃତ।ସରଳ ସାବଲୀଳ ଭାଷା ପାଇଁ ଏଇଟା ମୋତେ ଭଲ ଲାଗିଲା।


Rate this content
Log in

More oriya story from Seema Samantray

Similar oriya story from Drama