ସନ୍ତାନ ନୀରୋଗେ ମଙ୍ଗଳ ବାଞ୍ଛାଅଟେ
ସନ୍ତାନ ନୀରୋଗେ ମଙ୍ଗଳ ବାଞ୍ଛାଅଟେ
ପୌଷ ଶୁକ୍ଳପକ୍ଷ ତିଥି ଦଶମୀ
ନାମଟି ତାହାର ଶାମ୍ବ ଦଶମୀ ।
ସନ୍ତାନ ନୀରୋଗେ ମଙ୍ଗଳ ବାଞ୍ଛା
ଅଟେ ଏ ଦଶମୀ ସୂର୍ଯ୍ୟଙ୍କ ପୂଜା ।
ଥିଲେ ଶାମ୍ବ ନାମେ ଶ୍ରୀକୃଷ୍ଣ ସୁତ
କୁଷ୍ଠ ରୋଗରେ ସେ ଥିଲେ ପୀଡ଼ିତ ।
ଚନ୍ଦ୍ରଭାଗା ନଦୀ କୂଳକୁ ଆସି
ରବି ଉପାସନା ହୋଇ ବିଶ୍ବାସୀ ।
ସନ୍ତୋଷ ତପନ ଆରାଧନାରେ
ଉପନୀତ ଆସି ସେହି ଠାବରେ ।
ଆଶିଷ ଝରାଇ ଦେଲେ ମଥାରେ
ହେଲେ ରୋଗମୁକ୍ତ ଶାମ୍ବ ସେଠାରେ ।
ସେହି ସ୍ମୃତି ଗାଥା କରି ସ୍ମରଣ
କୋଣାର୍କ ମନ୍ଦିର ହେଲା ନିର୍ମାଣ ।
ସୂର୍ଯ୍ୟଙ୍କ ପ୍ରତିମା ସିଂହାସନରେ
ପ୍ରଥମ ଅରୁଣ ପାଦ ଦେଶରେ ।
ପୂଜଇ ଭକତ ଭାବଭକ୍ତିରେ
ପ୍ରସିଦ୍ଧି ତା' ଅର୍କକ୍ଷେତ୍ର ନାମରେ ।
ଉତ୍କଳୀୟେ ପରମ୍ପରା ସଂସ୍କୃତି
ହୃଦୟ ମଧ୍ୟରେ ଜାବୋଡି଼ଥାନ୍ତି ।
ପ୍ରତି ଗୃହେ ଗୃହୀ ସୂର୍ଯ୍ୟ ପୂଜନ
ନାନା ପିଠାପଣା ଭୋଗ ଅର୍ପଣ ।
ଭିନ୍ନ ଭିନ୍ନ ପ୍ରତି ସନ୍ତାନ ପାଇଁ
ପିଠା, ମିଠା ନଇବେଦ୍ୟ ବାଢ଼ଇ ।
ଦୂର କରିବାକୁ ରୋଗକଷ୍ଟକୁ
ବିନତି କରଇ ସୂର୍ଯ୍ୟଦେବଙ୍କୁ ।
ଗୋଟେ ପରେ ଗୋଟେ ଘୂରି ପରବ
ପ୍ରତି ଅଗଣାରେ ଢାଳଇ ଶୁଭ ।
ଓଡ଼ିଆ ରମଣୀ କରି ବରଣ
ଭାବଭକତିରେ ଇଷ୍ଟ ପୂଜନ ।
ପରବକୁ ମଣି ମଣି ସଦୃଶ
ପାଳଇ ହରଷେ ପ୍ରତି ବରଷ ।