STORYMIRROR

Kshitish Jena

Inspirational

4  

Kshitish Jena

Inspirational

ତାତିର ଅନୁଭୂତି

ତାତିର ଅନୁଭୂତି

1 min
229

ବରଷା କୁଆଡ଼େ ଯାଇଛି ଉଭେଇ

ହୁଏ ଟାଣ ଖରା ଭାରି

ବାହାରକୁ ଗଲେ ସଅଳ ଘରକୁ

ଫେରି ଆସ କାମ ସାରି ।


ଖରାରୁ ଆସିଲେ ପଙ୍ଖା ତଳେ ବସ

ଶୁଖିଯିବ ଦେହ ଝାଳ

ଆରାମ ଲାଗିବ ଲେମ୍ବୁପାଣି ଅବା

ପାନ କଲେ ଥଣ୍ଡାଜଳ ।


ତତଲା ଭାତ ଯେ ରୁଚେନି ଖରାରେ

ରୁଚଇ ଦହି ପଖାଳ

ତୋରାଣୀ ଟୋପାଏ ପିଇଦେଲେ ସତେ

ଦେହରେ ପଶଇ ବଳ ।


କୋଠା ଟିଣ ଘରେ ରହି ହୁଏ ନାହିଁ

ଚଟାଣ ବି ଯାଏ ତାତି

ପିଣ୍ଡରୁ ତ ପ୍ରାଣ ଗଲା ପରି ଲାଗେ

ବିଜୁଳି ଗଲେରେ କଟି ।


ଝାଟି ମାଟି ନଡ଼ା ଛପର କୁଡ଼ିଆ

ଖରାଦିନେ ଲାଗେ ଶାନ୍ତି

ଶୋଇଲେ ବସିଲେ ଥଣ୍ଡା ଲାଗେ ଘର

ବାଧେ ନାହିଁ ବେଶୀ ତାତି ।


ଖରାରେ ବାଟୋଇ ଘାଟୋଇ ମଣିଷ

ଦୁଆରେ କେ ବସିଗଲେ

କୋଟି ପୂଣ୍ୟ ମିଳେ ଶୋଷିଲା ଲୋକଙ୍କୁ

ଥଣ୍ଡା ଜଳ ଟୋପେ ଦେଲେ ।


ଦାଣ୍ଡ ଅଗଣାରେ ଛାତରେ ବାଡ଼ିରେ

ପାଣିପାତ୍ର ଦେଲେ ରଖି

ପାଣି ପିଇ ନିଜ ବାସକୁ ଫେରନ୍ତି

ଆନନ୍ଦରେ ପଶୁପକ୍ଷୀ ।


ବିକ୍ରିହୁଏ ତାଳସଜ ଓ କାକୁଡ଼ି

ତରଭୁଜ ଆଖୁରସ

ପିଅନ୍ତି ପଇଡ଼ ଖାଆନ୍ତି ମଲେଇ

ହୁଏ ଯେବେ ଭାରି ଶୋଷ ।


ଗାଁ ଗଣ୍ଡା ତଥା ଛକ ବଜାରରେ

ସ୍ୱେଚ୍ଛାସେବୀ ଅନୁଷ୍ଠାନ

ଜଳଛତ୍ର ଖୋଲି ଖରାରେ ଲୋକଙ୍କୁ

କରିଥା'ନ୍ତି ଜଳଦାନ।


ଖରା ଯୋଗୁଁ ପୃଷ୍ଠେ ହୁଅଇ ବରଷା

ବିଧିର ଇଏ ବିଧାନ

ତାତିରୁ ମୁକତି ପାଇବା ଚଳିଲେ

ହୋଇ ଆମେ ସାବଧାନ ।



Rate this content
Log in

Similar oriya poem from Inspirational