ଆଦର୍ଶ ଓ ପ୍ରେରଣା
ଆଦର୍ଶ ଓ ପ୍ରେରଣା
ଘନଶ୍ୟାମ ବାବୁଙ୍କ ବୟସ ପାଖାପାଖି ୫୬ରୁ ୬୦ ବର୍ଷ ଭିତରେ । ବହୁତ ସରଳ ଓ ନମ୍ର ସ୍ୱଭାବର ମଣିଷଟିଏ । ସବୁବେଳେ କର୍ତ୍ତବ୍ୟ ନିଷ୍ଠ ମଣିଷ ପରି ନିଜ କର୍ତ୍ତବ୍ୟରେ ବ୍ୟସ୍ତ ଥାଆନ୍ତି । ସକାଳୁ ସନ୍ଧ୍ୟା ଯାଏଁ ସବୁବେଳେ ନମ୍ର ସ୍ୱଭାବର ବ୍ୟବହାର କରନ୍ତି । ସହନଶୀଳତା ଗୁଣ ତାଙ୍କର ସମାଜର ପରିଚୟ । ତାଙ୍କ ଆଖପାଖରେ କିଛି ଘଟଣା ଘଟିଲେ ସେ ସାହାଯ୍ୟ କରିବାକୁ ବାହାରି ପଡ଼ନ୍ତି ଓ ତାକୁ ସମ୍ପୁର୍ଣ୍ଣ କରିଥାନ୍ତି । ବୃତ୍ତିରେ ଜଣେ ଶିକ୍ଷକ, ଗାଆଁ ପାଖ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ । ସ୍କୁଲ ଯିବା ପୂର୍ବରୁ ନିଜର ବିରାଟ ବାଡି ବଗିଚାରେ ସକାଳୁ ଉଠି ପନିପରିବା ଚାଷ ସବୁରେ ପାଣି ଦିଅନ୍ତି ଓ ଯତ୍ନବାନ ରଖନ୍ତି । ଠିକ୍ ସମୟରେ ସ୍କୁଲକୁ ଯାଆନ୍ତି ଓ ସମୟ ଅନୁସାରେ ସ୍କୁଲରୁ ଫେରନ୍ତି । ସରଳତା ଓ ସମାଜ ସେବା ସମ୍ମୁଖରେ ସେ ସବୁବେଳେ ଦଣ୍ଡାୟମାନ । ସମୟର ମୂଲ୍ୟବୋଧକୁ ସେ ଠିକ୍ ଭାବରେ ବୁଝିଥାନ୍ତି ଓ ପିଲାଙ୍କୁ ସମୟର ମୂଲ୍ୟ ବିଷୟରେ ବୁଝାଇଥାଆନ୍ତି । ଗରିବ ପିଲାମାନଙ୍କୁ ପାଠ ପଢାଇବାରେ କୁଣ୍ଠାବୋଧ କରନ୍ତି ନାହିଁ, ଗରିବ ପିଲାମାନଙ୍କୁ ମାଗଣାରେ ସବୁ କିଛି ଅନାୟାସରେ ସାହାଯ୍ୟ କରନ୍ତି । ସେ ଜଣେ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ । ଅନେକ ସମୟରେ ପିଲାଙ୍କ ପାଇଁ ସେ ପ୍ରେରଣାର ସୂତ୍ର ପାଲଟି ଯାଆନ୍ତି । ଏ ସ୍କୁଲଟି ପ୍ରାୟ ୭୦ ବର୍ଷ ତଳର । କେତେ ପିଲା ଏହି ସ୍କୁଲରୁ ପାସ୍ କରି କିଏ କୁଆଡେ଼ ସବୁ ଅଛନ୍ତି।
ସଦାନନ୍ଦ, କାଳନ୍ଦୀ, ହରିହର, ସର୍ବେଶ୍ଵର ଓ ପ୍ରତିଭା, ସୁମିତ୍ରା, ସରୋଜ ଏମିତି ଅନେକ, ଏମାନେ ସମସ୍ତେ ଘନଶ୍ୟାମ ସାରଙ୍କ ଛାତ୍ର । ଏମାନେ ସମସ୍ତେ ବାହାରେ ବଡ଼ ବଡ଼ ଚାକିରୀ ସବୁ କରିଛନ୍ତି । ସେହି ସାରଙ୍କ ପ୍ରେରଣା, ଆଦର୍ଶକୁ ପାଥେୟ କରି ସେମାନେ ଆଜି ବହୁତ ବଡ଼ ବଡ଼ ପୋଷ୍ଟରେ ଚାକିରୀ କରିଛନ୍ତି । ଛୁଟିରେ ଗାଁକୁ ଆସିଲେ ସେମାନେ ଘନଶ୍ୟାମ ସାରଙ୍କୁ ଆଗେ ଯାଇ ଭେଟ କରନ୍ତି । ମଣିଷ ତିଆରି କାରଖାନାରେ ଯିଏ ମଣିଷ ତିଆରି କରିଛି ତାଙ୍କୁ କିଏ ବା ଭୁଲିଯିବ? ଘନଶ୍ୟାମ ବାବୁଙ୍କ ବଡ଼ପୁଅ ଗଜେନ୍ଦ୍ର ବହୁତ ଶାନ୍ତ ସ୍ଵଭାବର । କିଛି ଦିନ ତଳେ ସିଭିଲ ସାରଭିସ ପରୀକ୍ଷାରେ ୨୪ ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା କଲେକ୍ଟର ପୋଷ୍ଟରେ ଯୋଗଦାନ କରିଥାନ୍ତି । ମନ ଭିତରେ ଅନେକ ଉତ୍କଣ୍ଠା ଥାଏ, ଅଫିସରେ ସବୁ କର୍ମଚାରୀଙ୍କ ଭିତରେ ନୁଆ କରି ଯୋଗ ଦେବାକୁ ଆସୁଥିବା ଜିଲ୍ଲାପାଳଙ୍କୁ ସ୍ଵାଗତ କରିବାକୁ ଅପେକ୍ଷାରେ ସମସ୍ତେ ଚାହିଁ ବସିଥାନ୍ତି । ହଠାତ୍ ଗୋଟାଏ ଗାଡ଼ି ଅଫିସ୍ ସମ୍ମୁଖରେ ଲାଗିଲା । ଅଫିସର ସମସ୍ତେ ଫୁଲ ତୋଡା ଧରି ସ୍ୱାଗତ କରିନେଲେ ନୁଆ ଜିଲ୍ଲାପାଳଙ୍କୁ । ନୂଆ ନୂଆ ଜିଲ୍ଲାପାଳ ହେଲା ପରେ ପ୍ରଥମ ଦିନ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ କରୁଥିଲେ । ସାମ୍ବାଦିକମାନେ ଗୋଟେ ପରେ ଗୋଟେ ପ୍ରଶ୍ନ କରିଚାଲିଥାନ୍ତି । ଅନେକ ପ୍ରଶ୍ନ ଭିତରେ କିଏ ଜଣେ ସାମ୍ବାଦିକ ପଚାରିଲେ ସାର ଆପଣଙ୍କ ଏତେ ବଡ଼ ସଫଳତା ପଛରେ କାହାର ହାତ ଥିଲା । ଗଜେନ୍ଦ୍ର ବାବୁ ଟିକିଏ ହସିଦେଇ କହିଲେ, ଏତେବଡ଼ ସଫଳତା ପଛରେ ମୋ ବାପା ଓ ମାଆଙ୍କର ହାତ ଥିଲା, ବାପାଙ୍କର ପ୍ରେରଣା ମୋ ପାଇଁ ସହଜ ଓ ସଫଳତାର ରାସ୍ତା ଦେଖାଇ ଥିଲା । ବାପା ମୋ ପାଇଁ ଖାଲି ପ୍ରେରଣା ପ୍ରଦାୟକ ନଥିଲେ, ସେ ମୋ ପାଇଁ ଦେବତା ସ୍ଵରୂପ, ତାଙ୍କ ପାଖରେ ବସି ପଡ଼ିଲେ ବି ହୃଦୟର ସ୍ପନ୍ଦନ ବି ବୁଝି ଯାଏ, ସେ କେତେ ବାସ୍ତବବାଦୀ ମଣିଷଟିଏ । ଆମ ସେ ଖଣ୍ଡମଣ୍ଡଳରେ ମୋ ବାପା ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରେରଣାର ଉତ୍ସ ଥିଲେ । ସତେ ଯେମିତି ବାପାଙ୍କ ମୁଖମଣ୍ଡଳରେ ଜ୍ଞାନର ତେଜସ୍କ୍ରିୟ ରଶ୍ମି ପ୍ରଭାହିତ ହେଉଥିଲା । ଯାହାକୁ ଯାହା ପ୍ରେରଣା, ଉତ୍ସାହ ଓ ଆର୍ଶୀବାଦ କରୁଥିଲେ ସେ ସେଥିରେ ନିଶ୍ଚିତ ସଫଳତା ଲାଭ କରୁଥିଲେ।
ଆପଣମାନେ ଏମିତି ଭାବିବେ ନାହିଁ ଯେ ମୁଁ ମୋ ବାପାଙ୍କୁ ଅନେକ ଟେକି କରି କହୁଛି, ସତରେ ବାସ୍ତବରେ ମୋ ବାପାଙ୍କ ଉଦାରତା, ନମନୀୟତା, ସମାଜସେବା, ଅନ୍ୟକୁ ଭଲ ଚକ୍ଷୁରେ ଦେଖିବା , ପର ଉପକାର କରିବା , ସହଜରେ ସମସ୍ୟା ସମାଧାନ କରିବା, ଏସବୁ ତାଙ୍କ ପାଇଁ ଏକ ଦୈନନ୍ଦିନ କାର୍ଯ୍ୟ ଥିଲା । ଆଜି ଯଦି ମୁଁ ଏ ଜାଗାରେ ପହଞ୍ଚି ପାରିଛି କେବଳ ମୋ ବାପାଙ୍କ ପାଇଁ । ବାପା ମୋତେ ସବୁ ବେଳେ କହନ୍ତି , ଗଜେନ୍ଦ୍ର! ଜୀବନର ଯଦି ଭଲ ମଣିଷଟିଏ ହବାକୁ ଚାହୁଁ ତେବେ ପ୍ରତିଟି ମୁହୂର୍ତ୍ତକୁ ସକରାତ୍ମକ ଦୃଷ୍ଟି କୋଣରେ ଦେଖିବାକୁ ପଡ଼ିବ । ବୁଝିଲୁ ଗଜେନ୍ଦ୍ର, ଏ ସକରାତ୍ମକ ଦୃଷ୍ଟିଭଙ୍ଗୀ ମଣିଷ ପାଇଁ ଏକ ପ୍ରକାର ନିତିଦିନିଆ ଔଷଧ । ଯେଉଁମାନେ ସମାଜରେ ପ୍ରତିଷ୍ଠିତ ନାମିଦାମି ଲୋକ ସେମାନଙ୍କ ପାଖରେ ସବୁବେଳେ ଏହି ସକରାତ୍ମକ ଚିନ୍ତାଧାରା ଭରପୁର ଥାଏ । ସେଥିପାଇଁ ସେମାନଙ୍କୁ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ଓ ପରିଚୟ ମିଳି ପାରିଛି । ବାପାଙ୍କ କଥା ମାନି ମୁଁ ଆଜି ଏଭଳି ସଫଳତା ପାଇଛି । ଉତ୍ସାହ ଓ ପ୍ରେରଣା ମଣିଷ ଜୀବନର ସର୍ବଶ୍ରେଷ୍ଠ ଉତ୍ସ । ଯାହା କି ମଣିଷକୁ ସଫଳତାର ରାସ୍ତା ଦେଖାଇ ଥାଏ । ତେବେ ମୁଁ କହିବି ମୋ ବାପା ମୋ ଆଦର୍ଶ ଓ ପ୍ରେରଣା । ଧନ୍ୟବାଦ ସାମ୍ବାଦିକ ବନ୍ଧୁ ଗଣ । ଦିନଟି ଶୁଭମୟ ହେଉ । ରହିଲି ପୁଣି ଦେଖାହେବ।
