ମୋର କିଛି କହିବାର ନାହିଁ
ମୋର କିଛି କହିବାର ନାହିଁ
ବେଳେ ବେଳେ ଇଚ୍ଛା ହୁଏ
ଭଗବାନଙ୍କ ଉପରେ ରାଗିବାକୁ ,
ଯିଏ ତୁମ ପରି ମଣିଷକୁ ଗଢିଲେ
ହେଲେ ଦେଲେନି ହୃଦୟ ,
ଆଉ ମୋତେ ଯଦି ସୃଷ୍ଟି କଲେ
ତେବେ କାହିଁ ଦୂରେଇ ରଖିଲେ ,
ତୁମଠାରୁ ଏତେଦିନ ଯାଏଁ ?
ମିଳାଇଲେ ପୁଣି ଜୀବନର ବିଳମ୍ବିତ ବସନ୍ତରେ ।
ତୁମକୁ ପାଇବି ପାଇପାରେନି
ଛାଡ଼ିବାକୁ ଚାହିଁ ବି ଛାଡିପାରୁନି ,
ତୁମେ ବି ତୋ ଆବୋରି ବସିଛ
ମୋ ସମଗ୍ର ଜୀବ ସତ୍ତାକୁ ,
ମୁଁ ଏବେ ବି ତୁମ ପାଇଁ କି
ପୃଷ୍ଠା ପୃଷ୍ଠା କବିତା ରଚେ ,
ପ୍ରେମଠୁ ବେଶୀ ବିରହ ରସରେ ।
ତୁମ ନିର୍ଲିପ୍ତତା ଚାପରେ
ଅଣନିଃଶ୍ବାସୀ ହୁଏ ମୋ ହୃଦୟ ,
ନିଷ୍ପେସିତ ହୁଅନ୍ତି ମୋ ଭାବନା ଯେତେକ ।
ଏବେବି କରିଛି ନିଜକୁ ପୁଷ୍ପଗୁଚ୍ଛଟିଏ
ତୁମେ ଡାକି ନେଇ ରଖିପାର ,
ତୁମ ଟେବୁଲ୍ ଉପର ଫୁଲଦାନିରେ
ଅବା ଶୋଇଯାଅ ତାକୁ ବିଛଣାଟି କରି ବିଞ୍ଚି ,
କିମ୍ବା ଖିନଭିନ କରି ଫିଙ୍ଗିଦିଅ
ତୁମ ଝରକାର ଆଖ ପାଖେ ,
ମାଟିରେ ମିଶିଥିଲା ଯାଏଁ ବାସୁଥିବି
ମହକାଉ ଥିବି ତୁମ ପ୍ରତିଟି ମୁହୂର୍ତ୍ତ ,
ମୋର ପ୍ରତ୍ୟେକଟି ହୃଦ ସ୍ପନ୍ଦନ
ମୃତ୍ୟୁ ଯାଏଁ କହୁଥିବ ବାରମ୍ବାର ,
ତୁମକୁ ମୁଁ ଖୁବ୍ ବେଶୀ ଭଲ ପାଏ ବୋଲି!