Amit Bal

Abstract Classics Inspirational

4.5  

Amit Bal

Abstract Classics Inspirational

(୬)* ହାସ୍ଯରସିକ ତେନାଲିରାମା *

(୬)* ହାସ୍ଯରସିକ ତେନାଲିରାମା *

2 mins
320


           ସହସ୍ର ସହସ୍ର କଥା କାହାଣୀର ଦେଶ ଭାରତବର୍ଷ ।ଯାହାର ରହିଛି ଏକ ଗୈାରବ ମୟ ସ୍ବର୍ଣ୍ଣାଭ ଇତିହାସ । ଏ ମାଟିରେ ଅଗଣିତ ଚରିତ୍ର ନିଜ କର୍ତ୍ତବ୍ୟ ନିପୁଣତା ଦ୍ବାରା ନିଜ ଜୀବନକୁ ଚରିତାର୍ଥ କରି ଯାଇଛନ୍ତି । ସେଥିପାଇଁ ରାଜତନ୍ତ୍ର ଠାରୁ ଗଣତନ୍ତ୍ର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଭାରତ ସମଗ୍ର ପୃଥିବୀରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଆସିଛି ।

            ପନ୍ଦର ଶହ ଖ୍ରୀଷ୍ଟାବ୍ଦରେ ଦକ୍ଷିଣ ଭାରତର ଏକ ରାଜ୍ୟ ବିଜୟନଗରମ ନାମରେ ପରିଚିତ ଥିଲା । ମହାନ୍ ରାଜା କୃଷ୍ଣଦେବରାୟ ସେଇ ବିଜୟନଗରମ ରାଜ୍ୟର ହର୍ତ୍ତା କର୍ତ୍ତା ଭାଗ୍ୟ ବିଧାତା ଥିଲେ । ଜଣେ ଆଦର୍ଶ ରାଜା ଭାବେ ସମଗ୍ର ଭାରତ ବର୍ଷରେ ତାଙ୍କର ଖୁବ୍ ସୁନାମ ଥିଲା ।ପ୍ରଜାମାନଙ୍କ ଜୀବନଯାପନର ଶୈଳୀ ତାଙ୍କ ସମୟ ରେ ଥିଲା ଖୁବ୍ ଉଚ୍ଚ ମାନର । ଶାସନ କ୍ଷେତ୍ରରେ ରାଜାଙ୍କୁ ସହଯୋଗ କରିବା ପାଇଁ ରାଜ୍ୟ ରେ ଯେଉଁ ଅଷ୍ଟ ବିଦୂଷ ଥିଲେ , ସେମାନଙ୍କ ମଧ୍ୟରୁ ଜଣେ ପ୍ରମୁଖ ଥିଲେ କବି ତେନାଲିରାମା ।

        ତେନାଲିରାମା ଥିଲେ ଏକାଧାରରେ ଜଣେ ବିଦୁଷୀ, ବିଦ୍ୱାନ,କବି, ଅଧିକାରୀ , ଉପଦେଷ୍ଟା ଏବଂ ହାସ୍ଯରସଭରା ମହତ୍ତ୍ଵପୂର୍ଣ୍ଣ ଚରିତ୍ର । ନିଜ ବୁଦ୍ଧିମତ୍ତା ର ପରିଚୟ ଦେଇ ସେ ରାଜା କୃଷ୍ଣ ଦେବରାୟଙ୍କ ରାଜ ପରିଷଦରେ ସ୍ଥାନ ଅଧିକାର କରିଥିଲେ । ରାଜା ତାଙ୍କୁ ନିଜ ଉପଦେଷ୍ଟା ମଣ୍ଡଳୀ ରେ ସାମିଲ କରି , ଅନେକ ସମୟରେ ଶାସନ କାର୍ଯ୍ୟରେ ତାଙ୍କର ସହଯୋଗ ଲୋଡ଼ିଥିଲେ ।

        ତେନାଲି ନାମକ ସ୍ଥାନରେ ଗୋଟିଏ ଗରୀବ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ । ବାଲ୍ୟକାଳରୁ ପିତାଙ୍କୁ ହରାଇ ସେ ମା'ଙ୍କ ଦ୍ବାରା ବହୁ କଷ୍ଟରେ ପାଳିତ ହୋଇଥିଲେ ।ନିଜର ବିଚକ୍ଷଣ ବୁଦ୍ଧି ଯୋଗୁଁ ଦିନେ ସେ ରାଜ ପରିଷଦ ରେ ନିଜକୁ ପ୍ରତିଷ୍ଠିତ କରିପାରିଲେ । ବିଜୟ ନଗରମ୍ ରାଜ୍ୟ ପ୍ରତି ତାଙ୍କର ନିଷ୍ଠା, ତାଙ୍କୁ ଦିନେ ସମ୍ପୁର୍ଣ୍ଣ ଭାରତବର୍ଷରେ ଚିର ପରିଚିତ କରାଇଲା । ଏଥିପାଇଁ ତାଙ୍କୁ ବହୁ ବାଧାବିଘ୍ନ ର ସମ୍ମୁଖୀନ ହେବାକୁ ପଡ଼ିଛି । କେତେବେଳେ ପଣ୍ତିତ ଲକ୍ଷ୍ମୀ କୁମାର ତଥାଚାର୍ଯ୍ଯଙ୍କର ତ ପୁଣି କେବେ ସ୍ବୟଂ ନୃପତି କୃଷ୍ଣ ଦେବରାୟ ମହାରାଜାଙ୍କର ।ପ୍ରତିଥର ସେ ନିଜ ଉପସ୍ଥିତ ବୁଦ୍ଧି ଦ୍ବାରା ନିଜ କୁ ବିପଦ ମୁକ୍ତ କରିଛନ୍ତି ।

      ତେନାଲିରାମା ବିଜୟନଗରମ ରାଜ୍ୟର କଳା ସଂସ୍କୃତି ନାଚ ଗୀତର ଉନ୍ନତି କ୍ଷେତ୍ରରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ରହିଛି । ଜଣେ ହାସ୍ୟରସ ଉଦ୍ରେକକାରୀ ଭାବେ ସେ ରାଜା କୃଷ୍ଣ ଦେବରାୟଙ୍କ ରାଜସଭାରେ ହିଁ ନୁହେଁ ସମସ୍ତ ରାଜ୍ୟ ରେ ସର୍ବଜନ ବିଦିତ । ଆଜି ଯାଏ ସମଗ୍ର ଭାରତବର୍ଷ ତାଙ୍କୁ ଅତି ଆଦରର ସହକାରେ ଦେଖେ । ତାଙ୍କ ରଚିତ ତେଲୁଗୁ ଭାଷା ର କାବ୍ୟ , ତେଲୁଗୁ ଭାଷା ସାହିତ୍ୟରେ ଏକ ଅନବଦ୍ୟ ସୃଷ୍ଟି । କିନ୍ତୁ ନିଜର ଅସାମାନ୍ୟ ବୁଦ୍ଧି ଏବଂ ହାସ୍ୟ ରସ ପରିବେଷଣ ପାଇଁ ସେ ସର୍ବାଧିକ ପ୍ରସିଦ୍ଧି ଲାଭ କରିଛନ୍ତି ।

      ଜୀବନରେ ହସ ମଣିଷକୁ ଦୀର୍ଘଜୀବି କରେ । ମନରେ ଉତ୍ସାହ ଭରେ । କେତେ କେତେ ଅଭୁଲା ମୂହୁର୍ତ୍ତ କୁ ହୃଦୟରେ ସାଇତି ଧରେ । ଅବଶିଷ୍ଟ ଜୀବନକୁ ଅର୍ଥପୂର୍ଣ୍ଣ ଭାବେ ଅତିବାହିତ କରିବାକୁ ସହାୟତା କରେ । ଖୁବ୍ କମ୍ ଲୋକ ଦୁନିଆ ରେ ହସ ବଣ୍ଟିପାରନ୍ତି । ଜୀବନ କୁ ମନଭରି ଜିଇଁ ବାକୁ ସ୍ପୃହା ଯୋଗାନ୍ତି । ତେନାଲିରାମା ଭଳି ହାସ୍ୟ ରସାତ୍ମକ ଚରିତ୍ର ମାନବ ସମାଜ ପାଇଁ ବରଦାନ । ଯୁଗେ ଯୁଗେ ସୁସ୍ଥ ଜୀବନ ବଞ୍ଚିବାର ଉପାଦାନ । ଦୁଃଖ ଭରା ସମୟକୁ ଅତିକ୍ରମ କରିବାର ବାହାନା, କହିପାରିବା ଏକ ଅଲଗା ଦୁନିଆର ବିଶ୍ବାସଯୋଗ୍ଯ ଆଶ୍ୱାସନା ।    

      


Rate this content
Log in

Similar oriya story from Abstract