ସୁନ୍ଦର ପୁଷ୍ପ କୃଷ୍ଣଚୂଡ଼ା
ସୁନ୍ଦର ପୁଷ୍ପ କୃଷ୍ଣଚୂଡ଼ା
ଧନ୍ୟରେ ଧନ୍ୟ ପୁଷ୍ପ ତୁ କୃଷ୍ଣଚୂଡ଼ା l
କି ସୁନ୍ଦର ତୋହର ନାଲି ପାଖୁଡ଼ା ll
ପାଖୁଡ଼ା ମଧ୍ୟେ ଏକ ଧବଳ ଥାଇ l
ସୁନ୍ଦରପଣ ତୋର ତୁଳନା କାହିଁ ll
ପାଖୁଡ଼ା ମଧ୍ୟେ ଥାଇ କ୍ଷୁଦ୍ର ଘଣ୍ଟିକା l
ମଧୁ ହରଙ୍କ ସଙ୍ଗେ ମଧୁ ଚନ୍ଦ୍ରିକା ll
ହରିତ ପତ୍ର ମଧ୍ୟେ ତୁ ପୁଷ୍ପ ପେନ୍ଥି l
ମନ କହୁଛି କୃଷ୍ଣେ ପିନ୍ଧାନ୍ତି ଗୁନ୍ଥି ll
ମଧୁର ମଧୁ କାଳେ ମଧୁର ବିଭା l
ବିଚିତ୍ରସୃଷ୍ଟିର ତୁ ଚିତ୍ରିତ ଶୋଭା ll
ନାମକୁ କୃଷ୍ଣଚୁଡ଼ା ତୁହି ବୋଲାଉ l
ରାଧିକା ଯୁଡ଼ା ଶୋଭା ତୁହି ବଢ଼ାଉ ll
ମଧୁ ଗୁଞ୍ଜନେ ଚୁମି ବୁଲନ୍ତି ଅଳି l
ଗହଳ ପତ୍ର ମଧ୍ୟେ ମଧୁ କାକଳି ll
ସ୍ମରଙ୍କ ଶରେ କିବା ପଞ୍ଚ ପଲ୍ଲବ l
ତାତ ସ୍ମରଙ୍କ ଯେଣୁ ବେଣୁମାଧବ ll
ସର୍ବ ଶୋଭାର ତୁହି ଉପମା ଖଣି l
ଲୋଡ଼ନ୍ତି କୃଷ୍ଣଚୂଡ଼ା କୃଷ୍ଣ କାମିନୀ ll
ଫଗୁଣ ଫଗୁ ମାସେ ଫଗୁ ପରବ l
ପ୍ରକୃତି ରାଣୀଙ୍କର ଫଗୁ ବୈଭବ ll ଶୋଭାର ଖଣି କିବା ଆଉ ବର୍ଣ୍ଣିବି l
କୃଷ୍ଣଙ୍କୁ କୃଷ୍ଣଚୂଡ଼ା ଅଞ୍ଜଳୀ ଦେବି ll
