ଚିରନ୍ତନ ମହକିବ
ଚିରନ୍ତନ ମହକିବ
ଫଗୁଣ ଫୁଲର ମହକ ପରା ତୁ ଆଲୋ ମୋର ଆମ୍ବକଷି
ହସି ଦେଉଥିଲେ ମୁକୁତା ଝରଇ ଅଗଣା ମୋ ଉଠେ ହସି
କୃଷ୍ଣଚୂଡା ରଙ୍ଗ ମନରେ ବୋଳି ତୁ ଗଭାରେ ଗଜରା ନାଉ
ନାଲିନାଲି ଚୁଡି ନାଲିଆ ପାଟରେ କେତେଲୋ ସଜେଇ ହେଉ।
ରକ୍ତିମା ଅଧରେ ଶୁଭ୍ର ଦନ୍ତପନ୍ତି କିଣିନିଏ ମୋର ମନ
କେତେ ତ ଫୁଲେଇ ହେଉଥାଉ ସଦା ଆଲୋ ମୋ ପୁନେଇଜହ୍ନ
ପହିଲି ଆଷାଢ ବତୁରା ମାଟି ତୁ ମୋ ଦେହେ ତ ନେସି ହେଉ
ବଇଶାଖି ତାତି ସଂଜୁଆ ବାଆରେ ପୀରତି ପଖାଳି ଦେଉ ।
ଶ୍ରାବଣୀର ପୂର୍ଣ୍ଣ ଗର୍ଭିଣୀ ନଈ ଲୋ ଚଗଲି ଚହଲା ମନ
କେବେ ନେଉ ସେଇ ସୁଅରେ ଭସେଇ ମୋର ଯେତେକ ସପନ
ଭୋଦୁଅ ଆକାଶ ନିରିମଳ ତାରା ନିଳିମାକୁ ମାଗି ଆଣୁ
ଅଶିଣ ସଂଜୁଆ ଜହ୍ନିଫୁଲ ତୁ ଲୋ ଅଭିସାରେ ମନ କିଣୁ ।
ମୋ ମନ ଆକାଶ ଇନ୍ଦ୍ରଧନୁ ତୁ ଲୋ ଆଲୋ ମୋ ସରଗ ପରୀ
ସପତ ରଙ୍ଗରେ ରଙ୍ଗେଇ ଦେବୁଲୋ ଧରି ମୋ ଜୀବନ ଡୋରି
ଆମରି ପୀରତି ଅମଳିନ ଗାଥା ଚିରଦିନ ରହିଥିବ
ଧରଣୀ ବୁକୁରେ ଅଲିଭା ଅକ୍ଷରେ ଚିରନ୍ତନ ମହକିବ ।