143--ଆଟାକ୍
143--ଆଟାକ୍
ଗୁଡ଼ ଇଭନିଙ୍ଗ ମ୍ୟାମ l କେମିତି ଅଛନ୍ତି ? ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି କି, ଆପଣଙ୍କ ନମ୍ବର ମୁଁ କେମିତି ପାଇଲି ବୋଲି l ବ୍ୟସ୍ତ ହୁଅନ୍ତୁନି l ଆପଣଙ୍କ ପରି ପ୍ରତିଷ୍ଠିତl ମହିଳାଙ୍କର ମୋବାଇଲ ନମ୍ବର ପାଇବା ଖୁବ ଗୋଟିଏ କଷ୍ଟ କାମ ନୁହେଁ l ଛାଡ଼ନ୍ତୁ ସେ କଥା, କଣ କରୁଛନ୍ତି ?
ଏକା ଥରେ ଏତେ ଗୁଡିଏ ପ୍ରଶ୍ନ, ପୁଣି ଗୋଟିଏ ଅପରିଚିତ କଣ୍ଠରୁ ଶୁଣି ମିସେସ ରାଉତ ଟିକିଏ ଅଡୁଆ ରେ ପଡି ଗଲେ l ତେଣୁ ବାଧ୍ୟ ହୋଇ ପରିଚୟ ଟା ପଚାରି ଦେଲେ l
--ଚିହ୍ନି ପାରିଲେନି ମ୍ୟାମ l ମୁଁ ଅନୁରାଗ ବାସୁ l ଆମେ ସେଦିନ ମଞ୍ଚ ରେ ଭେଟି ଥିଲୁ ପରସ୍ପରକୁ, ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆୟୋଜିତ ସଭାରେ l ଆପଣଙ୍କ ବ୍ୟକ୍ତିତ୍ୱରେ ଏକ ଆକର୍ଷଣ ରହିଛି, ସ୍ୱର ରେ ଅହେତୁକ ଆପଣl ପଣ l କିଛି ଖରାପ ଭାବିବେନି ତ କଥାଟିଏ କହିବି l
-କୁହନ୍ତୁ ସାର l ଆପଣ ବି ତ ଅସାମାନ୍ୟ ବ୍ୟକ୍ତିତ୍ୱ ର ଅଧିକାରୀ l ନାରୀ ମାନଙ୍କ ପ୍ରତି ଆପଣଙ୍କ ମନରେ ଯେଉଁ ଶ୍ରଦ୍ଧା, ସମ୍ମାନ ଆପଣ ସେଦିନ ପ୍ରକଟ କରିଛନ୍ତି ମୋ ମୁଣ୍ଡ ନଇଁ ଯାଉଛି ଆପେ ଆପେ ଆପଣଙ୍କ ଆଗରେ l ଖାଲି ମୁଁ କାହିଁକି ସମଗ୍ର ନାରୀ ସମାଜ ଆପଣଙ୍କ ପରି ଉଚ୍ଚ ମନୋଭାବ ସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ପୂଜା କରିବ l
--ସେମିତି କହି ମୋତେ ଲଜ୍ଜିତ କରନ୍ତୁ ନାହିଁ ମ୍ୟାମ l ମୁଁ ତ କେବଳ ମାତ୍ର ଆପଣଙ୍କ ର ଜଣେ ଗୁଣଗ୍ରାହୀ l କହୁଥିଲି କି ଯଦି ଆପଣ ଖରାପ ନ ଭାବିବେ ମୁଁ ଯାହା ଅନୁଭବ କରୁଛି ପ୍ରକାଶ କରିବାକୁ ସାହସ କରି ପାରିବି l
--କୁହନ୍ତୁ, ମୁଁ ଖୁସି ହେବି l ଆପଣ ମାନେ ତ ଆମର ଗର୍ବ l ନାରୀ ପ୍ରତି ସମ୍ମାନବୋଧ ସମାଜ ଆପଣଙ୍କ ଠୁ ଶିଖିବ l ନିଶ୍ଚିନ୍ତ ହେଇ ପ୍ରକାଶ କରନ୍ତୁ l
--ମୁଁ ଜୀବନରେ ଅନେକ ମହିଳାଙ୍କ ସଂସର୍ଗ ରେ ଆସିଛି, ବସିଛି, ମିଶିଛି କିନ୍ତୁ ଆପଣଙ୍କୁ ଦେଖି ଦେଲେ କେଜାଣି କାହିଁକି ଏକ ଅଦ୍ଭୁତ ଆନନ୍ଦ ଅନୁଭୂତ ହୁଏ l ଟିକିଏ ବାରମ୍ବାର ଆପଣଙ୍କ ସହ କଥା ହେବାକୁ ଇଚ୍ଛା ହୁଏ l ମୁଁ ଜାଣିଛି ଏହା ସମ୍ଭବ ନୁହେଁ l ମୁଁ ବିବାହିତ, ଆପଣ ବିବାହିତା, ଆପଣ କର୍ମଜୀଵୀ ଆଉ ମୁଁ ବି l ତିନି ବର୍ଷ ତଳେ ଆପଣଙ୍କୁ ଦେଖିଥିଲି, ସେତେବେଳେ ମଧ୍ୟ ଏଇ ଏକା ଅନୁଭବ ଆସିଥିଲା ମୋ ଭିତରେ l ମନେ ହୁଏ ଯେମିତି ଜନ୍ମ ଜନ୍ମାନ୍ତରରୁ ମୁଁ ଆପଣଙ୍କୁ ଜାଣିଛି, ଆପଣ ମୋର ଏକାନ୍ତ ଆପଣାର l ଭାରି ନିଜର ନିଜର ଲାଗନ୍ତି ଆପଣ l ଆପଣଙ୍କ ଆଖିକୁ ଚାହିଁବା ମାତ୍ରେ ଲାଗେ ସତେ ଅବା ଆପଣଙ୍କର ମୋର ବହୁ ପୁରୁଣା ସମ୍ପର୍କ ରହିଛି l
--ସତରେ ! ଏଇଟା କଣ ସମ୍ଭବ l ହେଇପାରେ ଏଇଟା ଆପଣଙ୍କ ମନର ଭ୍ରମ l ଯଦି ବି ଭ୍ରମ ନୁହେଁ, ସତ୍ୟ ବି ନୁହେଁ l ତେଣୁ ଏ ସବୁ ଭାବନାକୁ ଡିଲିଟ ମାରନ୍ତୁ l ଇଟ'ସ ଠୁ ଲେଟ l ଉଇ ଆର ନଟ ମେଡ ଫର ଇଚ ଅଦର l ହା... ହା.. l
--ନା ! ସେମିତି କୁହନ୍ତୁନି l ପ୍ରଥମ ଦେଖା ରୁ ଆପଣ ମୋ ହୃଦୟରେ ବନ୍ଦୀ ହେଇ ରହିଛନ୍ତି l ମୁଁ ଚାହିଁଲେ ବି ଆପଣଙ୍କୁ ବାହାର କରି ପାରିବିନି l ଯେଉଁ ଦିନ ମୁଁ ମରିବି, ମୋ ଚିତାରେ ହିଁ ମୋର ଏ ଭାବନାର ଅନ୍ତ ହେଵ, ତା ଆଗରୁ ନୁହଁ l
--ଆଜି ଯାଏ ଆପଣଙ୍କୁ ମୁଁ ତ ଚିହ୍ନି ବି ନ ଥିଲି l ହାଓ ଇଜ ଇଟ ପଶିବଲ !
---ୟେସ l ଇଟ ଇଜ ପଶିବଲ l ମୁଁ ମୋ ଭାବନା ରାଜ୍ୟରେ ଆପଣଙ୍କ ସହ ବୁଲେ, ବସେ, ଉଠେ, ମୋର ଯାହା ଇଚ୍ଛା ମୁଁ ସେ ସବୁ କରେ l ୟୁ ଆର ସୋ ବିଉଟିଫୁଲ l ଈଶ୍ବର ଙ୍କୁ ଶତ ଧନ୍ୟବାଦ ସେଦିନ ଆପଣଙ୍କ ସହ ମୋତେ ଭେଟ କରେଇ ଦେଇ ଥିବାରୁ l
--ଦେଖୁଚି ଆପଣ ଜଣେ ଖାଣ୍ଟି ସାହିତ୍ୟିକ l କଳ୍ପନା ରାଜ୍ୟରେ ଆପଣଙ୍କ ଘର l କ୍ଷମା କରିବେ ମୁଁ କିନ୍ତୁ ଭାରି ବାସ୍ତବବାଦୀ l ଆଉ ବାସ୍ତବତା ଏୟା ଯେ ଈଶ୍ୱର ଙ୍କ ଇଚ୍ଛା ଅନୁସାରେ ଆମେ ଆମର ପରିବାର ଗଢି ସାରିଛୁ l ଆପଣଙ୍କର ଏସବୁ ଷ୍ଟେଟମେଣ୍ଟ ଜମା ଗ୍ରହଣୀୟ ନୁହଁ l ବାସ୍ତବ ଦୁନିଆ କୁ ଆସନ୍ତୁ ଅନୁରାଗ ବାବୁ, ଏଇନା ସମୟ 7.30 ହେଲାଣି l ମୋ ମିଷ୍ଟର ଙ୍କ ଅଫିସରୁ ଫେରିବା ସମୟ ହେଇ ଗଲାଣି, ମୋତେ ତାଙ୍କ ଲାଗି ଚା ବନେଇବାର ଅଛି l ସେ ଆସିଲେ ମୋ ହାତରୁ ଚା'ଟା ନ ପିଇଲେ ତାଙ୍କ ସାରା ଦିନର କ୍ଲାନ୍ତି ଦୂର ହୁଏନି l ତେଣୁ କ୍ଷମା କରିବେ ମୁଁ ରହୁଛି l
ଫୋନ ରଖିବାର ପାଞ୍ଚ/ସାତ ମିନିଟ ଯାଇନି ମିଷ୍ଟର ରାଉତ ଅଫିସରୁ ଫେରିଛନ୍ତି, ଆଉ ସେ ଚା ଆଣିବାକୁ ଯାଇଛନ୍ତି l ଗ୍ୟାସ ଅନ୍ କରି ଚା'ପାଇଁ କ୍ଷୀର, ଅଦା, ତେଜ ପତ୍ର, ଅନ୍ୟାନ୍ୟ ସାମଗ୍ରୀ ପକାଇଛନ୍ତି, ଚା'ଫୁଟିବାର ବାସ୍ନା ସହିତ ମନରେ ଫୁଟି ଉଠୁଛି ଅନୁରାଗ ବାସୁର ପ୍ରତ୍ୟେକ ଶବ୍ଦର ଏକ ସୁପ୍ତ ଶିହରଣ, ଉଠରେ ଫୁଟି ଉଠୁଛି ଝଲକlଏ ହସ l ସତରେ କଣ ଏମିତି ହେଇପାରେ ! ସତରେ କଣ ଅନୁରାଗ ବାସୁ ସହ ତାଙ୍କର ପୂର୍ବଜନ୍ମର କିଛି ସମ୍ପର୍କ ରହିଛି l ଶୁଣିଛି ବିବାହ ସ୍ୱର୍ଗରେ ହେଇ ଥାଏ l ତେବେ କାହିଁ ଅନୁରାଗ ବାସୁ ସହ ତାଙ୍କର ବିବାହ ତ ହେଇ ନାହିଁ !
ଚା' ଉତ୍ତରି ଆସିଛି ଆଉ ସେ ପୁଣି ଭାବନା ରାଜ୍ୟରୁ ଫେରି ଚୁଲା ବନ୍ଦ କରି ଚା' ଧରି ଡ୍ରଇଂ ରୁମକୁ ଆସିଛନ୍ତି l
ତହିଁ ପରଦିନ ସନ୍ଧ୍ୟା ସାତଟା ବେଳେ ଫୋନ ବାରମ୍ବାର ରିଂଗ ହେଇଛି l ଦେଖିଲା ବେଳକୁ ଗତ ସନ୍ଧ୍ୟାର ହିରୋ ଅନୁରାଗ ବାସୁ ର ଅବାଞ୍ଚିତ କଲ l କେଜାଣି କାହିଁକି ଇଚ୍ଛା ହେଲା ଫୋନ ରିସିଭ କରିବାକୁ, ତା'ର ସେଇ ରଙ୍ଗୀନ ଦୁନିଆର ମିଠା ମିଠା ସ୍ବପ୍ନରେ ବିଭୋର ହେଇ ଯିବାକୁ l ଅନୁରାଗ ବାସୁ ର ହୃଦୟ ଖୋଲା ପ୍ରେମକୁ ସ୍ୱୀକାର କରି ତା'ର ହାତ ଧରି ଆକାଶ ରେ ଉଡିବାକୁ l ଦୈନନ୍ଦିନ କର୍ମଜଂଜାଳ ମୟ ଜୀବନ ରୁ କିଛିକ୍ଷଣ ସୁଖର ରାଜ୍ୟରେ ବିଚରଣ କରିବାକୁ l ହେଲେ ହାୟ l ସେ ଯେ ବିବାହିତା l ବାରମ୍ବାର ରିଂଗ ହେବାରୁ ହାତ ରିସିଭ କରି ନେଇଛି କଲକୁ l
--ଗୁଡ଼ ଇଭନିଂ ମ୍ୟାମ l ଆଇ ମିସ ୟୁ l (I miss you-143) ମିସ ୟୁ ଏ ଲଟ l ମୁଁ କଣ ଏତେ ଖରାପ ! ମୋ ହୃଦୟର କଥା ଆପଣ ବୁଝି ପାରୁ ନାହାନ୍ତି l ତିନି ବର୍ଷ ତଳୁ ଆପଣଙ୍କୁ ମୋ ହୃଦୟରେ ମୁଁ ପୂଜା କରୁଛି l ଆପଣଙ୍କ ସ୍ୱର ଟିକିଏ ଶୁଣି ଦେଲେ କଲିଜାକୁ ଅଦ୍ଭୁତ ଶାନ୍ତି ମିଳୁଛି l ଜାଣିନି ୟା'ର କାରଣ କଣ l କେବଳ ଏତିକି ଜlଣେ ଆଜି ପର୍ଯ୍ୟନ୍ତ ମୁଁ ଅନ୍ୟ ମାନଙ୍କ ପାଇଁ ବଞ୍ଚିଛି, ଏବେ ଠୁ ମୋ ନିଜ ଖୁସି ଲାଗି ବଞ୍ଚିବାକୁ ଚାହୁଁଛି, ଆପଣଙ୍କ ଲାଗି ବଞ୍ଚିବାକୁ ଚାହୁଁଛି, ଆପଣ କଣ ମୋର ସାଥ ଦେବେନି ମ୍ୟାମ ? ନ ଦିଅନ୍ତୁ କିଛି କଥା ନାହିଁ l ମୁଁ କିନ୍ତୁ ବଞ୍ଚିବି ଯଦି କେବଳ ଆପଣଙ୍କ ପାଇଁ l
--ଆପଣଙ୍କ ପିଲା କେତେ ବର୍ଷର ହେଲାଣି ? ମିସେସ ରାଉତ ଙ୍କର ତୀକ୍ଷଣ ପ୍ରଶ୍ନ
--ଆଠ ବର୍ଷର ପୁଅ l ଭଲ ପାଠ ପଢୁଛି l ମୁଁ କେବେ କେବେ ତା' ପାଠପଢା ଦେଖେ l
--ଆପଣଙ୍କ ସ୍ତ୍ରୀଙ୍କ ନାଁ କଣ ?
--ସୁଜାତା
--ଆପଣ ତାଙ୍କୁ କେତେ ଭଲ ପାଆନ୍ତି ?
--ପାଏ ଯେତିକି ପାଇବା କଥା l
--ତେବେ ମୋତେ ଏମିତି କାହିଁକି କହୁଛନ୍ତି ?
--କାରଣ ଆପଣ ମୋର 'ଜାନ 'l ଆପଣ ମୋ ହୃଦୟରେ ଥିବାରୁ ମୁଁ ବଞ୍ଚିଛି l ଏବେ ମୁଁ ଆପଣଙ୍କ ସହ ବଞ୍ଚିବାକୁ ଚାହୁଁଛି l
--କିପରି ?
--ହେଇପାରେ ଲିଭ ଇନ ରିଲେସନଶିପ ରେ l ଆପଣ ଚାହିଁଲେ ମୁଁ ଆପଣଙ୍କୁ ପୁଣି ଥରେ ସିନ୍ଦୁର ଦେଇ ପାରିବି l
--ଆଉ ଆଗକୁ ଭlବନ୍ତୁନି l ମୁଁ ମୋ ପରିବାର ସହ ଖୁସିରେ ଅଛି l ମୋତେ ଏ କଳ୍ପନାର ଦୁନିଆ ଜମା ପସନ୍ଦ ନୁହେଁ l
--ମିସେସ ରାଉତ ଆପଣ ଜାଣି ନାହାନ୍ତି ମୁଁ ଆପଣଙ୍କ ବିନା ବଞ୍ଚି ପାରିବିନି l ତିନି ବର୍ଷ ତ କହିବା ପାଇଁ, ମାତ୍ରମୋ ମନରେ ମୋ ସ୍ବପ୍ନ ରେ ଆପଣ ଅନେକ ବର୍ଷ ହେଲା ରହି ଆସୁଛନ୍ତି l
---ଥାଉ ଅନୁରାଗ ବାବୁ l ଏସବୁ ଭାବନା କୁ ନେଇ ଆପଣ ଖୁସି ହେଇ ପାରୁଛନ୍ତି କିନ୍ତୁ ମୁଁ ନୁହେଁ l ମୁଁ ଏଥର ଫୋନ ରଖୁଛି l
----ମିସେସ ରାଉତ ଚା'କରିବାକୁ ଉଠି ଯାଇ ଛନ୍ତି ରୋଷେଇ ଘରକୁ l ଚୁଲା ରେ ଚା' ଆଉ ମନରେ ଅନୁରାଗ ବାବୁ ଙ୍କର ବାକ୍ୟ' ଆଇ ମିସ ୟୁ 'ର ମହକ ମନଟାକୁ ବେଶ ଆନ୍ଦୋଳିତ କରୁଛି l ସ୍ୱାମୀ ଙ୍କ ହାତକୁ ଚା'କପ ଟା ବଢ଼ାଇ ଦେଇ ଟି ଭି ର ସୁଇଚଟା ଅନ୍ କରି ସୋଫା ଉପରେ ବସି ପଡି ଛନ୍ତି ମିସେସ ରାଉତ l
ବଡ଼ ବଡ଼ ଅକ୍ଷର ରେ ମୁଖ୍ୟ ସମାଚାର l ସ୍ତ୍ରୀ କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ରେ ସହର ର ପ୍ରଖ୍ୟlତ ଆଡ଼ଭୋକେଟ ଅନୁରାଗ ବାସୁ ଙ୍କୁ ଗିରଫ କଲା ପୋଲିସ l ଏଥି ସହିତ ସୁନ୍ଦର, ସରଳ, ଅସହାୟ ସ୍ତ୍ରୀ ଟିର ଦୁଃଖଦ ବୟାନ l "ଅନୁରାଗ ଜଣେ ଅମଣିଷ, ସେ ତା'ସହ ପଶୁ ସଦୃଶ ବ୍ୟବହାର କରନ୍ତି........... ଇତ୍ୟାଦି l
ହଠାତ ପାଦ ତଳୁ ମାଟି ଖସିଗଲା ପରି ମନେ ହେଲା ମିସେସ ରାଉତ ଙ୍କର l ଯେଉଁ ଅନୁରାଗ ବାସୁ ର କଥା ରେ ଏମିତି ଯାଦୁ, ବ୍ୟକ୍ତିତ୍ୱରେ ଅଜବ ଆକର୍ଷଣ, ବକ୍ତବ୍ୟ ରେ ନାରୀ ମାନଙ୍କ ପ୍ରତି ସମ୍ମାନ ବୋଧ, ଯେଉଁ ଲୋକ ର କଥା ର ମୋହ ରେ ସେ ନିଜେ ଆଛାଦିତ ହେଇ ଯାଉଥିଲେ, ସେ ଯେ...... l ଈଶ୍ୱର ଙ୍କୁ ଶତ କୋଟି ଧନ୍ୟବାଦ ଏଇ 143-ଭାଇରସ ର ଅlଟାକରୁ ତାଙ୍କୁ ବେଳ ଥାଉ ଥାଉ ବଞ୍ଚେଇ ଥିବାରୁ l