ଆଜି ରବିବାର
ଆଜି ରବିବାର
ବିଛଣାରୁ ଉଠି ଆଗେ କାଳିଆ ସାଆନ୍ତେଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ଜୁହାରଟିଏ ହୋଇ ମୋବାଇଲ ଖୋଲିଲି।ମନେ ପଡିଛି ଲେଖିଦିଏ। ବଡ଼ ବ୍ୟସ୍ତବିବ୍ରତ କରି ପକାଉଛନ୍ତି ଏମାନେ।ଆଗ ଏ କାମ ସାରିଦିଏ।ଧରା ଦେଇଛନ୍ତି ,ନିମିଷକେ ଉଭେଇ ଯିବେ ପୁଣି।
ଆରେ ବାପରେ ମେଘ ଗର୍ଜନ ଶବ୍ଦ ଶୁଭିଲା ,କିଳିକିଳା ରଡି ପକେଇଲା ଚେମା ବୋଉ,ସେ ଆଉ କେହି ନୁହେଁ।ମୋର ମୋର ଘରଣୀ।
ହଇଓ, ରାତି ଦିଘଡିରେ ଶୋଇବ।ଛୁଆପିଲା ଖାଇଲେ କି ନାହିଁ, କଣ କରୁଛନ୍ତି, ସଉଦା ପତ୍ର ଘରେ ଅଛି କି ନାହିଁ।କିଛି ବୁଝିବାର ନାହିଁ।ସେଇଟାକୁ ଖାଲି କେଞ୍ଚାକେଞ୍ଚି।କଅଣ ମିଳୁଛି ସେଥିରୁ।ସଫା ଜାମାଯୋଡ଼ ହୋଇ ଏଇ ଏଇ ବାହାରି ଯିବ।କି ଅଲାଜୁକ ମ।କଣ ଲାଭ ପାଉଛ।
ଧେତ୍,ଯା'।ଆଉ କିଛି ମନେ ପଡୁନାହିଁ।ଦୁର୍ଗା ପୂଜା ପାଇଁ କେତେ କେଜାଣି ଲେଖା ଦରକାର ସବୁ ପତ୍ରପତ୍ରିକାରେ।ବିଭିନ୍ନ ଗୃପର।ଏ କଣ କରେଇଦେବ।
ପୁଣି ସମୁଦ୍ର ଲହଡି ପରି ମାଡ଼ି ଆସିଲା ସ୍ତ୍ରୀ ମୋର।
କଅଣ ରାଉ ରାଉ ହେଉଛ ଯେ।ତୁମକୁ କଣ ଶୁଭୁ ନାହିଁ।ଆଜି ପରା ରବିବାର।ଘରେ ବଇଛ।ଯାଉନା ଟିକେ ମାଛ ଆଇଁସ କଣ ଆଣିବ।
ଓଃ ,ଯାଅ ସାଡେ।ରାତି ନ ପାହୁଣୁ ଖାଲି ଆଣ, ଆଣ ,ଆଣ। କେଉଁଠୁ ଆଣିବି,କେମିତି ଆଣିବି।ମୋ ପକେଟକୁ ଦେଖି କୁହ।ଦିନକୁ ଛଅପ୍ରାଣୀ ଖାଇବାକୁ।ଆଣିବାକୁ ଗୋଟିଏ ଲୋକ ମୁଁ।ଆଜିକୁ ଆଠମାସ ହେଲା କମ୍ପାନୀ ତ କରୋନା ପାଇଁ ବନ୍ଦ ।ବାକିଆ ଛଅମାସର ଦରମା ଦେଲା ନାହିଁ।ବିଷ ଟିକେ ପାଇଁ ପଇସା ନାହିଁ।ଆଇଁସ ଖାଇବ।ଯାଆ ପଳା।ସକାଳୁ ଟିକେ ନାଲି ଚା ନାହିଁ।ଚାଲି ଆଇଲା।ସବୁ ଭଣ୍ଡୁର କରିଦେଲା ଏ।କେତେ କଣ ଭାବନାରେ ... ଏ ଅଭାବୀ ଦାରିଦ୍ର୍ୟ ପୂର୍ଣ୍ଣଛେଦ ପକେଇ ଦେଲା।
କେହି ଟିକେ ଏ ମଣିଷଟାକୁ ଶାନ୍ତିରେ ରଖେଇ ଥୋଇ ଦେଉ ନାହାଁନ୍ତି।ଏଇ ଦେଖୁନ,ଏପଟେ ଘରଣୀକୁ ସେପଟେ ହାତରେ ଥିବା ଯନ୍ତ୍ର।
ଯାହା ଯେମିତି ରାତି ଯାଇ ସକାଳୁ ସକାଳୁ ଟୁଁ ଟାଁ ହୋଇ୨୦୦/୩୦୦ ମେସେଜ ଆସି ସାରିବା ପରେ ମୋବାଇଲ ଯେମିତି ନିସ୍ଵାସ ମାରେ।ରହିଯାଏ କିଛି ବେଳ।
ଅମୁକ ପତ୍ରିକା ପାଇଁ, ସମୁକ ଗୃପ ପାଇଁ, ଶାରଦୀୟ ବିଶେଷାଙ୍କ, କରୋନା ବିଶେଷାଙ୍କ, ଏହି ଗୃପର ସାନ୍ଧ୍ୟ ଏକପଦୀ ଆସର,ସେ ଗୃପର ପଞ୍ଚପଦୀ ଆସର,ସାପ୍ତାହିକ ସାନ୍ଧ୍ୟ ଆସର,ଅନଲାଇନ ସାହିତ୍ୟ ଆସର।ଅମୁକ ଶବ୍ଦରେ, ସମୁକ ବିଷୟରେ।ଓଃ .......
ଏପଟେ ସ୍ତ୍ରୀର ଘଡଘଡି,ସେପଟେ ମୋବାଇଲରେ ଟୁଁ ଟାଁ।ଏହି ବେଳେ ଫୋନ ବାଜି ଉଠିଲା।ସାର୍ ଆମ ପତ୍ରିକା ପାଇଁ ଗୋଟିଏ ଲେଖା ଦେବେ।ସୁସ୍ଥ ପରିବାର ସ୍ଵଛ ପରିବେଶ ଉପରେ।
ରଖ ହୋ,ଖାଦ୍ୟ ଗଣ୍ଡେ ବିନା ମୋ ଘର ପରିବାର ତ ପୁଷ୍ଟିହୀନତା ସହ ନାନା ବ୍ୟାଧିରେ ଜର୍ଜରିତ।ପରିବେଶ ସୁସ୍ଥ କେମିତି ରଖିବି । ଏମିତି ପରିସ୍ଥିତି ଯେ ମୋର ଝାଡୁ ଗୋଟିଏ କିଣିବା ପାଇଁ ପକେଟରେ ଟଙ୍କା କୋଡ଼ିଏ ବି ନାହିଁ।
ଯାଅ ଶୀଘ୍ର ବଜାରକୁ,ଘରେ ପରିବାପତ୍ର କିଛି ନାହିଁ।ଆଳୁ ପିଆଜ ଅଦା ରସୁଣ ଆଣିବ।ପିଲାମାନେ ତିନି ଚାରି ମାସ ହେଲା ଆଇଁସ ଟିକେ ଖାଇ ନାହାଁନ୍ତି।କୁକୁଡ଼ା ମାଉଁସ ଟିକେ ଆଣିବ।ଘରଣୀର ତାଲିକା ଶୁଣି ଶୁଣି ପାଟି ସିଲେଇ ହୋଇଗଲା ଭଳି ଲାଗିଲା।
ଅଧୁଆ ମୁହଁରେ ସାର୍ଟ ଖଣ୍ଡେ ଗଳେଇ ଦେଇ ବାହାରି ଗଲି ବାହାରକୁ କହି କହି ଆଜି ପରା ରବିବାର।କାହିଁକି ଏ ରବିବାର ଆସେ କେଜାଣି।ଆଜି ରବିବାର।
ଦାରିଦ୍ର୍ୟର କଷାଘାତରେ ଦିନରାତି ସିଝୁଥିବା ସାଧାରଣ ଲୋକଟାର ଅଭାବୀ ପଣିଆକୁ ଏଠି ସମସ୍ତେ ପ୍ରତି ମୂହୁର୍ତ୍ତରେ ସମସ୍ତେ ଉପହାସ କରି ଚାଲିଛନ୍ତି।ଆଉ ପ୍ରଶଂସା କରୁଛି ବା କିଏ।କଣ ଏମିତି ଭଲ କାଟା କଲି ଯେ,ପରିବାରରେ ଓଳିଏ ଖାଇଲେ ଓଳିଏ ଯେମିତି ସେମିତି।
କେତେ କଷ୍ଟରେ ଯେ ଛଅପ୍ରାଣୀ କୁଟୁମ୍ବ ପୋଷୁଛି,ସେ କଥାକୁ କାହାର ନିଘା ନାହିଁ।ୟା ତକିଆ ତା ମୁଣ୍ଡତଳେ ତ,ତା ତକିଆ ୟା ମୁଣ୍ଡତଳେ।ନା ଏଠି କିଏ ପ୍ରଶଂସା କରୁଛି, ନା ତାଙ୍କ ପ୍ରଶଂସା ଶୁଣିବାକୁ ମୋ ପାଖରେ ସମୟ ଅଛି।ସବୁ ନିନ୍ଦା ପ୍ରଶଂସା ମୋ ପାଖରେ ସମାନ
