ସଡ଼କ ସୁରକ୍ଷା ,ଜୀବନ ରକ୍ଷା
ସଡ଼କ ସୁରକ୍ଷା ,ଜୀବନ ରକ୍ଷା
ଜୀବନର ପଥ ଭାରି ଅଙ୍କାବଙ୍କା
ଗଡ଼ାଣି ଉଠାଣି ଖାଲ ଢିପ ,
ଚାରିଦିଗ ଚାହିଁ ଚାଲିବାକୁ ପଡ଼େ
ପଡ଼ିଯିବ କାଳେ ଅଭିଶାପ।
ରାସ୍ତାର ନିୟମ ନମାନି ଚାଲିଲେ
କରିବାକୁ ପଡ଼େ ଜୀବନ ଭିକ୍ଷା ,
ସଡ଼କ ସୁରକ୍ଷା, ଜୀବନ ରକ୍ଷା ।
ଚାଲୁ ଥିଲେ ବାଟ ମାନିବୁ ଆକଟ
ବାମରୁ ଡାହାଣ ଦେଖିକି ଯିବୁ ,
ଦ୍ରୁତ ବେଗେ ଯଦି ଆସୁ ଥିବ ଗାଡ଼ି
ଯଥେଷ୍ଟ ଦୂରକୁ ସରେଇ ଯିବୁ ।
ଦ୍ରୁତ ଗତି ସିନା ମହା ବିପତ୍ତି ରେ
ଦୁର୍ଘଟଣା ଦିଏ ପ୍ରତ୍ୟକ୍ଷ ଶିକ୍ଷା ,
ସଡ଼କ ସୁରକ୍ଷା , ଜୀବନ ରକ୍ଷା ।
ନିଶା ପାନ କରି ଗଲେ ଗାଡ଼ି ଧରି
ଅଣାୟତ ହୁଏ ଜୀବନ ଗାଡ଼ି ,
ଆନମନା ହେଲେ ପଥରେ ପଥିକ
ଅକାଳେ ଜୀବନ ଯାଏଟି ଉଡ଼ି ।
ମାତ୍ରାଧିକ ଆତ୍ମ- ବିଶ୍ବାସେ ମରଣ
ସତର୍କତା ଦିଏ ମହତ ଦୀକ୍ଷା ,
ସଡ଼କ ସୁରକ୍ଷା , ଜୀବନ ରକ୍ଷା ।
ଆପେ ମଲେ ବାପ ହୁଏ ଦରମରା
ମରି ମରି ବଞ୍ଚେ ଦୁଃଖିନୀ ମାଅା ,
ଆହୁରି ଅଧିକ ଯନ୍ତ୍ରଣା ଦାୟକ
ଯମପୁରୁ ଫେରି ଅଧା ଖଣ୍ଡିଆ ।
ପିନ୍ଧି ଶିରସ୍ତ୍ରାଣ ଚଳାଅ ବାହନ
ହାରିବୁ ଜୀବନ କଲେ ଉପେକ୍ଷା
ସଡ଼କ ସୁରକ୍ଷା , ଜୀବନ ରକ୍ଷା ।
