(୭)*ପ୍ରୀତି ବନ୍ଦିନୀ କଲ୍ୟାଣୀ *
(୭)*ପ୍ରୀତି ବନ୍ଦିନୀ କଲ୍ୟାଣୀ *
ମଣିଷ ଜୀବନରେ ସବୁ ପ୍ରତିକ୍ରିୟା , ସାହିତ୍ୟ ଏବ ଚଳଚ୍ଚିତ୍ର ,ଉଭୟର ପ୍ରତିଫଳନ । ସାହିତ୍ୟ ହିଁ ଆଣି ଥାଏ ସମାଜରେ ପରିବର୍ତ୍ତନ । ସାହିତ୍ୟର ଗଳ୍ପ ଉପନ୍ୟାସ କୁ ନେଇ ଚଳଚ୍ଚିତ୍ର ର ସୃଷ୍ଟି । ଷାଠିଏ ଦଶକରେ ମହାନ ନିର୍ଦ୍ଦେଶକ ବିମଲ ରୟ ସେହିପରି ଏକ ବଙ୍ଗଳା ଉପନ୍ୟାସ "ତାମସି" କୁ ନେଇ ଚଳଚ୍ଚିତ୍ର "ବନ୍ଦିନୀ" ନିର୍ମାଣ କରିଥିଲେ । ଯାହା ଭାରତୀୟ ସିନେମାର ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ବନ୍ଦିନୀ ର କାହାଣୀ ସ୍ବାଧୀନତା ପୂର୍ବର କଥାବସ୍ତୁ । କଲ୍ୟାଣୀ ନାମକ ଚରିତ୍ର କୁ ନେଇ ଚଳଚ୍ଚିତ୍ର ଗତିଶୀଳ । ଝିଅଟିଏ ଇଚ୍ଛାର ଅଦୃଶ୍ୟ ଅରଣ୍ୟରେ ବାଟଭୁଲି , କିପରି ଆଉ ଏକ ନିଷିଦ୍ଧ ଅଞ୍ଚଳରେ ନିଶବ୍ଦରେ , ପଶ୍ଚାତାପର ଜୀବନ ବିତାଇବାକୁ ବାଧ୍ୟ ହୋଇଛି ,ତାହା ବଡ଼ ମାର୍ମିକ ଢଙ୍ଗରେ ଏ ଛବିରେ ଚିତ୍ରାୟିତ ।
କାହାଣୀର ନାୟିକା ଅଳ୍ପ ବୟସୀ କଲ୍ୟାଣୀ ଜେଲ ମଧ୍ୟରେ କଏଦୀ ଭାବେ ସଜା କାଟୁଛି । ସମସ୍ତଙ୍କ ଆଖି ତା'ରି ଉପରେ ।ସେ ନର ହତ୍ୟାରେ ଅଭିଯୁକ୍ତା । ଏହି ସମୟରେ ଜଣେ ଯୁବ ଡାକ୍ତରଙ୍କ ଡଃ ଦେବେନ୍ଦ୍ରଙ୍କ ଜେଲକୁ ଆଗମନ ହୁଏ ।ଟି.ବି. ରୋଗରେ ଆକ୍ରାନ୍ତ ବୃଦ୍ଧା କୈଦୀର ସେବା କରିବା ଅବସରରେ ହିଁ କଲ୍ୟାଣୀ ସହ ତାଙ୍କର ପରିଚୟ ।ଜେଲର ସମସ୍ତ କୈଦୀ ସେ ଯୁଗରେ ଟି.ବି ରୋଗକୁ ଭୟକରି ପଛଘୁଞ୍ଚା ଦେବାବେଳେ କଲ୍ୟାଣୀର ନିର୍ଭୟ ଭାବ ଏବଂ ରୋଗୀପ୍ରତି ସମ୍ବେଦନଶୀଳତା ଦେଖି ଯୁବ ଡାକ୍ତର ତା' ପ୍ରେମରେ ପଡିଯାନ୍ତି । ଏକଥା କଲ୍ୟାଣୀ ଆଗରେ ପ୍ରକାଶ କରି ସେ ଜେଲ ଅଧିକ୍ଷକଙ୍କ ଦ୍ଵାରା ବିବାହ ପ୍ରସ୍ତାବ ମଧ୍ୟ ରଖନ୍ତି । ମାତ୍ର କଲ୍ୟାଣୀ ଏଥିରେ ସମ୍ମତି ଦିଏନା ।
ସମୟ କ୍ରମେ କଲ୍ୟାଣୀ ର ଡାଏରୀ ତା'ର ଆଦ୍ଯ ଜୀବନର କାହାଣୀ କହେ । କଲ୍ୟାଣୀ ଜଣେ ପୋଷ୍ଟ ମାଷ୍ଟର ଙ୍କ ଶିକ୍ଷିତା ଝିଅ ।ମା କୁ ହରାଇ ବାପା ଭାଇ ସହ ତା ଖୁସିର ପରିବାର । ଭାଇ ସମାଜ ସେବୀ । ହଠାତ୍ ଥରେ ନଈବଢି ସମୟରେ ଅନ୍ୟ ମାନଙ୍କୁ ରକ୍ଷା କରିବାକୁ ଯାଇ ନିଜ ଜୀବନର ଆହୂତି ଦିଏ । ଏକା ହୋଇଯାଆନ୍ତି ବାପ ଝିଅ ।
ସମୟ ଗଡିଚାଲେ , ଭାରତୀୟ ସ୍ବାଧୀନତା ଆନ୍ଦୋଳନ ତୀବ୍ରତର ହୁଏ । କଲ୍ୟାଣୀ ର ଗାଆଁ ରେ ଜଣେ ଯୁବ ଆନ୍ଦୋଳନକାରୀକୁ ବ୍ରିଟିଶ ସରକାର ନଜର ବନ୍ଦୀ କରି ରଖନ୍ତି । ସେଇଠି ଆନ୍ଦୋଳନକାରୀ ସ୍ବାଧୀନତା ସେନାନୀ ବିକାଶ ବାବୁଙ୍କ ସହ କଲ୍ୟାଣୀର ପ୍ରଥମ ଜଣାଶୁଣା ଏବଂ ପରିସ୍ଥିତି କ୍ରମେ ଭାବ ବିନିମୟ । ହଠାତ୍ ଦିନେ ପୋଲିସ ବିକାଶ ବାବୁଙ୍କୁ ଗିରଫ କରି ସହର ନେଇଯାଏ । ଯିବା ପୂର୍ବର ସେ କଲ୍ୟାଣୀର ପିତା ପୋଷ୍ଟ ମାଷ୍ଟରଙ୍କୁ କଥା ଦିଅନ୍ତି, ଖୁବ୍ ଶୀଘ୍ର ଫେରି ସେ କଲ୍ୟାଣୀ କୁ ନିଜର ଅର୍ଦ୍ଧାଙ୍ଗିନୀ କରି ନେଇଯିବେ ।
ନିୟତି କିନ୍ତୁ କଲ୍ୟାଣୀ ନିମନ୍ତେ ଅନ୍ୟ କିଛି ଲେଖି ରଖିଥିଲା । କୈାଣସି କାରଣ ବଶତଃ ବିକାଶ ବାବୁ ସହରରୁ ଫେରି ପାରିନଥିଲେ । ଏପଟେ ଗାଁ ଲୋକଙ୍କ ଟାହି ଟାପରା ସହି ନପାରି କଲ୍ୟାଣୀ ବିକାଶ ବାବୁ ଙ୍କୁ ଖୋଜିବାକୁ ଏକା ଏକା ସହର ମୁହାଁ ହେଲା । ନିଜର ଜଣେ ବାଲ୍ଯସାଥୀର ସହଯୋଗ କ୍ରମେ ସହରର ଗୋଟେ ନର୍ସିଂ ହୋମରେ ସେ ଆୟା କାମ କରିବାକୁ ଲାଗିଲି ।
ବିଧିର ବିଧାନ ମଧ୍ୟ ବଡ଼ ବିଚିତ୍ର । ଦିନେ କଲ୍ୟାଣୀ ଜାଣିବାକୁ ପାଏ , ସେ ସେବା କରୁଥିବା ସ୍ତ୍ରୀ ଲୋକ ଜଣକ ବିକାଶ ବାବୁଙ୍କ ଧର୍ମପତ୍ନୀ । ହିତାହିତ ଜ୍ଞାନ ହରାଇ କଲ୍ୟାଣୀ , ଚା' ରେ ବିଷ ଦେଇ ସେ ସ୍ତ୍ରୀ ଲୋକକୁ ହତ୍ୟା କରେ ଏବଂ ନରହତ୍ଯା ଅପରାଧରେ ଜେଲର କାଳକୋଠରୀରେ ଏକାନ୍ତରେ ଦିନ କାଟେ ।ପରେ ଯେତେବେଳେ ସେ ଜାଣି ପାରିଛି ଯେ, ସେ ହତ୍ୟା କରିଥିବା ସ୍ତ୍ରୀ ଲୋକ ଜଣେ ପୋଲିସ ଅଧିକାରୀଙ୍କ ଝିଅ ଏବଂ ଦେଶର ସ୍ବାର୍ଥ ପାଇଁ ବିକାଶ ବାବୁ ପରିସ୍ଥିତି ରେ ପଡ଼ି ତାଙ୍କୁ ବିବିହ କରିଥିଲେ , ସେତେବେଳେ ସେ ପଶ୍ଚାତାପର ଗ୍ଳାନିରେ ଜେଲରୁ ମୁକୁଳିବନି ବୋଲି ମନେ ମନେ ଠିକ୍ କରିଛି।
ଏପଟେ ସବୁ ଜାଣିଲା ପରେ ମଧ୍ୟ ଡଃ ଦେବେନ୍ଦ୍ର ଏବଂ ତାଙ୍କ ମା' କଲ୍ୟାଣୀ କୁ ବୋହୁ କରିବା ପାଇଁ ଆଗଭର ହୁଅନ୍ତି ଏବଂ ଜେଲରୁ ମୁକୁଳାଇ ନିଜ ସହ ଘରକୁ ନେଇ ଯିବାକୁ ବାହାରନ୍ତି ।
କିନ୍ତୁ ବାଟରେ ପୁଣି ନିୟତି ତା' ପଥ ବଦଳାଏ । ଅକସ୍ମାତ ଟି.ବି ରେ ପିଡୀତ ବିକାଶ ବାବୁଙ୍କ ସହ ଭେଟ ହୁଏ କଲ୍ୟାଣୀର । ସ୍ତବ୍ଧ ହୋଇଯାଏ କଲ୍ୟାଣୀ ।ମନ ତା'ର ଆନ୍ଦୋଳିତ ହୁଏ।ଯାହା ପ୍ରେମରେ ପଡି ସେ ଘର ଛାଡେ, ଅପମାନିତ ହୁଏ, ପିତାଙ୍କୁ ହରାଏ, ଜେଲ ଯାଏ , ନିଜ ସୁଖର ଜୀବନକୁ ତଳିତଳାନ୍ତ କରିଦିଏ, ଆଜି ସେ ତା ସାମ୍ନାରେ ଜରାଜୀର୍ଣ୍ଣ ଅବସ୍ଥାରେ , ଅସୁସ୍ଥ ହୋଇ ବସିଛି ଜୀବନର ଅମା ଅନ୍ଧକାରରେ । ମନ କହୁଛି କେମିତି ସେ ତାକୁ ଏ ସମୟରେ ଏକୁଟିଆ ଛାଡି ଦେଇ ଯାଇ ପାରିବ । ଜାଣିଶୁଣି ହୃଦୟରେ ତମାମ ଜୀବନ ପାଇଁ କଳଙ୍କ ବୋହିବ ! ନା ସେ ଏତେ ସ୍ବାର୍ଥପର ନୁହେଁ । ଆଜି ସେ ତାଙ୍କ ଅନ୍ଧକାର ଜୀବନରେ ଆଲୋକ ହେବାକୁ ଚାହେଁ । ଡଃ ଦେବେନ୍ଦ୍ରଙ୍କୁ ତ କେହି ବି ମିଳି ଯିବ, ଯା ଭାଗ୍ୟରେ ସୁଖ ହିଁ ସୁଖ ଥିବ ।
ନିଜକୁ ଆଉ ଅଟକାଇ ପାରିନଥିଲା କଲ୍ୟାଣୀ । ବିକାଶବାବୁଙ୍କ ଆଡ଼କୁ ଅକ୍ଳେଶରେ ହୋଇଯାଇଥିଲା ଟାଣି। ଶ୍ରଦ୍ଧାରେ , ଭକ୍ତିରେ ,ଭାବ ବିହ୍ୱଳତାରେ । ମନରେ ଅନ୍ତରରେ ଭଲ ପାଇବାର ନିବିଡ ଆବେଗରେ । ମହିଳା ଜେଲ ଅଧିକାରୀଙ୍କ ଡାକ ତାକୁ ଆଉ ଶୁଣା ଯାଉନଥଲା ।ସଶରୀରେ ସେ ତା' ମନର ମଣିଷର ଚରଣରେ 'ବନ୍ଦିନୀ ' ହୋଇ ସାରିଥିଲା ।
ସତରେ କେତେ ଭାବ ବିହ୍ୱଳ କରେ, ଆଜି ବି ଦର୍ଶକ ଙ୍କୁ ବନ୍ଦିନୀର କଲ୍ୟାଣୀ ଚରିତ୍ର।ପ୍ରେମରେ ସମର୍ପଣର ଅନନ୍ୟ ପରାକାଷ୍ଠା । ଚାହିଁଥିଲେ ସେ ବିକାଶ ବାବୁଙ୍କ ପ୍ରତାରିତ କରି , ଡଃ ଦେବେନ୍ଦ୍ରଙ୍କ ଅର୍ଦ୍ଧାଙ୍ଗିନୀ ହୋଇ ବିଳାସମୟ ଜୀବନ ଅତିବାହିତ କରିପାରିଥାନ୍ତା । କିନ୍ତୁ ନା ତା' ମନର ଛଳନା ନଥିଲା । ଅଧିକନ୍ତୁ ଥିଲା ତପସ୍ୟା ପ୍ରାର୍ଥନା , ପ୍ରେମ ଅଭାବିତ ଜୀବନର ବେଦନା ।ସଂଭବତଃ ସେଇଥି ପାଇଁ ସେ " ବନ୍ଦିନୀ " କୁ ଆଜିବି ଭୁଲି ହୁଏନା ।
