ସୁନାନାକୀ ବୋହୂ
ସୁନାନାକୀ ବୋହୂ
ଦିନ ପରେ ଦିନ ଗଡି ତ ଚାଲିଲା
ପୁଅ ବୟସ ବଢିଲା
କୋଉଠି ପାଇବେ ସୁନାନାକୀ ବୋହୂ
ବାପା ମାଆ ଚିନ୍ତା ହେଲା ।
ଖୋଜି ଖୋଜି କାହୁଁ ପାଇଲେ ନାହିଁ ସେ
ଗୁଣବତୀ ବୋହୂ ଏକ
କିଏ ଉଗ୍ରଚଣ୍ଡୀ କିଏ ତ ଅଳସୀ
କାମରେ କିଏ ବି ଠକ ।
କିଏ ତ କଳେହି କେ ଦିବ୍ୟ ସୁନ୍ଦରୀ
ଗୋଟିଏ ଚାଉଳେ ଗଢା
ଗୁରୁଜନ ପ୍ରତି ବେଖାତିରି କରେ
ଉତ୍ତର ଦିଅଇ ଚଢା ।
ଗର୍ବ ଅହଂକାର ଭରପୁର ଥାଏ
କାହାକୁ ସେ ମାନେ ନାହିଁ
ଯେଣେ ଇଚ୍ଛା ହୁଏ ତେଣେ ବୁଲୁ ଥାଏ
ଲଗାମ ତା ଠାରେ ନାହିଁ ।
ଧନ ଯଉତୁକ ପ୍ରବଳ ମିଳିବ
ମଧ୍ୟସ୍ଥିଟି କହୁଥାଏ
ଝିଅର ସ୍ବଭାବ ଜାଣିଗଲା ପରେ
ପୁଅ ପଛ ଘୁଞ୍ଚା ଦିଏ ।
ଆଜିକାଲି ଝିଅମାନଙ୍କ ଉପରେ
ବିଶ୍ୱାସ ହୁଏନା କରି
ଜଣଙ୍କ ସାଥିରେ ବିବାହ କରନ୍ତି
ଅନେକ ଥାଆନ୍ତି ଧରି ।
ଗୋଟିଏ ଜାଗାରେ ବିବାହ କରିଲେ
ସଂସ୍କାରି ଝିଅଟେ ଦେଖି
ସରଳ ସୁନ୍ଦର ନିରୀହ ଥିଲା ସେ
ଗୁଣବତୀ ନିରିମାଖୀ ।
ଦେଖିବାକୁ ସିନା କଳା ତା ଚେହେରା
ଭିତର ପବିତ୍ର ଥିଲା
ହୃଦୟ ତାହାର ସ୍ନେହ ମମତାରେ
ଭରପୁର ରହି ଥିଲା ।
ସକାଳରୁ ଉଠି ଛେରା ପାଣି ଦେଇ
ବାସି କାମକୁ ସେ ସାରେ
କଳା ବୋଲି ତାକୁ ଘୃଣା କରୁଥାନ୍ତୁ
ବସନ୍ତିନି ତା ପାଖରେ ।
ତଥାପି ମନରେ ଦୁଃଖ ତା ନ ଥାଏ
ତା କର୍ତ୍ତବ୍ୟ କରି ଚାଲେ
ଘର ଯାକର ସେ ସବୁ କାମ କରେ
ଉଠେ ବି ବଡି ସକାଳେ ।
ପାଞ୍ଚ ବୋହୂ ତାଙ୍କ କରନ୍ତି ଅୟସ
ପଶା ପାଲିକୁ ପକାଇ
କାଳି ସିଏ ବୋଲି ସାଙ୍ଗ କରନ୍ତି ନି
ଯାଆନ୍ତି ତାକୁ ଆଡେଇ ।
ଶାଶୁ ଶଶୁରଙ୍କ ସେବା ସେ କରଇ
ପରିବାର ମନ ନେଇ
ରୋଗ ବାଧକରେ ସେବା କରୁଥାଏ
ରାତି ଉଜାଗର ହେଇ ।
କାହାକୁ କେବେ ସେ କିଛି କହେ ନାହିଁ
ସବୁ ସିଏ ସହି ଯାଏ
ଘର କଥା ସବୁ ପେଟେ ରଖୁ ଥାଏ
ସେବା ତାଙ୍କ କରୁ ଥାଏ ।
ସବୁ ମନ ଜାଣି ଖୁସି ଆଗ୍ରହରେ
ଖାଇବା ପରଶି ଦିଏ
ସମସ୍ତଙ୍କ ଆଗେ ଶଶୁର ତାହାର
ସୁନାନାକୀ ବୋହୂ କୁହେ ।
ସହି ପାରିଲେନି ପାଞ୍ଚ ଜାଆ ତାଙ୍କ
କଳି ଝଗଡା କରିଲେ
ଅପମାନ ଦେଇ ବାର କଥା କହି
ଘରୁ ବିଦା କରି ଦେଲେ ।
ଶାଶୁ ଶଶୁର ତା ମନ ଦୁଃଖ କଲେ
ବିଦାୟ ତାହାଙ୍କୁ ଦେଲେ
ପାଞ୍ଚ ଜାଆ ଦେଖି ଆଖି ଠରା ଠରି
ହେଇ ମୁରୁକି ହସିଲେ ।
ସେଇ ହସ ତାଙ୍କ ହସରେ ରହିଲା
ଭୋକରେ ବିକଳ ହେଲେ
ଖାଇବା ପାଇଁକି ଡହଳ ବିକଳେ
ରୋଷେଇ ଘରେ ପଶିଲେ ।
ଖାଇବା ନ ପାଇ ରୋଷେଇ ଘରେ ସେ
କଥା କଟା କଟି ହେଲେ
ରୋଷେଇ ପାଇଁ ସେ ପରସ୍ପର ମଧ୍ୟେ
ଝଗଡା ଆରମ୍ଭ କଲେ ।
କଷ୍ଟେ ମଷ୍ଟେ ସେହି ଦିନ ରହିଗଲେ
ପ୍ରଭାତ ହୋଇଲା ଯେବେ
ଘର ଅଗଣାକୁ ଝାଟେଇବା ପାଇଁ
ବାଦ ଆରମ୍ଭିଲେ ତେବେ ।
ଟଣା ଓଟରା ସେ ପରସ୍ପରେ ହେଲେ
ସମ୍ପର୍କ ଭାଙ୍ଗିଣ ଗଲା
ସୁଖ ହଜି ଗଲା ଅଶାନ୍ତି ଜନ୍ମିଲା
ମନରେ ଚେତା ପଶିଲା ।
ଶାଶୁ ଶଶୁରଙ୍କ ପାଦ ତଳେ ପଡି
ମାଗିଲେ ସେମାନେ କ୍ଷମା
ସୁନାନାକୀ ବୋହୂ ଫେରେଇ ଆଣିବୁ
କଳି କରିବୁନି ଜମା ।
ପାଞ୍ଚ ଜାଆ ଯାଇ କାଳି ବୋହୁ ପାଶେ
ହସି ହସି ପ୍ରବେଶିଲେ
ସୁନାନାକୀ ବୋହୂ ତୁ ତ ଆମର
କହି ଘରେ ଡାକି ନେଲେ ।
ଏକାଠି ରହିଲେ ଏକାଠି ଚଳିଲେ
ପରିବାର ହସୁଥିଲା
ସୁନାନାକୀ ବୋହୂ କମାଲ କରିଲା
ପରିବାର ଯୋଡି ଦେଲା ।