ଉଡୁଅଛି କାଳ ଛଞ୍ଚାଣ
ଉଡୁଅଛି କାଳ ଛଞ୍ଚାଣ


ଉଡୁଅଛି କାଳ ଛଞ୍ଚାଣ ତାର ମେଲେଇ ଡେଣା
କେତେବେଳେ ଝାମ୍ପି ନେବରେ ତୋତେ ନଥିବ ଜଣା।
କାଳ ହାତରେ ତୁ ଖେଳଣା ତୋତେ ନଚାଏ ନିତି
କାଳିଆ କଲେ ଭରଷେଆ ତୋର ନଥିବ ଭିତି।୧!
ଭବ ଜଳଧି ରେ ଭାସୁଛି ତୋର ଜୀବନ ତରୀ
କଳା ନାବିକ କୁ ଭଜିଲେ ଭବୁ ହୋଇବୁ ପାରି ।
ଚକା ବଇଠି ରେ ବସିଣ ଚକା ଆଖି ମେଲେଇ
ପାପ ପୂଣ୍ୟ ଯାହା କରୁଛୁ ସବୁ ଦେଖନ୍ତି ସେହି।୨!
ସମୟ ସୁଅରେ ଜୀବନ ତୋର ପାଣି ଫୋଟକା
କିଏ ଜାଣେ କେତେବେଳେ ତୋ ସରିଯିବ ନାଟିକା।
ଶୈଶବ ରୁ ଧର୍ମ ଧନ ତୁ ମନ କଲେ ସଞ୍ଚୟ
ଆସୁ ଯେତେ ଦାଉ ଧକ୍କା ରେ ତୋର ନଥିବ ଭୟ।୩!
ବାପା ମାଆ ତୋର ଠାକୁର ତାଙ୍କ ସେବା କରିବୁ
ତାଙ୍କରି ଆଶିଷେ ସବୁଠି ମନ ଜୟୀ ହୋଇବୁ।
ବାପା ମାଆଙ୍କର ସେବାରେ ଯିଏ ହେଳା କରଇ
ଆଜି ନହେଲେ ବି କାଲି ସେ ତାର ଫଳ ଭୋଗଇ!୪!
ଜୀବନର ପ୍ରତି ପାଦରେ ଆସେ ବିପଦ କେତେ
ବାପା ମାଆଙ୍କର ଆଶିଷ ସାହା ହୋଇବ ତୋତେ।
ଚଲା ପଥ ନୁହେଁ ସୁଗମ ଖାଲ ଢିପ ଯେ ତହିଁ
ମାପି ଚୁପି ବାଟ ଚାଲିଲେ ଜମା ଝୁଣ୍ଟିବୁ ନାହିଁ ।୫!
ଆଶା ତୋର ଦୁଃଖ କାରଣ ମନେ ରଖିବୁ ତୁହି
ଆଶା ମରିଚିକା ପଛରେ ଜମା ଧାଇଁବୁ ନାହିଁ।
ଆଶା ପଛେ ଯେତେ ଧାଇଁବୁ ସେତେ ବଢ଼ିବ ଶୋଷ
ଆଶା ପାଇଁ ମନ ବ୍ୟାକୁଳ ଆଶା ହୁଏନି ଶେଷ।୬!
ମାୟାଜାଲ ବଣା କରଇ ତୋର ବୁଦ୍ଧି ବିଚାର
ଯାହାଙ୍କୁ ଭାବୁ ତୋ ନିଜର କେହି ନୁହଁନ୍ତି ତୋର।
ମନ ର କଥାରେ ମନରେ ଅନ୍ଧ ହୋଇବୁ ନାହିଁ
ବିବେକ ର କଥା ମାନିଲେ ଠକି ଯିବୁନି କାହିଁ।୭!
କେହି ତୋତେ କିଛି କହିଲେ ପାଞ୍ଚ ଥର ଭାବିବୁ
ପାଞ୍ଚ ଜଣଙ୍କର କଥାକୁ ହେୟ ତୁ ନମଣିବୁ।
କାହା ମନ୍ଦ କେବେ ମନରେ ତୁ ତ ପାଞ୍ଚିବୁ ନାହିଁ
ପର ପାଇଁ ଗାତ ଖୋଳି ଲେ ଆଗ ପଡ଼ିବୁ ତୁହି ।୮!
ପର ସୁଖେ ସୁଖି ହୋଇବୁ ପର ଦୁଃଖ ରେ ଦୁଃଖୀ
ଦୁଃଖୀ ରଙ୍କି ସେବା କରିଲେ ନିଶ୍ଚେ ହୋଇବୁ ସୁଖି
।
ଅନୀତି ଦୁର୍ନୀତି ପାଖରୁ ସଦା ରହିବୁ ଦୂରେ
କଳା ପଇସା କୁ ଦେବୁନି କେବେ ପୁରାଇ ଘରେ।୯!
ସତ୍ୟକୁ ଈଶ୍ୱର ଦେଖନ୍ତି ହେଲେ ଡେରିରେ ସେତ
ସତ୍ୟ ର ତ ସଦା ବିଜୟ ମିଛ ଧରା ପଡେତ ।
ଭଲ କାମ କରୁଥିଲେ ତ ଭଲ ଫଳ ମିଳଇ
ଅଭାବ କଷଣ ଅଚିରେ ସବୁ ଯାଏ ଦୂରେଇ ।୧୦!
ମନ୍ଦ କଥା ତୋର ତୁଣ୍ଡ ରେ କେବେ ଧରିବୁ ନାହିଁ
ମନ୍ଦ ମତି ଙ୍କର ସାଥିରେ ଭାବ କରିବୁ ନାହିଁ।
ଛନ୍ଦ କପଟିଆ ଲୋକଙ୍କୁ କରିବୁନି ବିଶ୍ବାସ
ନିଦ ହଜିଯିବ ଆଖିରୁ ହେଲେ ତାଙ୍କରି ବସ।୧୧!
ବିପଦେ ସାହାଯ୍ୟ ମାଗିଲେ ହାତ ବଢ଼ାଇ ଦେବୁ
ଅବାଟରେ ଯିବା ଲୋକଙ୍କୁ ବାଟ କଢାଇ ନେବୁ।
ଯାହାଠୁ ପାଇବୁ ସାହାଯ୍ୟ ତାଙ୍କୁ ଭୁଲିବୁ ନାହିଁ
ଯାହାକୁ କରିବୁ ସାହାଯ୍ୟ ମନେ ରଖିବୁ ନାହଁ।୧୨!
ସଂଞ୍ଜମ ଶୃଙ୍ଖଳା ପ୍ରତିଟି ସଦା ଧ୍ଯାନ ରଖିବୁ
ମନ ନିୟନ୍ତ୍ରଣେ ରହିଲେ ମନ ଶାନ୍ତି ପାଇବୁ।
ନିଶା ରାକ୍ଷସ ର କବଳେ ଜମା ପଡ଼ିବୁ ନାହିଁ
ଅକାଳରେ ନିଶା ରାକ୍ଷସ ଯାଏ ଜୀବନ ନେଇ।୧୩!
ମନେମନେ ମନ ଭାବୁଛୁ ଯାହା କରୁଛୁ ତୁହି
ଲୁଚି ଛପି ସବୁ କରୁଛୁ ଦେଖୁ ନାହାଁନ୍ତି କେହି।
ଏମିତି ତ ଯିଏ ଭାବଇ ବଡ ମୂରୁଖ ସେହି
ଉପର ବାଲା ତ ଦେଖନ୍ତି ଠକି ପାରିବୁ ନାହିଁ।୧୪!
ଏତ କଳିଯୁଗ ନୁହଁଇ ଏତ କଲା ଯୁଗଟି
ଏଇଠି ସରଗ ରହିଛି ଅଛି ନର୍କ ପୁର ଟି।
ତୋ ପାପ ପୂଣ୍ୟ ର ବିଚାର କାଳ କରିବ ଏଠି
କଲା କରମର ଫଳତୁ ଭୋଗିବୁ ରେ ଏଇଠି!୧୫!
ଗୀତା ଭାଗବତ ପଢ଼ିଲେ ସବୁ ବୁଝି ପାରିବୁ
ଚାଲିବାକୁ ଭଲ ବାଟ ଯେ ତୁ ତ ଖୋଜି ପାଇବୁ।
ଦୋଛକି ପଡ଼ିଲେ ଜମାତୁ ବାଟ ହେବୁନି ବଣା
ଭଲ ଭେଲ ଦେବ ବୁଝାଇ ତୋତେ ତୋ ମନ ବୀଣା ।୧୬!
ଛନ୍ଦା ପୟରରେ ମନ କୁ ତୋର ଦେବୁ ରେ ଛନ୍ଦି
କାଳ ଯମ ନେବ ନାହିଁ ରେ ତୋତେ ଅକାଳେ ବାନ୍ଧି।
ମହାପ୍ରଭୁ ଙ୍କୁ ତୁ ମନରେ ସଦା ହୋଇଲେ ଚିନ୍ତି
ଭବ ସାଗର ରୁ ନିଶ୍ଚୟ ପାଇବୁ ରେ ମୁକତି।୧୭!