STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ତୁମେ ଆସ ଗୋ ମୌସୁମୀ

ତୁମେ ଆସ ଗୋ ମୌସୁମୀ

1 min
322


ତୁମେ ଆସ ଗୋ ମୌସୁମୀ

ସ୍ବାଗତ କରୁଛୁଁ ତୁମକୁ

ଅନ୍ତରରୁ ଶ୍ରଦ୍ଧା ଭକ୍ତିରେ ପ୍ରଣମି

ଚାତକର ଚାହାଁଣିରେ ଚାହିଁଛି ଧରଣୀ

ନିଦାଘ କ୍ଳିଷ୍ଟ ରୁକ୍ଷ ଶୁଷ୍କ ତା' କୋଳ

ଲାଗେ ସବୁ ଶୂନ୍ୟ ଶୂନ୍ୟ ମରୁଭୂମି

ଜଳ ବିହୁନେ ଜଳୁଛି ଜୀବନ

ଆତଙ୍କିତେ ସକଳ ପ୍ରାଣୀ

ଯନ୍ତ୍ରଣାରେ ମର୍ମାହତ ଅସହାୟ

ଭାବନ୍ତି କି କଷ୍ଟ ଧରାପୃଷ୍ଠେ ଜନମି

ତୁମେ ଆସ ଗୋ ମୌସୁମୀ

ତୁମେ ଯେ ମୃତ୍ୟୁ ସଂଞ୍ଜିବନୀ ମନ୍ତ୍ର

ପିଣ୍ଡରେ ପ୍ରାଣ କର ସଞ୍ଚାରିତ

ତୁମଠାରେ ନତ ମସ୍ତକ ପରାକ୍ରମୀ

ତୁମ ଶୁଭାଗମନେ ଆକାଶ

ମେଘାଡାମ୍ବରେ ଦିଶେ ଶୋଭାମୟ

ଉର୍ଦ୍ଧେ ଧବଳ କୃଷ୍ଣକାୟ ବାଦଲ ଭ୍ରମି

ଆଶା ଆଶ୍ଵାସନାର ଦିଏ ଆଶିଷ

ସାନ୍ତ୍ଵନାରେ ମନ ଯାଏ ନରମି

ବରଷାରାଣୀ ଓଢଣି ଟାଣି

ନିଝୁମ୍ ବରଷି ଯାଏ ଛମ୍ ଛମ୍

ହୃଦୟ ସାଗରେ ନାଚେ ଆଶାର ଉର୍ମି

ତୁମେ ଆସ ଗୋ ମୌସୁମୀ

ଜ୍ୟେଷ୍ଠ ଯାଏ ଆସୁଛି ଆଷାଢ଼

ଆଲୋକ ତରଙ୍ଗେ ବିଜୁଳି ଝଟକ

ଘଡ଼ଘଡି଼ ଶବ୍ଦେ କମ୍ପେ ମେଦିନୀ

ପ୍ରବଳ ଗ୍ରୀଷ୍ମତାପ ଯାଏ ଥମି

ସବୁଜ ସୁନ୍ଦର ତରୁଲତା

ହୁଏ ପଲ୍ଲବିତ ତୁମରି ପ୍ରଭାବେ

ସୁବୁଜିମାରେ ଭରି ଗଲେ ସୁଷମା

ଉପବନ ଶିରୀ ଯାଏ ସରମି

ଯୁଇ ଜାଇ ଟଗର କେତକୀ କଦମ୍ଵ

ଫୁଲେ ଫୁଲେ ମହକେ ମହୀ

ଉଡି ଆସି ମଧୁପ ଯାଏ ଚୁମି ଚୁମି

ଚଷା ବିଲେ ଯାଏ ବେଗି ବେଗି

ରୁଆ ବିହୁଡାରେ କାଦୁଅ ଘାଣ୍ଟେ 

ସବୁରି ଜୀବନ ଲାଗି ସେ ପରିଶ୍ରମୀ

ସ୍ବାଗତ କରୁ ଅନ୍ତରରୁ ପ୍ରଣମି

ତୁମେ ଆସ ଗୋ ମୌସୁମୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action