ସର୍ବଂସହା ମୋ ଧରିତ୍ରୀ
ସର୍ବଂସହା ମୋ ଧରିତ୍ରୀ
କାଳର ବିପକ୍ଷେ ଲଢେଇ କରି
ଜିତି ନାହିଁ କିଏ କେବେ ,
ଜାଣିପାରୁ ନାହିଁ ଏ ମଣିଷ ଜାତି
କେଜାଣି ବୁଝିବ କେବେ...?
ନିଜ ସୁଖ ପାଇଁ କାଟେ ସେ ବୃକ୍ଷ
ଧ୍ୱଂସ କରେ ସବୁଜ ଜଙ୍ଗଲ ,
ପ୍ରକୃତି ମାତାର କୋହ ସହି ନ ପାରି
ହୁଏ ସେ ଆଜି କଲବଲ...!
ପ୍ରକୃତି ମାତାକୁ ଧ୍ୱଂସ କରି ସେ
ଭାବୁଛି କରିବ ବୋଲି କୀର୍ତ୍ତି ,
ଜାଣି ସେ ପାରୁନି ସେହି ଅପରାଧେ
ପାଉଛି ଆଜି ଏହି ଶାସ୍ତି...।
ସର୍ବଂସହା ସେ ଧରିତ୍ରୀ ମାତା
ସହନଶୀଳର ଅଟେ ମୂର୍ତ୍ତି ,
ସଙ୍କେତ ଦେଉଛି ସନ୍ତାନକୁ ତା'ର
ସୁଧୁରାଅ ନିଜ ପରିସ୍ଥିତି...।
ତଥାପି ବୁଝୁନି ଏ ମାନବ ଜାତି
କରେ ସେ ଆଜି ହୀନ ରାଜନୀତି ,
ବଢୁଛି ଦୁର୍ନୀତି, ବଢେ କୁକୀର୍ତ୍ତି
ହିସାବ ନେଉଛି ଆଜି ମାଁ ' ପ୍ରକୃତି...।
ମଣିଷର ପାପ କର୍ମ ପାଇଁ ସିନା
ପୃଥିବୀ ହେଲା ଅତିଷ୍ଠ ,
ପର ନିନ୍ଦା , ପର ଚର୍ଚ୍ଚା କରି କରି
ମଣିଷ ହୋଇଗଲାଣି ନଷ୍ଟ ...!
କରୋନାର ବିଷ ବଳୟ ମଧ୍ୟରେ
ସେହି ସମୁଦ୍ର ଝଡର ଭୟ ,
ସବୁରି ମନରେ ଗୋଟିଏ ପ୍ରଶ୍ନ
ପୃଥିବୀ ହେବ କି ସତେ ବିଲୟ...।
ବିପର୍ଯ୍ୟୟ ଆମ ଚିର ସହଚର
ଏ ତୋ କାଳ କାଳ କଥା ,
ବେଡି ପରେ କିନ୍ତୁ କରୋଡାର ମାଡ଼
ବଢାଇ ଦେଇଛି ବ୍ୟଥା...।
ତିକ୍ତ ଅନୁଭୂତିର ସ୍ମୃତିକୁ ସାଉଁଟି
ମନକୁ କରିଲେ ଟାଣ ,
ସଙ୍କଟ ବାଦଲ ଯିବ ଅପସରି
ଉଦ୍ଧରିବେ ଆର୍ତ୍ତତ୍ରାଣ...।
