ତୁମେ ଯେବେ ଆସ
ତୁମେ ଯେବେ ଆସ
ପ୍ରକୃତି ଫୁଲର ଋତୁ ପାଖୁଡାଟି
ବର୍ଷା ରାଣୀ ଗୋ ତୁମେ
ତୁମ ପହିଲି ମାଦକ ଛୁଆଁରେ
ମନ ଭଅଁର ଝୁମେ ।
ତୁମେ ଗୋ ଆସ ମେଘ ସବାରୀରେ
ନୀଳ ଅମ୍ବର ସାଜି
ଚପଳା ଚମକେ ରୋଷଣୀ ଝଲସେ
ବଜ୍ର ଦୁନ୍ଦୁଭି ବାଜି ।
ପହିଲି ଆଷାଢ ପହିଲି ବାରିରେ
ଭିଜା ମାଟିର ବାସ୍ନା
ମନରେ ଆଙ୍କେ ପ୍ରୀତି ପୁରବୀ
ହୃଦୟ ଆନମନା ।
ବର୍ଷା ଗୋ ତୁମେ ନୀଳ ତରଙ୍ଗିଣୀ
ସ୍ୱପ୍ନର ଇନ୍ଦୁମତୀ
ତୁମ ଚପଳ ଛନ୍ଦ ତୋଳୁଛି
ପ୍ରେମ ମହ୍ଲାର ଗୀତି ।
ତୁମେ ଯେ ଘନ ଆଷାଢୀ ଆକାଶେ
ଭସା ଵାଦଲର ଛାଇ
ତୁମ କାଉଁରୀ ମଧୁର ଚୁମ୍ବନେ
ତନୁ ମନ ଶୀହରଇ ।
ତୁମେ ଯେ ଆସ ଗୋଲାପ ସମ୍ଭାରେ
ଶ୍ୟାମଳୀଲତା ଧାରେ
ଵୁଣି ଵୁଣି ଯାଅ ମିଠା ସପନ
ବିରହୀ ହୃଦୟରେ ।
କଵି କଲମ କଳ୍ପନା ବିଳାସୀ
ସୁନ୍ଦରୀ ଅପରୂପା
ସ୍ଥପତିମନ ଖୋଲା କାନଭାସେ
ପ୍ରେୟସୀ ଚିତ୍ର ଲେଖା ।
କା ପାଇଁ ତୁମେ ରଙ୍ଗ ତୂଳୀ ମଖା
ପୀୟୂଷ ପିଆଲାଟିଏ
କା ପାଇଁ ଗାଅ ଵିରହ ଵୀଣାରେ
ବେସୁରା ରାଗିଣୀଟିଏ ।
କା ପାଇଁ ସାଜ ମଲାଜହ୍ନ ତୁମେ
କା ପାଇଁ ନୀଳକଇଁ ।
କା ପାଇଁ ତୁମେ ସବୁଜ ବନାନୀ
କା ପାଇଁ ମରୁଭୂଇଁ ।
କୁଆଁରୀ କଅଁଳ ହୃଦୟେ ଲେଖ
ପ୍ରୀତି କବିତାଟିଏ
ରିମଝିମ୍ ତୁମ ପାଉଁଜି ଛନ୍ଦ ରେ
ଉନ୍ମାଦେ ହଜିଯାଏ ।
ବର୍ଷା ରାଣୀ ଗୋ ଯେବେ ତୁମେ ଆସ
ମନ ଅଗଣା ଛୁଇଁ
ଅତୀତ ସ୍ମୃତି ସାଉଁଟା ଫୁଲକୁ
ଲୁହେ ମୁଁ ସାଉଁଟଇ ।
କା ଓଠର ତୁମେ ମଧୁର ଆଳାପ
ରଙ୍ଗ ଶାଳା ନାୟିକା
କା ହୃଦୟ କୋଣ ଅନ୍ଧାରୀ ଗହନେ
ଅଲୋଡ଼ା ଦୀପଶିଖା ।
ରୂପ ନଗରୀର ରୂପସୀ ଗୋ ତୁମେ
ଅଳସୀ ରାଜଜେମା
ନିଶିଗନ୍ଧା ନିଶି କବରୀ ସ୍ତବକେ
ମୋହିନୀ ଅନୁପମା।